Unknown

 

 

 

 

 

 

 

 

 

 

ବିଦେଶୀ

ଶ୍ରୀମତୀ ପ୍ରତିଭା ଦେବୀ

 

ଭୂମିକା

 

ଉତ୍କଳ ସାହିତ୍ୟ କ୍ଷେତ୍ରରେ ସୁପରିଚିତା କୁମାରୀ ଶ୍ରୀମତୀ ପ୍ରତିଭାଙ୍କର ଏଥିପୂର୍ବେ ଉତ୍କଳସାହିତ୍ୟ ପତ୍ରିକାରେ ଖଣ୍ଡଶଃ ପ୍ରକାଶିତ ଗଳ୍ପଗୁଡ଼ିକ ‘ବିଦେଶୀ’ ନାମରେ ବର୍ତ୍ତମାନ ପୁସ୍ତକାକାରରେ ପ୍ରକାଶିତ ହେଲା । ପ୍ରସିଦ୍ଧ ଇଂରେଜ, ଫରାସୀ ଓ ରୁଷୀୟ ଗଳ୍ପଲେଖକମାନଙ୍କ ଗଳ୍ପାବଳୀରୁ ନିର୍ବାଚନ କରି, ଅଧିକାଂଶ ସ୍ଥଳରେ ମୌଳିକ ଗଳ୍ପରେ ଥିବା ନାମମାନଙ୍କୁ ଆମ ଦେଶପ୍ରଚଳିତ ନାମରେ ପରିବର୍ତ୍ତିତ କରି ଏ ଗଳ୍ପଗୁଡ଼ିକ ଲେଖା ହୋଇଅଛି । ବିଦେଶୀୟ ଗଳ୍ପ ଲେଖକମାନଙ୍କ ଗଳ୍ପମାନ ଅବଲମ୍ବନ କରି ଗଳ୍ପଗୁଡ଼ିକ ଲେଖା ହୋଇଥିବାରୁ ଏହାର ନାମ ‘ବିଦେଶୀ’ ଦିଆଯିବା ସିମୀଚୀନ ହୋଇଅଛି ।

 

କାବ୍ୟ ହେଉ, ଉପନ୍ୟାସ ହେଉ, ପଦ୍ୟ ହେଉ, ଗଳ୍ପ ହେଉ, ମୌଳିକ ରଚନା ପ୍ରତିଭାଶ୍ରିତ । ‘ଶ୍ୱେତଦ୍ୱୀପ ବୀଣା’, ‘ଶେଷବନ୍ଦୀ ଭାରତୀ’, ‘ମୋର ଖାୟାମ’ ଆଦି ଇଂରାଜୀ କବିତାର ଅବଲମ୍ବନରେ ରଚିତ କବିତାମାନଙ୍କର କବି ମୋର ଅଗ୍ରଜପ୍ରତିମ ରାୟ ସାହେବ ଅଜୟଚନ୍ଦ୍ର ଦାସ ତାଙ୍କର ‘ଶେଷବନ୍ଦୀ ଭାରତୀ’ର ଭୂମିକାରେ ଲେଖିଅଛନ୍ତି:—ଯେଉଁମାନେ କବି-ପ୍ରତିଭା ଘେନି ଜନ୍ମଗ୍ରହଣ କରି ନାହାନ୍ତି; ସେମାନଙ୍କ କକ୍ଷରେ ଯେଉଁ କବିତା ଦିନେ ସାହିତ୍ୟର ଆବର୍ଜନାରାଶିରେ ମିଶିଯିବ, ସେଭଳି କବିତା ଲେଖିବା ପାଇଁ ବୃଥା ପ୍ରୟାସ କରିବା ଅପେକ୍ଷା ଅପର ସାହିତ୍ୟରେ ସଞ୍ଚିତ ରତ୍ନାହରଣଦ୍ୱାରା ନିଜ ସାହିତ୍ୟର ଶ୍ରୀବୃଦ୍ଧି ସାଧନ କରିବା ଶ୍ରେୟସ୍କର-।’’ ଅଜୟଚନ୍ଦ୍ରଙ୍କର କବିତା ସମ୍ବନ୍ଧରେ ଏହି ମନ୍ତବ୍ୟ ଓ ଉପଦେଶ ସାହିତ୍ୟର ଅନ୍ୟ ସମସ୍ତ ଶାଖା ପ୍ରତି ମଧ୍ୟ ପ୍ରଯୋଜ୍ୟ । ଆଧୁନିକ ଉନ୍ନତ ସାହିତ୍ୟମାନ ଅନ୍ୟାନ୍ୟ ସାହିତ୍ୟରୁ ଆହୃତ ରତ୍ନମାନଙ୍କଦ୍ୱାରା ପରିପୁଷ୍ଟାଙ୍ଗ । ସାହିତ୍ୟର ଉନ୍ନତିପାଇଁ ମୌଳିକ ପ୍ରତିଭା ବିକାଶ ଅବଶ୍ୟ ଲୋଡ଼ା; କିନ୍ତୁ ଅପର ସାହିତ୍ୟରେ ସଞ୍ଚିତ ରତ୍ନମାନ ଆହରଣ କରି ସାହିତ୍ୟର ଶ୍ରୀବୃଦ୍ଧି କରିବା ମଧ୍ୟ ସାହିତ୍ୟର ପୁଷ୍ଟିପାଇଁ ବିଶେଷରୂପେ ଆବଶ୍ୟକ । ନବ୍ୟ ବ୍ୟଙ୍ଗୀୟ ସାହିତ୍ୟର ଶ୍ରୀବୃଦ୍ଧି ଏହାର ଗୋଟିଏ ଜ୍ୱଳନ୍ତ ଉଦାହରଣ ।

 

ମୋର ପରମ ଶ୍ରଦ୍ଧାସ୍ପଦ ଶ୍ରୀଯୁକ୍ତ ବିଶ୍ୱନାଥ କରଙ୍କ କନ୍ୟା ଶ୍ରୀମତୀ ନର୍ମଦା ଓ କୁମାରୀ ପ୍ରତିଭା ଏ କ୍ଷେତ୍ରରେ ପ୍ରୟାସ କରିଅଛନ୍ତି ଓ ସେମାନେ ଏହି କାର୍ଯ୍ୟରେ କେତେଦୂର କୃତକାର୍ଯ୍ୟ ହୋଇ ଅଛନ୍ତି, ତାହା ମୀମାଂସା କରିବାର ଭାର ସାହିତ୍ୟ-ରସିକ ସାଧାରଣଙ୍କ ଉପରେ ନ୍ୟସ୍ତ ।

 

ଅପର ସାହିତ୍ୟରୁ ଗଳ୍ପ ଆଦି ଅବିକଳ ଅନୁବାଦ କରିବାରେ ତେତେ ବାହାଦୁରି ନାହିଁ । ଗଳ୍ପମାନ ନିର୍ବାଚନ କରିବା ଓ ଉକ୍ତ ଗଳ୍ପମାନଙ୍କୁ ଆମ ସାହିତ୍ୟର ରୁଚି ଓ ରୀତିରେ ଗଢ଼ିବାରେ କୃତିତ୍ୱ ଅଛି । ସାଧାରଣଙ୍କ ସମ୍ମୁଖରେ ଉଚ୍ଚ ଆଦର୍ଶ ସ୍ଥାପନ କରି ଜାତୀୟ ଜୀବନକୁ ନୈତିକ ଓ ମାନସିକ ଉନ୍ନତି ଆଡ଼କୁ ଆକର୍ଷଣ କରିବା ଉଚ୍ଚ ସାହିତ୍ୟର ଗୋଟିଏ ପ୍ରଧାନ ଓ ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଅଟେ । ଅଧିକାଂଶ ସ୍ଥଳରେ ଦେଖାଯାଏ ଯେ, ଆମ ଦେଶର ଲେଖକ ଓ ଅନୁବାଦକମାନେ ଏକଥା ମନେ ରଖନ୍ତି ନାହିଁ ଏବଂ ଏହାର ଫଳରେ ସାହିତ୍ୟ ଆବର୍ଜନାପୂର୍ଣ୍ଣ ହେବା ସ୍ୱାଭାବିକ ।

 

ସାହିତ୍ୟରେ ଗଳ୍ପର ଯେ ଗୋଟିଏ ବିଶିଷ୍ଟ ସ୍ଥାନ ଅଛି, ଏହା ଏ ଯୁଗରେ ବୁଝାଇବାକୁ ହେବ ନାହିଁ । କାହାଣୀ, ଗଳ୍ପ, ଉପନ୍ୟାସ, ନାଟକ, କାବ୍ୟାଦି ସାହିତ୍ୟର ଭିନ୍ନ ଭିନ୍ନ ଅଙ୍ଗ ମାତ୍ର । ଏମାନଙ୍କରେ ଲୋକଶିକ୍ଷା ସଙ୍ଗେ ସଙ୍ଗେ କଳ୍ପନାର ଯେଉଁ ବିକାଶ ଫୁଟି ଉଠେ, ତଦ୍ଦ୍ୱାରା ସାହିତ୍ୟ, ତଥା ଜାତିର ଆଦର୍ଶ ଓ ସମ୍ମାନ ଉଚ୍ଚକୁ ଉଠେ ।

 

ସବୁ ସାହିତ୍ୟରେ ଦେଖାଯାଏ ଯେ, ଗୋଟିଏ ଯୁଗରେ ଆବିର୍ଭୂତ ପ୍ରତିଭାଶାଳୀ ଲେଖକଙ୍କ ସଂଖ୍ୟା ମୁଷ୍ଟିମେୟ । ଅନ୍ୟ ସମସ୍ତଙ୍କ ଲେଖା ଓ ଛାପା କାଗଜଗୁଡ଼ିକ ସଙ୍ଗେ ସଙ୍ଗେ ବା କିଛି ଦିନ ପରେ ପୋଟଳୀ ବଣିଆ ଓ ଦୋକାନ ମୁଦିମାନେ ମସଲା ପୋଟଳା ବାନ୍ଧିବାପାଇଁ ସେରଦରିଆ କିଣି ନିଅନ୍ତି । ସାଧାରଣ ଲେଖକମାନେ ଯେବେ ଭବିଷ୍ୟତର ମସଲା-ପୋଟଳା ବନ୍ଧାହେବା ଉପକରଣ ସଂଗ୍ରହରେ ବ୍ୟସ୍ତ ନ ହୋଇ ଅନ୍ୟାନ୍ୟ ଉନ୍ନତ ସାହିତ୍ୟର ସାହିତ୍ୟରଥୀମାନଙ୍କ କଳ୍ପନା-ପ୍ରସୂତ ରତ୍ନମାନଙ୍କୁ ଆଣି ଆମ ସାହିତ୍ୟରେ ସଞ୍ଚୟ କରନ୍ତେ, ତେବେ ଜାତିର ଓ ସାହିତ୍ୟର ମହଦୁପକାର ସାଧିତ ହୁଅନ୍ତା ।

 

ଏହି କ୍ଷେତ୍ରରେ ଆହୁରି ମଧ୍ୟ ଦେଖା ଯାଇଅଛି ଯେ, କେତେକ ମାର୍କାମରା ଲେଖକ ‘‘ପର ଲୁଗା ପିନ୍ଧି ଯାତକୁ ଯାଏ, ଲୋକେ ପଚାରିଲେ ମୁଣ୍ଡ ଟୁଙ୍ଗାରୁ ଥାଏ’’ ରୀତି ଅବଲମ୍ବନ କରନ୍ତି-। ଏହାକୁ ସାହିତ୍ୟ ରାଜ୍ୟରେ ‘ଚୋରି’ (plagiarism) ବୋଲାଯାଏ । ଅନ୍ୟ ଲେଖକଙ୍କ ଲେଖାକୁ ଛାଙ୍କି ଆଣି ମୋର ଲେଖା ବୋଲି ସାଧାରଣଙ୍କ ଆଖିରେ ଧୂଳି ପକାଇବା ମଧ୍ୟ ଆମ ସାହିତ୍ୟରେ ବିରଳ ନୁହେଁ । ଯେବେ ଅନ୍ୟଠାରୁ ରତ୍ନ ସଂହରଣ କରି ଆଣି ଆମର ଶ୍ରୀବୃଦ୍ଧି କଲେଇଁ, ତେବେ ଏହା ଚୋରି କରି ନ ଆଣି ମାଗି ଆଣିଲେ ଓ ଏହା ସ୍ୱୀକାର କଲେ ତ ନିଜର ମାନ ବଢ଼ନ୍ତା । ଯେ ହେଉ, ସେ କଥା ଆଲୋଚନା କରିବାର ସ୍ଥାନ ଏ ନୁହେଁ ।

 

କୁମାରୀ ପ୍ରତିଭା ପ୍ରସିଦ୍ଧ ବିଦେଶୀୟ ଗଳ୍ପ ଲେଖକମାନଙ୍କ ଗଳ୍ପମାନ ଅବଲମ୍ବନ କରି ଏ ପୁସ୍ତକର ଗଳ୍ପଗୁଡ଼ିକ ଲେଖିଥିବା କଥା ପୂର୍ବରୁ ମୁଁ କହିଅଛି । ଗଳ୍ପଗୁଡ଼ିକ ପାଠକଲେ ଦେଖାଯିବ ଯେ, ପ୍ରତ୍ୟେକ ଗଳ୍ପ ମଧ୍ୟରେ ପବିତ୍ର ମାଧୁରୀ ନିହିତ ଅଛି ଓ ସେଗୁଡ଼ିକ ପାଠ କରିସାରି ପାଠକର ମନରେ ଉଚ୍ଚ ଆଦର୍ଶ ଓ ପବିତ୍ର ଭାବ ଜାଗିଉଠେ ।

 

ଏ ଗଳ୍ପମାନଙ୍କ ନିର୍ବାଚନରେ କୁମାରୀ ପ୍ରତିଭା ଯଥେଷ୍ଟ କୃତିତ୍ୱ ଦେଖାଇ ଅଛନ୍ତି ।

 

ତତ୍‍ପରେ ଏ ଗଳ୍ପମାନଙ୍କ ଭାଷା ସମ୍ବନ୍ଧରେ ମୋର ପଦେ କଥା କହିବାର ଅଛି । ଗଳ୍ପଗୁଡ଼ିକର ଭାଷା ସରଳ ଓ ସର୍ବଜନବୋଧ୍ୟ ହୋଇଅଛି । ଗଳ୍ପ ପାଠ କଲାବେଳେ ଗଳ୍ପର ଅସ୍ଵାଦ ଅନୁଭବ କରିବାପାଇଁ ଡିକ୍ସନାରୀ ଲୋଡ଼ା ପଡ଼ିଲେ, ପାଠକପାଠିକାଙ୍କ ହୀନସ୍ତା କହିଲେ ନ ସରେ; ପାଠକ ବିଚରା ଯାଉ ଖାଇବ, କି ମାଛି ଅଡ଼େଇବ ? ସାଧାରଣତଃ କଥାଭାଷା ବେଳେ ଆମ୍ଭେମାନେ ଯେଉଁ ଭାଷା ବ୍ୟବହାର କରିଥାଉଁ, ଗଳ୍ପର ଭାଷା ତାହାହିଁ ହେବା ଉଚିତ । ଏ ପୁସ୍ତକରେ ଯଥାସମ୍ଭବ ତାହାହିଁ ହୋଇଅଛି । ମୁଁ ସରଳ ସର୍ବଜନବୋଧ୍ୟ ଭାଷା ବ୍ୟବହାରର ପକ୍ଷପାତୀ । ଯେଉଁ ଭାଷାରେ ମୁଁ ମନେ ମନେ ଭାବେଁ, ସେହି ଭାଷାରେହିଁ ମନର ଭାବକୁ ପ୍ରକାଶ କରିବା ସ୍ୱାଭାବିକ ଓ ଶୋଭନୀୟ । ସାହିତ୍ୟର କେତେକ ଶାଖାରେ ଶବ୍ଦାଡ଼ମ୍ବର, ବାକ୍ୟାଳଙ୍କାର, ଶବ୍ଦାଳଙ୍କାର ଆଦି ଶୋଭନୀୟ ହୁଏ ଓ ଆମ ଭାଷାରେ ଏପରି କସରତ୍ ଯଥେଷ୍ଟ ଅଛି । ଆମ ଭାଷାରେ ଆହୁରି ଗୋଟିଏ ଅନନ୍ୟସାଧାରଣ ବିଶେଷତ୍ୱ ଏହି କି, ଓଡ଼ିଆ ପ୍ରାଚୀନ ସାହିତ୍ୟରେ (Classics) ବ୍ୟବହୃତ ଅବୋଧ୍ୟ ଶବ୍ଦମାନଙ୍କର ଅର୍ଥ ବୁଝାଇବା ପାଇଁ କୌଣସି ଶବ୍ଦାର୍ଥକୋଷ ନାହିଁ । ଏଥିଯୋଗୁଁ ଅନେକ ସ୍ଥଳରେ ସାଧାରଣ ପାଠକ ସେ ଲେଖାମାନଙ୍କର ଅର୍ଥ ଓ ମାଧୁରୀ ଉପଲବ୍ଧି କରିବାକୁ ଅକ୍ଷମ ହୁଅନ୍ତି ।

 

ଏ ପୁସ୍ତକଟିରେ ସେ ଦୋଷ ନାହିଁ ଏବଂ ଏହାକୁ ଆବାଳ ବୃଦ୍ଧବନିତା ସମସ୍ତେ (ଏମନ୍ତ କି, ଯାହାଙ୍କର ଓଡ଼ିଆ ଭାଷା ଜ୍ଞାନମାତ୍ର ଅଛି) ପଢ଼ିବା ସଙ୍ଗେ ସଙ୍ଗେ ବୁଝି ପାରିବେ । ଆଉ ଏ ପୁସ୍ତକର ଗଳ୍ପଗୁଡ଼ିକ ସୁରୁଚିସଙ୍ଗତ ଥିବାରୁ ତାହା ଅବାଧରେ ପ୍ରତ୍ୟେକ ପରିବାରର ପାରିବାରିକ ସମ୍ମିଳନରେ ବାଳକ-ଯୁବକ-ବୃଦ୍ଧ ଓ ପିତା-ପୁତ୍ର-ଭ୍ରାତା-ଭଗିନୀ-ମାତା-କନ୍ୟା ସମସ୍ତେ ଏକତ୍ର ବସି ଉପଭୋଗ କରି ପାରିବେ ।

 

କଟକ

ଗୋପାଳଚନ୍ଦ୍ର ପ୍ରହରାଜ

ମାର୍ଚ୍ଚ, ୧୯୨୬

 

Image

 

ସୂଚୀପତ୍ର

 

୧.

ମାଳତୀ

୨.

ପ୍ରେମର ବିଜୟ-ସଙ୍ଗୀତ

୩.

ସୈନିକ ପୁରୁଷ

୪.

କର୍ମଠ ରାଜମିସ୍ତ୍ରୀ

୫.

କଲ୍ୟାଣୀ

୬.

ରହସ୍ୟ ଭେଦ

୭.

ପ୍ରତିବିମ୍ବ

୮.

ଇନ୍ଦୁ

୯.

ବିଚାର

୧୦.

ବାଳିକାର ଆତ୍ମକାହାଣୀ

୧୧.

ରାଜଯୋଗ

୧୨.

ପିଟର ବେଲ

୧୩.

ବାଳିକାର ହୃଦୟ

୧୪.

ଉଦ୍‍ଭ୍ରାନ୍ତ

୧୫.

ବାଳକ ଭୃତ୍ୟ

Image

 

ମାଳତୀ

 

ବଡ଼ ବଜାର ଉପରେ ଗୋଟିଏ ଦ୍ୱିତଳ ଗୃହ । ଗୃହଟିରେ ଦିଓଟି ପରିବାର ଏକତ୍ର ବାସ କରନ୍ତି । ବୃଦ୍ଧ ଶ୍ୟାମଚରଣ ଏକତାଲାରେ ବାସ କରନ୍ତି, ପରିବାର ମଧ୍ୟରେ ତାଙ୍କର ସ୍ତ୍ରୀ ଓ ଗୋଟିଏ ମାତ୍ର କନ୍ୟା । କନ୍ୟାଟିର ନାମ ମାଳତୀ । ଦୋତାଲାରେ ଜଣେ ବୃଦ୍ଧା ତାଙ୍କର ଦୁଇ ପୁତ୍ର ସହିତ ବାସ କରନ୍ତି । ବଡ଼ଟିର ନାମ ରମେଶ, ସେ ବିଦେଶରେ ରହି ଗୋଟିଏ କାରଖାନାରେ କାମ କରେ ଏବଂ ନିଜର ଖରଚ ଛାଡ଼ି ବାକି ଯାହା କିଛି ଥାଏ, ମା ନିକଟକୁ ପଠାଇ ଦିଏ । ସାନଟିର ନାମ ସୁରେଶ, ସେ ମାଙ୍କ ନିକଟରେ ଥାଏ ଏବଂ ନିକଟରେ ଗୋଟିଏ ଦୋକାନରେ ଚାକିରି କରେ । କିଛିଦିନ ହେଲା ସେ ରୋଗରେ ଶର୍ଯ୍ୟଶାୟୀ ହୋଇଛି ।

 

ଏହିପରି ଦୁଇ ପରିବାର ଏକ ସଙ୍ଗରେ ଥାନ୍ତି । କିନ୍ତୁ ସେମାନଙ୍କୁ ଅନେକ ସମୟରେ ଅତ୍ୟନ୍ତ ଅସୁବିଧା ଭୋଗ କରିବାକୁ ହୁଏ । କାରଣ ଗୋଟିଏ ରୋଷେଇଘରେ ଦୁଇ ପରିବାରର ରୋଷେଇ ପାଇଁ ସୁବିଧା ହୁଏ ନାହିଁ । ତେବେ ସୁଦ୍ଧା ସେମାନେ ମିଳିମିଶି ଏକପ୍ରକାର ଚଳାଇ ନିଅନ୍ତି । ସେମାନେ ପାଳି କରି ରୋଷେଇ ଘର ପରିଷ୍କାର କରନ୍ତି ଓ ସିଡ଼ି, ଅଗଣା ଝଡ଼ାଝଡ଼ି କରନ୍ତି । ଏକ ସପ୍ତାହ ଶ୍ୟାମଚରଣଙ୍କ ସ୍ତ୍ରୀ ଓ ତାଙ୍କ କନ୍ୟା ଏହି କାମର ଭାର ନେବେ, ଅନ୍ୟ ସପ୍ତାହରେ ରମେଶର ମା ଏହି କାର୍ଯ୍ୟ କରିବେ, ଏହିପରି ବନ୍ଦୋବସ୍ତ ହୋଇଥିଲା । କିନ୍ତୁ ମାଳତୀ ଓ ତାହାର ମା ନିୟମିତରୂପେ ତାଙ୍କର ପାଳି ଅନୁସାରେ କାର୍ଯ୍ୟ କରନ୍ତି, ରମେଶର ମା ପ୍ରାୟ ତାଙ୍କ ପାଳିରେ କାର୍ଯ୍ୟରେ ଅବହେଳା କରିଥାନ୍ତି । ଏଥିରେ ମାଳତୀର ମା ମନେ ମନେ ଟିକିଏ ବିରକ୍ତ ହୁଅନ୍ତି, କିନ୍ତୁ ନିଜେ କାମଟା କରି ନିଅନ୍ତି । ଏହିପରି ଦିନ କାଟି ଯାଉଥାଏ ।

 

ବୃଦ୍ଧ ଶ୍ୟାମଚରଣ ସଂସାରର କୌଣସି ଖବର ରଖନ୍ତି ନାହିଁ । ତାଙ୍କର ଗୋଟିଏ ଦୋକାନ ଅଛି, ସେ ସେହିଠାରେ ଥାନ୍ତି, କେବଳ ରାତ୍ରରେ ଶୋଇବାକୁ ଘରକୁ ଆସନ୍ତି । ଦୋକାନ ବନ୍ଦ କରି ଘରକୁ ଫେରିବାକୁ ଅନେକ ରାତ୍ରି ହୋଇଯାଏ । ସେଥିପାଇଁ ଦିନେ ଦିନେ ସେ ବାହାର ପିଣ୍ଡାରେ ଶୋଇପଡ଼ି ରାତିଟା କଟାଇ ଦିଅନ୍ତି । ମାଳତୀକୁ ସେ ଅତ୍ୟନ୍ତ ସ୍ନେହ କରନ୍ତି । ଯଦି ବା ତାଙ୍କର ଆର୍ଥିକ ଅବସ୍ଥା ସେତେ ଭଲ ନୁହେଁ, ତଥାପି ବୃଦ୍ଧ ମଧ୍ୟେ ମଧ୍ୟେ ମାଳତୀ ପାଇଁ ଅନେକ ସୁନ୍ଦର ସୌଖୀନ ଜିନିଷ କିଣି ଆଣିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ମାଳତୀ ତାଙ୍କର ସୁଖ ଶାନ୍ତି, ମାଳତୀ ତାଙ୍କର ପ୍ରାଣ ।

 

ଦିନେ ଶ୍ୟାମଚରଣ କୋଇଲା ବୋଝଟିଏ ନେଇ ଅନେକ ରାତ୍ରରେ ଘରକୁ ଫେରିଲେ-। ଅଧିକ ରାତ୍ରି ହେବାରୁ ଦୁଆର ବନ୍ଦ ହୋଇ ଯାଇଥିଲା ଏବଂ ସମସ୍ତେ ଶୋଇ ପଡ଼ିଥିଲେ-। ସୁତରାଂ ସେ କାହାକୁ ବିରକ୍ତ ନ କରି ବାହାର ପିଣ୍ଡାରେ କୋଇଲା ବୋଝଟି ଢାଳି ଦେଇ ସେହିଠାରେ ଶୋଇପଡ଼ିଲେ । ସେହିଠାରେ ରମେଶର ମାଙ୍କର କୋଇଲା ମଧ୍ୟ ଜମା ଥିଲା-। ରମେଶ ମା ସକାଳୁ ଉଠି ସବୁ କୋଇଲାଯାକ ତୋଳି ନେଇ ନିଜ ଘରେ ରଖିଦେଲେ-। ଶ୍ୟାମଚରଣ ଉଠି କୋଇଲା ନ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ । ତାଙ୍କ ସ୍ତ୍ରୀ ଏକଥା ଶୁଣି ରମେଶର ମା’ ନେଇଅଛି ବୋଲି ମନରେ ସନ୍ଦେହ କଲେ । ଏହି ଘଟନା ଘେନି ଦୁଇ ପରିବାର ମଧ୍ୟରେ ଖୁବ୍‍ କଳହ ଲାଗିଗଲା । ରମେଶର ମା’ ଘରର ମାଲିକ ନିକଟରେ ଅଭିଯୋଗ କଲେ ଯେ, ଶ୍ୟାମଚରଣଙ୍କ ପରିବାର ତାଙ୍କ ପ୍ରତି ଅନ୍ୟାୟ ବ୍ୟବହାର କରୁଛନ୍ତି । ସେମାନଙ୍କୁ ଯେପରି ଘରୁ ଉଠାଇ ଦିଆହୁଏ । କିନ୍ତୁ ଗୃହସ୍ୱାମୀ ତାଙ୍କ କଥାରେ କର୍ଣ୍ଣପାତ ମଧ୍ୟ କଲେ ନାହିଁ । ଫଳରେ ଏହି ହେଲା ଯେ, ଦୁଇ ପରିବାର ମଧ୍ୟରେ ବହୁ ଦିନରୁ ଯେ ସଦ୍‍ଭାବ ଥିଲା, ତାହା ଅସଦ୍‍ଭାବରେ ପରିଣତ ହେଲା ଏବଂ ଅବଶେଷରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ମଧ୍ୟ ବନ୍ଦ ହେଲା । କୌଣସି ବିଶେଷ ପ୍ରୟୋଜନ ହେଲେ ଇଙ୍ଗିତରେ ପରସ୍ପର ଅଭିପ୍ରାୟ ବୁଝି ନିଅନ୍ତି, କିନ୍ତୁ ତେବେ ସୁଦ୍ଧା କେହି କାହା ସହିତ କଥା କହନ୍ତି ନାହିଁ । ପରସ୍ପର ପରସ୍ପରକୁ ଦେଖିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ ।

ଦିନେ ସକାଳେ ଶ୍ୟାମଚରଣଙ୍କ ସ୍ତ୍ରୀ ଦେଖିଲେ, ସିଡ଼ି, ଅଗଣା ସବୁ ଅପରିଷ୍କାର ହୋଇ ପଡ଼ିଛି, ଝଡ଼ା ହୋଇ ନାହିଁ । ସେଥର ରମେଶର ମା’ଙ୍କର ପାଳି ଥିଲା । ଏହିପରି କର୍ତ୍ତବ୍ୟ କାର୍ଯ୍ୟରେ ଅବହେଳା ଦେଖି ଅତ୍ୟନ୍ତ ବିରକ୍ତ ହୋଇ ସେ ଚିତ୍କାର କରି ମାଳତୀକୁ ଡାକି କହିଲେ, ‘‘ଦେଖ ମାଳତି, ଏ ସପ୍ତାହରେ ମଧ୍ୟ ରମେଶର ମା ତାଙ୍କ କାମ କଲେ ନାହିଁ । ଏହାଠୁଁ ବଳି ଲଜ୍ଜାର କଥା ଆଉ କଣ ହୋଇପାରେ ?’’

ମାଳତୀ ଏ କଥାର କୌଣସି ଉତ୍ତର ଦେଲା ନାହିଁ । ସେ ଜାଣେ, ରମେଶର ମା ସେମାନଙ୍କ ପ୍ରତି ଅନ୍ୟାୟ ବ୍ୟବହାର କରୁଅଛନ୍ତି, ତେବେ ସୁଦ୍ଧା ତାଙ୍କ ପ୍ରତି ତାହାର ଟିକିଏ ସହାନୁଭୂତି ଅଛି । ତାହାର କାରଣ ଆଉ କିଛି ନୁହେଁ, ସୁରେଶ ପ୍ରତି ତାହାର ଗଭୀର ସ୍ନେହ । ମା କହିଲେ, ‘‘ମାଳତି, ଶୀଘ୍ର ଯାଇ ଏହି ସିଡ଼ି, ଅଗଣା ସବୁ ପରିଷ୍କାର କର; ରମେଶର ମା ଯେତେବେଳେ ଆସି ଦେଖିବ, ସେତେବେଳେ ସେ ନିଜର ବ୍ୟବହାରରେ ନିଜେ ଲଜ୍ଜିତ ହେବ ଓ ପର ସପ୍ତାହରେ ନିଜର କାମ କରିବାକୁ ଭୁଲିବ ନାହିଁ ।’’ ମାଳତୀ କହିଲା, ‘‘ମା, ସେ ଇଚ୍ଛା କରି ତାଙ୍କ କର୍ତ୍ତବ୍ୟର ଅବହେଳା କରି ନାହାନ୍ତି । କାଲି ସମସ୍ତ ରାତ୍ରି ସୁରେଶର ବଡ଼ ଯନ୍ତ୍ରଣା ହୋଇଛି, ତାହାର ମା ତାହାର ସେବାରେ ଲାଗିଥିଲେ । ବୋଧହୁଏ ସେଥିପାଇଁ ସେ ଆଜି ସମୟ ପାଇ ନାହାନ୍ତି ।’’ ମା’ କହିଲେ, ‘‘ମୁଁ ସେ କଥା ଜାଣେ ନାହିଁ । ରମେଶ ତ ଚାକିରି କରି ତାଙ୍କୁ ସାହାଯ୍ୟ କରେ, ସୁରେଶ ମଧ୍ୟ ଚାକିରି କରୁଥିଲା, ସେ ନିଜେ ମଧ୍ୟ ସମୟ ସମୟରେ କିଛି କିଛି ଉପାର୍ଜନ କରିଥାନ୍ତି । ତାଙ୍କର ଯଦି ସମୟ ନ ଥାଏ, ତେବେ ସେ ଗୋଟିଏ ଚାକର ରଖି ପାରନ୍ତି । ସୁରେଶର ଅସୁସ୍ଥତା ବିଷୟ ମୁଁ ତ କିଛି ଜାଣି ନାହିଁ ।’’ ମାଳତୀ କହିଲା, ‘‘କିନ୍ତୁ ମା, ତୁମେ ତ ଦିନେ ସେମାନଙ୍କର ସବୁ ଖବର ବୁଝୁଥିଲ ?’’ ମା’ ଟିକିଏ ବିରକ୍ତ ହୋଇ କହିଲେ, ‘‘ହଁ, ଯେତେବେଳେ ତାଙ୍କ ସହିତ ମୋର ସଦ୍‍ଭାବ ଥିଲା, ସେତେବେଳେ ମୁଁ ବୁଝୁଥିଲି ସତ, କିନ୍ତୁ ଏବେ ଆଉ ସେ ଦିନ ନାହିଁ । ମୁଁ ତ ତାଙ୍କ ସଙ୍ଗେ କଥା କହେ ନାହିଁ, ତୋର ଇଚ୍ଛା ହେଲେ ତାଙ୍କ ସହିତ କଥା କହି ନିଜକୁ ହୀନ କରି ପାରୁ । ଆଉ ମଧ୍ୟ ମୁଁ ଜାଣେ, ତୁ କାହିଁକି ଏପରି କହୁଛୁ ।’’ ଏହି କଥା କହି ସେ ବିରକ୍ତ ହୋଇ ସେଠାରୁ ଚାଲିଗଲେ ।

ମାଳତୀ ଆଉ କିଛି ନ କହି ନୀରବରେ ଘର ପରିଷ୍କାର କରିବାକୁ ଲାଗିଲା । ତାହାର ଅନ୍ତରର ଗଭୀର ବେଦନା କେବଳ ସେହି ବୁଝେ । ଯେତେବେଳେ ତା ମା ରମେଶର ମାଙ୍କୁ ବିରକ୍ତ ହୋଇ କୌଣସି କଥା କହନ୍ତି, ସେତେବେଳେ ତା ଅନ୍ତର ଦହି ହୋଇଯାଏ । କାହା ଲାଗି ? କେବଳ ସୁରେଶ ମନରେ କଷ୍ଟ ପାଇବ, ଏହା ଭାବି ସେ କଷ୍ଟ ପାଏ । ଘର ଝାଡ଼ୁ ଝାଡ଼ୁ ସେ ମନରେ ଭାବିଲା, ମୁଁ ଯଦି ସୁରେଶର ସେବା କରି ପାରନ୍ତି, ତେବେ ନିଜକୁ ଧନ୍ୟ ମଣନ୍ତି । କିନ୍ତୁ ତାହା ହେବାର ନୁହେଁ, ସେ ଦିନ ଗଲାଣି । ଏପରି ସମୟ ଥିଲା, ଯେତେବେଳେ ତାହାର ପିତା ମାତା ସୁରେଶ ସହିତ ତାହାର ବିବାହ ଦେବେ ବୋଲି ସ୍ଥିର କରିଥିଲେ । କିନ୍ତୁ ବର୍ତ୍ତମାନ ସେ ଭାବ ସେମାନଙ୍କ ମନରୁ ଦୂର ହୋଇଅଛି । ବେଳେ ବେଳେ ମାଳତୀ ପ୍ରତି ତାର ମା ଏଥିପାଇଁ ବିରକ୍ତ ହୋଇଥାନ୍ତି । କିପରି ପୁଣି ଦୁଇ ପରିବାର ମଧ୍ୟରେ ଏକତା ଆସିବ, ମାଳତୀ କେବଳ ଏହି କଥା ଚିନ୍ତା କରିବାକୁ ଲାଗିଲା । ସୁରେଶ ମୃତ୍ୟୁଶଯ୍ୟାରେ ଶାୟିତ । ଯଦି ତାହାର ମୃତ୍ୟୁ ହୁଏ, ତେବେ ନିଜର ପରିଣାମ ଭାବି ତାହାର ବକ୍ଷ ବିଦୀର୍ଣ୍ଣ ହେବାକୁ ଲାଗିଲା । ଏହିପରି ସମୟରେ ରମେଶର ମା ସେଠାକୁ ଆସିଲେ ଏବଂ ମାଳତୀ ଘର ପରିଷ୍କାର କରୁଥିବାର ଦେଖି କହିଲେ, ‘‘ମାଳତି, ଆଜି ମୋର ପାଳି ଥିଲା ବୋଲି ମୁଁ ଜାଣିଥିଲି, କିନ୍ତୁ ସୁରେଶର ଅବସ୍ଥା ଅତି ଖରାପ ହେବାରୁ ମୁଁ ଆସିପାରି ନାହିଁ । ତୁମ ମା ବୋଧହୁଏ ମୋ ପ୍ରତି ଅତ୍ୟନ୍ତ ବିରକ୍ତ ହୋଇଥିବେ ।’’

 

ମାଳତୀ କୌଣସି ଉତ୍ତର ନ ଦେଇ ନୀରବ ରହିଲା । ରମେଶର ମା କହିଲେ, ‘‘ମାଳତି, ସୁରେଶ ତୁମପାଇଁ ଅନେକ ସମୟରେ ଅପେକ୍ଷା କରିଥାଏ, ଆଜି ସେ ତୁମକୁ ଦେଖିବାକୁ ବଡ଼ ଅସ୍ଥିର ହେଉଛି, ତୁମେ କଣ ଥରେ ତା ନିକଟକୁ ଯିବ ?’’ ମାଳତୀ ଆଉ ରହି ପାରିଲା ନାହିଁ । ମା ନିକଟକୁ ଯାଇ କହିଲା, ‘‘ମା, ତୁମର ଯାହା ଇଚ୍ଛା କହ, ଯାହା ଇଚ୍ଛା କର, ମୁଁ ଆଉ ରହି ପାରୁ ନାହିଁ । ସୁରେଶ ମୃତ୍ୟୁଶଯ୍ୟାରେ ପଡ଼ି ମତେ ଡାକିଛି, ମୁଁ ଯାଉଛି । ସେ କାତର ହୋଇ ମୋପାଇଁ ଅପେକ୍ଷା କରୁଛି, ମୁଁ ଆଉ ରହି ପାରୁ ନାହିଁ ।’’ଏହି କଥା କହି ମାଳତୀ ଚାଲିଗଲା । ମା ବିରକ୍ତ ହୋଇ ଯିବାକୁ ମନା କଲେ, କିନ୍ତୁ ସେ କର୍ଣ୍ଣପାତ କଲା ନାହିଁ ।

 

ସୁରେଶ କଠିନ ରୋଗାକ୍ରାନ୍ତ । ଡାକ୍ତର ତାହାର ଜୀବନର ଆଶା ଏକପ୍ରକାର ପରିତ୍ୟାଗ କରିଛନ୍ତି । ତେବେ ଖୁବ୍‍ ସାବଧାନ ହୋଇ ଅବିଶ୍ରାନ୍ତ ସେବା କଲେ ଅବା ବଞ୍ଚିପାରେ, ଏତିକି ମାତ୍ର ଆଶା । ମାଳତୀ ନିଜ ଜୀବନକୁ ତୁଚ୍ଛ କରି ଏହି ସେବା ଭାର ଗ୍ରହଣ କଲା । ସେ ତାହାର ସ୍ନାନାହାର ସବୁ ଭୁଲିଗଲା । ବହୁଦିନ ପରେ ମାଳତୀର ସେବା ବଳରେ ସୁରେଶ ଆରୋଗ୍ୟ ଲାଭ କଲା ।

 

ମାଳତୀର ବ୍ୟବହାରରେ ତାହାର ପିତା ମାତା ତା ପ୍ରତି ବିରକ୍ତ ହୋଇଥିଲେ । ବିଶେଷତଃ ତାର ମା ମଧ୍ୟେ ମଧ୍ୟେ ତାକୁ ଗାଳି ଦିଅନ୍ତି । କିନ୍ତୁ ମାଳତୀ ବରାବର ସୁରେଶ ନିକଟକୁ ଯାଏ, ତାହା ସହିତ କଥା କହେ । ଏଥିରେ ତାର ମା କ୍ରମଶଃ ତା ପ୍ରତି ବେଶି ବିରକ୍ତ ହେଲେ । ଶେଷରେ ସେ ବାକ୍ୟଯନ୍ତ୍ରଣା ଓ ଘୋର ଅଶାନ୍ତି ସହ୍ୟ କରି ନ ପରି ଯିବା ବନ୍ଦ କଲା ।

 

ଅନେକ ଦିନ ଏହିପରି କଟିଗଲା । ମାଳତୀ ଦିନକୁ ଦିନ ଯେପରି ଅନ୍ୟ ପ୍ରକାର ହୋଇଗଲା । ତାହାର ଆଉ ସେ ସ୍ଫୂର୍ତ୍ତି ନାହିଁ, ସେ ତେଜ ନାହିଁ । ପ୍ରାୟ ସବୁବେଳେ ତୁନି ହୋଇଥାଏ । ଏହା ଦେଖି ତାହାର ମା’ ତାହାର ବିବାହ ନିମିତ୍ତ ବ୍ୟସ୍ତ ହୋଇ ପଡ଼ିଲେ । ଭାବିଲେ, ବିବାହ ହେଲେ ମାଳତୀ ସୁରେଶକୁ ଭୁଲିପାରିବ । ବିବାହ କଥା ଶୁଣି ମାଳତୀ ମନକୁ ଦୃଢ଼ କଲା; ସ୍ଥିର କଲା, ସୁରେଶ ଛଡ଼ା ଆଉ କାହାକୁ ବିବାହ କରିବ ନାହିଁ । ମା ସବୁ କଥା ଭଲରୂପେ ବୁଝି ପାରିଲେ ଏବଂ କହିଲେ, ‘‘ତୁ ଯେଉଁ ଆଶା କରୁଛୁ, ତାହା ଛାଡ଼; ବର୍ତ୍ତମାନ ଆଉ ସୁରେଶ ସଙ୍ଗେ ତୋର ବିବାହ ହୋଇ ନ ପାରେ ।’’ ମାଳତୀର ଯେଉଁ କ୍ଷୀଣ ଆଶା ଥିଲା, ତାହା ମଧ୍ୟ ଲୋପ ପାଇଲା । ଅନେକ ସମୟରେ ନିର୍ଜନରେ ବସି ସେ ନିଜ ଜୀବନ କଥା ଭାବି ଆକୁଳ ହୋଇ କାନ୍ଦେ-। ତାହାର ଶରୀର ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଲା ।

 

ଶ୍ୟାମଚରଣଙ୍କୁ କିନ୍ତୁ ଏହା ଭଲ ଲଗିଲା ନାହିଁ । ମାଳତୀର ଏପରି ଅବସ୍ଥା ଦେଖି ତାଙ୍କ ମନରେ ବଡ଼ ଦୁଃଖ ହେଲା । ସୁରେଶ ସହିତ ମାଳତୀର ବିବାହ ନ ହେଲେ ଯେ ମାଳତୀ କୌଣସି ପ୍ରକାରେ ସୁଖୀ ହେବ ନାହଁ, ଏହା ସେ ଭଲ କରି ଜାଣି ପାରିଲେ । ଦୁଇ ପରିବାର ମଧ୍ୟରେ ପୁଣି କିପରି ସଦ୍‍ଭାବ ହେବ, ଏହାହିଁ ତାଙ୍କର ଏକମାତ୍ର ଚିନ୍ତାର ବିଷୟ ହେଲା ।

 

ଦିନେ ସକାଳେ ବଜାରରୁ ଗୋଟିଏ ସୁନ୍ଦର ଫୁଲତୋଡ଼ା ଆଣି ମାଳତୀକୁ ଡାକି ଶ୍ୟାମଚରଣ କହିଲେ, ‘‘ମାଳତି, ଏହି ଫୁଲତୋଡ଼ାଟି ନେଇ ରମେଶର ମାଙ୍କୁ ଦେ, ଆଉ ତାହାଙ୍କୁ କହିବୁ, ମୁଁ କହୁଛି, ସେ ଯେପରି ପୂର୍ବ ଘଟନା ସବୁ ଭୁଲି ଯାନ୍ତି ।’’

 

ଅନେକ ଦିନ ପରେ ଦୁଇ ପରିବାର ମଧ୍ୟରେ ପୁଣି ପୂର୍ବପରି ସଦ୍‍ଭାବ ହେଲା । ଏତେଦିନ ବିଚ୍ଛେଦ ପରେ ସେମାନେ ପରସ୍ପର ଆହୁରି ଘନିଷ୍ଠଭାବରେ ମିଶିଲେ ।

 

ଶୁଭଲଗ୍ନରେ ମାଳତୀ ସହିତ ସୁରେଶର ବିବାହ ହେଲା । ଦୁଇ ପରିବାର ମଧ୍ୟରେ ଦୃଢ଼ ବନ୍ଧନ ସ୍ଥାପିତ ହେଲା ।

Image

 

ପ୍ରେମର ବିଜୟ-ସଙ୍ଗୀତ

 

ଫେରାରା ନାମକ ସହରରେ ଫେବିଓ ଓ ମୁଜିଓ ନାମରେ ଦୁଇ ଯୁବକ ବାସ କରୁଥିଲେ-। ଦୁଇ ଜଣଙ୍କ ମଧ୍ୟରେ ନିକଟ ସମ୍ପର୍କ ଥିଲା ଏବଂ ସେମାନେ ସମବୟସ୍କ ଥିଲେ । ବାଲ୍ୟକାଳରୁ ଏକତ୍ର ରହି ଦୁହିଁଙ୍କର ଶୈଶବ ସ୍ନେହଟା ଏପରି ଦୃଢ଼ ହୋଇଥିଲା ଯେ, ସେମାନେ କେହି କାହାକୁ ଛାଡ଼ି ଦଣ୍ଡେ ରହି ପାରୁ ନ ଥିଲେ । ଦୁହେଁଯାକ ଧନୀ ଏବଂ ସୁପୁରୁଷ, ସ୍ୱଭାବ ମଧ୍ୟ ଦୁଇ ଜଣଙ୍କର ପ୍ରାୟ ଏକ ପ୍ରକାର । ସଂସାରରେ ସେମାନେ ଏକୁଟିଆ । ପ୍ରଭେଦ ମଧ୍ୟରେ ମୁଜିଓ ସଙ୍ଗୀତପ୍ରିୟ ଥିଲା । ସବୁବେଳେ ସଙ୍ଗୀତଚର୍ଚ୍ଚା କରୁଥାଏ । ଫେବିଓ ଚିତ୍ରାଙ୍କନ ପ୍ରିୟ ଥିଲା । ଫେରାରାବାସିମାନେ ସେମାନଙ୍କୁ ଦେଶର ଗୋଟିଏ ଗୋଟିଏ ରତ୍ନସ୍ୱରୂପ ମନେ କରୁଥିଲେ । ଫେବିଓର ଆକୃତି ମୁଜିଓଠାରୁ ସୁନ୍ଦର । କଥାବାର୍ତ୍ତାରେ ମଧ୍ୟ ଫେବିଓ ଖୁବ୍ ସଂପ୍ରତିଭ, କିନ୍ତୁ ମୁଜିଓ ଟିକିଏ ଚୁପ୍‍ଚାପ୍‍ ରହିବାକୁ ସୁଖ ପାଏ ।

 

ସେହି ସମୟରେ ଫେରାରାରେ ଭାଲେରିଆ ନାମରେ ଗୋଟିଏ ବାଳିକା ବାସ କରୁଥିଲା । ସେ ତାହାର ବିଧବା ମାତାର ଏକମାତ୍ର ସନ୍ତାନ । ସମସ୍ତେ କହନ୍ତି, ଭାଲେରିଆ ବଡ଼ ସୁନ୍ଦରୀ । ଯେଉଁମାନେ ତାହାର ବିଶେଷ ପରିଚିତ, ସେମାନେ କହନ୍ତି, ତାହାର ସ୍ୱଭାବ ମଧ୍ୟ ବଡ଼ କୋମଳ । ସେ ପ୍ରାୟ କାହାରି ସହିତ ମିଶିବାକୁ ଭଲ ପାଏ ନାହିଁ । ସେ ବଡ଼ ପାଟି କରି ପଦେ କଥା କହିବାର କେହି କେବେ ଶୁଣି ନାହାନ୍ତି ।

 

ଦିନେ ଗୋଟିଏ ନିମନ୍ତ୍ରଣ ସଭାରେ ଫେବିଓ ଓ ମୁଜିଓ ଦୁଇ ବନ୍ଧୁ ଭାଲେରିଆକୁ ଦେଖିଲେ । ଦେଖିବା ମାତ୍ରକେ ଦୁହେଁ ତାହା ପ୍ରତି ଆସକ୍ତ ହେଲେ । ଦୁଇ ବନ୍ଧୁ ଅନ୍ତରର କୌଣସି କଥା ପରସ୍ପରଠାରେ ଗୋପନ କରୁ ନ ଥିଲେ, ସୁତରାଂ ଦୁଇ ଜଣ ପରସ୍ପରଙ୍କ ହୃଦୟର ଭାବ ଶୀଘ୍ର ବୁଝି ପାରିଲେ । ଉଭୟେ ପ୍ରତିଜ୍ଞା କଲେ, ଭାଲେରିଆ ସଙ୍ଗରେ ଉଭୟେ ଘନିଷ୍ଠ ଭାବରେ ମିଶିବେ ଏବଂ ସେ ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ପସନ୍ଦ କରେ, ତେବେ ଅନ୍ୟ ଜଣକ ପ୍ରସନ୍ନମନରେ ସେଥିରେ ସମ୍ମତି ଦେବ ।

 

ଅଳ୍ପଦିନ ମଧ୍ୟରେ ସେମାନେ ଭାଲେରିଆର ଖୁବ୍ ପରିଚିତ ହୋଇଗଲେ, ପ୍ରତିଦିନ ତାହା ନିକଟକୁ ଯାନ୍ତି, ତାହା ସହିତ ଗଳ୍ପ କରି ଆନନ୍ଦ ପାନ୍ତି । ଦିନକୁ ଦିନ ସେମାନଙ୍କର ଆସକ୍ତି ବଢ଼ି ଉଠିଲା । ଭାଲେରିଆ ଦୁଇ ଜଣଙ୍କ ସଙ୍ଗରେ ସମାନଭାବରେ ମିଶେ । ମୁଜିଓ ସଙ୍ଗରେ ସେ ସଙ୍ଗୀତଚର୍ଚ୍ଚା କରେ, କିନ୍ତୁ ଫେବିଓ ସଙ୍ଗରେ ବେଶି କଥାବାର୍ତ୍ତା କରେ । ଏହିପରି କିଛିଦିନ ଗଲା ପରେ ଉଭୟ ବନ୍ଧୁ ସେମାନଙ୍କ ହୃଦୟର ସମସ୍ତ କଥା ପ୍ରକାଶ କରି ଭାଲେରିଆକୁ ଦୁଇଖଣ୍ଡି ପତ୍ର ଲେଖିଲେ ଏବଂ ଦୁଇ ଜଣଙ୍କ ମଧ୍ୟରୁ ସେ କାହାକୁ ବିବାହ କରିବାକୁ ଇଚ୍ଛା କରେ, ସେ କଥା ମଧ୍ୟ ପଚାରିଲେ । ସେ ପତ୍ର ଭାଲେରିଆ ତାହାର ମା’କୁ ଦେଖାଇଲା ଓ କହିଲା, ସେ ଯାହାକୁ ପସନ୍ଦ କରିବେ, ସେ ସେହି ବ୍ୟକ୍ତିକୁ ବିବାହ କରିବ । ମାତା କନ୍ୟାର ଆସନ୍ନ ବିଚ୍ଛେଦ ଚିନ୍ତାରେ ଦୁଃଖିତ ହେଲେ । କିନ୍ତୁ କନ୍ୟାର ବିବାହ ଦେବା କର୍ତ୍ତବ୍ୟ ମନେ କରି ଏବଂ ଫେବିଓକୁ ଭାଲେରିଆ ବେଶି ଭଲ ପାଏ ଭାବି ତାହାକୁ ବିବାହ କରିବାକୁ ଅନୁମତି ଦେଲେ । ଫେବିଓ ତାହାର ସୌଭାଗ୍ୟ ଯୋଗୁଁ ଆନନ୍ଦରେ ଅଧୀର ହୋଇଗଲା ।

 

ବିଚାରୀ ମୁଜିଓ ତାହାର ପ୍ରତିଜ୍ଞା ରକ୍ଷା କଲା, କିନ୍ତୁ ବିବାହ ଦୃଶ୍ୟ ସହ୍ୟ କରି ପାରିବ ନାହିଁ ବୋଲି ମନେ କରି ତାହାର ସମ୍ପତ୍ତିର ଅର୍ଦ୍ଧେକ ବିକ୍ରୟ କରି ଦେଶଭ୍ରମଣରେ ବାହାରିଲା । ବିଦାୟ ନେବା ସମୟରେ ଫେବିଓ କହିଲା, ‘ବନ୍ଧୁ ତୁମେ କେବେ ଫେରିବ ?’ ମୁଜିଓ କହିଲା, ‘ଯେଉଁ ଦିନ ଭାଲେରିଆର ସ୍ମୃତିର ଶେଷ ଚିହ୍ନ ମୋ ମନରୁ ଦୂର ହୋଇଯିବ, ମୁଁ ସେହି ଦିନ ଫେରିବି ।’ ଶୈଶବର ବନ୍ଧୁକୁ ବିଦାୟ ଦେବାପାଇଁ ଫେବିଓ ମନରେ ଅତ୍ୟନ୍ତ କଷ୍ଟ ହୋଇଥିଲା ସତ୍ୟ, କିନ୍ତୁ ଭାବୀ ଅପରିସୀମ ସୁଖର ଆଶାରେ ସେ ଦୁଃଖ ତାହା ମନରେ ବେଶିକ୍ଷଣ ସ୍ଥାନ ପାଇଲା ନାହିଁ ।

 

ଅଳ୍ପଦିନ ପରେ ଭାଲେରିଆ ସହିତ ଫେବିଓର ବିବାହ ହୋଇଗଲା । ଫେରାର ସହର ନିକଟବର୍ତ୍ତୀ ଗୋଟିଏ ଗ୍ରାମରେ ଫେବିଓର ଗୋଟିଏ ସୁନ୍ଦର ଘର ଥିଲା । ବିବାହ ପରେ ସେ ଭାଲେରିଆ ଓ ତାହାର ମାତାକୁ ନେଇ କିଛିକାଳ ସେଠାରେ ବାସ କଲା । ମାତା କନ୍ୟାର ସୁଖ ଦେଖି ଭାରି ଖୁସି ହେଲେ । ଚାରି ବର୍ଷ ଦେଖୁ ଦେଖୁ ସ୍ୱପ୍ନ ପରି କଟିଗଲା । ଏହି ସମୟରେ ଭାଲେରିଆର ମାତା ପରଲୋକ ପ୍ରାପ୍ତ ହେଲେ । ମାତୃଶୋକରେ ଭାଲେରିଆ ଅତ୍ୟନ୍ତ ଅଧୀର ହୋଇପଡ଼ିଲା । ମାତ୍ର ସ୍ୱାମୀର ସସ୍ନେହ ବ୍ୟବହାରରେ ଓ ସମୟର ପ୍ରଭାବରେ ସେ ଶୋକର ତୀବ୍ରତା କ୍ରମଶଃ ହ୍ରାସ ପାଇବାକୁ ଲାଗିଲା । ପାଞ୍ଚ ବର୍ଷ ପରେ ହଠାତ୍ ଦିନେ ମୁଜିଓ ଅପ୍ରତ୍ୟାଶିତ ଭାବରେ ଫେରାରାକୁ ଫେରି ଆସିଲା ।

 

ମୁଜିଓ ଚାଲିଯିବା ଦିନଠାରୁ ଏହି ପାଞ୍ଚ ବର୍ଷ ମଧ୍ୟରେ ତାହା ସମ୍ବନ୍ଧରେ କୌଣସି କଥା ଶୁଣାଯାଇ ନାହିଁ । କେହି କେହି ମନେ କରିଥିଲେ, ବିଦେଶରେ ତାହାର ମୃତ୍ୟୁ ହୋଇଅଛି । ତାହା କଥା ଭୁଲରେ ମଧ୍ୟ କେହି କିଛି କହେ ନାହିଁ । ସୁତରାଂ ଫେବିଓ ଯେତେବେଳେ ଫେରାରାରେ ପୁଣି ମୁଜିଓକୁ ଦେଖିଲା, ସେତେବେଳେ ତାହାର ଯେ କି ଆନନ୍ଦ ହେଲା, ତାହା କିଏ ବର୍ଣ୍ଣନା କରିପାରିବ-? ଫେବିଓ ଯେଉଁ ଗୃହରେ ବାସ କରୁଥିଲା, ସେହି ଗୃହସଂଲଗ୍ନ ଗୋଟିଏ ଉଦ୍ୟାନ ଥିଲା ଏବଂ ସେହି ଉଦ୍ୟାନ ଭିତରେ ଗୋଟିଏ ଛୋଟ ଘର ଥିଲା । ଫେବିଓ ଭାରି ଖୁସି ହୋଇ ତାହାର ବନ୍ଧୁକୁ ସେଠାରେ ରହିବାକୁ ଅନୁରୋଧ କଲା । ଏହି ପ୍ରସ୍ତାବରେ ମୁଜିଓ ସମ୍ମତ ହୋଇ ସେହିଦିନ ତାହାର ଭୃତ୍ୟ ‘ମାନକୁ’ ସଙ୍ଗରେ ସେଠାକୁ ଗଲା । ଏହି ଭୃତ୍ୟଟିକୁ ସେ ଭାରତବର୍ଷରୁ ଆଣିଥିଲା । ଭାଲେରିଆ ମୁଜିଓକୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲା ଏବଂ ପୂର୍ବପରି କଥାବାର୍ତ୍ତା କହିବାକୁ ଲାଗିଲା । ମୁଜିଓ ସଙ୍ଗରେ ନାନାପ୍ରକାର ପଦାର୍ଥ ଆଣିଥିଲା । ଯେତେ ଦେଶକୁ ସେ ଯାଇଅଛି, ପ୍ରତ୍ୟେକ ସ୍ଥାନର କେତେ ସୁନ୍ଦର ଓ ଆଶ୍ଚର୍ଯ୍ୟଜନକ ପଦାର୍ଥ ସବୁ ସଂଗ୍ରହ କରି ଆଣିଅଛି-। ସେଥି ମଧ୍ୟରେ ଗୋଟିଏ ମୁକ୍ତା-ହାର ଆଣିଥିଲା । ସେହି ମୁକ୍ତା-ହାରଟି ସେ ଭାଲେରିଆକୁ ଉପହାର ଦେଲା । ହାରଟି ଏତେ ଭାରି ଓ ତାହା ଦେହରୁ ଏତେ ଉତ୍ତାପ ବାହାରୁଥିଲା ଯେ, ସମସ୍ତେ ଦେଖି ଅବାକ୍ ହେଲେ । ମୁଜିଓ ନିଜେ ସେ ହାରଟି ଭାଲେରିଆ ଗଳାରେ ପିନ୍ଧାଇ ଦେଲା-। ସେ ଯେଉଁ ସବୁ ଅପୂର୍ବ ପଦାର୍ଥମାନ ଆଣିଥିଲା, ତାହା ସେମାନଙ୍କୁ ଦେଖାଇ ସେମାନଙ୍କର ବିସ୍ମୟ ଉତ୍‍ପାଦନ କଲା । ପରେ ସେ ତାହାର ଭ୍ରମଣକାହାଣୀ କହିବାକୁ ଆରମ୍ଭ କଲା-। ସେହି ସବୁ ଦୂର ଦେଶ କଥା, ପର୍ବତ କଥା, ନଦୀ କଥା ଏବଂ ଅଦ୍ଭୁତ ବୃକ୍ଷଲତା କଥା, ପ୍ରତ୍ୟେକ ଦେଶର ଅଧିବାସୀମାନଙ୍କ କଥା ସମସ୍ତ ସୁନ୍ଦର ଭାବରେ ବର୍ଣ୍ଣନା କଲା । ଫେବିଓ ଓ ଭାଲେରିଆ ତାହାର କାହାଣୀ ମନ୍ତ୍ରମୁଗ୍ଧପ୍ରାୟ ଶୁଣିଲେ । ସେଗୁଡ଼ିକ ସେମାନଙ୍କ ନିକଟରେ କାହାଣୀ ପରି ଅଦ୍ଭୁତ ବୋଧ ହେଲା-। ତତ୍ପରେ ସେ ତାହାର ଭୃତ୍ୟ ‘ମାନକୁ’ ସାହାଯ୍ୟରେ କେତେ ପ୍ରକାର ଆଶ୍ଚର୍ଯ୍ୟଜନକ ଖେଳ ଦେଖାଇଲା । ତାହାର ଖେଳ ଦେଖି ଭାଲେରିଆ ମନରେ ନାନା ସନ୍ଦେହ ଜନ୍ମିଥିଲା ।

 

ଦିନେ ରାତ୍ରି ଭୋଜନ ସମୟରେ ମୁଜିଓ ଏକପ୍ରକାର ପାନୀୟ ବାହାର କଲା । ସେ ସେହି ପାନୀୟ ଭାରତବର୍ଷରୁ ଆଣିଥିଲା । ସେ ନିଜେ ପାନ କଲା, ଫେବିଓକୁ ମଧ୍ୟ ଦେଲା । କିନ୍ତୁ ଭାଲେରିଆର ପାତ୍ରଟି ଧରି ସେ ଗୁଣଗୁଣ ସ୍ୱରରେ କଣ କହିଲା ଏବଂ ପାତ୍ରର ଚତୁର୍ଦ୍ଦିଗରେ ହାତ ବୁଲାଇ ଦେଲା । ଭାଲେରିଆ ଏହା ଦେଖି ପାରିଲା ଏବଂ ଭାବିଲା, ‘ଏ କଣ ଗୁଣି ବିଦ୍ୟା ଜାଣେ ?’ ତାହାର ପ୍ରତ୍ୟେକ କାର୍ଯ୍ୟକଳାପ ଭାଲେରିଆ ମନରେ ଏହିପରି ସନ୍ଦେହ ଜାତ କରାଇଥିଲା । ଭାଲେରିଆ ମୁଜିଓକୁ ପଚାରିଲା, ‘ତୁମେ କଣ ପୂର୍ବପରି ଆଜିକାଲି ସଙ୍ଗୀତଚର୍ଚ୍ଚା କର ?’ ଏହି କଥା ଶୁଣି ମୁଜିଓ ତାହାର ଭୃତ୍ୟକୁ ତାହାର ବେହେଲା ଆଣିବାକୁ ଆଦେଶ ଦେଲା । ଏହି ବେହେଲାଟି ମଧ୍ୟ ସେ ଭାରତବର୍ଷରୁ ସଂଗ୍ରହ କରିଥିଲା ।

 

ମୁଜିଓ ପଥମେ କେତୋଟି ଜାତୀୟ ସଙ୍ଗୀତ ଗାଇଲା । କେତେଗୁଡ଼ିଏ ବିଦେଶୀ ସଙ୍ଗୀତ ମଧ୍ୟ ଗାଇ ସେମାନଙ୍କୁ ବୁଝାଇ ଦେଲା । ତତ୍ପରେ ଗୋଟିଏ ବିଷାଦ-ସଙ୍ଗୀତ ଗାଇଲା । ତାହାର ସୁମିଷ୍ଟ ସ୍ୱର ଏବଂ ବେହେଲାର କରୁଣ ଝଙ୍କାର ଚତୁର୍ଦ୍ଦିଗ ବ୍ୟାପି ଗଲା । ସେ ଏପରି ଭାବର ସହିତ ଗୀତଟି ଗାଇଲା ଯେ, ଫେବିଓ ଏବଂ ଭାଲେରିଆ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ । ବୃକ୍ଷ ପତ୍ର ସବୁ ଯେପରି ତାହାର ସଙ୍ଗୀତର ଭାବରେ ବିଚଳିତ ହେଲା ପରି ବୋଧ ହେଲା । ମୁଜିଓ ନିଜେ ମଧ୍ୟ ଅତ୍ୟନ୍ତ ବିଚଳିତ ହୋଇ ପଡ଼ିଲା । ସଙ୍ଗୀତ ଶେଷ ହେଲା, କିନ୍ତୁ ଅନେକକ୍ଷଣ ପର୍ଯ୍ୟନ୍ତ ସେହି ସଙ୍ଗୀତର ପ୍ରତିଧ୍ୱନି ଉଦ୍ୟାନ ମଧ୍ୟରେ ଖେଳି ବୁଲୁଥିଲା । ଫେବିଓ ଏବଂ ଭାଲେରିଆ ମନ୍ତ୍ରମୁଗ୍ଧବତ କିଛିକ୍ଷଣ ନିରବ ରହିଲେ । କିଛିକ୍ଷଣ ପରେ ଫେବିଓ କହିଲା, ‘ଏ କଣ ? ତୁମେ ଯାହା ଗାଇଲା କଣ ?’ ମୁଜିଓ କିଛିକ୍ଷଣ ମୌନ ରହି କହିଲା, ‘ମୁଁ ଏହି ଗୀତଟି ସିଂହଳ ଦ୍ଵୀପରେ ଶୁଣିଥିଲି । ସେଠାରେ ଲୋକମାନେ ଏହାକୁ ପ୍ରେମର ବିଜୟ-ସଙ୍ଗୀତ (Song of happy triumphant love) କହନ୍ତି । ‘ଫେବିଓ କହିଲା, ‘ଆଉ ଥରେ ସଙ୍ଗୀତଟି ଗାଅ-।’ ମୁଜିଓ କହିଲା, ‘ନା, ନା, ମୁଁ ଆଉ ଥରେ ଗାଇ ପାରିବି ନାହିଁ, ବର୍ତ୍ତମାନ ମୁଁ ବଡ଼ କ୍ଲାନ୍ତ ହୋଇ ପଡ଼ିଛି ।’ ପରେ ସମସ୍ତେ ଶୟନ କରିବାକୁ ଗଲେ । ବିଦାୟ ବେଳେ ମୁଜିଓ ଭାଲେରିଆ ହାତକୁ ଏପରି ଦୃଢ଼ରୂପେ ମର୍ଦନ କଲା ଏବଂ ଏପରି ତୀକ୍ଷ୍ଣ ଦୃଷ୍ଟିରେ ତାହା ଆଡ଼କୁ ଅନାଇଲା ଯେ, ଭାଲେରିଆ ଯେପରି ମୁଖମଣ୍ଡଳରେ କିପରି ଗୋଟାଏ ଉତ୍ତାପ ଅନୁଭବ କଲା ।

 

ଭାଲେରିଆ ରାତ୍ରରେ ଅତ୍ୟନ୍ତ ଅସୁସ୍ଥ ହୋଇପଡ଼ିଲା । ମୁଜିଓ ତାହାକୁ ଯେଉଁ ପାନୀୟ ଦେଇଥିଲା, ତାହା ପାନ କରି ତାହାର ଶରୀର ଏଡ଼େ ଅବଶ ଓ ଅସୁସ୍ଥ ହେଲା ଯେ, ରାତ୍ରିରେ ତାହାର ପ୍ରାୟ ନିଦ୍ରା ହେଲା ନାହିଁ । ପାହାନ୍ତା ଆଡ଼କୁ ସେ ଟିକିଏ ଶୋଇ ପଡ଼ିଲା ଏବଂ ଗୋଟିଏ ଅଦ୍ଭୁତ ସ୍ୱପ୍ନ ଦେଖିଲା ।

 

ସେ ସ୍ୱପ୍ନରେ ଦେଖିଲା, ସେ ଯେପରି ଗୋଟିଏ ସୁନ୍ଦର ଘରେ ବସିଅଛି, ଏପରି ସୁନ୍ଦର ଘର ସେ ଜୀବନରେ କେବେ ଦେଖି ନାହିଁ । ଘରଟି ଯେପରି ସୁବର୍ଣ୍ଣ ନିର୍ମିତ ଏବଂ ସେଥିରେ ହୀରା ନୀଳାରେ କେତେ କାରୁକାର୍ଯ୍ୟ ହୋଇଅଛି । ଘର ଭିତରେ କେତେ ମୂଲ୍ୟବାନ ପଦାର୍ଥ ସବୁ ରହିଅଛି । ସେ ଘରେ ଗୋଟିଏ ସୁଦ୍ଧା ଝରକା ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଯେ, ଚତୁର୍ଦ୍ଦିଗରୁ ଯେପରି ଆଲୋକ ଆସିଲା ପରି ମନେ ହେଉଅଛି । ଏତେ ଆଲୋକ ଯେ, ଭାଲେରିଆ ଚାହିଁଲାବେଳକୁ ତାହାର ଚକ୍ଷୁ ଝଲସି ଯାଉଅଛି । ସେହି ଗୃହର ସମ୍ମୁଖରେ ଗୋଟିଏ ଦ୍ୱାରା ଅଛି । ହଠାତ୍ ସେହି ଦ୍ଵାରର ପର୍ଦା ଆସ୍ତେ ଆସ୍ତେ ଘୁଞ୍ଚିଗଲା ଏବଂ ଭାଲେରିଆ ବିସ୍ମିତ ହୋଇ ଦେଖିଲା ଯେ, ସେହି ଦ୍ୱାରା ଦେଇ ମୁଜିଓ ଗୃହ ମଧ୍ୟରେ ପ୍ରବେଶ କଲା ଏବଂ ହଠାତ୍ ଭାଲେରିଆ ନିକଟକୁ ଆସି ତାହାକୁ ଆଲିଙ୍ଗନ କରିବାକୁ ଉଦ୍ୟତ ହେଲା । ଭାଲେରିଆ ଭୟରେ ଚିତ୍କାର କରି ବାଧା ଦେଲା ।

 

ଠିକ୍‍ ଏହି ସମୟରେ ତାହାର ନିଦ୍ରାଭଙ୍ଗ ହେଲା । କେଉଁଠାରେ ଅଛି ଏବଂ କିପରି ଅବସ୍ଥାରେ ଅଛି, ହଠାତ୍ ବୁଝି ନ ପାରି ସେ ଚମକି ଉଠି ବସିଲା । ଦେଖିଲା, ତାହାର ସ୍ୱାମୀ ତାହା ନିକଟରେ ନିଦ୍ରିତ ଏବଂ ତାଙ୍କର ମୁଖ ଯେପରି ମୃତ ପରି ପାଂଶୁବର୍ଣ୍ଣ । ଭାଲେରିଆ ଫେବିଓଙ୍କୁ ଉଠାଇଲା । ଫେବିଓ ବିସ୍ମିତ ହୋଇ ପଚାରିଲେ, ‘କଣ ହୋଇଛି ?’ ଭାଲେରିଆ କହିଲା, ‘ମୁଁ ଗୋଟିଏ ଅଦ୍‍ଭୁତ ସ୍ୱପ୍ନ ଦେଖିଲି ।’ ଏହା କହି ସେ ଭୟରେ ଥରିବାକୁ ଲାଗିଲା । ଠିକ୍‍ ସେହି ସମୟରେ ଦୂର ଉଦ୍ୟାନ ମଧ୍ୟରୁ ଗୋଟିଏ ସୁମିଷ୍ଟ ସ୍ୱର ଶୁଣାଗଲା । ଫେବିଓ ଏବଂ ଭାଲେରିଆ ସେ ସ୍ୱର ଚିହ୍ନି ପାରିଲେ । ତାହା ମୁଜିଓର ପରିଚିତ ସ୍ୱର ଏବଂ ସେ ପ୍ରେମର ବିଜୟ-ସଙ୍ଗୀତଟି ଗାନ କରୁଥିଲା । ଉଭୟେ ମନ୍ତ୍ରମୁଗ୍ଧବତ୍‍ ସେ ସଙ୍ଗୀତ ଶୁଣିଲେ ଏବଂ ଏପରି ସମୟରେ ମୁଜିଓ ସେ ଗୀତଟି ଗାଉଥିବାର ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ ।

 

ପରଦିନ ସକାଳେ ମୁଜିଓ ଆସି ଭାଲେରିଆକୁ ଅଭିବାଦନ କଲା । ଭାଲେରିଆ ତାକୁ ଦେଖି ଟିକିଏ ଚମକି ଉଠିଲା । ମୁଜିଓ ପୁଣି ତାହାର ପୂର୍ବ ଗଳ୍ପ କହିବାକୁ ଯାଉଅଛି, ଏପରି ସମୟରେ ଫେବିଓ କହିଲା, ‘ତୁମେ କଣ କାଲି ରାତ୍ରରେ ଶୋଇ ପାରି ନାହଁ ? ମୁଁ ଏବଂ ମୋର ସ୍ତ୍ରୀ ଶେଷ ରାତ୍ରରେ ତୁମର ସେହି ଗୀତଟି ଶୁଣିଥିଲୁଁ ।’ ମୁଜିଓ କହିଲା, ‘ଓ, ତୁମେମାନେ ଶୁଣିଛ ? ମୁଁ ତା ପୂର୍ବରୁ ଶୋଇଥିଲି; କିନ୍ତୁ ଖୁବ୍‍ ଗୋଟାଏ ଅଦ୍ଭୁତ ସ୍ୱପ୍ନ ଦେଖି ନିଦ ଭାଙ୍ଗିଗଲା ।’ ଭାଲେରିଆ ଏ କଥା ଶୁଣି ଅତ୍ୟନ୍ତ ଚଞ୍ଚଳ ହୋଇ ଉଠିଲା । ଫେବିଓ ପଚାରିଲା, ‘ତୁମେ କିପରି ସ୍ୱପ୍ନ ଦେଖିଲ ?’ ମୁଜିଓ କହିଲା, ‘ମୁଁ ଦେଖିଲି, ଯେପରି ମୁଁ ଗୋଟିଏ ସୁନ୍ଦର ପ୍ରାସାଦ ପରି ଗୃହରେ ପ୍ରବେଶ କରୁଅଛି-। ସେ ଗୃହ ସୁବର୍ଣ୍ଣନିର୍ମିତ ଏବଂ ସେଥିରେ ନାନାପ୍ରକାର କାରୁକାର୍ଯ୍ୟ ହୋଇଅଛି । ସେ ଘରେ ଗୋଟିଏ ସୁଦ୍ଧା ଝରକା ନାହିଁ, କିନ୍ତୁ ଘରଟି ଆଲୋକମୟ । ମୁଁ ପରଦା ଉଠାଇ ଘରେ ପ୍ରବେଶ କରି ଦେଖିଲି, ଗୋଟିଏ ଅପୂର୍ବସୁନ୍ଦରୀ ସ୍ତ୍ରୀ ବସିଛି । ଏହି ରମଣୀକୁ ମୁଁ ଏକସମୟରେ ଭଲ ପାଉଥିଲି ଏବଂ ତାକୁ ଦେଖିଲାକ୍ଷଣି ମୋର ପୂର୍ବପ୍ରେମ ଉଛୁଳି ଉଠିଲା । ‘ଏହି କଥା ଶୁଣି ଭାଲେରିଆର ମୁଖ ପାଂଶୁବର୍ଣ୍ଣ ହୋଇଗଲା । ମୁଜିଓ କହିଲା, ‘ତା ପରେ ମୁଁ ଉଠି ସେହି ଗୀତଟି ଗାଇଲି ।’ ଫେବିଓ ପଚାରିଲା, ‘ସେ ସ୍ତ୍ରୀଟି କିଏ ?’ ମୁଜିଓ କହିଲା, ସେ ମୋର ଜାଣେ ବନ୍ଧୁର ପତ୍ନୀ । ସେ ବର୍ତ୍ତମାନ ମୃତ । ‘ଫେବିଓ କହିଲା, ‘ଆଉ ତୁମର ବନ୍ଧୁ ?’ ମୁଜିଓ କହିଲା, ‘ସେ ମଧ୍ୟ ଇହଲୋକ ତ୍ୟାଗ କରିଅଛନ୍ତି ।’ ଫେବିଓ କହିଲା, ‘ଆଶ୍ଚର୍ଯ୍ୟ ! ମୋର ସ୍ତ୍ରୀ ମଧ୍ୟ କଲି ରାତ୍ରିରେ ଗୋଟିଏ ଅଦ୍ଭୁତ ସ୍ୱପ୍ନ ଦେଖିଥିଲେ, କିନ୍ତୁ କି ସ୍ୱପ୍ନ ଦେଖିଛନ୍ତି, ତାହା ମତେ କହିଲେ ନାହିଁ । ‘ଏହି ସମୟରେ ଭାଲେରିଆ ସେଠାରୁ ଉଠି ଚାଲିଗଲା । ସହରରେ ମୁଜିଓର କିଛି କାର୍ଯ୍ୟ ଅଛି, ସେ ସେଠାକୁ ଯିବ ଏବଂ ସନ୍ଧ୍ୟା ପୂର୍ବରୁ ଫେରିବ ନାହିଁ, ଏହି କଥା କହି ମୁଜିଓ ମଧ୍ୟ ଚାଲିଗଲା ।

 

ମୁଜିଓର ପ୍ରତ୍ୟାବର୍ତ୍ତନର କିଛିଦିନ ପୂର୍ବରୁ ଫେବିଓ ଭାଲେରିଆର ଗୋଟିଏ ପ୍ରତିକୃତି ଅଙ୍କନ କରୁଥିଲା । ଛବିଟି ପ୍ରାୟ ଶେଷ ହୋଇ ଆସିଥିଲା, ଏପରି ସମୟରେ ମୁଜିଓ ଆସିଲା । ସୁତରାଂ ଫେବିଓ ଆଉ ତାହା ଶେଷ କରିବାର ସମୟ ପାଇଲା ନାହିଁ । ଆଜି ମୁଜିଓ ସହରକୁ ଚାଲିଯିବାରୁ ଫେବିଓ ତାହାର ଚିତ୍ର ଶେଷ କରିବ ବୋଲି ଭାବିଲା । ସେ ଚିତ୍ରଗୃହକୁ ଯାଇ ଦେଖିଲା, ସେଠାରେ ଭାଲେରିଆ ନାହିଁ । ସେ ଚିତ୍କାର କରି ଡାକିଲା, କିନ୍ତୁ କେହି ଉତ୍ତର ଦେଲେ ନାହିଁ । ସେ ସମସ୍ତ ଘର ଖୋଜିଲା, କିନ୍ତୁ କୌଣସିଠାରେ ଭାଲେରିଆକୁ ପାଇଲା ନାହିଁ । ଫେବିଓ ଉଦ୍‍ବିଗ୍ନ ହୋଇ ଉଦ୍ୟାନକୁ ଗଲା । ସେଠାରେ ଦେଖିଲା, ଭାଲେରିଆ ଗୋଟିଏ ବୃକ୍ଷ ତଳେ ବସିଅଛି । ତାହାର ମୁଖ ବିଷାଦମୟ । ସ୍ୱାମୀଙ୍କୁ ଦେଖି ସେ ଟିକିଏ ଆଶ୍ୱସ୍ତ ହେଲା ଏବଂ କହିଲା, ‘ମୋର ଦେହଟା ଅସୁସ୍ଥ ଥିବାରୁ ଏପରିଭାବରେ ବସିଅଛି । କିନ୍ତୁ ବର୍ତ୍ତମାନ ଟିକିଏ ସୁସ୍ଥ ବୋଧ କରୁଛି ।’ ଫେବିଓ ତାକୁ ସଙ୍ଗରେ ଘେନି ଚିତ୍ରଗୃହକୁ ଗଲା, ଭାଲେରିଆ ଯଥାସ୍ଥାନରେ ଉପବେଶନ କଲା, ଫେବିଓ ମଧ୍ୟ ତାହାର ତୁଳିକା ଧରି ଅଙ୍କନ କରିବାକୁ ଉଦ୍ୟତ ହେଲା । ଅନେକକ୍ଷଣ ଚେଷ୍ଟା କରି ସୁଦ୍ଧା ଫେବିଓ ଠିକ୍‍ ଅଙ୍କନ କରି ପାରିଲା ନାହିଁ । ଭାଲେରିଆର ମୁଖର ସେହି ପବିତ୍ରଭାବ ସେ ସେଦିନ ଦେଖି ପାରିଲା ନାହିଁ । ସୁତରାଂ ସେ ତାହାର ମୁଖର ସେହି ପବିତ୍ର ସୌନ୍ଦର୍ଯ୍ୟ ଫୁଟାଇ ପାରିଲା ନାହିଁ । ବିରକ୍ତ ହୋଇ ସେ ତୁଳିକା ନିକ୍ଷେପ କଲା ଏବଂ ଭାଲେରିଆକୁ କହିଲା, ‘ଦେଖ, ଆଜି ମୁଁ ଚିତ୍ର ଶେଷ କରିପାରିବି ନାହିଁ । ଆଉ ତୁମ ଦେହ ମଧ୍ୟ ଭଲ ନାହିଁ । ତୁମେ ବିଶ୍ରାମ କରିବାକୁ ଯାଅ ।’ ଭାଲେରିଆ ବାହାରି ସ୍ୱାମୀର କଥା ଅନୁସାରେ ଶୟନଗୃହକୁ ଚାଲିଗଲା । ଫେବିଓ କିଛିକ୍ଷଣ ଚିତ୍ରଗୃହରେ ରହିଲା, କେତେପ୍ରକାର ଚିନ୍ତା ଯେ ତାହାର ମନକୁ ଆସିଲା, ତାର ସୀମା ନାହିଁ । ସେ ଯେ ମୁଜିଓକୁ ତାହା ଗୃହରେ ବାସ କରିବାକୁ ଅନୁମତି ଦେଇଅଛି, ସେଇଟା ତାହାର ମସ୍ତ ଭୁଲ ବୋଲି ବର୍ତ୍ତମାନ ବୁଝିପାରିଲା । ମୁଜିଓର ଆକୃତି, କଥାବାର୍ତ୍ତା, ଆଚାର ବ୍ୟବହାର, ସମସ୍ତ ତାକୁ ଅଦ୍ଭୁତ ବୋଧ ହେଲା । କିଛିକ୍ଷଣ ଏଣୁ ତେଣୁ ଚିନ୍ତା କରି ସେ ତା ସ୍ତ୍ରୀ ନିକଟକୁ ଗଲା । ଭାଲେରିଆ ଶଯ୍ୟାରେ ସୋଇଥିଲା, ପଦଶବ୍ଦ ଶୁଣି ଚମକି ଉଠିଲା । ଫେବିଓ ଶଯ୍ୟାରେ ବସି କହିଲା, ‘କିପରି ସ୍ୱପ୍ନ ଦେଖି ତୁମେ ଏତେ ଭୀତ ହୋଇଥିଲା ? ମୁଜିଓ ଯେପରି ସ୍ୱପ୍ନ ଦେଖିଅଛି, ତୁମେ କଣ, ସେହିପରି କିଛି ସ୍ୱପ ଦେଖିଅଛ ? ‘ଭାଲେରିଆ ଚଞ୍ଚଳ ହୋଇ କହି ପକାଇଲା, ‘ନା, ନା, ମୁଁ ଦେଖିଥିଲି ଯେ, ଗୋଟାଏ ଭୀଷଣକାୟ ଜନ୍ତୁ ମତେ ଆକ୍ରମଣ କରୁଛି ।’ ଏହି କଥା କହି ସେ ତୁନି ହୋଇ ରହିଲା । ଦୁହେଁଯାକ ସେ ଦିନଟା ଅତି ବିଷର୍ଣ୍ଣ ଭାବରେ କଟାଇଲେ । କଣ ଯେପରି ଗୋଟାଏ ରହସ୍ୟ ଆସି ଉପସ୍ଥିତ ହୋଇଅଛି, କିନ୍ତୁ କେହି ସେ ରହସ୍ୟ ଭେଦ କରିପାରୁ ନାହାନ୍ତି । ଦୁଇ ଜଣଯାକ ନାନା ଉପାୟରେ ମନର ବିଷର୍ଣ୍ଣତା ଦୂର କରିବାକୁ ଚେଷ୍ଟା କଲେ, କିନ୍ତୁ ସବୁ ବୃଥା । ପ୍ରାୟ ସନ୍ଧ୍ୟା ସମୟକୁ ମୁଜିଓ ସହରରୁ ଫେରିଲା ।

 

ରାତ୍ରିରେ ଭୋଜନ ପରେ କିଛିକ୍ଷଣ ଗଳ୍ପ କରି ସମସ୍ତେ ଶୟନ କରିବାକୁ ଗଲେ । ଫେବିଓ ଶଯ୍ୟାକୁ ଯାଇ ଶୀଘ୍ର ଶୋଇ ପଡ଼ିଲା । କିଛିକ୍ଷଣ ପରେ ତାହାର ନିଦ୍ରାଭଙ୍ଗ ହେଲା । ଉଠି ଦେଖିଲା, ଶଯ୍ୟା ଶୂନ୍ୟ, ତାହାର ସ୍ତ୍ରୀ ନିକଟରେ ନାହିଁ । ଫେବିଓ ବିସ୍ମିତ ହୋଇ ଉଠି ବସି ଦେଖିଲା, ତାହାର ସ୍ତ୍ରୀ ଘରେ ପ୍ରବେଶ କରୁଅଛି । ଭାଲେରିଆର ଚକ୍ଷୁ ମୁଦ୍ରିତ ଏବଂ ମୁଖରେ ଭୟର ଚିହ୍ନ । ସେ ଆସି ଶଯ୍ୟାରେ ନିସ୍ତବ୍ଧ-ଭାବରେ ଶୋଇ ପଡ଼ିଲା । ଫେବିଓ ତାକୁ ଡାକିଲା, କିନ୍ତୁ ଉତ୍ତର ପାଇଲା ନାହିଁ; ଚାହିଁ ଦେଖିଲା, ସେ ନିଦ୍ରିତା । ଫେବିଓ ତାହାର ବସ୍ତ୍ର ସ୍ପର୍ଶ କରି ଦେଖିଲା, ତାହାର ବସ୍ତ୍ର ଶିଶିର ବିନ୍ଦୁରେ ସିକ୍ତ । ସେ ତତ୍‍କ୍ଷଣାତ ଉଠି ଉଦ୍ୟାନ ଆଡ଼କୁ ଦଉଡ଼ିଗଲା-। ସେଠାରେ ଦେଖିଲା, ବାଟରେ ଯୋଡ଼ିଏ ଲୋକର ପାଦଚିହ୍ନ । ସେ ବିସ୍ମିତ ହୋଇ ଠିଆ ହୋଇଅଛି, ହଠାତ୍ ମୁଜିଓର ସଙ୍ଗୀତ ତାହାର କର୍ଣ୍ଣରେ ପ୍ରବେଶ କଲା । ସେ ଶବ୍ଦକୁ ଲକ୍ଷ୍ୟ କରି ଯାଇ ଦେଖିଲା, ମୁଜିଓ ତାହାର ଘରେ ବେହେଲା ବଜାଇ ଗୀତ ଗାଉଅଛି । ଫେବିଓ ଉଦ୍ଧତଭାବରେ କହିଲା, ‘ତୁମେ ଉଦ୍ୟାନକୁ ଯାଇଥିଲ ?’ ମୁଜିଓ ଟିକିଏ ବିରକ୍ତ ହୋଇ କହିଲା, ‘ନା, ମୁଁ କେଉଁଠାକୁ ଯାଇ ନାହିଁ ।’ ଫେବିଓ କହିଲା, ‘ତେବେ ତୁମେ ଏ ଗୀତ କାହିଁକି ଗାଉଛ ? ତୁମେ କଣ ପୁଣି ସ୍ୱପ୍ନ ଦେଖିଛ ?’ ମୁଜିଓ କୌଣସି ଉତ୍ତର ନ ଦେଇ ଗୀତ ଗାଇବାକୁ ଲାଗିଲା । ଫେବିଓ କିଛିକ୍ଷଣ ଅପେକ୍ଷା କରି ଯନ୍ତ୍ରଚାଳିତବତ୍ ଶୟନଗୃହକୁ ଫେରି ଆସିଲା । ସେ ଘରେ ପ୍ରବେଶ କରୁଅଛି, ଏପରି ସମୟରେ ଭାଲେରିଆ ଭୟାନକ ଚିତ୍କାର କରି ଉଠିଲା । ଫେବିଓ ଦୌଡ଼ି ଯାଇ କହିଲା, ‘ଭାଲେରିଆ, ତୁମର କଣ ହୋଇଛି, ଏପରି କାହିଁକି ହେଉଛ ? ‘ସେ କହିଲା, ମୁଁ ବଡ଼ ଭୟାନକ ସ୍ୱପ୍ନ ଦେଖିଲି ।’ ଫେବିଓ ତାକୁ ସ୍ୱପ୍ନର ବୃତ୍ତାନ୍ତ ପଚାରିଥାନ୍ତା, କିନ୍ତୁ ଭାଲେରିଆ ଏତେ ଭୀତ ହୋଇଥିଲା ଯେ, ତାକୁ ସେ ସମୟରେ ବିରକ୍ତ କରିବା ସେ ଉଚିତ ମନେ କଲା ନାହିଁ ।

 

ପରଦିନ ମୁଜିଓ ଖୁବ୍ ସକାଳୁ କୁଆଡ଼େ ଚାଲିଗଲା । ଭାଲେରିଆ ସକାଳୁ ଉଠି ସ୍ୱାମୀକୁ କହିଲା, ‘ମୁଁ ଆଜି ମୋର ଧର୍ମପିତାଙ୍କ ନିକଟକୁ ଯାଉଛି, ତାଙ୍କ ନିକଟରେ କିଛିକ୍ଷଣ ରହି ମନଟାକୁ ଟିକିଏ ଶାନ୍ତ କରିବି ।’ ଫେବିଓ ଭାଲେରିଆର ମନର କଥା ବୁଝିପାରିଲା ଏବଂ ତାହାର ଧର୍ମପିତା ତାହାର ଏହି ମାନସିକ ଅଶାନ୍ତି ଦୂର କରିପାରିବେ, ଏହା ମନେ କରି ତାହାକୁ ଯିବାକୁ ଅନୁମତି ଦେଲା । ଭାଲେରିଆ ତତ୍‍କ୍ଷଣାତ ଚାଲିଗଲା । ସେ ଚାଲିଯିବା ପରେ ଫେବିଓ ଉଦ୍ୟାନକୁ ଯାଇ ସେଠାରେ ବସି ଏ କେତେ ଦିନର ଘଟନା ସବୁ ଚିନ୍ତା କରିବାକୁ ଲାଗିଲା । ଭାଲେରିଆର ଅବସ୍ଥା କାହିଁକି ଏପରି ହେଲା, ଏହା ହିଁ ତାହାର ମହାସମସ୍ୟାର ବିଷୟ ହୋଇ ଉଠିଲା !

 

ଇତିମଧ୍ୟରେ ଭାଲେରିଆ ତାହାର ଧର୍ମପିତା ସାଙ୍ଗରେ ନିଜ ଗୃହକୁ ଫେରି ଆସିଲା । ବୃଦ୍ଧ ଲରେଞ୍ଜୋ ଫେବିଓକୁ ଡାକି ଭାଲେରିଆର ସମସ୍ତ କଥା କହିଲେ । ଭାଲେରିଆର ମନ ଚଞ୍ଚଳ ହୋଇଅଛି ଏବଂ ଏପରି ବେଶି ଦିନ ରହିଲଲେ ଅନିଷ୍ଟ ହୋଇପାରେ, ଏହା ମଧ୍ୟ କହିଲେ । ଶେଷରେ ବୃଦ୍ଧ କହିଲେ, ‘ଦେଖ, ମୋର ମନେ ହେଉଛି, ମୁଜିଓ ମନ୍ତ୍ରଯନ୍ତ୍ର ଶିଖି ଆସିଛି ଏବଂ ସେହି ବିଦ୍ୟାବଳରେ ସେ ବର୍ତ୍ତମାନ ଭାଲେରିଆକୁ ଲାଭ କରିବାକୁ ବସିଛି । ସେ ତାହାର ମାୟାସଙ୍ଗୀତ ଦ୍ୱାରା ମନ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି । ଯାହାହେଉ, ମୋ ମତରେ ତୁମ୍ଭମାନଙ୍କର ଆଉ ଏଠାରେ ରହିବା ଉଚିତ ନୁହେଁ । ତୁମ୍ଭେମାନେ ଏଠାରୁ ଚାଲିଯାଅ, ନଚେତ୍ ମୁଜିଓକୁ ଏଠାରୁ ବିଦାୟ କର । ଫେବିଓ ଏବଂ ଭାଲେରିଆ ବୃଦ୍ଧଙ୍କ କଥାରେ ସମ୍ମତ ହେଲେ । ବୃଦ୍ଧ ସେମାନଙ୍କୁ ବହୁତ ଆଶୀର୍ବାଦ କରି ନିଜ ଗୃହକୁ ଫେରି ଗଲେ । ଫେବିଓ ମୁଜିଓ ସଙ୍ଗରେ ଏ ବିଷୟ କଥାବାର୍ତ୍ତା ହେବ ବୋଲି ଭାବି ଅନେକ କ୍ଷଣ ଅପେକ୍ଷା କଲା, କିନ୍ତୁ ସେ ରାତ୍ରରେ ମୁଜିଓ ଫେରିଲା ନାହିଁ । ସୁତରାଂ ଫେବିଓ ଶୟନ କରିବାକୁ ଗଲା ।

 

ଭାଲେରିଆ ଶୀଘ୍ର ଶୋଇ ପଡ଼ିଲା । କିନ୍ତୁ ଫେବିଓ ଶୋଇ ପାରିଲା ନାହିଁ । ସେହି ନିସ୍ତବ୍ଧ ରାତ୍ରିରେ ଶୋଇ ଶୋଇ ଫେବିଓ ମୁଜିଓର ଏହି ଅଦ୍ଭୁତ ରହସ୍ୟ ବିଷୟ ଅନେକ ଭାବିଲା, କିନ୍ତୁ କିଛି ସ୍ଥିର କରି ପାରିଲା ନାହିଁ । ସତେ କଣ ମୁଜିଓ ଗୁଣିବିଦ୍ୟା ଜଣେ ? ବାସ୍ତବିକ ସେ କଣ ଭାଲେରିଆକୁ ମନ୍ତ୍ର କରୁଛି ? ଏହିପାର ନାନା ପ୍ରଶ୍ନ ତାହା ମନରେ ଉଦିତ ହେଲା । ସେ ଏହିପରି ଚିନ୍ତା କରୁଅଛି, ଏପରି ସମୟରେ ଝରକା ନିକଟରେ ଟିକିଏ ଆଲୁଅ ଦେଖାଗଲା ଏବଂ ପରମୁହୂର୍ତ୍ତରେ କାହାର ଅସ୍ଫୁଟ ସ୍ୱର ଶୁଭିଲା । ତତ୍‍କ୍ଷଣାତ ସେ ଚାହିଁ ଦେଖିଲା, ଭାଲେରିଆ ଉଠି ବସିଅଛି । ଭାଲେରିଆ ଶଯ୍ୟାରୁ ଉଠିଲା ଏବଂ ଉଦ୍ୟାନ ଆଡ଼କୁ ଯିବାକୁ ଲାଗିଲା । ସଙ୍ଗେ ସଙ୍ଗେ ଫେବିଓ ଉଠି କବାଟ ବନ୍ଦ କରିଦେଇ ଅନ୍ୟ ବାଟରେ ଉଦ୍ୟାନକୁ ଗଲା । ଉଦ୍ୟାନରେ ଦେଖିଲା, ମୁଜିଓ ଏକା ଠିଆ ହୋଇଅଛି ଏବଂ ଆସ୍ତେ ଆସ୍ତେ କଣ କହୁଅଛି । ଫେବିଓ ଏହା ଦେଖି ଅତ୍ୟନ୍ତ କ୍ରୁଦ୍ଧ ଓ କାଣ୍ଡଜ୍ଞାନଶୁନ୍ୟ ହୋଇ ହଠାତ୍ ମୁଜିଓ ବକ୍ଷରେ ଛୁରି ବସାଇଦେଲା । ମୁଜିଓ ଚିତ୍କାର କରି ପଡ଼ିଗଲା । ଫେବିଓ ଘରକୁ ଫେରି ଆସି ଦେଖିଲା, ଭାଲେରିଆ ତଳେ ପଡ଼ି କମ୍ପୁଅଛି । ସେ ତାକୁ ଶଯ୍ୟାକୁ ଉଠାଇ ନେଲା ।

 

ଫେବିଓ ଶଯ୍ୟାରେ ଶୋଇ ଏହି ଆକସ୍ମିକ ଘଟନା କଥା ଭାବିଲା । ବର୍ତ୍ତମାନ ସେ କଣ କରିବ ? ସେ ଯେ ମୁଜିଓକୁ ହତ୍ୟା କରିଅଛି, ଏ କଥା ତ ଆଉ ଗୋପନ ରହିବ ନାହିଁ ? ଏହି ବିଷୟ ଯେତେବେଳେ ବିଚାରାଳୟରେ ଉପସ୍ଥିତ ହେବ, ଯେତେବେଳେ ବିଚାରପତି ତାକୁ କାରଣ ପଚାରିବେ, ସେ କଣ କହିବ ? କେଜାଣି ଯଦି ମୁଜିଓ ମରି ନ ଥାଏ ! ଏହି କଥା ମନେହେବା ମାତ୍ରକେ ସେ ଆଉ ରହିପାରିଲା ନାହିଁ । ଭାଲେରିଆ ଗଭୀର ନିଦ୍ରାରେ ମଗ୍ନ । ସୁତରାଂ ଫେବିଓ ନିଶ୍ଚିନ୍ତ ମନରେ ଘରୁ ବାହାରିଲା । ଚତୁର୍ଦ୍ଦିଗ ନିରବ ନିଷ୍ପନ୍ଦ । ଫେବିଓ ଆସ୍ତେ ଆସ୍ତେ ଆସି ମୁଜିଓ ଘରେ ଉପସ୍ଥିତ ହେଲା । ଦେଖିଲା, ଘର ମଝିରେ ମୁଜିଓ ଶାୟିତ । ତାହା ଶରୀର ଗୋଟିଏ ଲାଲ କମ୍ବଳରେ ଆବୃତ ରହିଅଛି, ଚକ୍ଷୁ ମୁଦ୍ରିତ, ନିଃଶ୍ୱାସ ରୁଦ୍ଧ । ଦେଖିଲା ମାତ୍ରକେ ମୃତ ବୋଲି ମନେହେବ । ତା ନିକଟରେ ମାନକୁ ବସିଅଛି । ସେ ଗୋଟିଏ ବୃକ୍ଷର ଚେର ଧରି ତାହାର ପ୍ରଭୁଙ୍କ ନାସିକା ନିକଟରେ ରଖିଅଛି ଏବଂ ଏକଦୃଷ୍ଟିରେ ତାଙ୍କ ଆଡ଼କୁ ଚାହିଁଅଛି । ଥରେ ସେ ଚେରଟିକୁ ଉଠାଉଅଛି ଏବଂ ପୁଣି ତାକୁ ନାସିକା ନିକଟରେ ରଖୁଅଛି ଏବଂ ଅସ୍ଫୁଟସ୍ୱରରେ କଣ କହୁଅଛି । ଫେବିଓ ବିସ୍ମିତ ହୋଇ ତାହା ନିକଟକୁ ଯାଇ ପଚାରିଲା, ମୁଜିଓର କଣ ମୃତ୍ୟୁ ହୋଇଅଛି ? ‘ମାନ୍ କୁ’ କୌଣସି ଉତ୍ତର ନ ଦେଇ ଇଙ୍ଗିତରେ ତାକୁ ଘରୁ ବାହାରି ଯିବାକୁ କହିଲା । ଫେବିଓ ତାହା କଥା ମାନି ଚାଲିଗଲା । ଘରକୁ ଆସି ଦେଖିଲା, ଭାଲେରିଆ ସେହିପରି ଶୋଇଅଛି ।

 

ଖୁବ୍ ଭୋରରୁ ଉଠି ଫେବିଓ ଯାତ୍ରାର ଆୟୋଜନ କରୁଅଛି, ଏପରି ସମୟରେ ତାହାର ପୁରାତନ ଭୃତ୍ୟ ଆସି କହିଲା, ‘ପ୍ରଭୁ, ମାନ୍‍କୁ କହିଲା, ମୁଜିଓ ଅତ୍ୟନ୍ତ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେ ଆଜି ସହରକୁ ଚାଲିଯିବେ । ତାଙ୍କର ଜିନିଷପତ୍ର ସବୁ ଠିକ୍‍ କରିବା ନିମନ୍ତେ ସେ ଆପଣଙ୍କ ଭୃତ୍ୟମାନଙ୍କ ମଧ୍ୟରୁ ଜଣକୁ ପଠାଇବାକୁ ଅନୁରୋଧ କରୁଛନ୍ତି । ‘ଫେବିଓ ବିସ୍ମିତ ହୋଇ କହିଲା, ‘ମାନ୍‍କୁ, ତତେ କଥା କହିଲା ?’ ‘ଭୃତ୍ୟ କହିଲା, ‘ନା, ସେ ମତେ ‘କଥା କହି ନାହିଁ; ଏହି କାଗଜରେ ଲେଖିଦେଲା ।’ ଫେବିଓ କହିଲା, ‘ସେ କଣ ଡାକ୍ତର ଡାକୁଛନ୍ତି ?’ ଭୃତ୍ୟ କହିଲା, ‘ନା’, ମାନ୍‍କୁ ନିଷେଧ କଲା । ସେ କେବଳ ମତେ ଏହି କାଗଜରେ ଏତିକି ଲେଖିଦେଲା ।’ ଫେବିଓ କହିଲା, ‘ଆଚ୍ଛା, ମୁଁ ସମସ୍ତ ବନ୍ଦୋବସ୍ତ କରି ଦେଉଛି ।’ ଭୃତ୍ୟ ଚାଲିଯିବା ପରେ ଫେବିଓ ମନରେ ଭାବିଲା, ‘ମୁଜିଓ ତାହାହେଲେ ମରି ନାହିଁ ? କିନ୍ତୁ କିଛିକ୍ଷଣ ପୂର୍ବେ ତ ମୁଁ ତାକୁ ମୃତାବସ୍ଥାରେ ଦେଖି ଆସିଥିଲି-।’

 

ସ୍ୱାମୀ ସଙ୍ଗରେ ଦେଖା ହେବା ମାତ୍ରକେ ଭାଲେରିଆ ପଚାରିଲା, ‘ସେ କଣ ଗଲାଣି ?’ ଫେବିଓ କହିଲା, ‘ନା, ସେ ଯାଇ ନାହିଁ, କିନ୍ତୁ ଏହିକ୍ଷଣି ଯିବ ।’ ଭାଲେରିଆ ଆଶ୍ୱସ୍ତ ହୋଇ କହିଲା, ‘ଓଃ ! ଆଉ ତାକୁ ଦେଖିବାକୁ ହେବ ନାହିଁ, ମୁଁ ମଧ୍ୟ ଆଉ ଏପରି ଅଦ୍ଭୁତ ସ୍ୱପ୍ନ ଦେଖିବି ନାହିଁ ।’ କିଛିକ୍ଷଣ ଭାବି ପୁଣି କହିଲା, ‘ଦେଖ, ଆଉ ଦିନେ ସୁଦ୍ଧା ତୁମେ ତା କଥା ମୋ ପାଖରେ କହିବ ନାହିଁ । ଆଉ ଗୋଟିଏ କଥା ଏହି ହାରଟି ନିଅ, ଏହା ବ୍ୟବହାର କରିବା ମୋ ପକ୍ଷରେ ଉଚିତ ନୁହେଁ ।’ ଫେବିଓ ହାରଟିକୁ ନେଇ କୂପରେ ନିକ୍ଷେପ କଲା । ତତ୍ପରେ ମୁଜିଓର ସମ୍ବାଦ ନେବାପାଇଁ ତା ଗୃହକୁ ଗଲା ।

 

ଫେବିଓ ସେଠାରେ ଦେଖିଲା, ମୁଜିଓ ପୂର୍ବବତ୍ ଶୋଇଅଛି ଏବଂ ମାନ୍‍କୁ ତାହା ନିକଟରେ ବସିଅଛି । କିଛିକ୍ଷଣ ପରେ ଦେଖିଲା, ମାନ୍‍କୁ ଏକପ୍ରକାର ପାନୀୟ ନେଇ ଆସ୍ତେ ଆସ୍ତେ କଣ କହିଲା, ପରେ ସେହି ପାନୀୟ ମୁଜିଓକୁ ପାନ କରାଇ ଦେଲା । ତହିଁ ଉତ୍ତାରେ ଆସ୍ତେ ଆସ୍ତେ ତାକୁ ଉଠାଇ ଆଣି ଗୋଟିଏ ଚୌକି ଉପରେ ବସାଇଲା । ମୁଜିଓର ମୁଖ ଦେଖି ଫେବିଓ ଭୟରେ ଥରିଉଠିଲା । ମାନ୍‍କୁ ତାହା ନିକଟରେ ବସି କଣ କହିବାକୁ ଲାଗିଲା । କିଛିକ୍ଷଣ ପରେ ମୁଜିଓର ଦେହଟା ଟିକିଏ ହଲାଇଲା ପରି ବୋଧ ହେଲା । ଫେବିଓ ଏହି ଅଦ୍ଭୁତ ବ୍ୟାପାର ଆହୁରି ମନୋଯୋଗ ସହିତ ଦେଖିଲା । କ୍ରମେ କ୍ରମେ ମୁଜିଓର ହାତ ଗୋଡ଼ ସବୁ ହଲିଲା । କିଛିକ୍ଷଣ ପରେ ତାହାର ମୁଖ ଫିଟିଲା ପରି ମନେ ହେଲା ଏବଂ ଫେବିଓ ଭୀତ ହୋଇ ଚାହିଁ ଦେଖିଲା, ମୁଜିଓ କଥା କହୁଅଛି । ମୁଜିଓ କଥା କହିବା ଦେଖି ମାନ୍‍କୁ ଆନନ୍ଦରେ ନାଚିଉଠିଲା । ମୃତ ବ୍ୟକ୍ତି କଥା କହିବାର ଦେଖି ଫେବିଓ ନିଜେ କେଉଁ ରାଜ୍ୟରେ ଅଛି, ବୁଝି ପାରିଲା ନାହିଁ । ସେ ଅତ୍ୟନ୍ତ ଭୀତ ହୋଇ ଚିତ୍କାର କରି ସେଠାରୁ ପଳାଇ ଆସିଲା । ପ୍ରାୟ ୨।୩ ଘଣ୍ଟା ପରେ ଭୃତ୍ୟ ଆସି କହିଲା, ‘ମୁଜିଓର ଯାତ୍ରାର ଆୟୋଜନ ଶେଷ ହେଲାଣି ।’ ଫେବିଓ ଭୃତ୍ୟର କଥାର କୌଣସି ଉତ୍ତର ନ ଦେଇ ପଦାକୁ ଚାଲିଗଲା । ସେଠାରେ ଠିଆ ହୋଇ ଦେଖିଲା, ମାନ୍‍କୁ ମୁଜିଓକୁ ଧରାଧରି କରି ଆଣୁଅଛି । ମୁଜିଓର ମୁଖ ପାଂଶୁବର୍ଣ୍ଣ, ଶରୀର କ୍ଷୀଣ, ଚାଲିବାର ଶକ୍ତି ନାହିଁ । ଅଳ୍ପକ୍ଷଣ ମଧ୍ୟରେ ମାନ୍‍କୁ ଓ ମୁଜିଓ ଦୁହେଁ ଅଦୃଶ୍ୟ ହୋଇଗଲେ । ଫେବିଓ ମଧ୍ୟ ନିଶ୍ଚିନ୍ତ ମନରେ ଘରକୁ ଫେରିଲା ।

 

କିଛିକ୍ଷଣ ପରେ ଘରକୁ ଆସି ଫେବିଓ ଦେଖିଲା, ଭାଲେରିଆ ତାହାପାଇଁ ଅପେକ୍ଷା କରୁଅଛି । ଆଜି ଆଉ ଭାଲେରିଆର ସେ ଚଞ୍ଚଳତା ନାହିଁ, ସେ ଭୀତିର ଚିହ୍ନ ନାହିଁ, ସେ ସଶଙ୍କ ଭାବ ମଧ୍ୟ ନାହିଁ । ପୂର୍ବପରି ତାହାର ବଦନ ସହାସ୍ୟ । ଏହା ଦେଖି ଫେବିଓର ଆନନ୍ଦର ସୀମା ରହିଲା ନାହିଁ ।

 

ଫେବିଓ ତାହାର ଅସମ୍ପୂର୍ଣ୍ଣ ଚିତ୍ର ଅବିଳମ୍ବେ ଶେଷ କଲା । ଦମ୍ପତି ପୁଣି ପୂର୍ବ ପରି ପରମ ଆନନ୍ଦରେ ଦିନ କଟାଇଲେ । ଦୁହେଁ ପ୍ରତିଜ୍ଞା କଲେ, ଆଉ କେଭେଁ ମୁଜିଓର ନାମ ମଧ୍ୟ ଉଚ୍ଚାରଣ କରିବେ ନାହିଁ । କାଳକ୍ରମେ ମୁଜିଓ ବୋଲି ସଂସାରରେ କେହି ଅଛି ଏବଂ ସେ ଏତେ ଅଦ୍ଭୁତ ବ୍ୟାପାର ଘଟାଇଛି, ଏହା ସେମାନଙ୍କ ନିକଟରେ ସ୍ୱପ୍ନ ବୋଲି ମନେ ହୋଇଥିଲା ।

Image

 

Unknown

ସୈନିକ ପୁରୁଷ

 

୧୮୩୩ ସାଲରେ ସପ୍ତଦଶବର୍ଷୀୟ ଗୋଟିଏ ସୁନ୍ଦର ଇଉରୋପୀୟ ଯୁବକ ସୈନିକ କର୍ମରେ ପ୍ରବେଶ କରିବା ନିମିତ୍ତ ଭାରତବର୍ଷକୁ ଆସିଥିଲା । ବାଲ୍ୟକାଳରୁ ତାହାର ପ୍ରକୃତି ଅତ୍ୟନ୍ତ ଉଦ୍ଧତ ଥିଲା ଏବଂ ତାହାର ଉଦ୍ଧତ ସ୍ୱଭାବ ଓ ଅବୁଝାପଣିଆଯୋଗୁଁ ତାହାର ପିତା ମାତାଙ୍କୁ ଅନେକ କଷ୍ଟ ପାଇବାକୁ ହୋଇଥିଲା । କିନ୍ତୁ ତାହାର ଏହି ଦୋଷ ସତ୍ତ୍ୱେ କେତେଗୁଡ଼ିଏ ସଦ୍‍ଗୁଣଯୋଗୁଁ ସମସ୍ତେ ତାକୁ ଅତ୍ୟନ୍ତ ସ୍ନେହ କରୁଥିଲେ । ପିତା ମାତା ତାହାର ନାମ ରଖିଥିଲେ ହେନେରି । ଯେତେବେଳେ ତାହାର ବୟସ ୯ ବର୍ଷ, ସେତେବେଳେ ତାହାର ପିତା ମାତା ବିଦ୍ୟାଶିକ୍ଷାପାଇଁ ତାକୁ ଲଣ୍ଡନରେ ରଖିଲେ । କେଜାଣି କାହିଁକି, କିଛିଦିନ ପରେ ତାହାର ମନର ଏକ ଅଦ୍ଭୁତ ପରିବର୍ତ୍ତନ ହେଲା । ବାର ବର୍ଷ ବୟସ ସମୟରେ ଯୁଦ୍ଧବିଦ୍ୟା ଶିଖିବାପାଇଁ ସେ ଅତ୍ୟନ୍ତ ଉକଣ୍ଠିତ ହୋଇଉଠିଲା । ଏହି ସମୟରେ ତାହାର ପିତା ପରଲୋକ ଗମନ କଲେ । କିଛିଦିନ ପରେ ସେ ତାହାର ଏହି ଇଚ୍ଛା ମାତାଙ୍କ ନିକଟରେ ପ୍ରକାଶ କଲା । ମାତା ବ୍ୟାକୁଳ ହୋଇ ଆସି ପୁତ୍ରକୁ ଗୃହକୁ ଘେନିଗଲେ । ମାତା କେତେ କାନ୍ଦିଲେ, ଆତ୍ମୀୟ ସ୍ଵଜନମାନେ କେତେ ଅନୁରୋଧ କଲେ, କିନ୍ତୁ ତହିଁରେ ତାହାର ପ୍ରତିଜ୍ଞା ଟଳିଲା ନାହିଁ । ସୁତରାଂ ସପ୍ତଦଶ ବର୍ଷ ବୟସରେ ହେନେରି ମାତା ଓ ଭାଇ ଭଗିନୀ ସମସ୍ତଙ୍କୁ ଛାଡ଼ି ସୈନିକ ବିଭାଗରେ ପ୍ରବେଶ କରିବା ଅଭିପ୍ରାୟରେ ଭାରତବର୍ଷକୁ ଯାତ୍ରା କଲା ।

 

ଚାରି ପାଞ୍ଚ ବର୍ଷ ପରେ ହେନେରିର ବଡ଼ ଭାଇର ମୃତ୍ୟୁ ହେଲା । ସମସ୍ତେ ମନେ କରିଥିଲେ, ଏପରି ଶୋକସମ୍ବାଦ ପାଇ ହେନେରି ବ୍ୟାକୁଳ ହୋଇ ଗୃହକୁ ଫେରିଆସିବ । ସେ ବ୍ୟାକୁଳ ହୋଇଥିଲା ସତ୍ୟ, କିନ୍ତୁ ଗୃହକୁ ଫେରିଲା ନାହିଁ । ସେ ମନରେ ଯାହା ସଂକଳ୍ପ କରିଥିଲା, ତାହା ସାଧନ ନ କରି ଗୃହକୁ ଫେରିବ ନାହିଁ । ଏହାହିଁ ତାହାର ପ୍ରତିଜ୍ଞା । ସୁତରାଂ ହେନେରି ସୈନିକବିଭାଗରେ ରହି କାର୍ଯ୍ୟ ଶିଖି ଉଚ୍ଚପଦରେ ନିଯୁକ୍ତ ହେଲା ।

 

ଏହି ସମୟରେ ଭାରତବର୍ଷରେ ଶିଖ୍‍ଜାତି ଅତ୍ୟନ୍ତ ପ୍ରବଳ ହୋଇ ଉଠିଥିଲେ । ଏମାନଙ୍କ ଧର୍ମଗତ ଓ ଆଚାର ବ୍ୟବହାର ହିନ୍ଦୁ, ମୁସଲମାନ କୌଣସି ସମ୍ପ୍ରଦାୟ ସଙ୍ଗରେ ମିଳୁ ନ ଥିଲା । ସୁତରାଂ ଉଭୟ ସମ୍ପ୍ରଦାୟ ସଙ୍ଗେ ଏମାନଙ୍କର ବିରୋଧ ଘଟୁଥିଲା । ପଞ୍ଜାବ ପ୍ରଦେଶ ଶିଖ୍‍ମାନଙ୍କର ପ୍ରଧାନ ବାସଭୂମି ଥିଲା ।

 

କିଛିକାଳ ପରେ ସୁବିଖ୍ୟାତ ବୀରପୁରୁଷ ରଣଜିତ୍ ସିଂହ ଶତଦ୍ରୁ କୂଳବାସୀ ଶିଖମାନଙ୍କର ଶାସନକର୍ତ୍ତା ହୋଇ ଲାହୋରରେ ରାଜଧାନୀ ସ୍ଥାପନ କଲେ । ରଣଜିତ୍ ସ୍ୱୀୟ ଅଦ୍ଭୁତ ପ୍ରତାପରେ ଶୀଘ୍ର ଅନେକ ସ୍ଥାନ ଜୟ କଲେ ଏବଂ ସମଗ୍ର ଶିଖ୍‍ସମ୍ପ୍ରଦାୟକୁ ସମ୍ମିଳିତ କରି କ୍ରମଶଃ ରାଜ୍ୟ ବିସ୍ତାର କରିବାକୁ ଚେଷ୍ଟା କଲେ । କ୍ରମେ ଇଂରେଜମାନଙ୍କ ସହିତ ଶିଖ୍‍ମାନଙ୍କର ସଂଘର୍ଷ ଉପସ୍ଥିତ ହେଲା ଏବଂ ରଣଜିତଙ୍କ ଅଧିନାୟକତ୍ୱରେ ଶିଖ୍‍ମାନେ ଇଂରାଜଙ୍କ ସହିତ ଘୋର ଯୁଦ୍ଧରେ ପ୍ରବୃତ୍ତ ହେଲେ । ଫଳରେ ରଣଜିତ୍ ପରାଜିତ ହୋଇ ଇଂରେଜମାନଙ୍କ ସହିତ ସନ୍ଧି କଲେ-। ରଣଜିତଙ୍କ ମୃତ୍ୟୁ ପରେ ତାଙ୍କ ପକ୍ଷୀୟ ଶିଖମାନେ ଇଂରେଜମାନଙ୍କ ପ୍ରତି ପୁନର୍ବାର ପୂର୍ବ ବିଦ୍ୱେଷ ପ୍ରକାଶ କଲେ, ସୁତରାଂ ଦୁଇ ଜାତି ମଧ୍ୟରେ ପୁନର୍ବାର ବିବାଦ ଆରମ୍ଭ ହେଲା-

 

ଠିକ୍‍ ଏହି ସମୟରେ ହେନେରି ଶିଖ୍‍ମାନଙ୍କ ବିଦ୍ରୋହ ଦମନ କରିବାପାଇଁ ଇଂରାଜ ପକ୍ଷରୁ ସେନାପତି ପାଦରେ ନିଯୁକ୍ତ ହୋଇ ପଞ୍ଜାବକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଗୋଟିଏ ଶିଖ୍‍ ଯୁବତୀ ସ୍ୱଇଚ୍ଛାରେ ତାଙ୍କର ସଙ୍ଗ ଗ୍ରହଣ କଲା । ଯୁବତୀର ମାତା ଶିଖ୍‍ଜାତୀୟା, କିନ୍ତୁ ପିତା ଇଂରେଜ ଥିଲେ; ସୁତରାଂ ତାହାର ଇଂରାଜି ନାମକରଣ ହୋଇଥିଲା ‘ମେରୀ’ । ପିତାଙ୍କ ମୃତ୍ୟୁ ପରେ ତାହାର ମାତା ପୁନର୍ବାର ଜଣେ ଶିଖ୍‍କୁ ବିବାହ କରିଥିଲେ । ଯେତେବେଳେ ହେନେରି ପଞ୍ଜାବକୁ ଯାଇଥିଲେ, ସେତେବେଳେ ଏମାନଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । ଫଳରେ ହେନେରି ଓ ମେରୀ ତାହାର ମାତାର ଅଜ୍ଞାତରେ ହେନେରିଙ୍କ ସଙ୍ଗ ଗ୍ରହଣ କଲା ।

 

ହେନେରି ତାକୁ ସଙ୍ଗରେ ଆଣି ଗୋଟିଏ ସୁନ୍ଦର ଗୃହରେ ରଖିଲେ, ଅନେକ ବହୁମୂଲ୍ୟ ଦ୍ରବ୍ୟ ଉପହାର ଦେଲେ । କୌଣସି ପ୍ରକାର ସୁଖରୁ ତାକୁ ସେ ବଞ୍ଚିତ କରି ନ ଥିଲେ । କିନ୍ତୁ ସେ ତାକୁ ବିବାହ କଲେ ନାହିଁ । ଏହାଛଡ଼ା ଯେତେ ତାହା ପ୍ରତି ସ୍ନେହ ପ୍ରକାଶ କରାଯାଇପାରେ, ସେ ତାହା କରିବାକୁ ତ୍ରୁଟି କରୁ ନ ଥିଲେ । ଏହି ଭାବରେ କେତେଦିନ ଚାଲିଗଲା ।

 

ସନ୍ଧ୍ୟା ସମୟ । କଲିକତା ନଗରୀର ଗୋଟିଏ ସୁସଜ୍ଜିତ ଗୃହର ଗୋଟିଏ କକ୍ଷରେ ମେରୀ ଉପବିଷ୍ଟା । ତାକୁ ଦେଖିଲେ ମନେ ହେବ, ଯେପରି ଦୁଃଖ ଭାରରେ ସେ ନତ ହୋଇପଡ଼ିଅଛି । ବାସ୍ତବିକ ତାହାର ଦୁଃଖର ସୀମା ନାହିଁ । ସବୁବେଳେ ସେ ଏକା ଥାଏ, କେତେ ଚିନ୍ତା କରେ, ନୀରବରେ କେତେ କାନ୍ଦେ । ସେ ଯେତେବେଳେ ତାହାର ଜନ୍ମଭୂମି ଛାଡ଼ି ଆସିଥିଲା, କେତେ ଉଚ୍ଚ ଆଶା ମନରେ ପୋଷଣ କରିଥିଲା, ତାହାର ଆଶା ତ ପୂରିଲା ନାହିଁ ! ଏହି ସନ୍ଧ୍ୟା ସମୟରେ ବୋଧ ହୁଏ ସେହି କଥା ଚିନ୍ତା କରି ମେରୀ କାନ୍ଦୁଅଛି । ବାହାରେ ଜଣେ ଯୁବକ ବସିଥିଲେ । ସେ ଭାବୁଥିଲେ, ‘‘ମୁଁ କି ନିର୍ବୋଧ ! ମୁଁ ମେରୀକୁ କାହିଁକି ସଙ୍ଗରେ ଆଣିଲି ? ଗୃହକୁ ଫେରି ଯାଇ ବିବାହ କରିବାକୁ ମାତା ଲେଖିଅଛନ୍ତି । ମୁଁ ବିବାହ କରିବି ? କାହାକୁ ବିବାହ କରିବି-? ମେରୀକୁ ନ ଛାଡ଼ିବା ପର୍ଯ୍ୟନ୍ତ ତ ମୁଁ ବିବାହ କରିପାରିବି ନାହିଁ ! କେରୋଲିନକୁ ବିବାହ କଲେ ମୁଁ ଅତ୍ୟନ୍ତ ସୁଖୀ ହୁଅନ୍ତି; କିନ୍ତୁ ମେରୀର ବୃତ୍ତାନ୍ତ ଶୁଣିଲେ ମତେ ତାହାର ପିତା କନ୍ୟାଦାନ କରିବେ ନାହିଁ । ମେରୀକୁ ଯଦି କୌଣସି ପ୍ରକାରେ ତାହାର ଦେଶକୁ ପଠାଇଦେଇ ପାରନ୍ତି ! କିନ୍ତୁ ସେ ସମ୍ମତ ହେବ କି ? ହାୟ ! ଏ ସବୁ କେବଳ ମୋର ବିବେକହୀନତାର ଫଳ । ଥାଉ, ଆଉ ଚିନ୍ତା କରିବି ନାହିଁ । ଏତେ ଚିନ୍ତା କଲେ ପାଗଳ ହୋଇଯିବି ।’’

 

ଏହାପରେ ହେନେରି କିଛିକ୍ଷଣ ତୁନି ହୋଇ ବସି ରହିଲେ ଏବଂ ହଠାତ୍ ଉଠି ଘର ଭିତରକୁ ଆସି କହିଲେ, ‘‘ମେରୀ, ମୁଁ ଯାଉଛି ପୋଷାକ ପରିବର୍ତ୍ତନ କରି ଆସେ ।’’ ଏହା ଶୁଣି ମେରୀ ଚମକିପଡ଼ି କହିଲା, ‘‘ପୋଷାକ ପରିବର୍ତ୍ତନ କରିବ ?’’ ‘‘ଆଜି ରାତ୍ରରେ ମୋର ନିମନ୍ତ୍ରଣ ଅଛି, ମୁଁ ସେଠାକୁ ଯିବି ।’’ ମେରୀ ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ କହିଲା, ‘‘କେତେ ଦିନ ତ ତୁମେ ଠିକ୍ ଏହିପରି କଥା କହି ଚାଲି ଯାଅ ? ମତେ ଏହି ନିର୍ଜନ ଗୃହରେ ଏକାକୀ ପକାଇ ତୁମେ ତ ପ୍ରାୟ ଏହିପରି ଚାଲିଯାଅ ?’’ହେନେରି ଏହି କଥା ଶୁଣି କହିଲେ, ‘‘ଦେଖ ତୁମେ ଏପରି କହ ନାହିଁ, ମୁଁ କେବେ ତୁମର ଅଯତ୍ନ କରେ ନାହିଁ, କିନ୍ତୁ ସମାଜ ସଙ୍ଗରେ ଯେ ମତେ ସମ୍ବନ୍ଧ ରଖି ଚଳିବାକୁ ହେବ ?’’ ଏହି କଥା କହି ମେରୀକୁ ଟିକିଏ ସାନ୍ତ୍ୱନା ଦେଇ ହେନେରି ଚାଲିଗଲେ । ମେରୀ ଯେଉଁଠାରେ ବସିଥିଲା, ସେହିଠାରେ ବସି ରହିଲା । ଗୃହରେ ବାଦ୍ୟ ଯନ୍ତ୍ର ଥିଲା, କେତେ ସୁନ୍ଦର ସୁନ୍ଦର ପୁସ୍ତକ ଥିଲା, କିନ୍ତୁ ତେଣିକି ଫେରି ଚାହିଁବାକୁ ମଧ୍ୟ ତାହାର ଇଚ୍ଛା ହେଲା ନାହିଁ । ଟିକିଏ ଅନ୍ଧକାର ହୋଇଗଲାଣି । ଜଣେ ପୌଢ଼ା ଶିଖରମଣୀ ଗୃହ ମଧ୍ୟରେ ପ୍ରବେଶ କଲା ।

 

ରମଣୀ ମେରୀ ନିକଟକୁ ଆସି କହିଲା, ‘‘ମା, ତୁମେ ଏହିଠାରେ ଅଛ ? ଏତେଦିନ ପରେ ତୁମର ଦେଖା ପାଇଲି ? ଆହା ! ସ୍ୱଦେଶରେ ଥିଲେ ଆଜି ତୁମେ କେତେ ସୁଖରେ ଥାନ୍ତ ! କିନ୍ତୁ ବର୍ତ୍ତମାନ ତୁମର ଫେରିବାର ସମୟ ଆସିଛି ।’’

 

ମେରୀ ତାହାର କଥା ବୁଝି ପାରିଲା ନାହିଁ, ଅବାକ୍ ହୋଇ ଚାହିଁ ରହିଲା ।

 

ରମଣୀ କହିଲା, ‘‘ମା, ତୁମେ ମୋତେ ଚିହ୍ନି ପାରୁ ନାହଁ ? ମୁଁ ତୁମର ଧାତ୍ରୀ । ଶୈଶବରେ ଏହି ବକ୍ଷରେ ମସ୍ତକ ରଖି ତୁମେ କେତେ ଶୋଇଛ । ତୁମେ ଏହି ଜୀବନର ଏକମାତ୍ର ସାନ୍ତ୍ୱନାର ବସ୍ତୁ ଥିଲ । ଯେତେବେଳେ ତୁମ୍ଭେ ଆମମାନଙ୍କୁ ଛାଡ଼ି ଚାଲି ଆସିଲ, ସେତେବେଳେ ମନେ ହେଲା, ଏ ବକ୍ଷ ଫାଟିଯିବ ପରା ! ପରେ ତୁମର ମାତାଙ୍କର ମୃତ୍ୟୁ ହେଲା ଏବଂ ମୁଁ ମୋର ଜୀବନର କର୍ତ୍ତବ୍ୟ ମାନି ବ୍ୟାକୁଳ ହୋଇ ତୁମର ଅନ୍ୱେଷଣରେ ବାହାରିଲି । କେତେ ନଦୀ, ପର୍ବତ, କେତେ ଦେଶ, କେତେ ମରୁଭୂମିରେ କ୍ଷୁଧା ତୃଷ୍ଣା ସମସ୍ତ ତୁଚ୍ଛ ଜ୍ଞାନ କରି ତୁମକୁ ଅନ୍ୱେଷଣ କରିଛି; ପାଇ ନାହିଁ । ଆଜି ଏହି ଜୀବନର ସନ୍ଧ୍ୟାରେ ତୁମର ସାକ୍ଷାତ ପାଇଲି । ଏତେ କଷ୍ଟ କାହାପାଇଁ ସହ୍ୟ କଲି ? କେବଳ ତୁମରି ପାଇଁ ନୁହେଁ କି ?’’

 

ମେରୀ ଉଠିପଡ଼ି ତାକୁ ଆଲିଙ୍ଗନ କରି କହିଲା, ‘‘ମା, ମୋ ପ୍ରତି ତୁମର ଅଗାଧ ସ୍ନେହ, ତାହା ମୁଁ ଜାଣେ । ତୁମେ ଆଜି ମୋର ମାତାର ସ୍ଥାନ ଅଧିକାର କଲ । କେବଳ ମୋହରିପାଇଁ ତୁମେ ସ୍ୱଦେଶ ସ୍ୱଜନ ଛାଡ଼ି ଆଜି ଏଠାରେ ଉପସ୍ଥିତ ହୋଇଅଛ, ମୁଁ ଜାଣେ ।’’

 

ରମଣୀ କହିଲା, ‘‘ବତ୍ସେ, ମୁଁ ଆଜି ତୁମକୁ ଗୋଟିଏ କଥା କହିବାକୁ ଆସିଛି । ମୁଁ ଜାଣେ, ତୁମ ମନରେ ଖୁବ୍ କଷ୍ଟ ହେବ, କିନ୍ତୁ ନ କହି ରହି ପାରୁ ନାହିଁ ।’’

 

ମେରୀ ସଭୟରେ କହିଲା, ‘‘ତେବେ କହ ।’’ ଧାତ୍ରୀ କହିଲା, ‘‘ତୁମେ ତ ଏହି ଇଂରାଜ ଯୁବକ ନିକଟରେ ଅନେକ ଦିନ ରହିଛ, କିନ୍ତୁ—’’

 

ହଠାତ୍ ମେରୀ ତାହା କଥାରେ ବାଧା ଦେଇ କହିଉଠିଲା, ‘‘ନା, ନା, ତାହା ନୁହେଁ, ଆଜୀବନ ଆମ୍ଭେମାନେ ଏକତ୍ର ରହିବୁଁ ।’’

 

ଧାତ୍ରୀ କହିଲା, ‘‘ନା, ତାହା ସମ୍ଭବ ନୁହେଁ । ଗୋଟିଏ ଇଂରାଜ ବାଳିକା ବର୍ତ୍ତମାନ ତୁମର ସ୍ଥାନ ଅଧିକାର କରିବାକୁ ବସିଛି; ସେ ଖୁବ୍ ସୁନ୍ଦରୀ ! ମୁଁ ଆଜି ତାକୁ ଗୋଟିଏ ପ୍ରକାଶ୍ୟ ସ୍ଥାନରେ ହେନେରି ସଙ୍ଗରେ ଦେଖିଛି । ଶୀଘ୍ର ସେ ତାକୁ ବିବାହ କରିବ ।’’

 

ମେରୀ ତାହାର କଥାରେ କୌଣସି ଉତ୍ତର ଦେଲା ନାହିଁ, ନିଶ୍ଚଳ ହୋଇ ବସି ରହିଲା । ବୋଧ ହେଲା, ଯେପରି ଧାତ୍ରୀର କଥାରେ ସେ ପଥର ପାଲଟିଗଲା ।

 

କିଛିକ୍ଷଣ ନିରବ ରହି ଧାତ୍ରୀ ପୁଣି କହିଲା, ‘‘ଆଉ ମଧ୍ୟ ଗୋଟିଏ ସମ୍ବାଦ ମୁଁ ଆଜି ପାଇଛି । ଶିଖ୍‍ମାନେ ଯୁଦ୍ଧରୁ ବିରତ ହେବେ ନାହିଁ । ସେମାନେ ସମସ୍ତେ ମିଳିତ ହୋଇ ଯୁଦ୍ଧ କରିବାକୁ ଆସୁଛନ୍ତି । ଅଳ୍ପଦିନ ମଧ୍ୟରେ ସେମାନେ ସମଗ୍ର ଭାରତବର୍ଷ ଅଧିକାର କରିବେ । ତୁମେ ଶୀଘ୍ର ଏହି ପ୍ରତାରକ ଇଂରାଜ ଯୁବକକୁ ପରିତ୍ୟାଗ କର । ମୁଁ ତୁମକୁ ତୁମ ଘରକୁ ଘେନି ଯିବି, କେହି ଜାଣିବେ ନାହିଁ । ତୁମେ ଖୁବ୍ ସୁଖରେ ରହିବ ଏବଂ ଦେଖିବ, ଅଳ୍ପକାଳ ମଧ୍ୟରେ ତୁମ ଜୀବନର ଏହି ଘଟଣା କଥା ତୁମର ସ୍ମୃତିପଟରୁ ପୋଛି ହୋଇଯିବ ।’’

 

ହଠାତ୍ ଦୂରରୁ ହେନେରିଙ୍କ ପଦଶବ୍ଦ ଶୁଣାଗଲା, ଧାତ୍ରୀ ଧୀର ପଦକ୍ଷେପରେ ଚାଲିଗଲା । ମେରୀ ଦୁଇ ହସ୍ତରେ ମୁଖ ଲୁଚାଇ ବସିରହିଲା । ଯାହାପାଇଁ ସେ ଗୃହ ତ୍ୟାଗ କରିଥିଲା, ତାହାର କଣ ଏହି ପରିଣାମ ? ପ୍ରାଣପ୍ରିୟ ମାତୃଭୂମି, ପ୍ରିୟତମ ବନ୍ଧୁ, ନିଜର ମର୍ଯ୍ୟାଦା, ମାତୃଭାଷା, ସମସ୍ତ ସେ ଯାହାପାଇଁ ତ୍ୟାଗ କରିଥିଲା, ତାହାଠାରୁ ଏହିପରି ପ୍ରତିଦାନ ପାଇବ ବୋଲି କଣ ସେ ସ୍ୱପ୍ନରେ ସୁଦ୍ଧା ଭାବିଥିଲା ?

 

ହେନେରି ଗୃହ ମଧ୍ୟରେ ପ୍ରବେଶ କରିବା ମାତ୍ରକେ ମେରୀ ଚିତ୍କାର କରି କନ୍ଦେଇଉଠିଲା ଏବଂ ତାଙ୍କ ପାଦତଳେ ପଡ଼ି କାନ୍ଦି କାନ୍ଦି କହିଲା, ‘‘ମତେ ତୁମେ ପରିତ୍ୟାଗ କର ନାହିଁ । ଯାହାପାଇଁ ତୁମେ ମୋତେ ପରିତ୍ୟାଗ କରିବ, ସେ କଣ ମୋ ପରି ତୁମକୁ ସ୍ନେହ କରିପାରିବ ? ତୁମ୍ଭର ଅସୁସ୍ଥତାରେ ତୁମକୁ ଏହିପରି ସେବା କରିବି ? ସେ କଣ ତୁମପାଇଁ ଗୃହ, ନିଜର ମାନ ମହତ୍ତ୍ୱ ସମସ୍ତ ତ୍ୟାଗ କରି ଏହି ପୃଥିବୀର ଘୃଣା ବିଦ୍ରୂପ ସମସ୍ତ ନୀରବରେ ସହ୍ୟକରି ପାରିବ ?’’

 

ହେନେରି ବିସ୍ମିତ ହୋଇ କହିଲେ, ‘‘ମେରୀ' ତୁମେ ଏ କଣ କହୁଛ ।’’

 

ମେରୀ ଟିକିଏ ଶାନ୍ତ ହୋଇ କହିଲା, ‘‘ତୁମେ ମତେ ପ୍ରତାରଣା କରୁଛ । ମୁଁ ଶୁଣିଛି, ତୁମେ ମତେ ପରିତ୍ୟାଗ କରି ଗୋଟିଏ ଇଂରାଜୀ ବାଳିକାକୁ ବିବାହ କରିବ ।’’

 

ହେନେରି ଏହା ଶୁଣି କହିଲେ, ‘‘ତୁମେ ଏ କଥା କେଉଁଠାରୁ ଶୁଣିଲ ? ମୁଁ ଜାଣେ ନାହିଁ; ମୁଁ ଗୋଟିଏ ଇଂରାଜ ବାଳିକାକୁ ବିବାହ କରିବାକୁ ଇଚ୍ଛା କରିଥିଲି ସତ୍ୟ; କିନ୍ତୁ ଆଜିଠାରୁ ସେ ଆଶା ତ୍ୟାଗ କଲି ।’’

 

ମେରୀ କହିଲା, ‘‘ନା, ନା, ତୁମେ ମୋତେ ପ୍ରତାରଣା କରୁଛ ।’’

 

ହେନେରି କହିଲେ, ‘‘ନା, ମେରୀ, ମତେ ବିଶ୍ୱାସ କର, ମୁଁ ଆଜି ତାହାଠାରୁ ଚିରବିଦାୟ ଘେନି ଆସିଛି ।

 

କିଛିଦିନ ପରେ କାପ୍ତାନ ହେନେରିଙ୍କୁ କଲିକତା ଛାଡ଼ିବାକୁ ହେଲା । ଶିଖମାନଙ୍କୁ ବିରୁଦ୍ଧରେ ସୈନ୍ୟ ସମାବେଶ କରିବାପାଇଁ ହେନେରି କଲିକତା ଛାଡ଼ି ଆମ୍ବାଲାକୁ ଆସିଲେ । ସେ ମେରୀକୁ ସଙ୍ଗରେ ଆଣି ସହର ମଧ୍ୟରେ ଅନ୍ୟ ଗୋଟିଏ ଗୃହରେ ରଖିଥିଲେ ଏବଂ ନିଜେ ସେନାମାନଙ୍କ ସହିତ ବାସ କରୁଥିଲେ । ମେରୀର ଧାତ୍ରୀ ମଧ୍ୟ ମେରୀ ସଙ୍ଗରେ ଆସିଥିଲା ।

 

ଦିନେ ସନ୍ଧ୍ୟା ସମୟରେ ଧାତ୍ରୀ ହଠାତ୍ ଆସି ମେରୀକୁ କହିଲା, ‘‘ବତ୍ସେ, ବର୍ତ୍ତମାନ ତୁମର ଫେରିବାର ସମୟ ଆସିଲାଣି । ଅଳ୍ପଦିନ ମଧ୍ୟରେ ହେନେରି ଏବଂ ତାଙ୍କର ସାନ୍ୟାମାନେ ମୃତ୍ୟୁମୁଖରେ ପତିତ ହେବେ । ଶିଖ୍‍ମାନେ ଶତଦ୍ରୁ ନଦୀ ପାର ହେଉଅଛନ୍ତି । ଶିଖ୍‍ ସୈନ୍ୟ ଇଂରାଜ ସୈନ୍ୟଠାରୁ ବହୁଗୁଣ ଅଧିକ । ସୁତରାଂ ଶିଖ୍‍ମାନଙ୍କ ସହିତ ଯୁଦ୍ଧ କରିବା ଇଂରାଜମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ମୁଁ ଏ କଥା ଗୋପନରେ ଜାଣିଛି, କିନ୍ତୁ କାଲି ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତେ ଜାଣିପାରିବେ ।’’

 

ଏହା ଶୁଣି ମେରୀ କହିଲା, ‘‘କାପ୍ତାନ ହେନେରିଙ୍କର କଣ ହେବ ?’’

 

ଧାତ୍ରୀ କହିଲା, ତାଙ୍କ ସଙ୍ଗୀମାନଙ୍କର ଯେଉଁ ଦଶା, ତାଙ୍କର ମଧ୍ୟ ସେହି ଦଶା ହେବ । ତୁମେ ଅନେକ ଅନୁନୟ କଲେ ମଧ୍ୟ ସେ ଶୁଣିବେ ନାହିଁ । ତୁମର କାତର ପର୍ଥନର ମଧ୍ୟ କୌଣସି ଫଳ ନାହିଁ । ସୁତରାଂ ତୁମର ଏ ସ୍ଥାନ ତ୍ୟାଗ କରିବା ଭଲ ।’’

 

ଗଭୀର ରାତ୍ରିରେ ମେରୀ ଏକାକିନୀ ଯାଇ କାପ୍ତାନ ହେନେରିଙ୍କ ନିକଟରେ ଉପସ୍ଥିତ ହେଲା । ହେନେରି ସେ ସମୟରେ କୌଣସି କାର୍ଯ୍ୟରେ ଗୃହରୁ ବାହାରୁଥିଲେ । ମେରୀ ତାଙ୍କ ନିକଟକୁ ଯାଇ ଆସ୍ତେ ଆସ୍ତେ କହିଲା, ‘‘କାଲି ପ୍ରାତଃକାଳରେ ତୁମ ନିକଟକୁ ଯୁଦ୍ଧର ଆହ୍ୱାନ ଆସିବ; କିନ୍ତୁ ତୁମେ ଯାଇପାରିବ ନାହିଁ ।’’

 

ହେନେରି ବିସ୍ମିତ ହୋଇ ପଚାରିଲେ, ‘‘ଯାଇ ପାରିବି ନାହିଁ କାହିଁକି ?’’

 

ମେରୀ କହିଲା, ‘‘କିଛି ଗୋଟାଏ କାରଣ ଦେଖାଇ ତୁମେ ରହିଯାଅ ।’’

 

ହେନେରି ଏ କଥା ଶୁଣି ହସିଉଠିଲେ ଓ କହିଲେ, ‘‘ଦେଖ, ତୁମର ମନର ଅବସ୍ଥା ବର୍ତ୍ତମାନ ଠିକ୍ ନାହିଁ ।’’

 

ମେରୀ କହିଲା, ‘‘ଯଦି ତୁମେ ଯୁଦ୍ଧକ୍ଷେତ୍ରକୁ ଯାଅ, ତେବେ ଆଉ ଫେରିଆସିବା ସମ୍ଭବ ନୁହେଁ ।’’

 

ହେନେରି କହିଲେ, ‘‘ମୁଁ ଯଦି ଯୁଦ୍ଧକ୍ଷେତ୍ରରେ ମରିଯାଏ, ତେବେ କ୍ଷତି କଣ ? ଇଂରାଜ କେବେ ମୃତ୍ୟୁକୁ ଭୟ କରେ ନାହିଁ ।’’

 

ମେରୀ କାତରଭାବରେ କହିଲା, ‘‘ତୁମେ ମୋର ସ୍ୱଦେଶବାସୀମାନଙ୍କ ଅନିଷ୍ଟ କରିବାକୁ ଯାଉଛ ?’’

 

ହେନେରି ଉତ୍ତର କଲେ, ‘‘ଦେଖ, ମେରୀ, ମୁଁ ଜାଣେ, ସେମାନେ ତୁମର ସ୍ୱଦେଶବାସୀ, କିନ୍ତୁ ମୋର କର୍ତ୍ତବ୍ୟ ମୁଁ କରିବି ।’’ଏତିକି କହି କାପ୍ତାନ ହେନେରି ସେଠାରୁ ଚାଲିଗଲେ ।

 

ଦିନେ ରାତ୍ରିରେ ତେର ଜଣ ଇଂରାଜ ସୈନିକ ଆମ୍ବାଲାର ଗୋଟିଏ ଗୃହରେ ବସିଥିଲେ-। ସମ୍ମୁଖରେ ଘୋର ସମର; କିନ୍ତୁ ସେମାନଙ୍କର ଭ୍ରୂକ୍ଷେପ ନାହିଁ । ସେମାନେ ବସି ଯୁଦ୍ଧ ବିଷୟରେ କଥାବାର୍ତ୍ତା ହେଉଥିଲେ । ସେମାନଙ୍କ ମୁଖରେ କିମ୍ବା କଥାରେ ଭୟର କୌଣସି ଚିହ୍ନ ନ ଥିଲା-। ସେହି ତରୁଣ ବୀର ଯୁବକମାନଙ୍କୁ ଦେଖିଲେ ମନେ ହେବ, ଯେପରି ସେମାନେ ମୃତ୍ୟୁର ନାମ ମଧ୍ୟ ଶୁଣି ନାହାନ୍ତି । ସେମାନଙ୍କ ମଧ୍ୟରେ କାପ୍ତାନ ହେନେରି ଜଣେ ।

 

ସେମାନଙ୍କ ମଧ୍ୟରୁ ଜଣେ କହିଲେ, ‘‘ମୋର ମନେ ହୁଏ, ଆମ୍ଭେମାନେ ଯେଉଁ ସମ୍ବାଦ ପାଇଛୁଁ, ତାହା ମିଥ୍ୟା ।’’

 

ଆଉ ଜଣେ ସୈନିକ କହିଲେ, ‘‘ଶିଖ୍‍ମାନେ ଯେ ଯୁଦ୍ଧ କରିବାକୁ ଆସୁଛନ୍ତି, ତାହା ମୋର ବିଶ୍ୱାସ ହେଉନାହିଁ ।’’

 

ତୃତୀୟ ବ୍ୟକ୍ତି କହିଲେ, ‘‘ସେମାନେ ଆଉ ଯୁଦ୍ଧ କରିବାକୁ ସାହସ ମଧ୍ୟ କରିବେ ନାହିଁ-।’’

 

ସେମାନେ ବସି ଏହିପରି କଥାବାର୍ତ୍ତା ହେଉଅଛନ୍ତି, ଏପରି ସମୟରେ ଜଣେ କହି ଉଠିଲେ, ‘‘ଦେଖ ତ, ସେ ଦ୍ୱାର ନିକଟରେ କଣ ଗୋଟାଏ ଦେଖାଯାଉଛି ? ମନେ ହେଉଛି, ଯେପରି କିଏ ଠିଆ ହୋଇଛି ।’’

 

ତତ୍‍କ୍ଷଣାତ ସମସ୍ତେ ଉଠି ଦ୍ୱାର ନିକଟକୁ ଆସି ଦେଖିଲେ, ଆପାଦମସ୍ତକ କୃଷ୍ଣପରିଚ୍ଛଦରେ ଆବୃତ ଗୋଟିଏ ମୂର୍ତ୍ତି ଦଣ୍ଡାୟମାନ । ସମସ୍ତେ ବିସ୍ମିତ ହୋଇଗଲେ । ଜଣେ ଯୁବା ବୀର ସେହି ମୂର୍ତ୍ତି ନିକଟକୁ ଯାଇ ପଚାରିଲେ, ‘‘ତୁମେ କିଏ ଏବଂ କାହିଁକି ଏଠାକୁ ଆସିଛ ?’’

 

ସେହି ମୂର୍ତ୍ତି ଧୀର ଗମ୍ଭୀର ସ୍ୱରରେ କହିଲା, ‘‘ସମସ୍ତେ ଶୁଣ, ଆଜି ତୁମ୍ଭେମାନେ ଏଠାରେ ବସି ଶିଖ୍‍ମାନଙ୍କ ବଳବୀର୍ଯ୍ୟକୁ ବିଦ୍ରୂପ କରୁଛ, କିନ୍ତୁ ଯେତେବେଳେ ସେମାନେ ତୁମର ସମ୍ମୁଖୀନ ହେବେ, ତୁମେମାନେ ନିଶ୍ଚୟ ବିନଷ୍ଟ ହେବ, ସନ୍ଦେହ ନାହିଁ । ସେମାନେ ବର୍ତ୍ତମାନ ଶତଦ୍ରୁନଦୀ ପାର ହେଉଛନ୍ତି ଏବଂ ସେମାନଙ୍କର ସୈନ୍ୟ ତୁମଠାରୁ ସହସ୍ର ଗୁଣ ଅଧିକ । ଏହି ତରୁଣ ବୟସରେ ତୁମମାନକୁ ମୃତ୍ୟୁ ମୁଖରେ ପତିତ ହେବାକୁ ହେବ । ଆଉ ତୁମେମାନେ ଗୃହକୁ ଫେରିଯାଇ ପାରିବ ନାହିଁ । ତୁମମାନଙ୍କ ଆତ୍ମୀୟ ସ୍ଵଜନମାନେ ଆଉ ତୁମମାନଙ୍କୁ ଦେଖିପାରିବେ ନାହିଁ । ପ୍ରତ୍ୟେକଙ୍କର ଏକ ଦଶା ହେବ, କାହାରିପାଇଁ ଶୋକ କରିବାକୁ ମଧ୍ୟ କେହି ରହିବେ ନାହିଁ-। ତେବେ ବର୍ତ୍ତମାନ ଆତ୍ମାର ମୁକ୍ତିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କର । ତୁମେମାନେ ଶିଖ୍‍ ବିରୁଦ୍ଧରେ ଯୁଦ୍ଧ କରୁଛ, ସୁତରାଂ ତୁମର ମୃତ୍ୟୁ ନିଶ୍ଚିତ ।

 

କ୍ଷଣକାଳପାଇଁ ସମସ୍ତେ ନିର୍ବାକ୍ ନିଷ୍ପନ୍ଦ ହୋଇ ରହିଲେ । କିଛିକ୍ଷଣ ପରେ ଚାହିଁ ଦେଖିଲେ, ମୂର୍ତ୍ତି ନାହିଁ; ସମସ୍ତେ ଅନ୍ୱେଷଣ କରିବାକୁ ଧାଇଁଲେ, କିନ୍ତୁ ମୂର୍ତ୍ତି ଅନ୍ଧକାରରେ କେଉଁଆଡ଼େ ଲୁଚିଗଲା, କେହି ଦେଖି ପାରିଲେ ନାହିଁ ।

 

ପୁଣି ସମସ୍ତେ ଆସି ମିଳିତ ହେଲେ, ଜଣେ କହିଲେ, ‘‘ଏ କଣ, ମୁଁ କିଛି ବୁଝିପାରୁ ନାହିଁ-।’’

 

ଅନ୍ୟ ଜଣେ କହିଲେ, ‘‘ମୋର ମନେ ହେଉଛି, ଆମମାନଙ୍କ ମଧ୍ୟରୁ କେହି ପରିହାସ କରିବା ଅଭିପ୍ରାୟରେ ଏପରି କରିଛି ।’’

 

ଏହିପରି ନାନା କଥାବାର୍ତ୍ତା ପରେ ସମସ୍ତେ ଗୃହକୁ ଫେରିଲେ । ସେମାନଙ୍କର ସ୍ଫୂର୍ତ୍ତି କମ୍‍ ନ ଥିଲା, କିନ୍ତୁ ପ୍ରତ୍ୟେକେ ଯେପରି ମନେ ମନେ ଟିକିଏ ଭୀତ ହେବାପରି ବୋଧ ହେଲା ।

 

ଶିଖ୍‍ମାନେ ଅଗ୍ରସର ହେବାକୁ ଲାଗିଲେ ଏବଂ ଶୀଘ୍ର ଆସି ଫିରୋଜପୁରଠାରେ ଶିବିର ସ୍ଥାପନ କରି ରହିଲେ । ଇଂରାଜମାନେ ଏ ସମ୍ବାଦ ପାଇ ସମସ୍ତ ସୈନ୍ୟ ଘେନି ଫିରୋଜପୁର ଆଡ଼କୁ ଅଗ୍ରସର ହେଲେ । ବହୁଦୂର ପଥ, କିନ୍ତୁ ସେମାନେ ଟିକିଏ ମାତ୍ର କ୍ଲାନ୍ତି ବୋଧ ନ କରି ଅଗ୍ରସର ହେବାକୁ ଲାଗିଲେ । ଅବଶେଷରେ ସନ୍ଧ୍ୟା ସମୟରେ ମୁଦକି ନାମକ ଗ୍ରାମ ନିକଟକୁ ଆସି ସୈନ୍ୟମାନେ ଅତ୍ୟନ୍ତ କ୍ଲାନ୍ତ ହୋଇପଡ଼ିଲେ । ସୁତରାଂ ରାତ୍ରରେ ସେଠାରେ ବିଶ୍ରାମ କରି ପରଦିନ ପ୍ରାତଃକାଳରେ ନବ ଉତ୍ସାହରେ ଶତ୍ରୁ ଅଭିମୁଖରେ ଯାତ୍ରା କରିବେ, ଏହା ଚିନ୍ତା କରି ସେଠାରେ ଶିବିର ସ୍ଥାପନ କଲେ । ଅତ୍ୟନ୍ତ କ୍ଲାନ୍ତ ହୋଇଥିବାରୁ ସମସ୍ତେ ଶୀଘ୍ର ନିଦ୍ରାଭିଭୂତ ହୋଇପଡ଼ିଲେ ।

 

ଗଭୀର ରାତ୍ରି । ଇଂରାଜ ସେନା ସମସ୍ତେ ନିଦ୍ରାରେ ଅଚେତନ । ହଠାତ୍ ଉପର୍ଯ୍ୟୁପରି ବନ୍ଧୁକ ଶବ୍ଦ ହେବାକୁ ଲାଗିଲା । ଇଂରାଜ ସେନା ସମସ୍ତେ ଚମକି ଉଠିପଡ଼ିଲେ । ଶତ୍ରୁସେନା ଗୁପ୍ତଭାବରେ ଆସି ଶିବିର ଆକ୍ରମଣ କରିଅଛନ୍ତି ଜାଣିପାରି ଶୀଘ୍ର ସେମାନଙ୍କୁ ଦମନ କରିବାପାଇଁ ଅଗ୍ରସର ହେଲେ । ସେହି ଭୀଷଣ ଅନ୍ଧକାର ରାତ୍ରିର ଭୀଷଣ ଯୁଦ୍ଧ ହେଲା । ଦୁଇ ପକ୍ଷର ଅସଂଖ୍ୟ ଲୋକ ନିହିତ ହେଲେ ।

 

ପରଦିନ ପ୍ରାତଃକାଳରେ ଆହତ ସୈନ୍ୟମାନଙ୍କ ସେବାର ଆୟୋଜନ ହେଉଅଛି, ଏପରି ସମୟରେ ହେନେରି ଆସି ସମ୍ବାଦ ଦେଲେ ଯେ, ତେର ଜଣ ସେନାପତିଙ୍କ ମଧ୍ୟରୁ ପାଞ୍ଚ ଜଣ ନିହତ ହୋଇଅଛନ୍ତି ।

 

ଇଂରାଜ ସେନା ପୁନର୍ବାର ଫିରୋଜପୁର ଅଭିମୁଖରେ ଯାତ୍ରା କଲେ । ପଥରେ ଅପର ଜଣେ ଇଂରାଜ ସେନାପତି ପାଞ୍ଚ ସହସ୍ର ସୈନ୍ୟ ଘେନି ସେମାନଙ୍କୁ ଅପେକ୍ଷା କରୁଥିଲେ । ସମସ୍ତେ ଏକତ୍ର ହୋଇ ଶତ୍ରୁ ଶିବିର ନିକଟରେ ପହଞ୍ଚିଲେ ।

 

ପୁନର୍ବାର ଯୁଦ୍ଧ ଆରମ୍ଭ ହେଲା । ଶିଖ୍‍ ସୈନ୍ୟ ଅନବରତ ଇଂରାଜ ସୈନ୍ୟ ଉପରେ ଦୂରରୁ ଗୋଳା ବର୍ଷଣ କଲେ । କିନ୍ତୁ ସେଥିରେ ବିଶେଷ ସୁବିଧା ହେଲା ନାହିଁ । ସେମାନେ ଶତ୍ରୁର ନିକଟବର୍ତ୍ତୀ ହୋଇ ଅଦ୍ଭୁତ ବୀରତ୍ୱସହକାରେ ଯୁଦ୍ଧ କରିବାକୁ ଲାଗିଲେ । ଦୁଇ ପକ୍ଷରେ ଘୋର ଯୁଦ୍ଧ ଲାଗିଲା । ବନ୍ଧୁକର ଶବ୍ଦରେ ଆକାଶ ପ୍ରକମ୍ପିତ ହେବାକୁ ଲାଗିଲା । ଆହତ ବ୍ୟକ୍ତିର ଆର୍ତ୍ତନଦରେ ଚତୁର୍ଦ୍ଦିଗ ପ୍ରତିଧ୍ୱନିତ ହେବାକୁ ଲାଗିଲା । ଦୁଇ ପକ୍ଷର ସହସ୍ର ସହସ୍ର ସୈନିକ ନିହତ ହେଲେ ।

 

ରାତ୍ରରେ ଯୁଦ୍ଧ ସ୍ଥଗିତ ହେଲା । କି ଭୀଷଣ ରାତ୍ରି ! ଯୁଦ୍ଧକ୍ଷେତ୍ରର କି ଭୟାବହ ଦୃଶ୍ୟ ! ଆଶ୍ରୟ ସ୍ଥାନ ନାହିଁ, କ୍ଷୁଧାର୍ତ୍ତ ସୈନିକମାନଙ୍କ ପାଇଁ ଖାଦ୍ୟ ନାହିଁ, ଜଳ ନାହିଁ । କେତେ ଆହତ ମୁମୂର୍ଷୁ ସୈନିକ ଜଳ ବିନା ପ୍ରାଣତ୍ୟାଗ କରୁଅଛନ୍ତି । ଚତୁର୍ଦ୍ଦିଗରେ କେବଳ ମୃତଦେହ ଏବଂ ମୁମୂର୍ଷୁର ଆର୍ତ୍ତନାଦ ! ଶିଖ୍‍, ଇଂରେଜ ଏକତ୍ର ମୃତ୍ୟୁଶଯ୍ୟାରେ ଶାୟିତ । ବର୍ତ୍ତମାନ ସେମାନେ ଏକ, ମନରେ ହିଂସା ନାହିଁ, ଦ୍ୱେଷ ନାହିଁ, ଜାତି ବିଚାର ନାହିଁ । ଚତୁର୍ଦ୍ଦିଗରେ କେବଳ ଜଳ ଲାଗି କାତର କ୍ରନ୍ଦନ ।

 

ସେହି ଭୀଷଣ ଯୁଦ୍ଧକ୍ଷେତ୍ରର ଏକ ପ୍ରାନ୍ତରେ ଗୋଟିଏ ବୃହତ ତମ୍ବୁ ମଧ୍ୟରେ କେତେ ଜଣ ଇଂରାଜ ସୈନିକ ବିଶ୍ରାମ କରୁଥିଲେ । ଏମାନଙ୍କୁ ଆମ୍ଭେମାନେ ପୂର୍ବେ ଅମ୍ବାଲାରେ ଦେଖିଥିଲୁଁ । ଏହି ତେର ଜଣଙ୍କ ମଧ୍ୟରୁ ମୁଦିକିରେ ପାଞ୍ଚ ଜଣ ନିହତ ହୋଇଥିଲେ । ଆଜି ଯୁଦ୍ଧରେ ତିନି ଜଣ ନିହତ ହୋଇ ଅଛନ୍ତି । ଆଉ ପାଞ୍ଚ ଜଣ ମାତ୍ର ଅବଶିଷ୍ଟ । କିନ୍ତୁ ତହିଁରୁ ଦୁଇ ଜଣ ଆହତ ।

 

ସେମାନେ ବସି ଯୁଦ୍ଧ ବିଷୟରେ କଥାବାର୍ତ୍ତା ହେଉଅଛନ୍ତି ଏବଂ ଆହତ ସେନାପତି ଦୁଇ ଜଣଙ୍କର ସେବା କରୁଅଛନ୍ତି ।

 

ସେମାନଙ୍କ ମଧ୍ୟରୁ ଜଣେ ଆହତ ବ୍ୟକ୍ତିଙ୍କୁ ପଚାରିଲେ, ‘‘ହେନେରି, ବର୍ତ୍ତମାନ ତୁମେ କିପରି ବୋଧ କରୁଛ ? ବର୍ତ୍ତମାନ ଯନ୍ତ୍ରଣା ଟିକିଏ କମିଛି କି ?’’

 

ହେନେରି ଯୁଦ୍ଧରେ ଆହତ ହୋଇ ପଡ଼ିଛନ୍ତି, ତାଙ୍କର ଉଠିବାର ଶକ୍ତି ନାହିଁ । ଏ କଥା ଶୁଣି କାତରଭାବରେ କହିଲେ, ‘‘ଯନ୍ତ୍ରଣା କଥା କହ ନାହିଁ, ମତେ ଟିକିଏ ଜଳ ଦେଇପାରିବ କି-?’’ ଚତୁର୍ଦ୍ଦିଗରେ ଏହିପରି ଜଳପାଇଁ କାତର କ୍ରନ୍ଦନ ଉଠୁଅଛି, କିନ୍ତୁ କେହି କହ ମୁହଁରେ ଟିକିଏ ଜଳ ଦେଇ ପାରୁ ନାହିଁ ।

 

ସମସ୍ତେ ବସିଅଛନ୍ତି, ଏହିପରି ସମୟରେ ଜଣେ ସୈନିକପୁରୁଷ ଦ୍ରୁତବେଗରେ ସେ ସ୍ଥାନକୁ ଆସି କହିଲେ, ‘‘ହେନେରି, ମୁଁ ପୁଣି ତାକୁ ଦେଖିଛି ।’’

 

ହେନେରି ପଚାରିଲେ, ‘‘କାହାକୁ ଦେଖିଛ ?’’

 

ସୈନିକ କହିଲେ, ‘‘ଅମ୍ବାଲାରେ ଯାହାକୁ ଦେଖିଥିଲୁଁ; ମୁଁ ଆଜି ସେହି କୃଷ୍ଣପରିଚ୍ଛଦଧାରୀ ମୂର୍ତ୍ତିକୁ ଦେଖିଲି ।’’

 

ଆଉ ଜଣେ କହିଲେ, ‘‘ମିଥ୍ୟା କଥା । ତୁମେ ଭୁଲ ଦେଖିଛ କିମ୍ବା ତୁମ ମନ କୁସଂସ୍କାରରେ ପୂର୍ଣ୍ଣ ।’’

 

ଏ କଥା ଶୁଣି ସୈନିକ କହିଲେ, ‘‘ତୁମେମାନେ ମତେ ଅବିଶ୍ୱାସ କର ନାହିଁ । ମୁଁ ନିଶ୍ଚୟ କରି କହୁଛି, ସେହି ମୂର୍ତ୍ତି ଯୁଦ୍ଧକ୍ଷେତ୍ରରେ ଅନ୍ଧକାରରେ ମୃତଦେହ ନିକଟରେ ବୁଲୁଥିବାର ମୁଁ ଦେଖି ଆସିଲି ।’’

 

ସମସ୍ତେ ତାଙ୍କ କଥାକୁ କୁସଂସ୍କାର ବୋଲି ମନେ କଲେ । କିଛିକ୍ଷଣ ପରେ ହେନେରିଙ୍କୁ ଔଷଧ ଦେଇ ସେମାନେ ଅନ୍ୟ ଆହତ ବ୍ୟକ୍ତିମାନଙ୍କ ସେବାର ଆୟୋଜନ କରିବାକୁ ଆସିଲେ ।

 

ଗଭୀର ରାତ୍ରି । କାପ୍ତାନ ହେନେରି ନିଦ୍ରାରେ ଅଚେତନ ପ୍ରାୟ । ହଠାତ୍ ସେ କାହାର ସ୍ପର୍ଶ ଅନୁଭବ କଲେ । ଭାବିଲେ, ବୋଧ ହୁଏ ସ୍ୱପ୍ନ ଦେଖୁଅଛନ୍ତି । ପରକ୍ଷଣରେ ଭାବିଲେ, ବୋଧ ହୁଏ ତାଙ୍କରି ସାଙ୍ଗୀମାନଙ୍କ ମଧ୍ୟରୁ କେହି ଆସି ତାଙ୍କୁ ଡାକୁଅଛନ୍ତି । ଅତି କଷ୍ଟରେ ସେ ଚକ୍ଷୁ ଫିଟାଇ ଚାହିଁଲେ । ଦେଖିଲେ, ସେହି କୃଷ୍ଣପରିଚ୍ଛଦଧାରୀ ମୂର୍ତ୍ତିଟି ଅବନତ ହୋଇ ତାଙ୍କ ମୁଖ ଆଡ଼କୁ ଚାହିଁ ରହିଅଛି । ହେନେରି ଚମକି ଉଠିଲେ । ଏହି ସମୟରେ ସେହି ମୂର୍ତ୍ତି ଦେହରୁ ସେହି କୃଷ୍ଣପରିଚ୍ଛଦ କାଢ଼ି ଦେଲା । ହେନେରି ବିସ୍ମିତ ହୋଇ କହିଲେ, ‘‘ମେରୀ, ତୁମେ ? ତୁମେ ଏଠାକୁ କିପରି ଆସିଲ ?’’

 

ମେରୀ କହିଲା, ‘‘ମୁଁ ତ ତୁମକୁ କହିଥିଲି, ତୁମେ ଯେଉଁ ଅବସ୍ଥାରେ ଥାଅ, ମୁଁ ତୁମ ସଙ୍ଗ ଗ୍ରହଣ କରିବି । ତୁମେ ଏଠାକୁ ଆସିବା ପୂର୍ବରୁ ମତେ ଆସିବାକୁ ନିଷେଧ କରିଥିଲ । କିନ୍ତୁ ମୁଁ ଆସିବି ବୋଲି ମନରେ ସ୍ଥିର କରିଥିଲି, ମାତ୍ର ତୁମକୁ ସେତେବେଳେ କିଛି କହିଲି ନାହିଁ । ପରେ ମୁଁ ଏହି ଛଦ୍ମବେଶ ଧାରଣ କରି ଶିଖ୍‍ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିଷେଧ କରିବା ଅଭିପ୍ରାୟରେ ସେ ଦିନ ରାତ୍ରରେ ତୁମମାନଙ୍କୁ ସେପରି କହିଥିଲି । କିନ୍ତୁ ଦେଖିଲି, ମୋର ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଗଲା । ସୁତରାଂ ଆଉ ଉପାୟ ନ ଦେଖି ମୁଁ ସୈନ୍ୟମାନଙ୍କ ପଶ୍ଚାଦଗାମିନୀ ହୋଇ ଏଠାକୁ ଆସିଲି । ମୁଁ ଆଜି ରାତ୍ରରେ ଏଠାରେ ଆସି ପହଞ୍ଚିଲି ।’’

 

ହେନେରି କହିଲେ, ‘‘କିନ୍ତୁ ସେ ସ୍ୱର ତ ତୁମର ସ୍ୱର ବୋଲି ମନେ ହେଲା ନାହିଁ ।’’

 

ମେରୀ କହିଲା, ‘‘ନା, ମୁଁ ମୋର ସ୍ୱର ବଦଳାଇ ଥିଲି । ବର୍ତ୍ତମାନ ମୁଁ ତୁମକୁ ରକ୍ଷା କରିବାପାଇଁ ଏଠାକୁ ଆସିଛି । ଚାଲ, ମୁଁ ତୁମକୁ ଗୋଟିଏ ଆଶ୍ରମକୁ ଘେନିଯିବ । ଉଠ, ମୋର ଅନୁଗମନ କର ।’’

 

ହେନେରି କହିଲେ, ‘‘ଦେଖ ମେରୀ, ମୁଁ ଯେ ଆଉ ଉଠି ପାରିବି ନାହିଁ । ମୁଁ ଗୁରୁତର ଆଘାତପ୍ରାପ୍ତ ହୋଇଅଛି ।’’

 

ମେରୀ ଚମକି ଉଠି କହିଲା, ‘‘ଆଘାତପ୍ରାପ୍ତ ହୋଇଛ ? ତେବେ ବର୍ତ୍ତମାନ ତୁମର ଏଠାରେ ରହିବା ଉଚିତ ନୁହେଁ । ଯେ କୌଣସି ମୁହୂର୍ତ୍ତରେ ବିପଦ ଆସିପାରେ ।’’

 

ହେନେରି କହିଲେ, ‘‘ମୋ ପକ୍ଷରେ ସମସ୍ତ ସ୍ଥାନ ବିପତ୍‍ସଙ୍କୁଳ । ଏ ସ୍ଥାନ ବେଶି ବିପଜ୍ଜନକ, ତୁମେ କିପରି ଜାଣିଲ ?

 

ମେରୀ କହିଲା, ‘‘ମୁଁ କିଛିକ୍ଷଣ ଶିଖ୍‍ ସୈନ୍ୟମାନଙ୍କ ମଧ୍ୟରେ ରହି ସେମାନଙ୍କ କଥାବାର୍ତ୍ତା ସବୁ ଶୁଣିଛି । ତୁମର ଦଳପତିମାନେ କେଉଁଠାରେ ଶିବିର ସ୍ଥାପନ କରିଛନ୍ତି, ସେମାନେ ସନ୍ଧାନ ପାଇଲେଣି । ବର୍ତ୍ତମାନ ସେମାନେ ଶିବିରରେ ଅଗ୍ନି ଲଗାଇବେ ବୋଲି ଅଗ୍ରସର ହେଉଛନ୍ତି-। ସୁତରାଂ ତୁମର ଏଠାରେ ରହିବା ଉଚିତ ନୁହେଁ ।’’

 

ହେନେରି ଚିତ୍କାର କରି ଉଠିଲେ, ‘‘ଅଗ୍ନି ଲଗାଇବେ ? ବେଲ୍, ବେଲ୍, ତୁମେ କେଉଁଠାରେ ଅଛ, ଶୀଘ୍ର ଆସ । ଶିଖ୍‍ମାନେ ଶିବିରରେ ଅଗ୍ନି ଲଗାଇବେ ବୋଲି ଅଗ୍ରସର ହେଉଛନ୍ତି, ଶୀଘ୍ର ଯାଅ, ଏହି ସମ୍ବାଦ ଦିଅ ।’’

 

ମେରୀ କହିଲା, ‘‘ତୁମେ ମୋ ପ୍ରତି ବିଶ୍ୱାସଘାତକତା କରୁଛ ?’’

 

ହେନେରି କହିଲେ, ‘‘ନା, ମୁଁ ମୋର କର୍ତ୍ତବ୍ୟ କରୁଛି । ବେଲ୍, ଶୀଘ୍ର ଯାଅ; ବିଳମ୍ବ କର ନାହିଁ ।’’

 

ଏହି କଥା କହି ହେନେରି ଅଧୀର ହୋଇ ଉଠି ବସିଲେ ଏବଂ ମେରୀ ଆଡ଼କୁ ଫେରି କହିଲେ, ‘‘ମେରୀ, ତୁମେ ଶୀଘ୍ର ଏ ସ୍ଥାନରୁ ଚାଲିଯାଅ ।’’ ମେରୀ କହିଲା, ‘‘ମୋର ମୃତ୍ୟୁ ପର୍ଯ୍ୟନ୍ତ ମୁଁ ତୁମ ସାଙ୍ଗରେ ଥିବି । କେଉଁ ଆଶା ବକ୍ଷରେ ଧରି ବଞ୍ଚି ରହିବାକୁ ତୁମେ ମତେ କହୁଛ ?’’

 

ହେନେରି କହିଲେ, ‘‘ତୁମେ କଣ ପାଗଳ ହେଲ ?’’ ଏହି କଥା କହୁଅଛନ୍ତି, ଏହି ସମୟରେ ବନ୍ଧୁକ ଶବ୍ଦ ଶୁଣାଗଲା । ହେନେରି ବ୍ୟସ୍ତ ହୋଇ ଛିଡ଼ା ହୋଇ ପଡ଼ିଲେ ଏବଂ ଦେଖିଲେ, ସେନାପତି ବେଲ୍ ଭୂମିରେ ପଡ଼ିଅଛନ୍ତି । ଅତି କଷ୍ଟରେ ତାଙ୍କ ନିକଟକୁ ଯାଇ ଦେଖିଲେ, ସେ ମୃତ । ହଠାତ୍ ସେ ନିକଟରେ କାତର କ୍ରନ୍ଦନଧ୍ୱନି ଶୁଣିଲେ । ଫେରି ଦେଖିଲେ, ସେହି ଅଭାଗିନୀ ଶିଖ ବାଳିକା ଆହତ ହୋଇ ପଡ଼ିଅଛି ।

 

ହେନେରି ବ୍ୟାକୁଳ ହୋଇ ତାହା ନିକଟରେ ବସି ପଡ଼ି କହିଲେ, ‘‘ମେରୀ, ମୁଁ ଅତ୍ୟନ୍ତ ଅସହାୟ । କଣ କରିବି, କିପରି ତୁମକୁ ସୁସ୍ଥ କରିବି ?’’

 

ମେରୀ କ୍ଷୀଣ କଣ୍ଠରେ କହିଲା, ‘‘ମତେ ସୁସ୍ଥ କରିବାର କୌଣସି ପ୍ରୟୋଜନ ନାହିଁ । ମୃତ୍ୟୁ ଆସି ମୋର ବକ୍ଷର ଦ୍ୱାରରେ ଆଘାତ କରୁଛି । କିନ୍ତୁ ହେନେରି, ଜୀବନରେ ଘୋର ନୈରାଶ୍ୟ ଘେନି ବଞ୍ଚିରହିବା ଅପେକ୍ଷା ତୁମ ନିକଟରେ ରହି ଏପରି ମରିବା ଶ୍ରେୟସ୍କର ନୁହେଁ କି-?’’

 

ପରଦିନ ପ୍ରାତଃକାଳରେ ପୁନର୍ବାର ଯୁଦ୍ଧ ଆରମ୍ଭ ହେଲା । ଦୁଇ ପକ୍ଷରେ ସୈନ୍ୟ ଅନେକ କମ । କିନ୍ତୁ ଇଂରାଜମାନଙ୍କ ସୈନ୍ୟ ଅପେକ୍ଷାକୃତ କମ । ସେମାନଙ୍କର ଗୋଳା ମଧ୍ୟ ପ୍ରାୟ ଶେଷ । କିନ୍ତୁ ସେମାନେ ସେଥିପ୍ରତି ଭ୍ରୂକ୍ଷେପ ନ କରି ନବ ଉତ୍ସାହରେ ଯୁଦ୍ଧ କରିବାକୁ ଲାଗିଲେ । ଅବଶେଷରେ ଶିଖ୍‍ ସୈନ୍ୟ ଛତ୍ରଭଙ୍ଗ ହୋଇ ପଳାୟନ କଲେ, ଇଂରାଜମାନଙ୍କର ଜୟ ହେଲା । କିନ୍ତୁ ଦଳପତିମାନଙ୍କ ମଧ୍ୟରୁ ଜୀବିତ ରହିଲେ କେବଳ ଦୁଇ ଜଣ—ହେନେରି ଏବଂ ଏନ୍ନିସ୍ ନାମରେ ଅନ୍ୟ ଜଣେ । କିନ୍ତୁ ସେମାନେ ମଧ୍ୟ ମୃତ୍ୟୁଶଯ୍ୟାରେ ଶାୟିତ ।

 

ମୃତ୍ୟୁଶଯ୍ୟାରେ ଶୋଇ ହେନେରି ତାଙ୍କର ଅତୀତ ଜୀବନ ବିଷୟ ଚିନ୍ତା କରୁଥିଲେ । ଜୀବନରେ ଯାହା ଯାହା କାର୍ଯ୍ୟ କରିଅଛନ୍ତି, ତାହା ଗୋଟି ଗୋଟି ହୋଇ ତାଙ୍କର ସ୍ମୃତିପଥରେ ଉଦିତ ହେଲା । ତାଙ୍କର ମନେ ହେଲା, ଜୀବନଟା କେବଳ ବ୍ୟର୍ଥ ହୋଇଯାଇଅଛି । ଆଉ ସେହି ଶିଖ୍‍ ଯୁବତୀ କଥା ଭାବି ଆଜି ତାଙ୍କର ବକ୍ଷ ବିଦୀର୍ଣ୍ଣ ହେବାକୁ ଲାଗିଲା । ବର୍ତ୍ତମାନ ତ ସେ ପରପାରୀର ଯାତ୍ରୀ । ସେଠାକୁ ଯାଇ ବିଚାର ଦିନରେ ସେ କି ଯୁକ୍ତି ଦେବେ ! ବର୍ତ୍ତମାନ ସେ ପରପାରକୁ ଯାଇଁ ମେରୀ ନିକଟରେ କ୍ଷମା ମାଗିବାକୁ ଉତ୍ସୁକ ହୋଇ ଉଠିଅଛନ୍ତି ।

 

ହେନେରି ଶୋଇ ଶୋଇ ଏହିପରି ଚିନ୍ତା କରୁଅଛନ୍ତି, ଏନ୍ନିସ୍ ମଧ୍ୟ ତାଙ୍କ ନିକଟରେ ମୃତ୍ୟୁଶଯ୍ୟାରେ ଶୋଇ ଯନ୍ତ୍ରଣାରେ ଅସ୍ଥିର ହେଉଅଛନ୍ତି ।

 

ଏନ୍ନିସ୍ କହିଲେ, ‘‘ହେନେରି, ଆମ ଭାଗ୍ୟରେ ଏହି ଦଶା ଥିଲା ?’’

 

ହେନେରି କହିଲେ, ‘‘ହଁ ଭାଇ, ଆଉ ଦୁଃଖ କଣ ? ବର୍ତ୍ତମାନ ତ ଆମେମାନେ ବିଜୟୀ-। ବର୍ତ୍ତମାନ ଆମ ଅଗ୍ରଗାମୀମାନଙ୍କପାଇଁ ଆମର ଦୁଃଖ କରିବା ଉଚିତ ।’’

 

ଏନ୍ନିସ୍ କହିଲେ, ‘‘ସେ ମୂର୍ତ୍ତି ଯାହା କହିଥିଲା, ତାହାହିଁ ଫଳିଲା । ମୁଁ ତାଙ୍କୁ ବାସ୍ତବିକ କାଲି ଦେଖିଥିଲି । ବୋଧ ହୁଏ, ବର୍ତ୍ତମାନ ମୃତ୍ୟୁ ପୂର୍ବରୁ ଆଉ ଥରେ ତାହାର ଦେଖା ପାଇବି ।’’

 

ଏ କଥା ଶୁଣି ହେନେରି ତାଙ୍କର କ୍ଷୀଣ ହସ୍ତଦ୍ୱାରା ବକ୍ଷ ଚାପି ଧରିଲେ । ସେ କହିବାକୁ ଯାଉଥିଲେ—ଆଉ ଏ ଜନ୍ମରେ ତାହାର ସାକ୍ଷାତ୍ ହେବ ନାହିଁ । ଏହି ସମୟରେ ନିକଟରେ ପଦଶବ୍ଦ ଶୁଣାଗଲା ।

 

ଜଣେ ଇଂରାଜ ସୈନିକ ଗୋଟିଏ ପାତ୍ରରେ ଜଳ ଘେନି ତାଙ୍କ ନିକଟକୁ ଆସିଲା । ଦୁହେଁ ଜଳପାଇଁ କାତର ହେଉଥିଲେ, ସୁତରାଂ ମୂର୍ତ୍ତିମାନ୍ ଆନନ୍ଦ ପରି ସେ ଜଳ ପାନ କଲେ ।

 

ଜଳ ପାନ କରି କ୍ଷୀଣ କଣ୍ଠରେ ଏନ୍ନିସ୍ କହିଲେ, ‘‘ଈଶ୍ୱରଙ୍କୁ ଧନ୍ୟବାଦ ! ହେନେରି, ବର୍ତ୍ତମାନ ଆମ୍ଭେମାନେ ବେଶ୍ ସୁଖରେ ମରି ପାରିବା । ଈଶ୍ୱରଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।’’

 

ହେନେରି କ୍ଷୀଣ କଣ୍ଠରେ କହିଲେ, ‘‘ତଥାସ୍ତୁ’’ ।

Image

 

କର୍ମଠ ରାଜମିସ୍ତ୍ରୀ

 

ପାରସ୍ୟର ରାଜା ସାହପେଶ ନଦୀକୂଳରେ ଗୋଟିଏ ପ୍ରସାଦ ନିର୍ମାଣ କରିବା ନିମିତ୍ତ ଖିପିଲ ନାମକ ଜଣେ ପ୍ରସିଦ୍ଧ ମିସ୍ତ୍ରୀକୁ ଆଦେଶ ଦେଇଥିଲେ । ତାଙ୍କ ରାଜତ୍ଵର ପ୍ରଥମ ବର୍ଷ ଏହି ଆଦେଶ ଦେଇଥିଲେ । ଆଜିକି ଚାରି ବର୍ଷ ଗତ ହୋଇଗଲାଣି, କିନ୍ତୁ ପ୍ରସାଦ ସଙ୍ଗରେ ଦେଖା ସାକ୍ଷାତ୍ ନାହିଁ । ସେ ସର୍ବଦା ପ୍ରଜାମାନଙ୍କଠାରୁ ଶୁଣନ୍ତି ଯେ, ତାଙ୍କର ପ୍ରାସାଦ ନିର୍ମିତ ହେଉଅଛି । ନିର୍ମାତା ସଙ୍ଗରେ ଦେଖା ହେଲେ ରାଜପ୍ରାସାଦ ସମ୍ବନ୍ଧରେ ପ୍ରଶ୍ନ କରିବାରେ ସେ କହେ, ‘‘ଆଜ୍ଞା ମଣିମା, ପ୍ରାସାଦ ତ ପ୍ରାୟ ହେଲା, ଆଉ କଣ ?’’ କିଛିଦିନ ପରେ ସେ ଶୁଣିଲେ, ପ୍ରାସାଦଟି ଶେଷ ହେଲାଣି । ପ୍ରାସାଦଟି କିପରି ଭାବରେ ନିର୍ମିତ ହୋଇଅଛି, ଦେଖିବାପାଇଁ ତାଙ୍କର ଭାରି ଇଚ୍ଛା ହେଲା । ଦିନେ ନଦୀକୂଳକୁ ପ୍ରାସାଦ ଦେଖିବା ଅଭିପ୍ରାୟରେ ପାତ୍ର ମିତ୍ର ସହିତ ବାହାରିଲେ । ସେଠାକୁ ଯାଇ ସେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ । ଦେଖିଲେ, ସେଠାରେ ଇଟା ଚୂନ ସବୁ ଗଦା ହୋଇ ପଡ଼ିଅଛି, କଥା ସବୁ ଏଠି ସେଠି ଜମା ହୋଇଅଛି । ସେଥି ମଧ୍ୟରେ ଖିପିଲ ମହା ଆନନ୍ଦରେ ବସିଅଛି । ମୂଲିଆ ମିସ୍ତ୍ରୀ ସମସ୍ତେ ତାକୁ ଘେରି ବସିଅଛନ୍ତି । ସେମାନଙ୍କ ମଧ୍ୟରେ ଖିପିଲ ବସି ମହା ଉତ୍ସାହରେ ଗଳ୍ପ କରୁଅଛି । କେତେ ଦେଶର କଥା, କେତେ ଲୋକଙ୍କ କଥା ସେମାନଙ୍କ ନିକଟରେ ହାତ ହଲାଇ ବର୍ଣ୍ଣନା କରୁଅଛି । ମିଷ୍ଟ ଦ୍ରବ୍ୟକୁ ମାଛିମାନେ ଯେପରି ଘେରିଯାଇ ତାକୁ ଉପଭୋଗ କରନ୍ତି, ସେହିପରି ମୂଲିଆ ମିସ୍ତ୍ରୀମାନେ ଖିପିଲକୁ ଘେରି ବସି ତାହାର ସେହି ସରସ ଗଳ୍ପ ସବୁ ନିବିଷ୍ଟଚିତ୍ତରେ ଉପଭୋଗ କରୁଅଛନ୍ତି ।

 

ରାଜା ଅଗ୍ରସର ହୋଇ କହିଲେ, ‘‘ଖିପିଲ, ମୋର ପ୍ରାସାଦ କେଉଁଠାରେ ଅଛି, ମତେ ଦେଖାଅ ତ ? ମୁଁ ଆଜି ମୋର ପ୍ରାସାଦର ସୌନ୍ଦର୍ଯ୍ୟ ଦେଖି ଚକ୍ଷୁ ସାର୍ଥକ କରିବି ।’’

 

ଖିପିଲ ଉଠି ଆସି ରାଜାଙ୍କ ସମ୍ମୁଖରେ ଛିଡ଼ା ହୋଇ କହିଲା, ‘‘ମଣିମା, ଏହି ତ ସେହି ସ୍ଥାନ, ଯେଉଁଠାରେ ଆପଣ ଛିଡ଼ା ହୋଇ ଅମୃତବାଣୀଦ୍ୱାରା ଏହି ଅଧମ ଭୃତ୍ୟର କର୍ଣ୍ଣକୁ ତୃପ୍ତ କରୁଅଛନ୍ତି । ମଣିମା, ଏପରି ସ୍ଥାନ ଅତି ଦୁର୍ଲଭ । ଏହିପରି ସ୍ଥାନରେ ଏହି ସୁରମ୍ୟ ଅଟ୍ଟାଳିକା ଦେଖି ବିଦେଶୀ ରାଜାମାନେ ହିଂସାରେ ଜଳିମରିବେ । ଆଉ ଏହି ସୁନିର୍ମିତ ପ୍ରାସାଦ ଦେଖି ପଥିକମାନେ ସ୍ତମ୍ଭିତ ହେବେ ଏବଂ କବିମାନେ ଏହାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଯିବେ ।’’

 

ରାଜା ଏ କଥା ଶୁଣି ଟିକିଏ ହାସ୍ୟ କରି କହିଲେ, ‘‘ବାସ୍ତବିକ ଏ ବଡ଼ ରମଣୀୟ ସ୍ଥାନ । ମୁଁ ଏହାର ପ୍ରଶଂସା ନ କରି ରହିପାରୁ ନାହିଁ । କିନ୍ତୁ ଜାଣ ଖିପିଲ, ଏକ ସମୟରେ ଜଣେ ଚଷା ବୀଜରୋପଣ ସମୟରେ ବୀଜରୋପଣ କରି ନ ଥିଲା, ପରେ ଫସଲ ସମୟରେ ଯେତେବେଳେ ସମସ୍ତଙ୍କ କ୍ଷେତ୍ରରେ ଫସଲ ହେଲା, ତାହାର କ୍ଷେତ୍ରରେ ବନ୍ୟ ଫଳ ଫୁଲ ସବୁ ଅନେକ ହେଲା । ଏହା ଦେଖି ସେ ଚଷା ତାହାର କ୍ଷେତ୍ର ଖୁବ୍ ଉର୍ବର ବୋଲି ପ୍ରଚାର କରିବାକୁ ଲାଗିଲା । ତେବେ ବର୍ତ୍ତମାନ ମୋର ପ୍ରାସାଦ ମୋତେ ଦେଖାଅ ଏବଂ ତୁମର ନିର୍ମାଣକୌଶଳ ଦେଖି ମୁଁ ଚିତ୍ତବିନୋଦନ କରେ ।’’

 

ଖିପିଲି ‘‘ଯେ ଆଜ୍ଞା, ହଜୁର’’ କହି ରାଜାଙ୍କର ଅନୁଗମନ କଲା । ଚାରିଆଡ଼େ ପଥର ଇଟା ଗଦା ହୋଇଅଛି, କାନ୍ଥ ହୋଇଅଛି ତ ଛାତ ହୋଇ ନାହିଁ, କୌଣସିଟା ସମ୍ପୂର୍ଣ୍ଣ ହୋଇନାହିଁ । ରାଜା ଏସବୁ ଦେଖି ମନେ ମନେ ହସିଲେ, କିନ୍ତୁ ମୁଖରେ ଖିପିଲର ଖୁବ୍ ପ୍ରଶଂସା କରିବାକୁ ଲାଗିଲେ । ତାହାର ଅଦ୍ଭୁତ କୌଶଳ ଓ ଅସାଧାରଣ ପରିଶ୍ରମର ଅନେକ ପ୍ରଶଂସା କଲେ ।

 

ଏହିପରି କିଛିଦୂର ଯାଇ ରାଜା କହିଲେ, ‘‘ଖିପିଲ, ମୁଁ ତୁମ ପ୍ରତି ବଡ଼ ସନ୍ତୁଷ୍ଟ ହୋଇଅଛି-। ତୁମର ଏହି ପରଶ୍ରମର ଫଳସ୍ୱରୂପ ତୁମକୁ ସମ୍ମାନ କରିବାପାଇଁ ତୁମକୁ ଆଗରେ ଯିବାକୁ ଅନୁମତି ଦେଉଅଛି ।’’

 

ଏହି କଥା ଶୁଣି ଅହଂକାରରେ ଖିପିଲର ଛାତି ଫୁଲିଉଠିଲା । କିଛିଦୂର ଗଲା ପରେ ହଠାତ୍ ସେ ଛିଡ଼ା ହୋଇ ଯାଇ କହିଲା, ‘‘ହଜୁର, ଏଠାରେ ଗୋଟାଏ ଖାଲ ଅଛି, ଆମେମାନେ ଏ ବାଟ ଦେଇ ଆଉ ଯାଇପାରିବା ନାହିଁ ।’’

 

ରାଜା କହିଲେ, ‘‘କାହିଁ ଖାଲ ତ ନାହିଁ, ସବୁ ତ ବେଶ୍ ସମତଳ ଦେଖାଯାଉଛି । ଚାଲ, ଆଉ ବିଳମ୍ବ କର ନାହିଁ ।’’

 

ଖିପିଲ କହିଲା, ‘‘ମଣିମା, ଆପଣ ଦେଖୁ ନାହାନ୍ତି କି ଏ ଖାଲଟା କେଡ଼େ ବଡ଼ ? ଏ ସ୍ଥାନଟା ଏପର୍ଯ୍ୟନ୍ତ ପୂର୍ଣ୍ଣ ହୋଇ ନାହିଁ ।’’

 

ରାଜା କହିଲେ, ‘‘ଖିପିଲ, ମୁଁ ଏ ସ୍ଥାନ ଓ ଅନ୍ୟ ସ୍ଥାନ ମଧ୍ୟରେ କୌଣସି ପ୍ରଭେଦ ଦେଖୁ ନାହିଁ । ସବୁ ସ୍ଥାନ ବେଶ୍ ସୁନ୍ଦରଭାବରେ ନିର୍ମିତ ହୋଇଛି । ତୁମ ପରି ନିର୍ମାତା ଯେଉଁ ପ୍ରାସାଦ ଚାରି ବର୍ଷକାଳ ଲାଗି ନିର୍ମାଣ କରୁଛି, ସେଥିରେ କୌଣସିଠାରେ ଅସମ୍ପୂର୍ଣ୍ଣତା ଥାଇ ନ ପାରେ । ଅଗ୍ରସର ହୁଅ, ମୋର ଆଜ୍ଞା ପାଳନ କର ।’’

 

ଏ କଥା ଶୁଣି ମଧ୍ୟ ଖିପିଲ ଇତସ୍ତତଃ ହେବାକୁ ଲାଗିଲା, ଖାଲଟା ବଡ଼ ଗଭୀର ଏବଂ ତଳେ କିଛି ପାଣି ମଧ୍ୟ ଅଛି । ଖିପିଲ ପହଁରି ଜାଣେ ନାହିଁ । କିନ୍ତୁ ରାଜାଜ୍ଞା ପାଳନ କରିବାକୁ ହେବ-। ରାଜାଙ୍କ ନିକଟରେ ସଶସ୍ତ୍ର ପ୍ରହରୀ ମଧ୍ୟ ଅଛନ୍ତି, ଆଜ୍ଞା ପାଳନ ନ କଲେ କେଜାଣି ଅବା କି ଶାସ୍ତି ମିଳିବ । ଏହି ଭୟରେ ଖିପିଲ ସେହି ଖାଲ ଭିତରକୁ ଡେଇଁପଡ଼ିଲେ । ଖାଲ ଭିତରେ ପାଣି ପିଇ ଯାଇ ସେ ଭାରି ହଇରାଣ ହେଲା । ବହୁ କଷ୍ଟରେ ସେ କିଛିକ୍ଷଣ ପରେ ଉଠି ଆସିଲା, କିନ୍ତୁ ସେତେବେଳକୁ ସେ ଗୋଟାଯାକ ଥରୁଛି ଏବଂ ତାହାର ଦାନ୍ତକୁ ଦାନ୍ତ ବାଜୁଛି ।

 

ରାଜା ଏହା ଦେଖି କହିଲେ, ‘‘ଖିପିଲ, ମୁଁ ବଡ଼ ସନ୍ତୁଷ୍ଟ ହେଲି । ତୁମେ ସ୍ନାନ ନିମିତ୍ତ ଏଡ଼େ ସୁନ୍ଦର ସ୍ଥାନ ସ୍ଥିର କରିଛ ? ପ୍ରତ୍ୟେକ ଦିନ କଥା କହି କହି ଯେତେବେଳେ ତୁମେ କ୍ଲାନ୍ତ ହୋଇପଡ଼ିବ, ସେତେବେଳେ ଆସି ଏଠାରେ ସ୍ନାନ କରିବ, ଏହାହିଁ ତୁମର ପୁରସ୍କାର ।’’

 

ଏହା ପରେ ତାଙ୍କୁ ଦରବାର ଗୃହ ଦେଖାଇବାକୁ ରାଜା ଆଦେଶ କଲେ । ସେଠାକୁ ଯାଇ ରାଜା କହିଲେ, ‘‘ବାଃ ! ଖିପିଲ, ତୁମେ ତ ଏହାକୁ ବଡ଼ ସୁନ୍ଦର ଭାବରେ ନିର୍ମାଣ କରିଛ ! ମୁଁ ବଡ଼ ଖୁସି ହେଲି । ତୁମର ପୁରସ୍କାର ସ୍ୱରୂପ ତୁମେ ମୋ ସମ୍ମୁଖରେ ସେହି ମାର୍ବେଲ ପ୍ରସ୍ତର ନିର୍ମିତ ସିଂହାସନରେ ବସ ।’’

 

ଖିପିଲ କହିଲା, ‘‘ଆଜ୍ଞା, ସିଂହାସନ ଯେ ଏପର୍ଯ୍ୟନ୍ତ ନିର୍ମିତ ହୋଇ ନାହିଁ ।’’

 

ରାଜା କହିଲେ, ‘‘ଯେବେ ଏହା ସତ୍ୟ ହୁଏ, ତେବେ ଆଜି ତୁମର ଜୀବନର ଶେଷ ଦିନ ବୋଲି ଜାଣ ।’’

 

ଏ କଥା ଶୁଣି ଖିପିଲ ତ୍ରସ୍ତ ହୋଇ କହିଲା, ‘‘ମଣିମା, ମୁଁ କଣ ଅନ୍ଧ ? ମୋ ସମ୍ମୁଖରେ ସିଂହାସନଟା ଅଛି, ଆଉ ମୁଁ ଦେଖିପାରି ନାହିଁ ?’’

 

ଏହା କହି ଭୟରେ ଖିପିଲ ଯେଉଁଠାରେ ସିଂହାସନ ରହିବା କଥା, ସେଠାକୁ ଗଲା; ରାଜାଙ୍କୁ ଖୁସି କରିବାପାଇଁ ସେ ସେଠାରେ ବସିବାର ଗୋଟାଏ ଭଙ୍ଗୀ କଲା ।

 

ରାଜା କହିଲେ, ‘‘ଆହା, ଏ ସିଂହାସନଟି ବଡ଼ ସୁନ୍ଦର ହୋଇଛି । ଏହାର ପୁରସ୍କାର ସ୍ୱରୂପ ତୁମେ ମଧ୍ୟାହ୍ନ ପର୍ଯ୍ୟନ୍ତ ଏଠାରେ ବସି ରହିବ । କିନ୍ତୁ ଯଦି ଟିକିଏ ହଲଚଲ ହେବ, ତେବେ ଏହି ଅସ୍ତ୍ରଧାରୀ ପୁରୁଷମାନେ ତୁମକୁ ହତ୍ୟା କରିବେ ।’’

 

ରାଜା ପଞ୍ଚବିଂଶତି ଜଣ ସଶସ୍ତ୍ର ପ୍ରହରୀଙ୍କୁ ସେଠାରେ ରଖି ଚାଲି ଗଲେ । ଅସ୍ତ୍ରଧାରୀ ପୁରୁଷମାନେ ଖିପିଲ ସମ୍ମୁଖରେ ଛିଡ଼ା ହୋଇ ରହିଲେ । ସହରମୟ ଏ କଥା ରାଷ୍ଟ୍ର ହୋଇଗଲା । ଅସଂଖ୍ୟ ଲୋକ ଆସି ସେ ସ୍ଥାନ ପୂର୍ଣ୍ଣ କଲେ । ଖିପିଲ ଶୂନ୍ୟରେ ବସିଛି, ଆଉ ଭୟରେ ଥରୁଛି, ବିଚରାର ଟିକିଏ ହଲିବାର ଶକ୍ତି ମଧ୍ୟ ନାହିଁ । ଟିକିଏ ହଲିଲେ ସମ୍ମୁଖସ୍ଥ ପ୍ରହରୀମାନେ ଉପଯୁକ୍ତ ଶାସ୍ତି ଦେବେ । ଏହି ବ୍ୟାପାର ଦେଖି ଲୋକମାନେ ହସି ହସି ବେଦମ୍ ହୋଇ ଯାଉଅଛନ୍ତି ।

 

ତାହାର ଶାସ୍ତିର ସମୟ ଅତୀତ ହୋଇଯିବା ପରେ ରାଜା ଆସି ଦେଖିଲେ, ଖିପିଲ ଅତ୍ୟନ୍ତ କ୍ଲାନ୍ତ ଓ ଅବସନ୍ନ ହୋଇ ପଡ଼ିଅଛି । ସେ କହିଲେ, ‘‘ଖିପିଲ, ତୁମେ ମନୁଷ୍ୟର ଅସାଧ୍ୟ କର୍ମ କରିଛ । ମୁଁ ତୁମ ପ୍ରତି ବଡ଼ ସନ୍ତୁଷ୍ଟ ହୋଇଛି ।’’

 

ପରେ ରାଜା ତାକୁ ଉଦ୍ୟାନକୁ ଘେନିଯିବାପାଇଁ ଆଦେଶ ଦେଲେ । ଉଦ୍ୟାନକୁ ଆସି ଦେଖିଲେ, ସ୍ଥାନଟି କେବଳ ବଣ ବୁଦା ଓ ବିଛୁଆତି ଗଛରେ ପୂର୍ଣ୍ଣ । ଉଦ୍ୟାନର ଝରଣାସବୁ ଶୁଷ୍କ, ଗୋଟିଏ ସୁଦ୍ଧା ଫୁଲଗଛ ନାହିଁ । ଏହା ଦେଖି ରାଜା କହିଲେ, ‘‘ଆହା, ଏ ସ୍ଥାନର ଦୃଶ୍ୟ ଅତି ରମଣୀୟ । ଖିପିଲ, ଏହି ଝରଣାର ଶୀତଳତା ତୁମେ ଅନୁଭବ କରୁଛ ତ ? ବାସ୍ତବିକ ମୁଁ ତୁମ ନିକଟରେ ବଡ଼ କୃତଜ୍ଞ । ଏହି ଫୁଲରୁ ମତେ କେତେଟା ତୋଳିଦିଅ, ଆଉ ତାହାର ବାସନା କିପରି ମତେ କହ ।’’

 

ଖିପିଲ ନିକଟରେ ଥିବା ବିଛୁଆତିରୁ କେତେଟା ତୋଳିଲା ଏବଂ ନାକ ପାଖକୁ ନେଲା । କିଛିକ୍ଷଣ ପରେ ସେ ନାକ ଘଷିବାକୁ ଆରମ୍ଭ କଲା । ଘଷି ଘଷି କ୍ରମେ ତାହାର ନାକ ଲାଲ ହୋଇଗଲା, ତେବେ ସୁଦ୍ଧା ଘଷୁଥାଏ । ଏହା ଦେଖି ରାଜା କହିଲେ, ‘‘ଫୁଲ ପରି ପଦାର୍ଥ ଜଗତରେ ନାହିଁ । ଖିପିଲ, ତୁମେ ବୋଧହୁଏ ଏଇଟା ବେଶ୍‍ ବୁଝିପାରୁଛ ?’’

 

ଖିପିଲ କହିଲା, ‘‘ମଣିମା, ଏ କଥା ସତ୍ୟ । କିନ୍ତୁ ଏ କ୍ଷେତ୍ରରେ କଥାଟା ଠିକ୍ ନୁହେଁ । ଫୁଲର ଆଘ୍ରାଣରେ ଯଦି ନାକ କୁଣ୍ଡେଇ ହୁଏ, ତେବେ ଏ କଥା କିପରି ସତ୍ୟ ହେବ ?’’

 

ରାଜା କହିଲେ, ‘‘ନା ନା, ତୁମେ ନାକ ଘଷ ନାହିଁ, ଏହା ବଡ଼ ଖରାପ । ଦେଖ, ଏ ଫୁଲଗୁଡ଼ିକ ବଡ଼ ସୁନ୍ଦର । ଏଥିରୁ ଗୋଟିଏ ତୋଡ଼ା ନେଇଯାଅ, ତୁମର ସ୍ତ୍ରୀକୁ ଉପହାର ଦେବ । ସେ ଭାରି ଖୁସି ହେବ । ତୁମେ ମୋର ଆଜ୍ଞା ପାଳନ କରିବ କି ନାହିଁ, ଜାଣିବା ପାଇଁ ମୁଁ ପ୍ରହରୀ ନିଯୁକ୍ତ କରୁଛି । ମୁଁ ତୁମକୁ ଆଉ ଗୋଟିଏ ପୁରସ୍କାର ଦେଉଛି । ଯଦି ତୁମର ନାକ ଘଷିବାକୁ ହୁଏ, ତେବେ ତୁମେ ନିଜ ହାତରେ କଷ୍ଟ କରି ଘଷିବ ନାହିଁ, ତୁମର ପ୍ରତିବେଶୀମାନଙ୍କୁ ଘଷିଦେବାକୁ ଅନୁରୋଧ କରିବ ।’’

 

ରାଜା ଜଣେ ପ୍ରହରୀ ନିଯୁକ୍ତ କଲେ ଏବଂ ଖିପିଲର ଫେରି ଆସିବାର ସମୟ ନିର୍ଦ୍ଧାରଣ କରି ଚାଲିଗଲେ ।

 

ନିର୍ଦ୍ଧାରିତ ସମୟରେ ଖିପିଲ ଉଦ୍ୟାନରେ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲା । ତାହାର ମୁଖ ଶୁଷ୍କ ଓ ମଳିନ, କଣ୍ଠସ୍ୱର କ୍ଷୀଣ । ଏହା ଦେଖି ରାଜା କହିଲେ, ‘‘ଖିପିଲ, ତୁମ ସ୍ତ୍ରୀ ତୁମର ଉପହାର କିପରି ଭାବରେ ଗ୍ରହଣ କଲା ?’’

 

ଖିପିଲ କହିଲା, ‘‘ପ୍ରଭୁ, ସେ ମୋ ପ୍ରତି ଅତ୍ୟନ୍ତ ବିରକ୍ତ ହେଲା । ମୁଁ ମଧ୍ୟ ବଡ଼ ଲଜ୍ଜିତ ହେଲି ।’’

 

ରାଜା ପଚାରିଲେ, ‘‘ଆଉ ପ୍ରତିବେଶୀମାନେ ତୁମର ଅନୁରୋଧ କିପରି ରକ୍ଷାକଲେ ?’’

 

ଖିପିଲ କହିଲା, ‘‘ମହାରାଜ, ମୋର ପ୍ରତିବେଶୀମାନଙ୍କ ମଧ୍ୟରୁ ଯାହାକୁ ମୁଁ ଦେଖିଲି, ସମସ୍ତଙ୍କୁ ବିନୟରେ କହିଲି, ‘ଭାଇ ନାକ ବଡ଼ କୁଣ୍ଡେଇ ହେଉଛି, ମୋ ହାତ ଥରୁଛି, ମୁଁ ନିଜେ କୁଣ୍ଡେଇ ପାରୁ ନାହିଁ । ମୋର ଭାରି କଷ୍ଟ ହେଉଛି, ମୁଁ ସମ୍ଭାଳି ହୋଇପାରୁ ନାହିଁ, ତୁମେ ଯଦି ଟିକିଏ ଦୟା କରି କୁଣ୍ଡେଇ ଦିଅନ୍ତ, ତେବେ ମୁଁ କୃତାର୍ଥ ହୋଇଯାନ୍ତି ।’ ସେମାନେ ମୋର ଅନୁରୋଧ ରକ୍ଷା କଲେ, କିନ୍ତୁ ଯେଉଁ ସ୍ଥାନ କୁଣ୍ଡାଇ ହେଉଛି, ସେଠାରେ ନ କୁଣ୍ଡାଇ ଅନ୍ୟ ସ୍ଥାନ ଘଷି ପକାଇଲେ ।’’

 

ରାଜା ଟିକିଏ ହାସ୍ୟ କରି କହିଲେ, ‘‘ରାଜାମାନଙ୍କ ମନ ଅତି ମହତ୍ । ସୂର୍ଯ୍ୟ ଯେପରି ଆଲୋକ ଦାନ କରେ, ମେଘ ଯେପରି ଜଳ ବର୍ଷଣ କରେ, ସେହିପରି ରାଜାମାନେ କରୁଣା ଦାନ କରନ୍ତି । ଦେଖ, ତୁମେ କି କ୍ଷୁଦ୍ର ଲୋକ, କିନ୍ତୁ ମୋର ଦୟାରେ କେଡ଼େ ବଡ଼ ହୋଇଗଲା ।’’

 

ତା ପରେ ପୁଣି ମିଥ୍ୟା କହିବା ଏବଂ ଆତ୍ମପ୍ରଶଂସା କରିବା ଯୋଗୁଁ ରାଜା ଖିପିଲକୁ ଶାସ୍ତି ଦେବାକୁ ଭୁଲିଲେ ନାହିଁ । ରାଜା ଖିପିଲକୁ ଝରଣା ଜଳ ପାନ କରିବାକୁ ଆଦେଶ ଦେଲେ । ସୁତରାଂ ସେ ତିନି ଦିନ ତିନି ରାତ୍ରି ଜଳ ପାନ ନ କରି ରହିଲା । ଆଉ ସତ ଦିନ ସାତ ରାତ୍ରି ତାକୁ ସିଧା ହୋଇ ଦୁଇ ହାତକୁ ଦୁଇ ପାଖରେ ଲମ୍ବା କରି ଛିଡ଼ା ହେବାକୁ ହୋଇଥିଲା । ତାହାର ଦୁଇ ହାତରେ ଦୁଇଟା ଡାଳିମ୍ବ ଧରିବାକୁ ଦିଆହେଲା । ରାଜା ସମସ୍ତ ସଭାସଦମାନଙ୍କୁ ଉଦ୍ୟାନକୁ ଡାକି ଆଣି କହିଲେ, ‘‘ଦେଖ, ଖିପିଲ କିପରି ସୁନ୍ଦର ଡାଳିମ୍ବ ଗଛ ଲାଗିଅଛି ! ଏହା ଗୋଟିଏ ନୂତନ ପ୍ରକାର ଡାଳିମ୍ବ ଏବଂ ଏହା ରାଜଯୋଗ୍ୟ ।’’ସମସ୍ତେ ରାଜାଙ୍କର ଏହି ବୁଦ୍ଧିର ପ୍ରଶଂସା କରିବାକୁ ଲାଗିଲେ । ରାଜା ଏପରି ଶାସ୍ତି ଦେଇପାରନ୍ତି, ଏଥିପୂର୍ବରୁ କେହି ଏ କଥା ଜାଣି ନ ଥିଲେ । ସମସ୍ତେ ଜାଣିଥିଲେ, ରାଜା ବଡ଼ ଉଦାର, ସୁତରାଂ ପ୍ରାୟ ସମସ୍ତେ ଖିପିଲ ପରି କାର୍ଯ୍ୟ କରୁଥିଲେ ।

 

ଖିପିଲର ଶାସ୍ତି ପରେ ସମସ୍ତଙ୍କର ଚେତନା ହେଲା । ସାହପେଶଙ୍କ ରାଜ୍ୟରେ ଆଉ କେହି ଖୋଷାମଦ କରି ରାଜାଙ୍କର ପ୍ରିୟ ହେବାକୁ ସାହସ କରି ନ ଥିଲେ । କେହି ମଧ୍ୟ ଖିପିଲ ପରି ତାଙ୍କଠାରୁ ସମ୍ମାନ ପାଇବାକୁ ଇଚ୍ଛା କରୁ ନ ଥିଲେ ।

Image

 

କଲ୍ୟାଣୀ

 

ମୋର ଜନ୍ମ ଉଚ୍ଚ ବଂଶରେ, ମୋର ପୁର୍ବପୁରୁଷମାନେ ଧନୀ ଏବଂ ଅତ୍ୟନ୍ତ ବିଳାସୀ ଥିଲେ । କିନ୍ତୁ ଅତି ଶୈଶବରେ ମୁଁ ପିତୃମାତୃହୀନ ହେଲି । ପିତାମାତାଙ୍କର ଏକମାତ୍ର ସନ୍ତାନ ମୁଁ, ନିତାନ୍ତ ନିରାଶ୍ରୟ ହୋଇ ପଡ଼ିଲି । ଆମମାନଙ୍କର ଏତେ ଧନ ଦୌଲତ କୁଆଡ଼େ ଗଲା, ତାହା ମୋର ସ୍ମରଣ ନାହିଁ । ଅତୀତ ଜୀବନର ଗୋଟିଏ ଘଟଣା ସୁସ୍ପଷ୍ଟ ଭାବରେ ମାନେ ଅଛି, ତାହାହିଁ ଆଜି କହିବି ।

 

ପିତାମାତାଙ୍କ ମୃତ୍ୟୁ ପରେ ମତେ ଅସହାୟ ଦେଖି ଆମର ପ୍ରତିବେଶୀ ଓ ମାତାଙ୍କର ଜଣେ ବନ୍ଧୁ ମତେ ତାଙ୍କ ଗୃହରେ ଆଶ୍ରୟ ଦେଲେ । ସେ ବିଧବା ଏବଂ ତାଙ୍କର ଗୋଟିଏ ମାତ୍ର କନ୍ୟା, ତାର ନାମ କଲ୍ୟାଣୀ । ଅବସ୍ଥା ତାଙ୍କର ଖୁବ୍ ସଚ୍ଛଳ ନ ହେଲେ ମଧ୍ୟ ସୁଖରେ ଦୁଃଖରେ କୌଣସି ପ୍ରକାରେ ଦିନ କଟିଯାଏ । ମତେ ସେ ପୁତ୍ରପରି ସ୍ନେହ କରନ୍ତି ଏବଂ ମୁଁ ମଧ୍ୟ ତାଙ୍କୁ ଦେବୀପରି ଭକ୍ତି କରେ ।

 

ବାଲ୍ୟକାଳରୁ ମୁଁ ତାଙ୍କରି ସ୍ନେହରେ ଲାଳିତପାଳିତ ହେଲି । ବାଲ୍ୟକାଳରୁ ମୁଁ ଓ କଲ୍ୟାଣୀ ଏକସଙ୍ଗରେ ଖେଳୁଁ, ଖାଉଁ ଏବଂ ବସୁଁ । କେହି କାହାକୁ ମୁହୂର୍ତ୍ତେ ଛାଡ଼ି ରହିପାରୁ ନ ଥିଲୁଁ, ଏତେ ଗଭୀର ସ୍ନେହ ଆମମାନଙ୍କ ହୃଦୟରେ ଜାତ ହୋଇଥିଲା ।

 

ଗୋଟିଏ ପଲ୍ଲୀଗ୍ରାମରେ ଆମମାନଙ୍କର ବାସ । କି ସୁନ୍ଦର ସେ ସ୍ଥାନ ! ପ୍ରକୃତିର ସମସ୍ତ ସୌନ୍ଦର୍ଯ୍ୟ ବୋଧହୁଏ ଏକାଧାରରେ ଏହିଠାରେ ବିଦ୍ୟମାନ । ଆମ ଗୃହରୁ ଅଳ୍ପ ଦୂରରେ ଗୋଟିଏ ଛୋଟ ନଦୀ ଥିଲା । ନଦୀର ଜଳ ଅତି ନିର୍ମଳ ଏବଂ ତାହା ନିଃଶବ୍ଦରେ ବହିଯାଏ ଯେ, ଆମେମାନେ ତାକୁ ‘ମଉନୀ ନଦୀ’ ନାମ ଦେଇଥିଲୁଁ । କୂଳର ସୁନ୍ଦର ବନ୍ୟପୁଷ୍ପଦ୍ୱାରା ତାହାର ଶୋଭା ଆହୁରି ବର୍ଦ୍ଧିତ ହୋଇଥିଲା ।

 

ଏହିପରି ସୁନ୍ଦର ସ୍ଥାନରେ ମୁଁ ଓ କଲ୍ୟାଣୀ ବାଲ୍ୟକାଳର ସମସ୍ତ ସୁଖ ଭୋଗ କରୁଥିଲୁଁ-। ମନେ ହେଉଥିଲା, ଯେପରି ଏ ପୃଥିବୀରେ କେବଳ ଆମେ ଦୁଇଜଣ ହିଁ ଯଥାର୍ଥ ସୁଖୀ । କାରଣ ଏପରି ରମଣୀୟ ସ୍ଥାନ, ଏପରି ସୁନ୍ଦର ପ୍ରାକୃତିକ ଦୃଶ୍ୟ ଏବଂ ଏପରି ବାଲ୍ୟସଙ୍ଗୀ କେତେ ଜଣଙ୍କ ଭାଗ୍ୟରେ ଘଟିଥାଏ ?

 

ଏହିପରି ସୁଖରେ ଆମମାନଙ୍କର ବାଲ୍ୟକାଳ କଟିଗଲା । ବୟସ ସଙ୍ଗେ ସଙ୍ଗେ ବାଲ୍ୟକାଳର ଗଭୀର ସ୍ନେହ ଗଭୀରତର ହେବାକୁ ଲାଗିଲା ଏବଂ କ୍ରମେ ସେହି ବାଲ୍ୟସ୍ନେହ ପ୍ରେମରେ ପରିଣତ ହେଲା ।

 

କଲ୍ୟାଣୀ ଅପରୂପ ସୁନ୍ଦରୀ ନ ହେଲେ ମଧ୍ୟ ସୁନ୍ଦରୀ ଶ୍ରେଣୀରେ ଗଣ୍ୟ । ମନ ତାହାର ପୁଷ୍ପ ପରି କୋମଳ, ମୁଖରେ ତାହାର ଗୋଟିଏ ସ୍ୱର୍ଗୀୟ ଲାବଣ୍ୟ । ସୁତରାଂ ତାହାର ଆକୃତି ଖୁବ୍ ସୁନ୍ଦର ନ ହେଲେ ମଧ୍ୟ ଏହି ଗୁଣ ଥିବାଯୋଗୁଁ ସେ ବଡ଼ ସୁନ୍ଦର ଦେଖାଯାଏ । ମୁଁ ମନରେ ସ୍ଥିର କଲି, ତାହାକୁ ହିଁ ଜୀବନର ସଙ୍ଗିନୀ କରିବି । ସେ ମଧ୍ୟ ମନରେ ସେହିପରି ଭାବିଥିଲା । ଆମମାନଙ୍କର ଏହି ପ୍ରେମ ପ୍ରତ୍ୟେକ ଭାବାଦ୍ୱାରା ପରସ୍ପର ନିକଟରେ ପ୍ରକାଶ ପାଇଲେ ମଧ୍ୟ ପ୍ରକାଶ୍ୟ ଭାବରେ କେହି କାହାକୁ କିଛି କହି ନ ଥିଲୁଁ । ଦିନେ ମୁଁ ନିତାନ୍ତ ସମ୍ଭାଳି ନ ପାରି ମୋର ମନର ଭାବ କଲ୍ୟାଣୀକୁ କହିଲି ଏବଂ ତାହାର ମଧ୍ୟ ଏଥିରେ ସମ୍ମତି ଥିବାର ଜାଣିପାରିଲି ।

 

ଦିନେ ସନ୍ଧ୍ୟା ସମୟରେ ଦୁହେଁ ବସି ଗଳ୍ପ କରୁଥିଲୁଁ । କଲ୍ୟାଣୀ କହିଲା, ‘‘ଏହି ଜଗତଟା ବଡ଼ ପରିବର୍ତ୍ତନଶୀଳ । ମନୁଷ୍ୟ ବର୍ତ୍ତମାନ ଯାହା ଅଛି, ଆଉ କିଛିକ୍ଷଣ ପରେ ତାହାର ମନର ଅବସ୍ଥା ସମାନ ନ ରହି ପାରେ ।’’ମୁଁ ତତ୍‍କ୍ଷଣାତ ତାହାର ହସ୍ତ ଧରି କହିଲି, ‘‘ଛି, କଲ୍ୟାଣୀ, ମତେ ଏପରି ଭାବ ନାହିଁ । ମୁଁ ଆଜି ତୁମ ନିକଟରେ ଓ ଭଗବାନଙ୍କ ନିକଟରେ ପ୍ରତିଜ୍ଞା କରୁଛି, ତୁମ ଛଡ଼ା ପୃଥିବୀରେ ଆଉ କାହାକୁ ବିବାହ କରିବି ନାହିଁ । ମୁଁ ସର୍ବଦା ତୁମର ସ୍ମୃତି ହୃଦୟରେ ଧାରଣ କରିବି । ଭଗବାନଙ୍କୁ ସାକ୍ଷୀ କରି ମୁଁ ଏହି ପ୍ରତିଜ୍ଞା କରୁଛି, ତୁମେ ବିଶ୍ୱାସ କରିବ କି ?’’ ମୋର ଏହି କଥା ଶୁଣି ଆନନ୍ଦରେ ତାହାର ଚକ୍ଷୁରୁ ଅଶ୍ରୁ ଗଡ଼ି ପଡ଼ିଲା । ସେ ଏପରି ଭାବରେ ଗୋଟିଏ ଦୀର୍ଘନିଶ୍ୱାସ ପକାଇଲା, ଯେପରିକି ତାହାର ବକ୍ଷରୁ ମସ୍ତ ବଡ଼ ଗୋଟାଏ ବୋଝ ଖସିପଡ଼ିଲା । ସେ କହିଲା, ‘‘ମୁଁ ମଧ୍ୟ ତୁମ ଛଡ଼ା ଆଉ କାହାକୁ ବିବାହ କରିବି ନାହିଁ । ଯଦି ତମକୁ ବିବାହ କରିବା ପୂର୍ବରୁ ମୋର ମୃତ୍ୟୁ ହୁଏ, ତାହାହେଲେ ମୁଁ ସ୍ଵର୍ଗରେ ତୁମପାଇଁ ଅପେକ୍ଷା କରିବି, ସ୍ୱର୍ଗରୁ ତୁମ ନିକଟକୁ ଆସି ବେଳେ ବେଳେ ତୁମ ସଙ୍ଗ ଲାଭକରିବି ।’’ଏହା କହି ସେ ଆକୁଳଭାବରେ କ୍ରନ୍ଦନ କରିବାକୁ ଲାଗିଲା । ଏହିପରି ସେହି ଶୁଭମୁହୁର୍ତ୍ତରେ ଆମେ ଦୁଇଜଣ ପ୍ରତିଜ୍ଞାପାଶରେ ଆବଦ୍ଧ ହେଲୁଁ ।

 

ଏହିପରି ସୁଖରେ କେତେଦିନ କଟିଗଲା ପରେ ଆମମାନଙ୍କର ପ୍ରଥମ ବିଚ୍ଛେଦ ଘଟିଲା-। କାର୍ଯ୍ୟବଶତଃ ମତେ କିଛିକାଳପାଇଁ ବିଦେଶକୁ ଯିବାକୁ ହେଲା । ସେ ଯେ କି ଦୁଃଖର ବିଦାୟ, ତାହା ଅନୁଭବୀ ଭିନ୍ନ ଅନ୍ୟ କେହି ବୁଝିପାରିବେ ନାହିଁ । ଅତି କଷ୍ଟରେ କଲ୍ୟାଣୀଠାରୁ ବିଦାୟ ଘେନି ମୁଁ ବିଦେଶକୁ ବାହାରିଗଲି । ବିଦେଶକୁ ଯାଇ କୌଣସି କାର୍ଯ୍ୟରେ ମନୋନିବେଶ କରିପାରିଲି ନାହିଁ । ପ୍ରତ୍ୟେକ ସମୟରେ କଲ୍ୟାଣୀର ସୁନ୍ଦର ମୁଖ, ତାହାର ମଧୁର କଥା ମନେପଡ଼ି ପ୍ରାଣକୁ ଆକୁଳ କରେ । ମଧ୍ୟେ ମଧ୍ୟେ କଲ୍ୟାଣୀକୁ ମୋର ସମ୍ବାଦ ଦେଇଥାଏ ଏବଂ ତାହାର ସମ୍ବାଦ ମଧ୍ୟ ପାଇଥାଏ । ବିଦେଶକୁ ଆସି ମୁଁ ନାନା ବିଷୟରେ ଉନ୍ନତି କରୁଅଛି, ଏ ସମ୍ବାଦରେ କଲ୍ୟାଣୀର ଆନନ୍ଦର ସୀମା ନ ଥିଲା । ମୁଁ କେବେ ଗୃହକୁ ଫେରିବି, ଏଥିପାଇଁ ସେ ବ୍ୟାକୁଳଭାବରେ ଅପେକ୍ଷା କରୁଥିଲା । ମୋର ମନ ମଧ୍ୟ ଗୃହପାଇଁ ବ୍ୟାକୁଳ ହେଉଥାଏ । ଅନେକ ଦିନ ପର୍ଯ୍ୟନ୍ତ ଆଉ କଲ୍ୟାଣୀର କୌଣସି ସମ୍ବାଦ ପାଇଲି ନାହିଁ । ପ୍ରତ୍ୟେକ ମୁହୂର୍ତ୍ତରେ ନାନାପ୍ରକାର ଅମଙ୍ଗଳ ଚିନ୍ତା ଜାତ ହୋଇ ମନକୁ ବ୍ୟାକୁଳ କରୁଥାଏ । ମୁଁ ଜାଣେ, ବିଶେଷ କୌଣସି ବାଧା ନ ଘଟିଲେ କଲ୍ୟାଣୀ ମତେ ତାର ସମ୍ବାଦ ନ ଦେଇ ରହିପାରନ୍ତା ନାହିଁ । ଥରେ ଥରେ ମନରେ ଭାବୁଥାଏ, କଲ୍ୟାଣୀ ତେବେ କଣ ମତେ ଭୁଲିଗଲା ? ସେତେବେଳେ ଭାବି ନ ଥିଲି, ମୋ ପକ୍ଷରେ ଏ କଥାଟା ଭାବିବା କେତେ ଦୂର ଯୁକ୍ତିସଙ୍ଗତ । ଏହିପରି ସମୟରେ ଦିନେ ହଠାତ୍ ସମ୍ବାଦ ପାଇଲି, କଲ୍ୟାଣୀ କଠିନ ପୀଡ଼ାଗ୍ରସ୍ତ । ଆଉ ରହିପାରିଲି ନାହିଁ । ତତ୍‍କ୍ଷଣାତ ଗୃହକୁ ଫେରିଲି । କେତେ ଦୁଶ୍ଚିନ୍ତା ମନରେ ନେଇ ଯେ ମୁଁ ଆସୁଥିଲି, ତାହା ଭଗବାନଙ୍କୁ ଜଣା-। ଗୃହକୁ ଆସି ଦେଖିଲି, କଲ୍ୟାଣୀ ଶଯ୍ୟାଗତା । ତାହାର ସେ ମାଧୁର୍ଯ୍ୟ ନାହିଁ, ତାହାର ସେ ଲାବଣ୍ୟ ନାହିଁ । ମତେ ଦେଖି ତାହାର ସେହି ରୋଗାକ୍ରାନ୍ତ ମୁଖରେ ଟିକିଏ ହାସ୍ୟରେଖା ଫୁଟିଉଠିଲା । ସେ କହିଲା, ‘‘ତୁମେ ଆସିଛ, ଆଉ କିଛିଦିନ ବିଳମ୍ବ ହୋଇଥିଲେ ବୋଧହୁଏ, ତୁମକୁ ଦେଖି ପାରି ନ ଥାନ୍ତି ।’’ ମୁଁ ଦେଖିଲି, ତାହାର ପୀଡ଼ା କଠିନ । ଜୀବନର ଆଶା ମଧ୍ୟ ଅତି ଅଳ୍ପ । ରାତ୍ରିଦିନ ଅକ୍ଳାନ୍ତଭାବରେ ତାହାର ସେବା କରିବାକୁ ଲାଗିଲି । ତାହାର ରୋଗଶଯ୍ୟା ନିକଟରେ ବସି ସର୍ବଦା ପ୍ରଭୁଙ୍କ ନିକଟରେ ତାହାର ଆରୋଗ୍ୟ ନିମିତ୍ତ ପ୍ରାର୍ଥନା କରୁଥାଏ । ଦିନେ ତାହାର ଅବସ୍ଥା ଅତି ଶୋଚନୀୟ ହେଲା, ତାହାର ମାତା ବ୍ୟାକୁଳ ଭାବରେ କ୍ରନ୍ଦନ କରିବାକୁ ଲାଗିଲେ । ମୋର ମନର ଅବସ୍ଥା ନ କହିବା ହିଁ ଭଲ । ଏତେ କାତର ପ୍ରାର୍ଥନା, ଏତେ ଅକ୍ଲାନ୍ତ ସେବାଦ୍ୱାରା କ’ଣ ତାକୁ ଧରି ରଖିପାରିଲି ? ସେ ତ ଏ ଜଗତର ନୁହେଁ, ସେ କାହିଁକି ଏଠାରେ ରହିବ ? ମାତାଙ୍କ କ୍ରୋଡ଼ ଶୂନ୍ୟ କରି, ମୋତେ ଦୁଃଖସାଗରରେ ଭସାଇ ସେ ସେହି ଚିର ଶାନ୍ତିମୟ ରାଜ୍ୟକୁ ଚାଲିଗଲା । ବର୍ତ୍ତମାନ ମୋର ଅବସ୍ଥା କଥା କିପରି ବର୍ଣ୍ଣନା କରିବି ? ମୋ ନିକଟରେ ଦଶଦିଗ କେବଳ ନିରାନନ୍ଦମୟ । ସେ ସ୍ଥାନର ସମସ୍ତ ସୌନ୍ଦର୍ଯ୍ୟ ଯେପରି କ୍ରମେ ବିଲୀନ ହେବାକୁ ଲାଗିଲା । ତେବେ ସୁଦ୍ଧା ମୁଁ କଲ୍ୟାଣୀର ମଧୁର ସ୍ମୃତିକୁ ଏକମାତ୍ର ଅବଲମ୍ବନ କରି ସେହିଠାରେ ରହିବାକୁ ସ୍ଥିର କଲି । କିନ୍ତୁ କ୍ରମେ ସେ ସ୍ଥାନ ମୋ ପକ୍ଷରେ ବିଷମୟ ହୋଇଉଠିଲା । ପ୍ରତ୍ୟେକ କାର୍ଯ୍ୟରେ ମୁଁ ସର୍ବଦା କିପରି ଗୋଟାଏ ଅଭାବ ଅନୁଭବ କଲି । ମନକୁ ଯେତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରେ, ସେତେ ବେଶୀ କଲ୍ୟାଣୀର ଅଭାବ ଜାଗିଉଠେ । ସର୍ବଦା ତାହାର ମଧୁର ବ୍ୟବହାର ମନେ ପଡ଼ି ତାକୁ ଫେରି ପାଇବାକୁ ଇଚ୍ଛା ହୁଏ । କିନ୍ତୁ ତାହା ତ ସମ୍ଭବ ନୁହେଁ ।

 

କଲ୍ୟାଣୀ ତାହାର ପ୍ରତିଜ୍ଞା ଭୁଲି ନାହିଁ । ସେ ଅନେକ ସମୟରେ ଯେପରି ମୋ ନିକଟରେ ଥିବା ପରି ମନେ ହୁଏ । ଯେଉଁ ସମୟରେ ତାପିତ ଚିତ୍ତରେ ମୁଁ ନିର୍ଜନରେ ଏକାକୀ ବସିଥାଏ, ମୃଦୁମନ୍ଦ ପବନ ସଙ୍ଗରେ ତାହାର କୋମଳ ସ୍ପର୍ଶ ଅନୁଭବ କରେ । ନିସ୍ତବ୍ଧ ରାତ୍ରିରେ ତାହାରି କୋମଳ କଣ୍ଠସ୍ୱରରେ ଚମକିଉଠେ । ସ୍ୱପ୍ନରେ ତାହାରି ମଧୁର ଆକୃତି ଦେଖି ଯେତେବେଳେ ନିଦ୍ରାରୁ ଉଠେ, ସେତେବେଳେ ମନେ ହୁଏ, ‘‘ସ୍ୱପ୍ନ ଯଦି ସତ୍ୟ ହୋଇଥାନ୍ତା !’’

 

ଅବଶେଷରେ ମୁଁ ଉନ୍ମତ୍ତ ପ୍ରାୟ ହୋଇଗଲି । ସେ ସ୍ଥାନରେ ବାସ କରିବା ମୋ ପକ୍ଷରେ ଅସମ୍ଭବ ହୋଇପଡ଼ିଲା । କଲ୍ୟାଣୀର ସ୍ମୃତି ମତେ ପାଗଳ କରିଦେଲା । ମୁଁ ଶାନ୍ତିଲାଭ ଆଶାରେ ଚିରଦିନପାଇଁ ସେ ସ୍ଥାନ ତ୍ୟାଗ କଲି ।

 

କଲ୍ୟାଣୀର ଶୋକରେ ଉନ୍ମତ୍ତ ପ୍ରାୟ ହୋଇ ନାନା ସ୍ଥାନରେ ବୁଲୁ ବୁଲୁ ଗୋଟିଏ ନଗରରେ ପହଞ୍ଚିଲି । ସ୍ଥାନଟି ବଡ଼ ଭଲ ଲାଗିଲା । ନଗରର ଆଡ଼ମ୍ବର ଓ ଅନେକ ବିଚିତ୍ର ପଦାର୍ଥ ସବୁ ଦେଖି ବହୁଦିନ ପରେ ମନରେ ଟିକିଏ ଶାନ୍ତି ଲାଭ କଲି । ଭାବିଲି ଏଠାରେ ରହିଲେ କ୍ରମେ ମୋର ସ୍ୱାଭାବିକ ଅବସ୍ଥା ଫେରିଆସିବ ଏବଂ କଲ୍ୟାଣୀର ଗଭୀର ପ୍ରେମର ସ୍ମୃତି ହୃଦୟରେ ଧରି ଅବଶିଷ୍ଟ ଜୀବନ ଅତିବାହିତ କରିବି । ସେଠାରେ ରହି କର୍ମରେ ମନୋନିବେଶ କରି ଏକପ୍ରକାର ଜୀବନ କଟାଉଥିଲି । କିଛିଦିନ ପରେ ଜଣେ ବୃଦ୍ଧ ଭଦ୍ରଲୋକ ବାୟୁ ପରିବର୍ତ୍ତନ ନିମିତ୍ତ ସେଠାକୁ ଆସି ମୋର ପ୍ରତିବେଶୀ ହେଲେ । ଜାଣେ ନାହିଁ, କି କୁକ୍ଷଣରେ ସେହି ଭଦ୍ରଲୋକଟି ସହିତ ମୋର ପରିଚୟ ହୋଇଥିଲା । ତାଙ୍କର ଗୋଟିଏ ମାତ୍ର କନ୍ୟା, ନାମ ଆଶା । ମୁଁ ପ୍ରତିଦିନ ଭଦ୍ରଲୋକଙ୍କ ନିକଟକୁ ଯାଏ ଏବଂ ତାଙ୍କ ସହିତ ଓ ତାଙ୍କ କନ୍ୟା ସହିତ ଆଳାପ କରି ଶାନ୍ତି ଲାଭକରେ ।

 

ମନ ମୋର ପରିବର୍ତ୍ତିତ ହେବାକୁ ଲାଗିଲା । ଆଶା ପ୍ରତି ମୋର ମନ ଅଜ୍ଞାତଭାବରେ ଆକୃଷ୍ଟ ହେବାକୁ ଲାଗିଲା । ନିଜର ମନର ଭାବ ବୁଝିପାରିଲି ନାହିଁ ଏବଂ ଯେତେ ବେଶୀ ଆଶା ପ୍ରତି ମୋ ମନ ଆକୃଷ୍ଟ ହେଲା, ସେତେ ବେଶି କଲ୍ୟାଣୀକୁ ଭୁଲିବାକୁ ଲାଗିଲି । ଶେଷରେ କଲ୍ୟାଣୀକୁ ସମ୍ପୂର୍ଣ୍ଣଭାବରେ ବିସ୍ମୃତ ହେଲି । ନିଜର ପ୍ରତିଜ୍ଞା ଭୁଲିଲି । କେବଳ ଆଶାହିଁ ମୋର ମନର ସର୍ବୋଚ୍ଚ ସ୍ଥାନ ଅଧିକାର କଲା ।

 

ଆଶାକୁ ବିବାହ କଲି, ଭାବିଲି, ବଡ଼ ସୁଖରେ ଜୀବନ କଟାଇବି । ବିବାହର ଅଳ୍ପଦିନ ପରେ ଦିନେ ରାତ୍ରିରେ କଲ୍ୟାଣୀକୁ ସ୍ୱପ୍ନ ଦେଖିଲି । ତାହାର ଦେହ କ୍ଷୀଣ, ବଦନ ମଳିନ, ଚକ୍ଷୁ ଅଶ୍ରୁପୂର୍ଣ୍ଣ । ସେ କହିଲା, ‘‘ତୁମେ ମତେ ଭୁଲିଗଲ, ତୁମର ପ୍ରତିଜ୍ଞା ଭାଙ୍ଗିଲ ? ମୁଁ କିନ୍ତୁ ତୁମକୁ ଭୁଲି ନାହିଁ । କେବେ ସେହି ଶାନ୍ତିମୟ ରାଜ୍ୟକୁ ଯାଇ ମୋ ସହିତ ବାସ କରିବ, ମୁଁ ସେହି ଆଶାରେ ରହିଅଛି ।’’

 

ହଠାତ୍ ଚମକି ଉଠି ବସିଲି, ନିଜର ଭୁଲ ବୁଝିପାରିଲି । ପୁଣି କଲ୍ୟାଣୀର ଶୋକ ଗଭୀର ହୋଇଉଠିଲା । ଆଶାକୁ ବିବାହ କରିବା କେବଳ ସ୍ୱପ୍ନ ମନେ ହେଲା । ଯେଉଁ ସୁଖର ଆଶା କରିଥିଲି, ତାହା ଭାଙ୍ଗିଗଲା । ଜୀବନରେ ମୁହୂର୍ତ୍ତକ ପାଇଁ ସୁଖ ପାଇଲି ନାହିଁ । କେବେ ସେହି ଶୁଭଦିନ ଆସିବ, ଯେଉଁ ଦିନ ସେହି ଶାନ୍ତିମୟ ରାଜ୍ୟକୁ ଯାଇ କଲ୍ୟାଣୀର ପଦତଳେ ପଡ଼ି ନିଜର ଦୋଷପାଇଁ କ୍ଷମା ପ୍ରାର୍ଥନା କରିବି ? ଆଜି ଯାଏ ସେହି ଦିନକୁ ଅପେକ୍ଷା କରି ରହିଅଛି ।

Image

 

ରହସ୍ୟ ଭେଦ

 

ଇଟାଲୀର ପରମରମଣୀୟ ସ୍ଥାନ ଟସ୍କାନିରେ ଆଜି ମଧ୍ୟ ଗୋଟିଏ ପ୍ରାସାଦର ଧ୍ୱଂସାବଶେଷ ପାଠକ ଦେଖିପାରିବେ । ଅଟ୍ଟାଳିକାଟି ବିଶାଳ ଓ ଉନ୍ନତ ପ୍ରାଚୀରଦ୍ୱାରା ବେଷ୍ଟିତ । ପ୍ରାୟ ଦୁଇ ଶତ ବର୍ଷ ପୂର୍ବେ ଏହି ଅଟ୍ଟାଳିକା ଇଟାଲୀର ସର୍ବୋତ୍କୃଷ୍ଟ ଅଟ୍ଟାଳିକା ଥିଲା ।

 

ଶୀତକାଳର ମଧ୍ୟାହ୍ନ । ଜଣେ ଅଶ୍ଵାରୋହୀ ସେହି ଅଟ୍ଟାଳିକା ମଧ୍ୟରୁ ବାହାରିଲେ । ପଥର ଦୁଇ ପାର୍ଶ୍ୱରେ ବହୁ ଲୋକ ତାଙ୍କର ସମ୍ମାନାର୍ଥେ ଦଣ୍ଡାୟମାନ । କିନ୍ତୁ ଅଶ୍ଵାରୋହୀ ସେ ଦିଗରେ ଦୃଷ୍ଟିପାତ ନ କରି ଏକାକୀ ଚାଲିଗଲେ ଏବଂ କିଛିଦୂର ଯାଇ ଅଶ୍ୱର ଗତିକୁ ଦ୍ରୁତ କଲେ ।

 

ଏହି ଅଶ୍ଵାରୋହୀ ଯୁବକ ସେହି ସୁରମ୍ୟ ଅଟ୍ଟାଳିକାର ଅଧିକାରୀ । ଯୁବକ ଉନ୍ନତକାୟ ଓ ଅତି ସୁଶ୍ରୀ, ବୟସ ପଚିଶରୁ ଅଧିକ ହେବ ନାହିଁ । ଯୁବକ କିଛିଦୂର ଅଗ୍ରସର ହୋଇ ଗୋଟିଏ କ୍ଷୁଦ୍ର କୁଟୀର ନିକଟକୁ ଆସିଲେ । ନିକଟବର୍ତ୍ତୀ ବୃକ୍ଷରେ ଅଶ୍ୱଟିକୁ ବାନ୍ଧି ଯୁବକ କୁଟୀର ଆଡ଼କୁ ଅଗ୍ରସର ହେଲେ ।

 

ଗୃହ ମଧ୍ୟରେ ଜଣେ ରମଣୀ ଏକାକିନୀ ଚିନ୍ତାମଗ୍ନା । ତରୁଣୀ ପରମା ସୁନ୍ଦରୀ, ତାହାର ଆକୃତି ଓ ବର୍ଣ୍ଣ ଦେଖିଲେ ଇଂରେଜ ଜାତୀୟା ରମଣୀ ବୋଲି ବିଶ୍ୱାସ ହୁଏ । ଚକ୍ଷୁରେ ତାହାର କି ଶାନ୍ତ, କି ମଧୁର ଭାବ ! ଯୁବକଙ୍କୁ ସମ୍ମୁଖରେ ଦେଖି ହଠାତ୍ ଚମକି ଉଠି ରମଣୀ କହିଲା, ‘‘ଜିଓଭାନି, ତୁମେ ଫେରିଆସିଛ ?’’

 

‘’ହଁ, ଫେରିଆସିଲି’’ଏହା କହି ଯୁବକ ରମଣୀର କର ମର୍ଦନ କରିବାକୁ ଅଗ୍ରସର ହେଲେ ।

 

ରମଣୀ ପଶ୍ଚାତ୍ପଦ ହୋଇ ଚିତ୍କାର କରିଉଠିଲା, ‘‘ନା, ନା, ତୁମେ ମତେ ସ୍ପର୍ଶ କର ନାହିଁ-।’’ ଯୁବକ ତାହାର ଏହି ବ୍ୟବହାରରେ ଅତ୍ୟନ୍ତ ବିସ୍ମିତ ହୋଇ କହିଲେ, ‘‘ଜିନା, ତୁମେ କ’ଣ ପାଗଳ ହୋଇଛ ?’’

 

ତରୁଣୀ କହିଲା, ‘‘ନା, ମୁଁ ଏପର୍ଯ୍ୟନ୍ତ ପାଗଳ ହୋଇ ନାହିଁ, କିନ୍ତୁ ଶୀଘ୍ର ହେବି । ଏପରି ଅବସ୍ଥାରେ ରହିବା ଅପେକ୍ଷା ପାଗଳ ହୋଇଯିବା ଭଲ ।’’

 

ଜିଓଭାନି ସସ୍ନେହରେ କହିଲେ, ‘‘ଜିନା, ଏଗୁଡ଼ାକ ତୁମେ କ’ଣ କହୁଛ ?’’

 

ଜିନା ଉତ୍ତେଜିତ ହୋଇ ଉତ୍ତର କଲା, ‘‘କ୍ଷାନ୍ତ ହୁଅ । ଆଉ ପ୍ରେମସମ୍ଭାଷଣର ପ୍ରୟୋଜନ ନାହିଁ । ମୁଁ ତୁମର ପରିଚୟ ପାଇଛି । ନିର୍ବୋଧ ମୁଁ, ଆଜିପର୍ଯ୍ୟନ୍ତ ତୁମର ପ୍ରତାରଣାରେ ବିଶ୍ୱାସ କରିଥିଲି । ମା’ଙ୍କର ମଧ୍ୟ ନିଷେଧ, ମୁଁ ଆଉ ତୁମ ସହିତ ମିଶିବି ନାହିଁ ।’’

 

ଜିଓଭାନି କହିଲେ, ‘‘ଜିନା, ମୋ ପ୍ରତି ଏହି ସମସ୍ତ ବାକ୍ୟବାଣ ନିକ୍ଷେପ କରିବା ପୂର୍ବରୁ ତାହାର କାରଣଟା ମୁଁ ଶୁଣିପାରେ କି ? ମୁଁ ତ ତୁମକୁ ଠିକ୍ ପୂର୍ବପରି ସ୍ନେହ କରେ ।’’

 

ଜିନା ରୁଦ୍ଧକଣ୍ଠରେ କହିଲେ, ‘‘ସେଥିପାଇଁ କଣ ତୁମେ ଲେଡି ଆଡିଲେଡଙ୍କୁ ବିବାହ କରିବାକୁ ଇଚ୍ଛା କରିଛ ? ଏ କଣ ? ହଠାତ୍ ତୁମ ମୁଖ ବିବର୍ଣ୍ଣ ହୋଇଗଲା ଯେ ?’’

 

ଜିନା ସତ୍ୟ କଥା କହିଥିଲା । ଏହି କଥା ଶୁଣିବା ମାତ୍ରକେ ଜିଓଭାନିଙ୍କ ମୁଖ ବିବର୍ଣ୍ଣ ହୋଇ ଯାଇଥିଲା ।

 

ଜିନା କହିଲା, ‘‘ଏତେବେଳେ ଡେଲ୍ଲାରିପାରେ ତୁମର ଦୀର୍ଘ ଅବସ୍ଥାନର କାରଣ ମୁଁ ବୁଝି ପାରିଛି । କିନ୍ତୁ ତୁମେ ମତେ କହିଥିଲ, ତୁମେ କାର୍ଯ୍ୟବଶତଃ ସେଠାକୁ ଯାଇଥାଅ ।

 

ଯୁବକ କହିଲେ, ‘‘ଜିନା, ବାସ୍ତବିକ କାର୍ଯ୍ୟବଶତଃ ମୁଁ ସେଠାକୁ ଯାଏ । ସେଠାରେ ଲେଡି ଆଡିଲେଡଙ୍କୁ ଦେଖିଛି, ତାଙ୍କ ସହିତ ମୋର ଆଳାପ ହୋଇଛି; କିନ୍ତୁ ଜିନା, ମୁଁ ତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନୁହେଁ । ତୁମ ଏକା ମୋର ହୃଦୟ ଅଧିକାର କରିଛି, ସେଠାରେ ଆଉ କାହାରି ସ୍ଥାନ ନାହିଁ । ଇଚ୍ଛା କଲେ କଲି ତୁମକୁ ବିବାହ କରିପାରେ । ତୁମ ମୋ କଥାରେ ବିଶ୍ୱାସ କର । ବୃଥା ସନ୍ଦେହରେ ପଡ଼ି ମତେ କଷ୍ଟ ଦିଅ ନାହିଁ ।’’

 

ଜିଓଭାନି ଏପରିଭାବରେ କଥାଗୁଡ଼ିକ କହିଲେ ଯେ, ସରଳପ୍ରକୃତି ଜିନା ବିଶ୍ୱାସ ନ କରି ରହିପାରିଲା ନାହିଁ ।

 

କିଛିଦିନ ପର୍ଯ୍ୟନ୍ତ ଜିଓଭାନି ପ୍ରତ୍ୟହ ଜିନା ସହିତ ସାକ୍ଷାତ କରିବାକୁ ଆସନ୍ତି । କିନ୍ତୁ ଜିନାର ଏ ସୁଦିନ ଶୀଘ୍ର ଶେଷ ହୋଇଆସିଲା । କିଛିଦିନ ପରେ ଜିଓଭାନି ତାହା ନିକଟକୁ ଆସିବା କମାଇ ଦେଲେ । ପ୍ରାୟ ଡେଲ୍ଲାରିପାକୁ ଯାନ୍ତି ଏବଂ ସେଠାରେ ଅଧିକାଂଶ ସମୟ ଯାପନ କରନ୍ତି । ଅଳ୍ପଦିନ ପରେ ସମସ୍ତେ ଜାଣିପାରିଲେ ଯେ, ଜିଓଭାନି ଶୀଘ୍ର ଲେଡି ଆଡିଲେଡଙ୍କୁ ବିବାହ କରିବେ-

 

ଶୁକ୍ଲପକ୍ଷ ରଜନୀ । ଭିସିନାରା ପ୍ରାସାଦର ପ୍ରବେଶଦ୍ୱାର ନିକଟବର୍ତ୍ତୀ ବୃକ୍ଷ ତଳେ ଗୋଟିଏ ମନୁଷ୍ୟମୂର୍ତ୍ତି ଉଦ୍‍ବିଘ୍ନ ହୋଇ ଦଣ୍ଡାୟମାନ । କେତେ ମନୁଷ୍ୟ ଯାତାୟାତ କରୁଅଛନ୍ତି, କିନ୍ତୁ ସେ ମୂର୍ତ୍ତି ନିଶ୍ଚଳ ! କିଛିକ୍ଷଣ ପରେ ମୂର୍ତ୍ତିଟି ସେହି ଗୁପ୍ତ ସ୍ଥାନରୁ ନିର୍ଗତ ହୋଇ ପ୍ରସାଦ ମଧ୍ୟରେ ପ୍ରବେଶ କଲା । ପ୍ରାସାଦର ଅଧିକାରୀ କକ୍ଷରେ ବସି ଚିନ୍ତା କରୁଥିଲେ । ହଠାତ୍ ଗୋଟିଏ ଅପରିଚିତ ମନୁଷ୍ୟକୁ ଦେଖି ଚମକିପଡ଼ି କହିଲେ, ‘‘ତୁମେ କିଏ ? ଏଠାକୁ କାହିଁକି ଆସିଛ ?’’

 

‘‘ମୁଁ ତୁମ ନିକଟରୁ ଆଜି ବିଦାୟ ନେବାକୁ ଆସିଛି ଏବଂ ତୁମର ବିବାଦ କଥା ଶୁଣି ତୁମକୁ ଅଭିବାଦନ କରିବାକୁ ଆସିଛି ।’’ ଏହି କଥା କହି ସେ ତାହାର ଉପରର ଆବରଣ ମୋଚନ କରିଦେଲା । ଜିଓଭାନି ବିସ୍ମିତ ହୋଇ ଦେଖିଲେ, ତାଙ୍କ ସମ୍ମୁଖରେ ଜିନା ଦଣ୍ଡାୟମାନ । ଅତ୍ୟନ୍ତ ଚଞ୍ଚଳ ହୋଇ ସେ କହିଉଠିଲେ, ‘‘ଜିନା, ତୁମେ ଏଠାକୁ କିପରି ଆସିଲ ?’’

 

ଜିନା କହିଲା, ‘‘ମୁଁ ନ ଆସିବାକୁ ଅନେକ ଚେଷ୍ଟା କରିଥିଲି । ମୋର ମାନ, ଅହଂକାର ଓ ପ୍ରତିହିଂସା ସାଙ୍ଗରେ ଅନେକ ଯୁଦ୍ଧ କଲି, କିନ୍ତୁ ପାରିଲି ନାହିଁ । ମୋର ନିରାଶ ପ୍ରଣୟ ନିକଟରେ ଆଜି ସମସ୍ତ ପରାଜିତ ହେଲେ ।’’

 

ଜିଓଭାନି କାତରନୟନରେ ଥରେ ତାହାପ୍ରତି ଦୃଷ୍ଟିନିକ୍ଷେପ କଲେ । ଜିନା କହିଲା, ‘‘କାଲି ପ୍ରାତଃକାଳରେ ତୁମେ ବିବାହ କରିବାକୁ ଯିବ, ମୁଁ ଜାଣେ ! ମୁଁ ତୁମର ଯାତ୍ରାର ଆୟୋଜନ ଦେଖିଛି । କିନ୍ତୁ କାହିଁ, ତୁମେ ତ ମୋ ନିକଟରୁ ଥରେ ବିଦାୟ ନେଲ ନାହିଁ ? ସାନ୍ତ୍ୱନା ଦେଇ ପଦେ କଥା ମଧ୍ୟ କହିଲ ନାହିଁ ? ଥରେ ଶେଷ ଦେଖାଦେଇ ଅନୁଗ୍ରହ କଲ ନାହିଁ ? ‘‘ଜିଓଭାନି ନିର୍ବାକ୍ ହୋଇ ତାହାର କଥା ଶୁଣୁଥିଲେ, କିନ୍ତୁ କୌଣସି ଉତ୍ତର ଦେଲେ ନାହିଁ । ଜିନା ପୁନର୍ବାର କହିଲା, ‘‘ଜିଓଭାନି, ଆଜିକି କେତେ ଦିନ ହେଲା ଆମର ସାକ୍ଷାତ ହୋଇଥିଲା, ମନେ ଅଛି କି ? କେତେ ଦିନ—’’

 

ଏତିକି କହିଲା ପରେ ଜିଓଭାନି ସମ୍ଭାଳି ହୋଇ ନ ପାରି କହି ଉଠିଲେ, ‘‘ଜିନା, ମତେ ତିରସ୍କାର କର ନା ମୁଁ ତୁମଠାରୁ ଅଧିକ ଯନ୍ତ୍ରଣା ଭୋଗ କରିଛି । କେବଳ ମୋର ନିଜ ଉପରେ ବିଶ୍ୱାସ ନାହିଁ ବୋଲି ମୁଁ ତୁମ ନିକଟରୁ ବିଦାୟ ନେବାକୁ ଯାଇ ନ ଥିଲି ।’’

 

ଜିନା—‘‘ଏହି କ’ଣ ତୁମର ପ୍ରେମର ପରିଣାମ ? କିନ୍ତୁ ମନେ ଅଛି, ତୁମେ କହିଥିଲ, ତୁମର ହୃଦୟର ସମସ୍ତ ପ୍ରେମ ତୁମେ ମୋ ଉପରେ ଢାଳି ଦେଇଛ ଏବଂ ଏ ପ୍ରେମ ମୃତ୍ୟୁ ପର୍ଯ୍ୟନ୍ତ ସ୍ଥାୟୀ ହେବ ?’’

 

ଜିଓଭାନି—‘‘ଜିନା, ମୁଁ ସତ୍ୟ କଥା କହିଥିଲି । ଆଜି ମଧ୍ୟ କହୁଛି, ତୁମେ ଏକା ମୋର ହୃଦୟର ସମଗ୍ର ପ୍ରେମର ଅଧିକାରିଣୀ । କିନ୍ତୁ ମୁଁ ତୁମକୁ ବିବାହ କରିପାରିବି ନାହିଁ ।’’

 

ଜିନା—‘‘ଲେଡି ଆଡିଲେଡ ତୁମର ସମକକ୍ଷ, ସେଥିପାଇଁ ତୁମେ ତାଙ୍କୁ ବିବାହ କରୁଛ-?’’

 

ଜିଓଭାନି—‘‘ନା, କେବଳ ସମକକ୍ଷତା ଯୋଗୁଁ ନୁହେଁ, ସେ ମୋର ସମଧର୍ମାବଲମ୍ବିନୀ-।’’

 

ଜିନା ଗୋଟିଏ ଦୀର୍ଘନିଶ୍ୱାସ ନିକ୍ଷପ କରି କହିଲା, ‘‘ହାୟ ! କବେ ସେ ସୁଦିନ ଆସିବ, ଯେଉଁଦିନ ପୃଥିବୀର ସମସ୍ତ ଲୋକେ ଏକ ଧର୍ମ ଗ୍ରହଣ କରିବେ, ଏକ ପ୍ରଭୁଙ୍କୁ ପୂଜା କରିବେ ?’’ ଏହା କହି ସେ କିଛିକ୍ଷଣ ନିରବ ହୋଇ ରହିଲା ।

 

ନୀରବତା ଭଙ୍ଗ କରି ଜିଓଭାନି କହିଲେ, ‘‘ଜିନା, ଆଜିଠାରୁ ଆମେମାନେ ଭାଇ ଭଗିନୀ ହେଲୁ । ଆଉ ଗୋଟିଏ କଥା, ଯେର୍ଯ୍ୟନ୍ତ ଆମମାନଙ୍କ ମନ ସଂଯତ ନ ହେବ, ସେତେଦିନ ପର୍ଯ୍ୟନ୍ତ ଯେପରି ଆମମାନଙ୍କର ପରସ୍ପର ସାକ୍ଷାତ ନ ହୁଏ ?’’

 

ଜିନା ଗଦ୍‍ଗଦ ସ୍ୱରରେ କହିଲା, ‘‘ତେବେ କଣ ତୁମେ ଏଠାକୁ ଫେରି ଆସିବ ନାହିଁ ?’’

 

ଜିଓଭାନି କହିଲେ, ‘‘ନା, ମୁଁ ଦୂରରେ ରହି ମୋର ମନକୁ ସଂଯତ କରିବି; ଯାହାଙ୍କୁ ସ୍ତ୍ରୀରୂପେ ଗ୍ରହଣ କରୁଛି, ତାଙ୍କ ପ୍ରତି ସ୍ୱାମୀର କର୍ତ୍ତବ୍ୟ ସମ୍ପୂର୍ଣ୍ଣରୂପେ ପାଳନ କରିବାକୁ ଚେଷ୍ଟା କରିବି-। ବର୍ତ୍ତମାନ ମୋତେ ବିଦାୟ ଦିଅ, ଜିନା ।’’

 

ଏହା କହି ଜିଓଭାନି ସସ୍ନେହରେ ଜିନାର କର ମର୍ଦ୍ଦନ ଏବଂ ଜିନା ଭାରାକ୍ରାନ୍ତ ହୃଦୟରେ ଧୀରେ ଧୀରେ ପ୍ରାସାଦରୁ ବହିର୍ଗତ ହେଲା ।

 

ଜିଓଭାନିଙ୍କ ବିବାହ ଆଜି ସମାରୋହରେ ସମ୍ପନ୍ନ ହେଲା । ଭିସିନାରା ପ୍ରସାଦ ଆଜି ଉତ୍ସବମୟ । ଲେଡି ଆଡିଲେଡଙ୍କ ରୂପପ୍ରଭା ଓ ବେଶଭୂଷା ଦେଖି ଲୋକେ ମୁଗ୍ଧ ଓ ଚକିତ ହୋଇଗଲେ । ବିବାହ ଉତ୍ସବ ଅନେକ ରାତ୍ରି ପର୍ଯ୍ୟନ୍ତ ଚାଲିଲା ।

 

ଆଡିଲେଡ ପରିଚାରିକାମାନଙ୍କ ସହିତ ବେଶ ପରିବର୍ତ୍ତନ କରିବାକୁ ଗଲେ ।

 

ବେଶଗୃହକୁ ଯାଇ ପରିଚରିକାମାନେ ଗୋଟି ଗୋଟି କରି ତାଙ୍କର ଅଳଙ୍କାରମାନ କାଢ଼ିବାକୁ ଲାଗିଲେ । ଲେଡି ଆଡିଲେଡ ବସି ଗୃହର ସାଜ ସଜ୍ଜା ଏବଂ ବହୁମୂଲ୍ୟ ପଦାର୍ଥସବୁ ଦେଖୁଥିଲେ । ହଠାତ୍ ଗୋଟିଏ ପଦାର୍ଥ ତାଙ୍କର ଦୃଷ୍ଟି ଆକର୍ଷଣ କଲା । ସେ ଦେଖିଲେ, ମେଜ ଉପରେ ଗୋଟିଏ ରୌପ୍ୟନିର୍ମିତ ବାକ୍ସ ରହିଅଛି । ବାକ୍ସଟି ନେଇ ଫିଟାଇ ଦେଖିଲେ, ନାନାପ୍ରକାର ସୁଗନ୍ଧି ଦ୍ରବ୍ୟ ତାହା ମଧ୍ୟରେ ଅଛି । ତାଙ୍କର ନାମଲେଖା ଖଣ୍ଡିଏ ମୋହରମରା ପତ୍ର ମଧ୍ୟ ଦେଖିଲେ । ଜିଓଭାନିଙ୍କ କୌଣସି ବନ୍ଧୁଙ୍କର ଉପହାର ମନେ କରି ସେ ଚିଠି ଖଣ୍ଡି ଫିଟାଇଲେ । ଚିଠିରେ ଏହିପରି ଲେଖା ଥିଲା—

 

‘’ତୁମେ ମନେ କରିଅଛ, ତୁମେ ଜିଓଭାନିଙ୍କର ପ୍ରକୃତ ପ୍ରେମର ପାତ୍ରୀ, କିନ୍ତୁ ଏହି କଳ୍ପନା ଘେନି ତୁମେ ନିଶ୍ଚିତ ରହ ନାହିଁ । ବହୁଦିନରୁ ଅନ୍ୟ ଗୋଟିଏ ରମଣୀ ତାଙ୍କର ହୃଦୟ ଅଧିକାର କରି ବସିଅଛି । ଆଉ ତୁମେ ଜାଣ ଯେ, ଥରେ ଜଣକୁ ପ୍ରକୃତ ପ୍ରେମଚକ୍ଷୁରେ ଦେଖେ, ସେ ଅନ୍ୟକୁ ସେପରି ପ୍ରେମ କରିପାରେ ନାହିଁ । ତୁମର ଉଚ୍ଚବଂଶ ଏବଂ ମାନପାଇଁ କେବଳ ସେ ତୁମକୁ ବିବାହ କରିଛନ୍ତି ।’’

 

ଲେଡି ଆଡିଲେଡ ପତ୍ର ପାଠ କରୁ କରୁ ଅଜ୍ଞାନ ହୋଇପଡ଼ିଲେ ।

 

ଜିଓଭାନି ସେପର୍ଯ୍ୟନ୍ତ ତାଙ୍କର କେତେଗୁଡ଼ିଏ ବିଶିଷ୍ଟ ବନ୍ଧୁମାନଙ୍କ ସହିତ ଆମୋଦ କରୁଥିଲେ । ଏପରି ସମୟରେ ଜଣେ ପରିଚାରିକା ଯାଇ ତାଙ୍କୁ ଏ ସମ୍ବାଦ ଦେଲା । ଜିଓଭାନି ବ୍ୟସ୍ତ ହୋଇ ଆସି ଦେଖିଲେ, ଆଡିଲେଡ ଅଜ୍ଞାନ ହୋଇ ଶଯ୍ୟାରେ ପଡ଼ିଅଛନ୍ତି । ଜିଓଭାନି ପରିଚାରିକାମାନଙ୍କୁ ସେ କକ୍ଷରୁ ବିଦାୟ କରିଦେଲେ । କ୍ରମେ ଲେଡି ଆଡିଲେଡଙ୍କର ଚେତନା ହେଲା । ଜିଓଭାନି ତାଙ୍କର ଅସୁସ୍ଥତାର କାରଣ ପଚାରିବାରୁ ସେ ସେହି ପତ୍ର ଖଣ୍ଡିକ ତାଙ୍କୁ ପାଠ କରିବାକୁ ଦେଲେ । ପତ୍ର ପାଠ କରୁ କରୁ ଜିଓଭାନି ଭାବିଲେ, ଏହା ନିଶ୍ଚୟ ଜିନାକୁ ଲକ୍ଷ କରି ଲେଖା ହୋଇଛି । କିଏ ଏପରି ଲେଖିଲା ? ଜିନା ? ନା, ଜିନା କଦାପି ଏପରି କରି ନ ଥିବ । କେଜାଣି, ପ୍ରତିହିଂସା ନେବାପାଇଁ ଏପରି କରି ପାରିଥାଏ ! ଏହିପରି ଚିନ୍ତା କରୁଅଛନ୍ତି, ଏପରି ସମୟରେ ଲେଡି ଆଡିଲେଡ କହି ଉଠିଲେ, ‘‘ଜିଓଭାନି, ମୋ ନିକଟରେ କିଛି ଗୋପନ କର ନାହିଁ; ସତ୍ୟ କହ, ଏହା ସତ୍ୟ କି ନା ।’’

 

ଜିଓଭାନି ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରି କହିଲେ, ‘‘ଆଡିଲେଡ, ଏ ପତ୍ରର କଥା ସମସ୍ତ ମିଥ୍ୟା । ଗୋଟିଏ ରମଣୀ ସହିତ ମୋର ପରିଚୟ ଥିଲା ସତ୍ୟ; କିନ୍ତୁ ତାହା ସହିତ ମୋର ପ୍ରଣୟ ଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା । କୌଣସି ଶତ୍ରୁ ମୋର ଅନିଷ୍ଟ ଇଚ୍ଛାରେ ଏପରି କରିଅଛି ।’’

 

ଆଡିଲେଡ କହିଲେ, ‘‘ସେ ରମଣୀ କିଏ ? ତାହାର ନାମ କଣ ?’’

 

ଜିଓଭାନି କହିଲେ, ‘‘ତୁମେ ସେ କଥା ଭୁଲିଯାଅ । ମତେ ବିଶ୍ୱାସ କର । ତୁମ ଛଡ଼ା ଅନ୍ୟ କାହାରି ପ୍ରତି ମୋର ହୃଦୟରେ ପ୍ରେମ ନାହିଁ । ଏହା ନିଶ୍ଚୟ କୌଣସି ଶତ୍ରୁର କାର୍ଯ୍ୟ ।’’

 

ଜିଓଭାନି ଏହିପରି ଅନେକ ମିଥ୍ୟା କଥା କହି ଆଡିଲେଡଙ୍କୁ ସାନ୍ତ୍ୱନା ପ୍ରଦାନ କଲେ । ଜିଓଭାନିଙ୍କ ମଧୁର ବ୍ୟବହାର ଏବଂ ମିଷ୍ଟ କଥାରେ ଅଳ୍ପକାଳ ମଧ୍ୟରେ ଆଡିଲେଡ ସେ ପତ୍ର କଥା ଭୁଲିଗଲେ ।

 

ବିବାହ ପରେ କେତେକ ମାସ ଗତ ହେଲାଣି । ଲେଡି ଆଡିଲେଡ ଅସୀମ ସୁଖରେ କାଳ କଟାଉଅଛନ୍ତି ଏବଂ ସଂସାରରେ ନିଜକୁ ସର୍ବାପେକ୍ଷା ଭାଗ୍ୟବତୀ ମଣୁଅଛନ୍ତି । ଜିଓଭାନି ମଧ୍ୟ ସାତମତ ତାଙ୍କର ମନ ବଦଳାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଆଡିଲେଡଙ୍କୁ ଅତ୍ୟଧିକ ଭଲ ପାଇଲେ ମଧ୍ୟ ଜିନା ପ୍ରତି ତାଙ୍କର ପ୍ରେମ ଅଟକ ରହିଗଲା ।

 

କିଛିଦିନ ପରେ ଜିଓଭାନି କୌଣସି କାର୍ଯ୍ୟ ଉପଲକ୍ଷରେ ବିଦେଶକୁ ଗଲେ । ସେ ଯିବାପରେ ଦିନେ ପ୍ରାତଃକାଳରେ ଆଡିଲେଡ ତାଙ୍କ କକ୍ଷରେ ଏକାକୀ ବସିଅଛନ୍ତି, ଏପରି ସମୟରେ ତାଙ୍କର ଗୋଟିଏ ପରିଚାରିକା ଆସି କହିଲା ଯେ, ଜଣେ ରମଣୀ ତାଙ୍କ ସହିତ ଦେଖା କରିବାକୁ ଇଚ୍ଛା କରୁଅଛି । ଆଡିଲେଡ ତାକୁ ଆସିବାକୁ ଅନୁମତି ଦେଲେ ।

 

ରମଣୀ ଗୃହ ମଧ୍ୟରେ ପ୍ରବେଶ କରି ନତମସ୍ତକରେ ଛିଡ଼ା ହେଲା । ପାଠକ ପାଠିକା, ଆପଣମାନେ ତାକୁ ଚିହ୍ନିପାରିବେ; କିନ୍ତୁ ଆଡିଲେଡଙ୍କ ନିକଟରେ ସେ ସମ୍ପୂର୍ଣ୍ଣ ଅପରିଚିତା । ତାହାର ଆସିବାର କାରଣ ପଚାରିବାରୁ ସେ କହିଲା, ସେ ଚାକିରି ଅଭିପ୍ରାୟରେ ଆସିଅଛି ।

 

ଆଡିଲେଡ ପଚାରିଲେ, ‘‘ତୁମର ନାମ କଣ ?’’

 

ରମଣୀ ଉତ୍ତର କଲା, ‘‘ମୋର ନାମ ଜିନା ମଣ୍ଟାନୀ ।’’

 

ପ୍ରଶ୍ନ—‘‘ଏଥିପୂର୍ବେ ତୁମେ କେଉଁଠାରେ ଥିଲ ?’’

 

ଉତ୍ତର—‘‘ମୁଁ ଏପର୍ଯ୍ୟନ୍ତ ମୋର ମା’ଙ୍କ ନିକଟରେ ଥିଲି । ବର୍ତ୍ତମାନ ସେ ସ୍ଵର୍ଗାରୋହଣ କରିଅଛନ୍ତି, ଏ ବିଶାଳ ସଂସାରରେ ମୁଁ ଏକା । ଆପଣଙ୍କ ଦୟା କଥା ମୁଁ ଅନେକ ଦିନରୁ ଶୁଣିଥିଲି, ବର୍ତ୍ତମାନ ମୁଁ ଆପଣଙ୍କ ନିକଟରେ ରହିବାକୁ ଇଚ୍ଛା କରେ ।’’

 

ଆଡିଲେଡ କିଛିକ୍ଷଣ ତାହା ସହିତ କଥା କହି ତାହାର ବ୍ୟବହାରରେ ଅତ୍ୟନ୍ତ ସନ୍ତୁଷ୍ଟ ହେଲେ । ଜିନା ଆଡିଲେଡଙ୍କର ପରିଚାରିକା ନିଯୁକ୍ତ ହେଲା ଏବଂ ଅଳ୍ପଦିନ ମଧ୍ୟରେ ତାଙ୍କର ଅତ୍ୟନ୍ତ ପ୍ରିୟ ହୋଇଉଠିଲା ।

 

ଆଜି ଜିଓଭାନିଙ୍କର ଗୃହକୁ ଫେରିବାର କଥା । ଲେଡି ଆଡିଲେଡ ପ୍ରାତଃକାଳରୁ ବାତାୟନ ନିକଟରେ ତାଙ୍କର ପ୍ରତ୍ୟାଗମନ ପ୍ରତୀକ୍ଷା କରୁଅଛନ୍ତି । କକ୍ଷର ଅନ୍ୟ ପାର୍ଶ୍ୱରେ ପରିଚାରିକାମାନେ ଏକତ୍ର ବସି କାରୁକାର୍ଯ୍ୟ କରୁଅଛନ୍ତି । ଆଡିଲେଡଙ୍କର ଆଜି ସେ ଦିଗକୁ ଦୃଷ୍ଟି ନାହିଁ । ସେ ଉତ୍ସୁକନେତ୍ରରେ ପଥକୁ ଚାହିଁଅଛନ୍ତି ।

 

କିଛିକ୍ଷଣ ପରେ କହି ଉଠିଲେ, ‘‘ଲୁକ୍ରେସିଆ, ଏଠାକୁ ଆସ ତ ? ଅନେକ ଦୁରକୁ ଚାହଁ, କଣ ଦେଖୁଛ ?’’

 

ଲୁକ୍ରେସିଆ କହିଲା, ‘‘ବୋଧହୁଏ ପ୍ରଭୁ ଫେରୁଛନ୍ତି, କାରଣ ମୁଁ ଅନେକ ଅଶ୍ୱ ଦେଖିପାରୁଛ ।’’

 

ଆଡିଲେଡ କହିଲେ, ‘‘ବୋଧହୁଏ ତାହାହିଁ ହେବ ।’’

 

ଲୁକ୍ରେସିଆ ନିଜ ସ୍ଥାନକୁ ଯାଇ ସ୍ଵକାର୍ଯ୍ୟରେ ରତ ହେଲା ।

 

ଅଳ୍ପ ସମୟ ମଧ୍ୟରେ ଜିଓଭାନି ଆସି ଗୃହରେ ଉପସ୍ଥିତ । ଆଡିଲେଡଙ୍କ କକ୍ଷ ମଧ୍ୟରେ ପ୍ରବେଶ କରି ସେ ତାଙ୍କ ସହିତ କଥା କହୁଅଛନ୍ତି, ଏପରି ସମୟରେ ଜଣେ ପରିଚାରିକା କହି ଉଠିଲା, ‘‘ଜିନା, ତୁମ ମୁଖ ଏପରି ବିବର୍ଣ୍ଣ ହୋଇଗଲା କାହିଁକି ? ତୁମେ କଣ ଅସୁସ୍ଥ ବୋଧ କରୁଛ-?’’

 

ଜିନା ଟିକିଏ ଅପ୍ରସ୍ତୁତ ହୋଇ କହିଲା, ‘‘ହଠାତ୍ ମୋର ମସ୍ତକରେ କିପରି ଯନ୍ତ୍ରଣା ହେଲା, କିନ୍ତୁ ବର୍ତ୍ତମାନ ଆଉ କିଛି କଷ୍ଟ ନାହିଁ ।’’

 

ଜିଓଭାନି ଏବଂ ଆଡିଲେଡ ସେଠାରେ ଛିଡ଼ା ହୋଇ କିଛିକ୍ଷଣ ମଧୁର ଆଳାପରେ କଟାଇଲେ । ଆଡିଲେଡ ତାଙ୍କୁ ତାଙ୍କର ନୂତନ ପରିଚାରିକା କଥା କହିଲେ ଏବଂ ତାହାର ଅନେକ ପ୍ରଶଂସା କଲେ ।

 

ଭୋଜନ ପରେ ଆଡିଲେଡ କହିଲେ, ‘‘ଜିଓଭାନି, ମୋର ପରିଚାରିକାମାନେ କିପରି କାର୍ଯ୍ୟ କରୁଛନ୍ତି, ଦେଖିବ ଆସ । ଏଥି ମଧ୍ୟରେ ମୁଁ କେତେଗୁଡ଼ିଏ ନୂତନ କାର୍ଯ୍ୟ ଆରମ୍ଭ କରି ଦେଇଛି । ଚାଲ, ସେଠାରେ ନୂତନ ପରିଚାରିକାକୁ ମଧ୍ୟ ଦେଖିବ । ସେ ବଡ଼ ସୁନ୍ଦରୀ ।’’

 

କକ୍ଷ ମଧ୍ୟରେ ପ୍ରବେଶ କରି ଆଡିଲେଡ କହିଲେ, ‘‘କି ଲୁକ୍ରେସିଆ, ତୁମମାନଙ୍କ କାର୍ଯ୍ୟ କିପରି ଅଗ୍ରସର ହେଉଛି ?’’

 

ଲୁକ୍ରେସିଆ ସସମ୍ଭ୍ରମରେ ଆସନରୁ ଉଠି କହିଲା, ‘‘ସବୁ ବେଶ୍‍ ଉତ୍ତମରୂପେ ଚାଲିଛି । ଅନେକଗୁଡ଼ିଏ ପ୍ରାୟ ଶେଷ ହୋଇ ଆସିଲାଣି ।’’

 

ଆଡିଲେଡ କହିଲେ, ‘‘ଜିନା, ତୁମେ ତ ବେଶ୍‍ ସୁନ୍ଦର କାମ କରୁଛ ? ତୁମ କାମଟା ଏଠାକୁ ଆଣ ତ, ଦେଖିବା ।’’

 

ଜିନା ଚକ୍ଷୁ ନତ କରି କମ୍ପିତ ହସ୍ତରେ ତାହାର କାମଟି ଆଡିଲେଡଙ୍କୁ ଦେଲା । ଆଡିଲେଡ ତାଙ୍କ ସ୍ୱାମୀକୁ ଦେଖାଇ କହିଲେ, ‘‘ଦେଖ ତ, ଏଇଟା କି ସୁନ୍ଦର ! ଏହାର ନମୁନା ମୁଁ ସ୍ଵହସ୍ତରେ କରିଛି ।’’ ଏହି କଥା କହି ସେ ଜିଓଭାନିଙ୍କ ମୁଖକୁ ଚାହିଁଲେ । ଜିଓଭାନିଙ୍କ ମୁଖ ଦେଖି ଚମକିଉଠି କହିଲେ, ‘‘ଏ କଣ, ଜିଓଭାନି, ତୁମେ ଏପରି କାହିଁକି ହୋଇଛ ? ତୁମ ଦେହ କଣ ଅସୁସ୍ଥ ?’’

 

ଜିଓଭାନି କହିଲେ, ‘‘ନା, ସେ କିଛି ନୁହେଁ । ଏତେ ବାଟ ଘୋଡ଼ାରେ ଆସି ମୁଁ ବଡ଼ କ୍ଲାନ୍ତ ହୋଇପଡ଼ିଛି । ଟିକିଏ ସରବତ ଖାଇଲେ ଭଲ ଲାଗିବ ।’’

 

ଚତୁରା ଲୁକ୍ରେସିଆ ଜିନା ଓ ଜିଓଭାନିଙ୍କର ଏହି ବ୍ୟାପାର ଦେଖି ପ୍ରଥମରେ ଅବାକ ହୋଇଗଲା । ଅବଶେଷରେ ସ୍ଥିର କଲା, ଏ ଦୁହିଁଙ୍କ ମଧ୍ୟରେ ନିଶ୍ଚୟ କୌଣସି ଗୁପ୍ତ ରହସ୍ୟ ଅଛି । ସେହିଦିନଠାରୁ ସେ ସେହି ରହସ୍ୟ ଭେଦ କରିବାପାଇଁ ଯଥାସାଧ୍ୟ ଚେଷ୍ଟା କରିବାକୁ ଲାଗିଲା ।

 

ଜିଓଭାନି ଗୃହକୁ ଫେରିବାର କିଛିଦିନ ଗତ ହୋଇଗଲାଣି । ଅନେକ କଷ୍ଟ କରି ମଧ୍ୟ ଏପର୍ଯ୍ୟନ୍ତ ସେ ଜିନାକୁ ଏକାକୀ ପାଇ ନାହାନ୍ତି । ଦିନେ ପ୍ରାତଃକାଳରେ ଆଡିଲେଡଙ୍କ ଅନ୍ୱେଷଣରେ ତାଙ୍କ କକ୍ଷ ମଧ୍ୟରେ ପ୍ରବେଶ କଲେ । ସେ କକ୍ଷରେ ଜିନା ଏକାକୀ ବସି କାର୍ଯ୍ୟ କରୁଥିଲା । ଜିଓଭାନି କିନ୍ତୁ ଜିନାକୁ ଦେଖିପାରି ନ ଥିଲେ । କକ୍ଷ ମଧ୍ୟରେ ପ୍ରବେଶ କରି ସେ ଆଡିଲେଡଙ୍କ ନାମ ଧରି ଡାକିବା ମାତ୍ରକେ ଜିନା ଆସନରୁ ଉଠି କହିଲା, ‘‘ମହାଶୟ, ଲେଡି ଆଡିଲେଡ ଏଠାରେ ନାହାନ୍ତି ।’’

 

ଜିଓଭାନି ଫେରିଯାଉଥିଲେ, ହଠାତ୍ ଜିନାର ସ୍ୱର ଶୁଣି ଫେରି ପଡ଼ି କହିଲେ, ‘‘ଜିନା, ତୁମେ ଏଠାରେ ଅଛ ? ଦେଖ, ମୁଁ ଅନେକ ଦିନରୁ ତୁମକୁ ଟିକିଏ ଏକାକୀ ପାଇବାକୁ ସୁଯୋଗ ଖୋଜୁଥିଲି । ଆଜି ସେ ସୁଯୋଗ ଉପସ୍ଥିତ । ଆଚ୍ଛା, ଏ ତୁମର କି ପାଞ୍ଚ ? ତୁମେ ଏଠାକୁ କିପରି ଆସିଲ ଏବଂ କାହିଁକି ବା ଏଠାରେ ପରିଚାରକ ରୂପରେ ରହିଛି ?’’

 

ଜିନା ଏ କଥା ଶୁଣି ଉତ୍ତେଜିତ ହୋଇ କହିଲା, ‘‘ଜିଓଭାନି, ଆଜି ତୁମକୁ ସମସ୍ତ କଥା କହୁଛି, ଶୁଣ । ଏ କେତେଦିନ ମୁଁ ମୋ ଗୃହରେ ଥିଲି ସତ୍ୟ; କିନ୍ତୁ କିପରି ଥିଲି ? ଦିନକପାଇଁ ସୁଦ୍ଧା ତୁମର ଦେଖା ପାଇ ନାହିଁ । ମୁଁ କି ଯନ୍ତ୍ରଣା ଭୋଗ କରିଛି, ଜିଓଭାନି, ତୁମେ ତାହା କଳ୍ପନା କରି ପାରିବ କି ? ମୋର ମାତାଙ୍କର ମୃତ୍ୟୁ ହେଲା, ତୁମେ ବୋଧହୁଏ ଏ ସମ୍ବାଦ ପାଇଛ । ମୋର ଆତ୍ମୀୟ ସ୍ୱଜନମାନେ ସେମାନଙ୍କ ନିକଟକୁ ଯିବାକୁ ଅନୁରୋଧ କଲେ । କିନ୍ତୁ ମୁଁ ସମସ୍ତଙ୍କ ଆହ୍ୱାନ ପ୍ରତ୍ୟାଖାନ କଲି । କାହିଁକି ଜାଣ ? କେବଳ ତୁମକୁ ଦେଖିବା ଆଶାରେ । ଓହୋ ! କେତେଦିନ ମୁଁ ତୁମର ପ୍ରତୀକ୍ଷାରେ ବସିରହିଛି; କିନ୍ତୁ ମୋର ସମସ୍ତ ଆଶା ନିରାଶାରେ ପରିଣତ ହୋଇଛି । କେତେଦିନ ମୁଁ ଦୂରରୁ ତୁମକୁ ସଙ୍ଗୀମାନଙ୍କ ସହିତ ବାଟରେ ଦେଖିଛି, ସେ ଦିନ ମୁଁ ସ୍ୱର୍ଗସୁଖ ଅନୁଭବ କରିଛି । ଶେଷରେ ଗୋଟାଏ କଳ୍ପନା ମୋ ମନକୁ ଆସିଲା । ଏ କଳ୍ପନାଟାକୁ ଦୂର କରି ଦେବାକୁ ମୁଁ ଅନେକ ଚେଷ୍ଟା କରିଥିଲି, କିନ୍ତୁ ପାରିଲି ନାହିଁ ।’’

 

ଜିଓଭାନି—‘‘କି କଳ୍ପନା ତୁମେ କରିଥଲା, ଜିନା ?’’

 

ଜିନା—‘‘ମୁଁ ଭାବିଲି, ଯଦି କୌଣସି ପ୍ରକାରେ ତୁମ ଗୃହରେ ଆଶ୍ରୟ ଗ୍ରହଣ କରିପାରେ, ତେବେ ଦିନ ମଧ୍ୟରେ ଅନ୍ତତଃ ଥରେ ତୁମକୁ ଦେଖି ମନକୁ ଶାନ୍ତ କରିବି । ସୁତରାଂ ଆଜି ତୁମେ ମତେ ଲେଡି ଆଡିଲେଡଙ୍କ ପରିଚାରିକାମାନଙ୍କ ମଧ୍ୟରେ ଦେଖୁଛ । ମତେ ତିରସ୍କାର କର ନାହିଁ, ଜିଓଭାନି, ତୁମେ ଏହାର କାରଣ, ତୁମେ ମୋ ହୃଦୟ ଅଧିକାର କରିଛ ।’’

 

ଜିଓଭାନି—‘‘କିନ୍ତୁ ଜିନା, ଏପରି କାର୍ଯ୍ୟ କରିବା ତୁମର ଉଚିତ ହୋଇ ନାହିଁ । ମୁଁ ଦୂରରେ ରହି ତୁମକୁ ଭୁଲିବାକୁ ଚେଷ୍ଟା କରୁଥିଲି, ବର୍ତ୍ତମାନ ଆମ ଉଭୟଙ୍କର ବିପଦ ଘଟିପାରେ ।’’

 

ଜିନା—‘‘ଜିଓଭାନି, ମନ ଭୁଲାଇବାର ଯଥେଷ୍ଟ ଉପାୟ ତୁମର ଅଛି । କିନ୍ତୁ ମୁଁ କଣ ଦେଇ ମୋ ମନ ଭୁଲାଇବି ?’’

 

ଜିଓଭାନି—‘‘ଜିନା, ଆଜିଯାଏ ସୁଦ୍ଧା ତୁମ ପ୍ରତି ମୋର ସେହି ପ୍ରେମ ଅକ୍ଷୁର୍ଣ୍ଣ ରହିଛି । କିନ୍ତୁ ତାହା ପ୍ରକାଶ କରିବାକୁ ମୁଁ ଅକ୍ଷମ ।’’

 

ଜିନା—‘‘ନା, ମୁଁ ତୁମ ନିକଟରୁ ଆଉ କିଛି ଆଶା କରୁ ନାହିଁ । କେବଳ ମତେ ତୁମର ଆଶ୍ରୟରେ ରହିବାକୁ ଦିଅ । ମତେ ଜଣେ ସାମାନ୍ୟ ପରିଚାରିକା ବୋଲି ମନେ କର ।’’

 

ଜିଓଭାନି—‘‘ଜିନା, ତେବେ ଆଜିଠାରୁ ଆମେ ଦୁହେଁ ପରସ୍ପର ପ୍ରତି ଅପରିଚିତ ପରି ବ୍ୟବହାର କରିବା ।’’

 

ଜିନା—‘‘ତାହାହିଁ ହେଉ, ମାତ୍ର ଗୋଟିଏ କଥା—ଗୋଟିଏ ପ୍ରାର୍ଥନା; ସମୟ ମିଳିଲେ, ସୁଯୋଗ ଘଟିଲେ ମତେ ତୁମର ସେହି ସହାସ୍ୟ କଟାକ୍ଷରୁ ବଞ୍ଚିତ କରିବା ନାହିଁ । ସେତିକି ମୋର ଯଥେଷ୍ଟ ।’’

 

ଜିଓଭାନି ଗଭୀର ଦୀର୍ଘ ନିଶ୍ୱାସ ନିକ୍ଷେପ କଲେ । ଏହି କଥୋପକଥନ ପରେ ଉଭୟେ ସେ କକ୍ଷରୁ ନିଷ୍କ୍ରାନ୍ତ ହେଲେ । ସେମାନେ ଚାଲିଯିବା ପରେ ଲୁକ୍ରେସିଆ ଗୋଟିଏ କଣରୁ ବାହାରିପଡ଼ିଲା । ଏତେକ୍ଷଣ-ଯାଏ ଗୁପ୍ତ ଭାବରେ ରହି ସେ ଉଭୟଙ୍କ କଥାବାର୍ତ୍ତା ଶୁଣୁଥିଲା । ସେ ଆପଣା ମନକୁ କହିଲା, ‘‘ଓଃ ! କି ଭୟାନକ ବ୍ୟାପାର ଆଜି ଦେଖିଲି ! ମୁଁ ଅନେକ ଦିନରୁ ବୁଝିପାରିଥଲି, ଏମାନଙ୍କ ମଧ୍ୟରେ କୌଣସି ଗୁପ୍ତ ରହସ୍ୟ ଅଛି; କିନ୍ତୁ ଏତେଦୂର ଭାବି ନ ଥିଲି । ଏ ମାୟାବିନୀ ଲେଡି ଆଡିଲେଡଙ୍କର ସର୍ବନାଶ ସାଧନ କରିବାକୁ ଉଦ୍ୟତ; ଅଥଚ ସେ ତାକୁ ଏତେ ସ୍ନେହ କରନ୍ତି ! ଯାହାହେଉ ମୁଁ ସର୍ବଦା ସତର୍କ ରହିବି, କେଜାଣି କେତେବେଳେ କି ଅନିଷ୍ଟ ଘଟିବ-!’’

 

ଭିସିନାରା ପ୍ରାସାଦରେ ଆଜି ଏକ ଭୀଷଣ ବ୍ୟାପାର ଚାଲିଅଛି । ଭୃତ୍ୟମାନେ ବ୍ୟସ୍ତ ହୋଇ ଏଣେ ତେଣେ ବୁଲୁଅଛନ୍ତି ପରିଚାରିକାମାନେ ବସି ବିଷର୍ଣ୍ଣ ବଦନରେ କଣ କଥାବାର୍ତ୍ତା ହେଉଛନ୍ତି । ସମ୍ବାଦବାହାକମାନଙ୍କର ବିଶ୍ରାମ ନାହିଁ । ଲେଡି ଆଡିଲେଡଙ୍କ କକ୍ଷ ଆଜି ନିରବ । ସମସ୍ତେ ମୃଦୁ ପଦବିକ୍ଷେପ କରୁଅଛନ୍ତି । ଏହାର କାରଣ, ଲେଡି ଆଡିଲେଡ ଅସୁସ୍ଥ । କିଛିକ୍ଷଣ ପରେ ସମସ୍ତଙ୍କ ମୁଖରେ ହର୍ଷରେଖା ଦେଖାଗଲା । ଲେଡି ଆଡିଲେଡ ଗୋଟିଏ ପୁତ୍ରସନ୍ତାନ ପ୍ରସବ କରିଅଛନ୍ତି । ପୁତ୍ର ପ୍ରସବ ପରେ ଲେଡି ଆଡିଲେଡ ରୋଗର ବିଷମ ଯନ୍ତ୍ରଣା ଭୋଗ କରି ବହୁଦିନ ପରେ ସୁସ୍ଥ ହୋଇଉଠିଲେ । ପୁନର୍ବାର ଭିସିନାରା ପ୍ରାସାଦରେ ପୂର୍ବ ପରି ଆନନ୍ଦର ସ୍ରୋତ ବହିବାକୁ ଲାଗିଲା ।

 

ଲେଡି ଆଡିଲେଡ ଆଜି କୌଣସି ବନ୍ଧୁ ଗୃହକୁ ନିମନ୍ତ୍ରଣ ରକ୍ଷା କରିବାକୁ ଯିବେ ବୋଲି ପ୍ରତିଶୃତ ହୋଇଅଛନ୍ତି । ନିମନ୍ତ୍ରଣକୁ ଯିବା ନିମିତ୍ତ ଆଡିଲେଡ ବେଶଗୃହରେ ଦର୍ପଣ ସମ୍ମୁଖରେ ବସି ସଜ୍ଜିତ ହେଉଅଛନ୍ତି ଲୁକ୍ରେସିଆ ଏବଂ ଜିନା ସେଠାରେ ଉପସ୍ଥିତ ଥାଇ ବେଶବିନ୍ୟାସରେ ସହାୟତା କରୁଅଛନ୍ତି । ଏପରି ସମୟରେ ଜିଓଭାନି ସେ କକ୍ଷରେ ପ୍ରବେଶ କଲେ । ତାଙ୍କ ପଶ୍ଚାତରେ ଧାତ୍ରୀ ତାଙ୍କର ଶିଶୁ ପୁତ୍ରଟିକୁ ଘେନି ପ୍ରବେଶ କଲା । ପୁତ୍ରକୁ ଦେଖି ଆଡିଲେଡ ସ୍ନେହେରେ ଉଚ୍ଛ୍ୱସିତ ହୋଇ କହିଲେ, ‘‘ଜିଓଭାନି, ତାକୁ ମୋ କ୍ରୋଡ଼କୁ ଦିଅ ।’’ ଜିଓଭାନି ଶିଶୁକୁ ଆଡିଲେଡଙ୍କ କ୍ରୋଡ଼କୁ ଦେଲେ । ମାତା ପୁତ୍ର ମୁଖକୁ ଚାହିଁ ଗଦ୍‍ଗଦ କଣ୍ଠରେ କହିଲେ, ‘‘ଦେଖ ତ, କି ସୁନ୍ଦର !’’ ଜିଓଭାନି ତାଙ୍କ କଥା ଅନୁମୋଦନ କରି ସସ୍ନେହରେ ବାରମ୍ବାର ପୁତ୍ରମୁଖ ଚୁମ୍ବନ କଲେ । ଅନନ୍ତର ମାତା ପୁତ୍ରକୁ ଧାତ୍ରୀ କ୍ରୋଡ଼କୁ ଦେଇ ନିଜ କାର୍ଯ୍ୟରେ ଲାଗିଲେ । ଜିଓଭାନି ଆଡିଲେଡଙ୍କ ପଶ୍ଚାତରେ ଠିଆ ହୋଇଥିଲେ । ହଠାତ୍ ତାଙ୍କର ଦୃଷ୍ଟି ଜିନା ଉପରେ ପଡ଼ିଲା । ଦେଖିଲେ, କି ବିଷ ବଦନ, କି କରୁଣ ଦୃଷ୍ଟି ! ତାଙ୍କ ମନରେ ଟିକିଏ ଦୟା ହେଲା, ପୂର୍ବ ପ୍ରେମ ହୃଦୟରେ ଜାଗିଉଠିଲା । ପରସ୍ପର ପରସ୍ପରଙ୍କ ମୁଖ ଆଡ଼କୁ ଚାହିଁ ଟିକିଏ ସ୍ମିତ ହାସ୍ୟ କଲେ । ଭାବିଲେ ଏଇଟା ସମସ୍ତଙ୍କର ଅଗୋଚର ।

 

କିନ୍ତୁ ଜଣେ ଏହି ବ୍ୟାପାର ଦେଖି ପାରିଥିଲେ । ଲେଡି ଆଡିଲେଡ ଦର୍ପଣ ସମ୍ମୁଖରେ ବସିଥିଲେ, ଜିଓଭାନି ଏବଂ ଜିନା ତାଙ୍କ ପଶ୍ଚାତରେ ଥିଲେ, ସୁତରାଂ ଆଡିଲେଡ ସମସ୍ତ ଦେଖିପାରିଲେ । ଦେଖିବା ମାତ୍ରକେ ତାଙ୍କର ସହାସ୍ୟ ମୁଖ ହୋଇଗଲା । ସେ ଫେରି ପଡ଼ି ଲୁକ୍ରେସିୟା ଓ ଜିନାକୁ ସେଠାରୁ ଚାଲଯିବାକୁ ଆଦେଶ ଦେଲେ । ଜିନା ଭୀତ ହୋଇ ସେଠାରୁ ଚାଲିଆସିଲା । ଲେଡି ଆଡିଲେଡ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲେ ଯେ, ଜିଓଭାନି ଏଡ଼େ ଅବିଶ୍ୱାସୀ । ଦୁଃଖରେ ତାଙ୍କର ବକ୍ଷ ବିଦୀର୍ଣ୍ଣ ପ୍ରାୟ ହୋଇଗଲା, ସେ ବ୍ୟାକୁଳ ହୋଇ କ୍ରନ୍ଦନ କରିବାକୁ ଲାଗିଲେ-। ଜିଓଭାନି ଯେତେ ପ୍ରକାରେ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ, କୌଣସି ପ୍ରକାରେ ଶାନ୍ତ କରାଇ ପାରିଲେ ନାହିଁ । ସୁତରାଂ ଅନେକ ବ୍ୟର୍ଥ ଚେଷ୍ଟାପରେ ଜିଓଭାନି ବାଧ୍ୟ ହୋଇ ଏକାକୀ ନିମନ୍ତ୍ରଣ ରକ୍ଷା କରିବାକୁ ବାହାରିଗଲେ ।

 

ଜିଓଭାନି ଚାଲିଯିବା ପରେ ଆଡିଲେଡ ଶଯ୍ୟାରେ ଶୟନ କରି ଅନେକକ୍ଷଣ କ୍ରନ୍ଦନ କଲେ କେତେ ଚିନ୍ତା ତାଙ୍କ ମନକୁ ଆଚ୍ଛନ୍ନ କଲା । ଯେ ତାଙ୍କର ଜୀବନର ସଙ୍ଗୀ, ଯାହାଙ୍କ ଉପରେ ସେ ତାଙ୍କ ହୃଦୟର ସମସ୍ତ ପ୍ରେମ ଢାଳି ଦେଇଅଛନ୍ତି, ସେ ଅନ୍ୟ ନାରୀ ପ୍ରତି ଅନୁରକ୍ତ ! ଓଃ ! ଏହା ଯେ ତାଙ୍କର ଚିନ୍ତାର ଅତୀତ ! ଏହିପରି ଚିନ୍ତା କରୁ କରୁ ହଠାତ୍ ବିବାହ ଦିନର ସେହି ବେନାମୀ ପତ୍ର କଥା ତାଙ୍କ ମନରେ ପଡ଼ିଗଲା । ସେହିକ୍ଷଣି ସେ ସେହି ପତ୍ର ଖଣ୍ଡି ବାହାର କରି ପାଠକଲେ । ପାଠ କରି ସେ ଆପଣ ମନକୁ କହିଲେ, ‘‘ଓଃ ! ଏ ପତ୍ରର ମର୍ମ ମୁଁ ଏତେଦିନ ବୁଝିପାରିଲି । ବିବାହ ରାତ୍ରିରେ ମୁଁ ତାଙ୍କ କଥା ବିଶ୍ୱାସ କରିଥିଲି, କିନ୍ତୁ ଆଜି ଆଉ କିପରି ବିଶ୍ୱାସ କରିବି ? ଓଃ ! କି ଇଚ୍ଛା ! ଅପମାନ !’’

 

ଆଡିଲେଡ ଏହିପରି ଚିନ୍ତା କରୁଅଛନ୍ତି, ଏପରି ସମୟରେ ଲୁକ୍ରେସିଆ ସେ କକ୍ଷରେ ପ୍ରବେଶ କରି ତାଙ୍କ ଦୁଃଖରେ ସହାନୁଭୂତି ପ୍ରକାଶ କଲା । ଆଡିଲେଡ ତାଙ୍କୁ ସେଠାରୁ ଚାଲିଯିବାକୁ ଆଦେଶ ଦେଲେ । ଲୁକ୍ରେସିଆ କହିଲା, ‘‘ମତେ କିଛିକ୍ଷଣ ଏଠାରେ ରହିବାକୁ ଅନୁମତି ଦିଅନ୍ତୁ, ମୁଁ ଏ ବିଷୟରେ ଯାହା ଜାଣେ, ଆପଣଙ୍କ ନିକଟରେ ନିବେଦନ କରିବି ।’’

ଆଡିଲେଡ ତା କଥା ଶୁଣି ଟିକିଏ ବିସ୍ମିତ ହେଲେ ଏବଂ ତାକୁ ପ୍ରକାଶ କରିବାକୁ ଅନୁମତି ଦେଲେ ।

ଲୁକ୍ରେସିଆ ତାହାର ଦେଖିଥିବା ବ୍ୟପାରକୁ ବେଶ୍ ଅତିରଞ୍ଜିତ କରି କହିଗଲା । ଶେଷରେ କହିଲା, ‘‘କିପରି ଦଣ୍ଡ ତାହାର ପାଇବା ଉଚିତ ? ଆପଣ କଣ ମନେ କରନ୍ତି ?’’

ଆଡିଲେଡ ସେତେବେଳେ କ୍ରୋଧରେ ଜଳୁଥିଲେ । ଏ କଥା ଶୁଣି ହଠାତ୍ କହି ପକାଇଲେ, ‘‘ମୃତ୍ୟୁହିଁ ତାହାର ଉପଯୁକ୍ତ ଶାସ୍ତି ।’’

ଲୁକ୍ରେସିଆ ଏ କଥା ଶୁଣି ଉତ୍ସାହିତ ହୋଇ କହିଉଠିଲା, ‘‘ହଁ, ମୃତ୍ୟୁହିଁ ତାହା ପକ୍ଷରେ ଉପଯୁକ୍ତ । ତାହାର ମୃତ୍ୟୁରେ ଆପଣଙ୍କର ଭବିଷ୍ୟତ ମଧ୍ୟ ନିଷ୍କଣ୍ଟକ ହୋଇଯିବ ।’’

ଆଡିଲେଡ କହିଲେ, ‘‘ନା, ଲୁକ୍ରେସିଆ, ମୁଁ କେବଳ ଅତ୍ୟଧିକ କ୍ରୋଧରେ ସେପରି କହିଥିଲି ।’’

ଲୁକ୍ରେସିଆ କହିଲା, ‘‘କାହିଁକି, ଆପଣ ଆଜ୍ଞା ଦିଅନ୍ତୁ, ଏହି ମୁହୂର୍ତ୍ତରେ କାର୍ଯ୍ୟ ଶେଷ ହୋଇଯିବ ।’’

 

ଆଡିଲେଡ କହିଲେ, ‘‘ନା, ନା, ଲୁକ୍ରେସିଆ, ମତେ ଆଉ ଏପରି ପ୍ରଲୋଭନରେ ପକା ନାହିଁ । ମୁଁ ଏଡ଼େ ବଡ଼ ପାପ କରିପାରିବ ନାହିଁ । ସେ ଅତ୍ୟନ୍ତ ମନ୍ଦ, ମୁଁ ଜାଣେ, କିନ୍ତୁ ସେ ତ ଆମରି ପରି ଈଶ୍ୱରଙ୍କ ସନ୍ତାନ ।’’

 

ଲୁକ୍ରେସିଆ ଆଡିଲେଡଙ୍କ ନିକଟକୁ ଯାଇ ଆସ୍ତେ ଆସ୍ତେ କହିଲା, ‘‘କିନ୍ତୁ ଆପଣ କ’ଣ ଜାଣନ୍ତି ନାହିଁ ଯେ, ସେ ଆମମାନଙ୍କର ସମଧର୍ମାବଲମ୍ବୀ ନୁହେଁ ?’’

 

ଲେଡି ଆଡିଲେଡ ଚମକିଉଠି କହିଲେ, ‘‘ଏ କଥା ସତ୍ୟ ?’’ ଲୁକ୍ରେସିଆ କହିଲା, ‘‘ହଁ, ଏହା ସମ୍ପୂର୍ଣ୍ଣ ସତ୍ୟ ?’’ ଆଡିଲେଡ କହିଲେ, ‘‘ତେବେ ତୁମେ ଯାଅ, ଯାଜକ ବାବାଙ୍କୁ ଏଠାକୁ ଡାକି ଆଣ । ସେ ଏହି ସନ୍ଦେହ ଦୂର କରିପାରିବେ ।’’

 

ଏଣେ ଜିନା ଭୀତା ହୋଇ ତାହାର କକ୍ଷରେ ବସି ଏହା ବିଷୟ ଭାବୁଥିଲା । ଏପରି ସମୟରେ ଲେଡି ଆଡିଲେଡ ତାକୁ ଡାକି ପଠାଇଲେ । ଜିନା ସଭୟରେ ଆଡିଲେଡଙ୍କ ନିକଟରେ ବସିଅଛନ୍ତି । ଜିନା ଆଡ଼କୁ କିଛିକ୍ଷଣ ଚାହିଁ ସେ କହିଲେ, ‘‘ନା, ଏ ବାଳିକାକୁ ମୁଁ ପୂର୍ବେ କେବେ ଦେଖି ନାହିଁ, ଏ ମୋ ନିକଟକୁ ଦୀକ୍ଷିତ ହେବାକୁ ଆସି ନାହିଁ କିମ୍ବା କେବେ ଉପାସନା ମନ୍ଦିରରେ ପ୍ରବେଶ କରିନାହିଁ ।’’

 

ଆଡିଲେଡ କହିଲେ, ‘‘ଆପଣ ତାକୁ ପରୀକ୍ଷା କରନ୍ତୁ ।’’

 

ପୁରୋହିତ ଜିନା ଆଡ଼କୁ ଚାହିଁ କହିଲେ, ‘‘ବାଳିକା, ତୁମେ କେଉଁ ଧର୍ମାବଲମ୍ବୀ ?’’

 

ଜିନା ପ୍ରଶ୍ନ ଶୁଣି ବୁଝିପାରିଲା, ତାହାର ଗୋପନୀୟ ବିଷୟ ଯାହା କିଛି ସମସ୍ତ ପ୍ରକାଶ ପାଇଅଛି । କ୍ଷଣକପାଇଁ ତାହା ମନରେ ଟିକିଏ ଭୟ ଜାତ ହେଲା; ମାତ୍ର ତତ୍‍କ୍ଷଣାତ ସେ ଜୋର କରି ସମସ୍ତ ଭୟ ମନରୁ ଦୂର କରି ଦେଇ ସ୍ପଷ୍ଟ ଭାବରେ କହିଲା, ‘‘ମହାଶୟ, ମୁଁ ରୋମାନକାଥଲିକ ନୁହେଁ ।’’

 

ଏ କଥା ଶୁଣି ଲେଡି ଆଡିଲେଡ ଭୟରେ ଜଡ଼ ପ୍ରାୟ ହୋଇଗଲେ । ପୁରୋହିତ କହିଲେ, ‘‘ତୁମେ କଣ ଏକମାତ୍ର ଈଶ୍ୱରଙ୍କୁ ପୂଜା କର ନାହିଁ ?’’

 

ଜିନା—‘‘ହଁ, ଆମେମାନେ ସେହି ଏକ ଈଶ୍ୱରଙ୍କୁ ପୂଜା କରୁ; କିନ୍ତୁ ପୋପ ମାନୁ ନାହିଁ ।’’

 

ପୁରୋହିତ—‘‘କିନ୍ତୁ ବାଳିକା, ତୁମେ ଜାଣ କି, ଅବିଶ୍ୱାସୀମାନେ ପରକାଳରେ କି ଭୟାନକ ଯନ୍ତ୍ରଣା ଭୋଗ କରିବେ ?’’

 

ଜିନା ଶାନ୍ତ ଭାବରେ ଉତ୍ତର କଲା, ‘‘ଭଗବାନ ସେ ଯନ୍ତ୍ରଣାରୁ ଆମମାନଙ୍କୁ ରକ୍ଷା କରିବେ ।’’

 

ପୁରୋହିତ—‘‘ତୁମକୁ ଏପରି ଶିକ୍ଷା କିଏ ଦେଇଛି ?’’

 

ଜିନା—‘‘ମୋର ମାତା ।’’

 

ପୁରୋହିତ ଆଗ୍ରହ ସହିତ କହିଲେ, ‘‘ତୁମର ମାତା ବର୍ତ୍ତମାନ କେଉଁଠାରେ ?’’

 

ଜିନା ସକଳ ନୟନରେ କହିଲା, ‘‘ସେ ବର୍ତ୍ତମାନ ସ୍ୱର୍ଗରେ । ମୁଁ ଏ ସଂସାରରେ ନିରାଶ୍ରୟା, କେବଳ ବାଇବେଲ ଗ୍ରନ୍ଥ ମୋର ସହାୟ ।’’

 

ପୁରୋହିତ ଦେଖିଲେ, ଜିନା ସଙ୍ଗରେ ତର୍କ କରିବା ବୃଥା । ଶେଷରେ କହିଲେ, ‘‘ବାଳିକା, ତୁମର ସେହି ଗ୍ରନ୍ଥ ମତେ ଦିଅ ।’’ ଜିନା ତାହାର କ୍ଷୁଦ୍ର ବାଇବେଲ ଖଣ୍ଡି ପରିଚ୍ଛଦ ଭିତରୁ ବାହାର କରି ପୁରୋହିତଙ୍କ ହସ୍ତରେ ଦେଲା । ପୁରୋହିତ ତାକୁ ସେଠାରୁ ବିଦାୟ କରିଦେଲେ ।

 

ଜିନା ଚାଲିଯିବା ପରେ ଲେଡି ଆଡିଲେଡ ଓ ପୁରୋହିତ ଉଭୟେ କିଛିକ୍ଷଣ ବସି ଚିନ୍ତା କଲେ । ଅବଶେଷରେ ଆଡିଲେଡ କହିଲେ, ‘‘ପିତା, ତାକୁ ଏଠାରୁ ଅନ୍ତର କରିଦେଲେ କିଛି ଦୋଷ ହେବ କି ?’’ ପୁରୋହିତ କହିଲେ, ‘‘ନା, ନା, କିଛି ଦୋଷ ହେବ ନାହିଁ । ତାକୁ ଶୀଘ୍ର ଅନ୍ତର କରିବା ଭଲ । ଯେ କୌଣସିମତେ ତାକୁ ବିଦାୟ କର ।’’ ଏହି କଥା କହି ପୁରୋହିତ ସେଠାରୁ ଚାଲିଗଲେ-। ଅନ୍ତର କରିଦେବା ଅର୍ଥ ପ୍ରାସାଦରୁ ଦୂର କରିଦେବା ଛଡ଼ା ଆଉ କିଛି ତାଙ୍କ ମନରେ ନ ଥିଲା-। ଏଣେ ଆଡିଲେଡ ଭାବିଲେ, ପୁରୋହିତ ଯେତେବେଳେ ଅନୁମତି ଦେଇଅଛନ୍ତି, ସେତେବେଳେ ଯେ କୌଣସି ଉପାୟରେ ଅନ୍ତର କରିବା ଦୋଷାବହ ହେବ ନାହିଁ । ଏହା ଭାବି ସେ ତତ୍‍କ୍ଷଣାତ ଲୁକ୍ରେସିଆକୁ ଡକାଇଲେ ।

 

ଭିସିନାରା ପ୍ରାସାଦର ଚତୁର୍ଦ୍ଦିଗ ନିସ୍ତବ୍ଧ । ସମସ୍ତେ ସ୍ଵ ସ୍ଵ କାର୍ଯ୍ୟ ସମାପ୍ତ କରି ଶୟନ କରିବାକୁ ଗଲେଣି । ହତଭାଗିନୀ ଜିନାର ଚକ୍ଷୁର ଏପର୍ଯ୍ୟନ୍ତ ନିଦ୍ରା ନାହିଁ । ସେ ନିଜ କକ୍ଷରେ ବସି ନିଜର ଦୁଃଖପୂର୍ଣ୍ଣ ଜୀବନ କଥା ଚିନ୍ତା କରୁଥିଲା । ଚିନ୍ତା କରି କରି କ୍ଲାନ୍ତ ହୋଇ ସେ ଗୋଟିଏ ଦୀର୍ଘନିଶ୍ୱାସ ପକାଇ ଶଯ୍ୟାକୁ ଯିବାର ଆୟୋଜନ କରୁଅଛି, ଏପରି ସମୟରେ ଲୁକ୍ରେସିଆ ସେ କକ୍ଷରେ ପ୍ରବେଶ କଲା । ଲୁକ୍ରେସିଆକୁ ଏପରି ସମୟରେ ଦେଖି ଜିନା ଟିକିଏ ଆଶ୍ଚର୍ଯ୍ୟାନ୍ୱିତ ହେଲା । ଲୁକ୍ରେସିଆ ଜିନା ନିକଟକୁ ଯାଇ ଆସ୍ତେ ଆସ୍ତେ କହିଲା, ‘‘ତୁମର ଆଉ ଏ ଶଯ୍ୟାରେ କୌଣସି ପ୍ରୟୋଜନ ନାହିଁ; ତୁମପାଇଁ ଅନ୍ୟ ଏକପ୍ରକାର ଶଯ୍ୟାର ବନ୍ଦୋବସ୍ତ ହୋଇଛି ।’’

ଜିନା—‘‘ତୁମେ କଣ କହୁଛ, ମୁଁ ବୁଝିପାରୁ ନାହିଁ ।’’

ଲୁକ୍ରେସିଆ—‘‘ଆଜି ରାତ୍ରରେ ତୁମକୁ ମରିବାକୁ ହେବ ।’’ ଜିନା ଚିତ୍କାର କରିଉଠିଲା ।

ଲୁକ୍ରେସିଆ—‘‘ଚିତ୍କାର କଲେ କିଛି ଫଳ ହେବ ନାହିଁ । ତୁମର ମୃତ୍ୟୁ ନିଶ୍ଚିତ, ସୁତରାଂ ନୀରବରେ ସହ୍ୟ କର ।’’

ଜିନା—‘‘ମୁଁ ତ କାହାରି କିଛି ଅନିଷ୍ଟ କରିନାହିଁ ?’’

ଲୁକ୍ରେସିଆ—‘‘ଅନିଷ୍ଟ କରି ନାହଁ ? ତୁମେ କାଉଣ୍ଟ ଜିଓଭାନି ଓ ଲେଡି ଆଡିଲେଡଙ୍କ ମଧ୍ୟରେ ଘୋର ଅଶାନ୍ତି ଘଟାଇଛ, ଆଉ ଅବିଶ୍ୱାସୀ ହୋଇ ଏଠାରେ ରହି ଏ ପ୍ରାସାଦ କଳୁଷିତ କରିଛ । ବର୍ତ୍ତମାନ ଆସ, ଆଉ ବିଳାପ କରିବାର ସମୟ ନାହିଁ ।’’

ଜିନା—‘‘କାହାର ଆଦେଶରେ ମୋର ମୃତ୍ୟୁ ହେବ ?’’

ଜିଓଭାନି ସେଦିନ ନିମନ୍ତ୍ରଣକୁ ଯିବାବେଳେ ତାଙ୍କ ନାମାଙ୍କିତ ଅଙ୍ଗୁରୀୟଟି ଛାଡ଼ି ଯାଇଥିଲେ । ଲୁକ୍ରେସିଆ ତାକୁ କାର୍ଯ୍ୟସିଦ୍ଧିର ଉପାୟ ଜାଣି ନିଜ ନିକଟରେ ରଖିଥିଲା; ଜିନାର ପ୍ରଶ୍ନ ଶୁଣିବା ମାତ୍ରକେ ଅଙ୍ଗୁରୀୟଟି ବାହାର କରି ତାକୁ ଦେଖାଇଲା ।

ଅଙ୍ଗୁରୀୟ ଦେଖି ଜିନା ଚିତ୍କାର କରି କାନ୍ଦିଉଠିଲା । ଯାହାପାଇଁ ସେ ଏତେ କଷ୍ଟ, ଏତେ ଲାଞ୍ଚନା ଭୋଗ କରିଅଛି, ତାହାରି ନିକଟରୁ ଆଜି ତାହାର ମୃତ୍ୟୁର ଆଦେଶ ଆସିଅଛି ! ବ୍ୟାକୁଳ ହୋଇ ସେ କହିଲା, ‘‘ଲୁକ୍ରେସିଆ, ମୁହୂର୍ତ୍ତକ ପାଇଁ ଜିଓଭାନିଙ୍କୁ ଏଠାକୁ ଘେନି ଆସ, ମୁଁ ତାଙ୍କଠାରୁ ଶେଷ ବିଦାୟ ଗ୍ରହଣ କରିବି ।’’

ଲୁକ୍ରେସିଆ କହିଲା, ‘‘ବର୍ତ୍ତମାନ ସେ ଲେଡି ଆଡିଲେଡଙ୍କ ନିକଟରେ ଅଛନ୍ତି, ଆସିପାରିବେ ନାହିଁ । ତୁମେ ଶୀଘ୍ର ଆସ, ମୋର ଆଉ ସମୟ ନଷ୍ଟ କରିବାର ଅଧିକାର ନାହିଁ ।’’

ଜିନା କହିଲା, ‘‘ଲୁକ୍ରେସିୟା, ଅନୁଗ୍ରହ କରି ପ୍ରାର୍ଥନା କରିବାକୁ ମତେ ଟିକିଏ ସମୟ ଦିଅ । ଜୀବନର ଶେଷ ସମୟରେ ମୋର ଇଷ୍ଟଦେବତାଙ୍କ ଚରଣରେ ଦୁଇ ଚାରୋଟି କଥା ନିବେଦନ କରିବାକୁ ଅନୁମତି ଦିଅ ।’’

ଜିନା ଏତେ ଅନୁନୟ ବିନୟ କଲା; କିନ୍ତୁ ଲୁକ୍ରେସିଆ ସେ କଥାରେ କର୍ଣ୍ଣପାତ ମଧ୍ୟ କଲା ନାହିଁ । ଏହାର କାରଣ କଣ ? ଜିନାର ମୃତ୍ୟୁପାଇଁ ଏତେ ଉତ୍ସାହୀ ହେବାର ଲୁକ୍ରେସିଆର କି ପ୍ରୟୋଜନ ? କାରଣ ପ୍ରତିହିଂସା । ଲୁକ୍ରେସିଆ ମଧ୍ୟ ଜିଓଭାନିଙ୍କୁ ଅତ୍ୟନ୍ତ ଭଲପାଏ । ସେ ଲେଡି ଆଡିଲେଡଙ୍କର ପ୍ରଧାନା ପରିଚାରିକା ତାହାର ମାନ ଅନ୍ୟାନ୍ୟ ପରିଚାରିକାଙ୍କ ଉପରେ । କିନ୍ତୁ ଜିନା ଆସିବା ଦିନରୁ ଲେଡି ଆଡିଲେଡ ତାକୁ ସର୍ବାପେକ୍ଷା ବେଶୀ ସ୍ନେହ କରୁଥିଲେ । ଏହା କୁଟିଳପ୍ରକୃତି ଲୁକ୍ରେସିଆ ସହ୍ୟ କରିପାରିଲା ନାହିଁ । ପୁଣି ଯେଉଁ ଦିନ ଜିଓଭାନି ଜିନା ସହିତ କଥା କହିବାର ଶୁଣିଲା ଏବଂ ଉଭୟଙ୍କ ମଧ୍ୟରେ କି ସମ୍ପର୍କ ବୁଝି ପାରିଲା, ସେ ଦିନ ତାହା ହୃଦୟରେ ପ୍ରତିହିଂସାର ଅଗ୍ନି ଜଳିଉଠିଲା । କେବଳ ଏତେଦିନଯାଏ ସେ ସୁଯୋଗ ଖୋଜୁଥିଲା । ସୁଯୋଗ ମଧ୍ୟ ତାକୁ ଶୀଘ୍ର ମିଳିଲା ।

 

ଜିନାର କୌଣସି କାକୁତି ମିନତିକୁ ଗ୍ରାହ୍ୟ ନ କରି ଲୁକ୍ରେସିଆ ତାହାର ହସ୍ତ ଧରି ଟାଣି ଘେନିଗଲା । ପ୍ରସାଦରୁ ବାହାରି ସେମାନେ ନିକଟବର୍ତ୍ତୀ ଗୋଟିଏ ଗୀର୍ଜା ନିକଟରେ ଉପସ୍ଥିତ ହେଲେ । ସ୍ଥାନଟି ଜନଶୂନ୍ୟ । ଜିନା ଦେଖିଲା, ସେଠାରେ ଆଉ ଦିଓଟି ମନୁଷ୍ୟମୂର୍ତ୍ତି ଅପେକ୍ଷା କରୁଅଛନ୍ତି । ତାଙ୍କ ନିକଟରେ ଉପସ୍ଥିତି ହୋଇ ଲୁକ୍ରେସିଆ ଜିନାକୁ କହିଲା, ‘‘ଦେଖ, ଜିଓଭାନି ତୁମକୁ ଗୋଟିଏ ଅନୁରୋଧ କରିଛନ୍ତି, ତୁମେ ରକ୍ଷା କରିବ ?’’

 

ଜିନା ଉତ୍ସୁକ ହୋଇ ଚାହିଁଲା । ଲୁକ୍ରେସିଆ କହିଲା, ‘‘ସେ ଅନୁରୋଧ କରିଛନ୍ତି, ତୁମ ପ୍ରତି ତାଙ୍କର ପୂର୍ବ ସ୍ନେହ ସ୍ମରଣ କରି ତୁମେ ଏ ଶାସ୍ତିକୁ ନୀରବରେ ଗ୍ରହଣ କରିବ ?’’

 

ଜିନା ସଭୟରେ ପଚାରିଲା, ‘‘ମୋର ମୃତ୍ୟୁପାଇଁ କି ଉପାୟ ସ୍ଥିର ହୋଇଛି ? ଖଡ଼୍‍ଗଦ୍ୱାରା କଣ ମୋର ପ୍ରାଣ ନେବ ?’’

 

ଲୁକ୍ରେସିଆ କହିଲା, ‘‘ନା, ତୁମକୁ କୌଣସି ପ୍ରକାର ଆଘାତ କରା ହେବ ନାହିଁ ।’’

 

ଜିନା କହିଲା, ‘‘ହଁ, ମୁଁ ବୁଝିଛି, ବିଷଦ୍ୱାରା ମତେ ମାରିବ ! ଯାହା କର, ମୁଁ ନୀରବରେ ସହ୍ୟ କରିବି । ତୁମେ ଜିଓଭାନିଙ୍କୁ କହିବ, ମୁଁ ତାଙ୍କ ଅନୁରୋଧ ରକ୍ଷା କରିଛି । ମୁଁ ତାଙ୍କୁ ଏତେ ଭଲ ପାଏ ଯେ, ନତମସ୍ତକରେ ତାଙ୍କର ଏ ଆଦେଶ ପାଳନ କଲି ।’’

 

ଲୁକ୍ରେସିଆ ଜିନାର ହାତ ଧରି ଆଉ ଟିକିଏ ଆଗକୁ ଘେନିଗଲା । ସେତେବେଳେ ରାତ୍ରି ପ୍ରାୟ ଗୋଟାଏ ବାଜିଲାଣି । ଚାରିଆଡ଼ ନୀରବ ନିସ୍ତବ୍ଧ । କେବଳ ଗୋଟାଏ କ୍ଷୀଣ କରୁଣଧ୍ୱନି ଶୁଣାଗଲା । ଜିନାର ଶାସ୍ତି ଆରମ୍ଭ ହୋଇଅଛି । କାର୍ଯ୍ୟ ଶେଷ କରିବାକୁ ଲୁକ୍ରେସିଆକୁ ପ୍ରାୟ ଏକ ଘଣ୍ଟା ଲାଗିଲା । ଜିନା କୌଣସି ପ୍ରକାର ବାଧା ଦେଲା ନାହିଁ, ନୀରବରେ ମୃତ୍ୟୁଦଣ୍ଡ ଗ୍ରହଣ କଲା ।

 

ଲୁକ୍ରେସିଆ ଗୃହକୁ ଫେରିଆସି ଆଡିଲେଡଙ୍କୁ ସମ୍ବାଦ ଦେଲା । ଦୁହେଁ ଶୟନ କରିବାକୁ ଗଲେ; କିନ୍ତୁ ନିଦ୍ରାବିହୀନ ହୋଇ ରାତ୍ରି କଟାଇଲା ।

 

ଆଡିଲେଡ ଶୟନ କରିବାକୁ ଯିବାପରେ ଜିଓଭାନି ଗୃହକୁ ଫେରିଲେ । ପ୍ରାତଃକାଳରେ ଉଠିବାକୁ ତାଙ୍କର ବିଳମ୍ବ ହେଲା । ଶଯ୍ୟାରୁ ଉଠି ସେ ଦେଖିଲେ, ଚାରିଆଡ଼େ ବ୍ୟସ୍ତତାରେ ଭାବ । କିଛିକ୍ଷଣ ପରେ ବୁଝିପାରିଲେ ଯେ, ଜିନା ମଣ୍ଟାନୀ କେଉଁଆଡ଼େ ଅଦୃଶ୍ୟ ହୋଇଯାଇଛି । ନାନା ଆଡ଼େ ଖୋଜା ଲାଗିଛି । ତାହାର ସମସ୍ତ ଦ୍ରବ୍ୟାବି ଯଥାସ୍ଥାନରେ ରହିଛି; କିନ୍ତୁ ସେ ନାହିଁ । ଜିଓଭାନି ଆଡିଲେଡଙ୍କୁ ପଚାରିଲେ; କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ପାଇଲେ ନାହିଁ । ଶେଷରେ ସମସ୍ତେ ସ୍ଥିର କଲେ ଯେ, ନିଜର ଅନ୍ୟାୟ ବୁଝିପାରି ସେ ଲଜ୍ଜାରେ ପଳାୟନ କରିଛି । ସେଦିନ ପ୍ରାତଃକାଳରେ ଜିଓଭାନି ଯେତେବେଳେ ଗୀର୍ଜା ନିକଟ ଦେଇ ଯାଉଥିଲେ, ସେ ସ୍ପଷ୍ଟ ଶୁଣିପାରିଲେ, ଯେପରି ତାଙ୍କ ନାମ ଧରି କିଏ କରୁଣଭାବରେ କ୍ରନ୍ଦନ କରୁଛି । ସେ ଅନେକ ଅନୁସନ୍ଧାନ କଲେ; କିନ୍ତୁ କିଛି ଫଳ ପାଇଲେ ନାହିଁ ।

 

କିଛିଦିନ ପରେ ଜିନା କଥା ସମସ୍ତେ ଭୁଲିଗଲେ । ଜିଓଭାନି ଓ ଆଡିଲେଡଙ୍କ ମଧ୍ୟରେ ପୁଣି ପୂର୍ବ ପରି ସଦ୍‍ଭାବ ଆସିଲା । ଲୁକ୍ରେସିଆ ପୁଣି ପୂର୍ବ ପରି ପ୍ରାୟ ହୋଇଉଠିଲା ।

 

ଗଭୀର ରାତ୍ରି ! ଭିସିନାରା ପ୍ରାସାଦର ଗୋଟିଏ କକ୍ଷରେ ଜଣେ ଧାତ୍ରୀ ଗୋଟିଏ ଶିଶୁକୁ କ୍ରୋଡ଼ରେ ଘେନି ବସିଛି । ଶିଶୁଟି ପ୍ରାସାଦର ଉତ୍ତରାଧିକାରୀ । ଆଜକୁ ପ୍ରାୟ ୮ ଦିନ ହେଲା ଶିଶୁ ଅସୁସ୍ଥ । ଆଜି ଅବସ୍ଥା ଅତ୍ୟନ୍ତ ଖରାପ । ଲେଡି ଆଡିଲେଡ ପୁତ୍ର ନିକଟରେ ବସିଅଛନ୍ତି; ଜିଓଭାନି ମଧ୍ୟ ଏଠାରେ ଅଛନ୍ତି । ଆଡିଲେଡ କିଛିକ୍ଷଣ ପରେ କହିଲେ, ‘‘ଧାତ୍ରୀ, ବର୍ତ୍ତମାନ ତୁମେ କଣ ମନେ କରୁଛ ? ଶିଶୁର ଅବସ୍ଥା କଣ ଟିକିଏ ଭଲ ବୋଧ ହେଉଛି ?’’ ଧାତ୍ରୀ ଏ କଥାର କୌଣସି ଉତ୍ତର ଦେଲା ନାହିଁ । ଆଡିଲେଡ ବ୍ୟାକୁଳ ହୋଇ କ୍ରନ୍ଦନ କରିବାକୁ ଲାଗିଲେ । ଜିଓଭାନି ତାଙ୍କର ଏପରି ବ୍ୟାକୁଳତା ଦେଖି କହିଲେ, ‘‘ଆଡିଲେଡ, ଚାଲ, ତୁମେ ଟିକିଏ ବିଶ୍ରାମ କରିବ । ଏପରି ଉପର୍ଯ୍ୟୁପରି ରାତ୍ରି ଜାଗରଣରେ ତୁମର ସ୍ୱାସ୍ଥ୍ୟଭଙ୍ଗ ହେବ ।’’

 

ଆଡିଲେଡ ଯିବାକୁ ସମ୍ମତ ନ ହେଲେ ମଧ୍ୟ ଜିଓଭାନି ତାଙ୍କୁ ଜୋର କରି ଘେନିଗଲେ । ସେମାନେ କକ୍ଷରୁ ବାହାରି ଅଳ୍ପଦୂର ଯାଇଅଛନ୍ତି, ଏପରି ସମୟରେ ଧାତ୍ରୀର ଭୀଷଣ ଚିତ୍କାର ଶୁଣିଲେ । ବିସ୍ମିତ ହୋଇ ସେମାନେ ଦୌଡ଼ି ଆସିଲେ । ଦେଖିଲେ, ଧାତ୍ରୀର ମୁଖ ଭୟରେ ବିବର୍ଣ୍ଣ ହୋଇଛ, ସେ କମ୍ପିତ ହେଉଛି ।

 

ଜିଓଭାନି କହିଲେ, ‘‘ଧାତ୍ରୀ, କଣ ହେଲା ? ତୁମେ କାହିଁକି ହଠାତ୍ ଏପରି ହେଲ ?’’

 

ଧାତ୍ରୀ କହିଲା, ‘‘ମହାଶୟ, ମୁଁ ଗୋଟାଏ ପ୍ରେତାତ୍ମା ଦେଖିଲି ।’’

 

ଜିଓଭାନି କହିଲେ, ‘‘ନା, ତୁମେ ସ୍ୱପ୍ନ ଦେଖିଥିବ । କାହାର ପ୍ରେତାତ୍ମାକୁ ଦେଖିଲ ?’’

 

ଧାତ୍ରୀ ଆସ୍ତେ ଆସ୍ତେ କହିଲା, ‘‘ମୁଁ ଜିନା ମଣ୍ଟାନୀର ପ୍ରେତାତ୍ମାକୁ ଦେଖିଲି । ମତେ ବିଶ୍ୱାସ କରନ୍ତୁ, ମୁଁ ଦେଖିଲି, ଜିନା ତାହାର ରାତ୍ରିର ପୋଷାକ ପିନ୍ଧି ମୋ ସମ୍ମୁଖରେ ଛିଡ଼ାହୋଇଛି-।’’

 

ଲୁକ୍ରେସିଆ ସେଠାରେ ଥିଲା । ଏ କଥା ଶୁଣି ତାହାର ଆପାଦମସ୍ତକ ଭୟରେ କମ୍ପିଉଠିଲା ।

 

ଲେଡି ଆଡିଲେଡ ମଧ୍ୟ ଭୟରେ ଅବଶପ୍ରାୟ ହୋଇଗଲେ । ହଠାତ୍ ଶିଶୁ ମୁଖକୁ ଚାହିଁ ଚିତ୍କାର କରି ସେ ଅଜ୍ଞାନ ହୋଇପଡ଼ିଲେ । ସମସ୍ତେ ଅବାକ ହୋଇ ଦେଖିଲେ, ଶିଶୁ ମୃତ ।

 

ଭିସିନାରାର ଏକମାତ୍ର ଉତ୍ତରାଧିକାରୀର ମୃତ୍ୟୁ ପରେ ବହୁଦିନ ଗତ ହେଲାଣି । ଦୁଃଖରେ ପୁତ୍ରର ବିଚ୍ଛେଦରେ ଆଡିଲେଡଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଗ୍ନ ହୋଇଗଲାଣି । ଏବେ ଅଳ୍ପଦିନ ହେଲା ପୁଣି ଗୋଟିଏ ପୁତ୍ର ସନ୍ତାନ ପ୍ରସବ କରିବା ପରେ ସେ ଶଯ୍ୟା ଗ୍ରହଣ କରିଅଛନ୍ତି । ତାଙ୍କର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇଉଠୁଅଛି । ଦିନେ ସନ୍ଧ୍ୟା ସମୟରେ ଆଡିଲେଡ ତାଙ୍କ କକ୍ଷରେ ଶୟନ କରିଅଛନ୍ତି, ଜିଓଭାନି ଲେଡି ଆଡିଲେଡଙ୍କ ନିକଟରେ ବସି ନାନା କଥା କହୁଅଛନ୍ତି-। ଲେଡି ଆଡିଲେଡ କହିଲେ, ‘‘ଦେଖ ଜିଓଭାନି, ତୁମେ ମୋ ନିକଟରେ ସର୍ବଦା ଥାଅ; ମତେ ଛାଡ଼ି କୁଆଡ଼େ ଯାଅ ନାହିଁ ।’’ ଏ କଥା ଶୁଣି ଜିଓଭାନି ଟିକିଏ ହସିଲେ । କିଛିକ୍ଷଣ ପରେ କହିଲେ, ‘‘ମୁଁ ଆଜି ତୁମକୁ ଗୋଟିଏ ପ୍ରଶ୍ନ କରିବି, ଉତ୍ତର ଦେବ କି ?’’ ଆଡିଲେଡ ଉତ୍ସୁକ ହୋଇ ଚାହିଁଲେ-। ଜିଓଭାନି କହିଲେ, ‘‘ଆଚ୍ଛା, ଜିନା ମଣ୍ଟାନୀର କ’ଣ ହେଲା, ତୁମେ ଜାଣ ?’’

 

ଆଡିଲେଡଙ୍କ ମୁଖ ମୃତବତ୍ ବିବର୍ଣ୍ଣ ହୋଇଗଲା । ସେ କାତରକଣ୍ଠରେ କହିଲେ, ‘‘ଜିଓଭାନି, ଆଉ, ସେ କଥା ଆଉ ଉଠାଅ ନାହିଁ । ପୃଥିବୀରେ ଏହି ଏକମାତ୍ର କାରଣ, ଯାହା ଆମମାନଙ୍କ ମଧ୍ୟରେ ଘୋର ଅଶାନ୍ତି ଆଣିଛି । ଯାହାପାଇଁ ଆଜି ମୁଁ ମୃତ୍ୟୁଶଯ୍ୟାରେ ଶାୟିତା, ସେ କଥା ଆଉ କହ ନାହିଁ । ମତେ ଶାନ୍ତିରେ ମରିବାକୁ ଦିଅ ।’’

 

ଜିଓଭାନି ନୀରବ ରହିଲେ, କୌଣସି ଉତ୍ତର ଦେଲେ ନାହିଁ । କିଛିକ୍ଷଣ ପରେ କୌଣସି ପ୍ରୟୋଜନବଶତଃ ସେ ପାର୍ଶ୍ୱବର୍ତ୍ତୀ କକ୍ଷକୁ ଉଠିଗଲେ । ସେ ଯିବାର ପରମୁହୂର୍ତ୍ତରେ ଗୋଟାଏ ଚିତ୍କାର ଶୁଣିଲେ । ଭୀତ ହୋଇ ଦୌଡ଼ିଆସି ଦେଖିଲେ, ଆଡିଲେଡ ଶଯ୍ୟାରେ ଅଜ୍ଞାନ ହୋଇ ପଡ଼ିଅଛନ୍ତି । ଜିଓଭାନି ତାଙ୍କୁ ସୁସ୍ଥ କରାଇ କହିଲେ, ‘‘ଆଡିଲେଡ, ତୁମର କ’ଣ ହେଲା ? ଏପରି ଚିତ୍କାର କାହିଁକି କଲ ?’’

 

ଆଡିଲେଡ କହିଲେ, ‘‘ଜିଓଭାନି, ତୁମେ ଏଠାରୁ ଚାଲିଯିବା ପରେ ମୁଁ ଜିନାର ପ୍ରେତାତ୍ମା ଦେଖିଲି ।’’

 

ଜିଓଭାନି ମୁଖ ଟିକିଏ ଶୁଷ୍କ ହୋଇଗଲା । ସେ କହିଲେ, ‘‘ନା, ନା, ସେଇଟା ତୁମର ଭ୍ରମ । ବର୍ତ୍ତମାନ ଆମେମାନେ ଜିନା ବିଷୟ କଥାବାର୍ତ୍ତା ହେଉଥିଲୁ, ସେଥିପାଇଁ ତୁମେ ତାକୁ ଦେଖିଲ ବୋଲି କଳ୍ପନା କରୁଛ ।’’

 

ଆଡିଲେଡ କହିଲେ, ‘‘ଜିଓଭାନି, ତୁମର ସ୍ମରଣ ଅଛି, ଯେଉଁଦିନ ଆମମାନଙ୍କର ପ୍ରିୟ ପୁତ୍ରର ମୃତ୍ୟୁ ହେଲା, ସେ ଦିନ ଧାତ୍ରୀ ମଧ୍ୟ ଏହିପରି ଦେଖିଥିଲା । ଏହିକ୍ଷଣି ମୁଁ ସ୍ପଷ୍ଟ ତାକୁ ଦେଖିପାରିଛି । ମୋର ମୃତ୍ୟୁ ସମୟ ନିକଟ ହେଲାଣି । ଶେଷ ସମୟରେ ତୁମକୁ ଗୋଟିଏ ଅନୁରୋଧ କରୁଛି, ଆଶା କରେ, ତୁମେ ରକ୍ଷା କରିବ । ମୋର ପୁତ୍ରଟିକୁ ଯତ୍ନରେ ରଖିବ, ତାକୁ ଅବହେଳା କରିବ ନାହିଁ ।’’ ଏହି କଥା କହୁ କହୁ ତାଙ୍କର କଣ୍ଠରୋଧ ହେଲା । ଜିଓଭାନି ବ୍ୟାକୁଳ ହୋଇ ପରିଜନମାନଙ୍କୁ ଡାକିଲେ ।

 

ସମସ୍ତେ ବ୍ୟସ୍ତ ହୋଇ ଆସି ଦେଖିଲେ, ଆଡିଲେଡ ମୃତ ଦେହ ଶଯ୍ୟାରେ ପଡ଼ିରହିଛି-

 

ଲେଡି ଆଡିଲେଡଙ୍କ ମୃତ୍ୟୁ ପରେ, କେତେ ବର୍ଷ ଗତ ହୋଇଗଲାଣି । କାଉଣ୍ଟ ଜିଓଭାନି ପନର୍ବାର ବିବାହ କରିବାର ଉଦ୍ୟୋଗ କରୁଅଛନ୍ତି । ସେଥିପାଇଁ ଆଜି ଭିସିନାରା ପ୍ରସାଦ ପରିଷ୍କୃତ ହେଉଅଛି । ପ୍ରାସାଦର କେତେକ ଅଂଶ ପରିବର୍ତ୍ତିତ ହୋଇ ପୁନନିର୍ମିତ ମଧ୍ୟ ହେଉଛି । ଭୃତ୍ୟମାନେ ପ୍ରସାଦସଂଲଗ୍ନ ଗୀର୍ଜା ନିକଟରେ କାର୍ଯ୍ୟ କରୁଅଛନ୍ତି । ଜିଓଭାନି ସେଠାରେ ଥାଇ ସେମାନଙ୍କ କାର୍ଯ୍ୟ ଦେଖୁଅଛନ୍ତି । ତାଙ୍କ ନିକଟରେ ଗୋଟିଏ ସପ୍ତମବର୍ଷୀୟ ବାଳକ ଛିଡ଼ା ହୋଇଅଛି । କାର୍ଯ୍ୟ ଦେଖୁ ଦେଖୁ ବାଳକ କେତେପ୍ରକାର ପ୍ରଶ୍ନ କରୁଅଛି, ବିଜ୍ଞଭାବରେ କେତେ କଥା ମଧ୍ୟ କହୁଅଛି । ଜିଓଭାନି ନିବିଷ୍ଟଚିତ୍ତରେ ବାଳକର କଥା ଶୁଣୁଛନ୍ତି । ଏପରି ସମୟରେ ଭୃତ୍ୟମାନଙ୍କ ମଧ୍ୟରେ ଗୋଟାଏ କୋଳାହଳ ହେଲା । ଜିଓଭାନି ବାଳକର ହାତ ଧରି ଉତ୍ସୁକ ହୋଇ ସେହି ଦିଗକୁ ଗଲେ । ସେଠାକୁ ଯାଇ ଦେଖିଲେ, ସେମାନେ କାନ୍ଥର ଏକ ଅଂଶ ଭାଙ୍ଗୁ ଭାଙ୍ଗୁ ତାହା ଭିତରୁ ଗୋଟିଏ ମୃତଦେହ ବାହାରି ପଡ଼ିଅଛି । ଶବଟି ଜଣେ ରାମଣୀର । ଦେଖିଲେ ମାନେ ହେବ, ଯେପରି କାଲି ତାହାର ମୃତ୍ୟୁ ଘଟିଅଛି । ଜିଓଭାନି ମୃତଦେହକୁ ଦେଖିବା ନିମିତ୍ତ ଅଗ୍ରସର ହେଲେ । ମୁଖ ଦେଖିବା ମାତ୍ରକେ ସେ ଚିହ୍ନି ପାରିଲେ । ମୃତଦେହଟିକୁ ଆଉ କାହାର ନୁହେଁ, ହତଭାଗିନୀ ଜିନାର ସନ୍ଧାନ ପାଇଲେ । ତାଙ୍କ ମୁଖ ବିବର୍ଣ୍ଣ ହୋଇଗଲା । ସମସ୍ତେ ଦେଖି ଆଶ୍ଚର୍ଯ୍ୟମନ୍ୱିତ ହେଲେ ।

 

ଜିଓଭାନି ସେହିଠାରେ ସେ ମୃତଦେହକୁ ସମାଧିସ୍ଥ କରିବାପାଇଁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ଜିନା ବିଧର୍ମୀ ବୋଲି ଅନେକେ ଆପତ୍ତି କଲେ ।

 

ଇଟାଲୀରେ ଏହିପରି ପ୍ରବାଦ ଅଛି ଯେ, ଲେଡି ଆଡିଲେଡ ବଂଶଧରମାନେ ପ୍ରତ୍ୟେକେ ମୃତ୍ୟୁ ସମୟରେ ଜିନା ମଣ୍ଟାନୀର ପ୍ରେତାତ୍ମାକୁ ଦେଖୁଥିଲେ ।

Image

 

Unknown

ପ୍ରତିବିମ୍ବ

 

ଦିନେ ଶୀତକାଳର ସନ୍ଧ୍ୟାସମୟରେ ଲୁକାସ ମର୍ନି ତାଙ୍କ ଗୃହର ଗୋଟିଏ କକ୍ଷରେ ଏକାକୀ ବସିଥିଲେ । ଆଜି ତାଙ୍କର ବଡ଼ ଉଦାସୀନ ଭାବ । ତାଙ୍କର ଏପରି ନୈରାଶ୍ୟର ପ୍ରଧାନ କାରଣ ଭଗ୍ନସ୍ୱାସ୍ଥ୍ୟ । ଅତିରିକ୍ତ ପରିଶ୍ରମ କରି କରି ତାଙ୍କର ଏହି ଦଶା ହୋଇଅଛି । ସେ ବର୍ତ୍ତମାନ ଅତ୍ୟନ୍ତ ଚିନ୍ତିତ । ଯେ ସମୟରେ ଅତ୍ୟନ୍ତ ବଳବାନ ଏବଂ ଉତ୍ସାହୀ ଥିଲେ, ତାଙ୍କ ପକ୍ଷରେ ଏଇଟା ବାସ୍ତବିକ ଦୁଃଖର ବିଷୟ । ସୁତରାଂ ଆଜି ସେ ତାଙ୍କ ଗୃହରେ ବସି ଏହି ବିଷୟ ଚିନ୍ତା କରି ମ୍ରିୟମାଣ ହୋଇ ପଡ଼ିଅଛନ୍ତି । ନିଜ ଜୀବନ ଉପରେ କିପରି ଗୋଟାଏ ବିତୃଷ୍ଣା ଜନ୍ମି ଯାଇଅଛି । ଅପରାହ୍ନରେ କେତେଗୁଡ଼ିଏ ବନ୍ଧୁ ତାଙ୍କ ସଙ୍ଗରେ ଦେଖା କରିବାକୁ ଆସିଥିଲେ । ସେମାନଙ୍କର କି ଉତ୍ସାହ, କି ଆନନ୍ଦ ! ଲୁକାସ ସେମାନଙ୍କ ଉତ୍ସାହ ଓ ଉଦ୍ୟମ ଦେଖି ଓ ତାହା ସହିତ ନିଜ ଅବସ୍ଥା ତୁଳନା କରି ଅତ୍ୟନ୍ତ ହତାଶ ହୋଇ ବସିଥିଲେ ।

 

ବନ୍ଧୁମାନେ ଚା’ ପାନ ଓ ଆମୋଦ ପ୍ରମୋଦ କରି ଗୃହକୁ ଫେରିଗଲେ । ଗୃହ ଅତ୍ୟନ୍ତ ଅପରିଷ୍କାର ଭାବରେ ପଡ଼ି ରହିଅଛି । ଲୁକାସ୍‌ଙ୍କର ସେ ଆଡ଼କୁ ଦୃଷ୍ଟି ନାହିଁ । ସେ ଝରକା ନିକଟରେ ଗୋଟିଏ ଆରାମ ଚୌକିରେ ବସି ନିଜ ଜୀବନ ବିଷୟ ଚିନ୍ତା କରୁଅଛନ୍ତି । ବାହାରର ଆଲୋକ ଅଳ୍ପ ଅଳ୍ପ ଆସି ଅନ୍ଧକାରମୟ ଗୃହ ମଧ୍ୟରେ ପଡ଼ିଅଛି ।

 

ହଠାତ୍ ସେ ଗୃହ ଭିତରକୁ ଚାହିଁ ଦେଖିଲେ, ଗୋଟିଏ କୋଣରେ କେତେଗୁଡ଼ିଏ ସୋପାନ ଅଛି । ଏହା ତ ସେ ପୂର୍ବେ କେବେ ଦେଖି ନ ଥିଲେ ? ଅନ୍ଧକାର ଯୋଗୁଁ ସେଥିରେ କେତେଟା ସୋପାନ ଅଛି କିମ୍ବା ସେ ସୋପାନଶ୍ରେଣୀ କେଉଁଠାକୁ ଯାଇଅଛି, ସେ ସ୍ଥିର କରିପାରିଲେ ନାହିଁ । କେବଳ ପ୍ରଥମ ପାଞ୍ଚଟା ପାହାଚ ସେ ଦେଖି ପାରୁଥିଲେ । ସେ ପାହାଚ ଦେଖି ତାହା ଜାପାନୀ ରୀତିରେ ନିର୍ମିତ ବୋଲି ତାଙ୍କର ଧାରଣା ହେଲା । ଅନ୍ୟ ପାହାଚଗୁଡ଼ିକ ଦେଖିବାକୁ ଇଚ୍ଛା ହେଲା, କିନ୍ତୁ ଅଳସତା ଯୋଗୁଁ ସେ ଉଠିପାରିଲେ ନାହିଁ । କିଛିକ୍ଷଣ ପରେ ତାଙ୍କର ଇଚ୍ଛା ପ୍ରବଳ ହୋଇ ଉଠିଲା ଏବଂ ସେ ଆଳସ୍ୟ ତ୍ୟାଗ କରି ସେ ସୋପାନ ନିକଟକୁ ଗଲେ । ଦେଖିଲେ, ପାଞ୍ଚଟା ପାହାଚ ପରେ ଗଭୀର ଅନ୍ଧକାର । ସେ ଭାବିଲେ, ନିଶ୍ଚୟ ଏହା ମଧ୍ୟରେ କୌଣସି ସୌନ୍ଦର୍ଯ୍ୟ ନିହିତ ଅଛି ।

 

ପାହାଚ ନିକଟକୁ ଆସି ସେ କିଛିକ୍ଷଣପାଇଁ ଟିକିଏ ଇତସ୍ତତଃ ହେବାକୁ ଲାଗିଲେ । ଅଳ୍ପକ୍ଷଣ ପରେ ଯେପରି କାହାର ପଦଶବ୍ଦ ଶୁଣାଗଲା । ସେ ଉତ୍କଣ୍ଠିତ ହୋଇ ଶୁଣିବାକୁ ଲାଗିଲେ-। ପଦଶବ୍ଦ ଥରେ ଦୂରରେ, ଥରେ ନିକଟରେ ଶୁଣାଗଲା । କ୍ରମଶଃ ସେହି ପଦଶବ୍ଦ ନିକଟତର ହେବାକୁ ଲାଗିଲା । କିଛିକ୍ଷଣ ପରେ ସେ ସେହି ଘୋର ଅନ୍ଧକାରବୃତ୍ତ ପାହାଚ ନିକଟରେ ଗୋଟିଏ ମନୁଷ୍ୟ ମୂର୍ତ୍ତି ଦେଖିଲେ ।

 

ମୂର୍ତ୍ତିଟି ଗୋଟିଏ ରମଣୀର । ରମଣୀଟି ଅଳ୍ପବୟସ୍କା ଏବଂ ତାହାର ଭାବଭଙ୍ଗୀ ମନୋହର । ତାହାର ମୁଖ ଗୋଟିଏ ଜାଲଦ୍ୱାରା ଆବୃତ । ଯେତେବେଳେ ସେ ଆସି ପାହାଚ ଉପରେ ଛିଡ଼ା ହେଲା, ଲୁକାସ ଦେଖିଲେ, ତାହାର ସର୍ବାଙ୍ଗ ପ୍ରାୟ ବସ୍ତ୍ରାବୃତ୍ତ, କେବଳ ତାହାର ଆଜାନୁଲମ୍ବିତ କୃଷ୍ଣ କେଶରାଶି ଛଡ଼ା ଆଉ କୌଣସି ଅଂଶ ଦେଖା ଯାଉ ନାହିଁ । ମୁଖ ସୂକ୍ଷ୍ମ ଜାଲଦ୍ୱାରା ଆବୃତ; ସୁତରାଂ ଲୁକାସ ତାହାର ମୁଖ ସ୍ପଷ୍ଟ ଦେଖିପାରିଲେ । ଦେଖିଲେ, ସେ ବଡ଼ ସୁନ୍ଦରୀ । ନିର୍ନିମେଷଲୋଚନରେ ଲୁକାସ ତାକୁ ଚାହିଁ ରହିଲେ, ସେ ମଧ୍ୟ କିଛିକ୍ଷଣ ଲୁକାସ୍‌ଙ୍କୁ ଚାହିଁ ରହିଲା । କିଛିକ୍ଷଣ ପରେ ସେ ପ୍ରଥମେ କଥା କହିଲା । ସେ କଣ୍ଠସ୍ୱର ଶିଶୁର କଣ୍ଠସ୍ୱର ପରି ମିଷ୍ଟ-। ସେ କହିଲା, ‘‘ତୁମେ ଏପର୍ଯ୍ୟନ୍ତ ଆସିଲା ନାହିଁ କାହିଁକି ? ମୁଁ ତୁମପାଇଁ ବରାବର ଅପେକ୍ଷା କରିଛି-।’’

 

ଲୁକାସ ଇତସ୍ତତଃ ହୋଇ କହିଲେ, ‘‘ମତେ କ୍ଷମା କର । ଆଜି ପର୍ଯ୍ୟନ୍ତ ମୁଁ ଜାଣି ନ ଥିଲି ଯେ, ଏଠାରେ ଏପରି ସୋପାନ ଅଛି । ବାସ୍ତବିକ ମୁଁ ବଡ଼ ନିର୍ବୋଧ । ଆଜି ଅପରାହ୍ନରେ ମୋର କେତେଗୁଡ଼ିଏ ବନ୍ଧୁ ମତେ ଦେଖିବାକୁ ଆସିଥିଲେ ବୋଲି ମୋର ମନେ ହେଉଅଛି, ଏହା ସତ୍ୟ । ଆମେମାନେ ବସି କଥାବାର୍ତ୍ତା ହେଉଥିଲୁଁ—’’

 

ରମଣୀ କହିଲା, ‘‘ହଁ, ମୁଁ ଜାଣେ । ତାଙ୍କ ମଧ୍ୟରେ ଫିନସେଲ ନାମରେ ଜଣେ ଲୋକ ଥିଲା । ସେ ତୁମଠାରୁ ବୟସରେ କିଛି ବଡ଼ ହେବ । ସେ ସେହି ଚୌକିରେ ବସି ଧୂମପାନ କରୁଥିଲା । ସେ ଜଣେ ସାହିତ୍ୟିକ ଏବଂ ଉଚ୍ଚ ବିଷୟରେ ଆଲୋଚନା କରିବାକୁ ଭଲପାଏ । ଆଉ ମଧ୍ୟ ମୁଁ ଜାଣେ, ସେଥିପାଇଁ ତୁମେ ତାକୁ ହିଂସା କର । ବ୍ଳାକି ନାମରେ ଆଉ ଜଣେ ଲୋକ ଆସିଥିଲା, ସେ ତୁମ ପରି ଜଣେ କୁସ୍ତିବାଜ; କିନ୍ତୁ ତୁମଠାରୁ ଅଧିକ ଶକ୍ତିଶାଳୀ । ଫିନସେଲ ଓ ବ୍ଳାକି ଦୁହିଁଙ୍କ କ୍ଷମତା ତୁମଠାରୁ ବେଶ୍‍, ସେମାନଙ୍କର ଖୁବ୍‍ ଉତ୍ସାହ । ସେଥିଲାଗି ତୁମେ ସେମାନଙ୍କୁ ହିଂସା କର । ପଲ୍‌ ନାମରେ ମଧ୍ୟ ଆଉ ଜଣେ ଲୋକ ଆସିଥିଲା । ବାଲ୍ୟକାଳରେ ତୁମେ ତା ସଙ୍ଗରେ ସ୍କୁଲରେ ପଢ଼ିଥିଲ । ପଲ୍‌ଠାରୁ ତୁମର କ୍ଷମତା ବେଶୀ; କିନ୍ତୁ ତା ପରି ତୁମର ଉତ୍ସାହ ନାହିଁ; ସେଥିପାଇଁ ତୁମେ ତାକୁ ହିଂସା କର । ମୁଁ ଏହିପରି ଆହୁରି ଅନେକ କଥା ଜାଣେ । ତୁମେ ତୁମର ବନ୍ଧୁମାନଙ୍କ ପ୍ରତି ବଡ଼ ଅସନ୍ତୁଷ୍ଟ । ତୁମର ଯେପରି ଶକ୍ତି ଅଛି, ତୁମେ ଯଦି ସେମାନଙ୍କ ପ୍ରତି ଭଲ ବ୍ୟବହାର କରନ୍ତ, ତେବେ ତୁମର ଉତ୍ସାହ ହୁଅନ୍ତା । ମୁଁ ତୁମକୁ ଖୁବ୍‍ ଭଲରୂପରେ ଜାଣେ, ତୁମେ ସହଜରେ ସନ୍ତୁଷ୍ଟ ହୋଇ ପାର ନାହିଁ । ତୁମେ—’’ ଏତିକି କହି ସେ ରହିଗଲା । ଲୁକାସ ଉତ୍ସାହିତ ହୋଇ ପଚାରିଲେ, ‘‘ମୁଁ କଣ ?’’

 

ରମଣୀ କହିଲା, ‘‘ଥାଉ, ମୁଁ ବର୍ତ୍ତମାନ ସେ କଥା କହିବାକୁ ରାଜି ନୁହେଁ ।’’

 

ଲୁକାସ କହିଲେ, ‘‘କିନ୍ତୁ ତୁମକୁ କହିବାକୁ ହେବ, ତୁମେ କିଏ ଏବଂ ସମସ୍ତ କଥା ତୁମେ କିପରି ଜାଣିଲ ?’’

 

ରମଣୀ କହିଲା, ‘‘ମୁଁ ଜଣେ ରମଣୀ, କିନ୍ତୁ ମୁଁ ଏ ଜଗତର ନୁହେଁ । ତୁମ ମୋ ମଧ୍ୟରେ ପ୍ରଭେଦ ଏତିକି ଯେ, ମୁଁ ଯାହା ଜାଣେ, ତୁମେ ତାହା ଜାଣ ନାହିଁ । କିନ୍ତୁ ମୁଁ ଅନେକ ସମୟରେ ଏ କଥା ଭୁଲିଯାଏ । ଏହି ଦେଖ ନା, ତୁମେ ତ ଜାଣି ନ ଥିଲ, ଏଠାରେ ସୋପାନ ଅଛି । କିନ୍ତୁ ମୋର ସେ କଥା ମନେ ନ ଥିଲା, ମୁଁ ତୁମକୁ ପଚାରିଲି, ତୁମେ ଏତେବେଳଯାଏ କାହିଁକି ଆସିଲ ନାହିଁ ? ଅଥଚ ଏହି ସମୟ ତୁମ ଆସିବା ପକ୍ଷରେ ଉପଯୁକ୍ତ ।’’ ଏତିକି କହି ସେ ପୁଣି ତୁନି ହୋଇ ରହିଗଲା । କିଛିକ୍ଷଣ ପରେ କହିଲା, ‘‘ଏ ଘରଟା ବଡ଼ ଅନ୍ଧାର, ମୁଁ ତୁମକୁ ଆଦୌ ଦେଖିପାରୁ ନାହିଁ-।’’

 

ଲୁକାସ କହିଲେ, ‘‘ମୁଁ ଏହିକ୍ଷଣ ଆଲୁଅ ଜାଳି ଦେଉଛି । ତୁମପାଇଁ ଏକ ପିଆଲା ଚା ଆଣିବି କି ?’’ ଲୁକାସ ଦେଖିଲେ, ଏ କଥା ଶୁଣି ରମଣୀ ଟିକିଏ ହସିଲା । ପରେ ସେ କହିଲା, ‘‘ନାହିଁ, ତୁମେ ମୋ ସଙ୍ଗରେ ଆସ, ମୁଁ ତୁମକୁ ଗୋଟିଏ ଦର୍ପଣ ଦେଖାଇବି ।’’

 

ଲୁକାସ ପଚାରିଲେ, ‘‘ସେ କଣ ?’’

 

ରମଣୀ କହିଲା, ‘‘ତୁମେ ଯେତେବେଳେ ଦେଖିବ, ସେତେବେଳେ ବୁଝିପାରିବ । ତାର ନାମ—‘ସୁ-ମୁହୂର୍ତ୍ତ ଦର୍ପଣ’ । ମୁଁ ଏ ବିଷୟରେ ତୁମକୁ ପରେ ସବୁ କଥା କହିବି, କିନ୍ତୁ ଏହି ମୁହୂର୍ତ୍ତରେ ତୁମକୁ ଆସିବାକୁ ହେବ ।’’

 

ରମଣୀ ଆଗେ ଆଗେ ଯିବାକୁ ଲାଗିଲା, ଲୁକାସ ଧୀରେ ଧୀରେ ଅତି ସାବଧାନ ହୋଇ ଯାଉଥାନ୍ତି । ସେ ଏହି ରମଣୀର ଗତିବିଧି ଦେଖି ଅବାକ୍‌ ହୋଇଗଲେଣି । କିଛିକ୍ଷଣ ପରେ ସେମାନେ ଗୋଟିଏ କକ୍ଷରେ ଆସି ପହଞ୍ଚିଲେ । କକ୍ଷଟି ଖୁବ୍‍ ବଡ଼ । କକ୍ଷର ମଧ୍ୟଭାଗରେ କଣ ଯେପରି ରୂପା ପରି ଉଜ୍ଜ୍ୱଳ ଦିଶୁଅଛି । ରମଣୀ ସେଠାକୁ ଆସି ଲୁକାସ୍‌ଙ୍କୁ ଦେଖାଇ କହିଲା, ‘‘ଏହି ଦେଖ, ସେହି ସୁମୁହୂର୍ତ୍ତ ଦର୍ପଣ ।’’

 

ସେ କକ୍ଷରେ ଗୋଟିଏ ସୁଦ୍ଧା ଝରକା ନ ଥିଲା; କେବଳ ସେହି ରୌପ୍ୟନିର୍ମିତ ଦର୍ପଣର ଜ୍ୟୋତିରେ କକ୍ଷଟି ଆଲୋକିତ । କକ୍ଷର ପ୍ରାଚୀରର ନାନା ବର୍ଣ୍ଣର ପତାକା ଝୁଲୁଅଛି । କକ୍ଷର ଅପରପାର୍ଶ୍ଵରେ କେତେଗୁଡ଼ିଏ ଚୌକି । ରମଣୀ ଲୁକାସଙ୍କୁ ନେଇ ଗୋଟିଏ ଚୌକିରେ ବସାଇ ପୁନର୍ବାର ଦର୍ପଣ ଦେଖାଇ କହିଲା, ‘‘ଜଗତର ସର୍ବପ୍ରକାର ଆନନ୍ଦର ଦୃଶ୍ୟ ଏହି ଦର୍ପଣରେ ପ୍ରତିବିମ୍ବିତ ହେବ । ମନୁଷ୍ୟ ଜୀବନର ପ୍ରତ୍ୟେକ ପ୍ରଧାନ ପ୍ରଧାନ ଘଟନା, ପ୍ରତ୍ୟେକ ଦୃଶ୍ୟ ଏହା ମଧ୍ୟରେ ଅଛି । ଅତୀତ, ବର୍ତ୍ତମାନ, ଭବିଷ୍ୟତର ସମସ୍ତ ଘଟନା ଏଥିରେ ଦେଖାଯାଏ ।’’

 

ଲୁକାସ କହିଲେ, ‘‘ମୁଁ କଣ ଏହା ଦେଖି ପାରିବି ?’’

 

ରମଣୀ—‘‘ଇଚ୍ଛା କଲେ ଦେଖିପାରିବ ।’’

 

ଲୁକାସ—‘‘କିପରି ଦେଖିବି ?’’

 

ରମଣୀ—‘‘ତୁମେ ସେ ଦର୍ପଣକୁ ଚାହିଁ ଯାହା ଜୀବନର ଘଟନା ଦେଖିବାକୁ ଇଚ୍ଛା କରିବ, ତାହାର ନାମ କହିବ । ଯାହାକୁ ମନେ କରିବ, ସେ ତୁମ ସମ୍ମୁଖରେ ଆସି ଦେଖାଦେବ । କିନ୍ତୁ କେତେକ ଲୋକ ଅଛନ୍ତି, ଯେଉଁମାନଙ୍କ ଜୀବନ ଏଥିରେ ପ୍ରତିବିମ୍ବିତ ହୁଏ ନାହିଁ । କାରଣ ସେମାନଙ୍କ ଜୀବନରେ କୌଣସି ପ୍ରଧାନ ଘଟନା ଘଟି ନାହିଁ ।’’

 

ଲୁକାସ ଚୌକିରୁ ଉଠି ଦର୍ପଣ ନିକଟକୁ ଗଲେ । ଦର୍ପଣ ସମ୍ମୁଖରେ ଛିଡ଼ା ହୋଇ କାହା କଥା ଭାବିବେ ପ୍ରଥମେ କିଛି ଠିକ୍‍ କରି ପାରିଲେ ନାହିଁ । କିଛିକ୍ଷଣ ପରେ ସେ ବ୍ଲାକିର ପ୍ରତିମୂର୍ତ୍ତି ଦର୍ପଣରେ ଦେଖାଗଲା । ତା ପରେ ଯେଉଁ ଖେଳରେ ବ୍ଲାକି ତାଙ୍କୁ ପରାଜିତ କରିଥିଲା, ସେହି ଖେଳ ଦର୍ପଣରେ ପ୍ରତିବିମ୍ବିତ ହେବାକୁ ଲାଗିଲା । ସେ ଦେଖିଲେ, ପ୍ରଥମେ ସେ ବ୍ଲାକିଠାରୁ ଅନେକ ଆଗରେ ଅଛନ୍ତି । ଦର୍ଶକମାନେ ଉତ୍ସାହିତ ହୋଇ ଚିତ୍କାର କରୁଅଛନ୍ତି । ପରେ ବ୍ଲାକି ମହା ଉତ୍ସାହରେ ଅଗ୍ରସର ହେବାକୁ ଲାଗିଲା । କିଛିକ୍ଷଣ ପରେ ବ୍ଲାକି ପ୍ରାୟ ତାଙ୍କର ନିକଟବର୍ତ୍ତୀ ହୋଇପଡ଼ିଲା । ଦର୍ଶକମାନେ ବ୍ଲାକିକୁ ଖୁବ୍‍ ଉତ୍ସାହ ଦେବାକୁ ଲାଗିଲେ । ଦେଖୁ ଦେଖୁ ବ୍ଲାକି ତାଙ୍କୁ ଅତିକ୍ରମ କରି ଅଗ୍ରବର୍ତ୍ତୀ ହୋଇଗଲା । ଏହା ଦେଖି ଅତ୍ୟନ୍ତ କ୍ରୁଦ୍ଧ ହୋଇ ଲୁକାସ ଦର୍ପଣରୁ ମୁଖ ଫେରାଇ ନେଲେ ଏବଂ ରମଣୀଙ୍କୁ ପଚାରିଲେ, ‘‘ବ୍ଲାକିର ଜୀବନର ଘଟନା କଣ ବାସ୍ତବିକ ପ୍ରତିବିମ୍ବିତ ହେଉଅଛି ? ତାହାର ଜୀବନର କଣ ଏହା ସର୍ବାପେକ୍ଷା ଆନନ୍ଦଦାୟକ ଘଟନା ?’’

 

ରମଣୀ—‘‘ହଁ, ଏହାହିଁ ତାହାର ଜୀବନର ସର୍ବାପେକ୍ଷା ଆନନ୍ଦର ବିଷୟ । ସେ ତୁମକୁ ଜୟ କରି ଯେପରି ଆନନ୍ଦ ଲାଭ କରିଥିଲା, ଏପରି ଆନନ୍ଦ ଆଉ ସେ କେବେହେଁ ପାଇବ ନାହିଁ । ସେ ବିବାହ କରିବ, ତାହାର ପୁତ୍ର କନ୍ୟା ହେବେ, କିନ୍ତୁ ତାହାର ବିବାହିତ ଜୀବନ ମଧ୍ୟ ଏପରି ଆନନ୍ଦଦାୟକ ହେବ ନାହିଁ ।’’

 

ଲୁକାସ କିଛିକ୍ଷଣ ନୀରବରେ ବସି ଚିନ୍ତା କରିବାକୁ ଲାଗିଲେ । ପରେ ଆପଣା ମନକୁ କହିଲେ, ‘‘ମୁଁ ଆଉ ଥରେ ଦର୍ପଣ ଦେଖିବି ।’’ ଏହା କହି ସେ ଦର୍ପଣ ନିକଟକୁ ଯାଇ ପଲ୍ ନାମ ଉଚ୍ଚାରଣ କଲେ । ତତ୍‌କ୍ଷଣାତ୍ ପଲ୍‌ର ମୂର୍ତ୍ତି ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲା । ପଲ୍ ଯେ ଶିକ୍ଷାରେ ଲୁକାସଙ୍କୁ ଅତିକ୍ରମ କରିଅଛି, ତାହା ନୁହେଁ; ତାହାର ସ୍ୱଭାବ ବଡ଼ ମଧୁର, ସେ ବଡ଼ ମହତ୍-। ପଲ୍‌ର ଭବିଷ୍ୟତ୍ ଜୀବନର ସମସ୍ତ ଘଟନା ଦର୍ପଣରେ ପ୍ରତିମ୍ବିତ ହେଲା । ଗୋଟିଏ ଗୀର୍ଜା ଭିତରର ଛବି ପ୍ରତିବିମ୍ବିତ ହେଲା । ଲୁକାସ ଦେଖିଲେ; ଗୀର୍ଜାଟି ସୁସଜ୍ଜିତ, ବେଦି ନିକଟରେ ମୂଲ୍ୟବାନ ଆଲୋକ ସବୁ ଜଳୁଅଛି । ପ୍ରାଚୀରରେ କ୍ରୂଶ ଚିହ୍ନ ଅଙ୍କିତ ରହିଅଛି ।

 

ଲୁକାସ ଦେଖିଲେ, ଗୀର୍ଜା ମଧ୍ୟରେ କେହି ନାହାନ୍ତି, କେବଳ ବେଦି ନିକଟରେ କୃଷ୍ଣ ପରିଚ୍ଛଦଧାରୀ ଗୋଟିଏ ମନୁଷ୍ୟ ମୂର୍ତ୍ତି ଅବନତ ମସ୍ତକରେ ଧ୍ୟାନ କରୁଅଛି । ଲୁକାସ ସେ ମୂର୍ତ୍ତି ଦେଖି ଚିହ୍ନି ପାରିଲେ, ଏହା ପଲ୍‌ର ମୂର୍ତ୍ତି ।

 

ଚିତ୍ର ଅନ୍ତର୍ହିତ ହୋଇଗଲା । ଲୁକାସ ଆସି ଚୌକିରେ ବସିଲେ । ରମଣୀଟି ତୁନି ହୋଇ ଛିଡ଼ା ହୋଇଥିଲା । ଲୁକାସ ତାହା ଆଡ଼କୁ ଚାହିଁ ଦେଖିଲେ, ତାହାର ମୁଖରେ ଏପରି ଗୋଟାଏ ଆକର୍ଷିଣୀ ଶକ୍ତି ଅଛି, ଯାହା ସେ ପୂର୍ବେ କେବେ ଦେଖି ନ ଥିଲେ । କିଛିକ୍ଷଣ ପରେ କହିଲେ, ‘‘ମୁଁ ତ ପଲ୍‌କୁ ହିଂସା କରେ ନାହିଁ । ମୁଁ ଜାଣେ, ମୁଁ କେବେ ତାହା ସମାନ ହୋଇପାରିବି ନାହିଁ । ପୂର୍ବର ଛବି ଦେଖି ମୋର ଯେପରି କ୍ରୋଧ ହୋଇଥିଲା, ଏ ଛବି ଦେଖି ମୋ ମନରେ ସେପରି ହୋଇ ନାହିଁ ।’’ ସେ ରମଣୀର ମୁଖ ଆଡ଼କୁ ସ୍ଥିରଦୃଷ୍ଟିରେ ଚାହିଁଲେ, ପରେ କହିଲେ, ‘‘ଦେଖ, ତୁମେ ତୁମର ମୁଖର ଆବରଣ ଖୋଲି ଦିଅ, ମତେ ଭଲ କରି ଦେଖିବାକୁ ଦିଅ । ମୁଁ ତୁମ ବିଷୟରେ ଅନେକ କଥା ଜାଣିବାକୁ ଇଚ୍ଛା କରେ । ଏହିଠାରେ ତୁମ ନିକଟରେ ବସି କଥାବାର୍ତ୍ତା ହେଲେ ଭଲ ହେବ ନାହିଁ ।’’

 

ରମଣୀ—‘‘ହଁ, ତୁମ ସଙ୍ଗରେ ଶୀଘ୍ର କଥାବାର୍ତ୍ତା ହେବି । ତାହା ପରେ ତୁମେ ମତେ ଦେଖିବ । ଆଚ୍ଛା, ଏ ଦର୍ପଣ ତୁମକୁ କିପରି ବୋଧ ହେଲା ?’’

 

ଲୁକାସ—‘‘ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । କିନ୍ତୁ ମୋର ଭୟ ହେଉଅଛି ଯେ, ଅନ୍ୟମାନଙ୍କ ଜୀବନର ଏହିପରି ଆନନ୍ଦପୁର୍ଣ୍ଣ ଘଟନା ଦେଖି ମୁଁ ବୋଧହୁଏ ନିଜ ଉପରେ ଅଧିକ ଅସନ୍ତୁଷ୍ଟ ହୋଇଯିବି । ତୁମେ ବୋଧହୁଏ ପ୍ରଥମରୁ ବୁଝି ପାରିଅଛ, ମୁଁ ଏହିପରି ଘଟନା ଦେଖି ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇଅଛି ।’’

 

ରମଣୀ—‘‘ଦେଖ, ତୁମେ ଏହା ଦେଖି ଏତେ ବିଚଳିତ ହୋଇ ପଡ଼ ନାହିଁ । ଭାବ ନାହିଁ ଯେ, ଏହି ଆନନ୍ଦ ହିଁ ମନୁଷ୍ୟ ଜୀବନର ସାର ପଦାର୍ଥ । ମୋର ମନେ ହୁଏ, ଯେଉଁ ଜୀବନରେ ଏପରି ଘଟନାମାନ ଘଟି ନାହିଁ, ଯେଉଁ ଜୀବନ ଶାନ୍ତ, ସେହି ଜୀବନହିଁ ଉତ୍କୃଷ୍ଟ । ତୁମର ବନ୍ଧୁ ଫିନସେଲଙ୍କ ଜୀବନର ଗୋଟିଏ ଘଟନା ଏଥିରେ ଅଛି, ମୋର ଇଚ୍ଛା, ତୁମ ସେ ଛବିଟି ଦେଖିବ । ତୁମେ ଆଗେ ଦେଖ, ପରେ ମୁଁ ତୁମକୁ କେତେକ କଥା କହିବି ।’’

 

ଲୁକାସ ରମଣୀର କଥା ଅନୁସାରେ ଦର୍ପଣ ନିକଟକୁ ଗଲେ । ଦେଖିଲେ, ଗୋଟିଏ ଅତି କ୍ଷୁଦ୍ର ଜୀର୍ଣ୍ଣ ମଳିନ ଗୃହ । ଗୃହ ମଧ୍ୟରେ ଛୋଟ ଭଙ୍ଗା ମେଜ, ମେଜ ଉପରେ ଗୋଟିଏ ଆଲୁଅ-। ମେଜ ନିକଟରେ ଫିନସେଲ ବସିଛନ୍ତି । ମେଜ ଉପରେ ଅନେକ ପାଣ୍ଡୁଲିପି ରହିଅଛି ଏବଂ ଫିନସେଲ ବସି ଲେଖୁଛନ୍ତି ।

 

ଚିତ୍ରଟି ଅନ୍ତର୍ନିହିତ ହେବ ପରେ ଲୁକାସ କହିଲେ, ‘‘ମୁଁ ଏଇଟା ବୁଝି ପାରିଲି ନାହିଁ । ଏହା କିପରି ଫିନସେଲର ଜୀବନର ସର୍ବାପେକ୍ଷା ଆନନ୍ଦର ଘଟଣା ହୋଇପାରେ ? ତାକୁ ଦେଖିଲେ ଅତ୍ୟନ୍ତ ଦରିଦ୍ର ବୋଲି ମନେ ହେଉଅଛି, ଆଉ ସେ ଘରଟି ଅତ୍ୟନ୍ତ କଦର୍ଯ୍ୟ । ଏଥିରେ ତାହାର ଆନନ୍ଦ କେଉଁଠାରୁ ଆସିବ ?’’

 

ରମଣୀ—‘‘ସେ ତାହାର ପୁସ୍ତକଖଣ୍ଡିକ ଶେଷ କଲା । ତାହାର ଅନ୍ୟାନ୍ୟ ପୁସ୍ତକ ମଧ୍ୟ ଅଛି, ସେଥି ମଧ୍ୟରୁ କେତେକ ଭଲ, କେତେ ମନ୍ଦ । କିନ୍ତୁ ସେ କେବଳ ଅର୍ଥାଭାବରୁ ଏ ପୁସ୍ତକଗୁଡ଼ିକ ଲେଖିଅଛି । ସୁତରାଂ ସବୁଗୁଡ଼ିକ ଭଲ ହେବା ସମ୍ଭବ ନୁହେଁ । ତଥାପି ସେ ପୁସ୍ତକଗୁଡ଼ିକୁ ଅତ୍ୟନ୍ତ ଭଲପାଏ । ମୁଁ ଏହାର ଭବିଷ୍ୟତ କଥା କିଛି ତୁମକୁ କହିବି । ଏଥିରେ ତାହାର କି ଆନନ୍ଦ, ତୁମେ ବୁଝିପାରିବ । ଫିନସେଲ ଏ ପୁସ୍ତକଗୁଡ଼ିକ ଘେନି ପ୍ରକାଶକମାନଙ୍କ ନିକଟକୁ ଯିବ; କିନ୍ତୁ କେହି ସେଗୁଡ଼ିକ ପ୍ରକାଶ କରିବାକୁ ସମ୍ମତ ହେବେ ନାହିଁ । ପ୍ରାୟ ତିନି ବର୍ଷ ଏହିପରି ଅବିଶ୍ରାନ୍ତ ଚେଷ୍ଟା ପରେ ଏହି ପୁସ୍ତକ ପ୍ରକାଶିତ ହେବ । ଏହି ସୁଦୀର୍ଘ ନୈରାଶ୍ୟପୂର୍ଣ୍ଣ ତିନି ବର୍ଷ ମଧ୍ୟରେ ସେ ତାହାର ଅତୀତର ଆନନ୍ଦ ସ୍ମରଣ କରି ସୁଖୀ ହେବ । ପୁସ୍ତକଗୁଡ଼ିକ ଶେଷ କରି ତାହାର ଯେଉଁ ଗଭୀର ଆନନ୍ଦ ହୋଇଥିଲା, ସେ ତାହାକୁ ସ୍ମରଣ କରି ସୁଖୀ ହେବ ଏବଂ ସେହି ଅତୀତର ଆନନ୍ଦ ତାହାର ଏହି ନିରାଶାକୁ ଦୂର କରିଦେବ ।’’

 

ଲୁକାସ—‘‘ଯାହାହେଉ, ମୁଁ ଜଣେ ସାମାନ୍ୟ ଲୋକ, ଏତିକି ଭାବି ମୋ ପକ୍ଷରେ ସନ୍ତୁଷ୍ଟ ରହିବା ଉଚିତ ।’’

 

ରମଣୀ—‘‘ନା, ତାହା ନୁହେଁ । ସାମାନ୍ୟ ଲୋକ ହେଲେ ଯେ ତାହାର ଜୀବନ ସାମାନ୍ୟ ହେବ, ଏପରି କୌଣସି କଥା ନାହିଁ ।’’

 

ଲୁକାସ ରମଣୀ ଆଡ଼କୁ ଚାହିଁଲେ; ଦେଖିଲେ, ତାହାର ମୁଖରେ ସ୍ମିତ ହାସ୍ୟ । ସେ ଦେଖିଲେ, ଯାହାର ମୁଖ ସେ ସ୍ପଷ୍ଟରୂପେ ଦେଖି ନାହାନ୍ତି, ଯାହା ସଙ୍ଗରେ ସେ ବେଶିକ୍ଷଣ କଥା କହି ନାହାନ୍ତି, ସେହି ଅଦ୍ଭୁତ ରମଣୀ ତାଙ୍କ ପ୍ରତି କି ମୋହିନୀ ଶକ୍ତି ପ୍ରୟୋଗ କରିଅଛି; ସେ ତାକୁ ଯେତେ ଦେଖୁଅଛନ୍ତି, ସେତେ ମୁଗ୍ଧ ହେଉଅଛନ୍ତି । ସେ କେଉଁଠାରୁ ଆସିଲା, ଏ ମୋହିନୀ ଶକ୍ତି ବା କେଉଁଠାରୁ ପାଇଲା, ତାହା ଲୁକାସ କିଛି ଜାଣି ନାହାନ୍ତି । କେବଳ ସେ ଏତିକି ବୁଝି ପାରିଅଛନ୍ତି ଯେ, ସେ ତାଙ୍କପାଇଁ ଅନେକ ଯତ୍ନ କରୁଅଛି । ସେହି ନିର୍ଜନ ରହସ୍ୟପୂର୍ଣ୍ଣ ଘରଟା ମଧ୍ୟ ତାଙ୍କ ମନ ଉପରେ ଗୋଟାଏ ପରିବର୍ତ୍ତନ ଆଣିଅଛି ।

 

ହଠାତ୍ ଲୁକାସ ସେ ରମଣୀ ଆଡ଼କୁ ଚାହିଁ ଦେଖିଲେ, କିଛିକ୍ଷଣ ପୂର୍ବରେ ସେ ହସୁଥିଲା; କିନ୍ତୁ ବର୍ତ୍ତମାନ ତାହାର ମୁଖ ଗମ୍ଭୀର । ସେ କହିଲା, ‘‘ତୁମେ ଶାନ୍ତ ହୁଅ, ନିଜ ଉପରେ ଆଉ ବିରକ୍ତ ହୁଅ ନାହିଁ । ତୁମେ ନିଜକୁ ଯେତେବେଳେ ସାମାନ୍ୟ ମନେ କରିଅଛି, ତେତେବେଳେ ତୁମେ ଯଥାର୍ଥରେ ସାମାନ୍ୟ ନୁହଁ । କେବଳ ତୁମର କେତେକ ଅଭାବ ଅଛି; କିନ୍ତୁ ସେ ଅଭାବ ପୂର୍ଣ୍ଣ କରିବାକୁ ଶକ୍ତି ତୁମକୁ ଦେବତାମାନେ ଦେଇ ନାହାନ୍ତି ।’’ ଏହା କହି ସେ ନୀରବ ହେଲା ।

 

ଲୁକାସ କହିଲେ, ‘‘ତୁମେ ଦେବତାମାନଙ୍କ କଥା କାହିଁକି କହୁଅଛ ? ଏଇଟା ଉନବିଂଶ ଶତାବ୍ଦୀ, ଏ କଥା କଣ ମନେ ନାହିଁ ?’’

 

ରମଣୀ—‘‘ସତ ? କିନ୍ତୁ ସମୟ ମୋ ପକ୍ଷରେ କିଛି ନୁହେଁ; ସମୟ ମୋ ଉପରେ କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ ।’’

 

ଲୁକାସ ଟିକିଏ ବିସ୍ମିତ ହୋଇ କହିଲେ, ‘‘ଦେଖ, ତୁମେ ବୋଧହୁଏ ମତେ ଅତ୍ୟନ୍ତ ମୂର୍ଖ ଭାବିବ; କିନ୍ତୁ ମୁଁ ତୁମକୁ ବୁଝିପାରୁ ନାହିଁ; ତୁମେ କି କଥା କହୁଛ, ତାହା ମଧ୍ୟ ମୁଁ ଧାରଣା କରି ପାରୁ ନାହିଁ ।’’

 

ରମଣୀ—‘‘ହଁ, ନ ବୁଝିବାର କଥା । ତୁମେ ମତେ ଜାଣ ନାହିଁ, ସେଥିପାଇଁ ବୁଝିପାରୁ ନାହଁ । ଆଜି ଏହି ଦିନ ଶେଷ ହେବା ପୂର୍ବରୁ ବୋଧହୁଏ ଆମେମାନେ ପରସ୍ପର ପରସ୍ପରକୁ ଭଲରୂପେ ବୁଝିପାରିବା ।’’

 

ଏହି କଥା କହି ସେ ନୀରବ ହେବାରୁ ଲୁକାସ କହିଲେ, ‘‘ତୁମେ କହିଥିଲ ଯେ, ସାମାନ୍ୟ ଲୋକମାନଙ୍କ ଜୀବନରେ ମଧ୍ୟ ସମୟ ସମୟରେ ଆନନ୍ଦଦାୟକ ଘଟନା ଘଟିଥାଏ । ମୁଁ ଅବଶ୍ୟ ସେ ଆନନ୍ଦପାଇଁ ଆଶା କରି ନାହିଁ, ଆଉ ତୁମେ ମଧ୍ୟ ମତେ ଆଶା କରିବାକୁ ମନା କରିଥିଲ । କିନ୍ତୁ ସେ ଆନନ୍ଦ କଣ, ତାହା କଣ ମୁଁ ଜାଣିପାରିବି ନାହିଁ ?’’

 

ରମଣୀ—‘‘ହଁ, ତୁମେ ଜାଣିବ ।’’

 

ଲୁକାସ—‘‘ତେବେ ଅନ୍ୟମାନଙ୍କ ବିଷୟ ମୁଁ ଯେପରି ଦର୍ପଣରେ ଦେଖିଲି, ତାହାକୁ ମଧ୍ୟ ମତେ ସେହିପରି ଦେଖାଅ ।’’

 

ରମଣୀ କମ୍ପିତ ସ୍ୱରରେ କହିଲା, ‘‘ନା ଲୁକାସ, ତାହା ହେବ ନାହିଁ । ତୁମ ଜୀବନର ଯାହା କିଛି ଘଟନା, ତାହା ଏହିଠାରେ, ହେଇ ଦେଖ ।’’

 

ଲୁକାସ ଅବାକ ହୋଇ ଚାହିଁଲେ । ସେ ଦେଖିଲେ, ରମଣୀ ତାହାର ମୁଖରୁ ଆବରଣ ଖୋଲି ଦେଇ ତାଙ୍କ ସମ୍ମୁଖରେ ଛିଡ଼ା ହୋଇ ଅନିମେଷନୟନରେ ତାଙ୍କ ଆଡ଼କୁ ଚାହିଁଅଛି । ତାହାର ମୁଖ ବରଫଠାରୁ ମଧ୍ୟ ଅଧିକ ଶୁଭ୍ର, ଓଷ୍ଠ ରକ୍ତବର୍ଣ୍ଣ, କିନ୍ତୁ ଚକ୍ଷୁରେ ଅଦ୍ଭୁତ ମୋହ । ସେ ଚକ୍ଷୁର ଅତ୍ୟୁଜ୍ଜ୍ୱଳ ଜ୍ୟୋତି ଦେଖିଲେ ମନୁଷ୍ୟ ଏକାବେଳକେ ଆତ୍ମବିସ୍ମୃତ ହୋଇଯିବ । ରମଣୀ ଆବେଗ ସହକାରେ ଦୁଇ ହସ୍ତ ଲୁକାସଙ୍କ ଆଡ଼କୁ ପ୍ରସାରିତ କରିଦେଲା; ଲୁକାସ ସେ ହସ୍ତ ଧାରଣା କଲେ । ଏହି ଅବସ୍ଥାରେ କିଛିକ୍ଷଣ ନୀରବ ରହି ଲୁକାସ କହିଲେ, ‘‘ତୁମକୁ ମୁଁ ଏହିପରି ଭାବିଥିଲି । ମୋର ମନେ ହେଉଅଛି, ଆଜୀବନ ମୁଁ ତୁମର ଅନୁରାଗୀ; ଆଉ ମୋର ଇଚ୍ଛା ହେଉଅଛି, ଚିରଦିନ ତୁମ ନିକଟରେ ରହନ୍ତି ।’’

 

ରମଣୀ କିଛି ଉତ୍ତର ନ ଦେଇ ତାଙ୍କ ଆଡ଼କୁ ଚାହିଁ ରହିଲା । ଲୁକାସ କହିଲେ, ‘‘ତୁମର ନାମ କଣ କୁହ ।’’

 

ରମଣୀ କହିଲା, ‘‘କେତେ ଲୋକ ମତେ କେତେ ନାମରେ ଡାକନ୍ତି । କେହି କେହି ମତେ ମୃତ୍ୟୁ ବୋଲି କହନ୍ତି । କିନ୍ତୁ ମୋର ନାମରୁ ତୁମକୁ କଣ ମିଳିବ ? ତୁମେ ମୋ ପ୍ରତି ଅନୁରାଗୀ ହୋଇଅଛ; କେବଳ ତୁମରିପାଇଁ ମୁଁ ଏପରି ଭାବରେ ଆସିଅଛି । ଅନ୍ୟମାନଙ୍କ ଠାରେ ମୁଁ ଅଦୃଶ୍ୟ ଭାବରେ ମୋର କାର୍ଯ୍ୟ କରିଥାଏ । ତୁମ ନିକଟକୁ ଆସିବାର ଏହି ମୋର ଉପଯୁକ୍ତ ସମୟ ।’’ ଲୁକାସ ତାହାର କଥା ପ୍ରାୟ କିଛି ଶୁଣି ନ ଥିଲେ । ସେ ଆତ୍ମବିସ୍ମୃତ ହୋଇ ତାକୁ ବକ୍ଷରେ ଧାରଣା କରିବାକୁ ଅଗ୍ରସର ହେଲେ । ରମଣୀ ଚିତ୍କାରକରି କହିଉଠିଲା, ‘‘ନା ନା, ମତେ ସ୍ପର୍ଶ କର ନାହିଁ । ମତେ ସ୍ପର୍ଶ କଲେ ତୁମର ମୃତ୍ୟୁ ନିଶ୍ଚିତ ।’’

 

ଲୁକାସ ମୃଦୁ ହାସ୍ୟ କରି କହିଲେ, ‘‘କିନ୍ତୁ ତୁମକୁ ବକ୍ଷରେ ଧାରଣ କରି ମରିବା ମୋ ପକ୍ଷରେ ପରମ ପୁରୁଷାର୍ଥ ।’’

 

ଲୁକାସ ରମଣୀର ଅଙ୍ଗ ସ୍ପର୍ଶ କଲେ । ସେ ଅଙ୍ଗ ବରଫ ତୁଲ୍ୟ ଶୀତଳ ।

 

ସନ୍ଧ୍ୟା ପରେ ଲୁକାସଙ୍କର ଜଣେ ବନ୍ଧୁ ଖେଳି ସାରି ମହା ଆନନ୍ଦରେ ଗୃହକୁ ଫେରୁଥିଲେ । ଯାଉଁ ଯାଉଁ ଦେଖିଲେ, ଲୁକାସଙ୍କ ଘରର ଝରକା ଖୋଲା ରହିଅଛି । ଉତ୍ସୁକ ହୋଇ ସେ ଝରକା ବାଟେ ଚାହିଁ ଦେଖିଲେ, ଲୁକାସ ଗୋଟିଏ ଆରାମ ଚୌକିରେ ଶୋଇଅଛନ୍ତି । ସେ ଡାକିଲେ, କିନ୍ତୁ ଲୁକାସ ଶୁଣିଲେ ନାହିଁ । ସେ ଘର ଭିତରକୁ ଯାଇଁ ଡାକିଲେ, କିନ୍ତୁ କିଛି ଉତ୍ତର ନାହିଁ-। ତତ୍ପରେ ସେ ତାଙ୍କ ନିକଟକୁ ଯାଇଁ ତାଙ୍କୁ ଖୁବ୍‍ ଜୋରରେ ହଲାଇଦେଲେ । ଲୁକାସଙ୍କ ଶରୀର ଗଡ଼ି ତଳେ ପଡ଼ିଗଲା । ବନ୍ଧୁ ଦେଖିଲେ, ସେ ଶରୀର ନିସ୍ପନ୍ଦ ନିଶ୍ଚଳ ।

Image

 

ଇନ୍ଦୁ

 

ଗୋଟିଏ ଛୋଟ ପାହାଡ଼ ଉପରେ କେତେଗୁଡ଼ିଏ ଲୋକ ଘର ଦ୍ୱାର କରି ବାସ କରୁଥଲେ । ପାହାଡ଼ଟି ନାନା ପ୍ରକାର ବନ୍ୟ ବୃକ୍ଷ ଲତାରେ ଆଚ୍ଛନ୍ନ । ସେଥିପାଇଁ ଦୂରରୁ ଦେଖିଲେ କେହି ବୁଝି ପାରିବେ ନାହିଁ ଯେ, ସେଠାରେ ଲୋକାଳୟ ଅଛି । ପାହାଡ଼ର ନିମ୍ନଦେଶରେ କେତେଗୁଡ଼ିଏ କ୍ଷୁଦ୍ର ସ୍ରୋତ ମଧ୍ୟ ଅଛି । କେବଳ ସୂର୍ଯ୍ୟର କ୍ଷୀଣ ଆଲୋକ ପଡ଼ିଲେ ନିକଟସ୍ଥ ଗ୍ରାମର ଲୋକମାନେ ସମୟ ସମୟରେ ସେ ଆଡ଼କୁ ଅନାଇ ବୁଝି ପାରନ୍ତି ଯେ, ସେଠାରେ ଲୋକଙ୍କର ଆବାସ ଅଛି । ବୃକ୍ଷ ଲତାର ଅନ୍ତରାଳରେ ପାହାଡ଼ ଉପରିସ୍ଥ କ୍ଷୁଦ୍ର ଗୃହଗୁଡ଼ିକ ଦୂରରୁ ବଡ଼ ସୁନ୍ଦର ଦିଶେ ।

 

ପ୍ରଥମରେ କେତେଗୁଡ଼ିଏ ଇତର ଲୋକ ଘେନି ସେଠାରେ ଗୋଟିଏ କ୍ଷୁଦ୍ର ଗ୍ରାମ ଗଢ଼ି ଉଠିଥିଲା । କ୍ରମଶଃ ଗ୍ରାମଟି ବଢ଼ିବାକୁ ଲାଗିଲା । ନାନା ଆଡ଼ୁ ନାନା ଲୋକ ଆସି ସେଠାରେ ବାସ କରିବାକୁ ଲାଗିଲେ । ଗୋବିନ୍ଦ ନାମରେ ଜଣେ ଲୋକ ମଧ୍ୟ ସେ ଗ୍ରାମକୁ ଆସି ସେଠାରେ ବାସ କଲା । ସେ ଯେତେବେଳେ ଆସେ, ସେତେବେଳେ ଗୋଟିଏ ଭଙ୍ଗା ପେଟରା ମାତ୍ର ତାହାର ସମ୍ବଳ ଥିଲା । କିନ୍ତୁ ଅଳ୍ପଦିନ ମଧ୍ୟରେ ସେ ଏହି ଗ୍ରାମରେ ରହି ନିଜର ପରିଶ୍ରମଦ୍ୱାରା ବେଶ୍ ଚାରି ପଇସା ଉପାର୍ଜନ କଲା ଏବଂ କ୍ରମେ କ୍ରମେ ନିଜର ଘରଦ୍ୱାର କରି ସେଠାରେ ବାସ କଲା । ଅତି ଅଳ୍ପ ସମୟ ମଧ୍ୟରେ ସେ ବେଶ୍ ଧନୀ ହୋଇଉଠିଲା । କିନ୍ତୁ ଧନଲାଭ ସଙ୍ଗେ ସଙ୍ଗେ ଗୋଟିଏ ମହତ୍ ଦୋଷ ତାହାଠାରେ ଦେଖାଗଲା । ସେ ମଦ ଖାଇବାକୁ ଅଭ୍ୟାସ କଲା ଏବଂ ଅଳ୍ପ ଦିନ ମଧରେ ଅନ୍ୟାନ୍ୟ ଅସଭ୍ୟ ଗ୍ରାମବାସୀଙ୍କ ପରି ଭୟଙ୍କର ମତୁଆଲା ହୋଇଉଠିଲା ।

 

କ୍ରମେ ଲୋକବୃଦ୍ଧି ସଙ୍ଗେ ସଙ୍ଗେ ସେହି କ୍ଷୁଦ୍ର ଗ୍ରାମରେ ସଭ୍ୟତାର ପ୍ରଚାର ମଧ୍ୟ ଆରମ୍ଭ ହେଲା । ଜଣେ ଦୁଇ ଜଣେ ଖ୍ରୀଷ୍ଟାନ ପାଦ୍ରୀ ଆସି ସେଠାରେ ବାସ କଲେ ଏବଂ ଗ୍ରାମର ଅସଭ୍ୟ ଲୋକମାନଙ୍କୁ ନାନାପ୍ରକାର ସତ୍ ଉପଦେଶ ଦେବାକୁ ଆରମ୍ଭ କଲେ । ସେମାନଙ୍କ ଚେଷ୍ଟାରେ ସେହି କ୍ଷୁଦ୍ର ଗ୍ରାମଟିରେ ଗୋଟିଏ ଗୀର୍ଜା ହେଲା ଏବଂ ବାଳକ ବାଳିକାମାନଙ୍କ ପାଇଁ ଗୋଟିଏ ସ୍କୁଲ ବସିଲା ।

 

ପାଠଶାଳାର ଶିକ୍ଷକଙ୍କ ନାମ ସଦାନନ୍ଦ । କିନ୍ତୁ ତାଙ୍କର ଛାତ୍ର ଏବଂ ଛାତ୍ରୀମାନଙ୍କ ନିକଟରେ ସେ ‘ମାଷ୍ଟର’ ବୋଲି ପରିଚିତ । ଦିନେ ରାତ୍ରରେ ସେ ସ୍କୁଲ ଗୃହରେ ବସି ପିଲାମାନଙ୍କ ଖାତା ନେଇ ସଂଶୋଧନ କରୁଅଛନ୍ତି, ଏପରି ସମୟରେ ଦାଣ୍ଡ କବାଟରେ ଶବ୍ଦ ହେଲା ଦିନବେଳେ ମନୁଷ୍ୟମାନଙ୍କ କୋଳାହଳରେ ତାଙ୍କ କାର୍ଯ୍ୟରେ କିଛି ବାଧା ହୁଏ ନାହିଁ, ସେ ଅବିଚାଳିତଭାବରେ ନିଜ କାର୍ଯ୍ୟ କରିଯାନ୍ତି; କିନ୍ତୁ ଆଜି ଏହି ସାମାନ୍ୟ ଶବ୍ଦରେ ସେ ଟିକିଏ ବିଚଳିତ ହୋଇଗଲେ । ସମ୍ମଖରେ ଚ୍ଛିନ୍ନବସ୍ତ୍ର ପରିହିତା ଅଲୁଲାୟୀତକେଶା ଗୋଟିଏ ବାଳିକା ମୂର୍ତ୍ତି ଦେଖି ସେ ପ୍ରଥମେ ଚମକିଉଠିଲେ । କିନ୍ତୁ ଭଲ କରି ଚାହିଁ ଦେଖିଲେ, ଏ ମୂର୍ତ୍ତି ତାଙ୍କର ପରିଚିତ । ସେ ଆୟତ ଲୋଚନ, ସେ ମଳିନ ମୁଖ ସେ ଅନେକ ଥର ଦେଖିଅଛନ୍ତି । ସେ ମୂର୍ତ୍ତି ଆଉ କହି ନୁହେଁ—ଗୋବିନ୍ଦର ମାତୃହୀନା କନ୍ୟା—ଇନ୍ଦୁ ।

 

ସଦାନନ୍ଦ ଇନ୍ଦୁକୁ ସେଠାରେ ଏପରି ଅସମୟରେ ଦେଖି ଅବାକ୍ ହୋଇଗଲେ ! ତାହାର ସେଠାରେ କି ପ୍ରୟୋଜନ ! ସେ ଅନୁମାନ କରି ପାରିଲେ ନାହିଁ । ଇନ୍ଦୁ ବଡ଼ ଦୁର୍ଦ୍ଦାନ୍ତ । ତାହାର ଉଚ୍ଛୃଙ୍ଖଳ ସ୍ୱଭାବ, ତାହାର ଅଭୁତ ଆଚରଣ ଏବଂ ତାହାର ପିତାର ଚରିତ୍ର ଗ୍ରାମର ଲୋକମାନଙ୍କର ପ୍ରଧାନ ଆଲୋଚନାର ବିଷୟ । ସେ ସ୍କୁଲର ବାଳକମାନଙ୍କ ସଙ୍ଗରେ ସମାନରେ କୁସ୍ତି କରେ, କହଳ କରେ । କୁଲିମାନେ ଯେତେବେଳେ ବଣକୁ କାଠ କାଟିବାକୁ ଯାନ୍ତି, ଇନ୍ଦୁ ତାଙ୍କ ସଙ୍ଗରେ ଯାଏ । ପ୍ରଚଣ୍ଡ ଖରାରେ ପାହାଡ଼ ଉପରେ ବୁଲୁଥାଏ, ସଦାନନ୍ଦ କେତେ ଥର ଦେଖିଅଛନ୍ତି । କ୍ଷୁଦ୍ର ନଦୀକୂଳରେ କେତେ କୁଲିଙ୍କର ଘର । ସେମାନେ ଅନେକ ସମୟରେ ତାକୁ ଖାଇବାକୁ ଦିଅନ୍ତି । ଏହାଠାରୁ ଅଧିକ ଦୟା ଇନ୍ଦୁ ପ୍ରତି ଯେ କେହି କରିନାହାନ୍ତି, ତାହା ନୁହେଁ ପାଦ୍ରୀ ସାହେବ ଦୟାକରି ତାକୁ କୁଲିମାନଙ୍କ ହୋଟେଲରେ ଗୋଟିଏ ଚାକିରି କରାଇଦେଲେ । ତାହାର ଦୁର୍ଦାନ୍ତ ସ୍ଵଭାବକୁ ଶାନ୍ତି କରିବାପାଇଁ ତାକୁ ନୀତି-ବିଦ୍ୟାଳୟରେ ସ୍ଥାନ ଦେଲେ । କିନ୍ତୁ ଇନ୍ଦୁର ଅତ୍ୟାଚାର ସହ୍ୟ କରିବା ସହଜ ନୁହେଁ । ସେ ସାମାନ୍ୟ କଥାରେ ରାଗିଯାଇ ସମସ୍ତଙ୍କ ଉପରକୁ ବାସନ ଇତ୍ୟାଦି ଫୋପାଡ଼େ । ନୀତି-ବିଦ୍ୟାଳୟରେ ବାଳକ ବାଲିକାମାନଙ୍କ ସଙ୍ଗରେ ସର୍ବଦା କଳହ କରେ ଏବଂ ସେମାନଙ୍କୁ ପ୍ରହାର କରେ । ଅବଶେଷରେ ପାଦ୍ରୀ ନାଚର ହୋଇ ତାକୁ ନୀତି-ବିଦ୍ୟାଳୟରୁ ଦୂର କରିଦେଲେ । ଏ ସମସ୍ତ ସଦାନନ୍ଦ ଜାଣନ୍ତି; ତଥାପି ଇନ୍ଦୁକୁ ଦେଖି ତାଙ୍କ ମନରେ ଟିକିଏ ଦୟା ହେଲା ତାହାର ବିଶାଳ ଲୋଚନରେ ନିର୍ଭୀକ ଦୃଷ୍ଟି ତାଙ୍କର ଶ୍ରଦ୍ଧା ଆକର୍ଷଣ କଲା ।

 

ସଦାନନ୍ଦଙ୍କ ଆଡ଼କୁ ଚାହିଁ ସେ ନିର୍ଭୀକ ଭାବରେ କହିଲା, ‘‘ତୁମେ ଏଠି ଏକା ଅଛ ମୁଁ ଆସିଲି ସେ ପିଲାଗୁଡ଼ିକ ଥିଲେ ମୋର ଆଦୌ ଆସିବାକୁ ଇଚ୍ଛା ହୁଏ ନାହିଁ । ମୁଁ ସେମାନଙ୍କୁ ଦେଖିପାରେ ନାହିଁ, ସେମାନେ ମଧ୍ୟ ମତେ ଦେଖିପାରନ୍ତି ନାହିଁ । ତୁମେ ପରା ଏଠାରେ ସ୍କୁଲ କର ? ମୁଁ ସ୍କୁଲକୁ ଆସିବି ।’’

 

ଇନ୍ଦୁର ଛିନ୍ନ ବସ୍ତ୍ର, ମଳିନ ମୁଖ ଦେଖିଲେ ସମସ୍ତଙ୍କ ଦୟା ହେବ, ସନ୍ଦେହ ନାହିଁ କିନ୍ତୁ କେଜାଣି କାହିଁକି ତାହାର ସେ ରୁଦ୍ରମୂର୍ତ୍ତି ସଦାନନ୍ଦଙ୍କ ଶ୍ରଦ୍ଧା ଆକର୍ଷଣ କଲା । ଇନ୍ଦୁ ଅନର୍ଗଳ କହିବାକୁ ଲାଗିଲା—‘‘ମୋର ନାମ ଇନ୍ଦୁ । ତୁମେ ବିଶ୍ୱାସ କର, ବାସ୍ତବିକ ମୋର ନାମ ଇନ୍ଦୁ । ମୋର ପିତାର ନାମ ଗୋବିନ୍ଦ । ମୁଁ ତୁମ ସ୍କୁଲକୁ ଆସିବି ।’’

 

ସଦାନନ୍ଦ.କହିଲେ, ‘‘ବେଶ୍ ଭଲ କଥା, ଆସିବ ।’’

 

ଇନ୍ଦୁକୁ ଚିଡ଼ାଇବାପାଇଁ ଅନେକେ ସବୁବେଳେ ତାହାର ସମସ୍ତ କାର୍ଯ୍ୟରେ ବାଧା ଦିଅନ୍ତି-। ସୁତରାଂ ସଦାନନ୍ଦ ଏପରି ସହଜରେ ସମ୍ମତି ଦାନ କରିବାର ଦେଖି ଇନ୍ଦୁ ଅବାକ୍ ହୋଇଗଲା-। ସେ ତୁନି ହୋଇଗଲା । ଗୋଛାଏ ରୁକ୍ଷ କେଶ ହାତରେ ଧରି ମୋଡ଼ିବାକୁ ଲାଗିଲା, ଦନ୍ତଦ୍ଵାରା ଓଷ୍ଟ ଚାପିଧରିଲା, କ୍ରମେ ତାହାର ମଳିନ ମୁଖ ରକ୍ତବର୍ଣ୍ଣ ହୋଇଗଲା । ହଠାତ୍ ସେ ସଦାନନ୍ଦଙ୍କ ମେଜ ଉପରେ ମୁଣ୍ଡ ରଖି ତାକୁ ଘେନି ଯିବାପାଇଁ ଈଶ୍ୱରଙ୍କୁ ଡାକି କାନ୍ଦିବାକୁ ଲାଗିଲା । ଅନେକକ୍ଷଣ ଏହିପରି କ୍ରନ୍ଦନ କରି କ୍ଳାନ୍ତ ହୋଇପଡ଼ିଲା । ସେ କ୍ରନ୍ଦନ ଶୁଣିଲେ ମନେହେବ, ତାହାର ବକ୍ଷ ବିଦୀର୍ଣ୍ଣ ହୋଇଯାଉଅଛି । ସଦାନନ୍ଦ ତାକୁ ଉଠାଇ ତାଙ୍କ ନିକଟରେ ବସାଇ ସାନ୍ତ୍ୱନା ଦେବାକୁ ଲାଗିଲେ । କିଛିକ୍ଷଣ ପରେ ପୁଣି ସେ କହିଲେ, ‘‘ମୁଁ ଖୁବ୍‍ ଭଲ ପିଲା ହେବି ।’’ ସଦାନନ୍ଦ କହିଲେ, ‘‘ଇନ୍ଦୁ, ତୁମେ ନୀତି-ବିଦ୍ୟାଳୟକୁ ଯାଉନାହଁ କାହିଁକି ?’’ ଏ କଥା ଶୁଣି ଇନ୍ଦୁ କାନ୍ଦିପକାଇ କହିଲା, ‘‘ନାହିଁ, ମୁଁ ସେଠିକି ଯିବି ନାହଁ । ମତେ କାହିଁକି ପାଦ୍ରୀ କହିଲେ, ମୁଁ ଦୁଷ୍ଟ, ମତେ ଈଶ୍ୱର ଭଲ ପାଆନ୍ତି ନାହିଁ । ଈଶ୍ୱର ଯଦି ମତେ ଭଲ ନ ପାଆନ୍ତି, ତେବେ କାହିଁକି ସେଠିକି ଯିବି ? ଯେ ମତେ ଘୃଣା କରନ୍ତି, ମୁଁ ତାଙ୍କ ପାଖକୁ ଯାଏ ନାହିଁ ।

 

ସଦାନନ୍ଦ ପଚାରିଲେ, ସେ ପାଦ୍ରୀଙ୍କୁ ଏ କଥା କହିଅଛ କି ନା ?

 

ଇନ୍ଦୁ କହିଲା, ‘‘ହଁ, ମୁଁ କହିଛି ।’’ ସଦାନନ୍ଦ ଏ କଥା ଶୁଣି ଟିକିଏ ହସିଲେ; କିନ୍ତୁ ତତ୍‌କ୍ଷଣାତ ଗମ୍ଭୀର ହୋଇ ଗୋଟିଏ ଦୀର୍ଘନିଶ୍ୱାସ ପକାଇଲେ । କିଛିକ୍ଷଣ ନୀରବ ରହି ସଦାନନ୍ଦ ଇନ୍ଦୁକୁ ତାହାର ପିତାର ସମ୍ବାଦ ପଚାରିଲେ । ତାହାର ପିତା ? ପିତା ପୁଣି କିଏ ? କାହାର ପିତା ? କେବେ ଅବା ସେ ପିତା ତା’ପାଇଁ କଣ କରିଅଛି ? କାହିଁକି ତାହାର ସଙ୍ଗିନୀମାନେ ତାକୁ ଏତେ ଘୃଣା କରନ୍ତି ? ସେ ଯେତେବେଳେ ବାଟରେ ଚାଲିଯାଏ, କାହିଁକି ରାସ୍ତାର ଲୋକେ ତାକୁ ଦେଖି କହନ୍ତି, ‘‘ହେଇ ଗୋବିନ୍ଦ ମତୁଆଲାର ଝିଅ ? '‘’ହାୟ ! ସେ ପିତାର ମୃତ୍ୟୁ ହୁଅନ୍ତା କି !’’ ଏହା କହି ଇନ୍ଦୁ ପ୍ରବଳବେଗରେ କ୍ରନ୍ଦନ କରିବାକୁ ଲାଗିଲା ।

 

ସଦାନନ୍ଦ ତାକୁ ଅନେକ ପ୍ରକାର ସାନ୍ତ୍ୱନା ଦେଲେ । ଗୋଟିଏ କ୍ଷୁଦ୍ର ବାଳିକା ମୁଖରୁ ଏପରି ଦୁଃଖକାହାଣୀ ଶୁଣି ସମସ୍ତଙ୍କ ମନରେ ଯେପରି ଦୁଃଖ ହୁଏ, ସଦାନନ୍ଦଙ୍କର ମଧ୍ୟ ସେହିପରି ବଡ଼ ଦୁଃଖ ହେଲା; କିନ୍ତୁ ତାହାର ଚ୍ଛିନ୍ନବସ୍ତ୍ର ଏବଂ ମତୁଆଲା ପିତାର ମୂର୍ତ୍ତି ସେ ଅନ୍ୟାନ୍ୟମାନଙ୍କ ପରି ଭୁଲିପାରିଲେ ନାହିଁ । ତାହାର ମସ୍ତକରେ ହାତ ବୁଲାଇ ଅନେକ ଉପଦେଶ ଦେଇ ପରଦିନ ସ୍କୁଲକୁ ଆସିବାକୁ କହିଲେ । ଇନ୍ଦୁ ଗୃହକୁ ଫେରିଗଲା । ସଦାନନ୍ଦ କିଛି ଦୂର ତା ସଙ୍ଗରେ ଯାଇ ତାହାଠାରୁ ବିଦାୟ ନେଲେ । ଇନ୍ଦୁ ଚାଲିଗଲା । ଚନ୍ଦ୍ରଲୋକରେ ପଥ ସ୍ପଷ୍ଟରୂପେ ଦେଖାଯାଉଥାଏ । ଇନ୍ଦୁ ଯେତେବେଳେ ପର୍ଯ୍ୟନ୍ତ ଦେଖାଗଲା, ସଦାନନ୍ଦ ସେହି ସ୍ଥାନରେ ଛିଡ଼ା ହୋଇ ଦେଖିଲେ । ଇନ୍ଦୁ ଅଦୃଶ୍ୟ ହୋଇଯିବା ପରେ ସଦାନନ୍ଦ ପୁଣି ସ୍କୁଲ ଗୃହକୁ ଫେରିଆସି କାର୍ଯ୍ୟରେ ମନଦେଲେ, କିନ୍ତୁ ମନ ଲାଗିଲା ନାହିଁ । ହସ୍ତାକ୍ଷର ଖାତାର ଧାଡ଼ିଗୁଡ଼ିକ ତାଙ୍କ ଚକ୍ଷୁରେ ଗ୍ରାମର ଅସୀମ ପଥ ପରି ବୋଧହେଲା ଏବଂ ଅକ୍ଷରଗୁଡ଼ିକ ଯେପରି କ୍ଷୁଦ୍ର ବାଳିକାର ବେଦନାର ମୂର୍ତ୍ତି ପରି ଦେଖାଗଲା-। ଅଗତ୍ୟା ସଦାନନ୍ଦ ସ୍କୁଲ ଗୃହ ବନ୍ଦ କରିଦେଇ ନିଜ ଗୃହକୁ ଫେରିଗଲେ ।

 

ପରଦିନ ସକାଳେ ଇନ୍ଦୁ ସ୍କୁଲକୁ ଆସିଲା । ଆଜି ତାହାର ମୁଖ ଅପେକ୍ଷାକୃତ ପ୍ରସନ୍ନ, କେଶ ବେଶ୍‍ ମଧ୍ୟ ଟିକିଏ ପରିଚ୍ଛନ୍ନ । ଚକ୍ଷୁରେ ପୂର୍ବ ପରି କ୍ରୁଦ୍ଧଭାବ; କିନ୍ତୁ ବ୍ୟବହାର ପୁର୍ବାପେକ୍ଷା ଅନେକ ଶାନ୍ତ । ସଦାନନ୍ଦଙ୍କ ନିକଟରେ ଇନ୍ଦୁ ବାଧ୍ୟ; କିନ୍ତୁ ଖେଳିବା ସମୟରେ ବାଳକବାଳିକାମାନଙ୍କ ସଙ୍ଗରେ ଅତି ସାମାନ୍ୟ କାରଣରେ ମଧ୍ୟ ସେ ତୁମୂଳ କଳହ କରେ । ସମୟ ସମୟରେ ମରାମରି କରି ସେମାନଙ୍କ ପୋଷାକ ଛିନ୍ନଭିନ୍ନ କରିପକାଏ । ଏହିପରି ଉତ୍ତ୍ୟକ୍ତ ହୋଇ ଅନେକ ସମୟରେ ଛାତ୍ରଛାତ୍ରୀମାନେ ଇନ୍ଦୁ ନାମରେ ମାଷ୍ଟରଙ୍କ ନିକଟରେ ନାଲିସ କରୁଥିଲେ । କେତେକ ପିତାମାତା ପୁତ୍ରକନ୍ୟାମାନଙ୍କୁ ଇନ୍ଦୁ ଭୟରେ ସ୍କୁଲକୁ ପଠାଇଲେ ନାହିଁ । କିନ୍ତୁ ସଦାନନ୍ଦଙ୍କ ଯତ୍ନରେ ଇନ୍ଦୁର ସ୍ଵଭାବ କ୍ରମେ କ୍ରମେ ବଦଳିଗଲା, ତାହାର ଅତୀତ ଜୀବନ କ୍ରମଶଃ ଛାୟାପରି ଲୁଚିଗଲା । ସଦାନନ୍ଦ ତାକୁ କୌଣସି ଦିନ ଧର୍ମଶିକ୍ଷା ଦେଇ ନ ଥିଲେ । ତାହାର ପାଠ୍ୟପୁସ୍ତକ ମଧ୍ୟରେ ଅନେକ ସମୟରେ ଧର୍ମକଥା ପଢ଼ି ତାହାର ଚକ୍ଷୁରୁ ଅଶ୍ରୁ ଝରୁଥିଲା ।

 

ପ୍ରାୟ ତିନି ମାସ ପରେ ଦିନେ ସନ୍ଧ୍ୟା ସମୟରେ ସଦାନନ୍ଦ ସ୍କୁଲ ଘରେ ବସି କାର୍ଯ୍ୟ କରୁଅଛନ୍ତି; ଏପରି ସମୟରେ ଦ୍ୱାରରେ ଶବ୍ଦ ଶୁଣିଲେ, ଚାହିଁ ଦେଖିଲେ, ସମ୍ମୁଖରେ ଇନ୍ଦୁ । ଆଜି ତାହାର ବେଶ ପରିଚ୍ଛନ୍ନ । ବର୍ତ୍ତମାନ ତାକୁ ଦେଖିଲେ ପୁର୍ବର ସେହି ଇନ୍ଦୁ ବୋଲି ମନେ ହେବ ନାହିଁ-। ସଦାନନ୍ଦ ଚାହିଁଲା ମାତ୍ରକେ ଇନ୍ଦୁ କହିଲା, ‘‘ବର୍ତ୍ତମାନ କ'ଣ ତୁମେ ବ୍ୟସ୍ତ ଅଛ ? ମୋ ସାଙ୍ଗରେ ଟିକିଏ ଆସିବ କି ?’’ ସଦାନନ୍ଦ ସମ୍ମତି ଜଣାଇବା ମାତ୍ରକେ ସେ କହିଲା, ‘‘ତେବେ ଶୀଘ୍ର ଆସ-।’’ ଦୁହେଁ ଅନ୍ଧକାରରେ ଚାଲିବାକୁ ଲାଗିଲେ । ସହର ଭିତରକୁ ଆସିବାପରେ ସଦାନନ୍ଦ କହିଲେ, ‘‘ଇନ୍ଦୁ, ତୁମେ କେଉଁଠାକୁ ଯିବ ?’’ ଇନ୍ଦୁ କହିଲା, ‘‘ମୋର ପିତାଙ୍କୁ ଦେଖିବାକୁ ଯିବି-।’’

 

ଇନ୍ଦୁ ତାହାର ପିତାକୁ ପିତା କହିବାର ସଦାନନ୍ଦ ଆଜି ପ୍ରଥମେ ଶୁଣିଲେ । ଏହି ପ୍ରଥମ ସେ ତାହାର ପିତାର ଖବର ନେବାର ଦେଖିଲେ । ସଦାନନ୍ଦ ତାହାର ଏହି ପରିବର୍ତ୍ତନ ଦେଖି ମନେ ମନେ ଅତ୍ୟନ୍ତ ଖୁସି ହେଲେ । ତାକୁ ଆଉ କିଛି ନ ପଚାରି ସେ ତାହାର ଅନୁଗମନ କଲେ । କେତେ ବଣ ଜଙ୍ଗଲ, କେତେ ଗୃହ ଅତିକ୍ରମ କରି ସେମାନେ ଚାଲିଅଛନ୍ତି । ପଥ ମଧ୍ୟରେ ଇନ୍ଦୁ ଅନେକ ପରିଚିତ ଲୋକଙ୍କୁ ଦେଖିଲା । ସେମାନେ କର୍ମରୁ ଫେରି ଆମୋଦ-ପ୍ରମୋଦ କରୁଥିଲେ; ଇନ୍ଦୁକୁ ସେ ଆମୋଦରେ ଯୋଗ ଦେବାପାଇଁ ବହୁତ ଅନୁରୋଧ କଲେ । କିନ୍ତୁ ଇନ୍ଦୁ ସେମାନଙ୍କ ଡାକ ଆଜି ଶୁଣିଲା ନାହିଁ । ଏହିପରି ଅକ୍ଳାନ୍ତ ଭାବରେ କିଛିକ୍ଷଣ ଚାଲିଲାପରେ ଇନ୍ଦୁ କହିଲା, ‘‘ଦେଖ, ନିକଟରେ ଗୋଟିଏ କ୍ଷୁଦ୍ର ଗୃହ ଅଛି । ମୋର ପିତା ବୋଧହୁଏ ସେହିଠାରେ ଅଛନ୍ତି ।’’ ସଦାନନ୍ଦ ତା ସଙ୍ଗରେ ସେଠାକୁ ଗଲେ, କିନ୍ତୁ ସେଠାରେ ଇନ୍ଦୁର ପିତାର କୌଣସି ସନ୍ଧାନ ପାଇଲେ ନାହିଁ । ଏହିପରି ନାନା ଆଡ଼େ ବୁଲି ବୁଲି ସେମାନେ ଫେରିଆସିଲେ । କି ନିସ୍ତବ୍ଧ ଗଭୀର ରାତ୍ରି ! ସେମାନେ ଗୋଟିଏ ଖାଲ ତୀରେ ତୀରେ ଚାଲିଅଛନ୍ତି, ହଠାତ୍ କିପରି ଗୋଟାଏ ଶବ୍ଦ ହେଲା; ସେ ଶବ୍ଦରେ ଖାଲର ଜଳ କମ୍ପିଉଠିଲା, ଆଖପାଖରେ କୁକୁରଗୁଡ଼ାକ ପାଟି କରିଉଠିଲେ । ଚାରିଆଡ଼େ ଗୋଟାଏ ଭୀତିର ଚିହ୍ନି ଦେଖାଗଲା । ହଠାତ୍ ପାହାଡ଼ପାର୍ଶ୍ୱରୁ କେତେଗୁଡ଼ିଏ ପଥର ଖସିପଡ଼ିଲା । ସଦାନନ୍ଦ ଇନ୍ଦୁକୁ ସାହସ ଦେବାପାଇଁ ପଛକୁ ଚାହିଁଲେ-ଦେଖିଲେ, ଇନ୍ଦୁ ନାହିଁ । ହତବୁଦ୍ଧି ହୋଇ ସେ ନଦୀକୂଳକୁ ଗଲେ, ସେଠାରେ ତାକୁ ପାଇଲେ ନାହିଁ । ଉନ୍ମାଦ ପରି ଏଣେ ତେଣେ ବୁଲୁ ବୁଲୁ ସେ ଗ୍ରାମର ପ୍ରାନ୍ତଭାଗରେ ଆସି ଉପସ୍ଥିତ ହେଲେ । ସେଠାରେ ଛିଡ଼ାହୋଇ ଚାରିଆଡ଼କୁ ଚାହିଁଲେ-। ପାହାଡ଼ ଉପରକୁ ଚାହିଁ ଦେଖିଲେ, ଗୋଟିଏ ମନୁଷ୍ୟ ମୂର୍ତ୍ତି ! ଦୂରରୁ ଦେଖି ଚିହିଁଲେ ସେ ମୂର୍ତ୍ତି ଇନ୍ଦୁର ।

 

ପାହାଡ଼ ଉପରକୁ ଉଠି ଦେଖିଲେ, ଗୋଟିଏ ସ୍ଥାନରେ କେତେଗୁଡ଼ିଏ ଲୋକ ବିମର୍ଷଭାବରେ ବସିଅଛନ୍ତି । ତାଙ୍କ ମଧ୍ୟରୁ ଇନ୍ଦୁ ବାହାରି ଆସି ସଦାନନ୍ଦଙ୍କ ହାତଧରି ଗୋଟିଏ ଗହ୍ୱର ନିକଟକୁ ଘେନିଗଲେ । ଗହ୍ୱର ନିକଟକୁ ଯାଇ ସେ ଆଙ୍ଗୁଳି ନିର୍ଦ୍ଦେଶ କରି ଭିତରକୁ ଦେଖାଇ ଦେଲା । ସଦାନନ୍ଦ ନିକଟକୁ ଯାଇ ଦେଖିଲେ, ଗୋବିନ୍ଦ ହାତରେ ଗୋଟିଏ ପିସ୍ତଲ ଧରି ମରିପଡ଼ିଅଛି । ତାହାର ଦେହ ବରଫପରି ଥଣ୍ଡା !

 

ଇନ୍ଦୁର ଅନେକ ପରିବର୍ତ୍ତନ ଘଟିଅଛି । ସଦାନନ୍ଦ ନିଜ ବ୍ୟୟରେ ଗୋବିନ୍ଦର ଗୋଟିଏ ସମାଧି ନିର୍ମାଣ କରାଇଦେଲେ । ସେ ସମାଧିରେ କେତେଗୁଡ଼ିଏ ସୁନ୍ଦର କଥା ମଧ୍ୟ ଖୋଳା ହୋଇଥିଲା । ସେ ବାଟରେ ଗଲାବେଳେ ସଦାନନ୍ଦ କେତେଥର ଦେଖିଛନ୍ତି, ସମାଧିଟି ଫୁଲଦ୍ୱରା ସଜା ହୋଇଅଛି । ନାନାପ୍ରକାର ବଣଫୁଲର ମାଳା ମଧ୍ୟ ସମାଧିରେ ଦେଖିଅଛନ୍ତି । ଦିନେ ସଦାନନ୍ଦ ବୁଲି ଯାଉଁ ଯାଉଁ ଦେଖିଲେ, ବଣ ମଧ୍ୟରେ ଗୋଟିଏ ବୃକ୍ଷଶାଖା ଉପରେ ଇନ୍ଦୁ ବସିଅଛି । ତାହାର କ୍ରୋଡ଼ରେ ରାଶୀକୃତ ବଣଫୁଲ, ଫଳ ଓ ପତ୍ର । ବୃକ୍ଷଶାଖାରେ ବସି ଇନ୍ଦୁ ଗୋଟିଏ ଗୀତ ଗାଉ ଥିଲା । ଦୂରରୁ ସଦାନନ୍ଦଙ୍କୁ ଦେଖି ସେ ତାହାର ଅପୂର୍ବ ସିଂହାସନରେ ତାଙ୍କ ନିମିତ୍ତ ଆସନ କରିଦେଲା ଏବଂ ବନ୍ୟପୁଷ୍ପରେ ତାଙ୍କର ଅଭ୍ୟର୍ଥନା କଲା । ସଦାନନ୍ଦ ଇନ୍ଦୁ ନିକଟରେ କେତେଗୁଡ଼ିଏ ବିଷାକ୍ତ ଫଳ ଦେଖି ଭୀତ ହୋଇ କହିଲେ, ‘‘ଇନ୍ଦୁ, ତୁମେ ଯଦି ମୋର ଛାତ୍ରୀହେବାକୁ ଇଚ୍ଛାକର, ତେବେ ଆଉ କେବେ ଏ ଫଳ ସ୍ପର୍ଶକରିବ ନାହିଁ । ଏଗୁଡ଼ିକ ବଡ଼ ବିଷାକ୍ତ-।’’ ଇନ୍ଦୁ ତତ୍‌କ୍ଷଣାତ୍ ସେଗୁଡ଼ିକ ଭୂମିରେ ନିକ୍ଷେପ କରି ପ୍ରତିଜ୍ଞା କଲା, ସେ ଆଉ ସେ ଫଳ ସ୍ପର୍ଶ କରିବ ନାହିଁ ।

 

ଇନ୍ଦୁର ସ୍ୱଭାବର ଏହି ଅଦ୍ଭୁତ ପରିବର୍ତ୍ତନ ଦେଖି ଅନେକେ ତାକୁ ଗୃହରେ ସ୍ଥାନ ଦେବାକୁ ସମ୍ମତ ହେଲେ । ଜଣେ ଖ୍ରୀଷ୍ଟାନ ଭଦ୍ରମହିଳାଙ୍କ ଗୃହରେ ସଦାନନ୍ଦ ଇନ୍ଦୁକୁ ରଖିଦେଲେ । ରୀତି ନୀତି ବିଷୟରେ ଭଦ୍ରମହିଳାଟି ବଡ଼ କଡ଼ା । ସେ ଅନେକ ଚେଷ୍ଟା ଓ ସାଧ୍ୟ ସାଧନା କରି ସୁଦ୍ଧା ତାଙ୍କ ଗୃହକୁ ନିଜର ଇଚ୍ଛାନୁଯାୟୀ କରିପାରି ନ ଥିଲେ । ସେ ନିଜେ ସମସ୍ତ ଆୟତ୍ତ କରିଥିଲେ, କିନ୍ତୁ ତାଙ୍କ ପୁତ୍ର କନ୍ୟାଙ୍କ ନିକଟରେ ତାଙ୍କର ଏତେ ଚେଷ୍ଟା ଯତ୍ନର କିଛି ଫଳ ଫଳିଲା ନାହିଁ । କେବଳ ତାଙ୍କର କନିଷ୍ଠା କନ୍ୟା ସରଳା ତାଙ୍କର ଗୁଣଗୁଡ଼ିକ ଲାଭ କରିଥିଲା । ସେ ମାତା ପରି ପରିଚ୍ଛନ୍ନ, ସର୍ବଦା ମାତାଙ୍କର ବାଧ୍ୟ ଏବଂ ରୀତି ନୀତି ବିଷୟରେ ବଡ଼ ପଟୁ । ସୁତରାଂ ଇନ୍ଦୁ ଯେତେବେଳେ ତାଙ୍କ ଘରେ ରହିଲା, ସରଳାର ମା’ସରଳାକୁ ଇନ୍ଦୁର ଆଦର୍ଶସ୍ୱରୂପ ଛିଡ଼ାକଲେ । ଯେତେବେଳେ ଇନ୍ଦୁ କୌଣସି ଅନ୍ୟାୟ କରେ, ସେତେବେଳେ ସରଳାର ମା’ ସରଳାର ଗୁଣାବଳୀ ସବୁ ଉଲ୍ଲେଖ କରି ତାକୁ ଅନେକ ଉପଦେଶ ଦିଅନ୍ତି । ଅଳ୍ପଦିନ ପରେ ସରଳା ସଦାନନ୍ଦଙ୍କୁ ଅନୁଗ୍ରହ କରିବା ଉଦ୍ଦେଶ୍ୟରେ ଏବଂ ଇନ୍ଦୁ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କର ଆଦର୍ଶସ୍ୱରୂପ ସ୍କୁଲକୁ ଆସିଲା । ବୟସ ଓ ଶାରୀରିକ ଗଠନରେ ସେ ଯୌବନର ସୀମାରେ ପ୍ରବେଶ କରିଅଛି । ତହିଁ ଉପରେ ପୁଣି ବେଶଭୂଷାରେ ଅତିରିକ୍ତ ପରିପାଟ୍ୟ । ସ୍କୁଲରେ ତାହାର ଦାଉ ସମ୍ଭାଳିବା ମୁସ୍କିଲ । ସୁତରାଂ ସଦାନନ୍ଦଙ୍କୁ ତା’ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ହେଲା । ସ୍କୁଲରେ ତାହାର ପେନସିଲ ଭାଙ୍ଗିଗଲେ ସଦାନନ୍ଦଙ୍କୁ କାଟି ଦେବାକୁ ହୁଏ । ହସ୍ତାକ୍ଷର ଖାତାରେ ଲେଖିଲାବେଳେ ସରଳା ସମସ୍ତଙ୍କୁ ଠେଲି ପଛରେ ପକାଇ ସାମନାରେ ଛିଡ଼ାହୁଏ । ଦିନେ ସ୍କୁଲରେ ତାହାର ପୁସ୍ତକ ହଜିଗଲା । ସଦାନନ୍ଦ ଖୋଜି ନ ଦେବା ପର୍ଯ୍ୟନ୍ତ ସେ ଖୋଜି ପାଇଲା ନାହିଁ । ଏହିପରି ନାନା ବିଷୟରେ ସଦାନନ୍ଦଙ୍କୁ ସେ ଉତ୍ୟକ୍ତ କରୁଥିଲା ଏବଂ ତାଙ୍କୁ ସମ୍ପୂର୍ଣ୍ଣରୂପେ ନିଜର ଅଧିକାରଭୁକ୍ତ କରିବାକୁ ଚେଷ୍ଟା କରୁଥିଲା ।

 

ଦିନେ ହଠାତ୍ ଇନ୍ଦୁକୁ ସ୍କୁଲରେ ଦେଖାଗଲା ନାହିଁ । କ୍ରମେ କ୍ରମେ ସମସ୍ତ ଛାତ୍ର-ଛାତ୍ରୀ ଆସିଲେ; କିନ୍ତୁ ଇନ୍ଦୁ ଆସିଲା ନାହିଁ । ସଦାନନ୍ଦ ସରଳାକୁ ପଚାରିବାରୁ ସେ କହିଲା, ସେମାନେ ଦୁହେଁଯାକ ଏକାଠି ସ୍କୁଲକୁ ଆସୁଥିଲେ । ବାଟ ମଝିରେ ଇନ୍ଦୁ ତା କଥା ନ ମାନି ଅନ୍ୟ ବାଟେ ଚାଲିଗଲା । ଉପରଓଳି ପର୍ଯ୍ୟନ୍ତ ଅପେକ୍ଷା କରି ସୁଦ୍ଧା ଇନ୍ଦୁର ସାକ୍ଷାତ୍ ମିଳିଲା ନାହିଁ । ଚାରିଆଡ଼େ ଖୋଜା ଲାଗିଗଲା । ସରଳାର ମା ମନରେ ଅନେକ ପ୍ରକାର କଳ୍ପନା କରି ବ୍ୟସ୍ତ ହେଲେ । ସେ ଭାବିଲେ ଇନ୍ଦୁ ବୋଧହୁଏ ପୋଖରୀରେ ବୁଡ଼ିଗଲା । ତାକୁ କଫିନରେ ପୁରାଇବାପାଇଁ କେତେ ହରକତ ହେବାକୁ ହେବ । ଏହି କଥା ଭାବି ସେ ବଡ଼ ବ୍ୟସ୍ତ ହେଲେ । ଅନେକ ଖୋଜା ହେଲା; କିନ୍ତୁ ଇନ୍ଦୁକୁ କେହି ପାଇଲେ ନାହିଁ । ହତାଶ ହୋଇ ସଦାନନ୍ଦ ସ୍କୁଲ ଗୃହକୁ ଫେରିଗଲେ । ଘରେ ଆଲୁଅ ଜାଳି ଦେଖିଲେ, ତାଙ୍କ ବହି ଉପରେ ତାଙ୍କ ନାମରେ ଖଣ୍ଡେ ଚିଠି ରହି ଅଛି । ଅବାକ୍ ହୋଇ ଚିଠି ଖଣ୍ଡ ଫିଟାଇଲେ । ଚିଠି ଖଣ୍ଡି କରେ ଏହିପରି ଭାବରେ ଲେଖାଥିଲା—

 

ଶ୍ରୀଚରଣେଷୁ,

 

ଯେତେବଳେ ତୁମେ ଏ ଚିଠି ପାଇବ, ସେତେବେଳେ ମୁଁ ଏଠାରେ ନ ଥିବି । ମୁଁ ଆଉ କେବେ ଫେରିଆସିବି ନାହିଁ ତୁମେ ମୋର ଖେଳନା ଓ ବହିଗୁଡ଼ିକ ପିଲାମାନଙ୍କୁ ବାଣ୍ଟିଦେବ; କିନ୍ତୁ ସରଳାକୁ କିଛି ଦେବ ନାହିଁ । ଖବରଦାର ! ସରଳାକୁ କିଛି ଦେବ ନାହିଁ । ତୁମେ ଜାଣ; ମୁଁ ତାକୁ କିପରି ଚକ୍ଷୁରେ ଦେଖେଁ । ମୁଁ ତାକୁ ଆଦୌ ସହ୍ୟ କରିପାରିବି ନାହିଁ । ଏହିଠାରେ ବିଦାୟ । ଇତି ।

 

ତୁମର ସ୍ନେହର ଇନ୍ଦୁ ।

 

ସଦାନନ୍ଦ ଚିଠି ଖଣ୍ଡ ଧରି ଅନେକ କ୍ଷଣଯାଏ ସ୍ଥିର ହୋଇ ବସି ଭାବିଲେ । ପରେ କଣ ମନେ କରି ଚିଠି ଖଣ୍ଡ ଟିକି ଟିକି କରି ଚିରି ବାହାରକୁ ପକାଇଦେଲେ । ପରଦିନ ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ସଦାନନ୍ଦ ଇନ୍ଦୁକୁ ଖୋଜିବାକୁ ବାହାରିଲେ । ନିର୍ଜନ ବନ, ଅପରିମିତ ଶୁଷ୍କ ପତ୍ରରେ ପଥ ଆଚ୍ଛାଦିତ । ସଦାନନ୍ଦଙ୍କ ମୃଦୁ ପଦବିକ୍ଷେପରେ ମଧ୍ୟ ବନ ମୁଖରିତ ହେବାକୁ ଲାଗିଲେ । ଖସ୍ ଖସ୍ ଶବ୍ଦରେ କେତେ ବିଲୁଆ ଡରି ପଳାଇଲେ । ସେ ଶବ୍ଦରେ କାଉମାନଙ୍କର ନିଦ୍ରାଭଙ୍ଗ ହେଲା । ଚକ୍ଷୁ ଖୋଲି ସୂର୍ଯ୍ୟର ଆଲୋକ ଦେଖି ସେମାନେ ନିଜ ନିଜ ବସା ଛାଡ଼ି ବାହାରିପଡ଼ିଲେ । ଚାଲୁ ଚାଲୁ କ୍ରମେ ସଦାନନ୍ଦ ସେହି ବୃକ୍ଷ ନିକଟରେ ଆସି ପହଞ୍ଚିଲେ, ଯେଉଁ ବୃକ୍ଷ ଉପରେ ଦିନେ ଇନ୍ଦୁ ବନଦେଵୀ ପରି ବସିଥିବାର ସେ ଦେଖିଥିଲେ । ସେଠାରେ ଆସି ଦେଖିଲେ, ସେହି ବୃକ୍ଷ, ସେହି ଶାଖା ସବୁ ଠିକ୍‍ ସେହିପରି ରହି ରହିଅଛି; କେବଳ ସେ ସିଂହାସନ ଆଜି ଶୂନ୍ୟ । ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ ସେ ଆହୁରି ଟିକିଏ ଅଗ୍ରସର ହେଲେ । କିଛି ଦୂର ଗଲାପରେ ହଠାତ୍ ତାଙ୍କର ମନେ ହେଲା, ଯେପରି କି କିଏ ଦୌଡ଼ି ପଳାଇଲା । ସଦାନନ୍ଦ ଆହୁରି ଟିକିଏ ଆଗକୁ ଗଲେ । ପୁଣି ଦେଖିଲେ, କିଏ ଯେପରି ଗୋଟିଏ ବୃକ୍ଷକୋଟରରୁ ବାହାରି ଅନ୍ୟ ଗୋଟିଏ ବୃକ୍ଷକୋଟର ମଧ୍ୟରେ ପ୍ରବେଶ କଲା । ସଦାନନ୍ଦ ବୃକ୍ଷ ନିକଟକୁ ଯାଇ ଦେଖିଲେ, ଇନ୍ଦୁ ଭୟଚକିତ ନେତ୍ରରେ ଚାହିଁରହିଅଛି । ତାଙ୍କୁ ଦେଖି ଇନ୍ଦୁ ଚିତ୍କାର କରି କହିଲା, ‘‘ତୁମେ କାହିଁକି ଏଠାକୁ ଆସିଅଛ-?’’ ସଦାନନ୍ଦ ଶାନ୍ତ ଭାବରେ କହିଲେ, ‘‘ମୁଁ ଖାଇବାପାଇଁ କିଛି ଫଳ ନେବାକୁ ଆସିଛି ।’’ ଇନ୍ଦୁ ଆହୁରି କ୍ରୁଦ୍ଧ ହୋଇ କହିଲା, ‘‘ନା, ତୁମେ ପାଇବ ନାହିଁ । ସରଳାକୁ ମାଗିଲ ନାହିଁ, ସେ ଦେଇଥାନ୍ତା-?’’

 

ସଦାନନ୍ଦ କହିଲେ, ‘‘ଇନ୍ଦୁ, ମତେ ବଡ଼ ଭୋକ ହେଲାଣି, ମୁଁ କାଲିଠାରୁ କିଛି ଖାଇ ନାହିଁ ।’’ ଏ କଥାଗୁଡ଼ିକ ଇନ୍ଦୁର ପ୍ରାଣରେ ବଡ଼ ଲାଗିଲା । ତତ୍‌କ୍ଷଣାତ୍ ତାହାର ରାଗ ଶାନ୍ତ ହୋଇଗଲା । ସେ କୋମଳ ଭାବରେ କହିଲା, ‘‘ଏହି ଗଛ ମୂଳକୁ ଖୋଜ, ଅନେକ ଫଳ ପାଇବ ।’’ ସଦାନନ୍ଦ ଅନେକ ଖୋଜିଲେ, କିନ୍ତୁ ପାଇଲେ ନାହିଁ । ଇନ୍ଦୁ ଛିଡ଼ା ହୋଇ ଦେଖୁଥିଲା, ସଦାନନ୍ଦଙ୍କର ଏପରି ଅବସ୍ଥା ଦେଖି କହିଲା, ‘‘ଆଚ୍ଛା, ମୁଁ ଯଦି ତୁମକୁ ଖୋଜିଦିଏ, ତାହାହେଲେ ତୁମେ ମତେ ଧରିବ ନାହିଁ ତ ? ପ୍ରତିଜ୍ଞା କର ।’’ ସଦାନନ୍ଦ ସେହିପରି ପ୍ରତିଜ୍ଞା କଲେ । ଇନ୍ଦୁ କେତେଗୁଡ଼ିଏ ଫଳ ଆଣି ଦେଲା । ସଦାନନ୍ଦ ନୀରବରେ ସେଗୁଡ଼ିକ ଖାଇଲେ । ଇନ୍ଦୁ ପଚାରିଲା ‘‘ବର୍ତ୍ତମାନ ତୁମେ ସୁସ୍ଥ ହେଲେ ତ ?’’ ସଦାନନ୍ଦ ଇନ୍ଦୁକୁ ଅନେକ ଧନ୍ୟବାଦ ଦେଇ ଫେରିଲେ । ଅଳ୍ପଦୂର ଆସିବାପରେ ଇନ୍ଦୁ ତାଙ୍କୁ ଡାକିଲା-। ଇନ୍ଦୁ ଯେ ତାଙ୍କୁ ଡାକିବ, ଏ କଥା ସେ ଜାଣିଥିଲେ; ସୁତରାଂ ଫେରିପଡ଼ି ତାହା ନିକଟକୁ ଗଲେ । ଦେଖିଲେ, ତାହାର ମୁଖ ପାଣ୍ଡୁରବର୍ଣ୍ଣ, ଚକ୍ଷୁ ଅଶ୍ରୁପୂର୍ଣ୍ଣ । ସଦାନନ୍ଦ ସସ୍ନେହରେ ତାହାର ହାତ ଯୋଡ଼ିକି ଧରି କହିଲେ, ‘‘ଇନ୍ଦୁ, ଯେଉଁଦିନ ପ୍ରଥମେ ତୁମେ ମୋ ନିକଟକୁ ଆସିଥିଲ, ସେ ଦିନ ତୁମର ମନେ ଅଛି ?’’ ହଁ, ତାହାର ସେ ଦିନ ବେଶ୍‍ ମନେ ଅଛି । ସଦାନନ୍ଦ କହିଲେ, ‘‘ତୁମେ ମତେ ପଚାରିଥିଲ, ସ୍କୁଲକୁ ଆସିପାରିବି କି ନାହିଁ । ତୁମେ କହିଥିଲ, ତୁମେ ଖୁବ୍‍ ଭଲ ପିଲା ହେବାକୁ ଇଚ୍ଛା କର । ମୁଁ ତୁମକୁ କହିଥିଲି—‘‘ସଦାନନ୍ଦଙ୍କ କଥା ମଝିରେ ବାଧା ଦେଇ ଇନ୍ଦୁ କହିଲା, ‘‘ତୁମେ କହିଥିଲ–ଆସ-’’ ସଦାନନ୍ଦ କହିଲେ, ‘‘ଆଉ ଆଜି ଯଦି ତୁମର ମାଷ୍ଟର କହେ ଯେ, ତାହାର କ୍ଷୁଦ୍ର ଛାତ୍ରୀଟି ନ ହେଲେ ତାହାର କୌଣସି ମତେ ଚଳିବ ନାହିଁ ?’’ ଇନ୍ଦୁ କିଛିକ୍ଷଣ ସଦାନନ୍ଦଙ୍କ କ୍ରୋଡ଼ ମଧ୍ୟରେ ମୁଖ ଲୁଚାଇ ରହିଲା । ହଠାତ୍ ସେ ସଦାନନ୍ଦଙ୍କ ହାତ ଧରି ଚାଲିବାକୁ ଆରମ୍ଭ କଲା । ତୁନି ତୁନି କ’ଣ କହିଲା, ସଦାନନ୍ଦ ବୁଝିପାରିଲେ ନାହିଁ ।

 

ବର୍ତ୍ତମାନ ଇନ୍ଦୁ ଅନ୍ୟାନ୍ୟ ପିଲାଙ୍କ ସହିତ ବେଶ୍‍ ଭଲ ବ୍ୟବହାର କରେ । କିନ୍ତୁ ସରଳା ପ୍ରତି ତାହାର ବିଦ୍ୱେଷଭାବ ଆଉ ଦୂର ହେଲା ନାହିଁ । ଅନେକ ସମୟରେ ସେ ସାରଳା ଉପରେ ରାଗିଯାଇ ଗୋଟିଏ କିଛି କାଣ୍ଡ କରିବସେ । ଇନ୍ଦୁର ଏହି ସ୍ୱଭାବ କିପରି ଦୂର ହେବ; ସଦାନନ୍ଦ ଅନେକ ସମୟରେ ଏହି ବିଷୟରେ ଚିନ୍ତା କରନ୍ତି । କିପରି ବ୍ୟବହାର କଲେ ତାହାର ସ୍ଵଭାବ ବଦଳିବ, ସଦାନନ୍ଦ ଅନେକ ଚିନ୍ତା କରି ସୁଦ୍ଧା ସ୍ଥିର କରିପାରିଲେ ନାହିଁ । ଶେଷରେ ପାଦ୍ରୀ ସାହେବଙ୍କ ସାଙ୍ଗରେ ଏ ବିଷୟରେ ପରାମର୍ଶ କରିବେ ବୋଲି ଭାବିଲେ । ଦିନେ ସନ୍ଧ୍ୟା ସମୟରେ ସେ ପାଦ୍ରୀଙ୍କ ଗୃହକୁ ଗଲେ । ପାଦ୍ରୀ ସଦାନନ୍ଦଙ୍କୁ ଦେଖି ଭାରି ଖୁସି ହେଲେ । ପ୍ରଥମରେ ସେ ନିଜର ଅସୁସ୍ଥତା କଥା ଅନେକ କହିଲେ । ପରେ ସରଳା ଏବଂ ତାହାର ମା’ ର ଖବର ପଚାରିଲେ । ସରଳାର ପ୍ରଶଂସାର ଆଉ ସୀମା ନାହିଁ । ସଦାନନ୍ଦ ତାଙ୍କ କଥାରେ ବାଧା ଦେଇ କିପରି ଇନ୍ଦୁ କଥା ପକାଇବେ, କିଛି ଭାବି ସ୍ଥିର କରିପାରିଲେ ନାହିଁ ସୁତରାଂ ଅନେକକ୍ଷଣ ପର୍ଯ୍ୟନ୍ତ ପାଦ୍ରୀଙ୍କ ବକ୍ତୃତା ଶୁଣି ଇନ୍ଦୁ ସମ୍ବନ୍ଧରେ ନିରାଶ ହୋଇ ଚାଲି ଆସିଲେ । ଇନ୍ଦୁକୁ ସମ୍ପୂର୍ଣ୍ଣ ନିରାଶ୍ରୟ ଜାଣି ସେ ତାକୁ ଆହୁରି ଆପଣାର କରିନେଲେ ।

 

ସଦାନନ୍ଦଙ୍କର ଏହି ଗ୍ରାମକୁ ଆସିବାର ଦୁଇ ବର୍ଷ ହୋଇଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବେତନ ବୃଦ୍ଧି ହୋଇ ନାହିଁ । କିଛିଦିନ ହେଲା ସେ ଅନ୍ୟ ସ୍ଥାନକୁ ଚାଲିଯିବା କଥା ଚିନ୍ତା କରୁଅଛନ୍ତି । ବେତନ ଵୃଦ୍ଧି ନିମିତ୍ତ ଗ୍ରାମସ୍ଥ କେତକ ଭଦ୍ରବ୍ୟକ୍ତିଙ୍କୁ ସେ ଥରେ ଦୁଇ ଥର କହି ମଧ୍ୟ କୌଣସି ଫଳ ପାଇନାହାନ୍ତି । ସୁତରାଂ ଅନ୍ୟ ସ୍ଥାନକୁ ଯିବାର ସ୍ଥିର କରୁଅଛନ୍ତି । ଏପର୍ଯ୍ୟନ୍ତ ସେ ଏ ବିଷୟରେ କାହାକୁ କିଛି କହି ନାହାନ୍ତି—କେବଳ ଇନ୍ଦୁ ଶୁଣିବ, ଏହି ଭୟରେ । ଇନ୍ଦୁ କଥା ସେ ଭୁଲିଯିବାକୁ ଚେଷ୍ଟା କରୁଅଛନ୍ତି । ତା କଥା ମନକୁ ଆସିଲେ ନାନାପ୍ରକାର କଳ୍ପନା କରନ୍ତି । ସେ ଭାବନ୍ତି, ତାଙ୍କ ଅପେକ୍ଷା ଦୃଢ଼ଚିତ୍ତ ଲୋକ ହାତରେ ପଡ଼ିଲେ କେଜାଣି ବା ଇନ୍ଦୁର ସ୍ଵଭାବ ଆହୁରି ଭଲ ହୋଇପାରେ-। ବର୍ତ୍ତମାନ ସେ ବାଳିକା, ଆଉ ଦୁଇ ଚାରି ବର୍ଷ ପରେ ବେଶ୍‍ ବଡ଼ ହୋଇଯିବ ସେତେବେଳେ ହୁଏ ତ ତାଙ୍କୁ ଭୁଲିଯିବ । ଏହିପରି ନାନା ପ୍ରକାର କଳ୍ପନା କରନ୍ତି । ଗୋବିନ୍ଦର ମୃତ୍ୟୁ ପରେ ଇନ୍ଦୁର ଆତ୍ମୀୟ ସ୍ଵଜନମାନଙ୍କ ନିକଟକୁ ଇନ୍ଦୁର ଭାର ନେବାପାଇଁ ପତ୍ରାଦି ଲେଖିଥିଲେ । ପ୍ରାୟ ସମସ୍ତେ ନୀରବ ରହିଲେ । ଇନ୍ଦୁର ଜଣେ ମାଉସୀ ପତ୍ରର ଉତ୍ତର ଦେଇଥିଲେ । ସେଥିରେ ଇନ୍ଦୁର ଆଶ୍ରୟ ସମ୍ବନ୍ଧରେ ଉଲ୍ଲେଖ ମଧ୍ୟ କରି ନ ଥିଲେ । ସଦାନନ୍ଦ ଅବଶ୍ୟ ଇନ୍ଦୁର ଭବିଷ୍ୟତ ବିଷୟରେ ଆକାଶ-କୁସୁମ ରଚନା କରିଥିଲେ । କିନ୍ତୁ ଯେତେବେଳେ ସେ ପତ୍ରଖଣ୍ଡ ଇନ୍ଦୁକୁ ପଢି ଶୁଣାଇଲେ, ସେତେବେଳେ ତାଙ୍କର ଭ୍ରମ ଭାଙ୍ଗିଲା । ସେ ତାଙ୍କ ଆଡ଼କୁ ଫେରି ଚାହିଁଲା ନାହିଁ; ତୁନି ହୋଇ ବସିରହିଲା ଏବଂ ପତ୍ରପାଠ ଶେଷ ହେଲାରୁ ସେଖଣ୍ଡି ଛିଣ୍ଡାଇ ସେଠାରେ ପକାଇ ଦେଇ ଚାଲିଗଲା ।

 

ଶୀତ ପ୍ରାୟ ନାହିଁ, ବସନ୍ତ ପବନ ବହିବାକୁ ଆରମ୍ଭ ହେଲାଣି । ବୃକ୍ଷରେ ନୂତନ ପତ୍ର ଏବଂ କଢ଼, ପଡ଼ିଆରେ ଶ୍ୟାମଳ ତୃଣ ବସନ୍ତର ଆଗମନ ଜଣାଇ ଦେଉଅଛି । ପାହାଡ଼ ଦେହରେ ଯେଉଁ ସବୁ ବନ୍ୟ ବୃକ୍ଷ ଅଛି, ସେଗୁଡ଼ିକ ମଧ୍ୟ ନୂତନ ପତ୍ର ପୁଷ୍ପରେ ସଜ୍ଜିତ ହୋଇ ବସନ୍ତର ଶୋଭା ପ୍ରକାଶ କରୁଅଛନ୍ତି ।

 

ଏପରି ସମୟରେ ସେହି ଗ୍ରାମକୁ ଗୋଟିଏ ସର୍କସ ଦଳ ଆସିଲେ ସେମାନେ ସେଠାରେ କିଛି ଦିନ ରହି ନାନା ପ୍ରକାର ଖେଳ ଦେଖାଇବାକୁ ଲାଗିଲେ । ଗ୍ରାମର ବାଳକ ବାଳିକା, ବୃଦ୍ଧ, ବୃଦ୍ଧା ସମସ୍ତଙ୍କର ସେହି ଖେଳ କଥା ଏକମାତ୍ର ଆଲୋଚ୍ୟ ବିଷୟ ହୋଇଉଠିଲା । ସମସ୍ତଙ୍କଠାରୁ ଏହିପରି ପ୍ରଶଂସା ବାକ୍ୟ ଶୁଣି ସଦାନନ୍ଦ ଦିନେ ସନ୍ଧ୍ୟା ସମୟରେ ଇନ୍ଦୁକୁ ଖେଳ ଦେଖାଇବାକୁ ଘେନିଗଲେ । ସଦାନନ୍ଦ ଭାବିଥିଲେ, ଇନ୍ଦୁ ବୋଧହୁଏ ଖେଳ ଦେଖି ଭାରି ଖୁସି ହେବ- ଖେଳ ଆରମ୍ଭ ହେଲା । ସଦାନନ୍ଦ ତନ୍ମୟ ହୋଇ ଦେଖୁଥିଲେ, ହଠାତ୍ ତାଙ୍କର ଇନ୍ଦୁ କଥା ମନେ ପଡ଼ିଗଲା । ସେ କିପରି ଆମୋଦ ଅନୁଭବ କରୁଅଛି, ଦେଖିବାପାଇଁ ସଦାନନ୍ଦ ତା ଆଡ଼କୁ ଚାହିଁଲେ-। ଦେଖିଲେ; ଇନ୍ଦୁ ଖେଳ ଆଡ଼କୁ ନ ଚାହିଁ ଅନ୍ୟ ଆଡ଼କୁ ଚାହିଁ ବସିଅଛି—ତାହାର ମୁଖ ଗମ୍ଭୀର-। ସଦାନନ୍ଦ ଅବାକ୍‌ ହୋଇଗଲେ । ସେ ତାକୁ ଖେଳର ବାହାଦୁରି ଦେଖାଇ ତାହାର ମନ ଭୁଲାଇବାକୁ ଚେଷ୍ଟା କେଲେ—କିନ୍ତୁ ସେ ସେହିପରି ଅନ୍ୟମନସ୍କ ହୋଇ ରହିଲେ । କିଛିକ୍ଷଣ ପରେ ସେ କହିଲା, ‘‘ମତେ ଘରକୁ ନେଇ ଚାଲ ।’’ ତାହାର ଅସ୍ଥିରତା ଦେଖି ଅଗତ୍ୟା ସଦାନନ୍ଦ ତାକୁ ନେଇ ଘରକୁ ଫେରିଗଲେ । ଇନ୍ଦୁକୁ ତାହାର ଘରେ ଛାଡ଼ି ସଦାନନ୍ଦ ତାହାର ଏପରି ଭାବାନ୍ତର କାରଣ ଚିନ୍ତା କରୁ କରୁ ଘରକୁ ଫେରିଲେ ।

 

ଏହି ଘଟଣା ପରେ ଦୁଇ ତିନି ଦିନ ପର୍ଯ୍ୟନ୍ତ ଇନ୍ଦୁ ବିଳମ୍ବ କରି ସ୍କୁଲକୁ ଆସିଲା । ଉପର ଓଳି ମଧ୍ୟ ସେ ଆଉ ସଦାନନ୍ଦଙ୍କ ନିକଟକୁ ଆସିଲା ନାହିଁ । ସୁତରାଂ ଉପଯୁକ୍ତ ସଙ୍ଗୀ ଅଭାବରେ ସଦାନନ୍ଦଙ୍କର ସାନ୍ଧ୍ୟ ଭ୍ରମଣ ମଧ୍ୟ ବନ୍ଦ ହୋଇଗଲା ସେ ଦିନ ସ୍କୁଲ ଛୁଟି ପରେ ସଦାନନ୍ଦ ବହି ସଜାଡ଼ି ଘରକୁ ଯିବାକୁ ବାହାରିଅଛନ୍ତି, ଏପରି ସମୟରେ ଶୁଣିଲେ, କିଏ ଡାକିଲା, ‘‘ମାଷ୍ଟର ମହାଶୟ !’’ ସଦାନନ୍ଦ ପଛକୁ ଚାହିଁ ଦେଖିଲେ, ତାଙ୍କର ଗୋଟିଏ ଛାତ୍ର । ସେ ତାକୁ ଏପରି ସମୟରେ ସେଠାରେ ଦେଖି କହିଲେ, ‘‘କଣ ହୋଇଛି, ତୁମେ ଏପରି ସମୟରେ ଏଠାରେ କାହିଁକି ଅଛ ?’’ ସେ ବାଳକଟି ଟିକିଏ ଭୀତ ହୋଇ କହିଲା, ‘‘ଆମ୍ଭମାନଙ୍କର ସନ୍ଦେହ ହେଉଛି, ଇନ୍ଦୁ ବୋଧହୁଏ ପୁଣି ଘରୁ ପଳାଇବ ।’’ ସଦାନନ୍ଦ ଚମକିପଡ଼ି କହିଲେ, ‘‘କାହିଁକି, ଏପରି କହିବାର କାରଣ କଣ ?’’ ବାଳକଟି କହିଲା, ‘‘ସେ ତ ଆଜି କାଲି ଘରେ ରହେ ନାହିଁ, ପ୍ରାୟ ସମସ୍ତ କ୍ଷଣ ସେହି ଖେଳବାଲାମାନଙ୍କ ନିକଟରେ ଥାଏ । କାଲି ଆମ୍ଭେମାନେ ତାକୁ ସେଠାରେ ଦେଖିଥିଲୁଁ । ସେ କାଲି ଆମକୁ କେତେ ପ୍ରକାର ଖେଳ ଦେଖାଇଲା । ଆଜି ପୁଣି ସେହି ଲୋକଟା ସଙ୍ଗେ ଇନ୍ଦୁ କଥା କହିବାର ଆମ୍ଭେମାନେ ଦେଖିଛୁଁ ।’’

 

ସଦାନନ୍ଦ ପଚାରିଲେ, କେଉଁ ଲୋକ ।’’

 

ବାଳକ କହିଲା, ‘‘ସେହି ଲୋକଟା, ଯାହାର ଖୁବ୍‍ ଚକଚକିଆ ପୋଷାକ ଓ ବୋତାମ ଅଛି ।’’ ଏ କଥା ଶୁଣି ସଦାନନ୍ଦ ଅସ୍ଥିର ହୋଇ ବହି ଖାତା ସେହିଠାରେ ରଖିଦେଇ ଊର୍ଦ୍ଧଶ୍ୱାସରେ ଦୌଡ଼ିଲେ । ବାଳକଟି ମଧ୍ୟ ତାଙ୍କ ପଛେ ପଛେ ଗଲା । ଯାଉଁ ଯାଉଁ ସଦାନନ୍ଦ ବାଳକଟିକୁ ପଚାରିଲେ, ‘‘କେଉଁଠି ସେମାନେ କଥାବାର୍ତ୍ତା ହେଉଥିଲେ ?’’

 

ବାଳକ କହିଲା, ‘‘ସେହି ଚାଳଘର ପାଖରେ ।’’ ସଦାନନ୍ଦ କହିଲେ, ‘‘ତୁମେ ଯାଅ ଦେଖି ଆସ, ଇନ୍ଦୁ ଘରେ ଅଛି କି ନାହିଁ ।’’ ବାଳକଟି ପ୍ରାଣପଣରେ ଦୌଡ଼ିଲା । ସଦାନନ୍ଦ ଯେତେବେଳେ ସେ ଘର ନିକଟରେ ପହଞ୍ଚିଲେ, ସେତେବେଳେ କେତେଗୁଡ଼ିଏ ଲୋକ ଅବାକ ହୋଇ ତାଙ୍କୁ ଚାହିଁଲେ । ତାଙ୍କର ମୁଖର ଭାବ ସେତେବେଳେ ବଦଳି ଯାଇଥିଲା । ଘର ଭିତରକୁ ଯାଇ ସଦାନନ୍ଦ ଇନ୍ଦୁକୁ ଅନେକ ଖୋଜିଲେ; କିନ୍ତୁ ପାଇଲେ ନାହିଁ । ଏ ଘର ସେ ଘର ଖୋଜୁ ଖୋଜୁ ଗୋଟିଏ ଘରେ ଗୋଟିଏ ଲୋକକୁ ଦେଖିଲେ ଏବଂ ଦେଖିବା ମାତ୍ରକେ ତାକୁ ଚିହ୍ନି ପାରିଲେ—ନିକଟକୁ ଯାଇ ପଚାରିଲେ, ‘‘ଶୁଣିଲି, ଇନ୍ଦୁ ନାମରେ ମୋର ଗୋଟିଏ ଛାତ୍ରୀ ତୁମ ଦଳରେ ଭର୍ତ୍ତି ହେବାକୁ ଇଚ୍ଛା କରିଅଛି । ଏହା କଣ ସତ୍ୟ ?’’ ଲୋକଟା ସଦାନନ୍ଦଙ୍କ ଆଡ଼କୁ ନ ଚାହିଁ ତାଙ୍କ କଥା ଗ୍ରାହ୍ୟ ନ କଲା ପରି କହିଲା, ‘‘ଯଦି ହୋଇଥାଏ, ସେଥିରେ କ୍ଷତି କଣ ?’’ ସଦାନନ୍ଦଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା—କୌଣସି ପ୍ରକାରେ ନିଜକୁ ସମ୍ଭାଳି କହିଲେ, ‘‘ସେ ବଡ଼ ଅବୁଝା ପିଲା, କିନ୍ତୁ ବର୍ତ୍ତମାନ ସେ ଅନେକ ଭଲ ହେଲାଣି । ମୁଁ ତାକୁ ଅନେକ ଚେଷ୍ଟା କରି ବାଟକୁ ଆଣିଅଛି । ତୁମକୁ ମୁଁ ଏତିକି ଅନୁରୋଧ କରୁଅଛି, ତୁମେ ଏଥିରେ ବାଧା ଦିଅ ନାହିଁ । ତୁମେ ତାକୁ କିପରି ଭାବରେ ରଖିବ, ତାହା ମୁଁ ଜାଣେ, ତୁମେ ମଧ୍ୟ ଭଲରୂପେ ଜାଣ । ତାହାର ପିତା ମାତା ଭାଇ ଭଉଣୀ କେହି ନାହାନ୍ତି-। ତୁମେ କଣ ତାର ଏ ଅଭାବ ପୂର୍ଣ୍ଣ କରିପାରିବ ? ତାକୁ ମୋ ହାତରେ ଛାଡ଼ି ଯାଅ-।’’ ସଦାନନ୍ଦଙ୍କର ଏପରି କାତର ବଚନ ଶୁଣି ସୁଦ୍ଧା ସେ ଲୋକଟାର ମନରେ ଟିକିଏ ମାତ୍ର ଦୟା ହେଲା ନାହିଁ । ସେ ସଦାନନ୍ଦଙ୍କ ଆଡ଼କୁ ଚାହିଁ ହସିଦେଇ କହିଲା, ‘‘ସେ ସବୁ ଚଲାଖି ଏଠାରେ ଚଳିବ ନାହିଁ ।’’

 

ଏ କଥାରେ ସଦାନନ୍ଦଙ୍କୁ ଯେତେ ଅପମାନ ବୋଧ ନ ହେଲା, ତାହାର ସ୍ୱରରେ ଏବଂ କହିବା ଭଙ୍ଗୀରେ ତାଙ୍କୁ ବଡ଼ କଷ୍ଟ ହେଲା । ସେ କାଣ୍ଡଜ୍ଞାନଶୂନ୍ୟ ହୋଇ ତାକୁ ଗୋଟାଏ ଧକ୍କା ଦେଲେ । ସେ ଲୋକଟା ସେ ଆଘାତରେ ଦୂରରେ ପଡ଼ିଲା । କିଛି କ୍ଷଣ ବେଶ୍‍ ମାରପିଟ ଚାଲିଲା । ସଦାନନ୍ଦ ଅଜ୍ଞାନ ହୋଇପଡ଼ିଲେ । ମଜା ଦେଖିବାକୁ ଅନେକ ଲୋକ ମଧ୍ୟ ସେଠାରେ ଜମିଗଲେ । କିଛିକ୍ଷଣ ପରେ ଯେତେବେଳେ ସଦାନନ୍ଦଙ୍କର ଚେତନା ହେଲା, ସେ ଦେଖିଲେ, ଦୁଇ ଚାରିଜଣ ଲୋକ ତାଙ୍କୁ ଘେରି ବସିଅଛନ୍ତି । ଚକ୍ଷୁ ଫିଟାଇ ସଦାନନ୍ଦ କହିଲେ, ‘‘ଇନ୍ଦୁ କାହିଁ ?’’ ଜଣେ କହିଲା, ‘‘ସେ ଘରକୁ ଗଲାଣି ।’’ ସଦାନନ୍ଦ ଉଠି ଆସ୍ତେ ଆସ୍ତେ ସ୍କୁଲ ଘର ଆଡ଼କୁ ଗଲେ । ସ୍କୁଲକୁ ଯାଇ ଦେଖିଲେ, କବାଟ ଖୋଲା—ଘର ଭିତରେ ଇନ୍ଦୁ ବସିଅଛି । ସଦାନନ୍ଦ ବାଟରେ ଚିନ୍ତା କରି କରି ଆସୁଥିଲେ, ଇନ୍ଦୁପାଇଁ ତାଙ୍କର ଏତେ ଚିନ୍ତା କାହଁକି ? ସେ ତାଙ୍କ କଥା ନ ଭାବି ଚାଲିଯିବାକୁ ପ୍ରସ୍ତୁତ, ତେବେ ତାଙ୍କର ଏ ବ୍ୟାକୁଳତା କାହିଁକି ?

 

ଘର ଭିତରକୁ ଆସି ସେ କହିଲେ, ‘‘ମୁଁ କିଛିକ୍ଷଣ ଏକା ରହିବାକୁ ଚାହେଁ, ତୁମେ ବର୍ତ୍ତମାନ ଯାଅ ।’’ ଏ କଥା କହି ସେ ମେଜ ଉପରେ ମୁଣ୍ଡ ରଖି ବସି ରହିଲେ । କିଛିକ୍ଷଣ ପରେ ଚାହିଁ ଦେଖିଲେ, ଇନ୍ଦୁ ଛିଡ଼ା ହୋଇଅଛି । ସେ କହିଲା, ‘‘ତୁମେ ସେ ଲୋକଟାକୁ ମାରି ପକାଇଛ ତ-?’’

 

ସଦାନନ୍ଦ କହିଲେ, ‘‘ନା’’ । ଇନ୍ଦୁ କହିଲା, ‘‘ମୁଁ ତୁମକୁ ସେଥିପାଇଁ ଛୁରି ଦେଇଥିଲି ।’’

 

ସଦାନନ୍ଦ ଅବାକ ହୋଇ କହିଲେ, ‘‘ତୁମେ ଛୁରି ଦେଇଥିଲ ?’’

 

ଇନ୍ଦୁ କହିଲା, ‘‘ହଁ, ମୁଁ ଦେଇଥିଲି । ମୁଁ ସେଠାରେ ଲୁଚିକରି ଚାହିଁଥିଲି । ତୁମେମାନେ ମରାମରି ହୋଇ ଯେତେବେଳେ ପଡ଼ିଗଲ, ସେତେବେଳେ ସେ ଲୋକଟାର ପକେଟରୁ ଛୁରିଟାଏ ଖସିପଡ଼ିଲା । ମୁଁ ଦୌଡ଼ିଯାଇ ସେଇଟା ତୁମକୁ ଦେଇଆସିଲି । ତୁମେ ତାକୁ ମାରି ପକାଇଲ ନାହିଁ କାହିଁକି ?’’ ସଦାନନ୍ଦ କିଛି ଉତ୍ତର ଦେଇପାରିଲେ ନାହିଁ, କେବଳ ଚାହିଁ ରହିଲେ । ଇନ୍ଦୁ କହିଲା, ‘‘ତୁମେ ଯଦି ମତେ ପଚାର, ତେବେ ମୁଁ କହିବି ଯେ, ମୁଁ ସେ ଖେଳବାଳା ସଙ୍ଗରେ ଯିବି । କାହିଁକି ଯିବି ଜାଣ ? ତୁମେ ଏଠାରୁ ଚାଲି ଯାଉଛ, କିନ୍ତୁ ମତେ କିଛି କହି ନାହଁ । ମୁଁ ଏଠାରେ ଏକା ସରଳା ଘରେ ରହିବି ନାହିଁ—ଏହା ଅପେକ୍ଷା ମୃତ୍ୟୁ ଭଲ ।’’ କିଛିକ୍ଷଣ ତୁନି ହୋଇ କାନିରୁ କଣ ଫିଟାଇ ପୁଣି କହିଲା, ‘‘ହେଇ ଦେଖ, ସେହି ବିଷଫଳ । ତୁମେ ମନା କରିଥିଲ ଖାଇବାକୁ । ମୁଁ କିନ୍ତୁ ତାକୁ ଯତ୍ନରେ ରଖିଛି । ମୁଁ କେବେ ରହିବି ନାହିଁ । ଏଠି କେହି ମତେ ଭଲ ପାନ୍ତି ନାହିଁ । ତୁମେ ମଧ୍ୟ ମତେ ଭଲ ପାଅ ନାହିଁ—ତାହାହେଲେ ତୁମେ ମତେ ଛାଡ଼ି ଯିବାକୁ ରାଜି ହୋଇ ନ ଥାନ୍ତ ।’’

 

ସଦାନନ୍ଦ ଏତେବେଳଯାଏ ନୀରବରେ ତାହାର କଥା ଶୁଣୁଥିଲେ । ସେ ଉଠି ଆସି ତାହାର ହାତ ଧରି ସସ୍ନେହରେ ପଚାରିଲେ, ‘‘ଇନ୍ଦୁ, ତୁମେ ମୋ ସାଙ୍ଗରେ ଯିବ ?’’

 

ଇନ୍ଦୁ ଆନନ୍ଦରେ ସଦାନନ୍ଦଙ୍କୁ ଆଲିଙ୍ଗନ କରି କହିଲା, ‘‘ହଁ ।’’

 

ସଦାନନ୍ଦ କହିଲେ, ‘‘ବର୍ତ୍ତମାନ—ଆଜି ରାତିରେ ?’’

 

ଇନ୍ଦୁ କହିଲା, ‘‘ହଁ, ଆଜି ରାତିରେ ?’’

 

ଯେଉଁ ସଂକୀର୍ଣ୍ଣ ପଥରେ ଦିନେ ଇନ୍ଦୁ କ୍ଳାନ୍ତ ଚରଣରେ ସଦାନନ୍ଦଙ୍କ ନିକଟକୁ ଆସିଥିଲା, ସେହିଁ ପଥରେ ଆଜି ଦୁହେଁ ହାତ ଧରାଧରି ହୋଇ ବାହାରିପଡ଼ିଲେ । ସେ ପଥରେ ଆଉ କେବେ ତାଙ୍କର ପଦଚିହ୍ନ ପଡ଼ିବ ବୋଲି ବୋଧ ହେଲା ନାହିଁ । ଆକାଶର ତାରାଗୁଡ଼ିକ ଉଜ୍ଜ୍ୱଳ ଭାବରେ ସେମାନଙ୍କ ମସ୍ତକ ଉପରେ ଜଳିଉଠିଲା । ଆଜି ଶିକ୍ଷକ ଓ ଛାତ୍ରୀର ଶିକ୍ଷା ସମାପ୍ତ ହେଲା । ପାଠଶାଳାର ଦ୍ୱାର ଆଜି ସେମାନଙ୍କ ନିକଟରେ ଚିରଦିନପାଇଁ ରୁଦ୍ଧ ହେଲା ।

Image

 

ବିଚାର

 

ଆକାଶ ଘୋର ମେଘାଚ୍ଛନ୍ନ । ଭୀଷଣ ଗର୍ଜନରେ ତୋଫାନ ହେଉଅଛି । ଏପରି ତୋଫାନ ସଚରାଚର ଦେଖାଯାଏ ନାହିଁ । ମଧ୍ୟେ ମଧ୍ୟେ ମୂଷଳ ଧାରାରେ ବୃଷ୍ଟି ହେଉଅଛି । ବୃଷ୍ଟିଧାରା ଏପରି ପ୍ରବଳବେଗରେ ଆସି ପତିତ ହେଉଅଛି, ଭୟ ହେଉଅଛି, ଯେପରି ଘର ଦ୍ୱାର ଭାଙ୍ଗି ପକାଇବ । ମନେ ହେଉଅଛି, ଯେପରି ମେଘ ଓ ପବନ ପରସ୍ପର ଯୁଦ୍ଧ କରୁଅଛନ୍ତି । ପ୍ରକୃତି ଆଜି ତାଣ୍ଡବନୃତ୍ୟରେ ମାତିଅଛି ।

 

ଏହିପରି ଭୟଙ୍କର ରାତ୍ରିରେ ଗୋଟିଏ କ୍ଷୁଦ୍ର ଗୃହର ଗୋଟିଏ କକ୍ଷରେ ଜଣେ ପ୍ରୌଢ଼ା ରମଣୀ ଆଲୋକ ନିକଟରେ ବସି ସିଲାଇ କରୁଅଛନ୍ତି । ବୃଷ୍ଟିର ବେଗ କ୍ରମଶଃ ବଢ଼ିବାର ଦେଖି ସେ କହି ଉଠିଲେ, ‘‘ଓଃ, କି ଭୀଷଣ ରାତ୍ରି ! ସ୍ୱାମୀ କେତେବେଳେ ଘରକୁ ଫେରିବେ ?’’ ସିଲାଇଟି କ୍ରୋଡ଼ରେ ରଖି ସେ ଏହିପରି ଭାବୁଅଛନ୍ତି, ଏହି ସମୟରେ ଗୋଟିଏ ବିଂଶତିବର୍ଷୀୟା ବାଳିକା ସେ ଗୃହ ମଧ୍ୟରେ ପ୍ରବେଶ କଲା । ବାଳିକାଟିର ଆକୃତି ଖୁବ୍‍ ସୁନ୍ଦର ନ ହେଲେ ମଧ୍ୟ ତାହାର ହୃଦୟର ମହତ୍ତ୍ୱ ମୁଖରେ ପ୍ରସ୍ଫୁଟିତ ହୋଇ ତାକୁ ବଡ଼ ସୁନ୍ଦର କରିଅଛି । ବାଳିକାକୁ ଦେଖି ପ୍ରୌଢ଼ା କହିଲେ, ‘‘କି ଜେନି, ସୁପି କିପରି ଅଛି ?’’

 

ଜେନି କହିଲା, ‘‘ତାର ବ୍ୟଥା ଟିକିଏ କମିଛି । କିନ୍ତୁ ମା, ମୋର ମନେ ହେଉଛି, ତାକୁ ବର୍ତ୍ତମାନ ଜ୍ୱର ଆସୁଛି ।’’ ଏ କଥା ଶୁଣି ପ୍ରୌଢ଼ା ବିରକ୍ତ ହୋଇ କହିଲେ, ‘‘ଓଃ, କି ବିରକ୍ତିକର ବ୍ୟାପାର ! ଚାକର ଅସୁସ୍ଥ, ସଂସାରର କାର୍ଯ୍ୟ ଚଳିବ କିପରି ?’’ଏହା କହି ସେ କିଛିକ୍ଷଣ ଚୁପ ହୋଇ ରହିଗଲେ । ପରେ କହିଲେ, ‘‘ଜେନି ବୋଧହୁଏ ତୁମର ପିତା ଆସିଲେ; କାରଣ ମୁଁ ଅଶ୍ଵର ପଦଶବ୍ଦ ଶୁଣି ପାରୁଛି ।’’

 

ଜେନି କହିଲା, ‘‘ନା ମା, ଏ ତ ଅଶ୍ଵର ପଦଶବ୍ଦ ନୁହେଁ, ମନୁଷ୍ୟର ପଦଶବ୍ଦ । ମୋର ମନେ ହେଉଛି, ଯେପରି କେହି ଆମ ଘର ଆଡ଼କୁ ଆସୁଛି ।’’

 

ମା କହିଲେ, ‘‘ହଁ, ହୋଇପାରେ, ମୋ ଅପେକ୍ଷା ତୁମର ଶ୍ରବଣଶକ୍ତି ପ୍ରଖର ।’’

 

ଜେନି ଇତସ୍ତତଃ ହୋଇ କହି ପକାଇଲା, ‘‘ଏ ଜେମସ୍‍ ନୁହେଁ ତ ?’’

 

ମା ତତ୍‌କ୍ଷଣାତ ବିରକ୍ତ ହୋଇ କହିଲେ, ‘‘ଜେନି, ତୁମେ ବଡ଼ ଅବାଧ୍ୟ । ଜଣେ ପ୍ରତିବେଶୀ ପ୍ରତି ମନରେ ଏପରି ବିରାଗ ପୋଷଣ କରିବା ଉଚିତ ନୁହେଁ । ସେ ଧନୀ ଯୁବକ, ଗ୍ରାମ ମଧ୍ୟରେ ତାହାର ଭୂସମ୍ପତ୍ତି ସର୍ବାପେକ୍ଷା ଅଧିକ । ଜେମସ୍‍ ପ୍ରତି ଏପରି ବିରକ୍ତ ହେବାର କଣ ଅଛି-?’’

 

ଜେନି ଟିକିଏ ସଙ୍କୁଚିତ ହୋଇ କହିଲା, ‘‘ହଁ, ଅବଶ୍ୟ ତା ପ୍ରତି ବିରକ୍ତ ହେବାର କୌଣସି କାରଣ ନାହିଁ; କିନ୍ତୁ ଭଲ ପାଇବାର ମଧ୍ୟ ମୁଁ କୌଣସି କାରଣ ଦେଖୁ ନାହିଁ ।’’

 

ମା କହିଲେ, ‘‘ଜେନି, ବୃଥା ତର୍କ କର ନାହିଁ । ଦ୍ୱାରରେ କିଏ ଆଘାତ କରୁଛି, ଯାଅ, ଦ୍ୱାର ଖୋଲିଦିଅ ।’’

 

ଜେନି କିଛି ଉତ୍ତର ନ ଦେଇ ଦ୍ୱାର ଫିଟାଇ ଦେବାକୁ ଚାଲିଗଲା । ଦ୍ୱାର ଫିଟାଇବା ମାତ୍ରକେ ଜଣେ ପ୍ରିୟଦର୍ଶନ ଯୁବକ ଗୃହରେ ପ୍ରବେଶ କରି ଦୃଢ଼ଭାବରେ ଜେନିର କରମର୍ଦ୍ଦନ କଲେ-। ଜେନିର ହୃଦୟ ଆନନ୍ଦରେ ନାଚି ଉଠିଲା; ମାତ୍ର ସେ ତତ୍‌କ୍ଷଣାତ ଆତ୍ମସମ୍ବରଣ କରି କହିଲା, ‘‘ଛାଡ଼, ମା ବିରକ୍ତ ହେବେ ।’’ ଯୁବକ ହସ୍ତ ଛାଡ଼ି ଦ୍ୱାର ବନ୍ଦ କରିବାକୁ ଗଲେ, ଜେନି ମା ନିକଟକୁ ଫେରିଆସିଲା । ମା ପଚାରିଲେ, ‘‘କିଏ ଆସିଲା—ଜେମସ୍‍ ତ ?’’

 

ଜେନି ଧୀରଭାବରେ କହିଲା, ‘‘ନା, ରୋନାଲ୍‍ଡ ।’’

 

ମାତାଙ୍କ ମୁଖ ଗମ୍ଭୀର ହୋଇଗଲା, ସେ କହିଲେ, ‘‘ଜେନି, ତୁମେ ଏ କୁର୍ତ୍ତାଟି ନିଅ ଏବଂ ଏହି ବୋତାମଗୁଡ଼ାକ ସେଥିରେ ଲଗାଇ ଦିଅ ।’’

 

ଏହି ସମୟରେ ଯୁବକ ଗୃହ ମଧ୍ୟରେ ପ୍ରବେଶ କରି କହିଲେ, ‘‘ମିସେସ ଆର୍ମଷ୍ଟ୍ରିଂ ଆପଣ କିପରି ଅଛନ୍ତି ? କି ଭୀଷଣ ରାତ୍ରି !’’

 

ଶ୍ରୀମତୀ ଭାରି ମନୋଯୋଗ ସହିତ କାର୍ଯ୍ୟ କରୁ କରୁ କହିଲେ, ‘‘ଏ ଭୀଷଣ ରାତ୍ରିରେ ଘରେ ଥିଲେ ଭଲ ହୋଇଥାନ୍ତା ?’’

 

ରୋନାଲ୍‍ଡ କହିଲେ, ‘‘ଗୃହ ମୋ ପକ୍ଷରେ ବଡ଼ ନୀରସ ବୋଧ ହେଲାଣି । ଗତ ବର୍ଷ ଏହି ସମୟରେ ମା ସଙ୍ଗୀ ଥିଲେ; କିନ୍ତୁ ଏ ବର୍ଷ ଆଉ ମୋ ପାଇଁ ଭାବିବାକୁ କେହି ନାହାନ୍ତି ।’’

 

ଶ୍ରୀମତୀ ଆର୍ମଷ୍ଟ୍ରିଂ ରୋନାଲ୍‍ଡଙ୍କ କଥା ନ ଶୁଣିଲା ପରି କହିଲେ, ‘‘ଜେନି, ତୁମେ ଉପରକୁ ଯାଇ ଦେଖ ତ, ସୁସି ଶୋଇଛି କି ନାହିଁ ?’’

 

ଜେନି ମାଙ୍କ ଆଦେଶ ପାଇ ଚାଲିଗଲା ।

 

ଜେନି ଚାଲିଯିବା ପରେ ରୋନାଲ୍‍ଡ କହିଲେ, ‘‘ବିବାହ ନ କରିବା ପର୍ଯ୍ୟନ୍ତ ଗୃହ ମୋ ପକ୍ଷରେ ନିର୍ଜନ କାରାବାସ ତୁଲ୍ୟ ।’’

 

ଶ୍ରୀମତୀ ଆର୍ମଷ୍ଟ୍ରିଂ—‘‘ତାହାହେଲେ ବିବାହ କରୁ ନାହାନ୍ତି କାହିଁକି ?’’

 

ରୋନାଲ୍‍ଡ—‘‘ମୁଁ ଯାହାକୁ ବିବାହ କରିବାକୁ ଇଚ୍ଛା କରୁଅଛି, ତାକୁ ଲାଭ କରିବାକୁ ମତେ ଅନେକ କଷ୍ଟ ପାଇବାକୁ ହେବ ।’’

 

ଚତୁରୀ ଆର୍ମଷ୍ଟ୍ରିଂ ଗୃହିଣୀ କହିଲେ, ‘‘ହଁ, ଉପଯୁକ୍ତ ସ୍ତ୍ରୀ ପାଇବା ବଡ଼ କଠିନ ଦୁଇ ତିନୋଟି ଯୁବକ ଜେନିକୁ ବିବାହ କରିବାପାଇଁ ଖୁବ୍‍ ଚେଷ୍ଟା କରିଥିଲେ; କିନ୍ତୁ ମୁଁ ସେମାନଙ୍କୁ ନିଷେଧ କରି ଦେଇଛି, କାରଣ ଜେନି ବାଗଦତ୍ତା ।’’

 

ରୋନାଲ୍‍ଡ ସବିସ୍ମୟରେ କହିଲେ, ‘‘ବାଗଦତ୍ତା ?’’

 

ଶ୍ରୀମତୀ ଆର୍ମଷ୍ଟ୍ରିଂ କହିଲେ, ‘‘ହଁ, ଜେନିର ପିତା ଜେମସ୍‍ ଡାରନ୍‍ଲି ସାଙ୍ଗରେ ତାହାର ବିବାହ ଦେବେ ବୋଲି କଥା ଦେଇଅଛନ୍ତି । ଏ ଖୁବ୍‍ ଉପଯୁକ୍ତ ମିଳନ ହେବ ।’’

 

ରୋନାଲ୍‍ଡ ଟିକିଏ ଉତ୍ତେଜିତ ହୋଇ କହିଉଥିଲେ, ‘‘ଏ ଅତି ଅନୁପଯୁକ୍ତ ମିଳନ ହେବ, କାରଣ ଜେନି ତାକୁ ଘୃଣା କରେ ।’’

 

ଶ୍ରୀମତୀ ଆର୍ମଷ୍ଟ୍ରିଂ କହିଲେ, ‘‘ମୁଁ ମଧ୍ୟ ତାକୁ ଘୃଣା କରେ । ସେ ଏଠାରୁ ସହସ୍ର ମାଇଲ ଦୂରରେ ରହୁ, ମୁଁ ଏହା ହିଁ ଇଚ୍ଛା କରେ ।’’

 

ଏହିପରି କଥାବାର୍ତ୍ତା ଚାଲିଥିଲା, ଏପରି ସମୟରେ ଜେନି ସେଠାକୁ ଆସିବାରୁ ସେ କଥା ବନ୍ଦ ହେଲା । କିଛିକ୍ଷଣ ପରେ ଦ୍ୱାରରେ ପୁଣି ଆଘାତ ଶୁଣାଗଲା ।

 

ରୋନାଲ୍‍ଡ ଉଠି ଦ୍ୱାର ଖୋଲିଦେଲେ । ଅପର ଜଣେ ଯୁବକ ଗୃହ ମଧ୍ୟରେ ପ୍ରବେଶ କଲେ । ଶ୍ରୀମତୀ ଆର୍ମଷ୍ଟ୍ରିଂ ତାଙ୍କୁ ଦେଖି ଭାରି ଖୁସି ହୋଇ ଏକ ନିଃଶ୍ଵାସରେ କହିପକାଇଲେ, ‘‘ଓ, ଡାରନ୍‍ଲି ! ! ତୁମେ କିପରି ଅଛ ? ମୁଁ ତୁମକୁ ଦେଖି ଅତ୍ୟନ୍ତ ସୁଖୀ ହେଲି । ଆମ୍ଭେମାନେ ବର୍ତ୍ତମାନ ଭାରି ବ୍ୟସ୍ତ ଅଛୁଁ । ଚାକର, ରାନ୍ଧୁଣୀ ଦୁହେଁ ଅସୁସ୍ଥ । ଆଚ୍ଛା, ଏପରି ଝଡ଼ି ବର୍ଷା ଦିନ ତୁମେ କେବେ ଦେଖିଛ ?’’

 

ନବାଗତ ଯୁବକଟି କହିଲେ, ‘‘ଏପରି ଦିନ ଖୁବ୍‍ କମ ଦେଖିଛି । ମୁଁ ଯେତେବେଳେ ହାଟରୁ ଘରକୁ ଫେରୁଥିଲି, ସେତେବେଳେ ଭାବିଥିଲି, ବୋଧହୁଏ ଝଡ଼ଟା କମିଯିବ । କିନ୍ତୁ ଏ ତ କ୍ରମେ ବଢ଼ୁଛି !’’

 

ଶ୍ରୀମତୀ ଆର୍ମଷ୍ଟ୍ରିଂ—‘‘ତୁମେ ହାଟକୁ ଯାଇଥିଲ ?’’

 

ଜେମସ୍‍—‘‘ହଁ, ମୋର ଅନେକଗୁଡ଼ିଏ ଜିନିଷ ବିକ୍ରୟ କରିବାର ଥିଲା । ସେଠାରେ ତ ମୁଁ ମିଃ ଆର୍ମଷ୍ଟ୍ରିଂଙ୍କୁ ଦେଖିଥିଲି ?’’

 

ଶ୍ରୀମତୀ—‘‘ହଁ, ତାଙ୍କର ଶୀଘ୍ର ଫେରିଆସିବା ଉଚିତ । ଏପରି ରାତ୍ରରେ ବାହାରେ ରହିବା ଭଲ ନୁହେଁ ।’’

 

ଜେମସ୍‍—‘‘କାଲି ହାଟରେ ଅନେକ ଭଲ ଜିନିଷ ବିକ୍ରୟ ହେବ ।’’

 

ଶ୍ରୀମତୀ—‘‘ତୁମେ କଣ କାଲି ଯିବ ?’’

 

‘’ହଁ, ନିଶ୍ଚୟ ଯିବି । ଆଜି ଯେପରି ବିକିଛି, କାଲି ସେହିପରି କିଣିବି ।’’

 

ଶ୍ରୀମତୀ କିଛିକ୍ଷଣ ତୁନି ହୋଇ ରହିଲେ । ଜେମସ୍‍ ଓ ରୋନାଲ୍‍ଡ ଦୁହେଁ ବସି କଥାବାର୍ତ୍ତା ହେଉଥିଲେ । କ୍ରମେ ଜେନିର ବିବାହପ୍ରସଙ୍ଗ ଉଠିବାର ଦୁହିଁଙ୍କ ମଧ୍ୟରେ ବେଶ୍‍ ବାଦାନୁବାଦ ଚାଲିଲା । କିଛିକ୍ଷଣ ଏହିପରି ତର୍କ କରି ଦୁହେଁ ଗୃହକୁ ଫେରିଗଲେ ।

 

ସେମାନେ ଯିବା ପରେ ଶ୍ରୀମତୀ ଆର୍ମଷ୍ଟ୍ରିଂ କହିଲେ, ‘‘ଜେନି, ତୁମ ପିତା ଏପର୍ଯ୍ୟନ୍ତ ଫେରୁ ନାହାନ୍ତି କାହିଁକି ? ତାଙ୍କର କଣ ହେଲା ? ସେ ଫେରି ଆସିଲେ ଘରର କାମଦାମପାଇଁ ଗୋଟିଏ ଲୋକ ବନ୍ଦୋବସ୍ତ କରିବାକୁ ହେବ ଯେ !’’ ଏହିପରି କଥାବାର୍ତ୍ତା ଚାଲିଅଛି, ଏପରି ସମୟରେ ମିଃ ଆର୍ମଷ୍ଟ୍ରିଂ ଟଳି ଟଳି ଆସି ଗୃହରେ ଉପସ୍ଥିତ ହେଲେ ଏବଂ ପ୍ରାୟ ମୂର୍ଚ୍ଛିତ ହୋଇ ପଡ଼ିଗଲେ । ତାଙ୍କର ଏହିପରି ଅବସ୍ଥା ଦେଖି ଶ୍ରୀମତୀ ଆର୍ମଷ୍ଟ୍ରିଂ ଜେନିକୁ କହିଲେ, ‘‘ଦେଖ ଜେନି, ତୁମର ପିତା ତ ବର୍ତ୍ତମାନ ଆଉ କୌଣସି ବନ୍ଦୋବସ୍ତ କରିବାକୁ ଯାଇପାରିବେ ନାହିଁ । ସୁତରାଂ କାଲି ସକାଳେ ତୁମେ ଗାଈ ଦୁହିଁ ଆଣିବ ।’’

 

ଜେନି ବିସ୍ମିତ ହୋଇ କହିଲା, ‘‘ମୁଁ କିପରି ଗାଈ ଦୁହିଁବି ?’’

 

ମା’ କହିଲେ, ‘‘ଆଉ କିଏ କରିବ ? ଏପରି ଭୀଷଣ ରାତ୍ରୀରେ ତ କେହି ଯାଇ ଲୋକ ବନ୍ଦୋବସ୍ତ କରିପାରିବ ନାହିଁ ? ତୁମେ କଣ ଦୁହିଁ ପାରିବ ନାହିଁ ?’’

 

‘’ମୁଁ, ତ କେବେ ଚେଷ୍ଟାକରି ନାହିଁ, ପିଲାଦିନରେ କେବେ କେବେ ଖୁସିରେ ଦୁହିଁଥିଲି ।’’

 

‘’ତେବେ ବର୍ତ୍ତମାନ ତୁମକୁ ପ୍ରୟୋଜନରେ କରିବାକୁ ହେବ ।’’

 

ଜେନି ବଡ଼ ବୁଦ୍ଧିମତୀ । ସେ ବୁଝିପାରିଲା, ତାହାଛଡ଼ା ଏ କାର୍ଯ୍ୟ ଆଉ କେହି କେହି କରିପାରିବେ ନାହିଁ ଏବଂ କରିବାକୁ ମଧ୍ୟ କେହି ନାହିଁ । ସୁତରାଂ ସେ ସମ୍ମତ ହୋଇ ଶୋଇବାକୁ ଚାଲିଗଲେ ।

 

ଜେନି ପିତା ମାତାଙ୍କର ଏକମାତ୍ର ସନ୍ତାନ । ବାଲ୍ୟକାଳରୁ ସେ ଖୁବ୍‍ ସୁଖରେ ପାଳିତ ହୋଇଅଛି । ସେ ଖୁବ୍‍ ବୁଦ୍ଧିମତୀ ଏବଂ ଗୃହକର୍ମନିପୁଣା । ସୁତରାଂ ପିତା ମାତା ତାକୁ ଅତ୍ୟଧିକ ସ୍ନେହ କରୁଥିଲେ । କିଛିଦିନ ହେଲା କୌଣସି ଗୋଟିଏ କାରଣରୁ ଜେନି ପିତାମାତାଙ୍କର ଅସନ୍ତୋଷର କାରଣ ହୋଇଅଛି—ବିଶେଷଭାବରେ ମାତାଙ୍କର । କାରଣଟି ଆଉ କିଛି ନୁହେଁ, କେବଳ ରୋନାଲ୍‍ଡ ପ୍ରତି ତାହାର ହୃଦୟର ପ୍ରୀତି । ମାତା କିନ୍ତୁ ରୋନାଲ୍‍ଡକୁ ପସନ୍ଦ କରନ୍ତି ନାହିଁ-। ଏହାର କାରଣ ସେ ଖୁବ୍‍ ଅବସ୍ଥାପନ୍ନ ନୁହେଁ । ତାର ଯେଉଁ ଚାଷ ଜମି ଅଛି, ସେଥିରେ ଖୁବ୍‍ ବେଶି ଲାଭ ହୁଏ ନାହିଁ । ତାଙ୍କର କନ୍ୟା ଯେ ଏପରି ଗୋଟିଏ ଦରିଦ୍ର ଲୋକକୁ ବିବାହ କରିବ, ଏଇଟା ସେ ସହ୍ୟ କରିପାରୁ ନ ଥିଲେ । ତାଙ୍କର ଇଚ୍ଛା, ଜେନି ଜେମସ୍‍କୁ ବିବାହ କରି ତାହାର ସମ୍ପତ୍ତିର ଅଧିକାରିଣୀ ହୋଇ ସୁଖରେ ରହିବ ।

 

ପରଦିନ ଅତି ପ୍ରତ୍ୟୁଷରେ ଜେନି ଗୋଟିଏ ପାତ୍ର ଘେନି ଦୁଧ ଦୁହିଁବାକୁ ଗଲା । ସେତେବେଳେ ପୂର୍ବ ଗଗନରେ ସୂର୍ଯ୍ୟଦେବଙ୍କ କିରଣ ଜାଲରେ ଗୋଟିଏ ରେଖା ମାତ୍ର ଦେଖା ଯାଉଅଛି । ବୃଷ୍ଟି ଏବଂ ପବନର ଚିହ୍ନିମାତ୍ର ନାହିଁ, ଆକାଶ ନିର୍ମଳ ।

 

ଗୁହାଳଟି ତାଙ୍କ ଘରଠାରୁ ଅଳ୍ପ ଦୂରରେ । ଜେନି ପାତ୍ରଟି ଘେନି ସେହି ନିର୍ଜନ ପଥ ଅତିକ୍ରମ କରି ଆସି ଗୁହାଳରେ ପ୍ରବେଶ କରି ଗାଈ ଦୁହିଁବାକୁ ଯାଉଅଛି, ଏପରି ସମୟରେ ନିକଟରେ ଗୋଟିଏ ଅଦ୍ଭୁତ ଶବ୍ଦ ଶୁଣି ସେ ଚମକି ଉଠିଲା । ଜେନି ସ୍ପଷ୍ଟ ଶୁଣି ପାରିଲା, ଯେପରି ଜୀବନ ଓ ମୃତ୍ୟୁ ମଧ୍ୟରେ ମହଦ୍ୱନ୍ଦ ଲାଗିଅଛି । ପରିଚିତ ସ୍ୱରରେ କିଏ ଚିତ୍କାର କରି ଉଠିଲା, ‘‘ହତ୍ୟା, ହତ୍ୟା !’’ ସେହିକ୍ଷଣି କିଏ ଯେପରି ଅସ୍ତ୍ରାଘାତ କଲା ଏବଂ ସଙ୍ଗେ ସଙ୍ଗେ ପତନ ଶବ୍ଦ ହେଲା । ଆହୁରି ମଧ୍ୟ ଜେନି ଶୁଣିଲା, କିଏ ଯେପରି କହୁଅଛି, ‘‘କଣ, ଏପର୍ଯ୍ୟନ୍ତ ସୁଦ୍ଧା ବଞ୍ଚିଛୁ ? ଆଚ୍ଛା ହେଉ, ଏହିକ୍ଷଣି ଶେଷ କରୁଛି ।’’ କଥା ସଙ୍ଗେ ସଙ୍ଗେ ଦୁଇ ତିନି ଆଘାତ ଶବ୍ଦ, ତା ପରେ ସମସ୍ତ ନୀରବ । ଏ ସ୍ୱର ଜେନିର ଅପରିଚିତ, ଏପରି ସ୍ୱର କାହାରି ସେ ଏପର୍ଯ୍ୟନ୍ତ ଶୁଣି ନାହିଁ । ଭୟରେ, ବିସ୍ମୟରେ ତାହାର ଶରୀର ଅବଶ ହୋଇଗଲା । ସେ ଆସ୍ତେ ଆସ୍ତେ ସେଠାରୁ ବାହାରି ନୀରବ ପଦବିକ୍ଷେପରେ ସେ ସ୍ଥାନରୁ ଚାଲି ଆସିଲା । ଗୃହକୁ ଆସି ସେ ମୂର୍ଚ୍ଛିତ ହୋଇ ପଡ଼ିଗଲା ।

 

ସକାଳ ହେବାରୁ ସମସ୍ତେ ଏହି ବ୍ୟାପାର ଜାଣି ପାରିଲେ ଏବଂ ମୃତବ୍ୟକ୍ତି ନିକଟରେ ଅନେକ ଲୋକ ଜମିଗଲେ । ସମସ୍ତେ ମୃତଦେହ ଦେଖି ଚିହ୍ନିଲେ, ସେ ଜେମସ୍‍ ଡାରନ୍‍ଲି । ସମସ୍ତେ ଅନୁମାନ କଲେ, ବୋଧ ହୁଏ ତାହା ନିକଟରେ ପ୍ରଚୁର ଅର୍ଥ ଥିଲା, କୌଣସି ଲୋକ ସେହି ଅର୍ଥ ଲୋଭରେ ତାକୁ ହତ୍ୟା କରିଅଛି ।

 

କିଛିକ୍ଷଣ ପରେ ପ୍ରଶ୍ନ ଉଠିଲା, ହତ୍ୟାକାରୀ କିଏ ? ପ୍ରତ୍ୟେକେ ପ୍ରେତ୍ୟେକଙ୍କ ଏହି ପ୍ରଶ୍ନ କରିବାକୁ ଲାଗିଲେ । ସେଥି ମଧ୍ୟରୁ ଗୋଟିଏ ଲୋକ କହି ପକାଇଲା, ‘‘ରୋନାଲ୍‍ଡ ପେଇନ୍‍ ହତ୍ୟାକାରୀ । ବର୍ତ୍ତମାନ ମୁଁ ଶ୍ରୀମତୀ ଆର୍ମଷ୍ଟ୍ରିଂଙ୍କ ନିକଟରୁ ଶୁଣି ଆସିଲି, କାଲି ରାତ୍ରିରେ ସେ ଦୁହେଁ ତାଙ୍କ ଘରେ ବସି କଳହ କରୁଥିଲେ ଏବଂ ସେ ଜାଣନ୍ତି, ରୋନାଲ୍‍ଡ ହତ୍ୟାକାରୀ ।’’

 

ସମସ୍ତେ ଏହି କଥା ଶୁଣି ଅତ୍ୟନ୍ତ ବିସ୍ମିତ ହେଲେ । ରୋନାଲ୍‍ଡ ମଧ୍ୟ ସେଠାରେ ଉପସ୍ଥିତ ଥିଲେ, ଏ କଥା ଶୁଣି ସେ କହିଲେ, ‘‘ଈଶ୍ୱର ମୋର ସାକ୍ଷୀ, ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ।’’

 

ପୂର୍ବୋକ୍ତ ଲୋକଟି କହିଲା, ‘‘କିନ୍ତୁ ତୁମ ଦୁହିଁଙ୍କ ମଧ୍ୟରେ ଅନେକ ଦିନର ସଦ୍‌ଭାବ ନାହିଁ-। ଶ୍ରୀମତୀ ଆର୍ମଷ୍ଟ୍ରିଂ କହୁଥିଲେ, ତୁମେ ଦୁହେଁ କଳହ କରୁ କରୁ ତାଙ୍କ ଘରୁ ଆସିଥିଲ ଏବଂ ସେ ଆସିବା ପୂର୍ବରୁ ତୁମେ କହିଥିଲ ଯେ, ତୁମେ ଜେମସ୍‌କୁ ଘୃଣା କର ଏବଂ ସେ ତୁମଠାରୁ ସହସ୍ର ମାଇଲ ଦୂରରେ ରହୁ, ତୁମେ ଏହାହିଁ ଇଚ୍ଛା କର । ।’’

 

ରୋନାଲ୍‍ଡ କହିଲେ, ‘‘ହଁ, ଏହା ସତ୍ୟ । ଆମ୍ଭେମାନେ କାଲି ରାତ୍ରରେ ସେଠାରେ ତର୍କ କରିଥିଲୁଁ; କିନ୍ତୁ କଳହ କରି ନାହୁଁ । ତାଙ୍କ ଘରୁ ବାହାରିଲା ପରେ ଆମ୍ଭେମାନେ କେହି କାହାକୁ ଗୋଟିଏ ସୁଦ୍ଧା ମନ୍ଦ କଥା କହି ନାହୁଁ । ଆମ୍ଭେମାନେ ଏକସଙ୍ଗରେ ଶାନ୍ତଭାବରେ ଆସିଲୁ ଏବଂ ମୁଁ ତାଙ୍କୁ ତାଙ୍କ ଗୃହ ନିକଟରେ ବିଦାୟ ଦେଇ ଚାଲିଗଲି । ତାହା ପରେ ଏଠାରେ ତାଙ୍କୁ ଏହି ଅବସ୍ଥାରେ ଦେଖୁଛି ।’’

 

ଏତେ କଥା କହିବା ପରେ ମଧ୍ୟ ଲୋକେ ତାଙ୍କୁ ସନ୍ଦେହ କରି ପରସ୍ପର ନାନାପ୍ରକାର କଥା କହିଲେ । ରୋନାଲ୍‍ଡ ସେମାନଙ୍କର ସନ୍ଦିଗ୍ଧ ଭାବି ଦେଖି କହିଲେ, ‘‘ମୁଁ ଏପରି ଭୟଙ୍କର କାର୍ଯ୍ୟ କରିଛି, ଏ କଥା ଆପଣମାନେ କିପରି ଭାବି ପାରୁଛନ୍ତି ? ମୋର ମୁଖ ଦେଖି କଣ ଆପଣମାନଙ୍କର ବିଶ୍ୱାସ ହେଉଛି ଯେ, ମୁଁ ହତ୍ୟା କରିଛି ?’’

 

ଜଣେ ପୁଲିସ ଦାରୋଗା ସେଠାରେ ଥିଲା, ଏ କଥା ଶୁଣି ସେ କହିଲା, ‘‘ନା ମହାଶୟ, ମୁଖ ଦେଖି ଏ ସମସ୍ତ ବ୍ୟାପାର କିଛି ଜଣାଯାଏ ନାହିଁ । ବର୍ତ୍ତମାନ ତୁମକୁ ହାତକଡ଼ି ଦେବା ମୋର କର୍ତ୍ତବ୍ୟ ।’’

 

ରୋନାଲ୍‍ଡ ଉତ୍ତେଜିତ ହୋଇ କହିଲେ, ‘‘କଣ, ତୁମେ ମତେ ହାତକଡ଼ି ପିନ୍ଧାଇବ ?’’

 

ଦାରୋଗା କହିଲା, ‘‘ହଁ, ବିଚାରାଳୟରେ ହୁଏ ତ ଆପଣଙ୍କ ଉପସ୍ଥିତି ଆବଶ୍ୟକ ହୋଇପାରେ, ସୁତରାଂ ଆପଣଙ୍କୁ ଛାଡ଼ି ଦେବା ଉଚିତ ନୁହେଁ ।’’

 

ରୋନାଲ୍‍ଡ—‘‘ମୁଁ ପଳାଇଯିବି ବୋଲି ତୁମର ଭୟ ହେଉଛି ?’’

 

ଦାରୋଗା—‘‘ଏପରି କଥା ତ ଅନେକ ଥର ଶୁଣା ଯାଇଛି । ସେଥିପାଇଁ ଏ ବିଷୟରେ ସାବଧାନ ହେବା ନିମିତ୍ତ ଆମ୍ଭମାନଙ୍କୁ ଆଦେଶ ଅଛି ।’’

 

ରୋନାଲ୍‍ଡ ପ୍ରଥମେ ବାଧା ଦେବାକୁ ଇଚ୍ଛା କରୁଥିଲେ, କିନ୍ତୁ ପରକ୍ଷଣରେ ତାଙ୍କର ସୁବୁଦ୍ଧି ଆସିଲା । ସେ ନିଜେ ଦାରୋଗା ନିକଟକୁ ଯାଇଁ କହିଲେ, ‘‘ମୁଁ ଈଶ୍ଵରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଅଛି, ତୁମର ଯାହା ଇଚ୍ଛା କର, ମୁଁ କୌଣସି ପ୍ରକାର ବାଧା ଦେବି ନାହିଁ ।’’ ପରେ ସେ କାତରଭାବରେ କହିଲେ, ‘‘ମତେ ବିଶ୍ୱାସ କର, ମୁଁ ଏ ବ୍ୟାପାରରେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ତୁମେ ଯେପରି ନିର୍ଦ୍ଦୋଷ, ମୁଁ ମଧ୍ୟ ସେହିପରି । ଜେମସ୍‌ଠାରୁ ତାଙ୍କ ଗୃହଠାରେ ବିଦାୟ ନେବା ପରେ ମୁଁ ତାଙ୍କୁ ଆଉ ଦେଖି ନାହିଁ । ବାଟରେ ଆମ୍ଭେମାନେ କଳହ କରି ନ ଥିଲୁଁ, ଦୁହେଁ ଖୁସିରେ ଚାଷ ବିଷୟରେ କଥାବାର୍ତ୍ତା ହୋଇ ଯାଉଥିଲୁଁ ।’’

 

ଦାରୋଗା ରୋନାଲ୍‍ଡକୁ ଆବଦ୍ଧ କରି ଆର୍ମଷ୍ଟ୍ରିଂଙ୍କ ଗୃହକୁ ଗଲା । ସେ ପୁଲିସ କାର୍ଯ୍ୟରେ ନିଯୁକ୍ତ ହେବା ଦିନଠାରୁ ଏପରି ଘଟନା କେବେ ଘଟି ନାହିଁ । ଏଡ଼େ ବଡ଼ ଗୋଟାଏ ବ୍ୟାପାରରେ କୃତକାର୍ଯ୍ୟ ହୋଇଅଛି ବୋଲି ତାହାର ଆଉ ଆନନ୍ଦର ସୀମା ନାହିଁ । ଆର୍ମଷ୍ଟ୍ରିଂଙ୍କ ଗୃହରେ କେତେକ ଲୋକ ଜମା ହୋଇଥିଲେ । ତାଙ୍କ ମଧ୍ୟରେ ସର୍‍ଜନ୍‍ ସୀବରି ମଧ୍ୟ ମଧ୍ୟ ଥିଲେ-। ସର୍‍ଜନ୍‍ ଜଣେ ବଡ଼ ଜମିଦାର । ବର୍ତ୍ତମାନ ସେ ସେହି ବର୍ଷ ପାଇଁ ସେଠାରେ ଶେରିଫ୍‌ ନିଯୁକ୍ତ ହୋଇଅଛନ୍ତି ।

 

ଯେତେବେଳେ ଦାରୋଗା ଗୃହ ମଧ୍ୟରେ ପ୍ରବେଶ କଲା, ପ୍ରତ୍ୟେକେ ତା ଆଡ଼କୁ ଚାହିଁ କେତେ କଥା ପଚାରିଲେ । ଶେଷରେ ସର୍‍ଜନ୍‍ କହିଲେ, ‘‘କି ଦାରୋଗା, ଖବର କଣ ?’’

 

ଦାରୋଗା କହିଲା, ‘‘ମହାଶୟ, ମୁଁ ତାକୁ ହାତକଡ଼ି ଦେଇ ରଖିଛି ।

 

ସର୍‍ଜନ୍‍ ପଚାରିଲେ, ‘‘କାହାକୁ ହାତକଡ଼ି ଦେଇଛ ?’’ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ, ସେମାନେ ରୋନାଲ୍‍ଡ ଧୃତ ହେବା କଥା ଜାଣି ନ ଥିଲେ । ସୁତରାଂ କିଏ ଧରା ହୋଇଅଛି ଜାଣିବା ପାଇଁ ସମସ୍ତେ ଅତ୍ୟନ୍ତ ବ୍ୟଗ୍ର ହୋଇ ଉଠିଲେ । ଶ୍ରୀମତୀ ଆର୍ମଷ୍ଟ୍ରିଂ ଯେ ରୋନାଲ୍‍ଡନକୁ ସନ୍ଦେହ କରିଅଛନ୍ତି, ସର୍‍ଜନ୍‍ ମଧ୍ୟ ଏ କଥା ଜାଣି ନ ଥିଲେ ।

 

ସର୍‍ଜନ୍‍ଙ୍କ ପ୍ରଶ୍ନ ଶୁଣି ଦାରୋଗା କହିଲେ, ‘‘ମହାଶୟ, ହତ୍ୟାକାରୀକୁ ମୁଁ ବନ୍ଦ ରଖିଅଛି-। ସେ ଗୋଟିଏ କଥା ମଧ୍ୟ କହିଲା ନାହିଁ, ବରଂ ହାତ ବଢ଼ାଇଦେଲା । କେବଳ ସେ କହିଲା ଯେ, ସେ ଦୋଷୀ ନୁହେଁ ଏବଂ ସତ୍ୟ ନିଶ୍ଚୟ ଦିନେ ପ୍ରକାଶିତ ହେବ । ସେ ଆମ ସଙ୍ଗରେ ଖୁବ୍‍ ଭଦ୍ରଲୋକ ପରି ଆସିଲା । ତାର ମୁଖରେ ଲଜ୍ଜାର କୌଣସି ଚିହ୍ନ ମାତ୍ର ଦେଖାଯାଉ ନାହିଁ-।’’

 

ସର୍‍ଜନ୍‍ ପଚାରିଲେ, ‘‘ସେ କିଏ ?’’

 

ଦାରୋଗା ଉତ୍ତର କଲା, ‘‘ମହାଶୟ, ତାଙ୍କ ନାମ ରୋନାଲ୍‍ଡ ପେଇନ୍‍ ।’’

 

ସର୍‍ଜନ୍‍ ଅବାକ ହୋଇ କହିଲେ, ‘‘ମି.ପେଇନ୍‍ ?’’

 

ଜେନି ଏହି କଥା ଶୁଣିପାରି ଉତ୍ତେଜିତ ହୋଇ ସମ୍ମୁଖକୁ ଆସି କହିଲା, ‘‘ଦାରୋଗା, ତୁମେ ଏ କିପରି କଥା କହୁଛ ?’’

 

ଦାରୋଗା—‘‘ରୋନାଲ୍‍ଡ ପେଇନ୍‍ ଜେମସ୍‍ଙ୍କ ହତ୍ୟା କରିଛନ୍ତି, ମୁଁ ତାଙ୍କୁ ବନ୍ଦ ରଖିଛି-।’’

 

ଶ୍ରୀମତୀ ଆର୍ମଷ୍ଟ୍ରିଂ କହିଲେ, ‘‘ହଁ, ପୁଲିସ ଯାହା କହୁଛି, ତାହା ସତ୍ୟ । କାଲି ସେ ଏବଂ ଜେମସ୍‍ ଏଠାରେ ବସି କଳହ କରୁଥିଲେ ଏବଂ ଉଭୟେ ପରସ୍ପର ପ୍ରତି ବିଦ୍ୱେଷଭାବ ଘେନି ଏଠାରୁ ବାହାରି ଯାଇଥିଲେ । ଆଉ କିଏ ଏପରି କରିବ ?’’

 

ସେ ଆଉ କହିଥାନ୍ତେ, କିନ୍ତୁ ଜେନି ତାଙ୍କୁ ବାଧା ଦେଲା । ସେ ତାହାର ପିତାଙ୍କୁ କେତେ ବୁଝାଇଲା, ମାତାଙ୍କୁ କେତେ କହିଲା, କିନ୍ତୁ କୌଣସି ଫଳ ହେଲା ନାହିଁ । ଶେଷରେ ସେ କହିଲା, ‘‘ମା, ତୁମେ କିପରି ଏ କଥା ଶୁଣୁଛ ? ମୁଁ ତ ତୁମକୁ କହିଥିଲି, ହତ୍ୟାକାରୀ ସମ୍ପୂର୍ଣ୍ଣ ଅପରିଚିତ ? ତେବେ ସେମାନେ କାହିଁକି ରୋନାଲ୍‍ଡକୁ ସନ୍ଦେହ କରି ଧରିଛନ୍ତି ?’’

 

ଜେନି କଥା କେହି ବିଶ୍ୱାସ କଲେ ନାହିଁ । ସେ ପ୍ରାତଃକାଳରେ ଯାହା ସ୍ୱକର୍ଣ୍ଣରେ ଶୁଣିଥିଲା, ସମସ୍ତ ବର୍ଣ୍ଣନା କଲା । ତା ମତରେ ରୋନାଲ୍‍ଡ କୌଣସିମତେ ହତ୍ୟାକାରୀ ନୁହନ୍ତି; କିନ୍ତୁ ସମସ୍ତେ କହିଲେ, ବୋଧହୁଏ ସେ ଭୟରେ ସ୍ଵର ଚିହ୍ନିପାରି ନାହିଁ । ଜେନି ଦେଖିଲା, ତାକୁ କେହି ବିଶ୍ୱାସ କରୁ ନାହାନ୍ତି । ନିରୁପାୟ ହୋଇ ପରେ ସେ ସର୍‍ଜନ୍‍ଙ୍କ ସାଙ୍ଗରେ ଏକାକୀ ଦେଖାକଲା । ବ୍ୟାକୁଳ ହୋଇ ସେ ତାଙ୍କୁ କହିଲା, ‘‘ଦେଖନ୍ତୁ ମତେ କେହି ବିଶ୍ୱାସ କରୁ ନାହାନ୍ତି; କିନ୍ତୁ ମୁଁ ସତ୍ୟ କଥା କହୁଛି । କୌଣସି ଅପରିଚିତ ଲୋକ ଜେମସ୍‍କୁ ହତ୍ୟା କରିଛି ।’’

 

ସର୍‍ଜନ୍‍ କହିଲେ, ‘‘ହଁ, ଯାହାର ସ୍ଵର ଆମ୍ଭମାନଙ୍କର ପରିଚିତ, ଭୟରେ ମଧ୍ୟ ସେ ସ୍ଵର ଚିହ୍ନିବାରେ ଭୁଲ ହୁଏ ନାହିଁ ।

 

ଜେନି—‘‘ସେ ସ୍ଵର ଶୁଣିଲେ ମନେ ହେବ ଲୋକଟା ଅତ୍ୟନ୍ତ ଦୁର୍ଦ୍ଦାନ୍ତ । ଆଉ ସେ ଯେଉଁ ଭୀଷଣ କଥା କହିଲା, ମୁଁ ସେ କଥା ଉଚ୍ଚାରଣ ମଧ୍ୟ କରିପାରିବି ନାହିଁ ।’’

 

ସର୍‍ଜନ୍‍—‘‘ସେ ସ୍ଵର ତୁମେ ଚିହ୍ନିପାରିଲ ନାହିଁ ?’’

 

ଜେନି—‘‘ନା ମହାଶୟ, ମୁଁ ସେ ସ୍ଵର ଚିହ୍ନିପାରିଲି ନାହିଁ । ମୁଁ କେବେ ସେ ସ୍ଵର ଶୁଣି ନ ଥିଲି ।’’

 

ସର୍‍ଜନ୍‍ ଆସ୍ତେ ଆସ୍ତେ କହିଲେ, ‘‘ଏ କଥା କଣ ସତ୍ୟ ଯେ, ତୁମେ ଓ ରୋନାଲ୍‍ଡ ପ୍ରଣୟାସକ୍ତ ଏବଂ ସେଥିପାଇଁ ରୋନାଲ୍‍ଡ ଓ ଜେମସ୍‍ ଉଭୟଙ୍କ ମଧ୍ୟରେ ଅସଦ୍ଭାବ ଥିଲା ?’’

 

ଏ କଥା ଶୁଣି ଜେନି କ୍ରନ୍ଦନ କରି ଉଠି କହିଲା, ‘‘ମୁଁ ଦେଖୁଛି, ଆପଣ ମଧ୍ୟ ମତେ ବିଶ୍ୱାସ କରୁ ନାହାନ୍ତି । ରୋନାଲ୍‍ଡ ମତେ ଭଲ ପାନ୍ତି ସତ୍ୟ, କିନ୍ତୁ ଆପଣ କଣ ମନେ କରନ୍ତି ଯେ, ଜଣେ ହତ୍ୟାକାରୀ ପ୍ରତି ମୁଁ ମୋର ପ୍ରେମ ଅର୍ପଣ କରିବି ? ମୁଁ ଯାହାର ସ୍ଵର ଶୁଣିଛି, ସେ ସମ୍ପୂର୍ଣ୍ଣ ଅପରିଚିତ, ଆଉ ରୋନାଲ୍‍ଡ ସେ ସମୟରେ ସେଠାରେ ନ ଥିଲେ ।’’

 

ସର୍‍ଜନ୍‍ ଜେନି ଆଡ଼କୁ ଚାହିଁ କହିଲେ, ‘‘ଜେନି ତୁମର ମୁଖରେ ସତ୍ୟ ପ୍ରକାଶ ପାଉଛି-।’’

 

ଜେନି—‘‘ମୋର ମନରେ ମଧ୍ୟ ସତ୍ୟ ଅଛି ।’’

 

ସର୍‍ଜନ୍‍ ବାଧା ଦେବା ପୂର୍ବରୁ ଜେନି ଉଠି ତାଙ୍କ ପାଦତଳେ ପଡ଼ିଗଲା ଏବଂ ହାତ ଯୋଡ଼ି କହିଲା, ‘‘ଈଶ୍ଵରଙ୍କ ନିକଟରେ ବିଚାର ଦିନରେ ମୁଁ ଯେପରି ସତ୍ୟ କହିଥାନ୍ତି; ଆଜି ମଧ୍ୟ ମୁଁ ସେହିପରି ସତ୍ୟ କହୁଛି । ଆପଣ ମତେ ବିଶ୍ୱାସ କରୁଛନ୍ତି ତ ?’’

 

ସର୍‍ଜନ୍‍—‘‘ହଁ, ମୁଁ ତୁମ କଥା ସମ୍ପୂର୍ଣ୍ଣ ବିଶ୍ୱାସ କରୁଛି । ଯଦିବା ଲୋକଙ୍କର ବିଶ୍ୱାସ ଯେ, ରୋନାଲ୍‍ଡ ଦୋଷୀ, କିନ୍ତୁ ମୋ ନିକଟରେ ରୋନାଲ୍‍ଡ ଆଜିଠାରୁ ନିର୍ଦ୍ଦୋଷ ।’’

 

ଜେନି—‘‘ଆପଣ ତ ଅତ୍ୟନ୍ତ କ୍ଷମତାଶାଳୀ ବ୍ୟକ୍ତି, ଆପଣ କଣ ତାଙ୍କୁ ମୁକ୍ତ କରିପାରିବେ ନାହିଁ ?’’

 

ସର୍‍ଜନ୍‍—‘‘ଅସମ୍ଭବ, ବର୍ତ୍ତମାନ ମୁଁ ତୁମ ଅପେକ୍ଷା ଅଧିକ କିଛି କରିପାରିବି ନାହିଁ । ବର୍ତ୍ତମାନ ସେ ବିଚାରାଧୀନ ।’’

 

ଏ ବିଷୟରେ ଯେତେବେଳେ ଅନୁସନ୍ଧାନ ଆରମ୍ଭ ହେଲା, ସେତେବେଳେ ଜଣାଗଲା ଯେ, ହତ୍ୟାର ପ୍ରାୟ ଅଧଘଣ୍ଟା ପୂର୍ବରୁ ଜେମସ୍‍କୁ କେହି ଜଣେ ଲୋକ ଡାକି ନେଇଗଲା । ତାଙ୍କ ଗୃହର ଜଣେ ପରିଚାରିକା ଏହି କଥା କହିଲା । ସେ କହିଲା, ପୂର୍ବରାତ୍ରରେ ଅତ୍ୟଧିକ ଝଡ଼ ବୃଷ୍ଟିଯୋଗୁ ତାର ନିଦ୍ରାରେ ବ୍ୟାଘାତ ଘଟିଥିଲା, ସୁତରାଂ ଶେଷ ରାତ୍ରରେ ସେ ଶୋଇ ପଡ଼ିଥିଲା । ଗୋଟାଏ ଶବ୍ଦରେ ସେ ଜାଗ୍ରତ ହୋଇ ଶୁଣିଲା, ତାର ପ୍ରଭୁଙ୍କ ନାମ ଧରି କିଏ ଡାକୁଅଛି । ଏବଂ ତଳକୁ ଆସି ଘରୁ ବାହାରିଗଲେ । ଏ କଥା ଶୁଣି ଶ୍ରୋତାମାନେ ପଚାରିଲେ, ‘‘ସେ କିଏ ଏବଂ ଜେମସ୍‍ ନିକଟରେ ତାର କି ପ୍ରୟୋଜନ ଥିଲା ?’’

 

ସ୍ତ୍ରୀଲୋକଟି ଏ କଥାର ଉତ୍ତର ଦେଇପାରିଲା ନାହିଁ ସେ କହିଲା, ‘‘ସେ ସ୍ଵର କୌଣସି ଅପରିଚିତ ଲୋକର । ଜେମସ୍‍ ଏବଂ ସେ ଲୋକ ମଧ୍ୟରେ କି କଥା ହୋଇଥିଲା, ତାହା ସେ ଶୁଣି ନାହିଁ । ସେ ଭାବିଥିଲା, ସେ କ୍ଷେତ୍ରରେ କୌଣସି କର୍ମଚାରୀ ହେବ ।’’

 

ବିଚାର ସମୟରେ ଏହି ସମସ୍ତ କଥା ପ୍ରକାଶ ପାଇଲା । ଶ୍ରୀମତୀ ଆର୍ମଷ୍ଟ୍ରିଂ ରୋନାଲ୍‍ଡ ବିରୁଦ୍ଧରେ ଏବଂ ଜେନି ତାଙ୍କ ସପକ୍ଷରେ ସାକ୍ଷ୍ୟ ଦେଲେ । ରୋନାଲ୍‍ଡ ନିକଟରୁ ଜେମସ୍‍ର କୌଣସି ଜିନିଷ ମିଳିଲା ନାହିଁ । କେବଳ ତାଙ୍କର ଖଣ୍ଡିଏ ରୁମାଲ ରୋନାଲ୍‍ଡର ପକେଟରୁ ବାହାରିଲା । ସେ ରୁମାଲ ତାଙ୍କ ନିକଟକୁ କିପରି ଆସିଲା, ଏ କଥା ପଚାରିବାରୁ ସେ କହିଲେ, ତାଙ୍କର ନିଜର ରୁମାଲ ସେ ଭୁଲରେ ସେଦିନ ରାତ୍ରରେ ଆର୍ମଷ୍ଟ୍ରଂଙ୍କ ଘରେ ଛାଡ଼ି ଆସିଥିଲେ । ଶ୍ରୀମତୀ ଆର୍ମଷ୍ଟ୍ରିଂନ ସାକ୍ଷ୍ୟ ଦେଲେ, ଏହା ସତ୍ୟ । ତା ବାଟରେ ଏତେ ବେଶି ପବନ ହେଲା ଯେ, ମୁଣ୍ଡରେ ଟୋପି ରହିଲା ନାହିଁ । ଜେମସ୍‍ ତାଙ୍କର ରୁମାଲ ବାନ୍ଧି ଦେଲେ, କିନ୍ତୁ ରୁମାଲ ନ ଥିବାରୁ ସେ ଟୋପି ହାତରେ ଧରି ଚାଲିଲା । ଜେମସ୍‍ ଘରେ ପହଞ୍ଚି ତାଙ୍କ ରୁମାଲ ଖଣ୍ଡି ରୋନାଲ୍‍ଡକୁ ଦେଲେ । ରୋନାଲ୍‍ଡକୁ ସେ ରୁମାଲ ମୁଣ୍ଡରେ ବାନ୍ଧି ଘରେ ପହଞ୍ଚି ତାକୁ ପକଟରେ ରଖିଦେଲେ । ପରଦିନ ଦେଖାହେଲା ରୁମାଲ ଖଣ୍ଡ ଫେରାଇଦେବେ, ଏହା ଭାବି ପକେଟରେ ରଖିଥିଲେ ।

 

ରୁମାଲ ଖଣ୍ଡ ସମସ୍ତେ ପରୀକ୍ଷା କରି ଦେଖିଲେ । ସେଥିରେ ଗୋଟିଏ କଣାରେ ଜେମସ୍‍ର ନାମ ଲେଖାଥିଲା ।

 

ରୋନାଲ୍‍ଡ ଯେ ନିର୍ଦ୍ଦୋଷ, ତାହାର ଆଉ ଗୋଟିଏ ପ୍ରମାଣ ମିଳିଲା । ଯେତେବେଳେ ସେହି ହତ୍ୟାକାଣ୍ଡ ଘଟିଥିଲା, ସେତେବେଳେ ରୋନାଲ୍‍ଡ ଘରେ ଶୟନ କରିଥିଲେ । ତାଙ୍କର ଜଣେ ଚାକର ଏ କଥାରେ ସାକ୍ଷ୍ୟ ଦେଲା । ସେ କହିଲା, ତାର ପ୍ରଭୁ ଶୋଇଥିଲେ, ଜଣେ କର୍ମଚାରୀ ଆସି ତାଙ୍କୁ କହିଲା, ଗୋଟିଏ ଲୋକକୁ କିଏ ମାରି ପକାଇଅଛି । ଏ କଥା ଶୁଣି ତାର ପ୍ରଭୁ ଘରୁ ବାହାରିଗଲେ । ରୋନାଲ୍‍ଡ ରାତ୍ରରେ ଉଠି ବାହାରକୁ ଯାଇଥିଲେ କି ନାହିଁ, ଏ କଥା ପଚାରିବାରୁ ସେ କହିଲା, ସେ କିଛି ଜାଣେ ନାହିଁ ।

 

ବିଚାରକମାନେ ରୋନାଲ୍‍ଡ ବିରୁଦ୍ଧରେ ବିଶେଷ କୌଣସି ପ୍ରମାଣ ପାଇଲେ ନାହିଁ; ସୁତରାଂ ସେ ମୁକ୍ତ ହେଲେ । ଯଦିବା ତାଙ୍କର ଶାସ୍ତି ହେଲା ନାହିଁ, କିନ୍ତୁ ସମସ୍ତେ ତାଙ୍କୁ ସନ୍ଦେହଚକ୍ଷୁରେ ଦେଖିଲେ । ପ୍ରତିବେଶୀମାନେ ତାଙ୍କୁ ଦୋଷୀ ବୋଲି ବିଶ୍ୱାସ କଲେ । କେହି ତାଙ୍କ ସହିତ କଥା କହେ ନାହିଁ—ଦେଖିଲେ ବାଟ ଭାଙ୍ଗି ଚାଲିଯାଏ । କୁକୁରକୁ ଲୋକେ ଯେପରି ଘୃଣା କରନ୍ତି, ତାଙ୍କୁ ମଧ୍ୟ ଲୋକେ ସେହିପରି ଘୃଣା କଲେ । ତାଙ୍କ ବିରୁଦ୍ଧରେ ଯେତେବେଳେ ପ୍ରତିବେଶୀମାନେ ଆଲୋଚନା କରନ୍ତି, ଶ୍ରୀମତୀ ଆର୍ମଷ୍ଟ୍ରିଂ ସେଥିରେ ଅଗ୍ରଣୀ ହୋଇଥାନ୍ତି ।

 

ଏହି ଘଟଣା ଘଟିବାର କେତେ ଦିନ ହୋଇଗଲାଣି । ଦିନେ ସନ୍ଧ୍ୟା ସମୟରେ ଜେନି ଲୁଚି କରି ଘରୁ ବାହାରିଗଲା । ଯେଉଁ ସ୍ଥାନରେ ହତ୍ୟାକାଣ୍ଡଟି ଘଟିଗଲା, ଠିକ୍‍ ତାର ବିପରୀତ ଦିଗକୁ ଯିବାକୁ ଲାଗିଲା । କିଛିଦୂର ଯାଇ ସେ ରୋନାଲ୍‍ଡନକୁ ଭେଟିଲା; ସେ ସେଠାରେ ତାକୁ ଅପେକ୍ଷା କରି ବସିଥିଲେ । ତାକୁ ଦେଖି ରୋନାଲ୍‍ଡ ଅତ୍ୟନ୍ତ ଖୁସୀ ହୋଇ କହିଲେ, ‘‘ଜେନି, ଏ ତୁମର ଅସୀମ ଅନୁଗ୍ରହ । ଈଶ୍ଵର ତୁମର ମଙ୍ଗଳ କରନ୍ତୁ ।’’

 

ଜେନି କହିଲା, ‘‘ରୋନାଲ୍‍ଡ, ତୁମେ ମତେ ଧନ୍ୟବାଦ ଦେଉଛ କାହିଁକି ? ଧନ୍ୟବାଦ ପାଇବା ଭଳି କୌଣସି କାର୍ଯ୍ୟ ତ ମୁଁ କରି ନାହିଁ ?’’

 

ରୋନାଲ୍‍ଡ ସାବେଗରେ କହିଲେ, ‘‘ଜେନି, ଏ କାର୍ଯ୍ୟଟା ବଡ଼ ସାମାନ୍ୟ ନୁହେଁ, ଲୋକଚକ୍ଷୁରେ ମୁଁ ବର୍ତ୍ତମାନ ଅପରାଧୀ । ଜଣେ ହତ୍ୟାକାରୀ ସଙ୍ଗେ ସାକ୍ଷାତ କରିବାକୁ ହେଲେ ଖୁବ୍‍ ସାହାସର ପ୍ରୟୋଜନ ।’’

 

ଏ କଥା ଶୁଣି ଜେନି ସଜଳନୟନରେ ସସ୍ନେହରେ କହିଲା, ‘‘ରୋନାଲ୍‍ଡ, ମୁଁ ଜାଣେ, ତୁମେ ନିର୍ଦୋଷ । ଯଦି ବିଚାରରେ ତୁମର ଫାଶୀ ହୋଇଥାନ୍ତା, ତେବେ ସୁଦ୍ଧା ମୁଁ ତୁମର ନିର୍ଦ୍ଦୋଷତା ବିଷୟରେ ସାକ୍ଷ୍ୟ ଦେଇଥାନ୍ତି !’’

 

ରୋନାଲ୍‍ଡ କହିଲେ, ‘‘ଜେନି, ମୁଁ ତୁମ ନିକଟରେ ମୋର ଅଭିପ୍ରାୟ ବ୍ୟକ୍ତ କରିବାପାଇଁ ଏଠାକୁ ଡାକିଛି । ମୁଁ ଏ ସ୍ଥାନ ଛାଡ଼ି ଆମେରିକାକୁ ଯିବାକୁ ଇଚ୍ଛା କରିଛି । ସେଠାରେ ବୋଧହୁଏ ମତେ ଏ ଜଞ୍ଜାଳ ବହନ କରିବାକୁ ହେବ ନାହିଁ ।’’

 

ଜେନି ଉତ୍କଣ୍ଠିତ ହୋଇ କହିଲା, ‘‘ରୋନାଲ୍‍ଡ, ଏହି କଣ ତୁମର ଦୃଢ଼ତା ? ତୁମେ ପରା ଏ ଅପମାନ ନୀରବରେ ସହ୍ୟ କରିବ ଏବଂ ସୁଦିନର ଆଶାରେ ଧୈର୍ଯ୍ୟ ଧରି ରହିବ ବୋଲି ମୋ ନିକଟରେ ପ୍ରତିଜ୍ଞା କରିଥିଲ ?’’

 

ହତଭାଗ୍ୟ ଯୁବକ କହିଲେ, ‘‘ମୁଁ ପ୍ରତିଜ୍ଞା କରିଥିଲି ସତ୍ୟ, ଯଦି ପ୍ରତିଜ୍ଞା ନ କରିଥାନ୍ତି, ତେବେ ବହୁପୂର୍ବରୁ ର ସ୍ଥାନ ତ୍ୟାଗ କରିଥାନ୍ତି । କିନ୍ତୁ ଦିନକୁ ଦିନ ମୋର ଅବସ୍ଥା ଶୋଚନୀୟ ହୋଇଉଠୁଛି, ମୁଁ ଆଉ ସହ୍ୟ କରିପାରୁ ନାହିଁ । ଆଉ କିଛିଦିନ ଏଠାରେ ରହିଲେ ମୁଁ ନିଶ୍ଚୟ ପାଗଳ ହୋଇଯିବି । ମୋର ବର୍ତ୍ତମାନ ଅବସ୍ଥା ଥରେ ଭାବି ଦେଖ, ପ୍ରତିବେଶୀମାନେ ମତେ ଘୃଣା କରି, ଅବହେଳା କରି ମୋର ସଙ୍ଗ ତ୍ୟାଗ କରିଛନ୍ତି । ତୁମ ଛଡ଼ା ଏପରି କେହି ଗୋଟିଏ ଲୋକ ନାହିଁ, ଯେ ମୋ ସହିତ ପଦେ କଥା କହେ । ଈଶ୍ୱର ଜାଣନ୍ତି, ମୁଁ ଏପରି ବ୍ୟବହାର ପାଇବାର ଉପଯୁକ୍ତ କି ନୁହେଁ ।’’ ଏତିକି କହି ରୋନାଲ୍‍ଡ ଆଉ କହି ପାରିଲେ ନାହିଁ, ତାଙ୍କର କଣ୍ଠରୋଧ ହେଲା, ମସ୍ତକ ଅବନତ କରି ସେ ବାଳକ ପରି ଚିତ୍କାର କରି କ୍ରନ୍ଦନ କଲେ । ଜେନି ବ୍ୟାକୁଳ ହୋଇ କହିଲା, ‘‘ରୋନାଲ୍‍ଡ, ମୋ ପାଇଁ ତୁମେ ଏ ଦୁଃଖ ଅପମାନ ସହ୍ୟ କଲ ।’’

 

ରୋନାଲ୍‍ଡ କହିଲେ, ‘‘ନା ଜେନି, ମତେ ଆଉ ଅନୁରୋଧ କର ନାହିଁ, ମୁଁ କୌଣସିମତେ ଏଠାରେ ରହିପାରିବି ନାହିଁ ।’’

 

ଜେନି ତାଙ୍କୁ ଶାନ୍ତ କରିବାପାଇଁ ଅନେକ ଚେଷ୍ଟା କଲା; କିନ୍ତୁ ସମସ୍ତ ବୃଥା । ଅବଶେଷରେ ଜେନି ତାଙ୍କୁ ଏ ବିଷୟରେ ଶାନ୍ତଭାବରେ ଆଉ ଥରେ ଚିନ୍ତା କରିବାକୁ ଅନୁରୋଧ କଲା ଏବଂ ପରଦିନ ଠିକ୍‍ ଏହି ସମୟରେ ଏହି ସ୍ଥାନରେ ତାଙ୍କ ସହିତ ଦେଖାକରିବ ବୋଲି ସମ୍ମତ ହୋଇ ଗୃହକୁ ଫେରିଗଲା ।

 

ଜେନି ଗୃହକୁ ଚାଲି ଆସିବା ପରେ ଶ୍ରୀମତୀ ଆର୍ମଷ୍ଟ୍ରିଂ ଅନେକକ୍ଷଣ ତାକୁ ନ ଦେଖି ଅନେକ ଅନ୍ୱେଷଣ କରି ଶେଷରେ ସ୍ୱାମୀଙ୍କୁ ପଚାରିଲେ, ‘‘ରବର୍ଟ, ତୁମେ ଜାଣ, ଜେନି କେଉଁଠାରେ ଅଛି ?’’

 

ରବର୍ଟ ଏ ବିଷୟରେ କିଛି ଜାଣି ନ ଥିଲେ ।

 

ଶ୍ରୀମତୀ ଆର୍ମଷ୍ଟ୍ରିଂ ରୋଷେଇଘରକୁ ଯାଇ ଭୃତ୍ୟମାନଙ୍କୁ ପଚାରିଲେ, ‘‘ତୁମେମାନେ ଜାଣ, ଜେନି କେଉଁଠାରେ ଅଛି ?’’

 

 

ଜଣେ ଭୃତ୍ୟ କହିଲା, ‘‘ମିସିବାବା ସେ ପଡ଼ିଆରେ ରୋନାଲ୍‍ଡ ପେଇନ୍‍ଙ୍କ ସଙ୍ଗରେ କଥାବାର୍ତ୍ତା ହେଉଛନ୍ତି ।’’

 

ଶ୍ରୀମତୀ କ୍ରୁଦ୍ଧ ହୋଇ କହିଲେ, ‘‘ତୁ କିପରି ଜାଣିଲୁ ?’’

 

ଭୃତ୍ୟ କହିଲା, ‘‘ରୋନାଲ୍‍ଡ ପେଇନ୍‍ ମିସିବାବାଙ୍କୁ ଡାକି ଦେବା ପାଇଁ ମତେ କହିଥିଲେ, ଆଉ ମୁଁ ଏହିକ୍ଷଣି ଦେଖିଆସିଲି, ସେମାନେ ସେଠାରେ କଥାବାର୍ତ୍ତା ହେଉଅଛନ୍ତି ।’’

 

ଶ୍ରୀମତୀ ଏ କଥା ଶୁଣି ଭୟଙ୍କର ରାଗିଗଲେ, ତାଙ୍କର ମୁଖ ରକ୍ତବର୍ଣ୍ଣ ହୋଇଗଲା; ସେ କହିଲେ, ‘‘କଣ ! ମୋର କନ୍ୟା ଜଣେ ହତ୍ୟାକାରୀ ସଙ୍ଗରେ କଥାବାର୍ତ୍ତା ହେଉଛି ?’’

 

କ୍ରୋଧାନ୍ଧ ହୋଇ ସେ ତାଙ୍କ ସ୍ୱାମୀଙ୍କ ନିକଟରେ ଏ କଥା କହିଲେ । ଜେନି ଯେତେବେଳେ ଗୃହକୁ ଫେରିଆସିଲା, ଉଭୟେ ତାଙ୍କୁ ଭୟଙ୍କର ତିରସ୍କାର କଲେ । ମି:ଆର୍ମଷ୍ଟ୍ରଂ ପ୍ରାୟ କେବେ ରାଗନ୍ତି ନାହିଁ—ବିଶେଷତଃ ଜେନି ଉପରେ । କିନ୍ତୁ ଆଜି ସେ ଭୟଙ୍କର ରାଗିଗଲେ-। ଏହା ଦେଖି ଜେନି ଅତ୍ୟନ୍ତ ମର୍ମାହତ ହେଲା ଏବଂ ପ୍ରତିଜ୍ଞା କଲା, ସେ ଆଉ ରୋନାଲ୍‍ଡ ସହିତ ସାକ୍ଷାତ କରିବାକୁ ଯିବ ନାହିଁ ।

 

ହତଭାଗ୍ୟ ରୋନାଲ୍‍ଡ ପକ୍ଷରେ ଏ ଆଉ ଗୋଟିଏ ଭୀଷଣ ଆଘାତ । ଜେନି ସହିତ ସାକ୍ଷାତ କରିବାପରେ ତାଙ୍କର ମନ ବଦଳି ଥିଲା କି ନାହିଁ, ତାହା କୁହାଯାଇ ନ ପାରେ; କିନ୍ତୁ ଏ ଘଟଣା ପରେ ସେ ଅବିଳମ୍ବେ ଲଣ୍ଡନ ତ୍ୟାଗ କରିବାପାଇଁ ଦୃଢ଼ପ୍ରତିଜ୍ଞ ହେଲେ । ସେ ସର୍ଜନଙ୍କ ନିକଟକୁ ଯାଇ ତାଙ୍କର ଜମି ତାଙ୍କୁ ଫେରାଇଦେଲେ । ସର୍‍ଜନ୍‍ ତାଙ୍କୁ ଅନେକ ଅନୁରୋଧ କଲେ, ଆଉ କିଛିଦିନ ଏ ଦୁଃଖ ସଙ୍ଗରେ ଯୁଦ୍ଧ କରିବାକୁ କହିଲେ, କିନ୍ତୁ ସବୁ ବୃଥା । ରୋନାଲ୍‍ଡ ଗୁପ୍ତଭାବରେ ତାଙ୍କର ସମସ୍ତ ଜିନିଷ ବିକ୍ରୟକରି ଦେଇ ଶୀଘ୍ର ଲଣ୍ଡନ ତ୍ୟାଗ କଲେ ।

 

ରୋନାଲ୍‍ଡ ଚାଲିଯିବାର କିଛିଦିନ ପରେ ଜେନି ତାହାର ପିତା ମାତାଙ୍କ ସହିତ କୌଣସି ବନ୍ଧୁ ଗୃହକୁ ନିମନ୍ତ୍ରଣ ରକ୍ଷା କରିବାକୁ ଯାଇଥିଲା । ଜେନି ଆଜିକାଲି ସର୍ବଦା ବଡ଼ ଗମ୍ଭୀର ହୋଇଥାଏ । ତାହାର ଏ ଗାମ୍ଭୀର୍ଯ୍ୟ ଦେଖି କେହି କେହି କହନ୍ତି, ରୋନାଲ୍‍ଡର ଦୁଃଖରେ ତାହାର ଏପରି ଦଶା ହୋଇଅଛି । ବନ୍ଧୁ ଗୃହରେ ସେ ଦିନ କଟାଇ ଗୃହକୁ ଫେରିବା ସମୟରେ ପଥ ମଧ୍ୟରେ ହଠାତ୍ ସେହି ପୂର୍ବପରିଚିତ ପୁଲିସ ଦାରୋଗା ସଙ୍ଗେ ଦେଖାହେଲା । ଦେଖା ହେବା ମାତ୍ରକେ ସେ ଜେନି ନିକଟକୁ ଆସି କହିଲା, ‘‘ଦେଖନ୍ତୁ, ଆମ୍ଭେମାନେ ଏତେଦିନେ ଠିକ୍‍ ଲୋକକୁ ଧରି ପାରିଛୁଁ । ମୋର ମନେ ହେଉଛି, ରୋନାଲ୍‍ଡ ପେଇନ୍‍ଙ୍କ ସମ୍ବନ୍ଧରେ ଆପଣ ଯାହା କହୁଥିଲେ ତାହା ସତ୍ୟ ।’’

 

ଉଚ୍ଛ୍ୱସିତ ହୃଦୟାବେଗରେ ଜେନି ପଚାରିଲା, ‘‘କଣ ହୋଇଛି ?’’

 

ଦାରୋଗା ଉତ୍ତର କଲା, ‘‘ଆମ୍ଭେମାନେ ଜଣେ ଲୋକକୁ ଧରିଛୁଁ; ଶୀଘ୍ର ତାହାର ବିଚାର ହେବ । ଆପଣମାନେ ପ୍ରସ୍ତୁତ ଥାନ୍ତୁ, ବୋଧହୁଏ ସାକ୍ଷ୍ୟ ଦେବାକୁ ହେବ ।’’

 

ଶ୍ରୀମତୀ ଆର୍ମଷ୍ଟ୍ରିଂ ଚମକିପଡ଼ି କହିଲେ, ‘‘ଦାରୋଗା, ତୁମେ କଣ କହୁଛ, ରୋନାଲ୍‍ଡ ଦୋଷୀ ନୁହେଁ ?’’

 

ଦାରୋଗା—‘‘ହଁ, ଶୀଘ୍ର ଏ କଥା ପ୍ରମାଣିତ ହେବ । ଯଦି ରୋନାଲ୍‍ଡ ପେଇନ୍‍ ଯଥାର୍ଥ ନିରପରାଧ ହୁଅନ୍ତି, ତେବେ ତାଙ୍କ ପ୍ରତି ଆମ୍ଭମାନଙ୍କ ବ୍ୟବହାର ଅତ୍ୟନ୍ତ ଲଜ୍ଜ୍ୟାଜନକ ।’’

 

ଏହାର ଦୁଇ ତିନି ଦିନ ପରେ ମି. ଆର୍ମଷ୍ଟ୍ରଂ ତାଙ୍କ ଗୃହିଣୀ ଏବଂ ଜେନି ସହରର ଅଦାଲତକୁ ସାକ୍ଷ୍ୟ ଦେବାପାଇଁ ଗଲେ । ପରଦିନ ଠିକ୍‍ ସମୟରେ ବିଚାରକ ଆସି ଉପସ୍ଥିତ ହେଲେ, ଜନକୋଳାହଳ ନୀରବ ହୋଇଗଲା, ବନ୍ଦୀକୁ ଅଣାଗଲା ଏବଂ ବିଚାର ଆରମ୍ଭ ହେଲା । ଆସାମୀ ବିରୁଦ୍ଧରେ ଏହି ପ୍ରମାଣ ମିଳିଲା ଯେ, ଜେମସ୍‍ ଡାରନ୍‍ଲିଙ୍କ ପକେଟରେ ଗୋଟିଏ ନୋଟବହି ଥିଲା, ସେ ଖଣ୍ଡି ଆସାମୀଠାରୁ ମିଳିଅଛି; ଆଉ କେତେଗୁଡ଼ିଏ ନୋଟ ଥିଲା, ତାହା ସେ ଭଙ୍ଗାଇ ସାରିଅଛି; ଗୋଟିଏ ରୁପା ପେନସିଲ ଥିଲା, ତାକୁ ସେ ଏକ ସ୍ଥାନରେ ବନ୍ଧା ରଖିଅଛି । ଏ ସମସ୍ତ କଥା ଆସାମୀ ସ୍ୱୀକାର କଲା; କିନ୍ତୁ କହିଲା ଯେ, ଯେଉଁଠାରେ ହତ୍ୟାକାଣ୍ଡ ଘଟିଥିଲା, ସେ ନୋଟ ବହି ଖଣ୍ଡି ସେଠାରୁ ପାଇଥିଲା ।

 

ଶେଷ ସାକ୍ଷୀ ଜେନିକୁ ଡକାଗଲା । ସେ ଉଛ ସ୍ୱରରେ ସ୍ପଷ୍ଟଭାବରେ ସମସ୍ତ କଥା କହିଗଲା—ସେହି ଭୀଷଣ ସଂଗ୍ରାମ, ଆକ୍ରାନ୍ତ ବ୍ୟକ୍ତିର ଆର୍ତ୍ତନାଦ, ମୃତ୍ୟୁକାଳୀନ ସେହି ଭୀଷଣ ଚିତ୍କାର; ହତ୍ୟାକାରୀର ଆକ୍ରୋଶପୂର୍ଣ୍ଣ ବାକ୍ୟ ସମସ୍ତ ଗୋଟି ଗୋଟି କରି କହିଗଲା । ଜେନି ତାହାର ବକ୍ତବ୍ୟ ଶେଷ କରି ସେଠାରୁ ଫେରି ଆସିବାକୁ ବସିଅଛି, ଏପରି ସମୟରେ ବିଚାରିଲେ, ‘‘ଆଚ୍ଛା, ତୁମେ ଏହି ଲୋକମାନଙ୍କ ପ୍ରତି ଭଲ କରି ଦୃଷ୍ଟିଦେଇ ଦେଖ ତ, ତାହାକୁ ହତ୍ୟାକାରୀ ବୋଲି ମନେ ହେଉଅଛି କି ?’’

 

ଜେନି ସେହି ଜନସଂଘ ପ୍ରତି ମନୋଯୋଗ ସହିତ ଦୃଷ୍ଟି ନିକ୍ଷେପ କଲା; କିନ୍ତୁ ସେ ହତ୍ୟାକାରୀଙ୍କୁ ଦେଖି ନ ଥିଲା, ସୁତରାଂ ତାହାର ସବୁ ଚେଷ୍ଟା ବୃଥା ହୋଇଗଲା । ପୁନର୍ବାର ଥରେ ସେ ଖୁବ୍‍ ଭଲ କରି ଚାହିଁଲା, ତନ୍ମଧ୍ୟରେ ବନ୍ଦୀ ଆଡ଼କୁ ମଧ୍ୟ ଥରେ ଚାହିଁଲା, କିନ୍ତୁ କିଛି ସ୍ଥିର ନ ପାରି ବିଚାରକଙ୍କୁ ଚାହିଁ ମୁଣ୍ଡ ହଲାଇଲା । ଠିକ୍‍ ଏହି ସମୟରେ ସେହି ଲୋକମାନଙ୍କ ମଧ୍ୟରେ କେହି ଜଣେ ଉଚ୍ଚ ସ୍ୱରରେ କଥା କହି ପକାଇଲା । ତତ୍‌କ୍ଷଣାତ ଜେନି ଫେରି ଚାହିଁଲା, କିନ୍ତୁ କିଏ କହିଲା, କିଛି ବୁଝି ପାରିଲା ନାହିଁ । ମାତ୍ର ତାହାର କର୍ଣ୍ଣରେ ସ୍ଵରଟା ଭୀଷଣ ଭାବରେ ବାଜିଲା, ସେ ସ୍ୱର ସେ ଚିହ୍ନି ପାରିଲା । ଏହି ସମୟରେ ଆସାମୀ କହି ପକାଇଲା, ‘‘ମହାଶୟ, ଏ ମୋର ଜୀବନ ନେବାକୁ ବସିଛି ।’’ ଏ କଥା ଶୁଣି ଜେନି ଚିତ୍କାର କରି କହିଲା, ‘‘ଏହି ଲୋକ ହତ୍ୟାକାରୀ, ମୁଁ ଏହାର ସ୍ୱର ଶୁଣି ଚିହ୍ନିଲି ।’’

 

ଏ କଥା ଶୁଣି ଆସାମୀ ଭୟରେ କମ୍ପିବାକୁ ଲାଗିଲା, ତାହାର ମୁଖ ପାଂଶୁବର୍ଣ୍ଣ ହୋଇଗଲା । ବିଚାରକ କରୁଣଦୃଷ୍ଟିରେ ଆସାମୀ ଆଡ଼କୁ ଚାହିଁ କହିଲେ, ‘‘ବନ୍ଦୀ, ତୁମେ ନିଜେ ତୁମର ମୃତ୍ୟୁକୁ ଡାକି ଆଣିଲ ।’’

 

ବିଚାର ଶେଷ ହେଲା, ଆସାମୀ ହତ୍ୟାକାରୀ ବୋଲି ପ୍ରମାଣିତ ହେଲା । ବିଚାରକ ସମସ୍ତଙ୍କ ସମକ୍ଷରେ ତାହାର ମୃତ୍ୟୁଦଣ୍ଡ ଶୁଣାଇଦେଲେ ।

 

ମୃତ୍ୟୁ ପୂର୍ବରୁ ସେ ତାହାର ସମସ୍ତ ଅପରାଧ ସ୍ୱୀକାର କଲା । ଜେମସ୍‍ ଯେଉଁଦିନ ହାଟକୁ ଯାଇଥିଲେ, ସେଠାରୁ ଫେରିଲାବେଳେ ସେ ଗୋଟିଏ ହୋଟେଲରେ କିଛିକ୍ଷଣ ବିଶ୍ରାମ କରିଥିଲେ । ସେଠାରେ କେତେକ ବନ୍ଧୁଙ୍କୁ ଦେଖି ସେ କିଛିକ୍ଷଣ ବସି କଥାବାର୍ତ୍ତା ହେଉଥିଲେ । କଥାପ୍ରସଙ୍ଗରେ ସେ ସେଦିନ ହାଟରେ କି କି ଜିନିଷ ବିକ୍ରି କରିଅଛନ୍ତି, କେତେ ଟଙ୍କା ପାଇଅଛନ୍ତି ଏବଂ ସେ ଟଙ୍କା ତାଙ୍କର ପକେଟରେ ଅଛି ଓ ପରଦିନ ସେ ସେହି ଟଙ୍କାରେ କେତେକ ଭଲ ଜିନିଷ କିଣିବେ, ଇତ୍ୟାଦି ସମସ୍ତ କଥା କହି ପକାଇଥିଲେ । ହତ୍ୟାକାରୀ ଏ କଥା ଶୁଣିବା ମାତ୍ରକେ ସେ ଟଙ୍କାଗୁଡ଼ିକ ସେହି ରାତ୍ରରେ ପଥ ମଧ୍ୟରେ ଅପହରଣ କରିବାପାଇଁ ତାହାର ମନରେ ପ୍ରବଳ ବାସନା ହେଲା । କିନ୍ତୁ ଜେମସ୍‍ ଶୀଘ୍ର ଗୃହକୁ ଫେରିଯାଇ ଆର୍ମଷ୍ଟ୍ରିଂଙ୍କ ଗୃହକୁ ଚାଲିଗଲେ । ସୁତରାଂ ତାହାର ସମସ୍ତ ଅଭିସନ୍ଧି ବ୍ୟର୍ଥ ହେଲା । ଜେମସ୍‍ ତାଙ୍କ ପକେଟରୁ ସେ ଟଙ୍କା ବାହାର କରି ଅନ୍ୟ ସ୍ଥାନରେ ରଖିବେ ନାହିଁ; କାରଣ ସେ ଟଙ୍କା ପୁଣି ପରଦିନ ଆବଶ୍ୟକ ହେବ । ଏ କଥା ମନରେ ସ୍ଥିର କରି ଆଉ ଏକ ଭୀଷଣ ଅଭିସନ୍ଧି କରି ସେ ରାତ୍ରି ଥାଉଁ ଥାଉଁ ଯାଇଁ ତାଙ୍କ ଦ୍ୱାରରେ ଆଘାତ କଲା । ଅସମୟରେ ହଠାତ୍ କିଏ ଡାକିବାରୁ ଜେମସ୍‍ ବ୍ୟସ୍ତ ହୋଇ ଉଠିପଡ଼ି ଝରକା ଫିଟାଇ ଦେଖିଲେ, ତଳେ ଜଣେ ଲୋକ ଛିଡ଼ା ହୋଇଅଛି । ଅନ୍ଧକାର ଥିବା ଯୋଗୁଁ ତାକୁ ଚିହ୍ନି ପାରିଲେ ନାହିଁ । ସେ କହିଲା, ତାଙ୍କର ଗାଈଗୁଡ଼ିକ ଫିଟିଯାଇ ଏଣେ ତେଣେ ପଳାଉଅଛନ୍ତି, ଶୀଘ୍ର ଆସି ସେମାନଙ୍କୁ ଫେରାଇନେବାର ବନ୍ଦୋବସ୍ତ କରନ୍ତୁ । ଏ କଥା ଶୁଣି ତାକୁ ଅନେକ ଧନ୍ୟବାଦ ଦେଇ ଜେମସ୍‍ ତରତରରେ ଯେଉଁ କୋଟରେ ଟଙ୍କା ଥିଲା, ସେହି କୋଟଟି ପିନ୍ଧି ଘରୁ ବାହାରିପଡ଼ିଲେ । ତା ପରେ କି କି ଘଟଣା ହେଲା, ତାହା ଆଉ କହିବାର ପ୍ରୟୋଜନ ନାହିଁ ।

 

ନିର୍ଦ୍ଧାରିତ ଦିନରେ ପ୍ରହରୀମାନେ ଲୋକଟିକୁ ଫାଶୀ ସ୍ଥାନକୁ ଘେନିଗଲେ । ତାହାର ଫାଶୀ ଦେଖିବାପାଇଁ ସେ ଦିନ ଏତେ ଲୋକ ଜମା ହୋଇଥିଲେ ଯେ, ସେପର୍ଯ୍ୟନ୍ତ କୌଣସି ଉପଲକ୍ଷରେ ସୁଦ୍ଧା ଏତେ ଜନତା ହୋଇ ନ ଥିଲା । ଏଥିପୂର୍ବେ ଲୋକେ ରୋନାଲ୍‍ଡଙ୍କ ବିଷୟରେ ଯେପରି ଆଲୋଚନା କରୁଥିଲେ, ବର୍ତ୍ତମାନ ତାହା ସମ୍ବନ୍ଧରେ ସେହିପରି ଆଲୋଚନା କଲେ । ରୋନାଲ୍‍ଡଙ୍କ ପ୍ରତି ସେମାନଙ୍କର ବ୍ୟବହାର ସ୍ମରଣ କରି ପ୍ରତ୍ୟେକେ ଅତ୍ୟନ୍ତ ଲଜ୍ଜିତ ହେଲେ । ଏପରି ଉଦାର ଓ ମହାନୁଭାବ ଯୁବକ ହତ୍ୟାକାରୀ ହୋଇପାରେ, ଏ କଥା ସେମାନେ କିପରି ବିଶ୍ୱାସ କଲେ, ଏହା ଭାବି ମଧ୍ୟ ସମସ୍ତେ ବିସ୍ମିତ ହେଲେ । ଶ୍ରୀମତୀ ଆର୍ମଷ୍ଟ୍ରିଂ ମଧ୍ୟ ତାଙ୍କର ଦୁର୍ବ୍ୟବହାର କଥା ଭାବି ଅତ୍ୟନ୍ତ ଦୁଃଖିତ ହେଲେ । ସର୍‍ଜନ୍‍ ତତ୍‌କ୍ଷଣାତ ରୋନାଲ୍‍ଡଙ୍କୁ ଫେରାଇ ଆଣିବାପାଇଁ ଜଣେ ବିଶ୍ୱସ୍ତ ଲୋକ ପଠାଇଦେଲେ ।

 

ଆଜି ଲୋକମାନଙ୍କ ମନରେ ଆନନ୍ଦର ସୀମା ନାହିଁ । ଗୃହ ପତ୍ରପୁଷ୍ପଦ୍ୱାରା ସଜ୍ଜିତ ହୋଇଅଛି, ଚତୁର୍ଦ୍ଦିଗରେ କୋଳାହଳ ଲାଗିଅଛି । ଭଦ୍ର ସ୍ତ୍ରୀ ପୁରୁଷମାନେ ନାନା ସାଜ-ସଜ୍ଜା କରି ଆନନ୍ଦରେ ବୁଲୁଅଛନ୍ତି । ଜେନି ମଧ୍ୟ ତାହାର ପିତାମାତାଙ୍କ ସଙ୍ଗରେ ଏ ଆନନ୍ଦରେ ଯୋଗ ଦେବାକୁ ଆସିଅଛି । ଆଜି ଏ ଆନନ୍ଦର କାରଣ ଆଉ କିଛି ନୁହେଁ, ଆଜି ରୋନାଲ୍‍ଡ ପେଇନ୍‍ଙ୍କର ଫେରିବାର କଥା । କେତେଗୁଡ଼ିଏ ଭଦ୍ରବ୍ୟକ୍ତି ସମୁଦ୍ରକୂଳକୁ ତାଙ୍କୁ ଅଭ୍ୟର୍ଥନା କରିବାକୁ ଯାଇଅଛନ୍ତି-। ତାଙ୍କର ଆସିବାର ସମୟ ହେଲାଣି; ସେଥିଲାଗି ଲୋକେ ତାଙ୍କୁ ଦେଖିବାପାଇଁ ଏବଂ ଅଭ୍ୟର୍ଥନା କରିବାପାଇଁ ଉଦବିଗ୍ନ ହୋଇ କୋଳାହଳ କରୁଅଛନ୍ତି । ଏହି ସମୟରେ ଦୂରରୁ ସଙ୍ଗୀତ ଶବ୍ଦ ଶୁଣାଗଲା । ସମସ୍ତେ ରୋନାଲ୍‍ଡଙ୍କ ଆଗମନବାର୍ତ୍ତା ଜାଣିପାରି ଆନନ୍ଦରେ ଚିତ୍କାର କରି ଉଠିଲେ । ଅଳ୍ପକ୍ଷଣ ପରେ ସଙ୍ଗୀତଦଳକୁ ଆଗରେ ଘେନି ଗୋଟିଏ ଗାଡ଼ିରେ ସର୍‍ଜନ୍‍ ରୋନାଲ୍‍ଡଙ୍କ ସହିତ ଉପସ୍ଥିତ ହେଲେ ଏବଂ ଅଭ୍ୟର୍ଥନା ଗୃହରେ ପ୍ରବେଶ କଲେ । ଏହି ଅଳ୍ପଦିନ ମଧ୍ୟରେ ରୋନାଲ୍‍ଡଙ୍କର ଅନେକ ପରିବର୍ତ୍ତନ ହୋଇଅଛି, ସେ ପ୍ରାୟ ମୃତ୍ୟୁମୁଖରୁ ଫେରିଲାପରି ଦିଶୁଅଛନ୍ତି-। ସେ ପ୍ରବେଶ କଲା ମାତ୍ରକେ ପ୍ରତ୍ୟେକେ ଉତ୍ସାହିତ ହୋଇ କେହି କ୍ଷମା ମାଗିଲେ, କେହି ଅଭିନନ୍ଦନ କଲେ, କେହି ଆଶୀର୍ବାଦ କଲେ । ପ୍ରତ୍ୟେକେ କିଛି କିଛି କହିଲେ, କିନ୍ତୁ ଜେନି ନୀରବ ରହିଲା, କେବଳ ତାହାର ଚକ୍ଷୁରୁ ଅବିରଳ ଅଶ୍ରୁଧାରା ଗଡ଼ି ପଡ଼ୁଥାଏ; ସେ କୌଣସିମତେ ସମ୍ଭାଳିପାରୁ ନ ଥାଏ ।

 

ଶ୍ରୀମତୀ ଆର୍ମଷ୍ଟ୍ରିଂ ଉଠି କହିଲେ, ‘‘ରୋନାଲ୍‍ଡ, ମୁଁ ପ୍ରଥମେ ତୁମ୍ଭଙ୍କୁ ସନ୍ଦେହ କରିଥିଲି; ସର୍ବପ୍ରଥମ ମୁଁ ତୁମ୍ଭଙ୍କୁ ଘୃଣା କରିଥିଲି । ବର୍ତ୍ତମାନ ମୁଁ ସବୁ ବୁଝିପାରିଅଛି, ଆଜି ମୁଁ ଅତ୍ୟନ୍ତ ଅନୁତପ୍ତ; ମୁଁ ତୁମ୍ଭ ନିକଟରେ କ୍ଷମା ପ୍ରାର୍ଥନା କରୁଅଛି । ଆଜିଠାରୁ ମତେ ତୁମ୍ଭର ବନ୍ଧୁ ବୋଲି ମନେ କର ।’’

 

ସର୍‍ଜନ୍‍ ଉଠି କହିଲେ;’’ରୋନାଲ୍‍ଡ, ମୁଁ ତୁମ୍ଭଙ୍କୁ କୌଣସି ଦିନ ସନ୍ଦେହ କରି ନ ଥିଲି । ଏ ଲୋକମାନେ ତୁମ୍ଭପ୍ରତି ଘୋର ସନ୍ଦେହ କରୁଥିଲେ; କିନ୍ତୁ ସବୁ ବର୍ତ୍ତମାନ ଦୂର ହୋଇଅଛି । ତୁମ୍ଭେ ଯେ ଏ ଭୀଷଣ ଦୁଃଖ ନୀରବରେ ସହ୍ୟ କରିଅଛ, ସେଥିପାଇଁ ମୁଁ ତୁମ୍ଭଙ୍କୁ ଗୋଟିଏ ଉପହାର ଦେବାକୁ ଇଚ୍ଛା କରେ । ମୁଁ ତୁମ୍ଭଙ୍କୁ ଗୋଟିଏ କୃଷିକ୍ଷେତ୍ର ଉପହାର ଦେଲି । ଆଉ ଜେମସ୍‍ର ଜମିଗୁଡ଼ିକ ଖାଲି ପଡ଼ିଅଛି, ତୁମ୍ଭେ ତାକୁ କିଣି ନେଇ ଚାଷ କରିପାର । ଯଦି ତୁମ୍ଭର ଟଙ୍କା ନ ଥାଏ, ତେବେ ସେ ଟଙ୍କା ମୁଁ ତୁମ୍ଭଙ୍କୁ ବିନା ସୁଧରେ ଋଣ ଦେବାକୁ ପ୍ରସ୍ତୁତ ଅଛି ।

 

ରୋନାଲ୍‍ଡ ନୀରବ, ଅତ୍ୟଧିକ ଆନନ୍ଦରେ ତାଙ୍କର ବାକ୍ସସ୍ପୂର୍ତ୍ତି ହେଉ ନାହିଁ । ସର୍‍ଜନ୍‍ କହିଲେ, ‘‘ଶ୍ରୀମତୀ ଆର୍ମଷ୍ଟ୍ରିଂ, ତୁମେ କଣ ଆଜି ରୋନାଲ୍‍ଡନକୁ କିଛି ଉପହାର ଦେବ ନାହିଁ ।

 

ଏ କଥା ଶୁଣି ମିଃ ଆର୍ମଷ୍ଟ୍ରଂ କହିଲେ, ‘‘ସର୍‍ଜନ୍‍, ଆପଣ ସତ୍ୟ କହିଛନ୍ତି । ଆମ୍ଭେମାନେ ସ୍ନେହର କନ୍ୟାକୁ ତାଙ୍କୁ ଉପହାର ଦେଉଛୁଁ, ସେ ତାକୁ ଲାଭ କରିବାର ଉପଯୁକ୍ତ ପାତ୍ର । ମୋର ସ୍ତ୍ରୀ ଆପତ୍ତି କଲେ ମଧ୍ୟ ମୁଁ ତାଙ୍କ କଥା ଶୁଣିବି ନାହିଁ । ସର୍‍ଜନ୍‍ ଶ୍ରୀମତୀଙ୍କ ଆଡ଼କୁ ଚାହିଁଲେ । ତାଙ୍କ ମୁଖରେ ଆପତ୍ତିର କୌଣସି ଲକ୍ଷଣ ଦେଖାଗଲା ନାହିଁ ।

 

ସ୍ୱାମୀ ସ୍ତ୍ରୀ ଖୁସୀ ହୋଇ ସର୍‍ଜନ୍‍ଙ୍କୁ ଅନେକ ଧନ୍ୟବାଦ ଦେଲେ । ସର୍‍ଜନ୍‍ ଜେନି ନିକଟକୁ ଆସି ଆସ୍ତେ କହିଲେ ‘‘ଜେନି ମତେ ଖବର ଦେବ ତ ?’’

 

ତା’ ପରେ ସମସ୍ତେ ଆନନ୍ଦିତ ହୋଇ ଉଚ୍ଚସ୍ଵରରେ ରୋନାଲ୍‍ଡ ଓ ଜେନିଙ୍କୁ ଆଶୀର୍ବାଦ କରି ଏବଂ ସେମାନଙ୍କ ନାମରେ ଜୟଧ୍ୱନୀ କରି ନିଜ ନିଜ ଗୃହକୁ ଫେରିଗଲେ ।

Image

 

Unknown

ବାଳିକାର ଆତ୍ମକାହାଣୀ

 

କୃଷ୍ଣପରିଚ୍ଛଦଧାରୀ କେତେଗୁଡ଼ିଏ ଲୋକ ଗୋଟିଏ ମୃତ ଦେହ ବହନ କରି ଯାଉଅଛନ୍ତି-। ସଙ୍ଗରେ ବହୁତ ଲୋକ, ସମସ୍ତେ ବିଷର୍ଣ୍ଣ ବଦନ । ମୁଁ ଆମ ଗୃହର ଗୋଟିଏ ଝରକା ନିକଟରେ ଛିଡ଼ା ହୋଇ ଏ ଦୃଶ୍ୟ ଦେଖୁଥିଲି । ଦୁଃଖରେ, ବେଦନାରେ ମୋର ବକ୍ଷ ଫାଟି ଯାଉଥିଲା । ଏ ମୃତ ଦେହ ମୋର ମାଙ୍କର । ମୁଁ ସେତେବେଳେ ପଞ୍ଚଦଶବର୍ଷୀୟା ବାଳିକା ମାତ୍ର ।

 

ସେମାନେ ଶୀଘ୍ର ଫେରିଆସିଲେ । ପିତା ମୋ ନିକଟକୁ ଆସି ଗୋଟିଏ ଚୌକିରେ ବସି ମତେ ତାଙ୍କ କ୍ରୋଡ଼କୁ ଟାଣିନେଲେ । ତାଙ୍କ ଚକ୍ଷୁ ରକ୍ତବର୍ଣ୍ଣ, ମୁଖ ବିବର୍ଣ୍ଣ ହୋଇଯାଇଅଛି । ସେ ମୋତେ କ୍ରୋଡ଼କୁ ଟାଣିନେଇ କହିଲେ, ‘‘ମେରି, ଆଜିଠାରୁ ତୁମେ ମୋର ସର୍ବସ୍ଵ ।’’

 

ଆମ୍ଭେମାନେ ମା’ଙ୍କ ଶୟନକକ୍ଷରେ ବସିଥିଲୁ । ମା’ଙ୍କର କେତେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ସେ ଘରେ ଥିଲା, ସେ ସବୁ ଦେଖି ମୁଁ ଚିତ୍କାର କରି କାନ୍ଦିଉଥିଲି । କହିଲି, ‘‘ବାବା, ମୁଁ କାହିଁକି ମା’ଙ୍କ ସାଙ୍ଗରେ ନ ଗଲି ।’’ ପିତା କହିଲେ, ‘‘ଛି ମା’ ! ଏପରି କଥା କହନ୍ତି ? ସମୟ ତୁମପାଇଁ ସାନ୍ତ୍ୱନା ଆଣିଦେବ ।’’

 

କେତେକ୍ଷଣ ସେଠାରେ ଆମ୍ଭେମାନେ ବସିଥିଲୁ ଏବଂ କେତେବେଳଯାଏ ବ୍ୟାକୁଳ ଭାବରେ କ୍ରନ୍ଦନ କରିଥିଲୁ, ମୋର ମନେ ନାହିଁ । ଆଜି ସୁଦ୍ଧା ସେ ଦିନ କଥା ଭାବିଲେ ଦୁଃଖ ସମ୍ଭାଳିବା କଠିନ ହୋଇଉଠେ । ଏହିପରି କେତେଦିନ ଆମ୍ଭେମାନେ ଅଶ୍ରୁ ବିସର୍ଜନ କରିଅଛୁ—କେତେବେଳେ ଏକତ୍ର, କେତେବେଳେ ଅବା ଏକାକୀ ।

 

ଏହି ଘଟଣାର କିଛିଦିନ ପରେ ଦିନେ ପିତା ମତେ କହିଲେ, ‘‘ମେରି, ମୁଁ ମନେ କରୁଛି, ତୁମର ମାତୃସ୍ଥାନୀୟା ଜଣେ ରମଣୀ ତୁମ ନିକଟରେ ରହିବା ଉଚିତ । ମୁଁ ତୁମକୁ ସ୍କୁଲକୁ ପଠାଇ ରହିପାରିବି ନାହିଁ !’’ ମୁଁ କହିଲି, ‘‘କାହିଁକି ବାବା, କୌଣସି ଶିକ୍ଷକ ଘରକୁ ଆସି ମତେ ପଢ଼ାଇଲେ କ୍ଷତି କଣ ?’’

 

ପିତା କହିଲେ, ‘‘ମୁଁ କେବଳ ତୁମର ପଢ଼ା ଭାବୁ ନାହିଁ । ତୁମର ଏପରି ଜଣେ ସଙ୍ଗିନୀ ଲୋଡ଼ା, ଯେ ତୁମକୁ ସମସ୍ତ ବିଷୟ ଶିକ୍ଷା ଦେବ । ଯଦି ଗୋଟିଏ Governess ପାଏଁ—’’

 

ମୁଁ ତାଙ୍କ କଥାରେ ବାଧା ଦେଇ କହିଲି, ‘‘ବାବା, ତୁମେ ଆଉ ଯାହା କର, କିନ୍ତୁ Governess ରଖ ନାହିଁ ।’’

 

ପିତା କହିଲେ, ‘‘ମେରି, ତୁମେ ଏତେ ଉତ୍ତେଜିତ ହୁଅ ନାହିଁ । ତୁମ ପକ୍ଷରେ ଏଠାରେ ଏକାକୀ ରହିବା ଆଦୌ ଉଚିତ ନୁହେଁ । ମୁଁ ଶୁଣିଲି; ପ୍ରତିବେଶିମାନେ କହୁଛନ୍ତି, ମୁଁ ତୁମର ଯତ୍ନ କରୁ ନାହିଁ । ତୁମେ ଏ ବିଷୟରେ ଭଲକରି ଭାବି ଦେଖ ।’’

 

ମୁଁ ଆଉ କିଛି କହିଲି ନାହିଁ ।

 

ଆମ ଘରର କିଛି ଦୂରରେ ମୋ ମାଙ୍କ ପିତୃଗୃହ । ସେ ବଂଶରେ ଥିବା ଭିତରେ କେବଳ ମୋର ମାତାମହୀ ଏବଂ ତାଙ୍କର ଦୁଇ ଅବିବାହିତା କନ୍ୟା । ମୁଁ ସେମାନଙ୍କୁ ସେତେ ପସନ୍ଦ କରୁ ନ ଥିଲି । ମୁଁ ବାଳିକା ହେଲେ ମଧ୍ୟ ବେଶ୍‍ ବୁଝିପାରୁଥିଲି ଯେ, ସେମାନେ ଅତ୍ୟନ୍ତ ସ୍ୱାର୍ଥପର ଓ ଅସରଳ । ସେମାନେ ଉଚ୍ଚବଂଶୀୟ ଏବଂ ଅନେକ ସମ୍ଭ୍ରାନ୍ତ ପରିବାର ସାଙ୍ଗରେ ସେମାନଙ୍କର ଆତ୍ମୀୟତା ଅଛି ବୋଲି ସେମାନେ ବଡ଼ ଅହଂକାର କରିଥାନ୍ତି । ବିଶେଷତଃ ସମ୍ଭ୍ରାନ୍ତ ‘ରୁପର୍ଟ’ ବଂଶ ସଙ୍ଗରେ ନିକଟ ସମ୍ପର୍କୀୟ ପ୍ରତ୍ୟେକ ବ୍ୟକ୍ତିଙ୍କର ବଂଶମର୍ଯ୍ୟାଦାର ଅହଙ୍କାରଟା ଅତ୍ୟନ୍ତ ଅଧିକ । ମୋର ମା’ ଯେତେବେଳେ ପିତାଙ୍କୁ ବିବାହ କଲେ, ସେତେବେଳେ ସେମାନଙ୍କର ମର୍ଯ୍ୟାଦାର ହାନି ହେଲା ବୋଲି ସେମାନେ ଅସନ୍ତୁଷ୍ଟ ହୋଇଥିଲେ ।

 

ପିତା ପାଇଁ ସେମାନଙ୍କୁ Governess କଥା କହିଲେ । ସେମାନେ ଏ କଥା ଶୁଣି ବିରକ୍ତ ହେଲେ ଏବଂ Governess ରଖିବା ବିରୁଦ୍ଧରେ ଅନେକ କଥା କହିଲେ । ପରେ ସ୍ଥିର ହେଲା, ମୋର ଜଣେ ମାଉସୀ ଲୁଇଜା ଆସି ମୋ ନିକଟରେ ରହିବ । ମୁଁ ତ ସେମାନଙ୍କୁ ପସନ୍ଦ କରେ ନାହିଁ, ସୁତରାଂ ଏ ପ୍ରସ୍ତାବ ମତେ ଭଲ ଲାଗିଲା ନାହିଁ । ମାତ୍ର ମୁଁ ଆଉ କିଛି କହିଲି ନାହିଁ ।

 

ପରଦିନ ଲୁଇଜା ଆମ ଘରକୁ ଆସିଲା । ସେ ମୋ ମାଙ୍କଠାରୁ ଅଳ୍ପ ଛୋଟ । ଆମ ଘରକୁ ଆସି ସେ ମୋ ପ୍ରତି ଭାରି ଯତ୍ନ କଲା, ସର୍ବଦା ମୋର ପ୍ରଶଂସା କରେ—ପିତାଙ୍କ ନିକଟରେ ମୋ କଥା ସର୍ବଦା କହେ । ମୁଁ ପୂର୍ବେ ଲୁଇଜାକୁ ଅତ୍ୟନ୍ତ ଉଦ୍ଧତ ବୋଲି ଭାବିଥିଲି; କିନ୍ତୁ ବର୍ତ୍ତମାନ ଦେଖିଲି, ସେ ଅତି ମଧୁରସ୍ୱଭାବ ।

 

Governess ରଖିବା ବିଷୟରେ ସେମାନେ ଅତ୍ୟନ୍ତ ଆପତ୍ତି କରିଥିଲେ, ବୋଧହୁଏ ସେମାନଙ୍କର କିଛି ଅଭିସନ୍ଧି ଥିଲା । ସେତେବେଳେ ମୁଁ ବୁଝି ପାରି ନ ଥିଲି; କିନ୍ତୁ ବର୍ତ୍ତମାନ ବୁଝୁଅଛି । ମାଙ୍କ ମୃତ୍ୟୁର ପ୍ରାୟ ବର୍ଷକ ପରେ ଲୁଇଜା ମୋର ପିତାଙ୍କୁ ବିବାହ କଲା ।

 

ମୁଁ ଏ ବିବାହ ବିଷୟରେ କିଛି ଜାଣି ନ ଥିଲି । ଆମ ଘରର ଜଣେ ପୁରାତନ ଦାସୀ ମତେ ପ୍ରଥମେ ଏ ସମ୍ବାଦ ଦେଲା । ଏଥି ପୂର୍ବରୁ ମୋ ମନରେ ସେପରି ସନ୍ଦେହ ଆଦୌ ଜନ୍ମି ନ ଥିଲା । ମୁଁ ଦେଖିଲି, ଲୁଇଜା ହଠାତ୍ କିଛିଦିନପାଇଁ ଗୃହରୁ ଚାଲିଗଲା । ଶୁଣିଲି ତାର ଗୋଟିଏ ଭଗିନୀ ନିକଟକୁ ଯାଇଅଛି । ଲୁଇଜା ଯିବାର ଅଳ୍ପଦିନ ପରେ ପିତା ମଧ୍ୟ ଚାଲିଗଲେ । ତା’ ପରେ ଦାସୀ ମତେ ତାଙ୍କ ଯିବାର କାରଣ କହିଲା ।

 

ମୁଁ ଚାର୍ଲଟ ନିକଟରୁ ଏ କଥା ଶୁଣି ପ୍ରଥମେ ଭୟଙ୍କର କ୍ରୁଦ୍ଧ ହୋଇ କହିଲି, ‘‘ଦେଖା ଚାର୍ଲଟ, ତୁମେ ମୋ ପିତାଙ୍କ ନାମରେ ଏପରି କଳଙ୍କ ରଟାଇବାକୁ କିପରି ସାହସ କରୁଛ ?’’

 

ଚାର୍ଲଟ କହିଲା, ‘‘ତୁମେ ଏକା ଏ ବିଷୟରେ କିଛି ଜାଣ ନାହିଁ, ଆଉ ସମସ୍ତେ ଜାଣନ୍ତି । ତୁମ୍ଭେ ଶୀଘ୍ର ଜାଣି ପାରିବ ।’’

 

ହଁ, ମୁଁ ଶୀଘ୍ର ଜାଣିପାରିଲି । ଏହି ଘଟଣାର ଦୁଇ ତିନି ଦିନ ପରେ ପିତା ସମସ୍ତ ବିଷୟ ପ୍ରକାଶ କରି ମତେ ଖଣ୍ଡେ ପତ୍ର ଲେଖିଲେ । ସେ ଲେଖିଲେ ଯେ, ଏ ବିବାହ ସେ ଆମ୍ଭମାନଙ୍କର ମଙ୍ଗଳ ନିମିତ୍ତ କରିଅଛନ୍ତି—ବିଶେଷତଃ ମୋର ସୁବିଧା ଏବଂ ସୁଖପାଇଁ ।

 

ମୁଁ ସ୍ଵଭାବତଃ କ୍ରୋଧୀ ନୁହେଁ; କିନ୍ତୁ ସେହି ମୁହୂର୍ତ୍ତରେ କ୍ରୋଧରେ ମୋର ଆପାଦମସ୍ତକ ଜଳିଗଲା । ଏ କ୍ରୋଧର କାରଣ ଏହା ନୁହେଁ ଯେ, ଲୁଇଜା ମୋ ଉପରେ କର୍ତ୍ତୁତ୍ୱ କରିବ; କିନ୍ତୁ ମୋର ଦୁଃଖ ଏତିକି ଯେ, ପିତା ଏତେ ଶୀଘ୍ର ମୋ ମାଙ୍କୁ ଭୁଲିଗଲେ, ଏତେ ଶୀଘ୍ର ପୁଣି ବିବାହ କରି ନିଜକୁ ଏତେ ହୀନ କରି ପକାଇଲେ. ! ମୋର ସେ ସମୟରେ ମନର ଅବସ୍ଥା ବର୍ଣ୍ଣନା କରିବାକୁ ମୁଁ ଅକ୍ଷମ । ମୋର ମନେ ହେଲା, ଯେପରି ପିତାଙ୍କର ଏହିପରି ଆଚରଣର ସମସ୍ତ ଅପମାନ, ଲଜ୍ଜା ମତେ ଲାଗିଲା ।

 

ଅତ୍ୟଧିକ ଦୁଃଖରେ, ଅଭିମାନରେ ନିଜକୁ ସମ୍ଭାଳି ନ ପାରି ମୁଁ ଶଯ୍ୟାରେ ପଡ଼ି କାନ୍ଦିବାକୁ ଲାଗିଲି । ଏହିପରି ସମୟରେ ହଠାତ୍ କିଏ ନିକଟକୁ ଆସି କହିଲା, ‘‘ମେରି, ତୁମେ ବଡ଼ ଅବୋଧ ।’’

 

ମୁଁ ଉଠି ଦେଖିଲି, ମୋ ସମ୍ମୁଖରେ ଲିଓନେଲ । ଲିଓନେଲ ବିଂଶତିଃବର୍ଷୀୟ ଯୁବା, ସଦା ପ୍ରଫୁଲ୍ଲ, ସମସ୍ତଙ୍କର ପ୍ରୀତିପାତ୍ର । ସେ ଲୁଇଜାର ଦୂରସମ୍ପର୍କୀୟ ଭାଇ । ଲୁଇଜା ଆମ ଘରକୁ ଆସିଲା ଦିନରୁ ସେ ଅନେକ ସମୟରେ ଆସନ୍ତି ଏବଂ ଆମ୍ଭମାନଙ୍କ ସଙ୍ଗେ ତାଙ୍କର ଖୁବ୍‍ ଘନିଷ୍ଠତା ଜନ୍ମିଅଛି ।

 

ମୁଁ ଲିଓଲେନଙ୍କୁ ଦେଖି ଉଠି ବସିଲି । ସେ କହିଲେ, ‘‘ମେରି, ମୁଁ ଯେବେ ଏପରି ଅବସ୍ଥାରେ ପଡ଼ିଥାନ୍ତି, ତେବେ ତୁମ ପରି ନ କାନ୍ଦି ନିଜର ମନୁଷ୍ୟତ୍ୱ ଦେଖାଇଥାନ୍ତି ।’’

 

ମୁଁ କହିଲି, ‘‘ଲିଓନେଲ, ତୁମେ ମୋର କ୍ରନ୍ଦନର କାରଣ ଜାଣ ନାହିଁ । ତୁମେ ଜାଣ ନାହିଁ, ଆଜି ମୁଁ କି ଲଜ୍ଜାଜନକ ସମ୍ବାଦ ପାଇଛି ।’’

 

ସେ କହିଲେ, ‘‘ହଁ, ମୁଁ ଶୁଣିଛି । ସହରର ପ୍ରତ୍ୟେକେ ଏକଥା ଜାଣନ୍ତି । ମୁଁ ଯେତେବେଳେ ଏଠାକୁ ଆସୁଥିଲି, ଚାର୍ଲଟ ମତେ ସବୁ କଥା କହିଲା । କିନ୍ତୁ ମେରି, ତୁମର ଏ କ୍ରନ୍ଦନରେ କୌଣସି ଫଳ ହେବ ନାହିଁ ।’’

 

ମୁଁ ଅତି ଦୁଃଖରେ କହିଲି, ‘‘ଲିଓନେଲ, ମୁଁ ମାଙ୍କ ସାଙ୍ଗରେ ଚାଲି ନ ଗଲି କାହିଁକି ?’’

 

ଲିଓନେଲ କହିଲେ, ‘‘ମେରି, ତୁମେ ପାଗଳ ପରି ଏ କଣଗୁଡ଼ିଏ କହୁଛ ?’’

 

ମୁଁ କହିଲି, ‘‘ତୁମେ ମୋର ମନର ଅବସ୍ଥା ବୁଝିପାରିବ ନାହିଁ । ଲୁଇଜା ତୁମର ଭଗିନୀ; ସୁତରାଂ ତୁମେ ଏ ବିବାହରେ କୌଣସି ଦୋଷ ଦେଖିପାରିବ ନାହିଁ, ବରଂ ଏ ବିବାହକୁ ତୁମେ ଭଲ ବୋଲି ମନେ କରୁଛ ।’’

 

ମୋ କଥା ଶୁଣି ଲିଓନେଲ ଟିକିଏ ହସିଲେ ଏବଂ ନାନା କଥା କହି ମତେ ଶାନ୍ତ କରିବାକୁ ଚେଷ୍ଟା କଲେ ।

 

କିଛିଦିନ ପରେ ସେମାନେ ଗୃହକୁ ଫେରିଲେ । ମୁଁ ନିଜକୁ ଶାନ୍ତ କରିବାକୁ ଯଥେଷ୍ଟ ଚେଷ୍ଟା କଲି । ପୂର୍ବେ ଯେପରି ମୁଁ ପିତାଙ୍କୁ ସାଦରରେ ଅଭ୍ୟର୍ଥନା କରୁଥିଲି, ବର୍ତ୍ତମାନ ତାହା ପାରିଲି ନାହିଁ । ସନ୍ତାନର ପିତା ପ୍ରତି ଯେଉଁ ଭକ୍ତି, ଶ୍ରଦ୍ଧା, ତାହା ମୋ ହୃଦୟରୁ ପ୍ରାୟ ଲୋପ ପାଇଥିଲା । ପିତା ମୋର ଏ ପରିବର୍ତ୍ତନ ବୁଝି ପାରିଲେ; କିନ୍ତୁ କିଛି ନ କହି ବୁଲିବାକୁ ବାହାରିଗଲେ-। ମୁଁ ଶ୍ରୀମତୀ ଡିକ୍‍ସନଙ୍କ ସଙ୍ଗରେ ଭଲକରି ମିଶି ପାରିଲି ନାହିଁ, କିନ୍ତୁ ତାଙ୍କ ପ୍ରତି କିଛିମାତ୍ର ଅଶିଷ୍ଟ ବ୍ୟବହାର କରି ନ ଥିଲି । ମାତ୍ର ଯେତେବେଳେ ସେ ଉପରକୁ ଯାଇ ମୋ ମାଙ୍କ ଶୟନକକ୍ଷ ଅଧିକାର କଲେ, ସେତେବେଳେ ଆଉ ମୋ ମନ କୌଣସି ବାଧା ମାନିଲା ନାହିଁ । ମୁଁ ମୋର ଶୟନଗୃହକୁ ଦୌଡ଼ି ଗଲି, ଗଭୀର ଦୁଃଖରେ ଚିତ୍କାର କରି କ୍ରନ୍ଦନ କରିଉଠିଲି ।

 

କିଛିକ୍ଷଣ ପରେ ପିତା ଲିଓନେଲଙ୍କୁ ସାଙ୍ଗରେ ଘେନି ଫେରି ଆସିଲେ । ଲିଓନେଲ ସହାସ୍ୟ ବଦନରେ ସମସ୍ତଙ୍କ ସଙ୍ଗରେ କଥା କହିବାକୁ ଲାଗିଲେ । କ୍ରମେ ରାତ୍ରି ଭୋଜନର ସମୟ ହେଲା । ସମସ୍ତେ ଉଠି ଭୋଜନାଗାରକୁ ଗଲୁଁ । ମାତାଙ୍କ ମୃତ୍ୟୁ ପରେ ମୁଁ ସର୍ବଦା ପିତାଙ୍କ ନିକଟରେ ବସି ଖାଏ, ଆଜି ମଧ୍ୟ ଅଭ୍ୟାସାନୁଯାୟୀ ମୁଁ ଯାଇ ମୋ ସ୍ଥାନ ଅଧିକାର କଲି । ଶ୍ରୀମତୀ ଡିକ୍‍ସନଙ୍କୁ ଅପମାନ କରିବା ମୋର ଅଭିପ୍ରାୟ ନ ଥିଲା କିମ୍ବା ମୋ ମନରେ ଅନ୍ୟ କୌଣସି ଅଭିସନ୍ଧି ନ ଥିଲା । ମୁଁ ବସି ସମସ୍ତଙ୍କ ପାଇଁ ଅପେକ୍ଷା କରୁଅଛି, ଏପରି ସମୟରେ ଦେଖିଲି, ଶ୍ରୀମତୀ ଡିକ୍‍ସନ ସେ ସ୍ଥାନରେ ବସିବାପାଇଁ ମୋ ପାଖରେ ଛିଡ଼ା ହୋଇ ଅପେକ୍ଷା କରୁଅଛନ୍ତି । ଚାର୍ଲଟ ଆସି ମତେ କହିଲା, ‘‘ମିଶି ବାବା ! ତୁମର ସ୍ଥାନ ଆଜି ଏଠାରେ ନୁହେଁ ।’’

 

ମୁଁ ତତ୍‍କ୍ଷଣାତ ସେ ଆସନ ତ୍ୟାଗ କରି ଉଠିଲି ଏବଂ ଯେଉଁଠାରେ ଶ୍ରୀମତୀ ଡିକ୍‍ସନ ଆଗେ ବସୁଥିଲେ, ସେଠାରେ ବସିଲି । ମୁଁ ଯଦି କୌଣସି ଅପରାଧ କରିଥାନ୍ତି, ତେବେ ସୁଦ୍ଧା ନିଜକୁ ଏତେ କ୍ଷୁବ୍ଧ ଓ ଲଜ୍ଜିତ ମନେ କରି ନ ଥାନ୍ତି । କିଛିଦିନ ପର୍ଯ୍ୟନ୍ତ ଗୃହରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଶ୍ରୀମତୀ ଡିକ୍‍ସନ ବେଶ୍‍ ଭଲ ରକମ ଚାତୁରୀ ଖେଳି ଜାଣନ୍ତି । ସୁତରାଂ ଆସ୍ତେ ଆସ୍ତେ ସେ ତାଙ୍କର ନିଜ ରୂପ ଧରିବାକୁ ଲାଗିଲେ । ସେ ପର୍ଯ୍ୟନ୍ତ ମୋର ଇଚ୍ଛାନୁଯାୟୀ କାର୍ଯ୍ୟ ହୋଇଆସୁଥିଲା । ଇତ୍ୟବସରରେ ସେ ପିତାଙ୍କୁ ଭୁଲାଇବାକୁ ଚେଷ୍ଟା କରୁଥିଲେ । ତାଙ୍କର ଇଚ୍ଛା ଯେପରି ଆଗ ପୂର୍ଣ୍ଣ ହେବ, ପରେ ମୋ କଥା, ଏହାହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଲା ।

 

ଶୀଘ୍ର ଆମ ଘରେ ପରିବର୍ତ୍ତନ ଆସିଲା । ସେ ପରିବର୍ତ୍ତନ ଆସିବା ପୂର୍ବରୁ ଲିଓନେଲ ବିଦେଶକୁ ଚାଲିଗଲେ । ଲିଓନେଲ ପିତାଙ୍କର ଏକମାତ୍ର ସନ୍ତାନ । ତାଙ୍କ ପିତା ଅତ୍ୟନ୍ତ ଅହଙ୍କାରୀ, ସୁତରାଂ ସମସ୍ତେ ମନେ କରିଥିଲେ, ଲିଓନେଲ ମଧ୍ୟ ଅହଙ୍କାରୀ ହେବେ । ‘ରୁପର୍ଟ’ ବଂଶର କେହି କେବେ ବ୍ୟବସାୟ ବାଣିଜ୍ୟ କିମ୍ବା ଚାକିରି କରି ନାହାନ୍ତି । ଅବସ୍ଥା ଯେତେ ମନ୍ଦ ହେଉ ପଛକେ ବଂଶମର୍ଯ୍ୟାଦା ରଖିବାପାଇଁ ଅନ୍ତତଃ ସେମାନେ ଚାକିରି କରୁ ନ ଥିଲେ । ଲିଓନେଲ ଶିକ୍ଷିତ ହେଲେ ମଧ୍ୟ ପିତୃ-ଅଭିମାନ ଏବଂ ବଂଶମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ସେ ତାଙ୍କର ଶିକ୍ଷାକୁ କୌଣସି କାର୍ଯ୍ୟରେ ଲଗାଇ ପାରୁ ନ ଥିଲେ । ଇତି ମଧ୍ୟରେ ପିତାଙ୍କର ମୃତ୍ୟୁ ହେଲା । ଲିଓନେଲ ବର୍ତ୍ତମାନ ମୁକ୍ତ । ସେ ନିଜ ଅବସ୍ଥାରେ ପରିବର୍ତ୍ତନ ପ୍ରତି ମନ ଦେଲେ ।

 

ବିଦେଶ ଯାତ୍ରା ସ୍ଥିର ହେବା ପରେ ଲିଓନେଲ ଆମ୍ଭମାନଙ୍କ ନିକଟରୁ ବିଦାୟ ନେବାକୁ ଆସିଲେ । ପିତା ଏବଂ ଶ୍ରୀମତୀ ଡିକ୍‍ସନ ବୁଲିବାକୁ ଯାଉଥିଲେ । ଶ୍ରୀମତୀ ଡିକ୍‍ସନ ତାଙ୍କୁ ଦେଖି କହିଲେ, ‘‘ଲିଓନେଲ, ତୁମେ କାହିଁକି ବିଦେଶକୁ ଯାଉଛ, ମୁଁ କିଛି ବୁଝି ପାରୁନାହିଁ, ନିଶ୍ଚୟ ତୁମେ ଆମ ବଂଶର ଅମର୍ଯ୍ୟାଦା କରିବ ନାହିଁ ?’’

 

ଲିଓନେଲ କହିଲେ, ‘‘ନା, ନା, ମୁଁ ବଂଶର ମର୍ଯ୍ୟାଦା ରଖିବାକୁ ଖୁବ୍‍ ଚେଷ୍ଟା କରିବି ।’’

 

ଶ୍ରୀମତୀ ଡିକ୍‍ସନ କହିଲେ, ‘‘ତୁମେ ଚାକିରି କରିବା ନାହିଁ କିମ୍ବା ଅନ୍ୟ କୌଣସି ଉପାୟରେ ଅର୍ଥ ଉପାର୍ଜନ କରିବା ନାହିଁ । ତାହାହେଲେ ‘ରୁପର୍ଟ’ ବଂଶର ଲଜ୍ଜାର ଆଉ ସୀମା ରହିବ ନାହିଁ ।’’ଏହି କଥା କହି ଶ୍ରୀମତୀ ଚାଲିଗଲେ ।

 

ଲିଓନେଲ ଘର ଭିତରକୁ ଆସି ମତେ କହିଲେ, ‘‘ମେରି, ତୁମକୁ ମୋର ଗୋଟିଏ କଥା କହିବାକୁ ଅଛି । ସେ କଥାଟି ଏଇକ୍ଷଣି ତୁମକୁ କହିବି । କାରଣ ପୁଣି କେବେ ଆମମାନଙ୍କର ସାକ୍ଷାତ ହେବ, ତାହା କୁହା ଯାଇ ନ ପାରେ । ମୁଁ ପ୍ରଚୁର ଅର୍ଥ ଉପାର୍ଜନ ନ କରି ଏଠାକୁ ଫେରିବି ନାହିଁ । ଜାଣେ ନାହିଁ; ମୁଁ କେତେଦୂର ସଫଳ ହେବି ।’’

 

ମୁଁ ବିସ୍ମିତ ହୋଇ କହିଲି, ‘‘ଲିଓନେଲ, ତୁମେ ଏହିକ୍ଷଣି ଶ୍ରୀମତୀ ଡିକ୍‍ସନଙ୍କୁ କହୁଥିଲ, ତୁମେ ଅର୍ଥ ଉପାର୍ଜନ କରିବ ନାହିଁ ?’’

 

ଲିଓନେଲ ଟିକିଏ ହସିଲେ; କିନ୍ତୁ ପରକ୍ଷଣରେ ଗମ୍ଭୀର ହୋଇ କହିଲେ, ‘‘ନା, ମୁଁ ମୋର ଉଚ୍ଚ ବଂଶର କୌଣସି ଅମର୍ଯ୍ୟାଦା କରିବି ନାହିଁ । କିନ୍ତୁ ସେମାନଙ୍କ ମତ, ମୋ ମତ ସମ୍ପୂର୍ଣ୍ଣ ଭିନ । କାର୍ଷ୍ୟ କରିବାକୁ ସେମାନେ ଅପମାନ ବୋଲି ମନେ କରୁଛନ୍ତି । କିନ୍ତୁ ମୋର ମନେ ହୁଏ, ଏତେ ଶିକ୍ଷା ପାଇଁ ନିଜକୁ କୌଣସି କାର୍ଯ୍ୟରେ ନ ଲଗାଇ ଅଳସ ହୋଇ ବସିରହିବା ଶିକ୍ଷାର ଅବମାନନା ଛଡ଼ା ଆଉ କିଛି ନୁହେଁ । ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ‘ରୂପର୍ଟ’ ବଂଶର ଅଧିକାଂଶ ଲୋକଙ୍କ ଅବସ୍ଥା କଣ ହେଲାଣି, ତାହା ତ ଦେଖିପାରୁଛ । ଶକ୍ତି ଥାଉଁ ଥାଉଁ ମୁଁ ସେମାନଙ୍କ ଭିତରେ ଜଣେ ହୋଇ ରହିପାରିବି ନାହିଁ ।’’

 

ମୁଁ କହିଲି, ‘‘ସେମାନେ ତୁମକୁ କହିବେ ?’’

 

ଲିଓନେଲ କହିଲେ, ‘‘କେହି କିଛି କହିବେ ନାହିଁ । ମୁଁ ସେମାନଙ୍କଠାରୁ ଅନେକ ଦୂରରେ ଥିବି, ସେମାନେ ମୋର ସମ୍ବାଦ ମଧ୍ୟ ନେବେ ନାହିଁ । ହଁ, ମୁଁ କହୁଥିଲି, ତୁମକୁ ମୋର ଗୋଟିଏ କଥା କହିବାର ଅଛି । ମୁଁ ଭାବୁଛି, ଯେତେବେଳେ ମୋର ପ୍ରଚୁର ଅର୍ଥ ହେବ—ସୌଭାଗ୍ୟ ଦିନ ଆସିବ, ସେତେବେଳେ ମୋର ତ ଜଣେ ସଙ୍ଗିନୀରେ ପ୍ରୟୋଜନ ହେବ; ଆଉ ମୁଁ ସ୍ଥିର କରିଛି, ମେରୀ ଡିକ୍‍ସନ ଛଡ଼ା ଅନ୍ୟ କାହାକୁ ସେ ଅଧିକାର ଦେବି ନାହିଁ ।’’

 

ମୁଁ ତାଙ୍କ କଥାର କୌଣସି ଉତ୍ତର ଦେଇପାରିଲି ନାହିଁ, ମୋର ଅନ୍ତର ପୂର୍ଣ୍ଣ ହୋଇଗଲା, ସର୍ବାଙ୍ଗରେ ଗୋଟାଏ ପୁଲକ ଖେଳିଗଲା । ମୋର ଆକାର ପ୍ରକାରରୁ ସମ୍ମତି ଜାଣି ପାରି ଲିଓନେଲ ସସ୍ନେହରେ ମୋ ହସ୍ତ ଧରି କହିଲେ, ‘‘ଈଶ୍ଵର ତୁମକୁ ଆଶୀର୍ବାଦ କରନ୍ତୁ ।’’

 

ଏତିକି କହି ସେ ଚାଲିଗଲେ ।

 

ଲିଓନେଲ ଚାଲିଯିବା ପରେ ଆମ ଘରେ ଅନେକ ପରିବର୍ତ୍ତନ ହୋଇଗଲା । ଲୁଇଜାର ମାଙ୍କର ମୃତ୍ୟୁ ହେଲା, ତାହାର ଯେ ଆଉ ଗୋଟିଏ ଭଗିନୀ ଥିଲା, ତାହାର ନାମ ଲୁସି । ସେ ଆସି ଆମ ଘରେ ବାସ କଲା । ମୋର କୌଣସି ପ୍ରକାର ଅନିଷ୍ଟ କରିବା ତା ଜୀବନର ପ୍ରଧାନ ଉଦ୍ଦେଶ୍ୟ ହୋଇଉଠିଲା । ଶ୍ରୀମତୀ ଡିକ୍‍ସନ ଓ ଲୁସି ମତେ ଆଦୌ ଗ୍ରାହ୍ୟ କରୁ ନ ଥିଲେ । ମୋର ନିଜର କୌଣସି ଇଚ୍ଛା ରହିଲା ନାହିଁ । ଶ୍ରୀମତୀ ଡିକ୍‍ସନ ସଦାବେଳେ ପିତାଙ୍କ ନିକଟରେ ମୋ ବିରୁଦ୍ଧରେ ଅନେକ କଥା କହିଥାନ୍ତି । କ୍ରମେ ପିତା ମଧ୍ୟ ମୋ ପ୍ରତି ବିରକ୍ତ ହୋଇ ଉଠିଲେ; ଘରେ ଯାହା କିଛି ହେଉଥିଲା, ସମସ୍ତ ଦୋଷ ମୋର ବୋଲି ସ୍ଥିର ହେଉଥିଲା । ପୁରୁଣା ଦାସ ଦାସୀମାନଙ୍କ ତାଡ଼ି ଦେଇ ଶ୍ରୀମତୀ ଡିକ୍‍ସନ ନୂଆ ଲୋକ ରଖିଲେ ଏବଂ ତାଙ୍କର କର୍ତ୍ତୀ ହୋଇ ବସିଲେ । ପୁରୁଣା ଭିତରେ ଚାର୍ଲଟ ରହିଲା । ପୂର୍ବେ ଆମେମାନେ ଯେପରି ଭାବରେ ବାସ କରିଥିଲୁ, ବ୍ୟୟ ବେଶି ହେଉଅଛି ବୋଲି ଶ୍ରୀମତୀ ଡିକ୍‍ସନ ତାହା ପରିବର୍ତ୍ତନ କରିଦେଲେ । ଶ୍ରୀମତୀ ଡିକ୍‍ସନଙ୍କର ତିନୋଟି ସନ୍ତାନ ହେଲେଣି, ସେମାନଙ୍କ ପାଇଁ ନୂଆ ଚାକର ରହିଲେ । ପୂର୍ବେ ଯେପରି ପୋଷାକ ପିନ୍ଧୁଥିଲି, ତାହା ଆଉ ମତେ ଦିଆଗଲା ନାହିଁ । ଚାକରମାନେ ଅତିରିକ୍ତ କାର୍ଯ୍ୟ ଯୋଗୁଁ ସର୍ବଦା ବ୍ୟସ୍ତ ହୋଇପଡ଼ିଲେ ।

 

ଓଃ ! ମୋ ପକ୍ଷରେ କି ଅଶାନ୍ତିପୂର୍ଣ୍ଣ ଜୀବନ ! ଯେଉଁଠାରେ ପୂର୍ବେ ସର୍ବଦା ଶାନ୍ତି ବିରାଜିତ ଥିଲା, ଆଜି ସେଠାରେ ଏ କି ଅଶାନ୍ତି ! କୌଣସି ଆମୋଦ ପ୍ରମୋଦରେ ମତେ ସମସ୍ତ ବାଦ ଦେଉଥିଲେ । ସମସ୍ତ କ୍ଷଣ ମତେ ଶ୍ରୀମତୀଙ୍କୁ ପିଲାମାନଙ୍କ ତତ୍ତ୍ଵଧାନରେ ରହିବାକୁ ହେଉଥିଲା । ସୁତରାଂ କାହାରି ସାଙ୍ଗରେ ଦେଖା କରିବା ମୋ ପକ୍ଷରେ ଅସମ୍ଭବ ହୋଇ ଉଠିଲା । ଚାର୍ଲଟ ଛଡ଼ା ଆଉ କେହି ମୋ ପ୍ରତି ଯତ୍ନ କରୁ ନ ଥିଲେ କିମ୍ବା ମତେ ପଦେ ମିଷ୍ଟ କଥା କହୁ ନ ଥିଲେ । ହୃଦୟ ମୋର ଭାଙ୍ଗି ଯାଇଥିଲା, କୋଡ଼ିଏ ବର୍ଷ ମାତ୍ର ବୟସରେ ମୁଁ ଜୀବନର ସମସ୍ତ ମାୟା ତ୍ୟାଗ କଲି ।

 

ଲିଓନେଲ ଯିବା ଦିନଠାରୁ ଏପର୍ଯ୍ୟନ୍ତ ମୁଁ ତାଙ୍କର କୌଣସି ସମ୍ବାଦ ପାଇଁ ନାହିଁ । ସେ ଯିବା ସମୟରେ ଯେଉଁ ଆଶାର ବାଣୀ ମୋତେ ଶୁଣାଇ ଯାଇଥିଲେ, ତାହାର ଆଉ ଉଲ୍ଲେଖ ମଧ୍ୟ କଲେ ନାହିଁ । ସେ ସମସ୍ତ କେବଳ ଛଳନା ଓ ମିଥ୍ୟ ଭାବି ମୁଁ ମଧ୍ୟ ସେ ସୁଖର କଳ୍ପନା ତ୍ୟାଗ କଲି-। ଲିଓନେଲ ଲଣ୍ଡନକୁ ଯିବାର କିଛିଦିନ ପରେ ଶୁଣାଗଲା ଯେ, ସେ ଗୋଟିଏ ଚାକିରି ଗ୍ରହଣ କରିଅଛନ୍ତି । ଏ କଥା ଶୁଣି ଶ୍ରୀମତୀ ଡିକ୍‍ସନ ଏବଂ ଅନ୍ୟାନ୍ୟ ସମସ୍ତ ଅତ୍ୟନ୍ତ ବିରକ୍ତ ହୋଇ ତାଙ୍କ ସହିତ ଆଉ କୌଣସି ସମ୍ପର୍କ ରଖିଲେ ନାହିଁ । କିଛିକାଳ ପରେ ହଠାତ୍‍ ରୁଷିଆ ସଙ୍ଗରେ ଇଂଲଣ୍ଡର ଯୁଦ୍ଧ ହେଲା ଏବଂ ଆମେମାନେ ଶୁଣିଲୁଣ, ଲିଓନେଲ ଯୁଦ୍ଧକ୍ଷେତ୍ରରେ ଅବତରଣ କରିଅଛନ୍ତି-

 

ଏହି ସମୟରେ ‘ରୁପର୍ଟ’ ପ୍ରାସାଦର ଅଧିକାରୀଙ୍କର ମୃତ୍ୟୁ ହେଲା ଏବଂ ତାଙ୍କ ଜ୍ୟେଷ୍ଠ ପୁତ୍ର ସମ୍ପତ୍ତିର ଅଧିକାରୀ ହେଲେ । କନିଷ୍ଠ ଚାର୍ଲସ ଯୁଦ୍ଧକ୍ଷେତ୍ରରେ ଥିଲେ ।

 

ଦିନେ ଆମେମାନେ ସମସ୍ତେ ବସିଅଛୁ, ଏପରି ସମୟରେ ଶ୍ରୀମତୀ ଡିକ୍‍ସନଙ୍କର କୌଣସି ଜଣେ ଆତ୍ମୀୟ ହଠାତ୍ ଆସି ପହଁଚିଲେ । ତାଙ୍କୁ ଦେଖି ସମସ୍ତେ ଖୁସି ହେଲେ । ମାତ୍ର ସେ ଗମ୍ଭୀରଭାବରେ କହିଲେ, ‘‘ମୁଁ ତୁମମାନଙ୍କୁ ଅତ୍ୟନ୍ତ ଦୁଃଖର ସମ୍ବାଦ ଦେବାକୁ ଆସିଅଛି, ଦିଓଟି ମୃତ୍ୟୁ ସମ୍ବାଦ ଆଜି ମୁଁ ତୁମମାନଙ୍କୁ ଦେବି ।’’

 

ତାଙ୍କ କଥା ଶୁଣି ସମସ୍ତେ ଅବାକ ହୋଇଗଲେ । ଆଗନ୍ତୁକ କହିଲେ, ‘‘ରୁପର୍ଟ ପ୍ରାସାଦର ଅଧିକାରୀଙ୍କର ଆଜି ମୃତ୍ୟୁ ହୋଇଅଛି ।’’

 

ପିତା କହିଲେ, ‘‘କି ଆଶ୍ଚର୍ଯ୍ୟ ! ଏପରି ହଠାତ୍ ମୃତ୍ୟୁର କାରଣ କଣ ?’’

 

ଆଗନ୍ତୁକ—‘‘ତାଙ୍କର ପୂର୍ବରୁ ହୃଦରୋଗ ଥିଲା, ଖୁବ୍‍ ସମ୍ଭବ, ତାହାହିଁ ତାଙ୍କର ମୃତ୍ୟୁର କାରଣ ।’’

 

ଲୁସି—‘‘ହଁ, ମୁଁ ଅଳ୍ପଦିନ ପୂର୍ବେ ଯେତେବେଳେ ତାଙ୍କୁ ଦେଖିଥିଲି, ସେତେବେଳେ ସେ ଅସୁସ୍ଥ ବୋଲି ମନେ ହେଉଥିଲେ ।’’

 

ଆଗନ୍ତୁକ—‘‘ବର୍ତ୍ତମାନ ଆହୁରି ଗୋଟିଏ ମୃତ୍ୟୁ ସମ୍ବାଦ ଶୁଣ । ଚାର୍ଲସ ମଧ୍ୟ ମୃତ । ଯୁଦ୍ଧରେ ଗୋଟିଏ ଗୋଲାର ଆଘାତରେ ତାଙ୍କର ମୃତ୍ୟୁ ହୋଇଅଛି । ଆଜି ସେ ସମ୍ବାଦ ଆସିଲା । ସେହି ସମ୍ବାଦ ପାଠ କରୁ କରୁ ଭାଇ ହଠାତ୍ ଢାଳି ପଡ଼ିଲେ ।’’

 

ଆମେମାନେ ପ୍ରତ୍ୟେକେ ଏ ସମ୍ବାଦ ଶୁଣି ସ୍ତମ୍ଭିତ ହୋଇଗଲୁ । କିଛିକ୍ଷଣ ଏହି ବିଷୟରେ କଥାବାର୍ତ୍ତା ହେବା ପରେ ପିତା କହିଲେ, ‘‘ବର୍ତ୍ତମାନ ତାହାହେଲେ ‘ରୂପର୍ଟ’ ପ୍ରାସାଦର ଅଧିକାରୀ କିଏ ହେବ ?’’

 

ଆଗନ୍ତୁକ—‘‘କାହିଁକି, ଲିଓନେଲ ତ ଅଛି ?’’

 

ମୁଁ କହି ପକାଇଲି—‘‘ଲିଓନେଲ ? ଏହା କି ସମ୍ଭବ ?’’

 

ଆଗନ୍ତୁକ—‘‘ହଁ ମେରି, ଲିଓନେଲ ବର୍ତ୍ତମାନ ପ୍ରକୃତ ଅଧିକାରୀ ।’’

 

ଏହି ସମୟରେ ଶ୍ରୀମତୀ ଡିକ୍‍ସନ ଚିତ୍କାର କରି କହି ଉଠିଲେ, ‘‘ମେରି, ତୁମେ ନିଜର କାର୍ଯ୍ୟରେ ମନ ଦିଅ । କିଏ ଅଧିକାରୀ ହେଲା ନ ହେଲା, ସେଥିରେ ତୁମର କି ପ୍ରୟୋଜନ ? ସେମାନେ ତ ତୁମର ଆତ୍ମୀୟ ନୁହନ୍ତି ?’’

 

ଲିଓନେଲ ସମ୍ବନ୍ଧରେ ଯେଉଁ କ୍ଷୀଣ ଆଶା ମୋ ମନରେ ଥିଲା, ତାହା ସେହି ମୁହୂର୍ତ୍ତରେ ଲୋପ ପାଇଲା ।

 

କିଛିଦିନ ପର୍ଯ୍ୟନ୍ତ ‘ରୂପର୍ଟ’ ପ୍ରାସାଦ ବନ୍ଦ ରହିଲା । ଲିଓନେଲ କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁ ଆସି ପାରିଲେ ନାହିଁ । କ୍ରମେ ସମ୍ବାଦ ଆସିଲା, ସେ ଶୀଘ୍ର ଆସୁଅଛନ୍ତି । ଲିଓନେଲଙ୍କ ପ୍ରତ୍ୟାଗମନ ସମ୍ବାଦ ପାଇବା ମାତ୍ରକେ ସମସ୍ତେ ଅତ୍ୟନ୍ତ ଖୁସି ହେଲେ । ତାଙ୍କୁ ସମସ୍ତେ ସ୍ନେହ କରୁଥିଲେ । ତାଙ୍କଠାରେ ଅହଙ୍କାର ଲେଶ ମାତ୍ର ନ ଥିଲା ।

 

ଶ୍ରୀମତୀ ଡିକ୍‍ସନ ଓ ଲୁସି ଦୁହେଁ ସ୍ଥିର କଲେ, ଲିଓନେଲ ଫେରି ଆସିଲେ ‘ରୁପର୍ଟ’ ପ୍ରାସାଦରେ ଗୋଟିଏ ଉତ୍ସବ ହେବ । ସେଠାରେ ସମସ୍ତେ ମିଳି ଆମୋଦ ପ୍ରମୋଦ କରିବେ । ପିତା ଏଥିରେ ମତ ଦେଲେ ନାହିଁ, କାରଣ ସମ୍ପ୍ରତି ଦିଓଟି ଶୋଚନୀୟ ମୃତ୍ୟୁ ଘଟିଅଛି । ତାଙ୍କ ମତରେ ଏତେ ଶୀଘ୍ର ଏପରି ଆମୋଦ ପ୍ରମୋଦ ଉଚିତ ନୁହେଁ । କିନ୍ତୁ ତାଙ୍କ କଥା ସେମାନେ ଗ୍ରାହ୍ୟ କଲେ ନାହିଁ, ମହା ଉତ୍ସାହରେ ଦୁହେଁ କାର୍ଯ୍ୟରେ ଲାଗିଗଲେ ।

 

ଶ୍ରୀମତୀ ଡିକ୍‍ସନଙ୍କ ଜ୍ୟେଷ୍ଠା ଭଗିନୀର ଗୋଟିଏ କନ୍ୟା ଥିଲା । ସେ ଦେଖିବାକୁ ଖୁବ୍‍ ସୁନ୍ଦରୀ, ତାହାର ନାମ କେଟୀ । ଶ୍ରୀମତୀ ଓ ଲୁସି ଦୁହେଁ ପରାମର୍ଶ କରି ତାକୁ ଅଣାଇଲେ । ଚାଲର୍ସ ଆସି ମତେ ସମ୍ବାଦ ଦେଲା, ଲିଓନେଲ ସଙ୍ଗରେ କେଟୀର ବିବାହ ଦେବା ଉଦ୍ଦେଶ୍ୟରେ ଶ୍ରୀମତୀ ତାକୁ ଆଣିଅଛନ୍ତି । ଆହୁରି ମଧ୍ୟ କହିଲା, ସେ ଉତ୍ସାବକୁ ମତେ ଯିବାକୁ ଦେବେ ନାହିଁ । ମୁଁ ଏ କଥା ଶୁଣି ପ୍ରଥମେ ବିଶ୍ୱାସ କରିପାରିଲି ନାହିଁ । କିନ୍ତୁ ବିଶ୍ୱାସ କରିବାକୁ ହେଲା । ମୋ ଭାଗ୍ୟରେ ତ ଏହା ନୂତନ ନୁହେଁ, ସମସ୍ତ ଆମୋଦ ପ୍ରମୋଦର ଦ୍ୱାର ମୋ ପାଇଁ ରୁଦ୍ଧ । କିନ୍ତୁ ଏଥର ମୁଁ ସହ୍ୟ କରିପାରିଲି ନାହିଁ, ମୋର ଅନ୍ତର ବିଦ୍ରୋହୀ ହୋଇଉଠିଲା । ପ୍ରତିଜ୍ଞା କଲି, ମୁଁ ଯେକୌଣସି ମତେ ଯିବି । ଏ ଇଚ୍ଛା ଲିଓନେଲଙ୍କୁ ଦେଖିବାପାଇଁ ନୁହେଁ । ମୋ ମନରେ କୌଣସି ଆଶା ନାହିଁ । ଲିଓନେଲ ହୁଏ ତ ମତେ ଚିହ୍ନି ପାରିବେ ନାହିଁ, କିନ୍ତୁ ତଥାପି ମୁଁ ଯିବି । ମତେ ଏପରି ଭାବରେ ବଞ୍ଚିତ କରିବାର ତାଙ୍କର କୌଣସି ଅଧିକାର ନାହିଁ ।

 

ଏ କଥା ଶୁଣିବାର ପରଦିନ ମୁଁ ପିତାଙ୍କ ନିକଟକୁ ଗଲି । ତାଙ୍କୁ ଗୋଟିଏ କକ୍ଷରେ ଏକାକୀ ପାଇଁ ମୁଁ କହିଲି, ‘‘ବାବା, ମୁଁ ଶୁଣୁଛି, ଅଭ୍ୟର୍ଥନା ସଭାକୁ ମୋର ଯିବା ନିଷେଧ ?’’ ପିତା କହିଲେ, ‘‘ମୁଁ ତ ଜାଣେ ନାହିଁ, କାହିଁକି ତୁମେ ନ ଯିବ ?’’ ମୁଁ କହିଲି, ‘‘ମୁଁ ସେହି କଥା ତୁମକୁ ପଚାରିବାକୁ ଆସିଛି । ମୁଁ ନ ଯିବି କାହିଁକି ! ଶ୍ରୀମତୀ ଡିକ୍‍ସନ କହିଛନ୍ତି, ମତେ ଯିବାକୁ ଦେବେ ନାହିଁ ।’’

 

ପିତା କହିଲେ, ‘‘ଯଦି ସେ ନାହିଁ କରିଅଛନ୍ତି, ତେବେ ତୁମର ଯିବା ଉଚିତ ନୁହେଁ ।’’

 

ମୁଁ ଉତ୍ତେଜିତ ହୋଇ କହିଲି, ‘‘ପିତା, ତୁମର ମନେ ଅଛି ସେ ଦିନର କଥା—ମାଙ୍କ ମୃତ୍ୟୁ ଦିନ କଥା ? ତୁମେ ଆଉ ମୁଁ ଦୁହେଁ ଏହି ଘରେ ବସି ବ୍ୟାକୁଳ ହୋଇ କାନ୍ଦୁଥିଲୁ ! ତୁମେ ମାଙ୍କୁ ସମାଧି ଦେଇ ଆସି ଆବେଗରେ ମତେ କ୍ରୋଡ଼କୁ ନେଇ କହିଥିଲ, ‘ମେରି, ଆଜିଠାରୁ ତୁମେ ମୋର ସର୍ବସ୍ଵ ।’ ସେ କଥା ତୁମେ ରକ୍ଷା କରିଛ ?’’

 

ପିତା ଟିକିଏ ବିସ୍ମିତ ହୋଇ କହିଲେ, ‘‘ମେରି ତୁମର କଣ ହୋଇଛି ?’’

 

ମୁଁ କହିଲି, ‘‘ବାବା, ତୁମ ହାତରେ ମୁଁ ସବୁ କଷ୍ଟ ସହିପାରେ, ଅନେକ ମଧ୍ୟ ସହିଛି । କିନ୍ତୁ ଯାହାକୁ ତୁମେ ମୋର ମା’ଙ୍କ ସ୍ଥାନରେ ବସାଇଛ, ତାଙ୍କଠାରୁ ଏ ଭୀଷଣ ଯନ୍ତ୍ରଣା—’’

 

ମୋର କଣ୍ଠରୋଧ ହେଲା, ଆଉ କଥା କହି ପାରିଲି ନାହିଁ ।

 

ପିତା କହିଲେ, ‘‘ମେରି, ତୁମ ମନର କଥା କଣ ମତେ କହ ।’’

 

ମୁଁ କହିଲି, ‘‘ମୁଁ ଅତୀତ କଥା କିଛି କହୁ ନାହିଁ, କିନ୍ତୁ ଏହି ଉପସ୍ଥିତ କଥା ତୁମେ ଭାବି ଦେଖ । ମୋ ଛଡ଼ା ପ୍ରତ୍ୟେକେ ଏହି ଉତ୍ସବକୁ ଯାଉଛନ୍ତି । ଶ୍ରୀମତୀ ଡିକ୍‍ସନ କେତେ ଦୂରରୁ ତାଙ୍କ ଭଗିନୀର କନ୍ୟାକୁ ଅଣାଇଛନ୍ତି; କିନ୍ତୁ ମୁଁ ଏଠାରେ ଥାଇ ସୁଦ୍ଧା ଯାଇ ପାରିବି ନାହିଁ ।’’

 

ପିତା କିଛିକ୍ଷଣ ଭାବି କହିଲେ, ‘‘ମୋର ମନେ ହେଉଛି, ତୁମର ଯିବା ଉଚିତ । ନିଶ୍ଚୟ ତୁମେ ଯିବ । କିଛିକ୍ଷଣ ପାଇଁ ପିଲାମାନେ ଚାକର ଚାକରାଣୀମାନଙ୍କ ପାଖରେ ରହି ପାରିବେ ।’’

 

ଠିକ୍‍ ଏହି ସମୟରେ ଚାର୍ଲଟ ପାଖ ଘରୁ ବାହାରି ପଡ଼ି କହିଲା, ‘‘ଯଦି ସେମାନେ ରହି ନ ପାରନ୍ତି, ତେବେ ତାଙ୍କୁ ରଖିବା ମିସି ବାବାଙ୍କ କାର୍ଯ୍ୟ ନୁହେଁ । ଆମେମାନେ ଯଦି ତିନୋଟି ପିଲାଙ୍କ ଯତ୍ନ ନେଇ ନ ପାରୁ, ତେବେ ଆମମାନଙ୍କଠାରେ ପ୍ରୟୋଜନ କଣ ?’’

 

ଏହି କଥା କହି ସେ ଚାଲିଗଲା । ପିତା ମତେ କହିଲେ, ‘‘ମେରି ତୁମେ କାନ୍ଦ ନାହିଁ, ମୁଁ କହୁଛି ତୁମେ ଯିବ ।’’

 

ମୁଁ କହିଲି ‘‘ବାବା, ମୁଁ ଯିବା ପାଇଁ କାନ୍ଦୁ ନାହିଁ । ମୁଁ ଯେତେବେଳେ କହିଥିଲି ଯେ, ‘ମୁଁ ଆଜି ମାଙ୍କ ସାଙ୍ଗରେ ଯାଇଥିଲେ ଭଲ ହୋଇଥାନ୍ତା ।’ ତୁମେ ମତେ ପ୍ରବୋଧ ଦେଇ କହିଥିଲ, ଏପରି ସମୟ ଆସିବ, ଯେତେବେଳେ ମୋର ସବୁ କଷ୍ଟ ଚାଲିଯିବ, ମୁଁ ଶାନ୍ତି ପାଇବି । କିନ୍ତୁ ବାବା, ମୁଁ ଆଜିଯାଏ ଶାନ୍ତି ପାଇ ନାହିଁ । ପୁଣି ଆଜି ମଧ୍ୟ ମୁଁ କହୁଛି, ମୁଁ ଯଦି ସେହି ଦିନ ମରି ଯାଇଥାନ୍ତି, ତାହାହେଲେ କେଡ଼େ ସୁଖୀ ହୋଇଥାନ୍ତି !’’

 

ପିତା କହିଲେ, ‘‘ମେରି ତୁମେ ଆଉ ଏପରି କଥା କହ ନାହିଁ । ମୁଁ ତୁମର ସବୁ ସୁବିଧା କରିଦେବି । ଆଉ କିଛି ତୁମର କହିବାର ଅଛି ?’’

 

ମୁଁ କହିଲି ‘‘ମୋର ଆଦୌ ପୋଷାକ ନାହିଁ, ସେଠାକୁ ଯିବି କିପରି ?’’

 

ପିତା କହିଲେ, ‘‘ତୁମେ ଶ୍ରୀମତୀ ଡିକ୍‍ସନଙ୍କୁ ପୋଷାକ କଥା କହିବା ।’’

 

ମୁଁ କହିଲି ‘‘ନା, ନା ମୁଁ ତାଙ୍କୁ କହିବି ନାହିଁ । ତାଙ୍କୁ କହିଲେ ସେ କଦାପି ଦେବେ ନାହିଁ-।’’

 

ପିତା କହିଲେ, ‘‘ତେବେ ତୁମେ ନିଜେ ପୋଷାକ କିଣି ଆଣ । କେତେ ଦାମ ହେବ, ମତେ କହିବ ।’’

 

ମୁଁ ପିତାଙ୍କୁ ଧନ୍ୟବାଦ ଦେଇ ଚାଲିଆସିଲି । ଚାର୍ଲଟ ବାହାରେ ଛିଡ଼ା ହୋଇଥିଲା, ମତେ ଦେଖି କହିଲା, ‘‘ମିସି ବାବା, ତୁମେ ଯିବ ତ ?’’

 

ମୁଁ କହିଲି, ‘‘ହଁ ପିତା କହିଛନ୍ତି, ମୁଁ ଯିବି ।’’

 

ଚାର୍ଲଟ କହିଲା, ‘‘ମୋ କଥା ଶୁଣ, ତୁମେ ଯିବା କଥା ସେମାନଙ୍କୁ କିଛି କହ ନାହିଁ । ସେମାନେ ଶୁଣିଲେ କିଛି ଗୋଟିଏ ଉପାୟ କରି ତୁମର ଯିବା ବନ୍ଦ କରିଦେବେ ।’’

 

ମୁଁ ଚାର୍ଲଟ କଥା ଅନୁସାରେ ମୋ ଯିବା କଥା ସେମାନଙ୍କୁ କିଛି କହିଲି ନାହିଁ । ସେମାନେ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲେ ଯେ ମୁଁ ଯିବି । କ୍ରମେ ସେ ଦିନ ଆସିଲା । ଯିବାର ସମୟ ମଧ୍ୟ ହୋଇ ଆସିଲା । ଶ୍ରୀମତୀ ଓ ଲୁସି ଦୁହେଁ କେଟୀକୁ ବହୁମୂଲ୍ୟ ପୋଷାକ ସବୁ ପିନ୍ଧାଇଦେଲେ, ଅନେକ ସୁନ୍ଦର ଗହଣା ମଧ୍ୟ ପିନ୍ଧାଇଦେଲେ । ଇତିମଧ୍ୟରେ ମୁଁ ମୋର କକ୍ଷକୁ ଯାଇ ମୋର ସାମାନ୍ୟ ପୋଷାକ ପିନ୍ଧି ପ୍ରସ୍ତୁର ହେଲି । ଯେତେବେଳେ ଗାଡ଼ି ଆସିଲା, ମୁଁ ତଳକୁ ଓହ୍ଲାଇ ଆସିଲି-। ମତେ ଦେଖି ସମସ୍ତେ ବିସ୍ମିତ ହୋଇଗଲେ । ଶ୍ରୀମତୀ କହିଲେ, ‘‘ଏ କଣ ? ତୁମେ କାହିଁକି ପୋଷାକ ପିନ୍ଧିଛ ?’’

 

ପିତା ଟିକିଏ ଇତସ୍ତତଃ ହୋଇ କହିଲେ, ‘‘ମେରୀ ଆସି ମତେ ଯିବା କଥା କହିଲା, ମୁଁ ତାକୁ ଯିବାକୁ ଅନୁମତି ଦେଇଛି । ତାର ନ ଯିବାଟା ବଡ଼ ଅନ୍ୟାୟ ହେବ ।’’

 

କେଟୀ ମତେ ଦେଖି ଭାରି ଖୁସୀ ହେଲା, କିନ୍ତୁ ଶ୍ରୀମତୀ ଓ ଲୁସି ଅତ୍ୟନ୍ତ ବିରକ୍ତ ହେଲେ ।

 

ଶ୍ରୀମତୀ ଭୟଙ୍କର ରାଗିଯାଇ କହିଲେ, ‘‘ମେରୀ କୌଣସିମତେ ଯାଇ ପାରିବ ନାହିଁ । ଗାଡ଼ିରେ ଏତେ ଲୋକଙ୍କୁ ସ୍ଥାନ ହେବ ନାହିଁ ।’’

 

ପିତା କହିଲେ, ‘‘ହଁ ସ୍ଥାନ ହେବ । ମୁଁ ଉପରେ ବସିବି ।’’

 

ଶ୍ରୀମତୀ କହିଲେ, ‘‘ନା, ନା, ତୁମେ ଉପରେ ବସିପାରିବ ନାହିଁ । ତୁମେ ଅସୁସ୍ଥ ହୋଇ ପଡ଼ିଲେ ମୁଁ ତୁମର ସେବା କରିପାରିବି ନାହିଁ ।’’

 

ପିତା କହିଲେ, ‘‘ଆଚ୍ଛା ଗାଡ଼ି ତ ଆମମାନଙ୍କୁ ଦୁଇ ଥର ନେଇ ଯାଇ ପାରେ ?’’

 

ଶ୍ରୀମତୀ ବିରକ୍ତ ହୋଇ କହିଲେ, ‘‘ସେଥିରେ ଗାଡ଼ି ଭଡା କେତେ ବେଶି ହୋଇଯିବ ।’’

 

ପିତା କହିଲେ, ‘‘ତାହା ହେଉ ମେରୀ ଯିବ ।’’

 

ଏହି ସମୟରେ ମୋର ପୋଷାକ ଶ୍ରୀମତୀଙ୍କ ନଜରରେ ପଡ଼ିଲା ।

 

ସେ କହିଲେ, ‘‘ଏ ପୋଷାକ ତୁମେ କେଉଁଠାରୁ ପାଇଲ ? ଏ କଣ ନୂଆ ?’’

 

‘‘ମୁଁ କହିଲି, ‘‘ହଁ, ନୂଆ ।’’

 

ସେ କହିଲେ, ‘‘ଏହାର ମୂଲ୍ୟ କେତେ ?’’

 

ମୁଁ କହିଲି, ମୁଁ ଜାଣେ ନାହିଁ, ବିଲ ପାଇ ନାହିଁ ।’’

 

ଶ୍ରୀମତୀ ଅତ୍ୟନ୍ତ ଉତ୍ତେଜିତ ହୋଇ ପିତାଙ୍କୁ କହିଲେ, ‘‘ତୁମେ ଏଥିରେ ମତ ଦେଇଛ ତ-? ଏହିପରି ଅପବ୍ୟୟ କଲେ ସଂସାର ଚଳିବଟିକି ?’’

 

ପିତା ଧୀରଭାବରେ କହିଲେ, ‘‘ମେରୀ କହିଲା, ତାର ଆଦୌ ଭଲ ପୋଷାକ ନାହିଁ । ସୁତରାଂ ମୁଁ ତାକୁ ଗୋଟିଏ ନୂଆ ପୋଷକ କିଣିବାକୁ କହିଥିଲି ।’’

 

ଶ୍ରୀମତୀ କ୍ରୋଧରେ ଥର ଥର ହୋଇ ରହିଲେ, ଆଉ କିଛି କହିଲେ ନାହିଁ । କେଟୀ ମୋ ପାଖକୁ ଆସି କହିଲା, ‘‘ମେରି, ତୁମକୁ କି ସୁନ୍ଦର ମାନୁଛି ! ମୁଁ ଏହିପରି ଗୋଟିଏ ପୋଷାକ ପିନ୍ଧିଥାନ୍ତି ।’’

 

ଶ୍ରୀମତୀ, ପିତା ଓ କେଟୀ ପ୍ରଥମ ଥର ଗଲେ । ମୁଁ ଓ ଲୁସି ପଛକୁ ରହିଲୁ । ଲୁସି ସମସ୍ତ କ୍ଷଣ ମତେ ଗାଳି ଦେଉଥାଏ; କିନ୍ତୁ ମୁଁ ତାହା କଥାରେ କୌଣସି ଉତ୍ତର ଦେଲି ନାହିଁ । ସେଠାରେ ଯାଇ ପହଞ୍ଚିଲା ମାତ୍ରକେ ଲୁସି ମତେ ଜୋରରେ ଟାଣି ନେଇ ଗୋଟିଏ କଣାରେ ବସାଇ ଦେଲା ଏବଂ ମୋ ସମ୍ମୁଖରେ ବସି ମତେ ଜଗି ରହିଲା । କିଛିକ୍ଷଣ ପରେ ଲିଓନେଲ ଆସିଲେ । ତାଙ୍କୁ ଦେଖି ମୁଁ ହଠାତ୍ ଚିହ୍ନିପାରିଲି ନାହିଁ, ସେ ଅନେକ ବଦଳି ଯାଇଥିଲେ । ମୁଁ ସ୍ପଷ୍ଟ ଶୁଣିଲି, ଶ୍ରୀମତୀ ଡିକ୍‍ସନଙ୍କ ସଙ୍ଗରେ ଦେଖା ହେଲା ମାତ୍ରକେ ସେ ମୋ କଥା ପଚାରିଲେ । ଶ୍ରୀମତୀ ଡିକ୍‍ସନ ଅମ୍ଲାନବଦନରେ କହିଲେ, ‘‘ସେ ଆସି ନାହିଁ ।’’ ଏ କଥା କହି ତତ୍‍କ୍ଷଣାତ ସେ କହିଲେ, ‘‘ଲିଓନେଲ, ଏ ସବୁ ବନ୍ଦୋବସ୍ତ ତୁମର ପସନ୍ଦ ହେଉଛି ତ ? ମୁଁ ନିଜେ ଏ ସମସ୍ତ କରିଛି-।’’

 

ଲିଓନେଲ ସହାସ୍ୟରେ କହିଲେ, ‘‘ହଁ ବେଶ୍‍ ସୁନ୍ଦର ହୋଇଛି ।’’ ତା’ ପରେ ଶ୍ରୀମତୀ କେଟୀ ସଙ୍ଗରେ ତାଙ୍କର ଆଳାପ କରାଇଦେଲେ । ଲିଓନେଲ କେଟୀ ସଙ୍ଗରେ ବସି କଥାବାର୍ତ୍ତା ହେଉଥାନ୍ତି । ମୁଁ ଗୋଟିଏ କଣରେ ସମସ୍ତଙ୍କ ଦୃଷ୍ଟିର ଅଗୋଚରରେ ନୀରବରେ ଶୁନ୍ୟ ହୃଦୟରେ ବସିଥାଏ । କିଛିକ୍ଷଣ କେଟୀ ସଙ୍ଗରେ କଥାବାର୍ତ୍ତା ହୋଇ ସେ ଅନ୍ୟମାନଙ୍କ ସାଙ୍ଗରେ ଆଳାପ କରିବାକୁ ଗଲେ । ଏଣେ ତେଣେ ବୁଲୁ ବୁଲୁ ହଠାତ୍ ଆମେମାନେ ଯେଉଁଠାରେ ବସିଥିଲୁଁ, ସେଠାକୁ ଆସିଲେ । ଲୁସିକୁ ଦେଖି ସେଠାରେ ଛିଡ଼ା ହୋଇ ଲିଓନେଲ କହିଲେ, ‘‘ଏ କଣ, ଲୁସି ? ତୁମେ ଏଠାରେ ଲୁଚି ବସିଛ କାହିଁକି ?’’

 

ଲୁସି ମୋତେ ଘୋଡ଼ାଇବା ଅଭିପ୍ରାୟରେ ଛିଡ଼ା ହେଲା । କିନ୍ତୁ ତାହାର ସବୁ ଚେଷ୍ଟା ବ୍ୟର୍ଥ ହେଲା । ଲିଓନେଲ ମତେ ଦେଖିପାରିଲେ । ଦେଖିବା ମାତ୍ରକେ ଚମକିପଡ଼ି କହିଲେ, ‘‘ମେରି, ତୁମେ ଏଠାରେ ? କିନ୍ତୁ ମୁଁ ଶୁଣିଲି, ତୁମେ ଆଜି ଏଠାକୁ ଆସି ନାହଁ ?’’ ଏହି କଥା କହି ସେ ତାଙ୍କ ସଙ୍ଗରେ କଥାବାର୍ତ୍ତା ହେବାପାଇଁ ମତେ ଡାକିଲେ । ଲୁସି ଭୟଙ୍କର ରାଗିଉଠି କହିଲା, ‘‘ମେରି ସଙ୍ଗରେ ତୁମର କଣ ଅଛି ? ସେ ଏଠାରେ ବେଶ୍‍ ଅଛି, ସେ ଆଜି କାହାରି କଥା ନ ମାନି ଏଠାକୁ ଆସିଛି, ଏହି ସ୍ଥାନ ତାର ଉପଯୁକ୍ତ । ତୁମେ ଯାଅ, କେଟୀ ଅପେକ୍ଷା କରି ରହିଛି ।’’

 

ଲିଓନେଲ କହିଲେ, ‘‘କେଟୀ ସଙ୍ଗରେ ମୁଁ ଅନେକ କ୍ଷଣ ଗଳ୍ପ କରିଛି । ବର୍ତ୍ତମାନ ମେରି ସଙ୍ଗରେ ଗଳ୍ପ କରିବି ।’’ ଏହି କଥା କହି ସେ ମୋ ହାତ ଧରି ମତେ ଅନ୍ୟ ସ୍ଥାନକୁ ଘେନିଗଲେ । ସେଠାରେ ବସି ଲିଓନେଲ କହିଲେ, ‘‘ମେରି, ତୁମେ ଏମିତି ଅସୁସ୍ଥ ହେଲା ପରି ଦିଶୁଛ କାହିଁକି ? ତୁମେ ବୋଧହୁଏ ବଡ଼ ଅଶାନ୍ତି ଭୋଗ କରୁଛ, ନା ?’’

 

ମୁଁ କହିଲି, ‘‘ହଁ, ଅଶାନ୍ତିର ଅନେକ କାରଣ ଅଛି ।’’

 

ଲିଓନେଲ କହିଲେ, ‘‘ମୁଁ ତୁମ ଘର କଥା ସମସ୍ତ ଶୁଣିଛି । କିନ୍ତୁ ଏଠାକୁ ଆସି ସେପରି ଲୁଚି ବସିଥିଲ କାହିଁକି ? ମୋ ସାଙ୍ଗରେ ଦେଖାକଲ ନାହିଁ କାହିଁକି ?’’

 

ପ୍ରକୃତ ଘଟନା ମୁଁ ସଂକ୍ଷେପରେ ତାଙ୍କୁ କହିଲି । କିଛିକ୍ଷଣ ଦୁହେଁ ନାନା ସୁଖ ଦୁଃଖ କଥାବାର୍ତ୍ତା ହେଲୁଁ । ପରେ ମୁଁ କହିଲି, ‘‘ଲିଓନେଲ, ତୁମେ କଣ ଏବେ ଏହିଠାରେ ରହିବ ?’’

 

ଲିଓନେଲ କହିଲେ, ‘‘ହଁ ଏବେ ମୁଁ ଏହିଠାରେ ରହିବି । ଆଉ କୁଆଡ଼େ ଯିବା ଆବଶ୍ୟକ ନାହିଁ ।’’ କିଛିକ୍ଷଣ କଥାବାର୍ତ୍ତା ପରେ ଲିଓନେଲ ମତେ କହିଲେ, ‘‘ମେରି, ମୁଁ ଯିବା ସମୟରେ ତୁମକୁ ଯେଉଁ କଥା କହିଥିଲି, ତୁମର ମନେ ଅଛି କି ? ମୁଁ କହିଥିଲି, ମୁଁ ଯେତେବେଳେ ପ୍ରଚୁର ଅର୍ଥ ଉପାର୍ଜନ କରିବି, ସେତେବେଳେ ମେରି ଡିକ୍‍ସନଙ୍କୁ ମୋର ସଙ୍ଗିନୀ କରିବି । ସେତେବେଳେ ତୁମେ ସମ୍ମତ ହୋଇଥିଲ । ବର୍ତ୍ତମାନ ସୁଦ୍ଧା ତୁମେ ସମ୍ମତ ଅଛ ତ ?’’

 

ମୁଁ ଏ କଥା ଶୁଣି ଅଶ୍ରୁସମ୍ବରଣ କରିପାରିଲି ନାହିଁ । ପରେ କହିଲି, ‘‘ଲିଓନେଲ, ବର୍ତ୍ତମାନ ତୁମର ସ୍ଥାନ ଅନେକ ଉଚ୍ଚରେ । ସମସ୍ତେ କହିବେ, ମୁଁ ତୁମର ଉପଯୁକ୍ତ ନୁହେଁ ।’’

 

ଲିଓନେଲ କହିଲେ, ‘‘ନା, ଏପରି କଥା ମୋତେ ସାହସ କରି କେହି କହିପାରିବେ ନାହିଁ-। ଆଉ ତୁମର ସେ ଭାବନା କାହିଁକି ?’’

 

ଅନେକ କ୍ଷଣ ଆମୋଦ ପ୍ରମୋଦ ପରେ ଆମେମାନେ ଗୃହକୁ ଫେରିଲୁଁ । ଆସିଲାବେଳେ ଲିଓନେଲ ପରଦିନ ଆମ ଘରେ ଭୋଜନ କରିବେ ବୋଲି ନିଜେ ପ୍ରସ୍ତାବ କଲେ । ଶ୍ରୀମତୀ ଡିକ୍‍ସନ ଓ ଲୁସି ଭାବିଲେ, ବୋଧହୁଏ କେଟୀ ପ୍ରତି ତାଙ୍କର ଅନୁରାଗ ଜନ୍ମିଅଛି, ସେଥିପାଇଁ ନିଜେ ଆସିବା କଥା କହିଲେ । ସେମାନେ ବଡ଼ ଖୁସି ହୋଇ ଗୃହକୁ ଆସି ବନ୍ଦୋବସ୍ତ କରିବାକୁ ଲାଗିଲେ । ପରଦିନ କେଟୀକୁ ଖୁବ୍‍ ସୁନ୍ଦର କରି ସଜାଇଦେଲେ ।

 

ଲିଓନେଲ ଯଥା ସମୟରେ ଆସି ସମସ୍ତଙ୍କ ସଙ୍ଗରେ ହାସ୍ୟ କୌତୁକ ଓ କଥାବାର୍ତ୍ତା କଲେ । କ୍ରମେ ଭୋଜନ ଶେଷ ହେଲା । ଭୋଜନ ପରେ ଆମେମାନେ ସମସ୍ତେ ବସି କଥାବାର୍ତ୍ତା ହେଉଅଛୁ, ଏପରି ସମୟରେ ଲିଓନେଲ ହଠାତ୍ କହିପକାଇଲେ ଯେ, ସେ ମତେ ବିବାହ କରିବାକୁ ଇଚ୍ଛା କରିଅଛନ୍ତି । ତାଙ୍କ କଥା ଶୁଣି ଶ୍ରୀମତୀ ଡିକ୍‍ସନ ଓ ଲୁସି ପ୍ରାୟ ଅଜ୍ଞାନ ହେବାପରି ହୋଇଗଲେ । ଶ୍ରୀମତୀ କହିଲେ, ‘‘ମେରିକୁ ତୁମେ ବିବାହ କରିବ ?’’

 

ଲିଓନେଲ କହିଲେ, ‘‘ହଁ, ଯଦି ତାର ପିତା ମତ ଦିଅନ୍ତି ।’’ ଶ୍ରୀମତୀ ଭୟଙ୍କର ରାଗି ଯାଇଥିଲେ; ସୁତରାଂ କଣ କହିବେ କିଛି ସ୍ଥିର କରି ପାରିଲେ ନାହିଁ । ପରେ ଟିକିଏ ସଂଯତ ହୋଇ କହିଲେ, ‘‘ଲିଓନେଲ, ତୁମେ ମେରିର ବର୍ତ୍ତମାନ ଅବସ୍ଥା ଜାଣ ନାହିଁ ବୋଧ ହୁଏ ।ସେ ବର୍ତ୍ତମାନ ଦରିଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ମୋର ପିଲାମାନେ ପିତାର ଉତ୍ତରାଧିକାରୀ ହେବେ । ମେରି ସାମାନ୍ୟ ଅଂଶ ମାତ୍ର ପାଇବ ।’’

 

ଲିଓନେଲ କହିଲେ, ‘‘ଦେଖ ମିସେସ୍‍ ଡିକ୍‍ସନ, ମୁଁ ମେରିର ଅର୍ଥକୁ ବିବାହ କରୁ ନାହିଁ, ମେରିକୁ ବିବାହ କରୁଛି ।’’ ତା ପରେ ସେ ପିତାଙ୍କ ଆଡ଼କୁ ଚାହିଁ କହିଲେ, ‘‘ମହାଶୟ, ମୋର ଏତିକି ଅନୁରୋଧ ଯେ, ଆପଣ ଯେଉଁ ଉଇଲ କରିଅଛନ୍ତି, ସେଥିରୁ ମେରିର ନାମଟି କାଟିଦେବେ-। ସେ ଯେତେବେଳେ ‘ଲେଡି ରୁପର୍ଟ ହେବ, ତାହାର ଅର୍ଥର କୌଣସି ଅଭାବ ହେବ ନାହିଁ ।’’ ପିତା ଏ ବିବାହରେ ସମ୍ପୂର୍ଣ୍ଣ ମତ ଦେଲେ । ଶ୍ରୀମତୀ ଡିକ୍‍ସନ କହିଲେ, ‘‘ଲିଓନେଲ, ଏତେ ତରତର ହୋଇ ତୁମେ ମେରିକୁ ବିବାହ କରିବାକୁ ଇଚ୍ଛା କଲ, ଏଇଟା ଉଚିତ ହେଲା ନାହିଁ ।’’

 

ଲିଓନେଲ କହିଲେ, ‘‘ମିସେସ ଡିକ୍‍ସନ ଏଇଟା ମୋର ଆଜିର ଇଚ୍ଛା ନୁହେଁ । ମୁଁ ଯେତେବେଳେ ଏଠାରୁ ଯାଇଥିଲି, ସେତେବେଳେ ମେରି ନିକଟରେ ମୋର ଇଚ୍ଛା ପ୍ରକାଶ କରିଥିଲି-।’’

 

ଶ୍ରୀମତୀ ଡିକ୍‍ସନ ଓ ଲୁସି ଏ ସମସ୍ତ ବ୍ୟାପାର ଶୁଣି ସ୍ତମ୍ଭୀତ ହୋଇଗଲେ । କେଟୀ ମୋ ପାଖକୁ ଦୌଡ଼ିଆସି ଖୁବ୍‍ ଆବେଗରେ ମୋ ହାତ ଧରି କହିଲା, ‘‘ମେରି, ତୁମର ବିବାହ ସମୟରେ ମତେ ଡାକିବ ତ ? ମୁଁ ଖୁବ୍‍ ଖୁସି ହେଲି । ଏ ମିଳନ ସମ୍ପୂର୍ଣ୍ଣ ଉପଯୁକ୍ତ ହୋଇଛି ।’’

 

ଲିଓନେଲ ଗଲାବେଳେ ମତେ କହିଗଲେ, ‘‘ମେରି, ତୁମେ ଆଉ ଅଳ୍ପଦିନ କଷ୍ଟ ସହ୍ୟ କର । ମୁଁ ଶୀଘ୍ର ତୁମକୁ ସବୁ କଷ୍ଟରୁ ମୁକ୍ତ କରିବି ।’’

 

ଶୀଘ୍ର ଲିଓନେଲ ମୋର କଷ୍ଟ ଦୂର କଲେ । ମୁଁ ଓ ଚାର୍ଲଟ ଦୁହେଁ ଆସି ‘ରୂପର୍ଟ’ ପ୍ରାସାଦ ଅଧିକାର କରି ବସିଲୁ ।

Image

 

ରାଜ ଯୋଗ

 

ବହୁକାଳ ପୂର୍ବେ ଡେନ୍‍ମାର୍କ ଦେଶରେ ଜଣେ ବଡ଼ ଧାର୍ମିକ ରାଜା ବାସ କରୁଥିଲେ । ସେ ଦେଖିବାକୁ ମଧ୍ୟ ସୁନ୍ଦର ଥିଲେ ଏବଂ ପ୍ରଜାମାନେ ତାଙ୍କୁ ବଡ଼ ଭଲପାଉଥିଲେ । କିନ୍ତୁ ଯୌବନାବସ୍ଥାରେ ତାଙ୍କର ଗୋଟିଏ କଠିନ ରୋଗ ହେଲା । ସେ ବୁଝିପାରିଲେ ଯେ, ସେ ଆଉ ବେଶି ଦିନ ବଞ୍ଚିବେ ନାହିଁ । ଦିନେ ସେ ତାଙ୍କର ପ୍ରଧାନ ମନ୍ତ୍ରୀମାନଙ୍କୁ ଡାକି କହିଲେ, ‘‘ଦେଖ, ମୁଁ ତ ମରିବାକୁ ବସିଲିଣି । ମୋର ପୁତ୍ର ବର୍ତ୍ତମାନ ବାଳକ । ସେ ଉପଯୁକ୍ତ ହୋଇ ସିଂହାସନରେ ବସିବା ପର୍ଯ୍ୟନ୍ତ ତୁମମାନଙ୍କ ମଧ୍ୟରୁ କିଏ ରାଜ୍ୟଶାସନର ଭାର ନେବ ? କାହାକୁ ମୁଁ ବିଶ୍ୱାସ କରିବି ?’’ ରାଜପୁତ୍ରଙ୍କ ନାମ ହେଭେଲ୍‍କ ।

 

ଏ କଥା ଶୁଣି ମନ୍ତ୍ରୀମାନେ ଗଡ଼ାର୍ଡ଼ ନାମକ କୌଣସି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କଲେ । ଗଡାର୍ଡ଼ ଧନୀ, କ୍ଷମତାଶାଳୀ ଏବଂ ଉପଯୁକ୍ତ ଥିଲେ । ରାଜା କହିଲେ, ‘‘ବେଶ୍‍ ଭଲ କଥା, ଗଡାର୍ଡ଼ ରାଜ୍ୟ ଚଳାଇବେ ।’’ ଗଡାର୍ଡ଼ ରାଜାଙ୍କ ହାତରେ ହାତ ଦେଇ ସମସ୍ତଙ୍କ ସମକ୍ଷରେ ପ୍ରତିଜ୍ଞା କଲେ ଯେ, ସେ ହେଭେଲକଙ୍କୁ ଯତ୍ନରେ ରକ୍ଷା କରିବେ, ବିଶ୍ଵସ୍ତଭାବରେ ରାଜ୍ୟ ଚଳାଇବେ ଏବଂ ହେଭେଲକ୍‍ ଉପଯୁକ୍ତ ହେଲେ ତାଙ୍କ ହାତରେ ରାଜ୍ୟ ସମର୍ପଣ କରିଦେବେ ।

 

କିନ୍ତୁ ରାଜାଙ୍କ ମୃତ୍ୟୁ ପରେ ଗଡାର୍ଡ଼ ହେଭେଲକ୍‍ଙ୍କୁ ଗୋଟାଏ ଦୁର୍ଗ ମଧ୍ୟରେ ବନ୍ଦ କରି ରଖିଦେଲେ । ତାଙ୍କୁ ଉପଯୁକ୍ତ ଖାଦ୍ୟ, ପାନୀୟ ଓ ବସ୍ତ୍ର ଦେଲେ ନାହିଁ; ଭାବିଲେ, ଏପରି କଲେ ରାଜପୁତ୍ର ଦୁଃଖ କଷ୍ଟରେ ଶୀଘ୍ର ମରିଯିବେ । ତା ପରେ ସେ ଦେଶର ମାନ୍ୟଗଣ୍ୟ ଲୋକମାନଙ୍କୁ ଡାକି ପ୍ରଚାର କରିଦେବେ ଯେ, ସେହି ପ୍ରକୃତ ରାଜା ।

 

ଏତେ ଅତ୍ୟାଚାର ପାଇ ମଧ୍ୟ ହେଭେଲକ୍‍ ବଞ୍ଚି ରହିଲେ । ଗଡାର୍ଡ଼ ଦିନେ ତାଙ୍କର ତରବାରି ଘେନି ହେଭେଲକ୍‍ଙ୍କୁ ହତ୍ୟା କରିବାପାଇଁ ଦୁର୍ଗରେ ଉପସ୍ଥିତ ହେଲେ । ହେଭେଲକ୍‍ କାତରଭାବରେ ତାଙ୍କ ପାଦତଳେ ପଡ଼ି କହିଲେ, ‘‘ମହାଶୟ, ମୁଁ ମୋର ରାଜ୍ୟ ଆପଣଙ୍କୁ ଦେଉଅଛି । ମୁଁ ଆଜି ଏଠାରୁ ପଳାୟନ କରିବି ଏବଂ ମୁଁ ରାଜପୁତ୍ର ଏ କଥା କାହାରି ନିକଟରେ ପ୍ରକାଶ କରିବି ନାହିଁ । ଆପଣ ମୋର ପ୍ରାଣଭିକ୍ଷା ଦିଅନ୍ତୁ ।’’ ଗଡାର୍ଡ଼ ମନେ ମନେ କହିଲେ, ‘‘ମୁଁ ଏହାକୁ ଅନ୍ୟ ଉପାୟରେ ମାରିବି ।’’ ଏହା ଭାବି ସେ ତାଙ୍କୁ ରାଜପ୍ରସାଦକୁ ଘେନିଗଲେ ଏବଂ ଗ୍ରୀମ୍‍ ନାମରେ ଗୋଟିଏ କେଉଟକୁ ଡକାଇ କହିଲେ, ‘‘ଦେଖ, ତୁ ମୋର ଭୃତ୍ୟୁ । ବର୍ତ୍ତମାନ ଯଦି ତୁ ମୋର ଗୋଟିଏ କାର୍ଯ୍ୟ କରିଦେବୁ, ତାହା ହେଲେ ତତେ ଅନେକ ପୁରସ୍କାର ଦେବି ଏବଂ ସ୍ୱାଧୀନ କରିଦେବି । ତୁ ଏ ବାଳକକୁ ଘେନି ଯା, ଆଜି ରାତିରେ ତାକୁ ସମୁଦ୍ରରେ ଭସାଇ ଦେବୁ । ପାପର ଭାଗୀ ମୁଁ ହେବି ।’’ ଗ୍ରୀମ୍‍ ଖୁବ୍‍ ଦୟାଳୁ ହେଲେ ମଧ୍ୟ ଏ ଆଦେଶ ଉପେକ୍ଷା କରିପାରିଲା ନାହିଁ । ସେ ରାଜପୁତ୍ରକୁ ଗୋଟାଏ ଅଖାରେ ଗୁଡ଼ାଇ, ଦଉଡ଼ିରେ ବାନ୍ଧି କାନ୍ଧରେ ଝୁଲାଇ ଘରକୁ ଆଣିଲା । ଘରକୁ ଆସି ଅଖା ଫିଟାଇ ତା ସ୍ତ୍ରୀକୁ କହିଲା, ‘‘ଦେଖ, ମୁଁ ଯଦି ଏହି ବାଳକକୁ ସମୁଦ୍ରରେ ଭସାଇଦିଏଁ, ତେବେ ରାଜା ସ୍ୱାଧୀନ କରିଦେବେ ଏବଂ ଯେତେ ସୁନା ରୁପା ମାଗିବି ଦେବେ ।’’ ଏ କଥା ତା ସ୍ତ୍ରୀ ମନକୁ ଆସିଲା ନାହିଁ । କିନ୍ତୁ ତା କଥା ଅବା କିଏ ଶୁଣୁଛି ? ଯାହାହେଉ ରାତିରେ ଉଠି ସେ ତାହାର ସ୍ୱାମୀର ଯିବାର ବନ୍ଦୋବସ୍ତ କଲା । ହଠାତ୍ ରନ୍ଧାଘର ଆଡ଼କୁ ଚାହିଁ ଦେଖିଲା, ଯେଉଁଠାରେ ହେଭେଲକ୍‍ ଶୋଇଥିଲେ, ସେଠାରୁ ଗୋଟାଏ ଉଜ୍ଜ୍ଵଳ ଆଲୋକ ଆସୁଅଛି-। ପାଖକୁ ଯାଇଁ ଦେଖିଲା; ହେଭେଲକ୍‍ ମୁଖରୁ ସେ ଆଲୋକ ବାହାରୁଅଛି । ଦୌଡ଼ି ଯାଇଁ ସେ ସ୍ୱାମୀକୁ ଡାକିଲା । ଗ୍ରୀମ୍‍ ଆସି ବାଳକ ଦେହରୁ ଲୁଗା କାଢ଼ି ଖୁବ୍‍ ଭଲକରି ଦେଖିଲା । ବାଳକର କାନ୍ଧ ଉପରେ ଗୋଟାଏ ରକ୍ତବର୍ଣ୍ଣ ଚିହ୍ନ ଦେଖି ସେ ଚମକିପଡ଼ିଲା । ଏହିପରି ଚିହ୍ନ ଡେନମାର୍କର ସବୁ ରାଜାଙ୍କର ଥାଏ । ଗ୍ରୀମ୍‍ ଭୟରେ କାନ୍ଦି ପକାଇ କହିଲା, ‘‘ମୋତେ କ୍ଷମା କର, ତୁମପାଇଁ ଯାହା କିଛି କରିବା ଆବଶ୍ୟକ, ତାହା ଆମ୍ଭେମାନେ କରିବୁ, ତୁମେ ବଡ଼ ହେବାଯାଏ ଆମ୍ଭେମାନେ ତୁମକୁ ଯତ୍ନରେ ରଖିବୁ ।’’

 

ଏ କଥା ଶୁଣି ହେଭେଲକ୍‍ ଉଠିବସି କହିଲେ, ‘‘ମୁଁ କ୍ଷୁଧାରେ ମୃତପ୍ରାୟ ହେଲାଣି; ମତେ କିଛି ଖାଇବାକୁ ଦିଅ । ଏ ଦଉଡ଼ି ମୋ ଦେହରୁ ଫିଟାଇ ନିଅ ।’’ ଗ୍ରୀମ୍‍ ତାଙ୍କୁ ବନ୍ଧନରୁ ମୁକ୍ତ କରିଦେଲା । ତାହାର ସ୍ତ୍ରୀ ସାମାନ୍ୟ କିଛି ଖାଦ୍ୟ ଆଣି ଖାଇବାକୁ ଦେଲା । ଅତ୍ୟନ୍ତ ତୃପ୍ତିରେ ସେ ଖାଦ୍ୟତକ ଖାଇ ହେଭେଲକ୍‍ ନିଶ୍ଚିନ୍ତ ହୋଇ ଶୋଇ ପଡ଼ିଲେ ।

 

ସକାଳୁ ଉଠି ଗ୍ରୀମ୍‍ ଅତିଶୀଘ୍ର ରାଜାଙ୍କ ନିକଟକୁ ଯାଇ ପୁରସ୍କାର ମାଗିଲା । କିନ୍ତୁ ରାଜା ତାକୁ ଦେଖି ଗର୍ଜନ କରି ଉଠି କହିଲେ, ‘‘ଯଦି ଭଲ ଚାହୁଁ, ତେବେ ଏହିକ୍ଷଣି ଏଠାରୁ ଚାଲିଯା, ନଚେତ ହତ୍ୟାକାରୀ ବୋଲି ମୁଁ ତତେ ଧରାଇଦେବି ।’’

 

ଗ୍ରୀମ୍‍ ପ୍ରାଣଭୟରେ ଘରକୁ ଫେରି ଆସି ସ୍ତ୍ରୀକୁ କହିଲା, ‘‘ଯଦି ପ୍ରାଣର ମାୟା ଥାଏ, ତେବେ ଚାଲ ଶୀଘ୍ର ଏଠୁ ପଳାଇବା । ହେଭେଲକ୍‍ ଜୀବନରେ ଅଛନ୍ତି, ଏ କଥା ରାଜା ଜାଣିପାରିଲେ ଆଉ ରକ୍ଷା ନାହିଁ ।

 

୨।୩ ଦିନ ମଧ୍ୟରେ ଗ୍ରୀମ୍‍ ତାହାର ସବୁ ଜିନିଷପତ୍ର ବିକ୍ରି କରିଦେଲା । କେବଳ ଖଣ୍ଡେ ବୋଟ ରଖିଥିଲା । ସେଥିରେ ତାହାର ସ୍ତ୍ରୀ, ଦୁଇ ଝିଅ, ତିନି ପୁଅ ଏବଂ ରାଜପୁତ୍ରଙ୍କୁ ବସାଇ ସେଠାରୁ ଘେନି ଚାଲିଗଲା ।

 

କିଛି ଦିନ ପରେ ସେମାନେ ସମୁଦ୍ରକୂଳସ୍ଥିତ ଗୋଟିଏ ସହରରେ ପହଞ୍ଚିଲେ । ସମୁଦ୍ରକୂଳରେ ରହିବା ଭଳି ଗୋଟିଏ ଘର ତିଆରି କରି ମାଛ ଧରି ସୁଖରେ ସଂସାର ଚଳାଇଲେ । ରାଜପୁତ୍ର ମଧ୍ୟ ଗ୍ରୀମ୍‍ର ପୁତ୍ରକନ୍ୟାମାନଙ୍କ ସଙ୍ଗରେ ମାଛ ଧରନ୍ତି ।

 

କିନ୍ତୁ କିଛି ଦିନ ପରେ ସେଠାରେ ଭୀଷଣ ଦୁର୍ଭିକ୍ଷ ଉପସ୍ଥିତ ହେଲା । ଗ୍ରୀମ୍‍ର ପରିବାର ଖାଦ୍ୟାଭାବରେ ବଡ଼ କଷ୍ଟ ପାଇଲେ । ତେଣୁ ଦିନେ ଗ୍ରୀମ୍‍ ରାଜପୁତ୍ରଙ୍କୁ କହିଲା, ‘‘ପ୍ରଭୁ ! ଖାଦ୍ୟାଭାବରେ ଆମ୍ଭେମାନେ ମରୁଁ, ସେଥିରେ କିଛି କ୍ଷତି ନାହିଁ; କିନ୍ତୁ ଆପଣଙ୍କୁ ବଞ୍ଚି ରହିବାକୁ ହେବ ଆପଣ ଅନ୍ୟ କୌଣସି ଦେଶକୁ ଯାଇଁ ଚାକିରି କରନ୍ତୁ ।’’ ରାଜପୁତ୍ର ଏ କଥା ଶୁଣି କହିଲେ, ‘‘ମୋର ତ ବିଦେଶକୁ ଯିବା ଭଳି ପୋଷାକ ନାହିଁ ?’’ ଗ୍ରୀମ୍‍ କହିଲା, ‘‘ପ୍ରଭୁ ! ଆପଣଙ୍କୁ ପୋଷାକ କିଣି ଦେବାକୁ ମୋର ତ ଅର୍ଥ ନାହିଁ । ତେବେ ମୋର ଜାଲରେ ଆପଣଙ୍କୁ ଗୋଟିଏ ପୋଷାକ କରିଦେବି ।’’

 

ହେଭେଲକ୍‍ ଜାଲର ପୋଷାକ ପିନ୍ଧି ମହା ଆନନ୍ଦରେ ବନ୍ଧୁମାନଙ୍କ ଠାରୁ ବିଦାୟ ନେଇ ଆଶ୍ରୟ ଖୋଜିବାକୁ ବାହାରିଲେ । ତାଙ୍କ ଗୋଡ଼ରେ ଜୋତା ମୋଜା ନ ଥିଲା, ମୁଣ୍ଡରେ ଟୋପି ନ ଥିଲା, କିନ୍ତୁ ସେଥିପାଇଁ ତାଙ୍କ ମନରେ ଟିକିଏ ସୁଦ୍ଧା ଦୁଃଖ ହେଲା ନାହିଁ ।

 

ନିକଟବର୍ତ୍ତୀ କୌଣସି ଗୋଟିଏ ରାଜ୍ୟକୁ ଯାଇ ଦୁଇଦିନ ପର୍ଯ୍ୟନ୍ତ ଅନେକ ଅନୁସନ୍ଧାନ କରି ମଧ୍ୟ ହେଭେଲକ୍‍ କୌଣସି କାର୍ଯ୍ୟ ପାଇଲେ ନାହିଁ । ତୃତୀୟ ଦିନ ନଦୀକୂଳରେ ବୁଲୁ ବୁଲୁ ଜଣେ ଲୋକ ‘‘କୁଲି, କୁଲି’’ ବୋଲି ଡାକୁଥିବାର ଶୁଣିଲେ । ସେ ଲୋକଟି ରାଜପ୍ରାସାଦର ପ୍ରଧାନ ପାଚକ । ଖୁବ୍‍ ବଡ଼ ଗୋଟାଏ ମାଛ କିଣି ସେ ତାକୁ ନେଇଯିବାପାଇଁ ଲୋକ ଖୋଜୁଥିଲା । ହେଭେଲକ୍‍ ତାହା ନିକଟକୁ ଯାଇଁ ଅନାୟାସରେ ସେ ମାଛଟି ରାଜପ୍ରାସାଦକୁ ଘେନିଗଲେ । ରାଜାଙ୍କର ନାମ ଗଡ଼ରିକ । ସେ ଗଡାର୍ଡଙ୍କ ପରି ବଡ଼ ନିଷ୍ଠୁର ଲୋକ । କର୍ଣ୍ଣଉଆଲର ରାଜା ତାଙ୍କୁ ତାଙ୍କ କନ୍ୟାର ଅଭିଭାବକ ନିଯୁକ୍ତ କରି ମରି ଯାଇଥିଲେ । ତାଙ୍କ ମୃତ୍ୟୁ ପରେ ଗଡ଼ରିକ ରାଜକନ୍ୟାଙ୍କୁ ଗୋଟିଏ ଘରେ ଆବଦ୍ଧ କରି ରଖି ନିଜେ ରାଜା ହୋଇ ବସିଲେ । ରାଜକନ୍ୟା ବର୍ତ୍ତମାନ ବିବାହଯୋଗ୍ୟା ହେଲେଣି ଏବଂ ରାଜ୍ୟ ଚଳାଇବାକୁ ସମର୍ଥ ହେଲେଣି; ତଥାପି ଗଡ଼ରିକ ତାଙ୍କୁ ରାଜ୍ୟ ଦେଉ ନାହାନ୍ତି ।

 

ହେଭେଲକ୍‍ ଏ ସବୁ ଘଟଣା କିଛି ଜାଣନ୍ତି ନାହିଁ । ସେ ପ୍ରାସାଦରେ ମାଛ ପହଞ୍ଚାଇ ପୁରସ୍କାର ଘେନି ଆନନ୍ଦରେ ଚାଲି ଆସିଲେ । ପରଦିନ ପୁଣି ସେ ନଦୀକୂଳକୁ ଯାଇଁ ମାଛ ଘେନି ରାଜପ୍ରାସାଦକୁ ଆସିଲେ । ତାଙ୍କ ଦେହର ଶକ୍ତି ଦେଖି ପାଚକ ବଡ଼ ଖୁସି ହୋଇ ରାଜପ୍ରାସାଦରେ ତାଙ୍କୁ ଖଣ୍ଡେ ଚାକିରି କରାଇଦେଲା । ହେଭେଲକ୍‍ଙ୍କ ପୋଷାକର ଦୁରବସ୍ଥା ଦେଖି ପାଚକ ତାଙ୍କୁ ଭଲ ପୋଷାକ ଖଣ୍ଡେ ମଧ୍ୟ କରାଇଦେଲା ।

 

ଅଳ୍ପଦିନ ପରେ ଗଡ଼ରିକ କେତେ ଜଣ ବଡ଼ ବଡ଼ ରାଜା ଓ ସମ୍ଭ୍ରାନ୍ତ ଲୋକଙ୍କୁ ନିମନ୍ତ୍ରଣ କଲେ । ସେମାନଙ୍କୁ ଆମୋଦ ଦେବାପାଇଁ ଗଡ଼ରିକ କେତେଗୁଡ଼ିଏ ଖେଳ କରାଇବେ ବୋଲି ସ୍ଥିର କଲେ । ଅନ୍ୟାନ୍ୟ ଖେଳ ମଧ୍ୟରେ ଗୋଟିଏ ବଡ଼ ପଥର ନିକ୍ଷେପ କରାଯିବ ଏବଂ ଯେ ସବୁଠାରୁ ବେଶି ଦୁରକୁ ପକାଇବ, ସେ ଜୟୀ ହେବ । ପାଚକ ହେଭେଲକ୍‍ଙ୍କୁ ଥରେ ଚେଷ୍ଟା କରିବାକୁ କହିଲା-। ହେଭେଲକ୍‍ ପଥର ଖଣ୍ଡ ଧରି ନିକ୍ଷେପ କଲେ । ଯେଉଁ ବ୍ୟକ୍ତି ଜୟୀ ହୋଇଥିଲେ, ତାଙ୍କଠାରୁ ହେଭେଲକ୍‍ଙ୍କ ପଥର ୧୨ ଫୁଟ ଦୂରରେ ପଡ଼ିଲା । ସମସ୍ତେ ଧନ୍ୟ ଧନ୍ୟ କରିବାକୁ ଲାଗିଲେ, ହେଭେଲକ୍‍ଙ୍କ ନାମ ଚାରିଆଡ଼େ ପ୍ରଚାରିତ ହୋଇଗଲା ।

 

ହେଭେଲକ୍‍ଙ୍କର ଏହିପରି ସୁନାମ ଶୁଣି, ଗଡ଼ରିକ ତାଙ୍କ ସଙ୍ଗରେ ରାଜକନ୍ୟାଙ୍କୁ ବିବାହ ଦେବେ ବୋଲି ସ୍ଥିର କଲେ । ସେହି ଦିନ ସେ ରାଜକନ୍ୟାଙ୍କୁ ଡକାଇ ପରଦିନ ହେଭେଲକ୍‍ଙ୍କୁ ବିବାହ କରିବାକୁ କହିଲେ । ରାଜକନ୍ୟା ଏ କଥା ଶୁଣି କହିଲେ ଯେ, ରାଜା କିମ୍ବା ରାଜପୁତ୍ର ନ ହେଲେ ସେ କାହାକୁ ବିବାହ କରିବେ ନାହିଁ । ଗଡ଼ରିକ ତାଙ୍କୁ କହିଲେ, ସେ ଯଦି ସେହି ପାଚକର ଭୃତ୍ୟ ହେଭେଲକ୍‍ଙ୍କୁ ବିବାହ ନ କରନ୍ତି, ତେବେ ସେ ତାଙ୍କୁ ନିଆଁରେ ପୋଡ଼ି ପକାଇବେ ।

 

ପରଦିନ ସକାଳେ ହେଭେଲକ୍‍ଙ୍କୁ ଡକାଇ ଗଡ଼ରିକ କହିଲେ, ‘‘ତୁମେ ବିବାହ କରିବ-?’’ ହେଭେଲକ୍‍ କହିଲେ, ‘‘ନା ମହାଶୟ, ମୋର ଗୋଟିଏ ଜୀର୍ଣ୍ଣ ପୋଷାକ ଛଡ଼ା ଆଉ କିଛି ନାହିଁ-। ମୁଁ ସ୍ତ୍ରୀକୁ କଣ ଖାଇବାକୁ ଦେବି ?’’ ଗଡ଼ରିକ ଏ କଥା ଶୁଣି କହିଲେ, ‘‘ଯଦି ତୁମେ ବିବାହ ନ କର, ତେବେ ତୁମକୁ ଫାଶୀ ଦିଆଯିବ ।’’

 

ଅଗତ୍ୟା ସେହିଦିନ ହେଭେଲକ୍‍ ଗୀର୍ଜାକୁ ଯାଇ ରାଜକନ୍ୟାଙ୍କୁ ବିବାହ କଲେ । ଗଡ଼ରିକ ପରି ଶତ୍ରୁର ନିକଟରେ ରହିବା ଉଚିତ ନୁହେଁ ଭାବି ହେଭେଲକ୍‍ ସେହିଦିନ ରାଜକନ୍ୟାଙ୍କୁ ନେଇ ତାଙ୍କର ପୁରାତନ ବନ୍ଧୁ ଗ୍ରୀମ୍‍ ଘରକୁ ଆସିଲେ । ସେତେବେଳକୁ ଗ୍ରୀମ୍‍ ମରିଯାଇଥିଲା, କିନ୍ତୁ ତାହାର ପୁତ୍ରକନ୍ୟାମାନେ ହେଭେଲକ୍‍ ଏବଂ ତାଙ୍କ ସ୍ତ୍ରୀଙ୍କୁ ପରମ ସମାଦାରରେ ଘରେ ସ୍ଥାନ ଦେଲେ ।

 

ରାଜକନ୍ୟାଙ୍କ ମନରେ ସୁଖ ନ ଥିଲା । ରାତିରେ ଶୋଇ ଶୋଇ ନିଜ ଅଦୃଷ୍ଟ କଥା ଭାବି ଭାବି ସେ ଭାରି କାନ୍ଦନ୍ତି । ହଠାତ୍ ଦିନେ ଗୋଟାଏ ଆଲୋକ ତାଙ୍କ ଆଖିରେ ପଡ଼ିଲା । ଉଠି ଦେଖିଲେ, ସେ ତୀବ୍ର ଆଲୋକ ତାଙ୍କ ସ୍ୱାମୀଙ୍କ କାନ୍ଧରୁ ବାହାରୁଅଛି । ସେହିକ୍ଷଣି ସେ ହେଭେଲକ୍‍ଙ୍କୁ ରାଜପୁତ୍ର ବୋଲି ବୁଝିପାରିଲେ । ଏହି ସମୟରେ ସେ ଦୈବଵାଣୀ ଶୁଣିଲେ, ‘‘ରାଜକୁମାରୀ, ତୁମେ ଦୁଃଖ କର ନା, ତୁମର ସ୍ୱାମୀ ରାଜପୁତ୍ର ଏବଂ ସେ ଶୀଘ୍ର ଡେନମାର୍କ ଏବଂ ଇଂଲଣ୍ଡର ରାଜା ହେବେ ।’’ ଏହି ବାଣୀ ଶୁଣି ତାଙ୍କ ମନ ଆଶ୍ଵସ୍ତ ହେଲା । ଏହି ସମୟରେ ହେଭେଲକ୍‍ ହଠାତ୍ ଉଠିବସି କହିଲେ, ‘‘ଦେଖ, ମୁଁ ଗୋଟାଏ ଭାରି ଅଦ୍ଭୁତ ସ୍ଵପ୍ନ ଦେଖିଲି । ମୁଁ ଡେନମାର୍କ ଓ ଇଂଲଣ୍ଡକୁ ଧରିବାପାଇଁ ହାତ ବଢ଼ାଇଲି, ଆଉ ମୋର ହାତ କ୍ରମଶଃ ବଢ଼ିଗଲା ଓ ମୁଁ ସେ ଦୁଇ ଦେଶକୁ ମୋର ବାହୁରେ ଧରିଲି । ଏହାର ଅର୍ଥ କଣ ?’’ ରାଜକନ୍ୟା କହିଲେ, ‘‘ଏହାର ଅର୍ଥ ଏହି ଯେ ତୁମେ ଦୁଇ ଦେଶର ରାଜା ହେବ । ବର୍ତ୍ତମାନ ତୁମେ ତୁମର ଅଧିକାରପାଇଁ ଚେଷ୍ଟା କର ।’’

 

ପରଦିନ ସକାଳେ ହେଭେଲକ୍‍ ଏବଂ ଗ୍ରୀମ୍‍ର ପୁତ୍ରମାନେ ବୋଟରେ ରାଜ୍ୟ ଅଧିକାର କରିବାକୁ ବାହାରିଲେ । ପ୍ରଥମେ ସେମାନେ ହେଭେଲକ୍‍ଙ୍କ ପିତାଙ୍କର ଜଣେ ବନ୍ଧୁଙ୍କ ନିକଟରେ ଆସି ପହଞ୍ଚିଲେ । ହେଭେଲକ୍‍ ତାଙ୍କୁ ନିଜର ପରିଚୟ ନ ଦେଇ ସେ ଦେଶରେ ବାଣିଜ୍ୟ କରିବାକୁ ଅନୁମତି ମାଗିଲେ । ସେ ବ୍ୟକ୍ତି ପ୍ରଥମେ ଇତସ୍ତତଃ କରୁଥିଲେ, କିନ୍ତୁ ହେଭେଲକ ତାଙ୍କୁ ଗୋଟିଏ ସୁନା ମୁଦି ଉପହାର ଦେବାରୁ ସେ ଖୁସି ହୋଇ ଅନୁମତି ଦେଲେ ଏବଂ ରାତିରେ ତାଙ୍କ ସାଙ୍ଗରେ ଭୋଜନ କରିବାକୁ ଅନୁରୋଧ କଲେ ।

 

ରାତିରେ ଭୋଜନ ପରେ ସେ ଭଦ୍ରବ୍ୟକ୍ତି ଦସ୍ୟୁ ଅତ୍ୟାଚାର ଭୟରେ ହେଭେଲକ୍‍ଙ୍କ ସଙ୍ଗରେ ପ୍ରହରୀ ଦେଇ ତାଙ୍କୁ ନଗରରକ୍ଷୀଙ୍କ ଘରକୁ ପଠାଇ ଦେଲେ । ନଗରରକ୍ଷୀ ସେମାନଙ୍କୁ ଅତି ସମାଦରରେ ଘରକୁ ଘେନିଗଲେ । ସେମାନେ ବସି କଥାବାର୍ତ୍ତା ହେଉଅଛନ୍ତି, ଏପରି ସମୟରେ ଦ୍ୱାରରେ ଗୋଟାଏ ଶବ୍ଦ ଶୁଣାଗଲା । ‘‘ଶୀଘ୍ର ଦ୍ୱାର ଖୋଲି ଦିଅ, ନଚେତ୍‍ ତୁମର ମୃତ୍ୟୁ ନିଶ୍ଚିତ ।’’ ଏହି କଥା ଶୁଣି ନଗରରକ୍ଷୀ ବୁଝିପାରିଲେ, ଏମାନେ ଦସ୍ୟୁ । ସେ ତାଙ୍କର ଖଡ୍ଗ ଘେନି ପ୍ରସ୍ତୁତ ହେଉଅଛନ୍ତି, ଏପରି ସମୟରେ ସେମାନେ କବାଟ ଭାଙ୍ଗି ଭିତରେ ପ୍ରବେଶ କଲେ । ନଗରରକ୍ଷୀ ଯଥାସାଧ୍ୟ ସେମାନଙ୍କୁ ବାଧା ଦେବାକୁ ଲାଗିଲେ, କିନ୍ତୁ ଦସ୍ୟୁମାନେ ତାଙ୍କୁ ଭୀଷଣ ଭାବରେ ଆକ୍ରମଣ କଲେ । ହେଭେଲକ୍‍ ତାଙ୍କୁ ସାହାଯ୍ୟ କରିବାକୁ ଯାଇ ଗୁରୁତରରୂପେ ଆହତ ହେଲେ । କିନ୍ତୁ ସେ ଶୀଘ୍ର ସମସ୍ତ ଶତ୍ରୁଙ୍କୁ ବିନାଶ କଲେ ।

 

ପରଦିନ ସକାଳେ ଏ ସମ୍ବାଦ ଚାରିଆଡ଼େ ବ୍ୟାପିଗଲା । ପୂର୍ବୋକ୍ତ ଭଦ୍ରବ୍ୟକ୍ତି ଏ ସମ୍ବାଦ ଶୁଣି ବିଶ୍ୱାସ ନ କରି ନଗରରକ୍ଷୀଙ୍କ ଘରକୁ ଆସିଲେ । ସେଠାରେ ହେଭେଲକ୍‍ଙ୍କର ଅଦ୍ଭୁତ ବୀରତ୍ୱ କଥା ଏବଂ ତାଙ୍କର ଆଘାତ କଥା ଶୁଣି ତାଙ୍କୁ ସଙ୍ଗରେ ଘେନି ଗଲେ । ନିଜ ପାଖରେ ରଖି ଉତ୍ତମ ଚିକିତ୍ସକାମାନଙ୍କ ଦ୍ୱାରା ଚିକିତ୍ସା କରାଇଲେ ।

 

ରାତ୍ରରେ ଭଦ୍ରବ୍ୟକ୍ତିଙ୍କର ନିଦ ଭାଙ୍ଗିଯିବାରୁ ପାଖ ଘରୁ ଆଲୁଅ ଆସିବାର ଦେଖି ସେ ବଡ଼ ବିସ୍ମିତ ହେଲେ । ସନ୍ଦେହ ଦୂର କରିବାପାଇଁ ଉଠିଯାଇ ଦେଖିଲେ, ହେଭେଲକ୍‍ଙ୍କ ମୁଖରୁ ଏକ ଦିବ୍ୟ ଆଲୋକ ବାହାରୁଅଛି । ଏହା ଦେଖି ସେ ତାଙ୍କୁ ଡେନମାର୍କର ରାଜା ବୋଲି ବୁଝି ପାରିଲେ ଏବଂ ତାଙ୍କୁ ଡାକି କହିଲେ, ‘‘ମହାଶୟ, ମୋର ଅପରାଧ କ୍ଷମା କରନ୍ତୁ, ମୁଁ ଆପଣଙ୍କୁ ସାମାନ୍ୟ ବ୍ୟକ୍ତି ବୋଲି ଭାବିଥିଲି ।’’

 

ସକାଳେ ଉକ୍ତ ଭଦ୍ରବ୍ୟକ୍ତି ନଗରବାସୀମାନଙ୍କୁ ଡାକି ରାତ୍ରିର ଘଟଣା ପ୍ରକାଶ କଲେ ଏବଂ ଗଡାର୍ଡ଼ର ଅତ୍ୟାଚାରର ପ୍ରତିଶୋଧ ନେବାପାଇଁ ସେମାନଙ୍କୁ ଉତ୍ତେଜିତ କରିବାକୁ ଲାଗିଲେ । ନଗରବାସୀମାନେ ଭାରି ଉତ୍ସାହରେ ଯୁଦ୍ଧ କରିବାକୁ ସ୍ୱୀକୃତ ହେଲେ ଏବଂ ଅତି ଶୀଘ୍ର ଯୁଦ୍ଧଯାତ୍ରା କଲେ ।

 

ଗ୍ରୀମ୍‍ର ପୁତ୍ର ଅଳ୍ପ ଲୋକ ଘେନି ଗଡାର୍ଡ଼ର ସମ୍ମୁଖୀନ ହେଲା । ଦୁଇ ଜଣଙ୍କର ଭୀଷଣ ଯୁଦ୍ଧ ହେଲା, ଶେଷରେ ଗଡାର୍ଡ଼ଙ୍କ ସୈନ୍ୟମାନେ ପଳାଇବାକୁ ଲାଗିଲେ । ଗଡାର୍ଡ଼ ସେମାନଙ୍କୁ ଡାକି ଯୁଦ୍ଧ କରିବାକୁ କହିଲେ । କିନ୍ତୁ ହେଭେଲକ୍‍ଙ୍କ ସୈନ୍ୟମାନେ ସେମାନଙ୍କୁ ପରାଜିତ କରି ଗଡାର୍ଡକୁ ବନ୍ଦୀ କଲେ । ତାକୁ ଗୋଟିଏ ଗଧ ଉପରେ ବସାଇ ବୁଲାଇ ବୁଲାଇ ବିଚାରପାଇଁ ହେଭେଲକ୍‍ଙ୍କ ନିକଟକୁ ଘେନିଗଲେ ।

 

ହେଭେଲକ୍‍ ତାଙ୍କର ସମସ୍ତ ସମ୍ପତ୍ତି ପୂର୍ବୋକ୍ତ ଆଶ୍ରୟାଦାତା ଭଦ୍ରବ୍ୟକ୍ତିଙ୍କୁ ଦାନ କରି ଏବେ ଗଡ଼ରିକଙ୍କୁ ଦମନ କରିବାକୁ ଯାତ୍ରା କଲେ । ହେଭେଲକ୍‍ଙ୍କ ଆସିବା କଥା ଶୁଣି ଗଡ଼ରିକ ନଗରବାସୀମାନଙ୍କୁ ଡାକି କହିଲେ, ଯଦି ସେମାନେ ଯୁଦ୍ଧ ନ କରନ୍ତି, ତେବେ ହେଭେଲକ୍‍ ସେମାନଙ୍କର ସମ୍ପତ୍ତି ଲୁଟକରି ନେବ ଏବଂ ସେମାନଙ୍କୁ କାଙ୍ଗାଳ କରିଦେବ । ନଗରବାସୀମାନେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ । ଗଡ଼ରିକ ସେମାନଙ୍କୁ ହେଭେଲକ୍‍ ସମ୍ବନ୍ଧରେ ଅନେକ ମିଛ କଥା କହି ଖୁବ୍‍ ଉତ୍ତେଜିତ କରାଇଲା । ‘‘ହେଭେଲକ୍‍ ଦସ୍ୟୁ, ସେ ଯଦି ଆମ ଦେଶକୁ ଆସେ, ତେବେ ସବୁ ଲୁଟ କରିନେବ । ସୁତରାଂ ଚାଲ ଆମ୍ଭେମାନେ ତାକୁ ମାରି ପକାଇବା’’ ଇତ୍ୟାଦି କଥା କହି ଗଡ଼ରିକ ଅନେକ ସୈନ୍ୟ ନେଇ ହେଭେଲକ୍‍ଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଗଲା । ଅନେକ ବେଳ ପର୍ଯ୍ୟନ୍ତ ଦୁଇ ଦଳର ଯୁଦ୍ଧ ହେଲା । ହେଭେଲକ୍‍ ଗଡ଼ରିକଙ୍କୁ ଆକ୍ରମଣ କରି ତାଙ୍କର ବଶ୍ୟତା ସ୍ୱୀକାର କଲେ । ସେମାନଙ୍କର ରାଜକନ୍ୟା ଯେ ରାଜପୁତ୍ରଙ୍କୁ ବିବାହ କରିଅଛନ୍ତି, ଏହା ଜାଣି ସମସ୍ତେ ଖୁବ୍‍ ଖୁସି ହେଲେ । ଗଡ଼ରିକର ବିଚାର ହେଲା ଏବଂ ତାକୁ ଉପଯୁକ୍ତ ଶାସ୍ତି ଦିଆଗଲା । ତତ୍‍ପରେ ହେଭେଲକ୍‍ ତାଙ୍କ ପରମ ଉପକାରୀ ବନ୍ଧୁ ଗ୍ରୀମ୍‍ର ପୁତ୍ରମାନଙ୍କୁ ଉଚ୍ଚପଦରେ ପ୍ରତିଷ୍ଠିତ କଲେ ଏବଂ କନ୍ୟାମାନଙ୍କୁ ସମ୍ଭ୍ରାନ୍ତ ପରିବାରରେ ଯୋଗ୍ୟପାତ୍ର ସଙ୍ଗରେ ବିବାହ ଦେଲେ । ଡେନମାର୍କର ଶାସନଭାର ପୂର୍ବ ଆଶ୍ରୟଦାତାଙ୍କ ହସ୍ତରେ ଦେଇ ହେଭେଲକ୍‍ ରାଜକନ୍ୟାଙ୍କ ସଙ୍ଗରେ ଇଂଲଣ୍ଡରେ ସୁଖରେ ରାଜ୍ୟ ଚଳାଇଲେ ।

Image

 

Unknown

ପିଟର ବେଲ

 

ପିଟର ବେଲ ନାମରେ ଗୋଟିଏ ଯୁବକ, ଗ୍ରାମ ଗ୍ରାମ ବୁଲି ବାସନ ବିକ୍ରି କରି ପେଟ ପୋଷେ । କେତେଗୁଡ଼ିଏ ଗଧ ତାହାର ସଙ୍ଗୀ । ସେହି ଗଧମାନଙ୍କ ପିଠି ଉପରେ ବାସନପତ୍ର ଲଦି ସେ ସବୁଆଡ଼େ ବୁଲେ । ସେ ଅନେକ ଦେଶ ବୁଲିଛି, ଅନେକ ସମୁଦ୍ର ଗର୍ଜନ ଶୁଣିଛି, ଅନେକ ଛାୟାଶୀତଳ ସ୍ଥାନରେ ବିଶ୍ରାମ କରିଛି । କିନ୍ତୁ ଏ ସବୁଥିରୁ ସେ କୌଣସି ଉପକାର ପାଇନାହିଁ । କିପରି ବା ପାଇବ ? ପ୍ରକୃତିର ମଧୁର ଶବ୍ଦ ତାହାର କର୍ଣ୍ଣରେ ପ୍ରବେଶ କରେ ନାହିଁ, ସେ ଯେ ଏଥିପ୍ରତି ବଧିର ! ସୁନୀଳ ଆକାଶ, ବସନ୍ତର ପୁଷ୍ପ, କୋମଳ ଦୃଶ୍ୟ ଏବଂ ନିର୍ଝରିଣୀର ସୁମିଷ୍ଟ ସଙ୍ଗୀତ କେବେ ହେଲେ ତାହାର ଚିତ୍ତ ଆକର୍ଷଣ କରିପାରି ନାହିଁ । ସେ ଜୀବଜନ୍ତୁମାନଙ୍କ ପ୍ରତି ଯେପରି ନିଷ୍ଠୁର, ତାହାର ପ୍ରତିବେଶୀମାନଙ୍କ ପ୍ରତି ମଧ୍ୟ ସେହିପରି ନିଷ୍ଠୁର ବ୍ୟବହାର କରେ । ଯାହାର ହୃଦୟ ଏପରି କୋମଳତାହୀନ, ସେ ଅବା କିପରି ପ୍ରକୃତିର ସୌନ୍ଦର୍ଯ୍ୟ ଉପଲବ୍ଧି କରିବ ? ବନ୍ୟ ପଶୁପରି ସେ ଜୀବନ କଟାଏ, କୌଣସି ପାପ କଲେ ତା ମନରେ ଖୁବ୍‍ ଆନନ୍ଦ ହୁଏ । ଯଦିବା ପ୍ରକୃତି ସଙ୍ଗରେ ଏତେ ସଂଶ୍ଳିଷ୍ଟ ଏହା ସ୍ପଷ୍ଟ ଜଣାପଡ଼େ । ରୌଦ୍ର ଏବଂ ଦୃଷ୍ଟି, ଶୀତ ଏବଂ ଗ୍ରୀଷ୍ମ ସଙ୍ଗରେ ଯୁଦ୍ଧ କରି ତାହାର ମୁଖର ଭାବ କର୍କଶ; କିନ୍ତୁ ସେଥିରେ ବୀରତ୍ୱର ଚିହ୍ନ ନାହିଁ । ଏତେ ଅଳ୍ପ ବୟସରେ ସୁଦ୍ଧା ତାହାର କପାଳ ଅତ୍ୟନ୍ତ ସଙ୍କୁଚିତ ହୋଇଯାଇଛି—ତାହାର କାରଣ ଆଉ କିଛି ନୁହେଁ, ପ୍ରଚଣ୍ଡ ସୂର୍ଯ୍ୟକିରଣ ଯେତେବେଳେ ତାହାର ମସ୍ତକର ପଡ଼େ ସେ ଭ୍ରୁକୁଞ୍ଚନ କରେ ଏବଂ ଭଲ ମନ୍ଦ ଯେ କୌଣସି ଉପାୟରେ ହେଉ କିପରି ସେ ଧନୀ ହେବ, ଏହି ଚିନ୍ତାରେ ସେ ଅଧିକାଂଶ ସମୟ କଟାଏ ।

 

ଦିନେ ସନ୍ଧ୍ୟା ସମୟରେ ବୁଲୁ ବୁଲୁ ସେ ଗୋଟିଏ ନଦୀକୂଳରେ ଆସି ପହଞ୍ଚିଲା । କୌଣସି କାରଣରୁ ସେ ଦିନ ସେ ତାହାର ଗଧ ଏବଂ ବାସନଗୁଡ଼ିକ ଗ୍ରାମରେ ରଖି ଆସିଥିଲା । ସେ ଆଜି ଏକା, ସୁତରାଂ ତାହାର ମନଟା ନାନାପ୍ରକାର ବାଜେ ଚିନ୍ତାରେ ପୂର୍ଣ୍ଣ ଥିଲା । ସେ ଦିନ ଜ୍ୟୋତ୍ସ୍ନା ରାତ୍ରି ଏବଂ ତାରାମାନେ ଆକାଶରେ ମଧୁର କିରଣ ଢାଳୁଥିଲେ । କିନ୍ତୁ ପିଟରର ସେଥିପ୍ରତି ଆଦୌ ଦୃଷ୍ଟି ନଥିଲା । କିଛି ସମୟ ପରେ ସେ ଗ୍ରାମକୁ ଫେରିଲା । ଯାଉଁ ଯାଉଁ ଗୋଟିଏ ଗଳି ପଡ଼ିଲା । ଏ ବାଟେ ଗଲେ ଶୀଘ୍ର ଘରେ ପହଞ୍ଚିବ, ଏହା ଭାବି ସେ ସଡ଼କ ଛାଡ଼ି ଗଳି ବାଟେ ଯିବାକୁ ଆରମ୍ଭ କଲା । ସେ ପଥଟା ଭାରି ଅନ୍ଧାର, ଦୁଇ ପାଖରେ ଜଙ୍ଗଲ । ଏପରି ନିର୍ଜନ ଅନ୍ଧାରୁଆ ବାଟରେ ଯିବାକୁ ତାହାର ଟିକିଏ ସୁଦ୍ଧା ଭୟ ହେଲା ନାହିଁ, ସେ ନିର୍ଭୀକ ଭାବରେ ଯିବାକୁ ଲାଗିଲା । କିନ୍ତୁ କିଛିଦୂର ଯାଇ ସେ ବୁଝିପାରିଲା ଯେ, ସେ ଭୁଲ କରିଛି । ବୃଥାରେ ଏତେଗୁଡ଼ାଏ ବାଟ ଚାଲି ସେ କେବଳ ଶକ୍ତି ନଷ୍ଟ କରିଛି, ଏହା ଭାବି ସେ ମନେ ମନେ ଭାରି ବିରକ୍ତ ହେଲା । କିନ୍ତୁ କଣ କରିବ ? ନିକଟରେ କୌଣସି ଲୋକାଳୟ ଅଛି କି ନାହିଁ ଦେଖିବାପାଇଁ ସେ ଆହୁରି କିଛିଦୂର ଅଗ୍ରସର ହେଲା । କିଛିଦୂର ଆସି ସେ ଗୋଟିଏ ପୋଖରୀ ଦେଖିଲା । ପୋଖରୀ କୂଳରେ ଗୋଟିଏ ଗଧ ସ୍ଥିରଭାବରେ ଶୋଇ ରହିଥିବାର ଦେଖିଲା । ଗଧଟାକୁ ଦେଖିଲା ମାତ୍ରକେ ଏହି ଚିନ୍ତା ତାହାର ମନରେ ହେଲା—ସେଇଟାକୁ ନେଇ ତାର ଦଳରେ ପୂରାଇ କାମ କରାଇବା । ଏହା ସ୍ଥିର କରି ସେ ଗଧ ନିକଟକୁ ଯାଇ ତାହାର ପିଠି ଉପରେ ଚଢ଼ି ବସିଲା ଏବଂ ଚାବୁକାରେ ତାକୁ ଖୁବ୍‍ ପିଟିବାକୁ ଲାଗିଲା । କିନ୍ତୁ ଗଧଟା ଟିକିଏ ସୁଦ୍ଧା ହଲିଲା ନାହିଁ । ପିଟର ଆଶ୍ଚର୍ଯ୍ୟ ହୋଇ ଭାବିଲା, ‘‘ଏ କଣ ? ମୋ ବିରୁଦ୍ଧରେ କେହି ଷଡ଼ଯନ୍ତ୍ର କରିଛି କି ? ଏହି ଗଧର ଅଧିକାରୀ କଣ ଏଠାରେ କେଉଁଠି ଲୁଚି ରହି ମୋର କାର୍ଯ୍ୟକଳାପ ଦେଖୁଛି ?’’ ପୁଣି ସେ ଗଧକୁ ମାରିବାକୁ ଆରମ୍ଭ କଲା । ଅନେକକ୍ଷଣ ପରେ ଗଧଟା ଉଠି ଛିଡ଼ା ହେଲା । ପିଟର ତା ପିଠି ଉପରୁ ଓହ୍ଲାଇ ପଡ଼ିବାମାତ୍ରକେ ସେ ତାହା ଚାରିପାଖରେ ବୁଲିବାକୁ ଲାଗିଲା ଏବଂ ତାହା ଆଡ଼କୁ କରୁଣ ଭାବରେ ଚାହିଁବାକୁ ଲାଗିଲା । ତାହାର ଦୃଷ୍ଟିରୁ ମନେ ହେଲା, ଯେପରି ସେ ପୋଖରୀ ଆଡ଼କୁ ଚାହିଁବାକୁ ପିଟରକୁ ଅନୁରୋଧ କରୁଛି । ପିଟରର କିନ୍ତୁ ତେଣିକି ଆଦୌ ଦୃଷ୍ଟି ନ ଥିଲା । ସେ କ୍ରମାଗତ ଗଧଟାକୁ ମାରିବାକୁ ଲାଗିଲା; କିନ୍ତୁ ଗଧଟା କୌଣସିମତେ ପାଦେ ଘୁଞ୍ଚିଲା ନାହିଁ । ଅବଶେଷରେ ସେ ମନର ଯନ୍ତ୍ରଣାରେ ଗର୍ଜନ କରିବାକୁ ଲାଗିଲା । ଗଧଟା ଯେ ଭୟଙ୍କର ରୋଗା—ହାଡ଼ ଚାରିଖଣ୍ଡ କେବଳ ସାର । ପିଟର ମନରେ କିନ୍ତୁ ଟିକିଏ ସୁଦ୍ଧା ଦୟା ହେଲା ନାହିଁ, ବରଂ ଗଧଟା ତାହାର ବିଶେଷ କୌଣସି କାମରେ ଲାଗିବ ନାହିଁ ଭାବି ସେ ଆହୁରି ରାଗିଗଲା । ‘‘ଆରେ ନିର୍ବୋଧ ! ଦେଖ, ତୋର ଅବସ୍ଥା କଣ ହେବ । ତତେ ମୁଁ ଏ ପୋଖରୀରେ ବୁଡ଼ାଇ ଦେବି ।’’ ଏହା କହି ସେ ଗଧଟାକୁ ପୋଖରୀ ନିକଟକୁ ଘେନିଗଲା । ଗଧଟା ଗୋଟାଏ ବିକଟ ଚିତ୍କାର କଲା । ଗଧର ଏହିପରି ଯନ୍ତ୍ରଣା ଦେଖି ପିଟର ମନେ ମନେ ଭାରି ଖୁସି ହେଲା । କିନ୍ତୁ ତାହାର ଏ ଆନନ୍ଦ ବେଶିକ୍ଷଣ ରହିଲା ନାହିଁ । ହଠାତ୍ ଟା ମନଟା ଭୟରେ ପୂର୍ଣ୍ଣ ହୋଇଗଲା; ସେ ସ୍ପଷ୍ଟ ଶୁଣିଲା, ନିକଟରେ କିଏ ଶବ୍ଦ କରୁଛି । ସେ ଚମକି ପଡ଼ି ଚାରିଆଡ଼କୁ ଚାହିଁଲା । ଦେଖିଲା; ଚନ୍ଦ୍ର ଯେପରି ତାକୁ ଚାହିଁଛି, ଆକାଶ ପାହାଡ଼ ପର୍ବତ ସମସ୍ତେ ଯେପରି ଭୀଷଣ ମୂର୍ତ୍ତି ଧରିଛନ୍ତି । କୌଣସି ଭୌତିକ ଶକ୍ତିଦ୍ୱାରା ଏ ସବୁ ହେଉଛି କି ? ପୁଣି ପିତାର ଚାରିଆଡ଼କୁ ଚାହିଁଲା—ଦେଖିଲା, ସମସ୍ତେ ପୂର୍ବବତ ତାହାର କାର୍ଯ୍ୟକଳାପ ଦେଖୁଛନ୍ତି । ଏ ସବୁକୁ ସେ ବିଶେଷ ଗ୍ରାହ୍ୟ କଲା ନାହିଁ । କେବଳ ତାହାର ପ୍ରଧାନ ଭୟ, ଯଦି କୌଣସି ମନୁଷ୍ୟ ତାହାର ଏହି ଚୋରି ଦେଖେ ? ତତକ୍ଷଣାତ ଉପସ୍ଥିତ ବୁଦ୍ଧି ଆସିଲା । ଯଦି କେହି ଦେଖେ, ତାହାହେଲେ ସେ କହିବ ସେ ଏହି ଦୁର୍ବଳ ପ୍ରାଣୀଟିକୁ ଉଠିବାପାଇଁ ସାହାଯ୍ୟ କରୁଛି । ଏହା ସ୍ଥିର କରି ସେ ପୁଣି ବାଡ଼ି ଉଠାଇଲା । କିନ୍ତୁ ହଠାତ୍ ପାଣିକୁ ଚାହିଁ ଛିଡ଼ା ହୋଇଗଲା । ଏ କଣ ? ଏ କଣ ଚନ୍ଦ୍ରର ପ୍ରତିଚ୍ଛବି ? ମେଘର ଛାୟା ? ଏ କଣ ତାର ନିଜର ଛାୟା ? ନା କୌଣସି ଭୁତ ଅବା ଜଳଦେବତାର ମୂର୍ତ୍ତି ? ସେ ଆଖି ଫେରାଇ ନେବାକୁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ । ଯେପରି କୌଣସି ମନ୍ତ୍ରଶକ୍ତିବଳରେ ତାହାର ଆଖି ସେହି ଆଡ଼େ ଲାଗି ରହିଲା । ତାହାର ଛାତି ଥରିବାକୁ ଲାଗିଲା, ଶରୀର ରୋମାଞ୍ଚିତ ହୋଇ ଉଠିଲା । ସେ ଚିତ୍କାର କରି ଅଜ୍ଞାନ ହୋଇ ସେହି ଗାଢ଼ ନିକଟରେ ପଡ଼ିଗଲା । କିଛିକ୍ଷଣ ପରେ ଆସ୍ତେ ଆସ୍ତେ ତାହାର ଚେତନା ଫେରି ଆସିଲା, ସେ ଆସ୍ତେ ଆସ୍ତେ ଆଖି ଫିଟାଇଲା, ଦେଖିଲା, ତାହାର ସେ ବାଡ଼ିଖଣ୍ଡି ତା ନିକଟରେ ରହିଛି । ମନଟା ଟିକିଏ ଶାନ୍ତ ହେଲା । ସେ କହିଲା, ଓଃ ! ମୁଁ ମରି ନାହିଁ, ଏହି ପୃଥିବୀରେ ଅଛି ।’’ ମନରେ ସାହାସ ଧରି ସେ ପାଣି ନିକଟକୁ ଯାଇଁ ଦେଖିଲା, ପାଣି ଭିତରେ ଗୋଟିଏ ମନୁଷ୍ୟର ମୃତଦେହ ପଡ଼ି ରହିଛି । ସେ ତାହାର ବାଡ଼ିରେ ସେହି ମୃତଦେହକୁ ଟାଣି ଟାଣି ଘାସ ଉପରକୁ ଆଣିଲା । ଏ ଯେ ସେହି ଗଧଟାର ମୁନିବ ଏ କଥା ବୁଝିବାକୁ ଆଉ ତାହାର ବିଳମ୍ବ ହେଲା ନାହିଁ । ଗଧ ଏହା ଦେଖିଲାକ୍ଷଣି ଏକ ଅଦ୍‍ଭୂତ ଶବ୍ଦ କରି ଉଠି ଆସି, ଯେଉଁ ନିଷ୍ଠୁର ହାତରେ ପିଟର ଅଳ୍ପକ୍ଷଣ ପୂର୍ବେ ତାକୁ ଏତେ ଯନ୍ତ୍ରଣା ଦେଇଥିଲା, ସେହି ହାତ ଚାଟିବାକୁ ଲାଗିଲା । ଏହିପରି ସେ ତାହାର କୃତଜ୍ଞତା ଦେଖାଇ ସାରି ପିଟର ସମ୍ମୁଖରେ ଆଣ୍ଠେଇପଡ଼ି ଇଙ୍ଗିତରେ ତାକୁ ତା ପିଠି ଉପରେ ଚଢ଼ିବାକୁ କହିଲା । ପିଟର ମନେ ମନେ କହିଲା, ‘‘ମୋର ବର୍ତ୍ତମାନ ଯିବା ଉଚିତ । ବୋଧହୁଏ ଏ ଗଧ ମତେ ଏହି ମୃତ ଲୋକର ଘରକୁ ଘେନିଯିବ ।’’

 

ପିଟରକୁ ପିଠିରେ ବସାଇ ଗଧ ଯିବାକୁ ଲାଗିଲା । କି ଉତ୍ସାହ ତାହାର ! ଚାରିଦିନ ହେଲା ସେ ଯେ ସେଠାରେ ତାହାର ପ୍ରଭୁ ନିକଟରେ ପଡ଼ି ରହିଛି, ନିକଟରେ କେତେ ପୁରୁଣା ଘାସ ଶୁଖିଗଲା, କେତେ ସରସ କୋମଳ ଘାସ ଜନ୍ମିଲା, ସେ ତାକୁ ସ୍ପର୍ଶ ମଧ୍ୟ କରି ନାହିଁ । କିଛିଦୂର ଯିବାପରେ ଗୋଟିଏ କରୁଣ କ୍ରନ୍ଦନ ଧ୍ଵନି ଶୁଣାଗଲା । ଏପରି କରୁଣ ସ୍ଵର ପିଟର ପୂର୍ବେ କେବେ ଶୁଣି ନାହିଁ । କାହାର ସ୍ଵର ଏ ? ଏ ତ କୌଣସି ବନ୍ୟଯନ୍ତୁର ସ୍ଵର ନୁହେଁ । ଏ ସ୍ଵର ଶୁଣି ଗଧଟା ଟିକିଏ ଛିଡ଼ା ହୋଇଗଲା ଏବଂ ହଠାତ୍ ତାହାର ଗତି ଫେରାଇ ସ୍ୱରକୁ ଅନୁସରଣ କରି ଦ୍ରୁତଗତିରେ ଦୌଡ଼ିବାକୁ ଲାଗିଲା । ପିଟର ମନ ପୁଣି ଭୟରେ ଆଚ୍ଛନ୍ନ ହେଲା । ଆହା ! ଏ ସ୍ଵର ତ କୌଣସି ପ୍ରେତର ନୁହେଁ, ଏ ଯେ ସେହି ମୃତବ୍ୟକ୍ତିର ପୁତ୍ରର କରୁଣ ସ୍ଵର ! ସେ ସମସ୍ତ ଦିନ ଗ୍ରାମ ଚାରିପାଖ ବୁଲି ତାହାର ପିତାକୁ ଖୋଜିଛି । ତାହାର ସବୁ ପରିଶ୍ରମ ବୃଥା ହୋଇଗଲା । ସନ୍ଧ୍ୟା ସମୟରେ ଶ୍ରାନ୍ତ କ୍ଳାନ୍ତ ହୋଇ, ବିଚାର ଏକା ବସି କାନ୍ଦୁଛି !

 

ଗଧ ସେହି ସ୍ଵର ଅନୁସରଣ କରିବାକୁ ଯଥେଷ୍ଟ ଚେଷ୍ଟାକଲା, କିନ୍ତୁ ପାରିଲା ନାହିଁ । କ୍ରମଶଃ ସ୍ଵର ଅସ୍ପଷ୍ଟ ହେବାକୁ ଲାଗିଲା ଏବଂ ଗଧ ତାହାର ମୁନିବର ଗୃହକୁ ଦୌଡ଼ିବାକୁ ଲାଗିଲା । ଯେଉଁ ପଥରେ ସେ ଗଲା, ସେ ପଥଟା ବଡ଼ ସଙ୍କୀର୍ଣ୍ଣ, ଦୁଇ ପାର୍ଶ୍ଵରେ ଅନେକ ପ୍ରକାର ବୃକ୍ଷଲତା । ପିଟର ଦୁଇପାର୍ଶ୍ଵକୁ ଚାହିଁଲା, ତାହାର ମନେ ହେଲା, ଯେପରି ପ୍ରତ୍ୟେକ ଲତାର ଅନ୍ତରାଳରେ ଭୀଷଣ ମୂର୍ତ୍ତୀ ସବୁ ତା ପ୍ରତି କଟାକ୍ଷପାତ କରୁଛନ୍ତି । ହାତ ବଢ଼ାଇ ଯେପରି ତାକୁ ଧରି ଶାସ୍ତି ଦେବାକୁ ଚେଷ୍ଟା କରୁଛନ୍ତି । ସେ ବେଶ୍‍ ବୁଝିପାରିଲା, ସେ ଦିନ ରାତ୍ରିରେ ତା କପାଳରେ ଗୋଟାଏ କିଛି ଭୀଷଣ ଉପଦ୍ରବ ଘଟିବ । ଭୟରେ ସେ ନିଶ୍ଚଳ ହୋଇ ବସି ରହିଲା, ଶେଷଫଳ ଦେଖିବାପାଇଁ ଉଦଗ୍ରୀବ ହୋଇ ଚାହିଁ ରହିଲା ।

 

ସେ ସଙ୍କୀର୍ଣ୍ଣ ପଥ ଛାଡ଼ି ସେମାନେ ଗୋଟାଏ ଖୋଲା ଜାଗାକୁ ଆସିଲେ । ଏଠାରେ କୌଣସି ବୃକ୍ଷଲତା ନାହିଁ କିମ୍ବା କୌଣସି ଭୀଷଣ ମୂର୍ତ୍ତି ମଧ୍ୟ ନାହିଁ । କିନ୍ତୁ ଏ କଣ ? ଏ ନିଶ୍ଚୟ କୌଣସି ପ୍ରତିଶୋଧାକାଂକ୍ଷୀର ପଦଶବ୍ଦ । ପିଟରର ନିଃଶ୍ୱାସ ଜୋରରେ ପଡ଼ିବାକୁ ଲାଗିଲା । ସେ ଭୟରେ ପଛକୁ ଅନାଇ ଦେଖିଲା, ପବନରେ ଗୋଟାଏ ପତ୍ର ପଛରେ ଉଡ଼ିଆସୁଛି । ଏହା ଦେଖି ମଧ୍ୟ ତା ମନରେ କୌଣସି ସାନ୍ତ୍ୱନା ଆସିଲା ନାହିଁ । ପଛକୁ ଅନାଇ ସେ ଆଉ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲା, ରାସ୍ତାରେ ଭୀଷଣ ରକ୍ତ ଚିହ୍ନ । ଯେତେଥର ସେ ଫେରି ଚାହିଁଲା, ସେତେଥର ସେ ଏହି ରକ୍ତଚିହ୍ନ ଦେଖିଲା । ସେ ବାଡ଼ି ଦ୍ୱାରା ଗଧ ପିଠିରେ ଯେଉଁ ଆଘାତ କରିଥିଲା, ଏ ସେହି ରକ୍ତଚିହ୍ନ । ଏ ସବୁ ତାହାର ନିଷ୍ଠୁରତାର ଚିହ୍ନ । ନିରାଶାରେ ସେ ମ୍ରିୟମାଣ ହୋଇଗଲା, ବିବେକଶକ୍ତି ତାହାର ଜାଗ୍ରତ ହୋଇ ଉଠିଲା ଏବଂ ତୀକ୍ଷ୍ଣଧାର ତରବାରି ଆଘାତର ଯନ୍ତ୍ରଣାପରି ତାହାର ଅନ୍ତର ଜଳିବାକୁ ଲାଗିଲା । କିନ୍ତୁ ସେ ଭଲକରି ପରୀକ୍ଷା କରି ଦେଖିଲା, ଆଘାତ କିଛି ଗୁରୁତର ନୁହେଁ । ସେତେବେଳେ ତା ମନରେ ଟିକିଏ ଶାନ୍ତି ଆସିଲା । ସେ ପୁଣି ତା ମନକୁ ବେଶ୍‍ ଶକ୍ତକରି ଆପଣା ମନକୁ କହିଲା, ‘‘ମୁଁ କିଛି ମନ୍ଦ କାର୍ଯ୍ୟ କରିନାହିଁ । ମୁଁ ଯଦି ଏଠାକୁ ନ ଆସିଥାନ୍ତି, ତେବେ ସେ ମୃତବ୍ୟକ୍ତି ସେହିପରି ସେଠାରେ ପଡ଼ିଥାନ୍ତା । କେହି କେବେ ତାକୁ ଖ୍ରୀଷ୍ଟିୟାନପରି କବର ଦେଇ ନ ଥାନ୍ତେ । ଆଉ ମୁଁ ତ ବାସ୍ତବିକ ଏ ଗଧକୁ ଚୋରି କରୁ ନ ଥିଲି, ଏହାଦ୍ୱାରା ମୋର ଅବା କି କାମ ହେବ ?’’

 

ସେ ତାହା ପକେଟରୁ ଚୁରୁଟ ବାକସ କାଢ଼ି ଚୁରୁଟ ଖାଇବାକୁ ଲାଗିଲା । ପୁଣି ଗୋଟାଏ ଅଦ୍ଭୁତ ଶବ୍ଦ ଶୁଣାଗଲା । ପିଟର ଭୟରେ ଥରିବାକୁ ଲାଗିଲା । ତାହାର ମନେ ହେଲା, ପୃଥିବୀ ଯଦି ଫାଟିଯାନ୍ତା, ସେ ତା ଭିତରେ ପଶି ରକ୍ଷାପାନ୍ତା । ନିଜକୃତ ପୂର୍ବ ପାପକଥା ସବୁ ମନେ ପଡ଼ିଗଲା । ତା’ ପରେ ସେ ବୁଝିପାରିଲା, ଏ ଶବ୍ଦ ଖଣିରେ କାର୍ଯ୍ୟ କରୁଥିବା ଲୋକମାନଙ୍କର କୋଳାହଳ । ତା’ ପରେ ସେ ଶୁଣିଲା, ପାଦ୍ରୀ ସାହେବ ଗିର୍ଜାରେ ଉପଦେଶ ଦେଉଛନ୍ତି । ତାଙ୍କ ଉପଦେଶର ଗୋଟିଏ ବାକ୍ୟ ତାହାର କର୍ଣ୍ଣରେ ପ୍ରବେଶ କଲା—

 

‘‘ତୁମ୍ଭେମାନେ ଅନୁତାପ କର, ତାହାହେଲେ ଭଗବାନଙ୍କର କରୁଣା ପାଇବ । ସମଗ୍ର ଶକ୍ତିଦେଇ ଭଗବାନଙ୍କୁ ସେବାକର, ତାଙ୍କରି ଆଡ଼କୁ ଅଗ୍ରସର ହୁଅ, ଦିନ ରାତି ତାହାଙ୍କୁ ଅନ୍ୱେଷଣ କର, ତୁମ୍ଭମାନଙ୍କ ମନକୁ ଜାଗ୍ରତ ରଖ ।’’

 

ପିଟରର ମନ ଯେପରି ନିରାଶାରେ ବୁଡ଼ି ନ ଯାଏ ସେଥିପାଇଁ ବୋଧହୁଏ ପାଦ୍ରୀ ଏପରି କହିଲେ । ଯଦି ତାହାର ଅନୁତାପ ଆସିଥାଏ, ତେବେ ସେ ପୂର୍ବକୃତ ପାପର ଶାସ୍ତିରୁ ରକ୍ଷାପାଇବ । ଜୀବନରେ ଏହି ପ୍ରଥମେ ତା ମନ ନରମ ହେଲା । ତାହାର ଦୁଇଚକ୍ଷୁରୁ ଅନୁତାପର ଅଶ୍ରୁ ବହିଗଲା ।

 

କ୍ରମେ ସେମାନେ ମୃତଲୋକର ଗୃହର ନିକଟବର୍ତ୍ତୀ ହୋଇ ପଡ଼ିଲେ । ଗଧ ଶାନ୍ତଭାବରେ ଯାଇଁ ମୁଣ୍ଡରେ କବାଟ ଠେଲି ଫିଟାଇଲା । ସେମାନେ ସେହି ନିର୍ଜନ ଘରେ ପ୍ରବେଶ କଲେ । କିପରି ଭାବରେ ସମ୍ବାଦ ଦେବାକୁ ହେବ, ପିଟର ପ୍ରଥମେ କିଛି ଭାବିପାରିଲା ନାହିଁ । ଗୋଟାଏ ଛୋଟ ବାଳିକା ଗିର୍ଜାକୁ ଯିବାପାଇଁ ଘରୁ ବାହାରିଆସିଲା । ସେ ତାଙ୍କର ଗଧକୁ ଏବଂ ତା ଉପରେ ଗୋଟିଏ ଲୋକକୁ ଦେଖି ଆନନ୍ଦରେ ଚିତ୍କାର କରି ଉଠିଲା—‘‘ହେଇ ତ ବାପା ଆସିଲେଣି’’ ଏହା କହି ସେ ଘରକୁ ଦୌଡ଼ିଗଲା । ବାଳିକାର ମାତା ଏ କଥା ଶୁଣି ତତ୍‍କ୍ଷଣାତ ବାହାରକୁ ଆସି ଦେଖିଲେ, ଏ ତ ତାଙ୍କର ସ୍ୱାମୀ ନୁହନ୍ତି । ଏ ବ୍ୟକ୍ତିର ମୁଖ ବିଷର୍ଣ୍ଣ ଓ ମଳିନ, ଗଧଟା ଶ୍ରାନ୍ତ, ଏହା ଦେଖି ସେ ସବୁ ବୁଝିପାରିଲେ ।

 

ପିଟର ତାଙ୍କୁ ଯଥାସାଧ୍ୟ ସାନ୍ତ୍ୱନା ଦେଲା । ଯେତେବେଳେ ସେ ଟିକିଏ ଶାନ୍ତ ହେଲେ, ପିଟର ସମସ୍ତ ଘଟନା ବର୍ଣ୍ଣନା କଲା । କ୍ରମଶଃ ପିଟରର ମନ ନରମ ହେବାକୁ ଲାଗିଲା । କିନ୍ତୁ ଯେତେବେଳେ ଗୋଟିଏ କ୍ଷୁଦ୍ର ଶିଶୁ ତାହାର ପିତା ଆସିଲେଣି ଭାବି ଗଧ ପାଖକୁ ଆସି ତାକୁ ଆଲିଙ୍ଗନ କରି ଆଦର କଲା, ସେତେବେଳେ ପିଟର ଆଉ ସହ୍ୟ କରି ପାରିଲା ନାହିଁ—ବାଳକ ପରି ଚିତ୍କାର କରି କାନ୍ଦିବାକୁ ଲାଗିଲା ।

 

କିଛିକ୍ଷଣ ପରେ ଜଣେ ପ୍ରତିବେଶୀର ଗୋଟିଏ ଘୋଡ଼ା ନେଇ ସେମାନେ ମୃତଦେହକୁ ଆଣିଲେ ଏବଂ ଗିର୍ଜାହତାର କବର ଦେଲେ । ଗଧଟା ଅନେକ ଦିନ ପର୍ଯ୍ୟନ୍ତ ବଞ୍ଚିଥିଲା ଏବଂ ନାନାଭାବରେ ବିଧବା ଏବଂ ତାଙ୍କର ସନ୍ତାନମାନଙ୍କର ସେବାକରିଥିଲା ।

 

ପିଟରର ମନ ସେହି ଦିନଠାରୁ ପରିବର୍ତ୍ତିତ ହୋଇଗଲା । ସେ ତାହାର ମନ୍ଦ ଅଭ୍ୟାସ ସବୁ ଛାଡ଼ିଦେଲା ଏବଂ ବର୍ଷକ ମଧ୍ୟରେ ଜଣେ ସାଧୁ ପୁରୁଷ ହୋଇଗଲା ।

Image

 

ବାଳିକାର ହୃଦୟ

 

ଫିଲିପ ଯେତେବେଳେ ଲଣ୍ଡନ ପରିତ୍ୟାଗ କରିବାକୁ ମନସ୍ଥ କଲେ, ସେତେବେଳେ ତାଙ୍କୁ କୋଡ଼ିଏ ବର୍ଷ ମାତ୍ର ହୋଇଥିଲା । ତାଙ୍କୁ ପରାମର୍ଶ ଦେବାପାଇଁ ତାଙ୍କର କୌଣସି ଆତ୍ମୀୟ ନ ଥିଲେ । ବନ୍ଧୁମାନେ ତାଙ୍କୁ ମନା କରିଥିଲେ; କିନ୍ତୁ ସେ ଶୁଣିଲେ ନାହିଁ । ହଠାତ୍ ଲଣ୍ଡନ ଛାଡ଼ି କୁଇନସ୍‍ଲାଣ୍ଡକୁ ଯିବାର କୌଣସି ଯୁକ୍ତିଯୁକ୍ତ କାରଣ ମଧ୍ୟ ସେ ଦେଲେ ନାହିଁ । ଶେଷରେ ଆମ୍ଭେମାନେ ଅନୁମାନ କଲୁଁ, ନିଶ୍ଚୟ କୌଣସି ରମଣୀ ପ୍ରତି ଆକୃଷ୍ଟ ହୋଇ ସେ ଯାଉଅଛନ୍ତି; କିନ୍ତୁ ସେ ରମଣୀ କିଏ ନ ଜାଣିବାରୁ ଏ ଅନୁମାନଟା ମନୋମତ ହୋଇନାହିଁ ।

 

ସେଠାକୁ ଯାଇ ପ୍ରଥମେ ସେ ମୋତେ ସର୍ବଦା ଚିଠି ଲେଖୁଥିଲେ । ତା’ ପରେ ପ୍ରାୟ ୬ ମାସ ନୀରବତାପରେ ଖଣ୍ଡେ ଚିଠିପାଇଲି । ସେ ଲେଖିଥିଲେ, ‘‘ମୁଁ ବିବାହ କରିଅଛି ।’’ ମୁଁ ଖୁସୀ ହୋଇ ତାଙ୍କୁ ମୋର ହୃଦୟର ଆନନ୍ଦ ଜଣାଇ ଖଣ୍ଡେ ଚିଠି ଲେଖିଲି ଓ ଗୋଟିଏ ଉପହାର ପଠାଇଲି । ସେ ଚିଠିର କୌଣସି ଉତ୍ତର ପାଇଲି ନାହିଁ । ପ୍ରାୟ ଏକବର୍ଷ ପରେ ସମ୍ବାଦପତ୍ରରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁସମ୍ବାଦ ପାଇଲି । ସହାନୁଭୂତି ଜଣାଇ ପୁଣି ଖଣ୍ଡେ ପତ୍ର ଲେଖିଲି, କିନ୍ତୁ କୌଣସି ପାଇଲି ନାହିଁ । ପ୍ରାୟ ଦୁଇବର୍ଷ ପରେ ଦିନେ ଖଣ୍ଡେ ଚିଠି ପାଇଲି—

 

ପ୍ରିୟ ଏଡୁଆର୍ଡ଼,

 

ତୁମେ ବୋଧହୁଏ ମୋ ଉପରେ ବିରକ୍ତ ହୋଇ ଚିଠି ଲେଖା ବନ୍ଦ କରିଅଛ । ମୁଁ କେତେଥର ତୁମ ନିକଟକୁ ଚିଠି ଲେଖେ; କିନ୍ତୁ ଡାକରେ ଦେବାକୁ ଭୁଲିଯାଏଁ । ତୁମେ କହିଥିଲ, ମୁଁ ଯଦି ଲଣ୍ଡନକୁ ଫେରି ଆସେ, ତେବେ ତୁମେ କ୍ଷମା କରିବ । ବର୍ତ୍ତମାନ ମୁଁ ଲଣ୍ଡନକୁ ଫେରି ଆସିଲିଣି । ତୁମର ମନେ ଅଛି ବୋଧହୁଏ, ମୁଁ ଥରେ ତୁମକୁ ସିଣ୍ଡେନ କଥା କହିଥିଲି । ବର୍ତ୍ତମାନ ସେହି ସିଣ୍ଡେନ ମୁଁ କିଣିଅଛି । ଉଇଲମେ ଓ ମୁଁ ଅନୁରୋଧ କରୁଅଛୁଁ, ତୁମେ ଥରେ ଏଠାକୁ ଆସି ଆମ ସଙ୍ଗରେ କିଛିଦିନ ରହିବ । ଇତି ।

 

ତୁମର

ଫିଲିପ

 

ପୁନଶ୍ଚ—‘‘ଉଇଲମେ ମୋର ସନ୍ତାନ ।’’

 

ଚିଠି ଖଣ୍ଡ ପାଇ ମନ ବଡ଼ ବ୍ୟାକୁଳ ହେଲା । ତତ୍‍କ୍ଷଣାତ୍‍ ଲେଖିଦେଲି ଯେ, ମୁଁ ପରଦିନ ଯିବି ।

 

ଷ୍ଟେସନକୁ ଆସି ଦେଖେ, ଟ୍ରେନ ଚାଲିଗଲାଣି । ପର ଟ୍ରେନ ଆସିବାକୁ ଆହୁରି ପ୍ରାୟ ଘଣ୍ଟାଏ ଡେରି ହେବ । ଷ୍ଟେସନରେ ବୁଲୁ ବୁଲୁ ହଠାତ୍ ମନେ ପଡ଼ିଲା, ଉଇଲମେ ପାଇଁ ତ କିଛି ନେଇ ନାହିଁ; କଣ ବା ନେବି । ସେ ପୁତ୍ର କି କନ୍ୟା ଜାଣେ ନାହିଁ । ଶେଷରେ ସ୍ଥିର କଲି, ପୁତ୍ର ହେଉ ବା କନ୍ୟା ହେଉ, ଚକୋଲେଟ ସମସ୍ତଙ୍କର ପ୍ରିୟ । ସୁତରାଂ କିଛି ଚକୋଲେଟ କିଣିଲି ।

 

ଷ୍ଟେସନରେ ଓହ୍ଲାଇ ଦେଖିଲି, ଫିଲିପ ନିଜେ ଗାଡ଼ି ନେଇ ମୋ ପାଇଁ ଅପେକ୍ଷା କରୁଅଛନ୍ତି । ସେଠାରୁ ତାଙ୍କ ଘର ଅଳ୍ପ ବାଟ । ଜିନିଷଗୁଡ଼ିକ ଗାଡ଼ିରେ ପଠାଇଦେଇ ଆମେ ଦୁହେଁ ଚାଲିକରି ଗଲୁ । ଏହି ବାରବର୍ଷ ଭିତରେ ଫିଲିପର କେତେ ପରିବର୍ତ୍ତନ ଯେ ହୋଇଛି—କିନ୍ତୁ ତାର ଚେହେରାଟି ଠିକ୍‍ ସେହିପରି ଅଛି । ମୁଁ କହିଲି, ତୁମକୁ ଦଶବର୍ଷର ସନ୍ତାନର ପିତା ବୋଲି ମନେ ହେଉ ନାହିଁ ।

 

‘‘ହଁ, ଉଇଲମେକୁ ବର୍ତ୍ତମାନ ଠିକ୍‍ ଦଶବର୍ଷ ।’’

 

‘‘ସେ ପୁତ୍ର ନା କନ୍ୟା’’

 

‘‘ସେ କନ୍ୟା ।’’

 

ଘରେ ପହଞ୍ଚିବାକୁ ରାତ୍ରି ହୋଇଗଲା । ମୋର ଜିନିଷପତ୍ର ଫିଟାଇ ସେହି ଚକୋଲେଟରୁ କିଛି ନେଇ ଗୋଟିଏ ଚାକରକୁ କହିଲି, ‘‘ଉଇଲମେ କଣ ଶୋଇବାକୁ ଗଲାଣି ?’’ ଚାକର କହିଲା, ‘‘ଆଜ୍ଞା ମୁଁ ଠିକ୍‍ ଜାଣେ ନାହିଁ, ଦେଖି ଆସୁଛି ।’’

 

କିଛିକ୍ଷଣ ପରେ ଆସି ଖବର ଦେଲା, ଉଇଲମେ ଶୋଇବାକୁ ଯାଇନାହିଁ । ମୁଁ ତା ହାତରେ ଚକୋଲେଟ ଦେଇ ଉଇଲମେକୁ ଦେବାକୁ କହିଲି । ଉଇଲମେ ସେହି ଚାକର ହାତରେ ମୋତେ କୃତଜ୍ଞତା ଜଣାଇଲା ।

 

ଆମେ ଦୁହେଁ ଖାଇବାକୁ ଗଲୁ । ଖାଉ ଖାଉ କେତେ ଗଳ୍ପ ହେଲା । କିନ୍ତୁ ଫିଲିପ ଥରେ ମଧ୍ୟ ତାଙ୍କ ସ୍ତ୍ରୀ କଥା କହିଲେ ନାହିଁ । କିଛିକ୍ଷଣ ପରେ ଆମ୍ଭେମାନେ ଉଠିଯାଇ ବାରନ୍ଦାରେ ବସିଲୁଁ । ଫିଲିପ କହିଲେ, ‘‘ତୁମେ ବିବାହ କଲ ନାହିଁ କାହିଁକି ?’’

 

‘‘ହଁ, ବାର୍ଥା ମଧ୍ୟ ମତେ ସର୍ବଦା ଏହି କଥା କହେ । ମୁଁ ତାକୁ କହେ, ମୋର ସେ ସୁଯୋଗ ଏ ପର୍ଯ୍ୟନ୍ତ ଘଟି ନାହିଁ ।’’

 

‘‘ନା, ବାସ୍ତବିକ ବିବାହ କରିବା ଉଚିତ ନୁହେଁ, କେଭେଁ ବିବାହ କରିବ ନାହିଁ ।’’

 

ସେ ଅନେକକ୍ଷଣ ନୀରବ ହୋଇ ରହିଲେ, ମୁଁ ଆଉ ଏ ପ୍ରସଙ୍ଗ ଉତ୍‍ଥାପନ କଲିନାହିଁ । କିଛିକ୍ଷଣ ପରେ ମୁଁ କହିଲି, ମତେ ଉଇଲମେ କଥା କହ, ସେ ଦେଖିବାକୁ କିପରି ? ଫିଲିପ ଟିକିଏ ହସି ପଛକୁ ଚାହିଁଲେ ଏବଂ ମତେ ନିଜେ ଦେଖିବାକୁ କହିଲେ ।

 

ମୁଁ ଚାହିଁଲି । ସମ୍ମୁଖ ଘରର ଦ୍ୱାର ଉନ୍ମୁନ୍ତ, ଉଇଲମେ ଦ୍ୱାର ନିକଟରେ ଛିଡ଼ାହୋଇଛି ।

 

ସେ ରାତ୍ରିବେଶ୍‍ ପିନ୍ଧିଥିଲା । ପାଦ ଯୋଡ଼ିକ ପାଦୁକାଶୂନ୍ୟ, ସୁନେଲି ରଙ୍ଗର କେଶଗୁଡ଼ିକ କଟିତଳକୁ ପଡ଼ିଛି । ସେ ଏକ ଦୃଷ୍ଟିରେ ତାହାର ପିତାକୁ ଓ ମତେ ଦେଖୁଥିଲା । ଗୋଟିଏ ହାତରେ ମୁଁ ଦେଇଥିବା ଚକୋଲେଟ ଧରିଥିଲା । ତାକୁ ଦେଖିଲେ ସ୍ୱର୍ଗୀୟ ପ୍ରତିମା ବୋଲି ମନେ ହୁଏ ।

 

ଫିଲିପ କହିଲେ, ଉଇଲମେ, ‘‘ଏ ମି: ଏଡୁଆର୍ଡ଼, ତୁମେ ଏଠାକୁ ଆସ, ତାଙ୍କ ସଙ୍ଗରେ କଥା କହ ।’’

 

ଉଇଲମେ ନିଃସଙ୍କୋଚରେ ଆସି ମୋ ନିକଟରେ ବସିଲା । ମୁଁ କହିଲି, ‘‘ତୁମକୁ କଣ ବୋଲି ଡାକିବି ?’’

 

‘‘ମତେ ତ ସମସ୍ତେ ଉଇଲମେ ବୋଲି ଡାକନ୍ତି ।’’

 

କିଛିକ୍ଷଣ ପରେ ସେ କହିଲା, ‘‘ଚକୋଲେଟ ପାଇଁ ତୁମକୁ ଅନେକ ଧନ୍ୟବାଦ । ଆଚ୍ଛା, ମୁଁ ଚକୋଲେଟ ଭଲ ପାଏ, ତୁମେ କିପରି ଜାଣିଲା ?’’

 

‘‘ସେଇଟା ମୋର ଅନୁମାନ ମାତ୍ର ।’’

 

‘‘ତୁମର ଅନୁମାନ ଖୁବ୍‍ ଠିକ୍‍ । ଦେଖ, ମୁଁ କେତେଗୁଡ଼ାଏ ଖାଇ ସାରିଲିଣି ।’’

 

ମୁଁ ତାକୁ ଏକ ସମୟରେ ଏତେ ଗୁଡ଼ିଏ ଖାଇବାକୁ ମନାକଲି । ହୁଏତ ସେଥିରେ ସେ ଅସୁସ୍ଥ ହୋଇପାରେ । କିଛିକ୍ଷଣ କଥାବାର୍ତ୍ତା ପରେ ସେ କହିଲା, ‘‘ଆମର ଗୋଟିଏ ପିଆନୋ ଅଛି; ଚାଲ ତୁମେ ବଜାଇବ ।’’ ମୁଁ ପିଆନୋ ବଜାଇଲି, ଉଇଲମେ ଖୁବ୍‍ ଖୁସି ହୋଇ ମୋଠାରୁ ବିଦାୟ ନେଇ ଶୟନ କରିବାକୁ ଗଲା । ସେ ଚାଲିଯିବା ପରେ ମୁଁ ଫିଲିପକୁ କହିଲି, ‘‘ତୁମେ କିପରି ପିତା-? ଏପରି ଛୋଟ ପିଲାକୁ ତୁମେ ଏପରି ଅବହେଳା କରୁଛ ? ସେ ଏତେ ରାତି ପର୍ଯ୍ୟନ୍ତ ଶୋଇନାହିଁ, ଖାଲି ଗୋଡ଼ରେ ବୁଲୁଛି । ଏପରି କଲେ ସେ ଅସୁସ୍ଥ ହୋଇପଡ଼ିବ ଯେ-?’’

 

ଫିଲିପ ଟିକିଏ ହସି କହିଲେ, ‘‘ତୁମେ ଏତେ ଭାବୁଛ କାହିଁକି ? ଉଇଲମେ ଏ ସବୁଥିରେ ଖୁବ୍‍ ଅଭ୍ୟସ୍ତ । ମୁଁ ତାକୁ ଲେଖାପଢ଼ା ଶିଖାଇଛି; କିନ୍ତୁ ଘୋଡ଼ା ଚଢ଼ିବା ପ୍ରଭୃତି ଶିକ୍ଷା ମଧ୍ୟ ଦେଇଛି । ତାକୁ ପଢ଼ାଇବା ପାଇଁ ଜଣେ ଶିକ୍ଷୟିତ୍ରୀ ଅଛନ୍ତି । ସେ ଯେପରି ପ୍ରକୃତିର ପିଲା, ମୋର ଏ ଅବହେଳାଦ୍ଵରା ତାର କୌଣସି କ୍ଷତି ହେବ ନାହିଁ । ତୁମେ ଅଳ୍ପଦିନ ମଧ୍ୟରେ ତାହା ବେଶ୍‍ ବୁଝିପାରିବ ।’’ ତା’ ପରେ ଆମ୍ଭେମାନେ ଶୟନ କରିବାକୁ ଗଲୁ ।

 

ପରଦିନ ମୋର ଉଠିବାକୁ ବଡ଼ ବିଳମ୍ବ ହେଲା । ମୁଁ ତରତର ହୋଇ ଉଠି ପୋଷାକ ପିନ୍ଧି ଘରୁ ବାହାରି ଦେଖେ, ଉଇଲମେ ବାହାରେ ମୋ ପାଇଁ ଅପେକ୍ଷା କରୁଅଛି । ମୋତେ ସାଦର ସମ୍ଭାଷଣ କରି ଚା ଖାଇବା କଥା ପଚାରିଲା । ମୁଁ ଧନ୍ୟବାଦ ଦେଇ ଆଉ ଟିକିଏ ଅପେକ୍ଷା କରିବାକୁ କହିଲି । ତା ପରେ ସେ ମୋତେ ତାର ବଗିଚା ଦେଖାଇବାକୁ ଘେନିଗଲା । ଏହିପରି ତା ସଙ୍ଗରେ ମୋର ଖୁବ୍‍ ଘନିଷ୍ଠ ପରିଚୟ ହୋଇଗଲା । ସେ ସବୁବେଳେ ମୋ ପାଖରେ ଥାଏ, ମୁଁ ତାକୁ କେତେ ଗଳ୍ପ କହେ, ସେ ବିସ୍ମିତ ହୋଇ ସବୁ ଶୁଣେ । ଦିନେ ସେ ମୋତେ ତାକୁ ପିଆନୋ ଶିଖାଇ ଦେବାକୁ ଅନୁରୋଧ କଲା । ଫିଲିପର ଅନୁମତି ନେଇ ମୁଁ ଗୋଟାଏ ସମୟ ନିର୍ଦ୍ଦିଷ୍ଟ କରି ତାକୁ ପିଆନୋ ଶିଖାଇଲି । ପିଆନୋ ଶିଖିବାର ଅତ୍ୟଧିକ ଆଗ୍ରହ ହେତୁରୁ ସେ ଅଳ୍ପଦିନ ମଧ୍ୟରେ ବେଶ୍‍ ଭଲ ଶିଖିଗଲା ।

 

କେତୋଟା ଦିନ ଫିଲିପ ଓ ଉଇଲମେ ସାଙ୍ଗରେ ସୁଖରେ କଟାଇ ମୁଁ ଫେରିଆସିଲି ।

 

ତାହାପରେ ତିନିବର୍ଷ ମଧ୍ୟରେ ମୁଁ କେତେଥର ଦୁଇ ଚାରିଦିନ ପାଇଁ ଯାଇ ସେମାନଙ୍କ ସଙ୍ଗସୁଖ ଭୋଗ କରିଅଛି । ଥରେ ମୋର ଭଗିନୀ ବାର୍ଥାକୁ ମଧ୍ୟ ନେଇ ଯାଇଥିଲି ।

 

ନଦୀତୀରରେ ମୋର ଗୋଟିଏ ଛୋଟ ବଙ୍ଗଳା ଥିଲା । ମୁଁ ଫିଲିପ ଓ ଉଇଲମେଙ୍କୁ ସେହି ବଙ୍ଗଳାରେ ମୋ ସଙ୍ଗରେ କିଛିଦିନ ରହିବାକୁ ନିମନ୍ତ୍ରଣ କଲି । ସେମାନଙ୍କର ଆସିବାର ସମସ୍ତ ସ୍ଥିର ହେଲା । ଯେଉଁଦିନ ଆସିବେ, ସେଇଦିନ ସକାଳେ ଖଣ୍ଡେ ଟେଲିଗ୍ରାମ ଫିଲିପଠାରୁ ପାଇଲି :—

 

‘ଶୀଘ୍ର ଏଠାକୁ ଆସ, ବଡ଼ ପ୍ରୟୋଜନ ।’

 

ମୁଁ ତତ୍‍କ୍ଷଣାତ୍‍ କେଉଁ ଟ୍ରେନରେ ଯିବି ଟେଲିଗ୍ରାମ କରି ଦେଇ ବାହାରି ପଡ଼ିଲି । ଷ୍ଟେସନରେ ଓହ୍ଲାଇ ଦେଖିଲି, ଫିଲିପର ଗାଡ଼ି ମୋ ପାଇଁ ଅପେକ୍ଷା କରୁଅଛି । ମୁଁ ଗାଡ଼ିରେ ଉଠି ଘଟଣା କଣ ପଚାରିଲି । ଗାଡ଼ୋୟାନ କହିଲା, ଫିଲିପ ଅତ୍ୟନ୍ତ ଅସୁସ୍ଥ ହୁଏତ ମୁଁ ଯାଇ ତାଙ୍କୁ ଜୀବିତ ଦେଖିବି କି ନାହିଁ ସନ୍ଦେହ ।

 

ମନଟା ବଡ଼ ଚଞ୍ଚଳ ହୋଇଉଠିଲା, ଶୀଘ୍ର ଗାଡ଼ି ଚଳାଇବାକୁ କହିଲି । ଖୁବ୍‍ ଶୀଘ୍ର ଆମ୍ଭେମାନେ ଘରେ ପହଞ୍ଚିଲୁ । ମୁଁ ଦ୍ୱାରରେ ଆଘାତ କରିବା ମାତ୍ରକେ ଜଣେ ଭଦ୍ରଲୋକ ଆସି ଦ୍ୱାର ଫିଟାଇଦେଲେ ଏବଂ ପଚାରିଲେ, ‘‘ଆପଣ କଣ ମି : ଏଡ଼ୱାର୍ଡ ? ଆପଣ ଠିକ୍‍ ସମୟରେ ଆସିଅଛନ୍ତି । ଆପଣଙ୍କ ପାଇଁ ସେ ବଡ଼ ବ୍ୟସ୍ତ ହେଉଅଛନ୍ତି ।’’

 

ମୁଁ କହିଲି, ‘‘ତାଙ୍କର ଜୀବନର କଣ କୌଣସି ଆଶା ନାହିଁ ? ଆପଣ କଣ ଡାକ୍ତର ?’’

 

‘‘ହଁ ମୁଁ ଡାକ୍ତର, ମୁଁ ସମସ୍ତ କ୍ଷଣ ଏଠାରେ ଅଛି । ଆପଣ ଶୀଘ୍ର ତାଙ୍କ ନିକଟକୁ ଯାନ୍ତୁ ।’’

 

ମୁଁ ବିଳମ୍ବ ନ କରି ଗଲି । ଘରଟି ନୀରବ ହୋଇ ରହିଅଛି, କେବଳ ମଝିରେ ମଝିରେ ଫିଲିପର କରୁଣ ଆର୍ତ୍ତନାଦ ସେ ନୀରବତା ଭଙ୍ଗ କରୁଅଛି । ମୁଁ ତାହାର ଶଯ୍ୟା ନିକଟରେ ବସି ତା ଦେହରେ ହାତ ଦେବା ମାତ୍ରକେ ସେ ଚମକି ଉଠି ଚାହିଁଲେ । ମତେ ଦେଖି ଆଶ୍ଵସ୍ତ ହୋଇ କହିଲେ, ‘‘ବସ, ତୁମକୁ ଗୋଟିଏ କଥା କହିବି । ତୁମେ ଉଇଲମେର ଅଭିଭାବକ ହେବ ?’’

 

‘‘ନିଶ୍ଚୟ, ତୁମେ ସେ ବିଷୟରେ ନିଶ୍ଚିନ୍ତ ଥାଅ ।’’

 

‘‘ମୁଁ ଏହି କଥା ପଚାରିବା ପାଇଁ ତୁମକୁ ଡ଼କାଇଥିଲି । ତୁମେ ତା ପାଇଁ ଯଥାସାଧ୍ୟ କରିବ ତ ?’’

 

‘‘ହଁ, ମୁଁ ମୋର ଯଥାସାଧ୍ୟ କରିବି ।’’

 

ତାପରେ ସେ ମୋଠାରୁ ବିଦାୟ ନେଲେ, ମୁଁ ମଧ୍ୟ ବେଶି କଥା କହି ତାଙ୍କୁ ଆଉ ବିରକ୍ତ କଲି ନାହିଁ । ସେ ଘରୁ ବାହାରି ଆସି ବାହାରେ ବସି ଡାକ୍ତରଙ୍କ ସଙ୍ଗରେ କଥାବାର୍ତ୍ତା ହେଲି । କିଛିକ୍ଷଣ ପରେ ପୁଣି ଫିଲିପକୁ ଦେଖିବାକୁ ଗଲି । ଦେହରେ ହାତ ଦେଇ ତାଙ୍କୁ ଡାକିଲି, କିନ୍ତୁ କୌଣସି ଉତ୍ତର ପାଇଲି ନାହିଁ । ଡାକ୍ତରଙ୍କୁ ଡାକିଲି, ସେ ଆସି ଦେଖି କହିଲେ—‘‘ସବୁ ଶେଷ ହେଲାଣି ।’’

 

ଡାକ୍ତର ସେ ଘରୁ ବାହାରି ଲାଇବ୍ରେରୀରେ ତାଙ୍କ ସଙ୍ଗରେ ଦେଖା କରିବାକୁ କହି ଚାଲିଗଲେ । ମୁଁ ଉଇଲମେର ଶିକ୍ଷୟିତ୍ରୀ ଶ୍ରୀମତୀ ବ୍ଲେଡ଼କୁ ପଚାରିଲି, ‘‘ଉଇଲମେ କଣ କରୁଛି ? କେଉଁଠାରେ ଅଛି ?’’

 

ସେ କହିଲେ, ‘‘ସେ ଶୋଇଛି । ତାକୁ ଡାକିଲେ ଭଲ ହୁଅନ୍ତା, କିନ୍ତୁ ମୋର ମନେ ହେଉଛି, ତାକୁ ବର୍ତ୍ତମାନ ବିରକ୍ତ ନ କରି ଏକୁଟିଆ ରହିବାକୁ ଦେବା ଭଲ । ଆପଣଙ୍କର ଯଦି କିଛି କହିବାର ଥାଏ, ତାହାହେଲେ ମତେ କହନ୍ତୁ, ମୁଁ କହିଦେବି ।’’

 

‘‘ନା, ମୋର କିଛି କହିବାର ନାହିଁ । କେବଳ ଏତିକି ତାକୁ ଜଣାଇଦେବ ଯେ, ମୁଁ ଏଠାରେ ଅଛି ।’’

 

ଏହି କଥା କହି ମୁଁ ଲାଇବ୍ରେରୀକୁ ଚାଲିଗଲି ଏବଂ ସେଠାରେ ଡାକ୍ତରଙ୍କ ପାଇଁ ଅପେକ୍ଷା କଲି । କିଛିକ୍ଷଣ ପରେ ସେ ଆସିଲେ । ଆମେ ଦୁହେଁ ବସି କଥାବାର୍ତ୍ତା ହେଲୁ । ତାଙ୍କ ନିକଟରୁ ଜାଣିଲି, ଫିଲିପ ଘୋଡାରୁ ପଡ଼ି ସାଂଘାତିକ ଆଘାତ ପାଇଥିଲେ ।

 

ମୁଁ ମୋର ଭଗିନୀକୁ ପରଦିନ ଆସିବା ଲାଗି ଚିଠି ଲେଖିଦେଲି । ଡାକ୍ତର ମଧ୍ୟ ସେଦିନ ସେଠାରେ ରହିଲେ ।

 

ଫିଲିପ ମୋତେ କହିଥିଲେ, ସେ ଲାଇବ୍ରେରୀରେ କେତେଗୁଡ଼ିଏ କାଗଜ ରଖିଅଛନ୍ତି, ସେଗୁଡ଼ିକ ଯେପରି ମୁଁ ଦେଖେ । ଶୁଣିଲି ତାର ଚାବି ଶ୍ରୀମତୀ ବ୍ଲେଡ଼ଙ୍କ ନିକଟରେ ଅଛି । ମୁଁ ଚାବି ମଗାଇ ପଠାଇଲି । ଜଣେ ଚାକର ଆସି କହିଲା, ଶ୍ରୀମତୀ ମତେ ଡାକୁଅଛନ୍ତି । ମୁଁ ତତ୍‍କ୍ଷଣାତ୍‍ ତାଙ୍କ ନିକଟକୁ ଗଲି । ସେ ଆସ୍ତେ ଆସ୍ତେ କହିଲେ, ‘‘ଉଇଲମେ ଘରେ ନାହିଁ, ସେ କେଉଁଠାକୁ ଯାଇଛି, ତାହା ମଧ୍ୟ ମୁଁ ଜାଣେ ନାହିଁ ।’’

 

‘‘ସେ କାହିଁକି ଯାଇଛି ଜାଣ ?’’

 

‘‘ନା, କିନ୍ତୁ ପ୍ରାୟ ଦୁଇ ବର୍ଷ ପୂର୍ବରୁ ଠିକ୍‍ ଥରେ ଏହିପରି ଘଟିଥିଲା । ସେ ନିଜ ଉପରେ ବିରକ୍ତ ହୋଇ ଚାଲିଯାଇଥିଲା । ଆଠ ଘଣ୍ଟାପରେ ଘରକୁ ଆସିଲା ।’’

 

‘‘ଆଠଘଣ୍ଟା ? ତା’ ପୂର୍ବରୁ ତାକୁ କେହି ଖୋଜି ପାଇଲେ ନାହିଁ ?’’

 

‘‘ନା, ଫିଲିପ ଖୋଜିବାକୁ ମନା କରିଥିଲେ । ତାଙ୍କ ମତରେ ଉଇଲମେକୁ ତାହାର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେବା ଉଚିତ । ତାହା ଛଡ଼ା ତାକୁ ଖୋଜିବାକୁ ଗଲେ ବାହାରର ଅନେକ ଲୋକ ଜାଣିପାରିବେ ଏବଂ ଏ ବିଷୟରେ ନାନା ପ୍ରକାର ଆଲୋଚନା କରିବେ । ସେଥିପାଇଁ ସେ ଖୋଜିବାକୁ ସେ ମନା କରିଥିଲେ ।’’

 

‘‘କିନ୍ତୁ ବର୍ତ୍ତମାନ ତ ଚୁପ୍‍ ହୋଇ ରହିଲେ ଚଳିବ ନାହିଁ ? ତାକୁ ଖୋଜିବାକୁ ମୁଁ ଯାଉଛି-।’’

 

ଶ୍ରୀମତୀ ବ୍ଲେଡ ଓ ଡାକ୍ତର ଦୁହେଁ ମତେ ଖୋଜିବାକୁ ମନାକଲେ । ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ । ମୁଁ ଚୁପ୍‍ ହୋଇ ରହିଲି, କିନ୍ତୁ ମନ ମାନିଲା ନାହିଁ । ମୁଁ ତ ତାହାହେଲେ ଫିଲିପର ଇଚ୍ଛାନୁରୂପ କାର୍ଯ୍ୟ କଲି ନାହିଁ । ମନଟା ବଡ଼ ଅଶାନ୍ତ ହୋଇ ପଡ଼ିଲା । ସମସ୍ତ ରାତି ଉଜାଗର ରହିବି ସ୍ଥିର କରି ଶ୍ରୀମତୀ ବ୍ଲେଡ଼ଙ୍କଠାରୁ ଚାବି ନେଇ ଲାଇବ୍ରେରୀକୁ ଯାଇ ଫିଲିପର କାଗଜ ପତ୍ରଗୁଡ଼ିକ ବାହାର କଲି । ଡାକ୍ତର ଶୋଇବାକୁ ଗଲେ । କିଛିକ୍ଷଣ ପରେ ଆସି ମୋହ ସ୍ଥାନଟି ନେବେ ବୋଲି କହିଗଲେ । ମୁଁ ବତୀ ମେଜ ଉପରେ ରଖି ଚିଠିଗୁଡ଼ିକ ବାହାର କରି ପଢ଼ିବାକୁ ଆରମ୍ଭ କଲି; କିନ୍ତୁ ମୋର କାନଟା ଥାଏ, ବରାବର ବାହାରକୁ । ଟିକିଏ ପତ୍ରର ଶବ୍ଦ ହେଲେ ମନେ ହୁଏ, ଉଇଲମେ ଫେରି ଆସିଲା ପରା ।

 

ଫିଲିପର ଚିଠିରୁ ତାର ଅନେକ କଥା ଜାଣିପାରିଲି । ଚିଠିଗୁଡ଼ିକ ପଢ଼ୁ ପଢ଼ୁ ଭୋର ହୋଇଗଲା । ଡାକ୍ତର ଆସି ମତେ ଟିକିଏ ବିଶ୍ରାମ କରିବାକୁ ପଠାଇଦେଲେ । ମୁଁ ବିଛଣାରେ ପଡ଼ିବା ମାତ୍ରକେ ଶୋଇପଡ଼ିଲି ।

 

ବଡ଼ କ୍ଳାନ୍ତ ହୋଇଥିଲି, ସେଥିପାଇଁ ଅନେକ କ୍ଷଣ ଶୋଇପଡ଼ିଲି । ହଠାତ୍ ଚମକି ଉଠିଲି, ନିଦ ଭାଙ୍ଗିଗଲା—ମନେ ହେଲା, ଯେପରି ଉଇଲମେ ମୋ ସଙ୍ଗରେ କଥା କହୁଅଛି । କିନ୍ତୁ ଉଠିବା ମାତ୍ରକେ ବୁଝିପାରିଲି—ଏହା ସ୍ଵପ୍ନ ।

 

ଘରୁ ବାହାରି ଆସି ଡାକ୍ତରଙ୍କ ନିକଟକୁ ଶୁଣିଲି, ଉଇଲମେ ଏପର୍ଯ୍ୟନ୍ତ ଫେରି ନାହିଁ । ତାଙ୍କୁ ଦେଖି ଅତ୍ୟନ୍ତ ଚିନ୍ତିତ ମନେହେଲା । ଶ୍ରୀମତୀ ବ୍ଲେଡ଼ଙ୍କୁ ଡାକି ପଠାଇଲି । ତାଙ୍କ ସଙ୍ଗରେ ଅନେକକ୍ଷଣ କଥାବାର୍ତ୍ତା ହେଲା । ତାଙ୍କଠାରୁ ଦୁଇ ତିନିଟା ସ୍ଥାନର ସନ୍ଧାନ ପାଇଲି । ଯେଉଁଠିକି ଉଇଲମେ ପ୍ରାୟ ଯାଏ । ପ୍ରଥମେ ସେହି ସବୁ ସ୍ଥାନରେ ସନ୍ଧାନ କରିବା ସ୍ଥିର କଲୁ । ବ୍ଲେଡ଼ ମଧ୍ୟ ସେଥିରେ ସମ୍ପୂର୍ଣ୍ଣ ରାଜି ହେଲେ । ତାଙ୍କର ମୁଖ ଭୟରେ ବିବର୍ଣ୍ଣ ହୋଇ ଯାଇଅଛି । ସମସ୍ତ ରାତ୍ରି ସେ ଶୋଇପାରି ନାହାନ୍ତି ।

 

ଡାକ୍ତର ଓ ମୁଁ ଦୁହେଁ ନିର୍ଦ୍ଧିଷ୍ଟ ସ୍ଥାନରେ ଅନୁସନ୍ଧାନ କରି ଉଇଲମେର କୌଣସି ସନ୍ଧାନ ପାଇଲୁ ନାହିଁ । ତା ପରେ ନିକଟବର୍ତ୍ତୀ ଗୋଟିଏ ଛୋଟ ପାହାଡ଼ ଉପରକୁ ଉଠିଲୁ । ଡାକ୍ତର ଯେଉଁ ଦିଗକୁ ଗଲେ, ମୁଁ ତହିଁର ବିପରୀତଦିଗକୁ ଗଲି । ସ୍ଥାନଟି ଜନଶୂନ୍ୟ । କିଛିଦୂର ଯିବା ପରେ ଦେଖିଲି, ଉଇଲମେ ଅନେକ ଗୁଡ଼ିଏ ଗୋଲାପ ଫୁଲ ହାତରେ ଧରି ଆସୁଅଛି । ତାହାର ମୁଖ ଶେତା ହୋଇ ଯାଇଅଛି, ଗୋଲାପଫୁଲର କଣ୍ଟାରେ ହାତର କେତେକ ସ୍ଥାନ କ୍ଷତ ହୋଇଅଛି । ମତେ ଦେଖି ଟିକିଏ ହସି ମୋ ନାମ ଧରି ଡାକିଲା ।

 

ମୁଁ କହିଲି—‘‘ଉଇଲମେ, ତୁମକୁ ଦେଖି ବଡ଼ ଖୁସି ହେଲି ।’’

 

‘‘କାହିଁକି, ମୁଁ ତ ଫେରି ଆସୁଥିଲି ?’’

 

‘‘ଆମ୍ଭେମାନେ ସମସ୍ତେ ଅତ୍ୟନ୍ତ ଚିନ୍ତିତ ହୋଇଥିଲୁ ।’’

 

‘‘ହଁ, ମୁଁ ମଧ୍ୟ ଭାବୁଥିଲି । ମୁଁ ଏତେକ୍ଷଣ ରହି ନ ଥାନ୍ତି; କିନ୍ତୁ ମୋର କିଛିକ୍ଷଣ ନିର୍ଜନରେ ରହିବାକୁ ଇଚ୍ଛା ହେଲା । ମୁଁ ବର୍ତ୍ତମାନ ଖୁବ୍‍ ଭଲ ହେବି ।’’

‘‘ଥାଉ ସେ କଥା—ତୁମେ ନିଶ୍ଚୟ ଖୁବ୍‍ କ୍ଳାନ୍ତ ହୋଇପଡ଼ିଛ ?’’

 

‘‘ନା, ମୁଁ କିଛିକ୍ଷଣ ବିଶ୍ରାମ କରିଥିଲି ।’’

 

ତା ପରେ ସେ ଗୋଲାପ ଫୁଲଗୁଡ଼ିକ ମୋ ହାତରେ ଦେଇ କହିଲା, ‘‘ ତୁମେ ଏ ଫୁଲଗୁଡ଼ିକ ମୋ ପିତାଙ୍କୁ ଦେବ । ମୁଁ ତାଙ୍କୁ ଆଉ ଦେଖିବି ନାହିଁ ।’’ ଏହି କଥା କହୁ କହୁ ତାର କଣ୍ଠ ରୁଦ୍ଧ ହେଲା । କିନ୍ତୁ ସେ ତତ୍‍କ୍ଷଣାତ ତାକୁ ଦମନ କଲା । ତାକୁ ଦେଖି ମନେ ହେଲା, ସେ ପ୍ରତିଜ୍ଞା କରିଛି, କାନ୍ଦିବ ନାହିଁ ।

 

ତାକୁ ସଙ୍ଗରେ ଘେନି ପାହାଡ଼ ଉପରୁ ଓହ୍ଲାଉଥିଲି—ହଠାତ୍ ସେ କହିଲା, ‘‘ଏଡୁଆର୍ଡ଼, ମତେ ବଡ଼ କ୍ଳାନ୍ତ ବୋଧ ହେଉଛି । ତୁମେ ମତେ ଧର । ମୁଁ ତାକୁ ଧରୁ ଧରୁ ସେ ଅଜ୍ଞାନ ହୋଇ ପଡ଼ିଲା । ମୁଁ ତାକୁ ସେଠାରେ ଶୁଆଇଦେଲି । ଠିକ୍‍ ସେହି ସମୟରେ ଡାକ୍ତର ସେଠାକୁ ଆସିଲେ । ଡାକ୍ତରଙ୍କ ସାହାଯ୍ୟରେ ଶୀଘ୍ର ତାହାର ଜ୍ଞାନ ଆସିଲା । ଆଖି ଫିଟାଇ ଡାକ୍ତରଙ୍କୁ ଦେଖି ଅବାକ ହୋଇ କହିଲା, ‘‘ମୁଁ ଭାବିଥିଲି, ଏଡୁଆର୍ଡ଼ ।’’

 

ମୁଁ କହିଲି, ‘ହଁ, ମୁଁ ଏଠାରେ ଅଛି ।’’ ସେ କହିଲା, ‘‘ବର୍ତ୍ତମାନ ମୁଁ ବେଶ୍‍ ସୁସ୍ଥ ବୋଲି ବୋଧ କରୁଛି, ମୁଁ ଚାଲିଯାଇ ପାରିବି ।’’

 

ମୁଁ ତାକୁ ଏକୁଟିଆ ଆସିବାକୁ ନ ଦେଇ ତା ହାତ ଧରି ଘର ପର୍ଯ୍ୟନ୍ତ ନେଇ ଆସିଲି ।

 

ଅପରାହ୍‍ଣରେ ବାର୍ଥା ଆସି ପହଞ୍ଚିଲା । ମୋ ଠାରୁ ସମସ୍ତ ଘଟଣା ଶୁଣି ସେ ଖୁବ୍‍ ଦୁଃଖ ପ୍ରକାଶ କଲା ଏବଂ ଉଇଲମେର ସମସ୍ତ ଭାର ଗ୍ରହଣ କରିବାକୁ ରାଜି ହେଲା । ଉଇଲମେ ପଳାଇ ଯିବା କଥା ଶୁଣି ସେ ଅତ୍ୟନ୍ତ ବିସ୍ମିତ ହେଲା ।

 

ତିନି ଚାରିଦିନ ମଧ୍ୟରେ ଉଇଲମେ ବାର୍ଥାର ଅତ୍ୟନ୍ତ ଭକ୍ତ ହୋଇ ପଡ଼ିଲା । ବାର୍ଥା ତା ମନ ଭୁଲାଇବାପାଇଁ ତାକୁ ସଙ୍ଗରେ ନେଇ କିଛିଦିନ ସମୁଦ୍ର କୂଳରେ ରହିବାକୁ ଚାଲିଗଲା ।

 

ସେମାନେ ଅନେକ ଦିନ ସେଠାରେ ରହିଲେ । ମଝିରେ ମଝିରେ ମୁଁ ମଧ୍ୟ ଯାଇ ତାଙ୍କ ସଙ୍ଗରେ କିଛି ସମୟ କଟାଇ ଆସେ । ଉଇଲମେ ପୁଣି ପୂର୍ବ ପରି ହୋଇ ଆସିଲାଣି । ପୂର୍ବପରି ହସେ, ଖେଳେ । ବାର୍ଥା ତାକୁ ସଙ୍ଗରେ ନେଇ ତାଙ୍କ ଘରକୁ ଗଲା । ଉଇଲମେ ସେହିଠାରେ ରହିଲା ।

 

କିଛିଦିନ ପରେ ବାର୍ଥା ଦିନେ ମତେ କହିଲା, ‘‘ଉଇଲମେ ଦିନକୁ ଦିନ ଅତ୍ୟନ୍ତ ସୁନ୍ଦର ହୋଇଉଠୁଛି, ଆଉ ତାର ଆୟ ମଧ୍ୟ ଯଥେଷ୍ଟ, ମୋର ମନେ ହୁଏ, ସେ ଖୁବ୍‍ ସୁଖୀ ହେବ । ଆଉ କିଛିଦିନ ଗଲେ ତାହାର ବିବାହ ବିଷୟରେ ଚିନ୍ତା କରିବାକୁ ହେବ ।’’

 

ମୁଁ କହିଲି, ‘ସେ ସମୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କର ।’

 

‘‘ନା, ମୁଁ ଏ ବିଷୟରେ ଏ ପର୍ଯ୍ୟନ୍ତ ତାକୁ କିଛି କହି ନାହିଁ ।’’

 

‘‘ତାର ବିବାହଯୋଗ୍ୟ ବୟସ ଆସିଲେ ମଧ୍ୟ, ଖୁବ୍‍ ଉପଯୁକ୍ତ ପାତ୍ର ପାଇଲେ ମଧ୍ୟ ମୁଁ ତାକୁ କୌଣସି ବିଷୟରେ ଜୋର କରିବି ନାହିଁ ।’’

 

‘‘କିନ୍ତୁ ବର୍ତ୍ତମାନ ତ ତାର ଷୋଳବର୍ଷ ପୂର୍ଣ୍ଣ ହୋଇ ନାହିଁ, ତୁମକୁ ଆଉ ଏତେ ଅଭିଭାବକତା କରିବାକୁ ହେବ ନାହିଁ ।’’

 

ତା’ ପରେ ଉଇଲମେର ଜନ୍ମଦିନ ଆସିଲା । ମୁଁ, ବାର୍ଥା ଓ ଉଇଲମେ ଏକତ୍ର ଭୋଜନ କଲୁଁ । ଏଥିପୂର୍ବରୁ କେତେଥର ଆମ୍ଭେମାନେ ଏକତ୍ର ଭୋଜନ କରିଅଛୁ; କିନ୍ତୁ ଏଥର ଟିକିଏ ଭିନ୍ନ ପ୍ରକାର ।

 

ସେଦିନ ମୁଁ ଘରେ ବସିଥିଲି, ଜଣେ ଭୃତ୍ୟ ଆସି କହିଲା ଯେ, ବାର୍ଥା ବୈଠକଖାନା ଘରେ ମୋ ସଙ୍ଗରେ ଦେଖା କରିବାକୁ ଚାହାନ୍ତି । ମୁଁ ସେଠାକୁ ଗଲା ମାତ୍ରକେ ବାର୍ଥା ଆସି ମତେ ଅଭିବାଦନ କଲା ଏବଂ ଖୁବ୍‍ ଖୁସୀ ହୋଇ କହିଲା, ‘‘ଏଡୁଆର୍ଡ଼, ଆଜି ତୁମକୁ ଗୋଟିଏ ନୂଆ ଅଦ୍ଭୁତ ଜିନିଷ ଦେଖାଇବି ।’’

 

ମୁଁ କହିଲି, ‘‘କଣ ଶୀଘ୍ର ଦେଖାଅ ।’’

 

‘‘ଆଉ ଟିକିଏ ପରେ ଦେଖିବ ।’’

 

‘‘ଉଇଲମେ କିପରି ଅଛି ? ସେ କଣ କରୁଛି ?’’

 

‘‘ସେ ବେଶ୍‍ ଭଲ ଅଛି ଏବଂ ତୁମର ଉପହାର ପାଇ ବଡ଼ ଖୁସି ହୋଇଛି । କିନ୍ତୁ ବର୍ତ୍ତମାନ ତୁମେ ତାକୁ ଦେଖିପାରିବ ନାହିଁ । ମୁଁ ଯେଉଁ ଅଦ୍ଭୁତ ଜିନିଷ ତୁମକୁ ଦେଖାଇବି ବୋଲି କହିଲି, ଏ ତାହାର ଗୋଟିଏ ଅଂଶ ।’’

 

‘‘ତୁମେ ତାକୁ ତାହାହେଲେ ଲୁଚାଇ ବନ୍ଦକରି ରଖିଛ ? କେତେବେଳେ ମତେ ଦେଖାଇବ ।’’

 

ଠିକ୍‍ ଏହି ସମୟରେ ଚାକର ଆସି କହିଗଲା, ଭୋଜନ ପ୍ରସ୍ତୁତ ହେଲାଣି ।

 

ବାର୍ଥା ମତେ କହିଲା, ‘‘ଖାଇବାକୁ ଚାଲ, ସବୁ ଦେଖିପାରିବ ।

 

ଖାଇବା ଘରକୁ ଯାଇ ଦେଖେ, ଉଇଲମେ ମେଜ ନିକଟରେ ଛିଡ଼ା ହୋଇଅଛି । ନୂତନଭାବରେ ତାହାର କେଶ ବନ୍ଧା ହୋଇଅଛି, ସେ ଲମ୍ବା ପୋଷାକ ପିନ୍ଧିଅଛି । ମୁଁ ଆଜି ତାକୁ ପ୍ରଥମେ ଏପରି ପୋଷାକରେ ଦେଖିଲି । ମୁଁ ତାକୁ ଯେଉଁ ମୁକ୍ତାହାରଟି ଦେଇଥିଲି, ସେଇଟି ମଧ୍ୟ ସେ ପିନ୍ଧିଅଛି । ଆଜି ସେ ବଡ଼ ସୁନ୍ଦର ଦେଖାଯାଉଥିଲା । ଟିକିଏ ସଲଜ୍ଜ ଏବଂ ସହର୍ଷ ଦୃଷ୍ଟିରେ ସେ ମୋ ଆଡ଼କୁ ଚାହିଁଲା । ମୁଁ ତାକୁ ମୋର ଶୁଭେଚ୍ଛା ଜଣାଇଲି ।

 

ତା’ ପରେ ଆମ୍ଭେମାନେ ଖାଇ ବସିଲୁ । ମୁଁ ଉଇଲମେକୁ ପଚାରିଲି, ‘‘ଉଇଲମେ, ତୁମକୁ ଆଜି କେତେ ବର୍ଷ ହେଲା ?’’

 

ସେ କହିଲା, ‘‘ମୁଁ ଆଜି ସତର ବର୍ଷରେ ପଦାର୍ପଣ କଲି ।’’

 

‘‘ମୋର ଆଜି ମନେ ପଡ଼ୁଛି ତୁମର ସେହି ଶୈଶବ କଥା—ମୁଁ ପ୍ରଥମେ ଯେତେବେଳେ ଆସିଥିଲି, ତୁମ ପାଇଁ ଚକୋଲେଟ ଆଣିଥିଲି ।’’

 

‘‘କିନ୍ତୁ ମୁଁ ତ ସେତେବେଳେ ଶିଶୁ ନ ଥିଲି ! ମତେ ଦଶ ବର୍ଷ ହୋଇଥିଲା ।’’

 

‘‘ହଁ, କିନ୍ତୁ ତୁମେ ଅତ୍ୟନ୍ତ ଶିଶୁ ଥିଲ । ଆଉ ଆଜି କି ପରିବର୍ତ୍ତନ !’’

 

‘‘ପରିବର୍ତ୍ତନ ? ନା ମୋର କୌଣସି ପରିବର୍ତ୍ତନ ହୋଇ ନାହିଁ । କେବଳ ମୁଁ ଭିନ୍ନ ପ୍ରକାର ପୋଷାକ ପିନ୍ଧିଛି ଓ ମୁଣ୍ଡ ବାନ୍ଧିଛି—ଏ କେବଳ ମୋର ଛଦ୍ମବେଶ୍‍ ।’’

 

ଖାଇସାରି ଉଠିବା ମାତ୍ରକେ ସେ ମୋତେ ପିଆନୋ ବଜାଇବା ପାଇଁ ଅନୁରୋଧ କଲା-। ଆମ୍ଭେମାନେ ବୈଠକଖାନା ଘରକୁ ଗଲୁ, କିନ୍ତୁ ସେଠାରେ ବସି ପୁଣି କଥା କହୁ କହୁ ପିଆନୋ ବଜାଇବା କଥା ଭୁଲିଗଲି । କିଛିକ୍ଷଣ ପରେ ଡାକ୍ତରଙ୍କ ଗାଡ଼ି ମତେ ନେବାକୁ ଆସିଲା । ମୁଁ ଉଠି ଅଳ୍ପକ୍ଷଣ ପିଆନୋ ବଜାଇଲି—ତାହାର ଜନ୍ମଦିନର ଅନୁରୋଧ ମୁଁ ଉପେକ୍ଷା କରିପାରିଲି ନାହିଁ ।

 

ମୁଁ ଯେତେବେଳେ ଗାଡ଼ିକୁ ଉଠୁଅଛି, ସେତେବେଳେ ସେ ଆସି ମୋ ହାତରେ ଖଣ୍ଡେ କାଗଜଦେଇ ଘରକୁ ଯାଇ ପଢ଼ିବାକୁ କହିଲା ।

 

ଘରେ ଆସି ସେ ଖଣ୍ଡି ପଢ଼ିଲି :—

 

‘‘ପିୟ ଏଡୁଆର୍ଡ଼ !

 

ତୁମର ସୁନ୍ଦର ଉପହାର ପାଇଁ ମୁଁ ତୁମକୁ ଅନେକ ଧନ୍ୟବାଦ ଦେଉଛି । ତୁମେ ସର୍ବଦା ମୋ ପ୍ରତି ଏତେ ସସ୍ନେହ ବ୍ୟବହାର କର, ସେଥିପାଇଁ ମଧ୍ୟ ତୁମକୁ କୃତଜ୍ଞତା ଜଣାଉଛି ।’’

 

ଆଜିକାଲି ବାର୍ଥା ଉଇଲମେକୁ ସଙ୍ଗରେ ନେଇ ସବୁ ଜାଗାକୁ ଯାଆନ୍ତି । ମୁଁ ମଝିରେ ମଝିରେ ପ୍ରାୟ ବାର୍ଥା ଘରକୁ ଯାଏ ଏବଂ ଉଇଲମେକୁ ସଙ୍ଗରେ ନେଇ ବୁଲିବାକୁ ଯାଏ । ଉଇଲମେ ଦେଖିବାକୁ ଏତେ ସୁନ୍ଦର ହୋଇଅଛି ଯେ, ସମସ୍ତେ ତାକୁ ଦେଖି ଚାହିଁ ରହନ୍ତି । ଦିନେ ରାସ୍ତାରେ ଯିବା ସମୟରେ ଲର୍ଡ ହାର୍ଷ୍ଟାନ (ବାର୍ଥାର ବନ୍ଧୁ) ତାକୁ ଦେଖି ଖୁବ୍‍ ଖୁସି ହେଲେ ଏବଂ ତାକୁ ଧନ୍ୟବାଦ ଦେଲେ । ଉଇଲମେ କହିଲା, ‘‘ତୁମେ କାହିଁକି ମତେ ଧନ୍ୟବାଦ ଦେଲ ?’’

 

ସେ କହିଲେ, ‘‘ମୁଁ ଗୋଟିଏ ସ୍ୱର୍ଗୀୟ ପ୍ରତିମା ଦେଖିଲି ବୋଲି ।’’ ଉଇଲମେ ଏଡ଼େ ଶିଶୁ ପ୍ରକୃତି, ସେ ଏହାର ଅର୍ଥ ବୁଝି ନ ପାରି ମତେ ପଚାରିଲା । ମୁଁ ମଧ୍ୟ ତାକୁ ଏସବୁ ଜଣାଇବା ଉଚିତ ମନେ ନ କରି କହିଲି, ‘‘ମୁଁ ଜାଣେ ନାହିଁ, ସେ ବୋଧହୁଏ ପାଗଳ ।’’

 

ଉଇଲମେ ସଙ୍ଗରେ ଦିନେ ବସି ଅନେକ ରାତି ପର୍ଯ୍ୟନ୍ତ କଥାବାର୍ତ୍ତା ହେଉ ହେଉ ସେ କହିଲା, ‘‘ସମୟ ଏପରି ଚାଲିଯାଏ କାହିଁକି ? ମୋର ସେହି ପୂର୍ବର ଦିନଗୁଡ଼ିକ ଫେରି ପାଇବାକୁ ଇଚ୍ଛାହୁଏ—ମତେ ଆଦୌ ଭଲ ଲାଗୁ ନାହିଁ ।’’

 

‘‘ତୁମେ ଏପରି ହେଲେ ଚଳିବ ନାହିଁ—ତୁମର ବର୍ତ୍ତମାନ ଖୁସୀ ହେବା ଉଚିତ ।’’

 

‘‘ନା ମୁଁ ଅସୁଖୀ ନୁହେଁ, କିନ୍ତୁ ଖୁବ୍‍ ସୁଖୀ ମଧ୍ୟ ନୁହେଁ ।’’

 

‘‘କାହିଁକି ?’’

 

‘‘ଜାଣେନାହିଁ—କିନ୍ତୁ ବେଳେ ବେଳେ ବଡ଼ ଅସ୍ଥିର ଲାଗେ । ଏଡୁଆର୍ଡ଼, ତୁମର କଣ ଏପରି କେବେ ହୋଇଛି, ତୁମେ କିଛି ପାଇବାକୁ ଇଚ୍ଛାକର, କିନ୍ତୁ ଜାଣନାହିଁ ସେ କଣ ?’’

 

ମୁଁ ଇଙ୍ଗିତରେ ଜଣାଇଲି ଯେ, ମୁଁ ତାହାର ଅବସ୍ଥା ବୁଝି ପାରୁଅଛି । ସେ କିଛିକ୍ଷଣ ଚୁପ ହୋଇ ରହିଲା, ପରେ କହିଲା, ‘‘ତୁମେ ଏ ସବୁ କଥାବାର୍ତ୍ତାରେ କିଛି କହିବ ନାହିଁ । ସେ ତୁମପରି ମୋ ମନ କଥା ବୁଝିପାରିବେ ନାହିଁ ।’’

 

ମୁଁ ଚୁପ୍‍ ହୋଇ ରହିଲି, ସେ କହିଲା, ‘‘ ଅବଶ୍ୟ ମୋର ଏପରି ଭାବ କେବଳ ଭାବପ୍ରବଣତା । ତୁମେ ମୋ କଥା ଶୁଣି ହସୁ ନାହଁ କାହିଁକି ?’’

 

ସେ ବିଷଣ୍ଣ ନୟନରେ ମୋ ଆଡ଼କୁ କିଛିକ୍ଷଣ ଚାହିଁ ରହିଲା ।

 

ତା ଠାରୁ ବିଦାୟ ନେଇ ଘରକୁ ଗଲି । ରାତ୍ରୀରେ ଭଲ ନିଦ୍ରା ହେଲା ନାହିଁ । କେତେ ଚିନ୍ତା ଆସିଲା । ସ୍ଥିର କଲି, ଏଠାରୁ କିଛିଦିନ ପାଇଁ ଚାଲିଗଲେ, ଏ ପ୍ରବୃତ୍ତିକୁ ଦମନ କରିପାରିବି ବୋଧହୁଏ ।

 

ସକାଳେ ଉଠି ଚାକରକୁ ଜଣାଇଦେଲି, ସେହିଦିନ ରାତ୍ରିରେ ମୋର ପ୍ୟାରିସ ଯିବା କଥା ।

 

ଉପର ଓଳି ବାର୍ଥା ଘରକୁ ଗଲି । ମୋତେ ଦେଖି ମୁଁ ଅସୁସ୍ଥ କି ନା, ସେ ପଚାରିଲା ଏବଂ ମତେ ଘରକୁ ଯାଇ ବିଶ୍ରାମ କରିବାକୁ କହିଲା ।

 

ମୁଁ ତାକୁ ପ୍ୟାରିସ ଯିବା କଥା କହିଲି । ସେ ପ୍ରଥମେ ଟିକିଏ ବିସ୍ମିତ ହେଲା ଏବଂ ପଚାରିଲା, ‘‘ତୁମେ କଣ ଅନେକ ଦିନପାଇଁ ଯାଉଛ ?’’

 

‘‘ହଁ, କିଛିଦିନ ସେଠାରେ ରହିବି ମନେ କରୁଛି ।’’

 

‘‘ଏଡୁଆର୍ଡ଼, ତୁମେ ବୋଧହୁଏ ମତେ ନିଷ୍ଠୁର ଭାବିବ, କିନ୍ତୁ ତୁମେ ଯାଉଛ ଶୁଣି ମୁଁ ବଡ଼ ଖୁସି ହେଲି ।’’

 

‘‘କାହିଁକି ?’’

 

‘‘ତୁମେ ଜାଣ ବୋଧହୁଏ ।’’

 

‘‘ନା ବାର୍ଥା, ମୁଁ କିଛି ଜାଣେ ନାହିଁ ।’’

 

‘‘ମୁଁ ତୁମର ଅଭାବ ଖୁବ୍‍ ଅନୁଭବ କରିବି ସତ୍ୟ ଏବଂ ଉଇଲମେ ଅତ୍ୟନ୍ତ ଦୁଃଖିତ ହେବ । କିନ୍ତୁ ତୁମର ଯିବା ଭଲ ।’’

 

‘‘କାହିଁକି ବାର୍ଥା ?’’

 

‘‘ତୁମେ ଆଜିକାଲି ଉଇଲମେ ସଙ୍ଗରେ ବଡ଼ ବେଶି ମିଶୁଛ ସବୁଠାକୁ ତାକୁ ସଙ୍ଗରେ ନେଇଯାଉଛ ।’’

 

‘‘ହଁ, ମୁଁ ଯେ ତାହାର ଅଭିଭାବକ—ମୋର ସେ ଅଧିକାର ଅଛି ।’’

 

କିନ୍ତୁ ଲୋକେ ଅନ୍ୟପ୍ରକାର ମନେକରି ପାରନ୍ତି । ଲୋକେ ଭାବିବେ, ତୁମେ ତାକୁ ବିବାହ କରିବ ବୋଲି ଏତେ ମିଶୁଛ । ଏପରି ଦେଖି କୌଣସି ଉପଯୁକ୍ତ ପାତ୍ର ମଧ୍ୟ ତାକୁ ବିବାହ କରିବାର ପ୍ରସ୍ତାବ ଉତ୍‍ଥାପନ କରିବେ ନାହିଁ । ସେ ତୁମକୁ ପିତା ପରି ଭଲପାଏ, ସେ ଅତ୍ୟନ୍ତ ଶିଶୁ-। ତୁମେ ତାକୁ ବିବାହ କରିପାରିବ ନାହିଁ ।’’

 

‘‘କି କାରଣରୁ ମୁଁ ତାକୁ ବିବାହ କରିପାରିବି ନାହିଁ ?’’

 

‘‘ତୁମେ ତା ଠାରୁ ବୟସରେ ଅନେକ ବଡ଼ । ତାହାର ଅବସ୍ଥା ତୁଳନାରେ ତୁମେ ଦରିଦ୍ର-। ଲୋକେ କଣ କହିବେ ? ତୁମେ ନିଜର ସ୍ୱାର୍ଥାସିଦ୍ଧି ପାଇଁ ତାହାର ଅଭିଭାବକ ହୋଇଛ । ତାହାର ଧନ, ସୌନ୍ଦର୍ଯ୍ୟ ସବୁ ଅଛି—ତୁମର କିଛି ନାହିଁ ।’’

 

କିନ୍ତୁ ତୁମେ ଥରେ ମୋତେ ଗୋଟିଏ ଧନୀ ମହିଳାକୁ ବିବାହ କରିବାକୁ ପରାମର୍ଶ ଦେଇଥିଲ ।’’

 

‘‘ହଁ, ସେଥିରେ ତୁମେ ଖୁବ୍‍ ସୁଖୀ ହୋଇ ପାରିଥାନ୍ତ । ମୋ କଥା ସେତେବେଳେ ଶୁଣିଲ ନାହିଁ ।’’

 

‘‘ବାର୍ଥା, ତୁମେ ଏତେ ବ୍ୟସ୍ତ ହୁଅ ନାହିଁ, ମୁଁ ଉଇଲମେକୁ ବିବାହ କରୁ ନାହିଁ । ମୁଁ ଆଜି ପ୍ୟାରିସ୍‍ ଯାଉଛି । ତୁମେ ଖୁବ୍‍ ଧନୀ ପାତ୍ର ସଙ୍ଗରେ ତାର ବିବାହ ଦେବାକୁ ମନସ୍ଥ କରୁଛ; କିନ୍ତୁ ଉଇଲମେର ବୋଧହୁଏ ସେପରି ଇଚ୍ଛା ନୁହେଁ । ଆଉ ଉଇଲମେକୁ ବିବାହ ବିଷୟରେ ଜୋର କରିବ ନାହିଁ । ମୁଁ ମଧ୍ୟ ଏ ବିଷୟରେ ତାକୁ ଜୋର କରିବି ନାହିଁ । ସେ ନିତାନ୍ତ ଶିଶୁ, ବିବାହ ବିଷୟରେ କିଛି ଜାଣେ ନାହିଁ ।’’

 

‘‘ନା, ମୁଁ ଜୋର କରିବି କାହିଁକି, ଆଜିକାଲିକା ଦିନରେ କାହାରି ଉପରେ ଜୋର ଖଟେ ନାହିଁ ।’’

 

‘‘ଆଚ୍ଛା ଥାଉ, ଏ ବିଷୟରେ ବର୍ତ୍ତମାନ ତୁମେ ସାଙ୍ଗରେ କଥା କହିବାକୁ ମୁଁ ଚାହେଁ । ମତେ ବିଦାୟ ଦିଅ ।’’

 

‘‘ଆଚ୍ଛା ଯାଅ—ମଧ୍ୟେ ମଧ୍ୟେ ଲଣ୍ଡନକୁ ଆସିବ । ତୁମେ ଭାବିବ ନାହିଁ, ମୁଁ କୌଣସି ଅନୁପଯୁକ୍ତ ପାତ୍ର ସଙ୍ଗରେ ଉଇଲମେର ବିବାହ ଦେବି । ବିଦାୟ ଏଡୁଆର୍ଡ଼ । ଉଇଲମେ ଘରେ ନାହିଁ, ସେ ଆସିଲେ ତୁମ କଥା ତାକୁ ମୁଁ ବୁଝାଇ କହିଦେବି ।’’

 

ଏହାପରେ ପ୍ରାୟ ଦୁଇ ବର୍ଷ ଉଇଲମେ ସଙ୍ଗରେ ମୋର ଦେଖା ହୋଇନାହିଁ । ଏହି ଦୁଇ ବର୍ଷ ମଧ୍ୟରେ ଥରେ ଦୁଇ ଥର ଲଣ୍ଡନକୁ ଆସିଅଛି, କିନ୍ତୁ ଉଇଲମେ ସଙ୍ଗରେ ଦେଖା ହୋଇନାହିଁ । ମୁଁ ଯେ ଇଚ୍ଛାକରି ତା ସଙ୍ଗରେ ଦେଖାକରି ନାହିଁ, ତା ନୁହେଁ; ଦୈବକ୍ରମେ ତା ସଙ୍ଗରେ ମୋର ଦେଖା ହୋଇନାହିଁ ।

 

ଏଥି ମଧ୍ୟରେ ମୁଁ କେତେ ଥର ଇଟାଲିକୁ ବୁଲିବାକୁ ଯାଇଅଛି । ଖଣ୍ଡେ ଦୁଇଖଣ୍ଡ ନାଟକ ମଧ୍ୟ ଲେଖିଅଛି ଏବଂ ସୁଖର ବିଷୟ, ଏହା ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହୋଇଅଛି ।

 

ବାର୍ଥା ମତେ ସର୍ବଦା ଉଇଲମେର ଖବର ଦିଏ । ଥରେ ୬୫ ବର୍ଷ ବୟସ୍କ ଗୋଟିଏ ବୃଦ୍ଧ ଉଇଲମେକୁ ବିବାହ କରିବାକୁ ଇଚ୍ଛାକରି ବାର୍ଥା ନିକଟରେ କଥା ଉତଥାପନ କରିଥିଲା । ବାର୍ଥା ମଧ୍ୟ ଖୁବ୍‍ ଖୁସୀ ହୋଇଥିଲା, କିନ୍ତୁ ଉଇଲମେ ରାଜି ନ ହେବାରୁ ବିଚାରା ବୃଦ୍ଧ ନିରାଶ ହୋଇ ଫେରିଗଲା ।

 

କେତେଥର ବାର୍ଥା ମତେ ଲେଖିଅଛି, ସେ ଉଇଲମେର ଉପଯୁକ୍ତ ପାତ୍ର ପାଇଅଛି, କିନ୍ତୁ ଠିକ୍‍ ତା ପରେ ଖବର ପାଇଅଛି, ଉଇଲମେ ତାକୁ ପସନ୍ଦ କରି ନାହିଁ । ଏ ଖବର ପାଇ ମୁଁ ଟିକିଏ ଆଶ୍ଵସ୍ତ ହୁଏ ।

 

ଦୁଇ ଥର ଦୁଇ ଜଣ ଭଦ୍ରଲୋକ ଉଇଲମେ ନିକଟରେ ବିବାହ ପ୍ରସଙ୍ଗ ଉତଥାପନ କରିଥିଲେ । ସେଥିମଧ୍ୟରୁ ଜଣେ ଔପନ୍ୟାସିକ ଏବଂ ଉଚ୍ଚବଂଶୀୟ । କିନ୍ତୁ ସେ ଖୁବ୍‍ ଅବସ୍ଥାପନ୍ନ ନୁହନ୍ତି । ଉଇଲମେ ତାଙ୍କୁ ବିବାହ କରିବାକୁ ଅସମ୍ମତ ହେଲା । ଉଇଲମେ ମତେ ଲେଖିଥିଲା, ସେ ଯେତେବେଳେ ମନା କଲା, ସେତେବେଳେ ସେ ଭଦ୍ରଲୋକ ଭାରି ଦୁଃଖିତ ହେଲେ । ବାର୍ଥା ମଧ୍ୟ ଅତ୍ୟନ୍ତ ବିରକ୍ତ ହେଲା ।

 

ଦ୍ୱିତୀୟ ବ୍ୟକ୍ତି ଜଣେ ସମ୍ଭ୍ରାନ୍ତ-ବଂଶୀୟ Baronet—ତାଙ୍କ ନାମ ସାର ଭିନସେଣ୍ଟ କାରୋନ । ଉଇଲମେ ତାଙ୍କୁ ପସନ୍ଦ କରିଥିଲା । ତାଙ୍କର ଆକୃତି ଓ ସ୍ଵଭାବ ସୁନ୍ଦର । ଏ ପ୍ରସଙ୍ଗ ଉଠିବା ପୂର୍ବରୁ ବାର୍ଥା ମତେ ତାଙ୍କ କଥା ଲେଖିଥିଲା । ସେ ଉଇଲମେ ସଙ୍ଗରେ କିପରି ମିଶୁଅଛନ୍ତି ଏବଂ ତାକୁ କିପରି ଭଲପାଆନ୍ତି, ବୋଧ ହୁଏ ସେ ତାକୁ ବିବାହ କରିବାକୁ ଇଚ୍ଛା କରନ୍ତି । ମୁଁ ବାର୍ଥାକୁ ଲେଖିଥିଲି, ଯଦି ଉଇଲମେ ତାକୁ ପସନ୍ଦ କରେ ଏବଂ ବିବାହ କରିବାକୁ ଇଚ୍ଛା କରେ ତେବେ ଏଥିରୁ ବଳି ଆନନ୍ଦରବିଷୟ ଆଉ କିଛି ନାହିଁ । କିନ୍ତୁ ବାର୍ଥା ଯେପରି ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ ନ କରେ ।

 

କିଛିଦିନ ପରେ ବାର୍ଥା ମତେ ଉଇଲମେର ବିବାହ ସ୍ଥିର ହୋଇ ଯିବାର ସମ୍ବାଦ ଦେଲା; ତାହାର ଚିଠିରୁ ମନେ ହେଲା, ତାହାର ଦୃଢ଼ ଧାରଣା, ଉଇଲମେ ଖୁବ୍‍ ସୁଖୀ ହୋଇଅଛି । ସେ ଚିଠିରେ ଭିନସେଣ୍ଟଙ୍କ ପ୍ରଶଂସାର ସୀମା ନାହିଁ । ବାର୍ଥାର ସବୁ ଚିଠିରୁ ମନେ ହୁଏ, ଉଇଲମେର ସୁଖ ପାଇଁ ସେ ବ୍ୟସ୍ତ । ସେ ଲେଖିଅଛି, ଉଇଲମେ ନିଜେ ମତେ ଏ ସମସ୍ତ ସମ୍ବାଦ ଦେଇଥାନ୍ତା; କିନ୍ତୁ ତାହାର ବିବାହ ସମ୍ବନ୍ଧରେ ସେ ନିଜେ ଲେଖିବାକୁ ଅତ୍ୟନ୍ତ ଲଜ୍ଜା ବୋଧ କରୁଅଛି ।

 

କିଛିଦିନ ପରେ ଉଇଲମେର ଖଣ୍ଡେ ଚିଠି ପାଇଲି । ଚିଠି ଖଣ୍ଡିକ ଖୁବ୍‍ ଛୋଟ । ତାର ଚିଠି ପଢ଼ି ସେଗୁଡ଼ିକ ସବୁ ବାର୍ଥାର ଉକ୍ତି ବୋଲି ମନେ ହେଲା । ଚିଠିର ଅଧିକାଂଶ ବାର୍ଥା କଥାରେ ପୂର୍ଣ୍ଣ, ତାହାର ନିଜର କିମ୍ବା ତାହା ଭାବୀ ସ୍ୱାମୀର ନାମୋଲ୍ଲେଖ ମଧ୍ୟ ନାହିଁ ।

 

ସମ୍ବାଦପତ୍ରରେ ବିବାହ ଖବର ବାହାରିଗଲା । ଛଅମାସ ପରେ ବିବାହ ହେବାର ସ୍ଥିର ହେଲା । ମୁଁ ଲଣ୍ଡନ ପରିତ୍ୟାଗ କରିବା ପରେ ଉଇଲମେ ମତେ ପ୍ରାୟ ଚିଠି ଲେଖୁଥିଲା । କିନ୍ତୁ ଆଜିକାଲି କ୍ୱଚିତ କେବେ ତାହାର ଚିଠି ପାଏ । ତା ଚିଠି ପଢ଼ି ଆଦୌ ମନେ ହୁଏ ନାହିଁ ଯେ, ଖୁବ୍‍ ସେ ସୁଖୀ । ବାର୍ଥା ବେଳେ ବେଳେ ବିବାହର ଆୟୋଜନର ସମ୍ବାଦ ଦିଏ ଏବଂ ସେଥିରେ ଉଇଲମେ ଯେ ଖୁବ୍‍ ଖୁସୀ ହୋଇଅଛି, ଏ ଆଭାଷ ମଧ୍ୟ ଦିଏ ।

 

ବିବାହର ପ୍ରାୟ ତିନି ସପ୍ତାହ ପୂର୍ବରୁ ମୁଁ କେତେକ ବନ୍ଦୋବସ୍ତ କରିବାକୁ ଲଣ୍ଡନ ଗଲି । ମୁଁ କେବେ ଯାଉଅଛି, ତାହା ବାର୍ଥାକୁ ଜଣାଇ ନ ଥିଲି ।

 

ଲଣ୍ଡନରେ ପହଞ୍ଚି ବାର୍ଥା ଘରକୁ ଗଲି; କିନ୍ତୁ ସେମାନଙ୍କ ଦେଖା ପାଇଲି ନାହିଁ । ପରଦିନ ସକାଳେ ପୁଣି ଗଲି । ବାର୍ଥା ଓ ଉଇଲମେ ବୈଠକଖାନା ଘରେ ବସିଥିଲେ । ଉଚ୍ଚଲମେ ମତେ ଦେଖି ଖୁସି ହୋଇ ମୋ ନିକଟକୁ ଦୌଡ଼ି ଆସି କହିଲା, ‘‘ଏଡୁଆର୍ଡ଼, ତୁମେ ଆସିଛ, ମୋର ବଡ଼ ଆନନ୍ଦ ହେଉଛି ।’’

ଉଇଲମେ ସଙ୍ଗରେ କଥା କହୁ କହୁ ମୁଁ ତାକୁ ଭଲ କରି ଲକ୍ଷ୍ୟ କରି ଦେଖିଲି । ସେ ହସୁଅଛି, କିନ୍ତୁ ହସଟା ତାର ଅନ୍ତରର ନୁହେଁ; କଥା କହୁଅଛି, କିନ୍ତୁ ସେଇଟା କେବଳ ନିଜକୁ ଅନ୍ୟମନସ୍କ ରଖିବା ପାଇଁ । ମୁଖଟି ତାହାର ଶ୍ୱେତା ହୋଇ ଯାଇଅଛି । ମୁଁ କହିଲି, ‘‘ଉଇଲମେ, ତୁମେ କଣ ବେଶ୍‍ ସୁସ୍ଥ ଅଛ ?’’

‘‘ହଁ, ମୁଁ ବେଶ୍‍ ସୁସ୍ଥ ଅଛି ।’’

ବାର୍ଥା କହିଲା, ‘‘ନା, ତାର କିଛି ହୋଇ ନାହିଁ । ସେ କେବଳ କ୍ଳାନ୍ତ ହୋଇ ପଡ଼ିଛି । ତାକୁ ଅନେକଙ୍କ ସଙ୍ଗରେ ଦେଖା କରି ଯିବାକୁ ହେଉଛି ।’’

‘‘କିନ୍ତୁ ସେ ତ ସେପରି ଦେଖା ଯାଉ ନାହିଁ ? ସେ ବେଶ୍‍ ସୁସ୍ଥ ଦେଖା ନ ଯିବା ପର୍ଯ୍ୟନ୍ତ ତ ତାହାର ବିବାହ ହୋଇ ନ ପାରେ ।’’

ଉଇଲମେ ବିରକ୍ତ ହୋଇ କହିଲା, ‘‘ଥାଉ ମୋ କଥା ବର୍ତ୍ତମାନ ବନ୍ଦ କର । ମତେ ଆଦୌ ଏ ସବୁ କଥା ଶୁଣିବାକୁ ଭଲ ଲାଗୁ ନାହିଁ । ଏଡୁଆର୍ଡ଼, ତୁମ ଖବର ସବୁ ମତେ କୁହ ।’’

‘‘ମୋର ତ କୌଣସି ଖବର ନାହିଁ । ତୁମର ବିବାହର ଖବର କହ, ମୁଁ ଶୁଣିବି ।’’

ଉଇଲମେ ଚୁପ୍‍ ହୋଇ ରହିଲା । ବାର୍ଥା ମୋ କଥାର ଉତ୍ତର ଦେଲା ।

ଉଇଲମେକୁ ଯେତେ ବେଶି ଦେଖିଲି, ମୋର ମନେ ହେଲା, ସେ ଆଦୌ ସୁଖୀ ନୁହେଁ-। ମୁଁ ସ୍ପଷ୍ଟ ବୁଝି ପାରିଲି, ସେ ଭିନସେଣ୍ଟଙ୍କୁ ଶ୍ରଦ୍ଧା କରେ, କିନ୍ତୁ ଭଲପାଏ ନାହିଁ ।

ବିବାହର ପ୍ରାୟ ୫।୬ ଦିନ ପୂର୍ବରୁ ଦିନେ ଉଇଲମେର ଖଣ୍ଡେ ଚିଠି ପାଇଲି–‘‘ଏଡୁଆର୍ଡ଼, ତୁମେ ଆଜି ରାତିରେ ଏଠାକୁ ଆସିବ, ପିଆନୋ ବଜାଇବ ଏବଂ ଆମ୍ଭମାନଙ୍କ ସଙ୍ଗରେ ଖାଇବ । ଆଉ କେହି ନ ଥିବେ, ଭିନସେଣ୍ଟ ମଧ୍ୟ ନ ଥିବେ । ତୁମେ ନିଶ୍ଚୟ ଆସିବ-।’’

ମୁଁ ଏ ଅନୁରୋଧ ଉପେକ୍ଷା କରିପାରିଲି ନାହିଁ । ସନ୍ଧ୍ୟାବେଳକୁ ଗଲି । ଖାଇବସି କେତେ ପ୍ରକାର କଥା ହେଲା ।

ଖାଇ ସାରି ପିଆନୋ ବଜାଇବାକୁ ଗଲି । ଉଇଲମେ ମୋ ନିକଟରେ ବସିଥିଲା । ମୋର ମନେ ପଡ଼ିଲା, ଉଇଲମେର ଜନ୍ମଦିନ କଥା–ଠିକ୍‍ ସେ ଦିନ ଆମ୍ଭେମାନେ ଏହିପରି ବସିଥିଲୁ । ପିଆନୋ ବଜାଇବା ସମୟରେ ମୁଁ ଥରେ ଥରେ ଉଇଲମେକୁ ଦେଖୁଥିଲି—ସେ ଚୁପ୍‍ ହୋଇ ବସିଥିଲା, ଦୃଷ୍ଟି ତାହାର ବଡ଼ ଉଦାସ । ତା ପରେ ମୁଁ ବାଦ୍ୟରେ ଏପରି ନିବିଷ୍ଟ ହୋଇଗଲି ଯେ, ଉଇଲମେ କଣ କରୁଅଛି ଚାହିଁ ଦେଖି ନାହିଁ । ହଠାତ୍ ଗୋଟାଏ ଶବ୍ଦ ହେଲା, ମୁଁ ଚାହିଁ ଦେଖିଲି, ବାର୍ଥା କିମ୍ବା ଉଇଲମେ କେହି ନାହାନ୍ତି । ମୋର ମନେ ହେଲା, ଯେପରି ସେମାନେ ସେହିକ୍ଷଣି ସେଠାରୁ ଉଠିଗଲେ । ମୁଁ ପିଆନୋ ବନ୍ଦ କରି ଅବାକ ହୋଇ ବସି ଭାବିଲି । ଅଳ୍ପକ୍ଷଣ ପରେ ବାର୍ଥା ଫେର ଆସିଲା । ମୁଁ ଉଦବିଗ୍ନ ହୋଇ ପଚାରିଲି, ‘‘ବାର୍ଥା, କଣ ହେଲା ? ଘଟଣା କଣ-?’’

 

‘‘ତୁମେ କଣ ଦେଖିଲ ନାହିଁ ?’’

 

‘‘ ନା, ମୁଁ କିଛି ଦେଖି ନାହିଁ ।’’

 

‘‘ଉଇଲମେ ହଠାତ୍ ଖୁବ୍‍ କାନ୍ଦିବାକୁ ଲାଗିଲା ଏବଂ ଉଠି ଉପରକୁ ଚାଲିଦେଲା । ମୁଁ ତାକୁ ବିଛଣାରେ ଶୁଆଇ ଦେଇଆସିଛି । ସେ ମତେ ଏଠାକୁ ଆସିବାକୁ କହିଲା ।’’

 

‘‘ସେ କଣ ଏ ପର୍ଯ୍ୟନ୍ତ କାନ୍ଦୁଛି ?’’

 

‘‘ହଁ, ଖୁବ୍ କାନ୍ଦୁଛି, କୌଣସି କାରଣ ମଧ୍ୟ କହୁ ନାହିଁ ।’’

 

‘‘କିନ୍ତୁ ନିଶ୍ଚୟ ଏହାର କୌଣସି କାରଣ ଅଛି ।’’

 

‘‘ତାହାର ମସ୍ତିଷ୍କ ବଡ଼ ଦୁର୍ବଳ, ସଙ୍ଗୀତ ଇତ୍ୟାଦି ଶୁଣିଲେ ସେ କିପରି ହୋଇଯାଏ । କିନ୍ତୁ ମୁଁ ତାକୁ ଏପରି ବିଚଳିତ ହେବାର କେବେ ଦେଖି ନାହିଁ । ଖାଇବା ସମୟରେ ତ ତାର ଖୁବ୍‍ ସ୍ଫୂର୍ତ୍ତି ଥିଲା ।’’

 

‘‘ତା ନିକଟରେ ବର୍ତ୍ତମାନ କିଏ ଅଛି ?’’

 

‘‘ଶ୍ରୀମତୀ ବ୍ଲେଡ଼ ଅଛନ୍ତି ।’’ ଏହି କଥା କହି ବାର୍ଥା ଚୁପ୍‍ ହୋଇ ବସିଲା । କିଛିକ୍ଷଣ ପରେ ମୁଁ କଥା କହିବାକୁ ଯାଉଛି, ଏପରି ସମୟରେ ବାର୍ଥା କହିଉଠିଲା, ମୁଁ ଜାଣେ ଏଡୁଆର୍ଡ଼ ତୁମେ କଣ କହିବ, ମୁଁ ଜାଣେ ?’’

 

‘‘ହଁ, ବାର୍ଥା, ମୋ ମତରେ ଉଇଲମେର ବିବାହ ବନ୍ଦ କରାଯାଉ । ସେ ଭିନସେଣ୍ଟଙ୍କୁ ଭଲ ପାଏ ନାହିଁ । ବର୍ତ୍ତମାନ ମଧ୍ୟ ଯଥେଷ୍ଟ ସମୟ ଅଛି ବନ୍ଦ କରିବା ପାଇଁ ।’’

 

‘‘ସେ ତ ଏପରି ନ ଥିଲା । ତୁମେ ଫେରି ଆସିବା ଦିନଠାରୁ ସେ ଏପରି ହୋଇଛି । ମୁଁ କିଛିଦିନ ପୂର୍ବେ ଥରେ ଏ ବିଷୟ ତାକୁ ପଚାରିଥିଲି ଏବଂ ତାର ଯଦି ଆପତ୍ତି ଥାଏ, ତାହାହେଲେ ବିବାହ ଭାଙ୍ଗିଦେବା କଥା ମଧ୍ୟ କହିଥିଲି । କିନ୍ତୁ ସେ କହିଥିଲା, ସେ ଭାବି ଚିନ୍ତି ବିବାହ କରିବା ସ୍ଥିର କରିଛି । ବର୍ତ୍ତମାନ ମଧ୍ୟ ମୁଁ ତାକୁ ସେ କଥା କହିଲି । ସେ ଖୁବ୍‍ କାନ୍ଦି କାନ୍ଦି କହିଲା ନା, ନା, ମୁଁ କେବେ କାହାକୁ ଅସୁଖୀ କରିବାକୁ ଚାହେଁ ନାହିଁ ।’’

 

‘‘ମୋର ଏଥିରେ କିଛି ଦୋଷ ନାହିଁ ।’’

 

‘‘ନା, ତୁମର କୌଣସି ଦୋଷ ମୁଁ ଦେଖୁ ନାହିଁ । କିନ୍ତୁ ବର୍ତ୍ତମାନ କଣ କରାଯିବ ?’’

 

‘‘ଆମ୍ଭମାନଙ୍କର କୌଣସି ହାତ ନାହିଁ । ସେ ବର୍ତ୍ତମାନ ବଡ଼ ହେଲାଣି; ନିଜ କଥା ବେଶ୍‍ ବୁଝିପାରେ । କିନ୍ତୁ ମୋର ମନେ ହଏ, ଏ ବିବାହ ବର୍ତ୍ତମାନ ନ ହେବା ଶ୍ରେୟଃ ।’’

 

ବିବାହ ବାସ୍ତବିକ ହେଲା ନାହିଁ । ପରଦିନ ସକାଳୁ ବାର୍ଥାର ଖଣ୍ଡେ ଚିଠି ପାଇଲି । ସେ ସେହିକ୍ଷଣି ତା ସଙ୍ଗରେ ମତେ ଦେଖା କରିବାକୁ ଲେଖିଅଛି । ଯାଇ ଦେଖିଲି, ତାର ମୁଖ ବିବର୍ଣ୍ଣ ଏବଂ ହାତରେ ଖଣ୍ଡେ ଚିଠି । ମତେ ଦେଖି ସେ କହିଲା, ‘‘ଉଇଲମେ ଚାଲିଗଲାଣି ।’’

 

‘‘ଚାଲି ଗଲାଣି ?’’

 

‘‘ହଁ, ଶ୍ରୀମତୀ ବ୍ଲେଡ଼ ତା ସଙ୍ଗରେ ଯାଇଛନ୍ତି । ମୁଁ ଉଠିବା ପୂର୍ବରୁ ସେ ଚାଲିଯାଇଛି, ଏ ଚିଠି ଖଣ୍ଡି ଲେଖିଯାଇଛି ।’’

 

ଚିଠିରେ ଲେଖାଥିଲା, ‘‘ରାତିରେ ମୁଁ ଭାବିଲି ଦେଖିଲି, ଏ ବିବାହ ମୁଁ କରିପାରିବି ନାହିଁ । ଏଠାରୁ ଚାଲି ଯିବା ହିଁ ଭଲ ମନେକଲି । ଉଠି ଶ୍ରୀମତୀ ବ୍ଲେଡ଼କୁ ସବୁ କହି ତାଙ୍କୁ ସଙ୍ଗରେ ନେଇ ଚାଲି ଆସିଲି । ଭିନସେଣ୍ଟଙ୍କୁ ମଧ୍ୟ ମୁଁ ଲେଖିଅଛି । ମୁଁ କେଉଁଠାରେ ରହିବି ସ୍ଥିର କଲେ ତୁମକୁ ଜଣାଇବି । ମୋର ଠିକଣା ଜାଣିଲା ମାତ୍ରକେ ମତେ ଚିଠି ଲେଖିବ । ବାର୍ଥା, ମତେ କିଛିଦିନ ଏକୁଟିଆ ରହିବାକୁ ଦିଅ । ମୋ ଉପରେ ରାଗିବ ନାହିଁ । ବାର୍ଥା, ମୋର ଠିକଣା ଜାଣିଲେ ମତେ ଲେଖି ଜଣାଇବ ଯେ, ତୁମେ ରାଗି ନାହଁ । ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ । ସେଠାରେ ରହିଲେ ମୁଁ ପାଗଳ ହୋଇଯିବି ।’’

 

ବାର୍ଥା ଆଉ ମୁଁ ଅନେକକ୍ଷଣ କଥାବାର୍ତ୍ତା ହେଲୁ । ସମ୍ବାଦପତ୍ରରେ ପ୍ରକାଶ କରାଗଲା ଯେ, ଉଇଲମେର ଅସୁସ୍ଥତା ଯୋଗୁଁ ଏ ବିବାହ ସ୍ଥଗିତ ରହିଲା । କିଛିଦିନ ପରେ ସମସ୍ତେ ଜାଣି ପାରିଲେ, ଏ ବିବାହ ହେବନାହିଁ ।

 

ଭିନସେଣ୍ଟ ଖୁବ୍‍ ଶାନ୍ତ ଭାବରେ ଏ ଘଟନା ଶୁଣିଲେ । ସେ ମତେ ଥରେ କହିଲେ, ‘‘ଉଇଲମେ ଭଲ କରିଅଛି । ମୁଁ ଜାଣେ, ମତେ ସେ ଭଲପାଇବାକୁ ଖୁବ୍‍ ଚେଷ୍ଟା କରିଅଛି, କିନ୍ତୁ ପାରି ନାହିଁ । ସେ ଅସୁଖୀ ହେବ, ଏଇଟା ମୋ ପକ୍ଷରେ ବଡ଼ କଷ୍ଟଜନକ ।’’

 

ପ୍ରାୟ ପାଞ୍ଚବର୍ଷ ପରେ ଶିକାର କରିବାକୁ ଯାଇ ଭିନସେଣ୍ଟଙ୍କର ମୃତ୍ୟୁ ହୋଇଥିଲା ।

 

ଉଇଲମେ ଏବଂ ଶ୍ରୀମତୀ ବ୍ଲେଡ଼ ପ୍ରଥମେ ଷ୍ଟାର୍ଲେକୁ ଗଲେ । ସେଠାରେ ଯାଇ ଉଇଲମେ ଅତ୍ୟନ୍ତ ଅସୁସ୍ଥ ହୋଇପଡ଼ିଲା । ମୁଁ ଓ ବାର୍ଥା ଦୁହେଁ ଡାକ୍ତର ନେଇ ସେଠାକୁ ଗଲୁ । ଡାକ୍ତର ଗୋଟିଏ ସ୍ୱାସ୍ଥ୍ୟକର ସ୍ଥାନକୁ ଯାଇ କିଛିଦିନ ରହିବାକୁ କହିଲେ । ବାର୍ଥା ଏବଂ ଉଇଲମେ ମେଣ୍ଟାନକୁ ଗଲେ । ମୁଁ ଲଣ୍ଡନରେ ରହିଲି । କିଛିଦିନ ପରେ ଖବର ପାଇଲି, ଉଇଲମେର ଅବସ୍ଥା ଦିନକୁ ଦିନ ଖରାପ ହେଉଅଛି । ସେ ପୁଣି ସିଣ୍ଡେନକୁ ଫେରି ଆସିବାକୁ ଇଚ୍ଛା କରୁଅଛି ।

 

ଭାବି ଦେଖିଲି, ତାର ଇଚ୍ଛା ପୁରଣ କରିବା ନିତାନ୍ତ ଉଚିତ । ସେମାନଙ୍କୁ ସିଣ୍ଡେନକୁ ଆଣିବାର ସମସ୍ତ ବନ୍ଦୋବସ୍ତ କରିଦେଲି ।

 

ଶୀଘ୍ର ଉଇଲମେ ତାହାର ପିତାର ମୃତ୍ୟୁ ସ୍ଥାନ ସିଣ୍ଡେନକୁ ଫେରି ଆସିଲା ।

 

କିଛିଦିନ ପରେ ବାର୍ଥାର ଚିଠି ପାଇଲି, ଉଇଲମେ ଖୁବ୍‍ ଭଲ ଅଛି । ସେ ଆଉ ବାର୍ଥା ଦୁହେଁ ମତେ ସିଣ୍ଡେନକୁ ଯିବାକୁ ଅନୁରୋଧ କରିଅଛନ୍ତି ।

 

ସିଣ୍ଡେନକୁ ଯାଇ ଦେଖିଲି, ଉଇଲମେ ଉଠି ଯିବା ଆସିବା କରୁଅଛି । ଡାକ୍ତରମାନେ ମଧ୍ୟ ଜୀବନର ଆଶା ଦେଇଅଛନ୍ତି ।

 

ଉଇଲମେ ସାଙ୍ଗରେ କିଛିକ୍ଷଣ କଥାବାର୍ତ୍ତା ହେଲି । ତା ପରେ ସେ ଶୋଇବାକୁ ଗଲାରୁ ବାର୍ଥା ଓ ମୁଁ ବସି ଗଳ୍ପ କରୁ କରୁ ମୁଁ କହିଲି, ‘‘ବାର୍ଥା, ତୁମେ ଜାଣ, ମୁଁ ଉଇଲମେକୁ ଭଲପାଏ ।’’

 

ବାର୍ଥା ଟିକିଏ ଚିନ୍ତା କରି ଉତ୍ତର ଦେଲା, ‘‘ଅନେକ ଦିନ ପୂର୍ବରୁ ମୁଁ ଥରେ ଏହି ଭୟ କରିଥିଲି, କିନ୍ତୁ ପରେ ଆଉ ଏ କଥା ଭାବି ନାହିଁ ।

 

ମୁଁ କହିଲି, ‘‘ମୋର ମନେ ହେଉଛି, ବର୍ତ୍ତମାନ ତାକୁ ଏ କଥା କହିବା ଉଚିତ ।’’

 

ବାର୍ଥା କହିଲା, ‘‘ହଉ, ତୁମର ଇଚ୍ଛା ହେଲେ କହ ।’’

 

ପରଦିନ ବଗିଚାରେ ବସି ବାର୍ଥା ଓ ମୁଁ କଥାବାର୍ତ୍ତା ହେଉଥିଲୁ । ଉଇଲମେ କହିଲା, ‘‘ଏଡୁୱାର୍ଡ, ତୁମେ କାହିଁକି ମୋପାଇଁ ଏତେ ଯତ୍ନ କର ? ମୁଁ ତ ତାହାର ଯୋଗ୍ୟ ନୁହେଁ ? ମୁଁ : ତୁମକୁ ବଡ଼ କଷ୍ଟ ଦିଏ ।’’

 

ମୁଁ କହିଲି, ‘‘ଉଇଲମେ, ତୁମର ମନେ ଅଛି, ତୁମେ ଯେତେବେଳେ ବେଶ୍‍ ବଡ଼ ହୋଇ ଉଠିଲ, ମୁଁ ତୁମ ପାଖରୁ ଦୂରକୁ ଚାଲିଗଲି, ତୁମ ସଙ୍ଗରେ ଦେଖା କରୁ ନ ଥିଲି । ତୁମେ ଜାଣ, କାହିଁକି ?’’

 

‘‘ନା, ଜାଣେ ନାହିଁ । କାହିଁକି ?’’

 

‘‘ଯେହେତୁ ମୋର ବୟସ ଅତ୍ୟନ୍ତ ବେଶି, ମୁଁ ତୁମକୁ ବିବାହ କରିପାରିବି ନାହିଁ । ମୁଁ ତୁମକୁ ବଡ଼ ଭଲପାଉଥିଲି ।’’

 

ଉଇଲମେ ବ୍ୟାକୁଳ ହୋଇ କହିଲା, ‘‘ଏଡୁଆର୍ଡ଼, ଏଡୁଆର୍ଡ଼ ।’’

 

‘‘ସେ କଥା ଆଉ ଭାବ ନାହିଁ, ଉଇଲମେ, ବର୍ତ୍ତମାନ ଆଉ ଉପାୟ ନାହିଁ ।’’

 

‘‘ଏଡୁଆର୍ଡ଼, ଏପରି କାହିଁକି କହୁଛ ? ତୁମେ ମଧ୍ୟ କଣ ଦେଖି ନାହଁ, ମୁଁ ତୁମ ସଙ୍ଗରେ ଦେଖା କରିବାକୁ ଇଚ୍ଛା କରୁ ନ ଥିଲି; କିନ୍ତୁ ତାହାହେଲେ ମଧ୍ୟ—ମୁଁ ତାହା କଥାରେ ବାଧା ଦେଇ କହିଲି, ‘‘ଉଇଲମେ, ମୁଁ ବରାବର ତୁମକୁ ଭଲ ପାଉଥିଲି, ଆଜି ମଧ୍ୟ ତୁମକୁ ଭଲ ପାଏ ।’’

 

ସେ ଆଶ୍ଵସ୍ତ ହୋଇ ମୋର କ୍ରୋଡ଼ରେ ମସ୍ତକ ରଖି କିଛିକ୍ଷଣ ଚୁପ୍‍ ହୋଇ ରହିଲା ।

 

ସେ ପ୍ରାୟ କହେ, ସେ ବେଶ୍‍ ଭଲ ଅଛି । କିନ୍ତୁ ମୋ ମନରେ ଭୟ ହୁଏ, ଏ ତ ସୁସ୍ଥତାର ଲକ୍ଷଣ ନୁହେଁ । ଆମ୍ଭେମାନେ ପ୍ରାୟ ବଗିଚାରେ ବସି ଗଳ୍ପ କରୁ—ଅଧିକାଂଶ ସମୟ ଏକତ୍ର କଟାଉ । ସେ ସୁଖର ଦିନଗୁଡ଼ିକ ବର୍ଣ୍ଣନା କରିବାର ଭାଷା ମୋର ନାହିଁ ।

 

ଶୀତ ଶେଷରେ ହଠାତ ତାହାର ପରିବର୍ତ୍ତନ ଆସିଲା । ସେ ବୁଝିପାରିଲା, ତାହାର ସମୟ ଶେଷ ହୋଇ ଆସିଲାଣି । ପ୍ରାୟ ସେ କହେ, ‘‘ଏଡୁଆର୍ଡ଼କୁ ମୋ ନିକଟରେ ରହିବାକୁ ଦିଅ–ଆମ୍ଭେମାନେ ପରସ୍ପରଠାରୁ ଅନେକ ଦିନ ପର୍ଯ୍ୟନ୍ତ ବିଚ୍ଛିନ୍ନ ହୋଇଥିଲୁ । ମତେ ଶାନ୍ତିରେ ମରିବାକୁ ଦିଅ ।’’

 

ଶେଷ ସମୟରେ ସେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଲା । ଘରର ପ୍ରତ୍ୟେକେ ଆକୁଳ ହୋଇଉଠିଲେ—ସମସ୍ତେ ଯେ ତାକୁ ବଡ଼ ଭଲ ପାଉଥିଲେ ।

 

ରାତ୍ରିରେ ନିଦ୍ରିତାବସ୍ଥାରେ ତାହାର ଅମର ଆତ୍ମା ଅମର ଲୋକକୁ ଚାଲିଗଲା ।

 

ପାଠକ, ଯଦି କେବେ କାହାକୁ ଏହିପରି ଭଲପାଇଥାଅ, ତାହାହେଲେ ସହଜରେ ଅନୁମାନ କରିପାରିବ ଯେ, ମୋର ଆଉ ଲେଖିବାର ଶକ୍ତି ନାହିଁ ।

Image

 

ଉଦ୍‍ଭ୍ରାନ୍ତ

 

ଲିରାସ ଯେତେବେଳେ କାମ ଶେଷ କରି ଦୋକାନର ଖାତାପତ୍ର ସଜାଡି ରଖି ବାହାରକୁ ଆସିଲା, ସେତେବେଳେକୁ ସୂର୍ଯ୍ୟାସ୍ତ ସମୟ ନିକଟବର୍ତ୍ତୀ । ବାହାରକୁ ଆସିବା ମାତ୍ରକେ ଅସ୍ତଗାମୀ ସୂର୍ଯ୍ୟର ଆଲୋକ ତା ଆଖି ଯୋଡ଼ିକ ଝଲସାଇ ଦେଲା । ଦିନଟାଯାକ ସେ ଦୋକାନର ଏକ ପ୍ରାନ୍ତରେ ଗୋଟିଏ ଅନ୍ଧାରୁଆ ଘରକଣରେ ବସି କାମ କରୁଥିଲା । ସେ ଦିନ ସେ ବଡ଼ କ୍ଳାନ୍ତି ବୋଧ କଲା । ସେହି ଦିନ ସେ ବୁଝି ପାରିଲା ଯେ, ସେ ପ୍ରାୟ ୪୦ ବର୍ଷ ହେଲା ଏହି କାମ କରିଆସୁଛି ।

 

ସେ ଯେଉଁଠି ବସି କାମ କରେ, ସେ ସ୍ଥାନଟି ବଡ଼ ଅନ୍ଧାରୁଆ ଆଉ ସନ୍ତସନ୍ତିଆ । ଠିକ୍‍ ତା ପଛଆଡ଼େ ଗୋଟିଏ ଝରକା; ଝରାକାଟି ଏପରି ଅପରିଷ୍କାର ଓ ଭଙ୍ଗା ଯେ, ସେ ବାଟ ଦେଇ ଚାହିଁବାକୁ ମଧ୍ୟ ଇଚ୍ଛା ହେବ ନାହିଁ । ଝରକା ପଛ ଆଡ଼େ ଗୋଟିଏ ବଗିଚା ଏବଂ କେତେଗୁଡ଼ିଏ କୁଡ଼ିଆ ଘର । ଲିରାସ୍ ପ୍ରତିଦିନ ସକାଳ ୮ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି କ୍ଷୁଦ୍ର କାରାଗାର ମଧ୍ୟରେ ଅନ୍ଧକାରରେ ବସି ଅତି ସତର୍କଭାବରେ କାମ କରେ । ସେ ଏହି ଦୋକାନରେ ବର୍ଷକୁ ୬୦ ପାଉଣ୍ଡ ବେତନରେ କାମ ଆରମ୍ଭ କରିଥିଲା, ବର୍ତ୍ତମାନ ତାର ବେତନ ୧୨୦ ପାଉଣ୍ଡ । ଆଜି ପର୍ଯ୍ୟନ୍ତ ସେ ଅବିବାହିତ; ତାର ବିଶ୍ୱାସ, ବିବାହ କଲେ ପରିବାର ପୋଷଣ କରିବା ତାର ଏହି ସାମାନ୍ୟ ବେତନରେ ଅସମ୍ଭବ ।

 

ସେ କେବେ ସୁଖ, ଆମୋଦ ପ୍ରମୋଦ ଖୋଜି ନାହିଁ; କାରଣ ସେପରି ଆବଶ୍ୟକତା ତ ସେ ଜୀବନରେ ଆଜିଯାଏ ଅନୁଭବ କରିନାହିଁ ? ସେ କେବଳ ତାର କାମଟି କରି ତୃପ୍ତ ଥାଏ । ଦିନେ ଦିନେ ଯେତେବେଳେ ଅତିରିକ୍ତ ପରିଶ୍ରମ ପଡ଼େ, ସମସ୍ତ ଦିନ ଅକ୍ଲାନ୍ତ ପରିଶ୍ରମ କରି ଥକିଯାଏ, ସେତେବେଳେ ବିରକ୍ତ ହୋଇ କହେ, ‘‘ଆହା ! ବର୍ଷକୁ ଯଦି ମୁଁ ୫୦୦ ପାଉଣ୍ଡ ଉପାର୍ଜନା କରି ପାରିଥାନ୍ତି, ମୁଁ କଣ ନ କରିଥାନ୍ତି !’’

 

ଜୀବନଟା ତାର ବଡ଼ ନୀରସ ଏବଂ ନୈରାଶ୍ୟପୂର୍ଣ୍ଣ । ତାର କାମଟିରେ ସେ ନିଜକୁ ଏତେ ବେଶି ଜଡ଼ିତ କରି ରଖେ, ସ୍ଵପ୍ନ ଦେଖିବାକୁ ମଧ୍ୟ ତାର ଫୁରସତ୍‍ ନ ଥାଏ । ବହୁଦିନ ପୂର୍ବରୁ ସେ ପିତୃମାତୃହୀନ । ନିଜର ପ୍ରତ୍ୟେକଟି କାମ ସେ ନିଜ ହାତରେ କରେ । ନିଜର ଘରଟି ଝାଡ଼ି ପରିଷ୍କାର କରିବା, ବିଛଣା କରିବା ଏବଂ ଖାଦ୍ୟର ବ୍ୟବସ୍ଥା କରିବା ସମସ୍ତ ସେ ନିଜେ କରେ ।

 

କୌଣସି ବିଚିତ୍ର ଘଟଣା ବା ପ୍ରେମର ଅଭିନୟ ଏପର୍ଯ୍ୟନ୍ତ ତା ଜୀବନରେ ଦେଖାଦେଇ ନାହିଁ । ଜୀବନଟା ତାର ଯେପରି ଗୋଟାଏ ଧାରାବାହିକ କର୍ମ ଓ ଚିନ୍ତାରେ ପୁର୍ଣ୍ଣ । ଆଜିଯାଏ ତାର ଏହି କର୍ମ ଓ ଚିନ୍ତା କୌଣସି ଘଟଣାରେ ବାଧା ପାଇ ନାହିଁ । ପୂର୍ବେ ସେ ଦର୍ପଣ ସମ୍ମୁଖରେ ଛିଡ଼ା ହୋଇ ନିଜର କୁଞ୍ଚିତ କେଶ ଓ ମୁଖାକୃତି ଦେଖି ଦୀର୍ଘନିଃଶ୍ୱାସ ତ୍ୟାଗ କରୁଥିଲା, ଆଜିକାଲି ମଧ୍ୟ ଦର୍ପଣରେ ତାର ଶୁଭ୍ର ଶ୍ମଶ୍ରୁ ଓ କେଶଶୂନ୍ୟ ମସ୍ତକ ଦେଖି ସେହିପରି ଦୀର୍ଘନିଶ୍ୱାସ ତ୍ୟାଗ କରେ । ହାୟ ! ଜୀବନର ୪୦ ବର୍ଷ ବିତିଗଲା, ସଂସାରର ସବୁ ସୁଖ ଦୁଃଖରୁ ବଞ୍ଚିତ ହୋଇ ତାର ଶୂନ୍ୟ ୪୦ ବର୍ଷ ଅତୀତ ହୋଇଗଲା ।

 

ସେ ଦିନ ଦୋକାନରୁ ବାହାରିଲା ମାତ୍ରକେ ସୂର୍ଯ୍ୟାସ୍ତର ବିପୁଳ ଶୋଭା ଦେଖି ତା ହୃଦୟ ଗୋଟିଏ ଅଭିନବ ଆନନ୍ଦରେ ଉଚ୍ଛ୍ୱସିତ ହୋଇ ଉଠିଲା । କିଛିକ୍ଷଣ ବୁଲି କ୍ଳାନ୍ତି ଦୂର କରି ଘରକୁ ଫେରିବ ବୋଲି ସେ ସ୍ଥିର କରି ଧୀରପଦରେ ଅଗ୍ରସର ହେଲା ।

 

ବୁଲୁ ବୁଲୁ ସେ ଗୋଟିଏ ଉଦ୍ୟାନକୁ ଆସିଲା । ବସନ୍ତକୁ ରମଣୀୟ ସନ୍ଧ୍ୟାରେ ମୁଗ୍ଧପ୍ରାଣ ବହୁ ନର ନାରୀ ସେଠାରେ ଠୁଳ ହୋଇ ନାନା ଆମୋଦ ପ୍ରମୋଦରେ ମତ୍ତ । ବସନ୍ତର ମାଦକତା ବୋଧହୁଏ ଲିରାସର ଅନ୍ତରକୁ ଛୁଇଁଦେଲା । ଲିରାସ କ୍ରମାଗତ ଚାଲିବାକୁ ଲାଗିଲା । କିଛିଦୂର ଯିବା ପରେ ସେ କ୍ଷୁଧା ଅନୁଭବ କଲା । ଗୋଟିଏ ହୋଟେଲକୁ ଯାଇ କିଛି ରୁଟି ଓ ଏକ ପିଆଲା କଫି ଖାଇ ସେ ଭାବିଲା, ‘‘ଆଃ ! କି ସୁନ୍ଦର ସମୟ ! ଆଉ କିଛିଦୂର ଗଲେ ଆହୁରି ଭଲ ଲାଗିବ-।’’

 

କିଛିଦୂର ଯାଇଁ ସେ ପୁଣି ଗୋଟିଏ ଉଦ୍ୟାନ ଦେଖିଲା । ଉଦ୍ୟାନଟି ଯୁବକ ଯୁବତୀ ଦଳରେ ପୂର୍ଣ୍ଣ । କେହି ପ୍ରେମର ସଙ୍ଗୀତରେ ଉଦ୍ୟାନକୁ ମୁଖରିତ କରି ଦେଉଛନ୍ତି, କେଉଁଠାରେ ବା ନବୀନ ଦମ୍ପତି ପ୍ରେମାଳାପରେ ମତ୍ତ । ଲିରାସ ବିସ୍ମିତ ହୋଇ ଦେଖିବାକୁ ଲାଗିଲା । ଏ ସବୁ ତା ପକ୍ଷରେ ଅତି ଅଭିନବ ବ୍ୟାପାର । ଜୀବନର ଦୀର୍ଘ ଚାଳିଶ ବର୍ଷ ତାର କାଟିଗଲାଣି, ଏ ସବୁ ତ ସେ କେବେ ଦେଖି ନାହିଁ ? ଦେଖିବ ବା କିପରି ? ତାର କାମରେ ଏବଂ ସେହି ଚିନ୍ତାରେ ସେ ନିଜକୁ ଏତେ ବେଶୀ ଅଭିଭୂତ କରିଦେଇଛି ଯେ, ତା ବାହାରେ ଯେ ଅନ୍ୟ ଜଗତ ଅଛି, ସେ ଜଗତଟା ଆମୋଦ ପ୍ରମୋଦରେ ଭରା; ଏଇଟା ତାର ଅଜ୍ଞାତ ।

 

କ୍ଳାନ୍ତ ହୋଇ ସେ ଗୋଟିଏ ନିର୍ଜନ ସ୍ଥାନରେ ବସିପଡ଼ିଲା । ବସିବାର ଅଳ୍ପକ୍ଷଣ ପରେ ଗୋଟିଏ ଯୁବତୀ ଆସି ତା ନିକଟରେ ବସି କହିଲା, ‘‘ବନ୍ଧୁ ନମସ୍କାର ।’’ ଲିରାସ ଅବାକ ହୋଇ ଚାହିଁ କହିଲା, ‘‘ଆପଣ ଅନ୍ୟ କାହାରିକୁ ବୋଧହୁଏ ଭୁଲ କରୁଛନ୍ତି ।’’ ରମଣୀଟି ହସି ହସି କହିଲା, ‘‘ନା, ନା, ମୁଁ ଆଦୌ ଭୁଲ କରୁ ନାହିଁ ।’’ ଏହି କଥା କହି ରମଣୀଟି ଲିରାସର ହାତ ଧରିଲା । ଲିରାସ୍ ଚମକିପଡ଼ି ସେଠାରୁ ଉଠି ଚାଲିଗଲା । କିଛିଦୂର ଯିବା ପରେ ଆଉ ଗୋଟିଏ ରମଣୀ ତାକୁ ଡାକିଲା, ‘‘ଆସ, ଆସ, ଏଠି କିଛିକ୍ଷଣ ବସ ।’’

 

ଲିରାସ୍ ବିରକ୍ତ ହୋଇ କହିଲା, ‘‘କାହିଁକି, ତୁମ୍ଭେମାନେ ବାରମ୍ବାର ଏପରି କରୁଛ ?’’

 

ରମଣୀଟି କହିଲା, ‘‘ମୁଁ ତ ମୋହରି ଆନନ୍ଦ ପାଇଁ କରୁନାହିଁ ?’’

 

ଲିରାସ୍ କହିଲା, ‘‘ତେବେ, ତୁମ୍ଭର ଏପରି କରିବାର କାରଣ କଣ ?’’

 

ରମଣୀଟି ବିରକ୍ତ ହୋଇ ରୁକ୍ଷ ସ୍ଵରରେ କହିଲା, ‘‘ବଞ୍ଚି ରହିବାକୁ ହେଲେ ଆମୋଦ ପ୍ରମୋଦ ଦରକାର ।’’ ଏହା କହି ସେ ଗୀତ ଗାଈ ଗାଈ ଅନ୍ୟ ଆଡ଼େ ଚାଲିଗଲା ।

 

ଲିରାସ୍ ମୂକ ହୋଇ ସେଠାରେ ବସି ରହିଲା । ଏତେଦିନ ଯାଏ ସେ ଯେଉଁ ସମସ୍ତ ବିଷୟ ପ୍ରତି ଅନ୍ଧ ହୋଇ ରହିଥିଲା, ତାହାହିଁ ଏତେବେଳେ ତାର ସମଗ୍ର ଚିନ୍ତାକ୍ଷେତ୍ର ଅଧିକାର କଲା-। ସେ ଏହିପରି ଏକାକୀ ବସି ରହିଥିବାର ଦେଖି କେତେ ରମଣୀ ଉପବାସ କରିବାକୁ ଲାଗିଲେ-। ଏ ସବୁ ଦେଖି ସେ ଭାବିଲା, ଏଠିକି ନ ଆସିଥିଲେ ଭଲ ହୋଇଥାନ୍ତା ।

 

ତାର ଏହି ଶୂନ୍ୟ, ଅକର୍ମଣ୍ୟ ଜୀବନରେ ସେ କେତେ ମୂଲ୍ୟବାନ ପଦାର୍ଥ ହରାଇଛି, ପ୍ରେମ କଣ ତାହା ସେ ଜାଣି ନାହିଁ, ତାହା ପାଇବାକୁ ସେ କେବେ ଚେଷ୍ଟା ମଧ୍ୟ କରିନାହିଁ, ଏହି ସମସ୍ତ ଚିନ୍ତା କରୁ କରୁ ତାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଶୋଚନୀୟ ଚିତ୍ର ଦେଖି ସେ ତ୍ରସ୍ତ ହୋଇଉଠିଲା । ଯାହା ଯାଇଛି, ଯାଇଛି; କିନ୍ତୁ ତାର ଭବିଷ୍ୟତ ଯେ ଶୂନ୍ୟ, କଣ ଘେନି ସେ ବଞ୍ଚିବ ରହିବ ?

 

ଉଦ୍ୟାନରେ କେତେ ନରନାରୀ ଆମୋଦରେ ମଗ୍ନ । କିନ୍ତୁ ସେ ଏକା, ସେମାନଙ୍କ ତୁଳନାରେ ତାର ଜୀବନ କେଡ଼େ ନିରାନନ୍ଦ !

 

ତାର ମନେ ହେଲା, ସେ ବହୁଦୂର ଆସିଲାଣି । ଘରକୁ ଫେରିଯିବା କଥାଟା ମନେ ହେବାରୁ ସେ ଭାବିଲା, ଏହିପରି ସାନ୍ଧ୍ୟ ଭ୍ରମଣ ପରେ ପୁତ୍ରକନ୍ୟାମାନଙ୍କ କୋଳାହଳରେ ପୂର୍ଣ୍ଣ କ୍ଷୁଦ୍ର ଗୃହଟିକୁ ଫେରିଯିବା କେଡ଼େ ସୁଖକର ! ବାର୍ଦ୍ଧକ୍ୟ ତ ପ୍ରତ୍ୟକ ମନୁଷ୍ୟ ଜୀବନରେ ଆସିବ; କିନ୍ତୁ ଏହି ବୃଦ୍ଧାବସ୍ଥାରେ ପୁତ୍ର କନ୍ୟା ଆତ୍ମୀୟ ସ୍ଵଜନରେ ବେଷ୍ଟିତ ହୋଇ ରହିବାରେ କି ସୁଖ !

 

ତାର ସେ କ୍ଷୁଦ୍ର ଗୃହଟି କଥା ମନେ ପଡ଼ିଗଲା । ସେ ଗୃହରେ ତା ବ୍ୟତୀତ ଆଉ କାହାରି ପଦାର୍ପଣ ହୋଇ ନାହିଁ । ଦୋକାନର ସେହି ଅନ୍ଧକାରପୂର୍ଣ୍ଣ କୋଣଟି ଅପେକ୍ଷା ସେ ଗୃହଟା ଆହୁରି ଶୂନ୍ୟ ଓ ନିରାନନ୍ଦ ବୋଧ ହେଲା । ପୁଣି ତାକୁ ସେହି ଦାରିଦ୍ର, ନୀରବତା ଓ ନିର୍ଜନତା ମଧ୍ୟକୁ ଫେରିଯିବାକୁ ହେବ ଭାବି ସେ ବ୍ୟାଥିର ହୋଇଉଠିଲା । ବୋଧହୁଏ ଏହି ସମସ୍ତ ଚିନ୍ତା ଭାବନାରୁ ନିଜକୁ ଦୂରରେ ରଖିବା ଲାଗି ସେ ଉଠି ଆହୁରି କିଛିଦୂର ଅଗ୍ରସର ହୋଇ ଗୋଟିଏ ନିର୍ଜନ ସ୍ଥାନରେ ବିଶ୍ରାମ କରିବାକୁ ଲାଗିଲା । ସେଠାରେ ମଧ୍ୟ ଯୁବକ ଯୁବତୀଙ୍କର ସଙ୍ଗୀତ ଧ୍ଵନି, ଆଳାପର ଗୁଞ୍ଜନ ତା କର୍ଣ୍ଣରେ ପ୍ରବେଶ କରୁଥିଲା ।

 

ଆଉ ଦିନେ ପୁଣି ଏହିପରି ଗୋଟିଏ ରମଣୀୟ ସନ୍ଧ୍ୟାରେ ନବପ୍ରଣୟୀ ଯୁବକ ଯୁବତୀ ଦୁଇଜଣ ଉଦ୍ୟାନ ମଧ୍ୟରେ ପ୍ରବେଶ କରି ଭ୍ରମଣ କରୁଥିଲେ । ଗୋଟିଏ ନିର୍ଜନ ଅଂଶରେ ହଠାତ ବୃକ୍ଷ ଶାଖାରେ ଗୋଟାଏ କଣ ରମଣୀର ଦୃଷ୍ଟି ଆକର୍ଷଣ କଲା । ସେ ତାର ପ୍ରିୟକୁ କହିଲା, ‘‘ଦେଖ ତ, ଏ କଣ ? ଆଉ ଟିକିଏ ନିକଟକୁ ଯାଇ ରାମଣୀଟି ଚିତ୍କାର କରି ଉଠିଲା । ଶବ୍ଦ ଶୁଣି ଅନେକ ଲୋକ ଜମି ଗଲେ । ସମସ୍ତେ ନିର୍ବାକ ହୋଇ ଦେଖିଲେ, ବୃକ୍ଷଶାଖାରେ ଜଣେ ବୃଦ୍ଧ ବ୍ୟକ୍ତିର ଶରୀର ଝୁଲୁଛି । ସେ ଆତ୍ମହତ୍ୟା କରିଛି ।

 

ଅନୁସନ୍ଧାନରେ ଜଣାଗଲା, ଲୋକଟିର ନାମ ଲିରାସ, ସେ ବହୁଦିନରୁ ଗୋଟିଏ ବଡ଼ ବହି ଦୋକାନରେ କାମ କରୁଥିଲା ।

 

ସମ୍ଭବତଃ ସାମୟିକ ଉନ୍ମାଦନା ବୃଦ୍ଧଟିର ଆତ୍ମହତ୍ୟାର କାରଣ ।

Image

 

ବାଳକ ଭୃତ୍ୟ

 

ମନୁଆ ଅନେକ ଦିନ ପରେ ଯେତେବେଳେ କଲିକତା ସହରକୁ ଫେରିଆସିଲା, ସେତେବେଳକୁ ଦଶହରା ନିକଟ । ସେପରି ସମୟରେ ଚାକିରି ପାଇବା ଦୁଷ୍କର । ଯେତେ ଅସୁବିଧା ହେଲେ ମଧ୍ୟ—ପେଟକୁ ଗଣ୍ଡାଏ ଭଲ କରି ଖାଇବାକୁ ନ ପାଇଲେ ମଧ୍ୟ ଚାକରମାନେ ମୁଣ୍ଡ ଗୁଞ୍ଜି ପଡ଼ିଥାନ୍ତି ଲୁଗା ଖଣ୍ଡିଏ ପାଇବା ଆଶାରେ । ମନୁଆ ଗାଁରୁ ଫେରିଆସି କିଛିଦିନ ଚାକିରି ଖୋଜି ବୁଲିଲା; କିନ୍ତୁ କୌଣସିଠାରେ ପାଇଲା ନାହିଁ ।

ଆଜି ମାମୁ ପାଖରେ, କାଲି ଦୂର ସମ୍ପର୍କୀୟ ଭାଇ ବସାରେ, ତା ପରଦିନ କୌଣସି ବନ୍ଧୁ ଘରେ ରହି ତାର କିଛିଦିନ ବେଶ୍‍ କଟିଗଲା । କୌଣସି ଜିନିଷର ଅଭାବ ସେ ବୋଧ କରୁ ନ ଥାଏ ସତ୍ୟ; କିନ୍ତୁ ମନରେ ଗୋଟାଏ ଚିନ୍ତା ତାକୁ ସବୁବେଳେ ଅସ୍ଥିର କରି ପକାଉଥାଏ । ସବୁବେଳେ ଭାବେ, ଏପରି ନିଷ୍କର୍ମା ହୋଇ କେତେ ଦିନ କଟାଇବି ?

ପିଲାଦିନରେ ସେ ହରିହରପୁରରେ ଥିଲା । ଟିକିଏ ବଡ଼ ହେବା ମାତ୍ରକେ କଲିକତା ଆସିଲା ଚାକିରି କରିବାକୁ । କଲିକତାରେ ବହୁଦିନ ରହି କେତେ ଜାଗାରେ ଚାକିରି କଲା । ସହରରେ ରହି ରହି ସେ ଗାଁ କଥା ଏକରକମ ଭୁଲି ଯାଇଥିଲା । ଗୋଟିଏ ମହାଜନ ଘରେ ବହୁଦିନ ଚାକିରି କରି ତାର ଦିନଗୁଡ଼ିକ ବେଶ୍‍ କଟି ଯାଉଥିଲା । କିନ୍ତୁ ହଠାତ ଥରେ ତାର ଦେହ ଅସୁସ୍ଥ ହେବାରୁ ଅନେକ ଦିନ ପର୍ଯ୍ୟନ୍ତ କାମ କରି ପାରିଲା ନାହିଁ, ବାଧ୍ୟ ହୋଇ ଗାଁକୁ ବାହାରିଗଲା-। ସୁସ୍ଥ ହୋଇ ଯେତେବେଳେ ପୁଣି କାମ କରିବାକୁ ଗଲା, ସେତେବେଳେ ଆଉ ତା ପାଇଁ କୌଣସି କାମ ଖାଲି ନ ଥିଲା । କଲିକତା ପରି ବଡ଼ ସହରରେ ରହି ଗାଁ ତାକୁ ଆଦୌ ଭଲ ଲାଗେ ନାହିଁ । ତେଣୁ ଗାଁକୁ ଫେରିଯିବାକୁ ମନ ହେଉ ନାହିଁ ।

ଦିନଯାକ ସେ ଏଣେ ତେଣେ ବୁଲେ, ପ୍ରାୟ ପ୍ରତିଘରେ ଖବର ନିଏ କାମ ଖାଲି ଅଛି କି ନାହିଁ । ରାସ୍ତାରେ ପରିଚିତ ଅପରିଚିତ ଯାହାକୁ ଦେଖେ, ଧରି ପଚାରେ ସେମାନେ ତାକୁ ଖଣ୍ଡିଏ କାମ ଦେଇପାରିବେ କି ନାହିଁ । କିନ୍ତୁ ସବୁ ବୃଥା ।

ଶେଷରେ ଆତ୍ମୀୟ ସ୍ଵଜନମାନଙ୍କ ଉପରେ ବୋଝ ହୋଇ ଏହିପରି କର୍ମହୀନ ଜୀବନଯାପନ କରିବା ତା ପକ୍ଷରେ ଅସହ୍ୟ ହୋଇଉଠିଲା । ଆତ୍ମୀୟମାନେ ମଧ୍ୟ କ୍ରମେ ତା ଉପରେ ବିମୁଖ ହୋଇ ଉଠିଲେ । କିଏ କେତେ ଦିନ ଚଳାଇବ ? କୌଣସି କୌଣସିଠାରେ ତାକୁ ନେଇ ଟିକିଏ ଅଶାନ୍ତି ମଧ୍ୟ ଉପସ୍ଥିତ ହେଲା । ଏସବୁ ଦେଖ ଶୁଣି ବିଚରା କଣ କରିବ କିଛି ବୁଝିପାରିଲା ନାହିଁ । ଦିନେ ଦିନେ ଦିନଟାଯାକ ଉପବାସରେ କଟାଇ ଦିଏ ।

ସହର ପ୍ରାନ୍ତଭାଗରେ ମନୁଆର ବନ୍ଧୁ କିଷନଲାଲ କୌଣସି ଗୋଟିଏ ଜମିଦାର ଘରେ ଚାକିରି କରେ । ନିରୁପାୟ ହୋଇ ଦିନେ ମନୁଆ ତା ନିକଟକୁ ଗଲା ।

କିଷନଲାଲ ବହୁଦିନରୁ ଏଠାରେ ଚାକିରି କରୁଛି । ମୁନିବ ତାକୁ ବଡ଼ ଭଲ ପାନ୍ତି ଓ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି । ଜମିଦାର ବାବୁଙ୍କର ଏହି ଅନୁଗ୍ରହ ପାଇ କିଷନଲାଲ ଘରର ସମସ୍ତଙ୍କ ଉପରେ ବେଶ୍‍ କର୍ତ୍ତୃତ୍ୱ କରେ ।

ମନୁଆ ତା ନିକଟକୁ ଗଲା ମାତ୍ରକେ, ସେ ତାକୁ ଖୁବ୍‍ ଆଦର ଅଭ୍ୟର୍ଥନା କରି ବସାଇ କୁଶଳ ପଚାରିଲା । ମନୁଆ କହିଲା, ‘‘ଭାଇ ମୋ ଦିନ ବଡ଼ ଦୁଃଖରେ ଯାଉଛି । ଏ କେତେଦିନ ହେଲା ମୁଁ କପର୍ଦକ ଶୂନ୍ୟ ହୋଇ ବୁଲୁଛି ।’’ କିଷନଲାଲ କହିଲା, ‘‘ତୁମେ କାହିଁକି ତୁମର ପୁରୁଣା ମୁନିବ ଘରକୁ ଫେରିଗଲ ନାହିଁ ?

‘‘ଯାଇଥିଲି; କିନ୍ତୁ ସେ ରଖିଲେ ନାହିଁ ।’’

‘‘କାହିଁକି, କାରଣ କଣ ?’’

‘‘ମୋ କାମରେ ଲୋକ ନିଯୁକ୍ତ ହୋଇଯାଇଛି; ଆଉ କାମ ତ ଖାଲି ନାହିଁ ?’’

‘‘ଦେଖ, ଏହା ତୁମମାନଙ୍କର ଗୋଟାଏ ମସ୍ତ ବଡ଼ ଦୋଷ । ତୁମେମାନେ କାମ କରି ମୁନିବମାନଙ୍କୁ ସନ୍ତୁଷ୍ଟ କରି ଜାଣ ନାହିଁ । ତୁମେ ମାନେ ଯଦି କୌଶଳରେ ସେମାନଙ୍କ ମନ ନେଇପାରୁଥାନ୍ତ, ତେବେ ତୁମ କାମରେ ଯେ ଅଛି ତାକୁ ତଡ଼ି ଦେଇ ସେ ନିଶ୍ଚୟ ତୁମକୁ ରଖୁଥାନ୍ତେ-।’’

‘‘ତା ପୁଣି ଆଜି କାଲିକା ଦିନରେ କିପରି ହେବ ? ଆମ୍ଭେମାନେ ତ ଆଉ ଦେବତା ନୋହୁଁ ?’’

‘‘ମିଛରେ ଖାଲି ବକ ବକ ହେଉଛ କାହିଁକି ? ମୋ କଥା ଭାବିଲ ! ଆଜି ଯଦି କୌଣସି କାରଣରୁ ମୁଁ ଚାଲିଯାଏ, ପୁଣି ଫେରିଆସିଲେ କଣ ବାବୁ ମତେ ରଖିବେ ନାହିଁ ଭାବିଛ ? ସେ ଖୁସି ହୋଇ ମତେ ରଖିବେ ।’’

ମନୁଆ ଚୁପ ହୋଇ ବସି ରହିଲା । ବନ୍ଧୁ ଆତ୍ମପ୍ରଶଂସା କରୁଛି ବୁଝିପାରି କହିଲା, ‘‘ଭାଇ, ଯାହା କହିଲ ସତ । ତୁମପରି ଲୋକ କେତେଟା ଅଛନ୍ତି ?’’

କିଷନଲାଲ ଏ କଥା ଶୁଣି ଭାରି ଖୁସି ହୋଇଗଲା । ଏହି ସମୟରେ ଭିତରୁ ବାବୁଙ୍କର ତଲବ ଆସିବାରୁ ସେ ହଠାତ ବାହାରିଗଲା । ଅଳ୍ପକ୍ଷଣ ମଧ୍ୟରେ ଫେରିଆସି ଘୋଡ଼ା ସଜାଇବାକୁ ଆରମ୍ଭ କଲା । କାମ କରୁ କରୁ କହିଲା, ‘‘ଦେଖ ଭାଇ, ତୋର ଯଦି ସତକୁ ସତ କାମ କରିବାର ଇଚ୍ଛା ଥାଏ, ତେବେ କହ, ମୁଁ ବାବୁଙ୍କୁ କହିବି ତତେ ରଖିବାକୁ ।’’

‘‘ତାଙ୍କର କଣ ଚାକର ଦରକାର ?’’

‘‘ଜଣେ ଅଛି, କିନ୍ତୁ ସେ କାମକୁ ପାରୁ ନାହିଁ, ଭାରି ବୁଢ଼ା ହେଲାଣି ।’’

‘‘ହଁ, ହଁ, ମୁଁ କାମ କରିବି । ତୁମେ ଟିକିଏ ଯଦି ଲାଗିପଡ଼ି ମୋ ଲାଗି ଚେଷ୍ଟା କରନ୍ତ, ମୁଁ ପରା ଚିରଦିନ ତୁମରି କିଣା ହୋଇ ରହନ୍ତି । ଆଉ ଏପରି ଜୀବନ ମତେ ଭଲ ଲାଗୁନାହିଁ ।’’

କିଷନଲାଲ ତା ହାତରେ ସୁକିଟିଏ ଗୁଞ୍ଜି ଦେଇ କହିଲା, ‘‘ହଉ ଯା, କାଲି ଆସିବୁ । ମୁଁ ବାବୁଙ୍କୁ କହି ସବୁ ବନ୍ଦୋବସ୍ତ କରିଥିବି ।’’

ମନୁଆ ଚାଲିଯିବା ପରେ କିଷନଲାଲ ଜମିଦାର ବାବୁଙ୍କୁ ବୁଲାଇବାକୁ ନେଇଗଲା । ବୁଲିସାରି ଘରକୁ ଆସିବାପରେ କିଷନ ଦେଖିଲା ବାବୁ ବେଶ୍‍ ଖୁସ ମେଜାଜରେ ଅଛନ୍ତି । ଏହି ସମୟରେ କଥାଟା ପକାଇଲେ କାମ ହାସଲ ହେବ ଭାବି ସେ ବାବୁଙ୍କ ପାଖକୁ ଯାଇ କହିଲା, ‘‘ବାବୁ, ମୋର ଗୋଟିଏ ପ୍ରାର୍ଥନା ଅଛି ।’’ ବାବୁ କହିଲେ, ‘‘କଣ ରେ, କଣ କହୁଛୁ ?’’

‘‘ବାବୁ, ମୋ ଗାଁରୁ ଗୋଟିଏ ଟୋକା ଆସିଛି, ଭାରି କାମିକା ଟୋକା । କେତେ ଦିନରୁ ନିଷ୍କର୍ମା ହୋଇ ବୁଲୁଛି । ତାକୁ ଆପଣ ଦୟାକରି ରଖନ୍ତୁ ।’’

‘‘ମୋର ତ ଆଉ ଚାକର ଲୋଡ଼ା ନାହିଁ, ସେ କି କାମ କରିବ ?’’

‘‘ଆଜ୍ଞା ସେ ସବୁ କାମକୁ ପାରଙ୍ଗମ । ତାକୁ ଏ ଘର ଓ ବଗିଚା ଇତ୍ୟାଦି ପରିଷ୍କାର କରିବା କାମ ଖଣ୍ଡି ଦେଲେ ଭଲ ହୁଅନ୍ତା ।’’

‘‘ତେବେ ବୁଢ଼ା ଆନ୍ଦିଆ କଣ କରିବ ?’’

‘‘ଆଜ୍ଞା, ତାକୁ ବର୍ତ୍ତମାନ ବିଦାୟ ଦିଅନ୍ତୁ ।’’

ବାବୁ କହିଲେ, ‘‘କିଷନଲାଲ, ଏଇଟା କଣ ନ୍ୟାୟ ହେବ ? ସେ ମୋ ପାଖରେ ଏତେ ଦିନ କାମ ଏକଲା, ଆଜି ତାକୁ ମୁଁ ବିନାଦୋଷରେ କିପରି ତଡ଼ିଦେବି ?

 

‘‘ସେ ତ କିଛି ଆପଣଙ୍କ ପାଖରେ ବିନା ପଇସାରେ କାମ କରି ନାହିଁ । ହକ୍‍ ପଇସା ନେଇ କାମ କରିଛି । ବୁଢ଼ାବେଳକୁ ପେଟ ପୋଷିବା ପାଇଁ ସେ ବେଶ୍‍ ଦୁଇ ପଇସା ରଖିଛି ।’’

 

‘‘ନା, ନା ସେ ପଇସା ରଖିବ କିପରି ? ସେ ତ ଆଉ ଏକା ନୁହେଁ ? ତାର ସ୍ତ୍ରୀଟି ଅଛି, ତାକୁ ତ ପୋଷିବାକୁ ହୁଏ !’’

 

‘‘ବାବୁ, ଆପଣ ତ କିଛି ଜାଣି ନାହାନ୍ତି । ତାର ସ୍ତ୍ରୀ ମଧ୍ୟ ବେଶ୍‍ ଦୁଇ ପଇସା ରୋଜଗାର କରେ । ଆଉ ଆନ୍ଦିଆ ପାଇଁ ବା ଆପଣ ଏତେ ଭାବୁଛନ୍ତି କାହିଁକି । ସେ ତ କୌଣସି କାମକୁ ପାରୁ ନାହିଁ । ମିଛରେ ତା ସକାଶେ ଏତେ ଗୁଡ଼ାଏ ପଇସା ଯାଉଛି । ଆଉ ତାର ଯେଉଁଦିନ ରାତିରେ ଜଗିବା ପାଳି ଥାଏ, ସେଦିନ ସେ ଆଦୌ କାମ କରେ ନାହିଁ । ଆଉ କେଉଁଦିନ ସେ କଣ ଅନ୍ୟାୟ କରି ପକାଇବ, ଶେଷରେ ଆମକୁ ବିପଦରେ ପଡ଼ିବାକୁ ହେବ ।’’

 

‘‘ଦେଖ, ମୁଁ ସବୁ ବୁଝୁଛି, କିନ୍ତୁ ସେ ପନ୍ଦର ବର୍ଷ ମୋ ପାଖରେ କାମ କଲା । ଆଜି ଏ ବୁଢ଼ା ଦିନରେ ତା ପ୍ରତି ଏପରି ବ୍ୟବହାର କରିବାଟା ପାପ ହେବ ।’’

 

‘‘ପାପ ! କାହିଁକି ? ତା ପ୍ରତି ଆପଣ କି ଅନ୍ୟାୟ ବ୍ୟବହାରଟା କରୁଛନ୍ତି ? ବରଂ ଏଠାରୁ ଗଲେ ସେ ଏ ବୁଢ଼ା ଦିନରେ ବେଶ୍‍ ଶାନ୍ତିରେ ରହିବ, ଟିକିଏ ବିଶ୍ରାମ ପାଇବ ।’’

 

ଜମିଦାର ବାବୁ ଟିକିଏ ଚିନ୍ତା କରି କହିଲେ, ‘‘ଆଚ୍ଛା ହେଉ, ତାକୁ କାଲି ଆସିବାକୁ କହ-।’’

 

କିଷନଲାଲ ଖୁସି ହୋଇ କହିଲା, ‘‘ହଉ ଆଜ୍ଞା, ଦୟାକରି ତାକୁ ରଖନ୍ତୁ । କେତେ ଦିନରୁ ସେ ବୁଲୁଛି । ଆଉ ସେ ରହୁ, ଆପଣ ଦେଖିବେ ସେ କେଡ଼େ ବିଶ୍ବାସୀ । ତା ଦେହ ଅସୁସ୍ଥ ହୋଇପଡ଼ିଲା, ଅନେକ ଦିନ ଘରେ ରହିଗଲା ବୋଲି ତାର ପୁରୁଣା-ମୁନିବ ଅନ୍ୟ ଲୋକ ରଖି ନେଲେ । ତା ନ ହେଲେ ସେ କଣ ସେଠୁଁ ଆସିଥାନ୍ତା ?’’

 

ପରଦିନ ମନୁଆ ଆସି କିଷନଲାଲକୁ ଖବର ପଚାରିଲା । କିଷନଲାଲ ତାକୁ ସବୁ ଖବର କହି ଜମିଦାର ବାବୁଙ୍କ ନିକଟକୁ ଘେନିଗଲା । ଜମିଦାର ବାବୁ ତାକୁ ଦେଖି, ତା ସଙ୍ଗରେ କଥାବାର୍ତ୍ତା ହୋଇ ପରଦିନଠାରୁ ଆସି କାମ କରିବାକୁ ଆଦେଶ ଦେଲେ ।

 

ମନୁଆର ଏ ଭାଗ୍ୟ ପରିବର୍ତ୍ତନରେ ଆଉ ଆନନ୍ଦର ସୀମା ନାହିଁ । ତାର ଗୋଡ଼ ଛଅ ହାତରେ ପଡ଼ୁଥାଏ । କିଷନଲାଲ ପାଖକୁ ଗଲାରୁ ସେ କହିଲା, ‘‘ଦେଖ ଭାଇ, କାମ ତ କରେଇ ଦେଲି । ମନଦେଇ କାମ କରିବୁଟି ? ମତେ ଯେପରି ଲଜ୍ଜା ନ ହୁଏ । ଆଉ ଜାଣୁ ତ ମୁନିବମାନେ ଥରେ କୌଣସି ବିଷୟରେ ଦୋଷ ଦେଖିଲେ, ସବୁଥରେ ଦୋଷ ଧରିବାକୁ ଚେଷ୍ଟା କରନ୍ତି । ଖୁବ୍‍ ସାବଧାନ ହୋଇ ଚଳୁଥିବୁ ।’’

 

ମନୁଆ ହସି କହିଲା, ‘‘ଭାଇ, ତୁମେ ନିଶ୍ଚିନ୍ତ ଥାଅ । ସେ ବିଷୟରେ କିଛି ଚିନ୍ତା କରନାହିଁ ।’’

 

ମନ ଖୁସିରେ ମନୁଆ ଜମିଦାର ବାବୁଙ୍କ ଘରୁ ବାହାରି ଆସିଲା । ବଗିଚା ଭିତର ଦେଇ ଆସିଲାବେଳେ ଆନ୍ଦିଆ ଘରଟା ତା ଆଖିରେ ପଡ଼ିଗଲା । ଘର ଝରକା ବାଟ ଦେଇ ଭିତରର କ୍ଷୀଣ ଆଲୋକ ବାହାରକୁ ଅଳ୍ପ ଦିଶୁଥିଲା । ମନୁଆ ତାର ଭବିଷ୍ୟତ ବାସ ଖଣ୍ଡିକ ଥରେ ଦେଖି ନେବାର ଲୋଭ ସମ୍ଭାଳି ନ ପାରି ଝରକା ବାଟେ ଅନାଇଲା । କିନ୍ତୁ କିଛି ଦେଖିପାରିଲା ନାହିଁ, କେବଳ କେତେଗୁଡ଼ିଏ କଥା ତା କାନରେ ପଶିଗଲା ।

 

ଆନ୍ଦିଆର ସ୍ତ୍ରୀ କହିଲା, ‘‘ ଏବେ ଆମ ଅବସ୍ଥା କଣ ହେବ ?’’ ଆନ୍ଦିଆ କହିଲା, ‘‘କଣ ଆଉ କରିବା, ଭିକ ମାଗିବା ।’’

 

‘‘ତା ଛଡ଼ା ଆଉ ଉପାୟ କଣ ? ପାଣ୍ଠିତ କିଛି ହାତରେ ନାହିଁ ! ଓଃ, କି କପାଳ ! ରାତି ନ ପାହୁଣୁ ଉଠି ପୁଣି ରାତିଯାଏ ଖଟି ଖଟି ଜୀବନ ଗଲା । ଶେଷରେ ଏହି ବୁଢ଼ା ଦିନରେ କହିଲେ, ବାହାରି ଯା ।’’

 

‘‘କଣ କରିବା ? ବାବୁଙ୍କୁ କହିଲେ ମଧ୍ୟ କିଛି ଫଳ ହେବ ନାହିଁ । ସେ ତ ଖାଲି ନିଜ ସୁଖ ଦେଖିବେ ।’’

 

‘‘ସମସ୍ତଙ୍କର ଏକା କଥା । ସେମାନେ ଆଉ କାହାରି କଥା ଭାବନ୍ତି ନାହିଁ । ଆମେ ଯେ ଏତେ ବିଶ୍ଵସ୍ତ ଭାବରେ ବର୍ଷ ପରେ ବର୍ଷ କାମ କଲୁଁ, ତାଙ୍କରି ପାଇଁ ହାଡ଼ଭଙ୍ଗା ପରିଶ୍ରମ କରି ଦେହ ମୁଣ୍ଡ ସବୁ ଗଲା, ତାଙ୍କର ତ ସେଥିପ୍ରତି ଦୃଷ୍ଟି ନାହିଁ । ବଳ ବୟସ ଗଲେ ସେମାନେ ଆଉ ମୁହୂର୍ତ୍ତେ ରଖିବାକୁ ଚାହାନ୍ତି ନାହିଁ ।’’

 

‘‘ଏ ବିଷୟରେ ବାବୁଙ୍କ ଅପେକ୍ଷା କିଷନଲାଲର ଦୋଷ ବେଶି । ସେ ତାର ବନ୍ଧୁକୁ ଖଣ୍ଡେ ଭଲ କାମ ଦେବା ମତଲବରେ ଏମିତି କରିଛି ।’’

 

‘‘ସେ ତ ଗୋଟିଏ କାଳସର୍ପ । ରହ, ରହ ମୁଁ ପୁଣି ତା ମଜା ବାହାର କରିବି ଯେ । ମୁଁ ନିଜେ ଯାଇଁ ବାବୁଙ୍କୁ କହି ଆସିବି, ସେ ଘୋଡ଼ା ଦାନା ଓ ନଡା ଚୋରିକରେ ।’’

 

‘‘ନା, ନା ଏପରି ପାପ କର ନାହିଁ ।’’

 

‘‘ପାପ ? ମୁଁ ତ ସତ କଥା କହୁଛି । ବାବୁ ନିଜେ ଦେଖନ୍ତୁ । ଆମ ଅବସ୍ଥା କଣ ହେବ ? ଆମେ କେଉଁଠିକି ଯିବା ? ସେ ତ ଆମର ସର୍ବନାଶ କଲା ।’’

 

ଏହି କଥା କହି ବୁଢ଼ୀ ପାଟିକରି କାନ୍ଦିବାକୁ ଲାଗିଲା ।

 

ମନୁଆ ସବୁ ଶୁଣିଲା । ତା ଛାତିରେ ଯେପରି କିଏ ଛୁରୀ ଚଳାଇ ଦେଲା । ସେ ଯେ ଏ ନିଃସହାୟ ବୃଦ୍ଧ ଓ ତାର ସ୍ତ୍ରୀକୁ ଅକୂଳସମୁଦ୍ରରେ ଭସାଇଦେବାକୁ ଯାଉଛି, ସେଇଟା ମର୍ମେ ମର୍ମେ ଅନୁଭବ କଲା । ଅନେକକ୍ଷଣ ପର୍ଯ୍ୟନ୍ତ ସେ ସେଠାରେ ବସି ଭାବିଲା; ଦୁଃଖରେ, ବେଦନାରେ ତା ହୃଦୟ ବିଦୀର୍ଣ୍ଣ ହୋଇଉଠିଲା ।

 

ଆଉ ସମ୍ଭାଳି ନ ପାରି ସେ ଉଠି କିଷନଲାଲ ପାଖକୁ ଗଲା । ତାକୁ ପୁଣି ଆସିବାର ଦେଖି କିଷନ ଅବାକ ହୋଇ ପଚାରିଲା, ‘‘କଣ ହେଲା କି ?’’

 

ମନୁଆ ରୁଦ୍ଧକଣ୍ଠରେ କହିଲା, ‘‘ଶୁଣ କିଷନ, ତୁମେ ମୋ ପାଇଁ ଯଥେଷ୍ଟ କରିଛ, ସେଥିପାଇଁ ମୁଁ ତୁମକୁ ଶତ ଧନ୍ୟବାଦ ଦେଉଛି । କିନ୍ତୁ ମୁଁ ଏ କାମ କରିବି ନାହିଁ ।’’

 

କିଷନ କହିଲା, ‘‘କଣ ? ତୁ କଣ କହୁଛୁ ?

 

ମନୁଆ କ୍ଷୀଣସ୍ଵରରେ କହିଲା’’ମୁଁ ଏ କାମ କରିପାରିବି ନାହିଁ, ମୁଁ ଅନ୍ୟକାମ ଖୋଜି ନେବି ।’’

 

କିଷନ କ୍ରୋଧରେ ଅନ୍ଧ ହୋଇ କହିଲା, ‘‘ନିର୍ବୋଧ, ତୁ କଣ ମତେ ବୋକା କରି ପାଇଛୁ-? ତୁ ମୂଷା ପରି ଆସି ମୋ ଗୋଡ଼ ହାତ ଧରି କାମ ଖଣ୍ଡେ କରି ଦେବାକୁ କହିଲୁ, ସବୁ ଠିକ୍‍ ହୋଇଗଲା । ଏବେ କହୁଛୁ କରିବୁ ନାହିଁ ? ଶୟତାନ, ତୁ ମୋର ମାନ ଇଜ୍ଜତ ସବୁ ନେଲୁ-?’’

 

ମନୁଆ କଣ ଉତ୍ତର ଦେବ ବୁଝି ପାରିଲା ନାହିଁ । ସେ ତଳକୁ ମୁହଁ ପୋତି ଛିଡ଼ା ହୋଇ ରହିଲା । କିଷନ ରାଗରେ ତା ଆଡ଼କୁ ଚାହିଁ ପାରିଲା ନାହିଁ ।

 

କିଛିକ୍ଷଣ ପରେ ମନୁଆ ତାର ଚାଦର ଖଣ୍ଡି ଧରି ଧୀରେ ଧୀରେ କିଷନ ଘରୁ ବାହାରି ଏକମୁହାଁ ହୋଇ ଫାଟକ ଆଡ଼କୁ ଦୌଡ଼ିଲା । ଫାଟକ ବାହାରକୁ ଆସି ସେ ଟାଣ ନିଃଶ୍ୱାସଟିଏ ପକାଇ ଶାନ୍ତି ଅନୁଭବ କଲା ।

Image